Unknown

 

 

 

 

 

 

 

 

 

 

 

ସ୍ଥିର ତରଙ୍ଗ

ଦଶରଥ ସାମଲ

 

କୃତଜ୍ଞତା ଜ୍ଞାପନ

 

ଉପନ୍ୟାସଟିର ନାମକରଣ ଉତ୍ସବ ସାମ୍ବାଦିକ ଓ ସାହିତ୍ୟିକ ବନ୍ଧୁ ଶ୍ରୀ ଭଗବାନ ନାୟକଙ୍କ ଦ୍ୱାରା ଉଦ୍‍ଯାପିତ ହୋଇଥିବାରୁ, ତାଙ୍କୁ ଗଭୀର କୃତଜ୍ଞତା ଜଣାଉଛି ।

 

‘ସ୍ଥିର ତରଙ୍ଗ’ର ସାହିତ୍ୟିକ ମୂଲ୍ୟବୋଧ, ଅଭିନବ ଆବେଦନ ଓ ସର୍ବୋପରି ଏକ ନିଷ୍ଠୁର, ନିର୍ମମ ରାଜନୈତିକ ପଟ୍ଟଭୂମି ଦେଖି ମଧ୍ୟ ବିକାଶ ପ୍ରତିଷ୍ଠାନର ଅଧ୍ୟକ୍ଷ ଓ ସାହିତ୍ୟିକ ବନ୍ଧୁ ଶ୍ରୀ ରାମନାଥ ପଣ୍ଡା ଅକୁଣ୍ଠିତ ଚିତ୍ତରେ ପ୍ରକାଶନ ଦାୟିତ୍ୱ ଗ୍ରହଣ କରିଥିବାରୁ, ତାଙ୍କୁ ମଧ୍ୟ ଗଭୀର କୃତଜ୍ଞତା ଜ୍ଞାପନ କରୁଛି ।

 

–ଲେଖକ

 

ଏଇ ଲେଖକଙ୍କର ଆଉ କେତୋଟି ସାର୍ଥକ ଓ ମନୋଜ୍ଞ ଶିଳ୍ପ ସୃଷ୍ଟି !

 

।। ବଧୂ ବରଣ ।। ସମାନ୍ତର ।। ଶିଖା ।। ଫୁଟା ଫଗୁଣ ।। ବୈଶାଖି ଘୂର୍ଣ୍ଣି ।। ମନର ତଳେ ତଳେ ।। ସେ ନାରୀ ବନ୍ଦନୀୟା ।। ନୀଳ ସିନ୍ଧୁର ଉପକଣ୍ଠେ ।। ବସନ୍ତ ଆସିଛି ଫେରି ।। ରାତ୍ରି ହେଲା ଶେଷ ।। ପୁଷ୍ପିତା ପୃଥିବୀ ।। ଝରା ପତ୍ରର ମର୍ମର ।।

 

 

 

 

 

 

 

 

 

 

 

 

ସୁପ୍ରତିଷ୍ଠିତ ଯୁବ-ସାହିତ୍ୟିକ ବନ୍ଧୁ ମନୋଜ ଦାସଙ୍କୁ......

 

ପ୍ରୀତି–ଉପହାର

 

ଶ୍ରୀ

 

ଙ୍କୁ...........

 

ଗଭୀର ଶ୍ରଦ୍ଧା ଓ ସଦିଚ୍ଛା ସହ

 

ତା :

 

ଗୁଣମୁଗ୍ଧ

 

ଚୈତ୍ରର ସନ୍ଧ୍ୟା ଛାଉଣୀ ପକାଇ ସାରିଲାଣି ।

 

ମହଳଣ ସନ୍ଧ୍ୟାର ପ୍ରାୟାନ୍ଧକାର ଘନେଇ ଆସିଥିଲା ପୂରବୀପୁର ଗାଁକୁ । ଆକାଶର ମଥାନରେ ଜଳି ଉଠିଥିଲା କେଇଟି ଉଜ୍ଜ୍ୱଳ, ତେଜୋଦୀପ୍ତ ତାରକାର ବତୀ ।

 

ନଳିନାକ୍ଷର ତଥାପି ସୂତାକଟା ବନ୍ଦ ହୋଇନି । ଅରଟ ତା’ର ଚାଲିଛି । ଦାଣ୍ଡ ପିଣ୍ଡାରେ ବସି, ସନ୍ଧ୍ୟାର ସେଇ ପ୍ରାୟାନ୍ଧକାର ଭିତରେ, ତୁଳାର ବଳଣାଟାକୁ ତକିଲି ଭିତରେ ଦେଉଛି । ସନ୍ଧ୍ୟାର ଅନ୍ଧାର ପ୍ରତି ତା’ର ଯେପରି ନଜର ନାହିଁ ।

 

ଖଞ୍ଜା ଭିତରୁ ଭାଇ ଭାଇ ଡାକି ନୀଳିମା ଆସିଲା । ନଳିନାକ୍ଷ ଏକ ଧ୍ୟାନରେ ଅରଟରେ ସୂତା କାଟୁଥିବାର ଦେଖି, କିଛି ନ କହି ସେ ବସିଗଲା ତାରି ପାଖରେ ।

 

ନଳିନାକ୍ଷ ଅଳ୍ପ ସମୟ ପରେ ଆଖି ଟେକି ଚାହିଁଲା ବାହାରକୁ । ଚୈତାଳି ସନ୍ଧ୍ୟାର ଅନ୍ଧକାର ଧୀରେ ଧୀରେ ଗାଢ଼ ହୋଇ ଆସୁଛି । ଆଉ ଟିକିଏ ପରେ ଅନ୍ଧାର ଘୋଟି ଆସିବ । ବିନା ଆଲୁଅରେ ଆଉ କିଛି ଦେଖି ହେବନି କି କରି ହେବନି । ଅରଟଟାକୁ ଭାଙ୍ଗିଭୁଙ୍ଗି ବାକ୍ସ ଭିତରେ ରଖିଲା ବେଳକୁ ହଠାତ୍‍ ତା’ର ନଜର ପଡ଼ିଲା ନୀଳିମା ଉପରେ ।

 

ନଳିନାକ୍ଷ କହିଲା–ଆରେ ତୁ କେତେବେଳେ ଆସିଲୁ । କିଛି ନକହି ମଉନ ହୋଇ ବସି ରହିଛୁ କିଆଁ ।

 

–ମତେ କାହିଁକି ଆଜି ଡାକିଲ ନାଇଁ ?

 

ନୀଳିମାର କଣ୍ଠରେ ଅନୁଯୋଗର ସ୍ୱର । ସନ୍ଧ୍ୟାର ପ୍ରାୟାନ୍ଧକାର ମଧ୍ୟରେ ନଳିନାକ୍ଷ ନିଜ ଭଉଣୀର ଅଭିମାନିଆଁ ଭଙ୍ଗୀକୁ ବେଶ୍‍ ଉପଲବ୍ଧି କରିପାରୁଥିଲା ।

 

ନଳିନାକ୍ଷ କହିଲା–ତୁ କ’ଣ ସୂତା କାଟି ପାରିବୁ ନୀଳି ? ମୋରି ଭଳି ଆଣ୍ଠୁ ପର୍ଯ୍ୟନ୍ତ ଲୁଗା ତୁ କ’ଣ ପିନ୍ଧି ପାରିବୁ ? ଦେହରେ ଚାଦର ପକାଇ ଦେଶ କାମ କରିପାରିବୁ ? ତେଣୁ ତତେ ଅଯଥାରେ ୟା’ ଭିତରକୁ ଆଣିବାକୁ ମୋର ଇଚ୍ଛା ନୁହେଁ ।

 

ନୀଳିମା ଆହୁରି ରୁଷିଲା । ଅଭିମାନ କଲା । ଅଭିଯୋଗ ଭରା କଣ୍ଠରେ କହିଲା–ତମେ କରୁଛ ଭାଇ, ମୁଁ କାହିଁକି ନକରି ପାରିବି ? ଆମେ ତ ଗୋଟିଏ ବାପର ଛୁଆ । ତମେ ଯଦି ଦେଶ ପାଇଁ କାମ କରିବ, ହାତ କଟା ସୂତାରେ ଲୁଗା ପିନ୍ଧି ଦିନ ନେବ, ମୁଁ କାହିଁକି ନ ନେବି ? ନିଶ୍ଚୟ ପାରିବି ?

 

ନଳିନାକ୍ଷ କି ଏକ ଭାବାବେଗରେ ଦାଣ୍ଡ ପିଣ୍ଡାରୁ ଉଠି ପଡ଼ିଲା । ଅରଟ ବାକ୍ସଟାକୁ ଧରି କହିଲା–ଚାଲ ଘର ଭିତରକୁ ନୀଳି, ମୋ ଆଦର୍ଶବାଦର କାହାଣୀ ତତେ ଶୁଣାଇବି । ତୁ ଯଦି ଏତେ ବଡ଼ ଦୁଃଖ, ନିର୍ଯ୍ୟାତନା ମୁଣ୍ଡେଇ ନେଇ ତୋ ଭାଇ ସହିତ, ଛନ୍ଦ ମିଳାଇ ଆଗକୁ ଆଗକୁ ଚାଲି ପାରିବୁ ତେବେ ମୁଁ ଏକ ନୁହେଁ, ପରାଧୀନ ଭାରତର ଚାଳିଶି କୋଟି ଜନତା ତୋତେ ଆଶୀର୍ବାଦ କରିବେ–ଉତ୍ସାହିତ କରିବେ । ତୋର ଚଲା ବାଟରେ ଫୁଲ ଚନ୍ଦନ ବୃଷ୍ଟି କରିବେ । ଚାଲ୍‍ ।

 

ନଳିନାକ୍ଷ ଆଗେ ଆଗେ । ନୀଳିମା ତା’ର ପଛେ ପଛେ । ଦୁହେଁ ଘର ଭିତରକୁ ଗଲେ-

 

ସ୍ୱର୍ଗତଃ ଶଶୀଭୂଷଣ ଦକ୍ଷିଣରାୟଙ୍କ ସ୍ତ୍ରୀ ରାଧାମଣି ଘରଦ୍ୱାର ଆଲୋକିତ କରି ସାରିଲେଣି । ଶୋଇବା ଘରଟିରେ ଧୂପ, ଦୀପ ଜାଳି ବେଶ୍‍ ସୁରଭିତ କରି ସାରିଲେଣି ।

 

ଏଇ ଘରେ କେତେ ପ୍ରକାର ଫଟୋର ବୈଚିତ୍ର୍ୟ । ସତେ କି ଫଟୋର ଏକ ଛବିଳ ପ୍ରଦର୍ଶନୀ । ହେଇ ସେ କୋଣକୁ ରାଧାମଣିଙ୍କ ସ୍ୱାମୀଙ୍କର ବିରାଟ ଫଟୋ ଝୁଲୁଛି । ସେଇ ଫଟୋ ଭିତରୁ ସେ ଯେପରି ହସି ଉଠୁଛନ୍ତି ।

 

ଆର ପଟେ କେତେ ପ୍ରକାର ଫଟୋ । ଗାନ୍ଧିଜୀ, ସୁଭାଷ ବୋଷ, ପଣ୍ଡିତ ନେହେରୁ, ତିଳକ ଏବଂ ଉତ୍କଳମଣି ପଣ୍ଡିତ ଗୋପନବନ୍ଧୁ ଦାସ । ସମସ୍ତେ ଗୋଟିଏ ଧାଡ଼ିରେ ସଜ୍ଜିତ ହୋଇ ଘରର ଶୋଭନ ବୈଶିଷ୍ଟ୍ୟକୁ ଯେପରି ବହୁ ଗୁଣରେ ବର୍ଦ୍ଧିତ କରିଛନ୍ତି । ରାଧାମଣି ଏଇ ସବୁ ଫଟୋ ଦେଇ ଧୂପକାଠି ଚଳାଇ ନେଉଛନ୍ତି । ଏଇ ମନୀଷୀ, ଯୁଗଦ୍ରଷ୍ଟା ପୁରୁଷମାନଙ୍କୁ ସେ ଯେପରି ସନ୍ଧ୍ୟାର ଆରତି କରୁଛନ୍ତି ।

 

ରାଧାମଣି ଭାବୁଛନ୍ତି, ନାଁ, ସେ ଆଉ ଏତେଗୁଡ଼େ ଫଟୋର ପୂଜା, ଆରାଧନା କରିପାରିବେ ନାହିଁ । ସ୍ୱାମୀଙ୍କୁ ସନ୍ଧ୍ୟା ଅର୍ଘ୍ୟ ଦେବାକୁ ଆସି ଏଇ ସବୁ ଫଟୋ ପାଖରେ ଏତେ ସମୟ ସେ ଆଉ ବ୍ୟୟ କରିପାରିବେନି । କିଏ ଏମାନେ ? କାହିଁକି ଆଣି ନଳିନାକ୍ଷ ସେମାନଙ୍କୁ ଟାଙ୍ଗି ରଖିଛି ଅତି ଆଦରରେ ଘର ଭିତରେ ? ଏମାନଙ୍କ ସହ ଦକ୍ଷିଣରାୟ ପରିବାରର କି ସମ୍ପର୍କ-? ବୃଥାଟାରେ ଏମାନଙ୍କୁ ସେ କାହିଁକି ସନ୍ଧ୍ୟାର ନୈବେଦ୍ୟ ବାଢ଼ିବେ ?

 

ଆଜି ଆସୁ ନଳିନାକ୍ଷ । ତାକୁ ପରିଷ୍କାର କହିବି, ଏ ଘରୁ ଅତିଶୀଘ୍ର ଏ ଫଟୋଗୁଡ଼ାକ ସେ ଅପସାରଣ କରୁ । ମୁଁ ଆଉ ଏମାନଙ୍କର ପୂଜା କରିପାରିବି ନାହିଁ । ଏଇ ଫଟୋଗୁଡ଼ାକ ପାଇଁ, ଓକିଲାତି ପଢ଼ା ଛାଡ଼ି, ବାୟା ପାଗଳାଙ୍କ ପରି ଦେଶ ସେବାରେ ଲାଗିଲା ।

 

ରାଧାମଣିଙ୍କ ଆଖି ପୁଣି ଅଶ୍ରୁ ଛଳ ଛଳ ହୋଇ ଉଠିଲା । ମାତ୍ର ପଚାଶ ବର୍ଷ ବୟସରେ, ଶଶୀଭୂଷଣ ଦକ୍ଷିଣରାୟ, ଆକସ୍ମିକ ଭାବରେ ହୃଦଯନ୍ତ୍ର କ୍ରିୟା ବନ୍ଦ ହୋଇଯିବା ଫଳରେ ମରିଗଲେ । ସ୍ୱାମୀଙ୍କର ସେଇ ଅକାଳ ମରଣ ଯନ୍ତ୍ରଣା ଆଜି ମଧ୍ୟ ତାଙ୍କୁ ବ୍ୟଥିତ କରୁଛି । ସେଇ ଅପୂରଣୀୟ କ୍ଷତିରେ ସେ ଘାଣ୍ଟି ଚକଟି ହେଉଛନ୍ତି ।

 

ହେଇ ସ୍ଵାମୀ ହସୁଛନ୍ତି । ପ୍ରଶାନ୍ତ ଲଲାଟରୁ ତାଙ୍କର ଜ୍ୟୋତି ଝରି ପଡ଼ୁଛି । ମୋଟା ନିଶ ହଳକରୁ ଝରି ପଡ଼ୁଛି ତାଙ୍କ ଦୀପ୍ତ ପୁରୁଷତ୍ୱର ବହ୍ନି ।

 

ରାଧାମଣି ମନେମନେ ପୁଣି ଭାବିବାକୁ ଲାଗିଲେ, ତମେ ଏଡ଼େ ନିଠୁର ! ପୁଅ ଝିଅଙ୍କୁ ମଣିଷ ନକରି ତମେ ଚାଲିଗଲ ସବୁ ମାୟାମମତା ତୁଟାଇ ଦେଇ ଆର ପାରିକୁ । ଏମାନଙ୍କର ଭଲମନ୍ଦ କିଏ ବୁଝିବ ? ସେବା ଯତ୍ନ କିଏ କରିବ ?

 

ସେ ଆଉ କିଛି ଭାବି ପାରିଲେନି । କାରୁଣ୍ୟରେ ସାରା ଅନ୍ତରଟା ତାଙ୍କର ଆଚ୍ଛାଦିତ ହୋଇ ଉଠିଲା । ଲୁଗା କାନିରେ ଲୁହ ପୋଛି, ଆଉ ଥରେ ସ୍ଵାମୀଙ୍କୁ ଅନାଇଁ ଦେଇ ସେ ରୋଷଘର ଭିତରକୁ ଚାଲିଗଲେ ।

 

ଠିକ୍‍ ତା’ ପରେ ପରେ, ସେଇ ଘର ଭିତରକୁ ପଶି ଆସିଲେ ନଳିନାକ୍ଷ ଓ ନୀଳିମା ।

 

ନଳିନାକ୍ଷ ଅରଟ ବାକ୍ସଟାକୁ ଘରର ଗୋଟିଏ ସ୍ଥାନରେ ରଖିଦେଇ କହିଲା–ବୋଉ ଆସି ଧୂପଦେଇ ଘରୁ ଚାଲିଗଲାଣି । ହେଇ ଦେଖ୍‍, ଦେଖିଲୁ ନୀଳି, ଗାନ୍ଧିଜୀଙ୍କର ଫଟୋଟିକୁ, ଦୟା, ସେବା, ତିତିକ୍ଷା ଓ କରୁଣାର ମୂର୍ତ୍ତିମନ୍ତ ପ୍ରତୀକ ସେ । କୋଟି କୋଟି ଭାରତୀୟ ଜନତାର ପାଇଁ, ତାଙ୍କ ଆଖି ଅଶ୍ରୁ ଛଳ ଛଳ–ବୁକୁ ବେଦନା ବିଧୁର । ପ୍ରଣାମ କର ତାଙ୍କୁ ।

 

ନୀଳିମା ସତୃଷ୍ଣ ନୟନରେ ଅନାଇଁ ରହିଲା କିଛି ସମୟ, ସେଇ ଫଟୋକୁ ।

 

ନଳିନାକ୍ଷ ପୁଣି କହିଲା–ଏ ପଟେ ହେଇ ଦେଖ, ଉକ୍ତଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ-। ଜୀବନର ବିରାଟ ସମ୍ଭାବନାକୁ ଅତି ତୁଚ୍ଛ କରି, ଏ ଦେଶର ଜନତାର ସେବା କରିବା ପାଇଁ, ନିଜ ଜୀବନକୁ ତିଳ ତିଳ କରି ଉତ୍ସର୍ଗ କରିଥିଲେ । ଆମେ ସେଇ ଗୋପବନ୍ଧୁ ଦେଶର ସନ୍ତାନ ନୀଳିମା-। ପରାଧୀନ ଭାରତ ପାଇଁ, ତୁ କ’ଣ କିଛି କରିପାରିବୁନି ?

 

ନୀଳିମା ଫଟୋ ଉପରୁ ଆଖି ଫେରାଇ ଆଣି ଚାହିଁ ରହିଲା, ନଳିନାକ୍ଷ ଆଡ଼େ । ନଳିନାକ୍ଷର ଉଦବୋଧନୀ, ମନର ଅତଳ ଗହ୍ୱରରେ ତା’ର ଚମକ ସୃଷ୍ଟି କରୁଛି । ଦେଶାତ୍ମବୋଧର ଜାଗରଣୀ, ତରୁଣ ଚିତ୍ତରେ ତା’ର ପ୍ରତିଧ୍ୱନିତ ହେଉଛି ।

 

ନଳିନାକ୍ଷ ତଳେ ବସି ପଡ଼ିଲା । ହଠାତ୍‍ ମୁହଁରେ ତା’ର ଚିନ୍ତାର ରେଖା ସତେ ଯେପରି ଅଙ୍କିତ ହୋଇଗଲା । କ୍ଷଣକ ତଳର ଉତ୍ତେଜନା ଓ ଦେଶାତ୍ମବୋଧର ବ୍ୟଞ୍ଜନା, ଆକସ୍ମିକ ଭାବରେ ଅନ୍ତରରୁ ତା’ର ଶୂନ୍ୟ ହୋଇଗଲା ।

 

ନୀଳିମା ମଧ୍ୟ ତଳେ ବସିପଡ଼ି, କହିଲା–କାହିଁକି ବସି ପଡ଼ିଲ ଭାଇ ? ଆଜି ମତେ କେତେ କଥା କହିବ ବୋଲି ପରା କହିଥିଲ ? କିଛି ନ କହି, ଏମିତି ଚିନ୍ତାପୂର୍ଣ୍ଣ ରୀତିରେ ବସିଗଲ କାହିଁକି ?

 

ନଳିନାକ୍ଷ ପୁଣି ଆତ୍ମସ୍ଥ ହୋଇ ଉଠି କହିଲେ–ଆରେ, ହଁ ହଁ,–ତେବେ ଶୁଣିବୁ ତୁ ଜାତୀୟ ସଂଗ୍ରାମର କାହାଣୀ ?

 

ନୀଳିମା ନୀରବରେ ସ୍ୱୀକୃତି ଜଣାଇଲା ।

 

ନଳିନାକ୍ଷ ଆରମ୍ଭ କଲା–ଚାରିଆଡ଼େ ନୀଳିମା, ବିଦେଶୀ ସରକାରର ଅକଥନୀୟ ଦମନଲୀଳା ଚାଲିଛି । ଭାରତର ବହୁ ବିଶିଷ୍ଟ ଜନନେତା ଆଜି କାରାଗାରରେ ବନ୍ଦୀ । ଆଜିର ଏଇ ଦୁର୍ଦ୍ଦିନରେ, ଆମରି ଭଳି ଭାଇ ଭଉଣୀ ଯଦି, ଜାତୀୟ ସଂଗ୍ରାମର ଅଗ୍ନିକୁ ତେଜୀୟାନ ନ କରିବା, ପ୍ରଜ୍ଜ୍ଵଳ ଓ ଭୟାନକ ନ କରିବା, ଆମ ଦେଶର ସ୍ଵାଧୀନତା ବିପନ୍ନ ହେବ । ତୁ ପାରିବୁ ଏ ଜାତୀୟ ସଂଗ୍ରାମରେ ଝାସ ଦେଇ ?

 

ନୀଳିମାର ନୀଳ ଭୂରୁ ଟେକି ହୋଇଗଲା । ଚଉଦ ପନ୍ଦର ବର୍ଷ ଝିଅଟିର ମନତଳେ ଆଜି ଆଗ୍ନିକ ଶଙ୍ଖ ସ୍ୱର ତୋଳୁଛି । ବିପ୍ଳବର ଭୈରବ ଧ୍ୱନି ଝଙ୍କୃତ ହେଉଛି । ଦେଶ ମାତୃକାର ମୁକ୍ତିସାଧନ ପାଇଁ, ମନୋରାଜ୍ୟରେ ସେ ଆଜି ବିପ୍ଳବିଣୀ–ବିଦ୍ରୋହିଣୀ !

 

କହିଲା–ତମେ ଯଦି ସେହି ସଂଗ୍ରାମରେ ଝାସ ଦେଇଛ, ମୁଁ କାହିଁକି ଦେଇ ପାରିବିନି ? ମୁଁ ପାରିବି ଭାଇ । ତମରି ପରି ମୋଟା ଖଦଡ଼ ପିନ୍ଧି ଗାଏଁ ଗାଏଁ ବୁଲି, ସ୍ୱାଧୀନତାର ଅର୍ଥ ଲୋକଙ୍କୁ ବୁଝାଇବି । ବିଦେଶୀ ଜିନିଷ ବର୍ଜ୍ଜନ କରିବା ପାଇଁ, ମୋ ଦେଶର ଜନସାଧାରଣଙ୍କୁ ମୁଁ ବଜ୍ର ଦୃଢ଼ ଆହ୍ୱାନ କରିବି ।

 

ନଳିନାକ୍ଷର ଓଠ ତଳେ ହସର ଏକ ସୁନ୍ଦର ପ୍ରବାହ ! ପନ୍ଦର ବର୍ଷ ବୟସର ଏକ ଚପଳା ତନ୍ଵୀର ଏ ଏକ ଅରଣ୍ୟ ରୋଦନ । ବାଚାଳତା । ଘରଦ୍ଵାର, ବହି ପଢ଼ିବା ଆଉ ଲୁଗା ପିନ୍ଧିବା ବ୍ୟତୀତ ଦୁନିଆଁର କୌଣସି ଘଟଣା ଯାହାକୁ ସ୍ପର୍ଶ କରିନାହିଁ, ଆଲୋଡ଼ିତ କରିନାହିଁ, ତା’ ପକ୍ଷେ, ସ୍ଵାଧୀନତା ସଂଗ୍ରାମରେ ଲମ୍ପ ଦେବା ଏକ ହାସ୍ୟାସ୍ପଦ ବ୍ୟାପାର । ମୂର୍ଖତା ।

 

ନଳିନାକ୍ଷ ହସ-ପ୍ରସ୍ଫୁଟିତ ଓଠତଳେ, ସେ ସରୁ ହସର ସଂକ୍ଷିପ୍ତତାକୁ ଚାପି ରଖି କହିଲା–ସେ ପଥ ବଡ଼ ଦୁର୍ଗମ ନୀଳିମା । ତୁ ଯଦି ଆମରି ସାଙ୍ଗରେ ଗୋଡ଼ ପକାଇ ପକାଇ ଆଗକୁ ମାଡ଼ି ଚାଲିବୁ, କଅଁଳ, ନରମ ପାହୁଲ ତୋର ଛିଡ଼ିଯିବ । ରକ୍ତାକ୍ତ ହୋଇଯିବ । ତୁ ଥକ୍‍କି ପଡ଼ିବୁ । କ୍ଳାନ୍ତ ହେବୁ ।

 

ନୀଳିମାର କଣ୍ଠସ୍ୱର ଅଭିମାନରେ ମୂର୍ଚ୍ଛିତ ।

 

କହିଲା–ମତେ ନିରାଶ କରନି ଭାଇ । ମୁଁ ପାରିବି । ଯେଉଁ ବାଟରେ ତମେ ତମ ଲଙ୍ଗଳା ପାଦରେ ମାଡ଼ି ଚାଲିବ, ସେଇ ବାଟରେ ମୁଁ ଚାଲି ଚାଲି ଯିବି । ଗୋଡ଼ରେ କଣ୍ଟା ଫୁଟିଲେ ମୁଁ ଡରିବିନି । ପାଦରେ ମୋର ରକ୍ତ କ୍ଷରିତ ହେଲେ ସୁଦ୍ଧା ମୁଁ ପଛେଇ ଯିବିନି । ତମେ ଯେଉଁ ଆଦର୍ଶକୁ ଭିତ୍ତି କରି ପାଠ ପଢ଼ା ଛାଡ଼ି, ସ୍ୱଦେଶ କାମରେ ବାହାରି ପଡ଼ିଲ, ସେଇ ଆଦର୍ଶକୁ ମୁଁ ଗ୍ରହଣ କରିନେବି । ମତେ ବାଧା ଦିଅନି ।

 

ନଳିନାକ୍ଷର ସେଇ ସରୁ ହସ ଏପର୍ଯ୍ୟନ୍ତ ଭଟ୍ଟା ପଡ଼ିନି । ହସ ହସ ଓଠ ତଳେ କହିଲା–ସୁନା ଦେହ ତୋର ଚୂନା ହେବ ନୀଳିମା । ଦୋଳିରେ ବସି, ଝୁଲିବାର ରୋମାଞ୍ଚ ସେ ରାସ୍ତାରେ ନାହିଁ । ରଜ ସଂକ୍ରାନ୍ତିରେ ନୂଆ ଲୁଗା ଆଉ ନୂଆ ଜାମା ପିନ୍ଧି ସାହି ଘୂରିବାର ମାଦକତା ସେଠାରେ ପାଇବୁନି । ବ୍ରିଟିସ୍‍ ସରକାରର ଗୁଳି ଗୋଳା ନିକଟରେ ତୋର ତନୁପାତଳୀ ରୂପ ଗୋଟିଏ ମିନିଟ୍‍ ଭିତରେ ଚାହୁଁ ଚାହୁଁ ଶୂନ୍ୟ ହୋଇଯିବ । ଧୂଳିରେ ଗଡ଼ିବ ।

 

ନୀଳିମାର ଆଜି ଭୟ ନାହିଁ । ସେ ନିର୍ଭୀକା । ନଳିନାକ୍ଷ ଯେତେ ଡରାଇଲେ ମଧ୍ୟ ସେ ଡରୁନି । ସେ ତା’ ଭାଇ ପରି ହେବ । ଭାଇ ଯାହା କରିବ, ସେଇ ଆଦେର୍ଶରେ ସେ ଆଗେଇ ଯିବ-। ତା’ର ଗତି ପଥରେ ଯେତେ ଝଡ଼ ଆସୁ, ଝଞ୍ଜା ପିଟୁ, ଝଡ଼ ଗୁମୁରୁ, ସେ ଡରି ଯିବନି । ପଛେଇ ଯିବନି ।

 

କହିଲା–ମୁଁ ପାରିବି ଭାଇ । ବିଦେଶୀ ସରକାରର ଗୁଳି ଗୋଳା ଆଗରେ ଛାତି ପତାଇ ମୁଁ ଛିଡ଼ା ହୋଇ ପାରିବି । ଭାରତବର୍ଷର ସ୍ଵାଧୀନତା ହାସଲ ପର୍ଯ୍ୟନ୍ତ ତମରି ସାଙ୍ଗେ ତାଳ ପକାଇ, ବିଦେଶୀ ସରକାରକୁ ଗାଦିଚ୍ୟୁତ କରିବା ପାଇଁ ମୁଁ ବଜ୍ର ଦୃଢ଼ ଶପଥ ନେଉଛି ଭାଇ । ମତେ ଆଉ ମନା କରନି । ହତୋତ୍ସାହ କରନାହିଁ । ମତେ ଉତ୍ସାହ ଦିଅ । ପ୍ରେରଣା ଦିଅ ।

 

ନୀଳିମାର ସମଗ୍ର ମୁଖମଣ୍ଡଳରେ, ଆଶାର ଏକ ଦୀପ୍ତ ଝଲକ ଖେଳି ଖେଳି ଗଲା । କଣ୍ଠରେ ତା’ର ଉଦାତ୍ତ ଧ୍ୱନି ।

 

ନଳିନାକ୍ଷ ପୁଣି ସ୍ୱାଭାବିକ ଭଙ୍ଗୀରେ ହସି କହିଲା–ତୁ ପାରିବୁ ନୀଳିମା । ତୋ ଭଳି ଭଉଣୀଟିଏ ପାଇ ମୁଁ ଆଜି ଧନ୍ୟ ହୋଇଛି । ମୁଁ ତତେ ପରୀକ୍ଷା କରୁଥିଲି । ତୋର ମନର ଦୃଢ଼ତାକୁ ମୁଁ କଳନା କରୁଥିଲି । ଆଜି କିନ୍ତୁ ତୁ ତୋ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛୁ ନୀଳିମା । ଦେଶ ମାତୃକାର ମୁକ୍ତିସାଧନ ପାଇଁ, ତୁ ହୋଇ ପାରିବୁ ଉପଯୁକ୍ତା ସୈନିକା ।

 

ନଳିନାକ୍ଷ ଏଇ ପଦକ ଠିକ୍‍ ଶେଷ କଲାବେଳକୁ, ସେଇ ଘର ଭିତରକୁ ପଶି ଆସିଲେ ରାଧାମଣି । ତାଙ୍କ ଚାଲି ଭିତରୁ ଫୁଟି ଉଠୁଥିଲା ଜନନୀ ସୁଲଭ ବ୍ୟସ୍ତତା ।

 

ନଳିନାକ୍ଷ ଓ ନୀଳିମାକୁ ଦେଖି କହିଲେ–ହଇରେ ନଳିନ, ଦେଶ ସେବା କରିବୁ ବୋଲି, ତୁ କ’ଣ ଖାଇବା ପିଇବା ଭୁଲିଯିବୁ ? କେତେଦିନ ଏମିତି ବାୟା, ପାଗଳଙ୍କ ପରି ଘୂରିବୁ କହିଲୁ ? ତୁ ତ ଯାହା କରୁଛୁ କରୁଛୁ, ନୀଳିଟାକୁ ସେ ଅଡ଼ୁଆରେ କାହିଁକି ପକାଉଛୁ ।

 

ତୋ ବାପାଙ୍କର ଖାନ୍‍ଦାନୀ ବୁନିଆଦୀ ଥିଲା । ଏ ଅଞ୍ଚଳରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ହିସାବରେ ପରିଚିତ ଥିଲେ । ତାଙ୍କରି ଔରସରୁ ଜନ୍ମନେଇ, ତୁ ଯଦି ଖାମ୍‍ଖିଆଲି ଆଉ ଅଳସୁଆ ହୋଇ ବସି ରହିବୁ, ଏ ଗାଁର ଲୋକେ ତୋତେ କ’ଣ କହିବେ ?

 

କେଉଁ ଆଶାରେ ସେ ତୋତେ ଓକିଲାତି ପଢ଼ାଉଥିଲେ ? ଦକ୍ଷିଣରାୟ ବଂଶର ତୁ କୁଳପ୍ରଦୀପ । ସେଇ ବଂଶକୁ ତୁ ଯଦି ଉଜ୍ଜ୍ୱଳ କରିବୁ, ଆଲୋକିତ କରିବୁ, ସେ ବଂଶର ବଡ଼ପଣିଆ ଜାହିର୍‍ ହେବ । ତୋ ବାପାଙ୍କର ଯୋଗ୍ୟ ଦାୟାଦରୂପେ ତୁ ପରିଗଣିତ ହେବୁ ।

 

ଅରଟରେ ସୂତା କାଟିଲେ ଆମକୁ ସେଥିରୁ ମିଳିବ କ’ଣ ? ବୁଣା ଲୁଗା ପିନ୍ଧି କି ଗୌରବ ଆମେ ଅର୍ଜ୍ଜନ କରିବା ? ଚାକିରି କରିବା ତୋର ଦରକାର ନାହିଁ ବାବା । ବାପ ଗୋସାପ ଅମଳରୁ ଯେଉଁ ସମ୍ପତ୍ତି, ଏ ବଂଶର ହୋଇ ରହି ଆସିଛି, ସେତକ ଯଦି ତୁ ଦେଖାଶୁଣା କରିବୁ, ତୋ ପେଟ ଆପୋଷା ରହିବନି ।

 

ମୋ ବାବାଟା ପରା । ସେ ଢଙ୍ଗ ଛାଡ଼ି ଦେ । ତୋ ବାପା ଯଦି ଏଇନେ ବଞ୍ଚି ରହିଥାନ୍ତେ, ତୁ କ’ଣ ଓକିଲାତି ପାଠ ଛାଡ଼ି, ଏଇ ସତ୍ୟାନାଶିଆ କାମରେ ଲାଗିଥାନ୍ତୁ ? ସେ ତୋତେ ଓକିଲ ନକରି କେବେ ଛାଡ଼ି ନଥାନ୍ତେ ।

 

ଆମକୁ କ’ଣ ମିଳିବ ସ୍ଵାଧୀନ ଭାରତରୁ ? ମହାତ୍ମା ଗାନ୍ଧୀ କି ଜୟରୁ ? ତୁ ଯଦି ମଣିଷ ନ ହୋଇ, ଏ ଅଞ୍ଚଳରେ ପ୍ରତିଷ୍ଠିତ ନ ହେବୁ, ତୋର ସ୍ଵର୍ଗତଃ ବାପା ଅଭିମାନ କରିବେ । ସର୍ଗରେ ରହି ତୋତେ ଅଭିଶାପ ଢାଳିବେ ।

 

ମୁଁ ଶୋଇଥିଲା ବେଳେ, ସ୍ଵପ୍ନରେ ମତେ ଶୁଆଇ ଦେବେନି । ବାରମ୍ବାର ଆସି ମୋ ସୁଖନିଦ୍ରାରେ ବ୍ୟାଘାତ ସୃଷ୍ଟି କରିବେ । କାଲି ରାତିରେ, ତୁ ଦାୟିତ୍ୱହୀନ ହୋଇ ଘୂରୁଛୁ ବୋଲି ମତେ ଆସି ସ୍ଵପ୍ନରେ ଯାହା କହିଲେ....

 

ରାଧାମଣି ଆଉ କିଛି କହି ପାରିଲେନି । ଦକ୍ଷିଣରାୟଙ୍କ ଫଟୋ ଆଡ଼କୁ ଚାହିଁ ଭୋ ଭୋ କାନ୍ଦି ଉଠିଲେ ।

 

–ନଳିନାକ୍ଷ ବିଚଳିତ ହୋଇ ପଡ଼ିଲା । ଉଠିପଡ଼ି ରାଧାମଣିଙ୍କ ଆଖିରୁ ଲୁହ ପୋଛିଦେଲା । ନୀଳିମା ମଧ୍ୟ ଚାଲି ଆସିଲା ବୋଉ ପାଖକୁ ।

 

ରାଧାମଣିଙ୍କ ଆଖିରୁ ଲୁହ ବନ୍ଦ ହେଲା । ନଳିନାକ୍ଷକୁ ସେ ଚାହିଁ ରହିଲେ ।

 

ନଳିନାକ୍ଷ କହିଲା–ଏ କ’ଣ ବୋଉ ? ମୋ’ପାଇଁ ତୁ କାନ୍ଦୁଛୁ ? ମୁଁ ତ ଛୁଆପିଲା ନୁହେଁ ଯେ ମୋର ଦାୟିତ୍ୱଜ୍ଞାନ ନାହିଁ । ବାଇଶି ପୂରି ତେଇଶି ଆସି ଚାଲିଲା । ବିଶ୍ଵବିଦ୍ୟାଳୟରୁ ଡିଗ୍ରୀ ଆଣିବାର ଗୌରବ ତୁ ମତେ ଦେଇଛୁ । ସବୁଥିରେ, ସବୁ କଥାରେ ଏ ଯୁଗର ଏକ ଦାଯିତ୍ୱସମ୍ପନ୍ନ ବ୍ୟକ୍ତିରୂପେ ମୁଁ ପରିଚିତ ହୋଇଛି ।

 

କେଉଁଥିପାଇଁ ତୋର ଏ ଅବଶୋଷ ? ଅନୁଚିନ୍ତା ? ଆଖିରେ ଲୁହ ? ବାପା ଥିଲେ, ତୁ ଦେଖିଥାନ୍ତୁ ବୋଉ, ଏ ଆନ୍ଦୋଳନରେ ସେ ହୋଇଥାନ୍ତେ ଅଗ୍ରଣୀ । ତାଙ୍କ ପୁଅକୁ ସେ ଏ ବାଟରୁ କେବେହେଲେ ଫେରାଇ ନେଇ ନଥାନ୍ତେ । ଶଶୀଭୂଷଣ ଦକ୍ଷିଣରାୟ ଏଡ଼େ ହୀନ, ସଂକୀର୍ଣ୍ଣ ନଥିଲେ । ସେ ଉଦାର, ସ୍ୱାଧୀନଚେତା ଓ ଦେଶହିତୈଷୀ । ପରାଧୀନ ଭାରତର କାହାଣୀ ଶୁଣି ଅନେକଥର ମୋ ପାଖରେ ନୀରବ ବିଦ୍ରୋହୀ ହୋଇ ଉଠିଥିଲେ ବୋଉ ।

 

ଯେଉଁ ଦେଶରେ ଜନ୍ମ ହୋଇ ଆମେ ମଣିଷ ରୂପେ ସ୍ୱୀକୃତ ହେଲୁ, ସେ ଜନ୍ମଭୂଇଁରେ ଆମର ଯଦି ସ୍ଵାଧୀନତା ନାହିଁ, ମଣିଷ ହୋଇ ବଞ୍ଚି ରହିବା ଆମ ପକ୍ଷେ ନିରର୍ଥକ । ସାତ ସିନ୍ଧୁ ତେର ନଈ ସେ ପାରିରୁ ଗୋଟିଏ ବିଦେଶୀ ଜାତି ଆସି, ଆମରି ଜନ୍ମଭୂଇଁରେ ଶାସନ ଦଣ୍ଡ ଧରି ବସିଲା । ପଶୁ ପକ୍ଷୀଙ୍କ ଠାରୁ ଆମକୁ କଲା ଆହୁରି ହେୟ, ଘୃଣ୍ୟ । ଆମର ମାନବିକତାକୁ ସେ ବଳୀ ଦେଲା । ସ୍ଵାଧୀନତାକୁ ଅସ୍ୱୀକାର କଲା । ଆମର ଦାବିକୁ ଖର୍ବ କଲା । କାହିଁକି ?

 

କେତେକାଳ ଏ ଜାତି ଆଉ ଶୋଇ ରହିଥାନ୍ତା ବୋଉ । ମୁଁ ଏକା ନୁହେଁ, ମୋରି ପରି ଶହ ଶହ, ହଜାର ହଜାର ତରୁଣ ଆଜି କଲେଜ୍‍ ଛାଡ଼ିଛନ୍ତି । ସ୍କୁଲରୁ ପଳାଇ ଆସିଛନ୍ତି । ଅନେକ ଜେଲ୍‍ ଯାଇଛନ୍ତି । ସମସ୍ତଙ୍କ ଆଗରେ ଗୋଟିଏ ବାଟ–ଗୋଟିଏ ରାସ୍ତା–ଗୋଟିଏ ଲକ୍ଷ୍ୟ । ସେ ଲକ୍ଷ୍ୟ ପୂରଣ ନହେଲା ପର୍ଯ୍ୟନ୍ତ, ସାରା ଜାତିଟା ମଧ୍ୟ ବିପ୍ଳବ କରି ଉଠିବ । ଏ ଜାତିର ସାମୂହିକ ହୁଂକାରରେ, ଫୁତ୍କାରରେ ବିଦେଶୀ ବାହିନୀ ଜଳିଯିବେ–ଉଡ଼ିଯିବେ ।

 

ତେଣୁ ମୁଁ କ’ଣ ଅନ୍ୟାୟ କରିଛି ବୋଉ ? ତୋରି ବୟସର ମା, ମାଉସୀମାନେ ଆଜି ମଧ୍ୟ ସ୍ଵାଧୀନତା ସଂଗ୍ରାମରେ ହସି ହସି ଝାସ ଦେଉଛନ୍ତି ।ଦଳ ଦଳ ହୋଇ ସତ୍ୟାଗ୍ରହୀ ସାଜୁଛନ୍ତି । ବନ୍ଧୁକ ଆଗରେ ଛାତି ପତାଇ ଠିଆ ହେଉଛନ୍ତି । ଜାତିର ଏ ଦୁର୍ଦ୍ଦିନରେ, ତୁ ବରଂ ଆଶୀର୍ବାଦ କରିବାର କଥା–କଲ୍ୟାଣ ଢାଳି ଦେବାର କଥା । ତୁ ମତେ ମନା କରୁଛୁ କାହିଁକି ? ମୋ ଉପରେ ବିରକ୍ତ ହେଉଛୁ କାହିଁକି ?

 

ନଳିନାକ୍ଷ କଥା ବନ୍ଦ କଲା ।

 

ରାଧାମଣି ନିଜର ପୁଅ କଥାକୁ ଶୁଣି କହିଲେ–ଘରଦ୍ଵାର, ଚାଷବାସର ହାଲ କିଏ ବୁଝିବ ବାପ ? ଗୋଟିଏ ବୋଲି ପୁଅ ହୋଇ, ତୁ ଯଦି ଏ ସବୁର ହଲ ହରକତ୍‍ ନ ବୁଝିବୁ, ତା’ହେଲେ ଆମେ ଚଳିବା କେମିତି ? ତୁ ଯାହା କରୁଛୁ କର–ମୁଁ କିଛି କହିବି ନାହିଁ ।

 

ରାଧାମଣି ନୀରବ ହୋଇ ଉଠିଲେ ।

 

ନୀଳିମା କହିଲା–ବୋଉ, ଆମକୁ ଭାରି ଭୋକ ହେଲାଣି । ରୋଷେଇ ସରିଲାଣି ତ ?

 

ରାଧାମଣି ପୁଣି ଚେତନଶୀଳା ହୋଇ ଉଠିଲେ । ସତେତ, ସେ ଆସିଥିଲେ ନଳିନାକ୍ଷ ଓ ନୀଳିମାକୁ ଖାଇବାକୁ ଡାକିବା ପାଇଁ । ଛୁଆ ଦିଟା କେତେବେଳୁ ଖାଇଥିଲେ । ନିଶ୍ଚୟ ଭୋକ ଲାଗୁଥିବ ।

 

ହେଇ ନଳିନାକ୍ଷର ମୁହଁ ଶୁଖି ଗଲାଣି । ଭୋକ ତାକୁ ନିଶ୍ଚୟ ଲାଗୁଥିବ । ଅଥଚ ସେ କିଛି କହୁନି । ନୀଳିମା ଖାଇବାକୁ ମାଗିଲାଣି ।

 

ତାଙ୍କ ଜନନୀ ସୁଲଭ ଅନ୍ତର ବ୍ୟଥାରେ ଭାରାକ୍ରାନ୍ତ ହୋଇ ଉଠିଲା । କହିଲେ–ମୁଁ ଯାଉଛି ରୋଷ ଘରକୁ । ତମପାଇଁ ଭାତ ତରକାରୀ ଆଣେ । ତମେ ଏଇଠି, ଭାଇ ଭଉଣୀ ଦୁହେଁ ବସିଥାଅ ।

 

ରାଧାମଣି ରୋଷଘର ଭିତରକୁ ଚାଲିଗଲେ ।

 

ପୂରବୀପୁର ପାଣସାହି ।

 

ଜମିଦାର ବଂଶର ଘର ପଛଆଡ଼େ, ନଡ଼ିଆ ବଗିଚାର ଅନ୍ତରାଳରେ ଛୋଟ ଛୋଟ ପଲା ପରି ଯେଉଁ ସତୁରି, ଅଶୀଟି ଘର ଦେଖାଯାଏ, ସେ ହେଉଛି ପୂରବୀପୁରର ପାଣସାହି ।

 

ଦକ୍ଷିଣରାୟ, ପଟ୍ଟନାୟକ, ପାଇକରାୟ ଏବଂ ଶତପଥି ବଂଶର ଅତ୍ୟାଚାରରେ, ଏମାନେ ସେମାନଙ୍କ ବାଡ଼ି ପଛପଟେ, ଘର କରି କାଳ କାଳ ଧରି ରହି ଆସିଛନ୍ତି । ଜମିଦାର ବଂଶର ଘରେ ଚାକିରି ରହି, ମୂଲ ଲାଗି ସେମାନେ ପେଟ ପୋଷି ଆସୁଛନ୍ତି । ଆଜ୍ଞାଧୀନ ଭୃତ୍ୟ ହିସାବରେ ପାଣସାହିର ଲୋକେ, ସମସ୍ତେ ଚଳି ଆସିଛନ୍ତି ।

 

ସେମାନେ ପତିତ । ହରିଜନ । ତେଣୁ ବିନୀତ । ବଶମ୍ବଦ । ଉଦାର । ସାଆନ୍ତ ସାହିର ଲୋକେ ଯାହା କହିବେ, ପରାମର୍ଶ ଦେବେ, ତାହାହିଁ ତାଙ୍କର ଗୁରୁବାକ୍ୟ । ବେଦ ବାଣୀ । ସେମାନଙ୍କର କଥା ହେଟି ଦେବାକୁ, ନ ମାନିବାକୁ ତାଙ୍କର ସାହସ କାହିଁ ? ସାମର୍ଥ୍ୟ କାହିଁ ?

 

ଜମିଦାର ବଂଶର ବାଡ଼ି ପଛପଟେ, ହଜାର ହଜାର ନଡ଼ିଆ ଗଛର ଅନ୍ତରାଳରେ ଏଇ ଯେଉଁ ପାଣସାହି, ତାରି ଭିତରେ, ଗୋଟିଏ ଘର ‘ଗାନ୍ଧୀ ସେବାଶ୍ରମ’ । ସେଇ ନୁଆଁଣିଆ ଚାଳ ଘରର ମଥାନ ଉପରେ ଉତ୍ତୋଳିତ ହୋଇଛି ଜାତୀୟ ପତାକା । ଉତ୍ତରା ପବନ ଯେତେବେଳେ ପିଟେ, ନଡ଼ିଆ ଗଛର ବାହୁଙ୍ଗାମାନ ସେତେବେଳେ ପବନର ତୋଡ଼ରେ ହୁଏ ମର୍ମରିତ । ଜାତୀୟ ପତାକା ନୁଆଁଣିଆ ଚାଳ ଘରର ମଥାନ ଉପରେ ଫର ଫର ହୋଇ ଉଡ଼େ ।

 

ଯୁଗ ଯୁଗ ଧରି ପତିତ, ଅବହେଳିତ ପାଣସାହି ଭିତରେ, ଏଇ କେଇଦିନ ହେଲା ପ୍ରାଣ ପଶିଛି । ଏକ ଅଭିନବ ଆତ୍ମଚେତନା ସାହି ଭିତରେ ଜାଗ୍ରତ ହୋଇଛି । ବହୁଦିନ ପରେ, ‘ଗାନ୍ଧୀ ସେବାଶ୍ରମ’ ପ୍ରତିଷ୍ଠିତ ହୋଇ ସାରିଲା ପରେ, ପାଣସାହିର ଦୁଃସ୍ଥ, ଦରିଦ୍ର ଜନସାଧାରଣ ଆଜି ଯେପରି ବିପୁଳ ଜୀବନର ସନ୍ଧାନ ପାଇଛନ୍ତି । ସୀମାହୀନ, ବିପୁଳ ଜୀବନର ସନ୍ଧାନରେ, ସେମାନେ ଆଶାବାଦୀ ।

 

ଗାନ୍ଧୀ ସେବାଶ୍ରମ ଘର ଭିତରେ, ନଳିନାକ୍ଷ ବସିଛି । ପାଣସାହିର ନନ୍ଦକିଶୋର ମଧ୍ୟ ବସିଛି । ସେମାନଙ୍କ ପାଖକୁ ଲାଗି ବସିଛନ୍ତି ପାଣସାହିର ଅନେକ ଟୋକା, ବୁଢ଼ା ।

 

ନନ୍ଦକିଶୋର ପାଣସାହିର ଲୋକ ହେଲେ ମଧ୍ୟ ମାଇନର ପର୍ଯ୍ୟନ୍ତ ପାଠ ପଢ଼ିଛି । ନଳିନାକ୍ଷର ଶିଷ୍ୟରୂପେ ସେ ଖଦଡ଼ ପିନ୍ଧିଛି । ସେ ହୋଇଛି ଏଇ ଗାନ୍ଧୀ ସେବାଶ୍ରମର ପ୍ରଧାନ କର୍ଣ୍ଣଧାର ।

 

ନଳିନାକ୍ଷ କହିଲା–ତୋ ଉପରେ ସଭାକାର୍ଯ୍ୟ ପୂରାପୂରି ନିର୍ଭର କରୁଛି ନନ୍ଦ । ତୁ ଯାଇ ସାହି ସାହି ବୁଲି ନାଗରା ଦେବୁ । ଲୋକଙ୍କୁ ଆମର ସାଧାରଣସଭାରେ ଯୋଗଦେବା ପାଇଁ କହିବୁ-। ଆମ ଏଇ ପଚିଶ ଖଣ୍ଡ ମୌଜାରେ ଯେତେ ହରିଜନ ଭାଇ ଅଛନ୍ତି, ସେମାନଙ୍କୁ ବିଶେଷ ଭାବେ ଅନୁରୋଧ କରି କହିବୁ, ସଭାର ସାଫଲ୍ୟ ସେଇମାନଙ୍କ ଉପରେ ନିର୍ଭର କରୁଛି । ସେମାନେ ନ ଆସିଲେ ପୂରବୀପୁର ଗାଁର ମର୍ଯ୍ୟାଦା ନଷ୍ଟ ହୋଇଯିବ । ଆନ୍ଦୋଳନର ଅଗ୍ରଣୀ ହିସାବରେ ଏ ଗାଁର ଯେଉଁ ଡାକ୍‍ ଅଛି, ତାହା ପାଣିରେ ପଡ଼ିବ ।

 

ପାଣସାହିର ବୁଢ଼ା, ଟୋକା ସମସ୍ତେ ଯେପରି ନଳିନାକ୍ଷର ବକ୍ତୃତାକୁ ପିଇ ଯାଉଛନ୍ତି । ଅନେକ ଦିନ ପରେ, ତାଙ୍କର ମୃତ ଅନ୍ତରରେ ନଳିନାକ୍ଷ ଯେପରି ମୃତ ସଞ୍ଜୀବନୀ ସିଞ୍ଚିଛି । ସେଇ ସଞ୍ଜୀବନୀର ପରଶରେ ସେମାନଙ୍କ ହୃଦୟରେ ଚେତନା ପଶିଛି । ସେମାନଙ୍କ ହୃଦୟ ନୂତନ ଇଙ୍ଗିତ ଓ ଦ୍ୟୋତନାରେ ଯେପରି ପରିପୂର୍ଣ୍ଣ ।

 

ନନ୍ଦକିଶୋର କହିଲା–ମୁଁ ନିଶ୍ଚୟ ଗାଏଁ ଗାଏଁ ନାଗରା ଦେଇ, ଲୋକଙ୍କୁ ସଭାକୁ ଆସିବାକୁ ବୁଝାଇବି ନଳିନାକ୍ଷ ଭାଇ । କଥା ହେଉଛି, ଆମରି ଗାଁର ଲୋକଙ୍କୁ ଯାହା ଡର । ସମସ୍ତଙ୍କୁ ବୁଝାଇ ହେବ, କିନ୍ତୁ ବୁଝାଇ ହେବନି ତମରି ସାହିର ଗୁଣନିଧି ପାଇକରାୟଙ୍କୁ–ପଟ୍ଟନାୟକ ସାହିର ଲୋକନାଥ ପଟ୍ଟନାୟକଙ୍କୁ–ଶତପଥି ସାହିର ପୁଣ୍ଡରିକାକ୍ଷ ଶତପଥିଙ୍କୁ । ଲୋକମାନଙ୍କୁ ଇଏ ଯଦି ଶିଖାଇ ବୁଝାଇ ଆମ ବିରୁଦ୍ଧରେ ମତାଇ ଦେବେ ନା, ସବୁ କାର୍ଯ୍ୟ ଆମର ଭଣ୍ଡୁର ହୋଇଯିବ ।

 

ନଳିନାକ୍ଷ ସ୍ୱାଭାବିକ ଭାବରେ, ଦୁଇ ଓଠରେ ହସର ମୃଦୁ ଫୁଆରା ଖେଳାଇ ଦେଇ କହିଲା–ତୋର ଏମାନଙ୍କୁ ଭୟ କରିବାର କିଛି କାରଣ ନାହିଁ । ଏମାନେ ଯେତେ ଲୋକମାନଙ୍କୁ ପ୍ରବର୍ତ୍ତାଇଲେ ମଧ୍ୟ, ଏମାନଙ୍କ କଥା ଲୋକେ ଶୁଣିବେନି । ଯୁଗ ବଦଳୁଛିରେ ନନ୍ଧ । ତା’ ସଙ୍ଗେ ମଧ୍ୟ ବଦଳି ଯାଉଛି ଲୋକଙ୍କର ମନ ।

 

ଦିନ ଥିଲା, କାଳ ଥିଲା–ଗୁଣନିଧି ବଡ଼ବାପା, ଲୋକନାଥ ସାଆନ୍ତ ଆଉ ପୁଣ୍ଡରିକାକ୍ଷ ଶତପଥିଙ୍କୁ ସମସ୍ତେ ମାନୁଥିଲେ–ତାଙ୍କ କଥା ଅନୁଯାୟୀ ଚଳୁଥିଲେ । କିନ୍ତୁ ଆଜି ସେମାନେ ଅଚଳ ଦୋଅଣି । ଆଜିର ଘଡ଼ିସନ୍ଧି ମୁହୂର୍ତ୍ତରେ, ଆମର ଗାଁ ଲୋକେ ଯୁଗର ଆହ୍ୱାନକୁ ଏଡ଼ିଦେଇ ସେମାନଙ୍କ ଡାକରାକୁ କେବେହେଲେ କାନ ଦେବେନି ନନ୍ଦ । ଯୁଗର ଆହ୍ୱାନ ସେମାନଙ୍କ ଡାକ ଅପେକ୍ଷା ଅଧିକ ମୂଲ୍ୟବାନ । ତେଣୁ ସେମାନଙ୍କୁ ଆମର ଭୟ କରିବାର କୌଣସି କାରଣ ନାଇଁ । ଯୁଗର ହାଓ୍ୱାରେ ସେମାନଙ୍କ ରକ୍ଷଣଶୀଳ ମନ ଦୂରକୁ ଦୂରକୁ, ଛାଆଁକୁ ଛାଆଁ ଅପସରି ଯିବ । ସ୍ୱାଧୀନତା ଆନ୍ଦୋଳନକୁ ଦବାଇ ଦେବାପାଇଁ ସେମାନେ ଯେତେ ଷଡ଼ଯନ୍ତ୍ର କଲେ ମଧ୍ୟ, ତାହା ନିଶ୍ଚୟ ବ୍ୟର୍ଥତାରେ ପର୍ଯ୍ୟବସିତ ହେବ ।

 

ପାଣସାହିର ବୁଢ଼ା, ଟୋକା ସବୁ ଶୁଣୁଛନ୍ତି ନଳିନାକ୍ଷର ଉପଦେଶ । ସେମାନେ ଭାବୁଛନ୍ତି, ପୂରବୀପୁରର ଭାଗ୍ୟ ଅନେକ ଦିନ ପରେ ଆଜି ବଦଳି ଯାଇଛି । ଯେଉଁ ଦକ୍ଷିଣରାୟ ପରିବାରର ଲୋକେ, ଅତ୍ୟାଚାର କରି କରି ହରିଜନ ସାହିରେ ଏକ ଭୟ ଓ ଆତଙ୍କ ସୃଷ୍ଟି କରିଥିଲେ, ସେହି ବଂଶର ନଳିନାକ୍ଷ ସେମାନଙ୍କୁ ଭାଇ ଭଳି ଦେଖୁଛି । ସେମାନଙ୍କ ଦୁଃଖରେ ଦୁଃଖିତ–ବ୍ୟଥାରେ ବ୍ୟଥିତ ହେଉଛି । ମଣିଷ ଭଳି ସେମାନଙ୍କୁ ଦେଖୁଛି ।

 

କାହିଁକି ? ତାଙ୍କରି ବଂଶର ଲୋକେ ତ ପୁଣି ଛାତି ଉପରେ ଘୋଡ଼ା ଚଢ଼ାଇ ଦେଉଥିଲେ–ଘର ଭିତରେ ପଶି ବାନ୍ଧିନେଇ ଚାବୁକରେ, ଜୀବନ ଗଲା ପର୍ଯ୍ୟନ୍ତ ନିର୍ଦ୍ଧୁମ ମାଡ଼ ମାରୁଥିଲେ । କଥେ କଥେ ଶଳା ବାଇଁଚତ୍‍ କରି ଇଜ୍ଜତ୍‍ ନେଉଥିଲେ । ସେହିମାନଙ୍କ ଔରସରୁ ଜନ୍ମହୋଇ, ସେହି ରକ୍ତ କଣିକାକୁ ଦେହରେ ଧରି ସେ କିପରି ହେଉଛନ୍ତି ଅମାୟିକ, ସ୍ନେହୀ, ଉଦାର ଓ କ୍ଷମାଶୀଳ ?

 

ହରିଜନ ସାହିରେ ଜର ବାଧକାରେ କେହି ପଡ଼ିଲେ, ରାତି ରାତି ଉଜାଗର ହୋଇ ସେ ସେବା କରୁଥିବେ । ଶୁଶ୍ରୂଷା କରୁଥିବେ । ଔଷଧ ପିଆଉ ଥିବେ । କାହିଁକି ? କ’ଣ ତାଙ୍କର ହୋଇଛି-? ଯେଉଁ ପତିତ ଜାତିଟାକୁ ଛୁଇଁଲେ, ଛୁଆଁନ୍ତା ହୁଅନ୍ତି, ଘରେ ପଶନ୍ତି ନାହିଁ, ସ୍ନାନ କରି ଦିଅଁ ଦର୍ଶନ ଲୋଡ଼ନ୍ତି, ସେହି ଅସ୍ପୃଶ୍ୟ ଜାତିଟା ପାଇଁ ତାଙ୍କ ହୃଦ କାହିଁକି କାନ୍ଦୁଛି-? ବ୍ୟଥିତ ହେଉଛି-? ବିକଳ ହେଉଛି ?

 

ତାଙ୍କରି ବଂଶର ଲୋକେ ଆଜି ବି ଦେଖିଲେ ସେମାନଙ୍କୁ ଘୃଣା କରନ୍ତି । ଘର ଭିତରକୁ ପ୍ରବେଶ କରାଇ ଦିଅନ୍ତି ନାହିଁ । ସେମାନଙ୍କର ଟିକିଏ ଭୁଲ୍‍ ଦେଖିଲେ, ତ୍ରୁଟି ଦୃଷ୍ଟିରେ ପଡ଼ିଲେ ସପ୍ତପୁରୁଷ ଉଦ୍ଧାର କରନ୍ତି । ମୁହଁରେ ଜବାବ୍‍ ଦେଲେ ମୂଲ ବନ୍ଦ କରି ଦିଅନ୍ତି । ଉପାସ ଭୋକରେ ସଢ଼ି ସଢ଼ି, କୃତାଞ୍ଜଳି ପୁଟରେ ପୁଣି ସେମାନଙ୍କୁ କ୍ଷମା ମାଗିବାକୁ ପଡ଼େ । ଧୂଳି ଧୂସର ହୋଇ ଭୂଇଁରେ ଶୋଇ ରହିବାକୁ ହୁଏ । ତା’ହେଲେ ଯାଇ କ୍ଷମା ଦିଆଯାଏ । ମାର୍ଜ୍ଜନା କରାଯାଏ । ନ ହେଲେ ପରିବାର ଉଚ୍ଛନ୍ନ ହୁଏ ।

 

ସେଇ ନିର୍ମମ, ଅତ୍ୟାଚାର ସର୍ବସ୍ୱ ବଂଶରେ ଜନ୍ମହୋଇ ତାଙ୍କ ହୃଦୟରେ ଏ କି ପରିବର୍ତ୍ତନ ! ଏ କି ଦେବୋପମ କଲ୍ୟାଣ ଓ ଆଶୀର୍ବାଦ ! ସମଗ୍ର ଜାତିଟା ପାଇଁ ସେ ଯେପରି କାନ୍ଦୁଛନ୍ତି । ମଣିଷ ଜାତିଟା ପାଇଁ ତାଙ୍କ ହୃଦୟ ଯେପରି ଅମିୟ ଫଲ୍‍ଗୁ ଧାରାରେ ବିଳସିତ–ଉଚ୍ଛ୍ୱସିତ । କାହାରି ପ୍ରତି ଘୃଣା ନାହିଁ । ହିଂସା ନାହିଁ–ବିଦ୍ୱେଷ ନାହିଁ । ଦୁନିଆଁର ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଯେମିତି ତାଙ୍କର ନିହାତି ଆପଣାର ।

 

ଓକିଲାତି ପଢ଼ୁ ପଢ଼ୁ, ପଢ଼ା ଛାଡ଼ିଦେଲେ । ଏଇ, ବର୍ତ୍ତମାନ ମଧ୍ୟ ଚେଷ୍ଟା କଲେ ସେ ହୋଇପାରନ୍ତେ ଡେପୁଟି–କଲେକ୍ଟର । ଦକ୍ଷିଣରାୟଙ୍କର ଏକମାତ୍ର ସନ୍ତାନ ଦେହରେ ଆଜି ମୋଟା ଖଦଡ଼ର ପରିଧାନ । ଗୋରା, ନହକା ତମ୍ବା ତାର ପରି ଦେହ ତାଙ୍କର ଆହୁରି ଭାଙ୍ଗି ଭାଙ୍ଗି ଆସୁଛି-। ସମାଜ ଓ କୁସଂସ୍କାରର ମେଘନାଦ ପାଚେରୀକୁ ଭାଙ୍ଗିଦେଇ ସେ ଆଜି ହରିଜନମାନଙ୍କୁ ଆପଣାର କରୁଚନ୍ତି ।

 

ପାଣସାହିର ‘ଗାନ୍ଧୀ ସେବାଶ୍ରମ’ ଭିତରେ ଠୁଳୀଭୂତ ହୋଇଥିବା ଜନତା ଏଇ କଥା ଚିନ୍ତା କରିବାରେ ଲାଗିଛନ୍ତି–

 

ନେତ୍ରାନନ୍ଦ ଆସି ପହଞ୍ଚି ଗଲା ।

 

ନେତ୍ରାନନ୍ଦ–ନେତରା । ଲୋକନାଥ ପଟ୍ଟନାୟକଙ୍କର ମୂଲିଆ । ପୁଣି ଆଗ ଡାକରା । ତାରି ପାଇଁ ପଟ୍ଟନାୟକଙ୍କର ଚାଷବାସ । ସେ ହେଉଛି ତାଙ୍କର ପ୍ରଧାନ ପରାମର୍ଶଦାତା ।

 

ନଳିନାକ୍ଷକୁ ପ୍ରଣାମ କରି କହିଲା–ଦଣ୍ଡବତ୍‍ ସାଆନ୍ତେ । ତମରି ପାଇଁ ଆଜିକି ଦି ଦିନ ହେଲା ମୋର ଉପାସ । ପଟ୍ଟନାୟକ, ତାଙ୍କ ଘରକୁ ନଯିବା ପାଇଁ ମତେ ସତର୍କବାଣୀ ଶୁଣାଇ ଦେଇଛନ୍ତି ।

 

ନଳିନାକ୍ଷ ଆହତ ହେଲା । ଅଭିମାନ କଣ୍ଠରେ କହିଲା–ଦେଖ ନେତ୍ରାନନ୍ଦ, ଯଦି ଆଜିଠାରୁ ଏ ସାଆନ୍ତ ଡାକ ନ ଛାଡ଼ିବ, ତା’ହେଲେ ତମମାନଙ୍କ ସହିତ ମୁଁ ଆଦୌ କଥାବାର୍ତ୍ତା କରିବିନି ।

 

ନେତ୍ରାନନ୍ଦ କହିଲା–ଆଉ କ’ଣ ଡାକିବି ଆଜ୍ଞା । ଯେଉଁ ଡାକ ଆପଣଙ୍କ ଚଉଦ ପୁରୁଷ ଧରି ଶୁଣି ଆସୁଥିଲେ, ସେ ଡାକ ଆପଣ ଯଦି ନ ଶୁଣିବେ, ଆଉ କେଉଁ ଡାକ ଡାକି, ଆପଣଙ୍କୁ ସନ୍ତୁଷ୍ଟ କରିବି ? ନା, ଆଜିଠାରୁ ତା’ହେଲେ ଡାକିବି ବାବୁ ବୋଲି ।

 

ନା, ସେ ଡାକ ମଧ୍ୟ ଚଳିବ ନାହିଁ ।

 

ଆଉ କ’ଣ ଡାକିବି ?

 

ଯେଉଁ ଡାକ ଡାକିଲେ, ତୋ ଓ ମୋର ବ୍ୟବଧାନ ରହିବ ନାହିଁ । ଆମେ ହେବା ଗୋଟିଏ ମାଆର ଦୁଇଟି ସନ୍ତାନ । ଆମର ଆତ୍ମା ହେବ ଅଭିନ୍ନ । ତୋ ଦେହରେ ଜ୍ୱର ହେଲେ, ତା’ର ଉତ୍ତାପ ମୁଁ ଅନୁଭବ କରିବି । ମୋ ଦେହରେ ବ୍ୟଥା ଜାଗିଲେ ତୁ ଅନୁଭବ କରିବୁ ଯନ୍ତ୍ରଣା ! ପାରିବୁ ଏଇମିତି ଏକ ଡାକ ଡାକି ନେତ୍ରାନନ୍ଦ ?

 

ନେତ୍ରାନନ୍ଦ ବିସ୍ମିତ ହେଉଛି । ନଳିନାକ୍ଷର କଥାରୁ ସେ କିଛି ବୁଝି ପାରୁନି ! ସେ ଭାବୁଛି ଏ କି କଥା ! ଆଉ କ’ଣ ସେ ଡାକିବ ? ଦକ୍ଷିଣରାୟ ସାଆନ୍ତଙ୍କର ଏକମାତ୍ର ଶିକ୍ଷିତ ପୁଅ ନଳିନାକ୍ଷ ବାବୁଙ୍କୁ ଆଉ କ’ଣ ସେ ଡାକିବ ? ସାଆନ୍ତ ଯଦି ନ ଡାକିବ, ବାବୁ ବୋଲି ଯଦି ନ କହିବ, ଆଉ କ’ଣ ବୋଲି ଡାକିବ ? ବୁଲେଇ ବୁଲେଇ କ’ଣ ସେ କହୁଛନ୍ତି । ସେ କ’ଣ ନା ଧରି ଡାକିବ ? ଛି, ଛି ।

 

କେତେ ବଡ଼ ଲୋକ ! କାହାର ପୁଅ ପୁଣି !! ତାଙ୍କୁ କେମିତି ନା ଧରି ସେ ଡାକିବ ? ଜିଭ ଅଟକି ଯିବ । କଥା ପଇଟିବ ନାହିଁ ।

 

ନେତ୍ରାନନ୍ଦ ବିସ୍ମୟ ବିସ୍ଫାରିତ ନୟନରେ ଚାହିଁ ରହିଲା ନଳିନାକ୍ଷ ଆଡ଼େ । କଣ୍ଠରୁ ତା’ର ବଚନ ସ୍ଫୁରିଲା ନାହିଁ ।

 

ନଳିନାକ୍ଷ କହିଲା–ଆରେ ଇମିତି କ’ଣ ଛିଡ଼ା ହୋଇ ରହିଛୁ । ଡାକିବୁ ବୋଲି କ’ଣ ସ୍ଥିର କରି ପାରୁନୁ ।

 

ନେତ୍ରାନନ୍ଦ ମୁଣ୍ଡ ହଲାଇ ନାହିଁ କଲା । ହରିଜନ ସାହିର ବୁଢ଼ା ଟୋକା ନିର୍ନିମେଷ ନୟନରେ ଚାହିଁ ରହିଥିଲେ ନଳିନାକ୍ଷ ଆଡ଼େ ।

 

ନଳିନାକ୍ଷ କହିଲା–କ’ଣ ଏପର୍ଯ୍ୟନ୍ତ କିଛି ବୁଝି ପାରିଲୁନି ନେତ୍ରାନନ୍ଦ । ଡାକ ମତେ ‘ଭାଇ’ ବୋଲି । ସେଇ ଡାକର ଅମୃତ ସମ୍ବୋଧନରେ ମୋ ଅନ୍ତର ପୁଲକିତ ହେଉ । ରୋମାଞ୍ଚିତ ହେଉ । ଜମିଦାର ଘରର ପୁଅ ବୋଲି ମୋର ଗର୍ବ ଗୌରବ କିଛି ନରହୁ । ସେହି ଡାକର ସ୍ପର୍ଶରେ, ତରଙ୍ଗରେ ମୋ ବଂଶର ସୀମା ସରହଦ୍ ତଳେ ଲୋଟିଯାଉ । ଆମେ ଭାଇ ଭାଇ ହୋଇ ଉଠିବା । ଛୁଆଁ ଅଛୁଆଁର ଭେଦାଭେଦ ଆମ ମନ ଭିତରୁ ଚିରଦିନ ପାଇଁ ଧୋଇଯିବ ।

 

ନେତ୍ରାନନ୍ଦ ଦୁଇ ଆଖି ମେଲାଇ ଚାହିଁ ରହିଛି ନଳିନାକ୍ଷ ଆଡ଼େ । ପାଣସାହିର ବୁଢ଼ା, ଭେଣ୍ଡା ମଧ୍ୟ ଚାହିଁ ରହିଛନ୍ତି ଅଜସ୍ର ପ୍ରଶ୍ନବାଚୀ ଆଖିରେ ।

 

ନନ୍ଦକିଶୋର ଜାଣିବା ଭଳି ଭଙ୍ଗୀରେ, ସେତେବେଳକାର ପରିବେଶକୁ ଲକ୍ଷ୍ୟ କରିଥିଲା-

 

ନେତ୍ରାନନ୍ଦ ଡାକିଲା–ନଳିନାକ୍ଷ ଭାଇ ।

 

ନଳିନାକ୍ଷର ସାରା ଦେହରେ ଫଗୁଣର ଚପଳ ହିଲ୍ଲୋଳ । ସେ ଉଲ୍ଲସିତ । ପୁଲକିତ । ରୋମାଞ୍ଚିତ ମନ ଭିତରୁ ତା’ର ଯେପରି ଏକ ବ୍ୟାଧି ଅପସରି ଯାଇଛି । ପୀଡ଼ିତ, ଆହତ ଆତ୍ମା ତା’ର ଆରୋଗ୍ୟ ଲାଭ କରିଛି ।

 

ନଳିନାକ୍ଷ କହିଲା–ଲୋକନାଥ ସାଆନ୍ତ କାହିଁକି ତତେ ମନାକଲେ ତାଙ୍କ କାମକୁ ଯିବାକୁ ? ତୁ କ’ଣ ତାଙ୍କର କଲୁ ? ଉଜାଡ଼ି ଦେଲୁ ? ଅନିଷ୍ଟ କଲୁ ?

 

ନେତ୍ରାନନ୍ଦ କହିଲା–ତମରି ସାଙ୍ଗରେ ମିଶୁଛି ବୋଲି, ଗାନ୍ଧୀ ସେବାସଦନରେ ବସୁଛି ବୋଲି ତାଙ୍କର ଭାରି ରାଗ । ଆମେ ହରିଜନ ହେଲୁ ବୋଲି, ଆମର କ’ଣ ଭଲମନ୍ଦ ନାହିଁ ନଳିନାକ୍ଷ ଭାଇ ! ତମ କଥା ଶୁଣି ଦେଶପାଇଁ, ଜାତିପାଇଁ ଆମେ ଯଦି କିଛି କାମ କଲୁ, ତାଙ୍କର କ’ଣ ହେଲା ? ତାଙ୍କ କାମରେ ତ ଆଉ ମୁଁ କିଛି ଖିଲାପ କରିନାହିଁ ।

 

ଲୋକନାଥ ସାଆନ୍ତେ ମତେ କହିଲେ–କିରେ ନେତରା, ତମ ସାହିରେ ତ ନଳିନାକ୍ଷ ଯାଇ କ’ଣ ଗୋଟେ ପାଲା ଲଗାଇଛି ପ୍ରତିଦିନ ! ତମେ ସବୁ କୁଆଡ଼େ ଆଜିକାଲି ମଣିଷ ହୋଇ ଗଲଣି । ଦେଶକୁ ସ୍ଵାଧୀନ କରିବା ପାଇଁ ତମ ହରିଜନ ସାହିର ଲୋକେ ଭାରି କୁଆଡ଼େ ଆଗୁସାର-! ତୁ ମଧ୍ୟ ସେମାନଙ୍କ ଭିତରୁ ଛୋଟ ବଡ଼ କି ଏକ ନେତା !

 

ମୁଁ କହିଲି–ହଁ, ସାଆନ୍ତେ, କ୍ଷତି କ’ଣ ହେଲା ? ନଳିନାକ୍ଷ ବାବୁଙ୍କ ପରି ଶିକ୍ଷିତ ପିଲା ଯେତେବେଳେ ପାଠ ପଢ଼ା ଛାଡ଼ି, ଗାନ୍ଧୀ ନା ଧରି ପାଗଳ ହେଲେ, ଆମେ ନ ହେବୁ କିଆଁ ? ସେଇତ ଆମକୁ ଶିଖାଇଛନ୍ତି ସ୍ଵାଧୀନତା ଯୁଦ୍ଧର ବିଶେଷତ୍ୱ । ମହାତ୍ମା ଗାନ୍ଧୀଙ୍କର ନେତୃତ୍ୱ । ଆପଣମାନେ ଥାଉଁ ଥାଉଁ ହରିଜନ ସାହି ଯଦି ନେତୃତ୍ୱ ନେଲା, ଆଗୁସାର ହେଲା, ତା’ହେଲେ ଆପଣମାନଙ୍କ ପକ୍ଷେ ତାହା ଲଜ୍ଜାକର କଥା ।

 

ଲୋକନାଥ ସାଆନ୍ତେ ଗର୍ଜ୍ଜି ଉଠିଲେ । ପଥର ଚଉକି ଉପରେ ବସି ମଧ୍ୟ ସେ ରାଗରେ ଥର ଥର ହୋଇଗଲେ । କହିଲେ–କ’ଣ କହିଲୁ ଶଳା ! ମୋରି ଘରେ ମୂଲ ଲାଗି, ମୋରି ଘରର ଭାତରେ ପ୍ରତିପାଳିତ ହୋଇ ପୁଣି ମୋ ମୁହଁରେ ଜବାବ୍ ! ସ୍ଵାଧୀନତା ! ତମେ ଯଦି ସ୍ଵାଧୀନତା ପାଇଁ ପାଗଳ ହେବ, ତା’ହେଲେ ଆମ ଭଳି ଲୋକେ କ’ଣ ଘାସ କାଟିବେ ?

 

ଏସବୁ ନଳିନାକ୍ଷର କାଣ୍ଡ । କାଲିକାର ମେଞ୍ଚଡ଼ା ଟୋକା । ତମ ସାଙ୍ଗେ ମିଶି, ତମ ମୁହଁକୁ ଖୁବ୍‍ ସେ ବଢ଼ାଇ ଦେଇଛି । ପାଠ ପଢ଼ି ଗାଁ ମାଟିକୁ ଉଜ୍ଜ୍ୱଳ କରିବ ବୋଲି ଆମେ ସମସ୍ତେ ଯେଉଁ ଆଶା କରିଥିଲୁ ସେ ଆଶା ଆମର ବେଶ୍‍ ପୂରଣ ହୋଇଗଲା । ପାଠ ଛାଡ଼ି, ଖଦଡ଼ ପିନ୍ଧି ପାଣସାହିର ଲୋକଗୁଡ଼ାଙ୍କୁ ନେଇ ସ୍ଵାଧୀନତା ହାସଲ କରିବାକୁ ବେଶ୍‍ ସାହସ ସେ ବାନ୍ଧିଛି ! ଆଉ ତୁ ଆସିବୁନି କାଲିଠାରୁ ମୋ କାମକୁ । ଯଦି ମୋ କାମକୁ ଆସିବୁ, ତା’ହେଲେ ଚାବୁକ୍‍ ଦେଇ ତତେ ମୁଁ ବିଦା କରିଦେବି ।

 

ଆଉ କେଉଁ ମୁହଁରେ ତା’ ଘରକୁ ଯିବି ନଳିନାକ୍ଷ ଭାଇ । ଦୁଇ ଦିନ ହେଲେ ଉପବାସ । ଘରେ ଖୁଦମଳୁଖ ଗଣ୍ଡେ ଥିଲା ବୋଲି ଆମେ ଚଳିଗଲୁ । ଏଣିକି ଆଉ ଚଳିବ କେମିତି ?

 

ନେତ୍ରାନନ୍ଦର ଆଖି ଲୁହରେ ଛଳ ଛଳ । ଆଉ ସେ କିଛି କହି ପାରିଲାନି ।

 

ନଳିନାକ୍ଷ କହିଲା–କିଛି ଚିନ୍ତା କରନି ନେତ୍ରାନନ୍ଦ । ଆମ ଘରକୁ ଚାଲ । ଯଦି ଚାଉଳ ପତ୍ର କିଛି ଥାଏ, ତା’ହେଲେ କିଛି ନେଇ ଆସିବୁ ।

 

ନେତ୍ରାନନ୍ଦ ନୀରବ ।

 

ନନ୍ଦକିଶୋର ନେତ୍ରାନନ୍ଦର କଥା ଶୁଣି ସାରିଲା ପରେ କହିଲା–ମୁଁ ଯାଉଛି ନଳିନାକ୍ଷ ଭାଇ, ଆଜିଠାରୁ ଗାଏଁ ଗାଏଁ ବୁଲି ନାଗରା ଦେବି । ସଭା ହେବାକୁ ଆଉ ଚାରିଟା ଦିନ ରହିଲା । ଆଜହୁଁ ଲୋକମାନଙ୍କୁ ନ ଜଣାଇଲେ, ବହୁ ସଂଖ୍ୟାରେ ଲୋକମାନେ ଯୋଗଦେବେ କିପରି ? ମୁଁ ଚାଲିଲି–

 

ନଳିନାକ୍ଷ କହିଲା–ଲୋକଙ୍କୁ କହିବୁ, ପ୍ରଦେଶର ତୁଙ୍ଗ ନେତାମାନେ ସେ ସଭାକୁ ଆସିବେ । ଜନସାଧାରଣଙ୍କର ଭୟ କରିବାର କୌଣସି କାରଣ ନାହିଁ । ଆମ ଗାଁରେ ଏକ ଜନରବ ଉଠିଛି, ଯେଉଁମାନେ ସେ ସଭାକୁ ଯିବେ, ସେମାନଙ୍କୁ ସରକାର ହାତକଡ଼ି ପକାଇ ବାନ୍ଧି ନେଇଯିବ-। ଲୋକମାନଙ୍କୁ କହିବୁ, ଏଭଳି ହୀନ ପ୍ରଚାରରେ ସେମାନେ ଯେପରି ଭୁଲି ନ ଯାଆନ୍ତି-

 

ନନ୍ଦକିଶୋର ଅପୂର୍ବ ଉତ୍ସାହରେ ଗାନ୍ଧୀ ସେବାଶ୍ରମଠାରୁ ବିଦାୟ ନେଲା

 

ତା’ ମନ ତଳେ ଆଗାମୀ କାଲିର ରଙ୍ଗିନ୍‍ ପ୍ରଭାତ ଭାସି ଉଠୁଛି । ଭାରତବର୍ଷ ସ୍ଵାଧୀନ ହେବ । ଚିର ଇପ୍‍ସିତ ସ୍ୱାଧୀନତାର ରବି ପରାଧୀନ ଭାରତର ଆକାଶ ପ୍ରାନ୍ତରେ ଦେଖାଦେବ । ଦେଇ ଆଲୋକର ଲୋହିତ ରଶ୍ମି ଝରି ପଡ଼ିବ, ଝରିପଡ଼ିବ ଆକାଶରୁ ଝର ଝର ହୋଇ । ଦେଢ଼ଶହ ବର୍ଷର ବ୍ରିଟିସ୍‍ ଶୋଷଣ, ପେଷଣ ଓ ଅତ୍ୟାଚାରର ଘନୀଭୂତ ଅନ୍ଧକାର ସେଇ ରଶ୍ମି ରେଣୁରେ ଆଲୋକିତ ହେବ । ଉଦ୍ଭାସିତ ହେବ ।

 

ସ୍ଵାଧୀନ ଭାରତର ମାଟିତଳେ, ଜନସାଧାରଣଙ୍କର ସଭା ସମିତିରେ ଯୋଗଦାନ କରିବାକୁ ଭୟ ନଥିବ । ଆଶଙ୍କା ନଥିବ । ନିଜ ଦେଶର ମାଟି ଉପରେ ବିଦେଶୀ ସରକାରର ପୋଲିସ୍‍ ବାହିନୀର ଅକଥନୀୟ ଦମନଲୀଳା, ସେ ଆଉ ନିଜ ଆଖିରେ ଦେଖିବାକୁ ପାଇବନି । ସେ ହେବେ ସ୍ଵାଧୀନ ଭାରତର ସ୍ଵାଧୀନ ମଣିଷ । ତାଙ୍କର ଦେଶର ଲୋକେ, ଏଇ ଦେଶରେ ପୁଣି ଗଢ଼ିବେ ସରକାର ।

 

ଏଇମିତି ଭାବି ଭାବି ନନ୍ଦକିଶୋର ଚାଲିଗଲା ।

 

ନଳିନାକ୍ଷ କହିଲା–ତମେ ସବୁ ଯାଅ ଘରକୁ । ନେତ୍ରାନନ୍ଦ ମୋ ସାଙ୍ଗରେ ଆମ ଘରକୁ ଯିବ ।

 

ହରିଜନ ସାହିର ବୁଢ଼ା, ଟୋକା ଗାନ୍ଧୀ ସେବାଶ୍ରମ ଭିତରୁ ଚାଲିଗଲେ ।

 

ନଳିନାକ୍ଷ ଆଗେ ଆଗେ ହରିଜନ ସାହି ଅତିକ୍ରମ କରି ସାଆନ୍ତ ସାହିର ଦାଣ୍ଡକୁ ମୁହାଁଇଲେଣି । ତା’ ପଛରେ ଚାଲିଛି ନେତ୍ରାନନ୍ଦ ।

 

ସୂର୍ଯ୍ୟ ଉଠି ଆସୁଥିଲେ ମୁଣ୍ଡ ଉପରକୁ ।

 

ଶେଷ ଚୈତ୍ରର ଏକ ନାତିଶୀତୋଷ୍ଣ ସକାଳ ଓଲ୍ଲାଇ ଆସିଛି ପୂରବୀପୁର ଗାଁକୁ ।

 

ନନ୍ଦକିଶୋର ଗାଁର ପ୍ରତି ଛକରେ ଡେଙ୍ଗୁରା ଦେଉଛି । ସାଧାରଣସଭାରେ ଯୋଗଦେବା ପାଇଁ ଗାଁ ଲୋକମାନଙ୍କୁ ଆବେଦନ କରୁଛି । କେଉଁଠି କେଉଁଠି ମଧ୍ୟ ପ୍ରବର୍ତ୍ତାଉଛି ।

 

ନନ୍ଦକିଶୋର ମନରେ ଭୟ ନାହିଁ । ସ୍ଵାଧୀନତା ଆନ୍ଦୋଳନରେ ଏକ ଦୁର୍ଦ୍ଧର୍ଷ ସୈନିକରୂପେ, ସେ ଆଗେଇ ଚାଲିଛି । ଏ ଦେଶରୁ ବ୍ରିଟିସ୍‍ ସରକାର ଅପସରି ନ ଗଲେ, ତା’ ଯୁଦ୍ଧର ଅବସାନ ନାହିଁ ଯେପରି ।

 

ନଳିନାକ୍ଷର ସେ ପଟ୍ଟଶିଷ୍ୟ ।

 

ନଳିନାକ୍ଷ ପାଠ ଛାଡ଼ି ଗାଆଁକୁ ଆସିବା ପୂର୍ବରୁ ସେ ଥିଲା ଏକ ପ୍ରାଥମିକ ସ୍କୁଲର ଶିକ୍ଷକ-। ହରିଜନ ସାହି ଭିତରେ ସେ ଥିଲା ମଉଡ଼ମଣି । ସେ ଯାହା କହିବ, କରିବାକୁ ଇଙ୍ଗିତ ଦେବ, ହରିଜନ ସାହିର ଲୋକେ ବିନା ଆପତ୍ତିରେ ତାହା କରୁଥିଲେ ।

 

ଏଲିମେଣ୍ଟାରୀ ଟ୍ରେନିଂ ସାରି ସେ ଥିଲା ହେଡ଼୍‍ ପଣ୍ଡିତ । କିନ୍ତୁ ନଳିନାକ୍ଷ ଆସିଲା ଦିନଠାରୁ ମନ ଭିତରେ ହେଲା ତା’ର ଅସମ୍ଭବ, ଅଲୌକିକ ପରିବର୍ତ୍ତନ । କି ଏକ ଉଦ୍ଦାମ ଆବେଗରେ ରାତି ରାତି ବସି ନଳିନାକ୍ଷଠାରୁ ଶୁଣିଲା ଏ ଦେଶର ଇତିହାସ । ସ୍ୱାଧୀନତାର ଦୁନ୍ଦୁଭି ବାଜି ଉଠିଲା ତା’ର କାନ ଭିତରେ ।

 

ମିଲ୍‍ ଲୁଗା ଛାଡ଼ି ସେ ଖଦଡ଼ ପିନ୍ଧିଲା । ଅରଟରେ ସୂତା କାଟିଲା । ତା’ ବାପା ଯେତେ ମନାକଲା, ବୋଉ ଯେତେ ବୁଝାଇଲା, ସେ ବୁଝିଲାନି । ନଳିନାକ୍ଷର ଅମୃତ ଉଦବୋଧନୀ ତାକୁ ପାଗଳ କଲା । ଦେଶାତ୍ମବୋଧରେ ବିହ୍ୱଳ କଲା ।

 

ସେ ଠିକ୍‍ କଲା, ଯେତେ ବାଧା ଆସୁ, ବନ୍ଧନ ସୃଷ୍ଟି ହେଉ, ଲାଠି ପାହାର ହେଉ, ଗୁଳି ଫୁଟୁ, ସେ କିନ୍ତୁ ରହିବ ଅଚଳ, ଅଟଳ । ପରାଧୀନ ଭାରତରେ ବଞ୍ଚି ରହିବା ଏକ ଅଭିଶାପ । ଯେଉଁ ଦେଶର ଲୋକେ ସ୍ଵାଧୀନ ଭାବରେ ମତବ୍ୟକ୍ତ କରିପାରୁ ନାହାନ୍ତି, ସେ ଦେଶର ତିକ୍ତ ବାୟୁମଣ୍ଡଳ ଭିତରେ ବଞ୍ଚି ରହିବା ବ୍ୟାଧି ସ୍ୱରୂପ ।

 

ଭାରତର ଅଗଣିତ ଜନତା ବିଦ୍ରୋହୀ ହୁଅ । ବିପ୍ଳବ କର । ହୁଙ୍କାର ଦିଅ । ଫୁତ୍କାର ଛାଡ଼ । ଅଗଣିତ ମୂକ ଜନତାର କଣ୍ଠରେ, ରେ ରେ କାର ଶବ୍ଦ ଶୁଭୁ । ସେଇ ରେ ରେ କାର ଧ୍ୱନିର ଭୈରବ ପ୍ରତିଧ୍ଵନି, ହିମାଳୟରେ ପ୍ରତିଧ୍ଵନିତ ହେଉ । ବିଦେଶୀ ସରକାରର ଛାତିରେ ଚମକ ପଶୁ । ଭୀତି ସୃଷ୍ଟି ହେଉ ।

 

କୋଟି କୋଟି ଜନତାର ହୁଂକାରରେ, ବିଦେଶୀ ବାହିନୀର ଗୁଳିଗୋଳା ବ୍ୟର୍ଥ ଯିବ । ଶୂନ୍ୟରେ ମିଳାଇ ଯିବ । ଭାରତୀୟ ଜନତାର କଣ୍ଠ ଆଜି ମିଳିତ ହୋଇଛି । ପ୍ରାଦେଶିକତାର ସଂକୀର୍ଣ୍ଣତା, ଉଗ୍ରତା ଧ୍ୱଂସ ହୋଇଯାଇଛି । ଗୋଟିଏ ମାଆର କୋଟିଏ ପୁଅ ହୋଇ, ଗୋଟିଏ ଲକ୍ଷ୍ୟରେ ସେମାନେ ସମ୍ମିଳିତ ହୋଇଛନ୍ତି । ସେଇ ମିଳନ ପୀଠରୁ କେହି ସେମାନଙ୍କୁ ବିଚ୍ଛିନ୍ନ କରି ପାରିବେନି । ବିଭ୍ରାନ୍ତ କରି ପାରିବେନି । ସେମାନଙ୍କର ଐକ୍ୟ ଓ ସଂହତିର ବାହୁ ଫାଶରେ ସବୁ ଅତ୍ୟାଚାର ଓ ଷଡ଼ଯନ୍ତ୍ର ବିଲୀନ ହୋଇଯିବ ।

 

ଦେଢ଼ କୋଟି ମୂକ ଜନତାର ନେତୃତ୍ୱ ନେଇଛନ୍ତି ସେଇ ଗୋଟାଏ ଲୋକ । ଗୋଟାଏ ଶକ୍ତି । ଗୋଟାଏ ପ୍ରାଣ । ହିଂସା କରନାହିଁ । ହିଂସା କାଣ୍ଡ ସୃଷ୍ଟି କରନାହିଁ । ଶାନ୍ତିପୂର୍ଣ୍ଣ ଅହିଂସା ସତ୍ୟାଗ୍ରହ କର । ଧର୍ମଘଟ କର । ‘ଭାରତ ଛାଡ଼’ ଆନ୍ଦୋଳନର ମହାମନ୍ତ୍ରରେ ଦୀକ୍ଷିତ ହୁଅ ।

 

ସେ ଗାନ୍ଧିଜୀ । ଭାରତର ମିଳନ, ଦୀନ, ହୀନ ଜନତାର ପାଇଁ, ଜୀବନର ସକଳ ସମ୍ଭାବନାକୁ ତୁଚ୍ଛ କରି ସେ ହୋଇଛନ୍ତି ସନ୍ନ୍ୟାସୀ, ଫକୀର ।

 

ନନ୍ଦକିଶୋର ଭାବି ଭାବି ଚାଲିଛି ଶତପଥି ସାହି ଛକ ଉପରକୁ ।

 

ଡିବି ଡିବି ହୋଇ ବାଜି ଉଠିଲା ନାଗରା । ବ୍ରାହ୍ମଣ ସାହିର ପିଲା ସବୁ ଜମି ଉଠିଲେ । ବୁଢ଼ା ବୁଢ଼ା ଲୋକେ ମଧ୍ୟ ପିଣ୍ଡା ଉପରୁ ଓଲ୍ଲାଇ ପଡ଼ି, ଉତ୍ସୁକ କାନରେ ରହିଲେ ।

 

ନନ୍ଦକିଶୋର ତା’ର ଅଗ୍ନିବର୍ଷି ଭାଷଣ ଆରମ୍ଭ କଲା–ଭାଇମାନେ, ଭାରତ ମାତା ପରାଧୀନ । ଦେଶ ମାତୃକାର ମୁକ୍ତିସାଧନ ପାଇଁ ଆଜି ଭାରତର ଚାରିଆଡ଼େ, ପ୍ରତ୍ୟେକର ଆତ୍ମଚେତନା ଜାଗ୍ରତ ହୋଇଛି । ଅହିଂସା ସତ୍ୟାଗ୍ରହର ବଳିଷ୍ଠ ପ୍ରଭାବ ବ୍ରିଟିସ୍‍ ଶାସନର ମେରୁଦଣ୍ଡକୁ ଦୋହଲାଇ ଦେଇଛି । ଭାରତର ବହୁ ଜନନେତା ଆଜି କାରାଗାରରେ ବନ୍ଦୀ । ଏତେବେଳେ ଦେଶର ଜନସାଧାରଣ ଯଦି ଏକୀଭୂତ ନ ହୁଅନ୍ତି, ମିଳିତ ଭାବରେ ବ୍ରିଟିସ୍‍ ଶାସନକୁ ବିରୋଧ ନ କରନ୍ତି, ଦେଶ ଯେଉଁଭଳି ଅତ୍ୟାଚାରରେ ସଢ଼ୁଥିଲା, ସେ ଅତ୍ୟାଚାରର ଆଉ ଅପନୋଦନ ହେବନାହିଁ ।

 

ଏଇ ଚାରି ଦିନ ତଳେ ଲୁଣିଆ ଓ ବାସୁଦେବପୁର ଠାରେ, ଦୁଇ ଜଣ ଯୁବକ ଛାତି ପତାଇ ହସି ହସି ମରଣ ମୁହଁରେ ଝାସ ଦେଲେ । ବ୍ରିଟିସ୍‍ ସରକାରକୁ ହଟାଇ ଦେବାପାଇଁ ଯୁବଶକ୍ତିର ଏ ଯେଉଁ ଜାଗରଣ, ଏ ଜାଗରଣକୁ କେବେହେଲେ ଦବାଇ ଦିଆ ନ ଯାଇପାରେ । ଭାରତବର୍ଷର ଯୁବଶକ୍ତି ଆହୁରି ଦ୍ଵିଗୁଣ ଉତ୍ସାହରେ ମାତି ଉଠିବ । ବ୍ରିଟିସ୍‍ ବାହିନୀର ନିର୍ମମ, ଅମାନୁଷିକ ଅତ୍ୟାଚାର ଏ ଦେଶର ଯୁବଶକ୍ତିକୁ ହତୋତ୍ସାହ କରି ନ ପାରେ ।

 

ଏଇ ଅତ୍ୟାଚାରର ପ୍ରତିବାଦ ସ୍ୱରୂପ ଆସନ୍ତା ବୁଧବାର ଦିନ ପୂରବୀପୁରର ମେଲଣ ପଡ଼ିଆରେ ଏକ ବିରାଟ ସାଧାରଣସଭା ହେବ । ପ୍ରଦେଶର ତୁଙ୍ଗ ନେତାମାନେ ଏହି ସଭାରେ ଯୋଗ ଦେଉଛନ୍ତି । ଆପଣମାନେ ଏ ସଭାରେ ହଜାର ହଜାର ସଂଖ୍ୟାରେ ଯୋଗଦାନ କରି ସଭାଟିକୁ ସାଫଲ୍ୟ ମଣ୍ଡିତ କରନ୍ତୁ ।

 

ପୁଣି ଥରେ ବାଜି ଉଠିଲା ଡେଙ୍ଗୁରା ।

 

ପୁଣ୍ଡରୀକାକ୍ଷ ଶତପଥି ଧୀରେ ଧୀରେ ସେଇ ଲୋକ ଗହଳି ଠେଲି, ନନ୍ଦକିଶୋର ପାଖକୁ ଆସିଲେ । ରାଗରେ ଆଖି ଦିଟା ତାଙ୍କର ଲାଲ୍‍ ପଡ଼ି ଯାଇଛି । ଈଷତ୍‍ ପାଚିଲା ଭୂରୁ, ଉପରକୁ ସତେ ଯେପରି ଟେକି ହୋଇ ଯାଇଛି ।

 

ଡେଙ୍ଗୁରା ବନ୍ଦ ହେବାର ଠିକ୍‍ ପର ମୁହୂର୍ତ୍ତରେ ସେ କହିଲା–ହଇବେ ହେ ନନ୍ଦିଆ–ଲୁଣିଆରେ, ବାସୁଦେବପୁରଠାରେ ଲୋକ ଗୁଳି ଖାଇ ମଲେ ଆମର ସେଠୁ କ’ଣ ହେଲା ? ତୁ ଏ ଗାଁ ଦାଣ୍ଡରେ ଯାଇ ପାରିବୁନି କହୁଛି । ତୁ ଯଦି ଆମ ସାହି ଭିତରକୁ ଆଗେଇବୁ, ତା’ହେଲେ ତୋର ଭଲ ହେବନାହିଁ କହି ଦେଉଛି ।

 

ନନ୍ଦକିଶୋର ହସି ହସି କହିଲେ–ତମର ପୁଅ, ପୁତୁରା କିମ୍ବା ନାତି ମରିଗଲେ ତମର କ’ଣ ଦୁଃଖ ହେବନି ଗୋସବାପା ? ତମରି ଦେଶର ଲୋକେ ଦେଶମାତୃକାର ମୁକ୍ତିପାଇଁ ଯେତେବେଳେ ହସି ହସି ଜୀବନକୁ ଉତ୍ସର୍ଗ କରିଦେଲେ, ସେତେବେଳେ ଏ ଦେଶର ଆଖିରେ ଲୋତକ ଦେଖାଦେବା ସ୍ୱାଭାବିକ । ତେଣୁ ତମେ ତ ଦୁଃଖ ପ୍ରକାଶ କରିବାର କଥା । ତମ ଭଳି ଜାଣିବା ଶୁଣିବା ଲୋକର ମୁହଁରେ ଆଜି ଏ କି କଥା ?

 

ପୁଣ୍ଡରୀକାକ୍ଷ ପୁଣି ପ୍ରତିବାଦ ସ୍ୱରରେ କହିଲେ–ଆମର ଦରକାର ନାହିଁ ସ୍ଵାଧୀନତା । ଖାଇ ପିଇ ଆମେ ଯଦି ସୁଖରେ ରହିଲୁ, ଦଶ ଲୋକ ଆମକୁ ମାନି ଚଳିଲେ ସେତିକିରେ ଆମ ମଣିଷ ଜୀବନର ସନ୍ତୋଷ ଓ ପରିତୃପ୍ତି ଆସିଗଲା । ଆମର କ’ଣ ଦରକାର ସ୍ୱାଧୀନତାରୁ ।

 

ତମେ ପଞ୍ଝେ ବାନରସେନା ଏ ଦେଶର ଏକାଠି ହୋଇଛ ନନ୍ଦ । ତମେ କ’ଣ ପ୍ରବଳ ପ୍ରତାପୀ ବ୍ରିଟିସ୍‍ ସୈନ୍ୟକୁ ହଟାଇ ଦେଇ ପାରିବ ? ମୋ କଥା ମାନି ଏଠାରୁ ଫେରିଯାଆ କହି ଦେଉଛି । ଯେଉଁ ମାଷ୍ଟିରି ଚାକିରି କରି ତୁ ପାଣ କୁଳକୁ ଉଜ୍ଜ୍ୱଳ କରିଥିଲୁ, ସେଇ ବ୍ୟବସାୟ କଲେ ବାପ ମା ତୋର ସନ୍ତୁଷ୍ଟ ହେବେ । ମୋରି ଘରେ ମୂଲ ଲାଗି, କଷ୍ଟ ସହି ତତେ ସେମାନେ ପାଠ ପଢ଼ାଇ ଥିଲେ । ତୁ ସେମାନଙ୍କୁ ଏ ବୟସରେ ସାହାଯ୍ୟ କଲେ, ତାଙ୍କର ଶ୍ରମ ସାର୍ଥକ ହେବ ।

 

ନନ୍ଦକିଶୋର ମୁହଁରେ ପୁଣି ହସର ଲୋହିତ ବିକାଶ । କହିଲା–ଦଶ ଲୋକ ତମକୁ ମାନି ଚଳିଲେ, ତମର କ’ଣ ସନ୍ତୋଷ ଆସିଯାଏ ଗୋସାପା ? ଯୁଗ ବଦଳୁଛି । ତା’ ସାଙ୍ଗେ ବି ବଦଳି ଯାଉଛି ମଣିଷ ମନର ଅଭିରୁଚି । କହି ପାରିବ ଗୋସବାପା, ଆଜି କାହିଁକି ଭାରତର ଏ ମୁଣ୍ଡରୁ ସେ ମୁଣ୍ଡଯାଏଁ ଦେଖା ଦେଇଛି ଏକ ଅଭିନବ ଆତ୍ମ ପରିଚିତି ? ଐତିହାସିକ ଦ୍ୟୋତନା ? ଦେଢ଼ଶହ ବର୍ଷର ପରାଧୀନ ଜାତିର ଆଜି ନବଜନ୍ମ ହୋଇଛି । ପରାଧୀନ ବେଢ଼ିକୁ ମୁକ୍ତ କରିବା ପାଇଁ ସେ ଆଜି ବଜ୍ର ଶପଥ ଗ୍ରହଣ କରିଛି ।

 

ମୋ ଚାକିରିଟା କେତେ ମାତ୍ର ଗୋସବାପା । ଜାତିର ଏ ଦୁର୍ଦ୍ଦିନରେ ମାଷ୍ଟିରି ଚାକିରି କରି ମୁଁ ଆଉ କେଉଁ ସ୍ୱର୍ଗକୁ ଯିବି ? ସ୍ଵାଧୀନତା ଆନ୍ଦୋଳନରେ ଯୋଗଦେଇ ମୋ ଜାତି ପାଇଁ ମୁଁ ଯଦି କିଛି ପାରିଲି ସେଇତ ମୋର ଗୌରବ ।

 

ପୁଣ୍ଡରୀକାକ୍ଷ ଚିଡ଼ି ଉଠିଲେ । କହିଲେ–ମୁଁ କହୁଛି ନନ୍ଦ, ତୁ ଆମ ସାହି ଭିତରକୁ ଆଗାଆନି । ଭଲ ଦଶା ଯଦି ଅଛି, ଏଇ ଛକ ମୁଣ୍ଡରୁ ଫେରିଯାଆ ଅନ୍ୟ ସାହିକୁ ।

 

ନନ୍ଦକିଶୋର ଓଠରେ ସେଇ ସରୁ ହସର ରକ୍ତିମ ବିଳାସ । କହିଲା–ମୁଁ ଯଦି ତମ ସାହି ଭିତରକୁ ଯାଇ ନାଗରା ଦେବି, ତମେ କ’ଣ କରିବ କହିଲ ?

 

ପୁଣ୍ଡରୀକାକ୍ଷ ଉତ୍ତେଜିତ ହୋଇ ଉଠି କହିଲେ–କ’ଣ କରିବି ? ଆଗେଇଲୁ ପାଦେ, କ’ଣ କରିବି ଦେଖିବୁ । ପାଣସାହିର ଲୋକଗୁଡ଼ାକଙ୍କର ମଗଜ ଉପରକୁ ଉଠିଯାଇଛି ନାଇଁରେ ! ଏସବୁ ନଳିନାକ୍ଷର କାଣ୍ଡ !! ଓକିଲାତି ପାଠ ଛାଡ଼ି, ତମ ସାଙ୍ଗରେ ମିଶି, ତମରି ମୁହଁକୁ ସେଇ ବଢ଼ାଇ ଦେଇଛି । ଦେଶ ସ୍ଵାଧୀନ ହେଲେ କେତେ ନହେଲେ କେତେ ! ଲୋକେ ଗୁଳି ଖାଇ ମଲେ କେତେ ନ ମଲେ କେତେ ? ଆମର ସେଥିରେ ଯାଏ ଆସେ କ’ଣ ! ଆମେ ସେ ସଭାକୁ ଯିବୁନି । ତମଭଳି ଘରପୋଡ଼ା, ନଙ୍ଗଳା, ନିଆଁଗିଳା ଲୋକମାନଙ୍କର ଉପଦେଶ ଆମେ ଶୁଣିବୁନି । ଯାଆ ଫେରିଯାଆ କହୁଛି ।

 

ନନ୍ଦକିଶୋର ଓଠରେ ଖେଳି ବୁଲୁଛି ମଳିନ, ଶୁଖିଲା ହସ । ମନ ଭିତରର ଉତ୍ତେଜନାକୁ ଚାପିରଖି କହିଲା–ମନେକର ଗୋସାପା, ତମ କଥା ନ ମାନି, ତମ ସାହି ଭିତରକୁ ଯାଇ ମୁଁ ନାଗରା ଦେବି, ତମେ କ’ଣ କରିବ ?

 

ପୁଣ୍ଡରୀକ୍ଷ ରାଗ ଓ ଉତ୍ତେଜନାରେ ଥରି ଉଠିଲେ । କହିଲେ–ଏଡ଼େ ଦମ୍ଭ ତୋର ? ପାଣ ଘରେ ଜନ୍ମହୋଇ ଶାସନୀ ବ୍ରାହ୍ମଣ ମୁହଁରେ ଜବାବ୍‍ ! ତୋ ବାପା ମୋ ଘରେ ମୂଲିଆ ଥିଲା । ମୋ କଥା ମାନି ଚଳୁଥିଲା । ତୁ ତାରିଠାରୁ ଜନ୍ମ ହୋଇ ଦି ଅକ୍ଷର ପାଠ ପଢ଼ିଛୁ ବୋଲି, ସରଗ ତତେ ଦି ଆଙ୍ଗୁଳି ଦିଶୁଛି । ମୁଁ କହିଦେଉଛି ନନ୍ଦିଆ ତୁ ଆଉ ପାଦେମାତ୍ର ଆଗେଇ ପାରିବୁନି ।

 

ନାଗରା ଶବ୍ଦ ଶୁଣି ଶତପଥି ସାହିର ଯେଉଁ ପିଲାଗୁଡ଼ିକ ଜମି ଯାଇଥିଲେ, ସେମାନେ ପୁଣ୍ଡରୀକାକ୍ଷ ଓ ନନ୍ଦକିଶୋର ଭିତରେ ବାକ୍ୟ ବିନିମୟ ହେଉଥିବାର ଜାଣି, ସେମାନେ ଧୀରେ ଧୀରେ ସେଠାରୁ ଚାଲିଗଲେ । କେବଳ ନାଗରାବାଲା ସେଇଠାରେ ଠିଆହୋଇ ସେମାନଙ୍କ ଯୁକ୍ତି ଶୁଣିବାରେ ଲାଗିଥିଲା ।

 

ନନ୍ଦକିଶୋର ମୁହଁରୁ ହସ ନିଭିଗଲା । ଟିକିଏ ଉତ୍ତେଜିତ ହୋଇ କହିଲା–ମୁଁ ନିଶ୍ଚୟ ତମ ସାହି ଭିତରକୁ ପଶିବି ଗୋସବାପା । ତମର କ’ଣ କ୍ଷତି ହୋଇଯିବ ତଦ୍ଵାରା ?

 

ପୁଣ୍ଡରୀକାକ୍ଷ କହିଲେ–ମୁଁ କହୁଛି, ମୋ କଥା ତତେ ମାନିବାକୁ ହେବ । ଆଉ ଥରେ ଯଦି ତୁ ପାଦ ଆଗକୁ ବଢ଼ାଇବୁ, ଆଜି ଦେଖିବୁ ମୋର ନିଜର ରୂପ ।

 

ମୋର କ’ଣ କରିବ ? କ’ଣ ମାରିବ ତ ?

 

ଶଳା, ବାପ ଗୋସାପ ଚଉଦ ପୁରୁଷ ଆମକୁ ମାନି ଚଳିଛନ୍ତି, ତତେ ମଧ୍ୟ ମୋ କଥା ମାନିବାକୁ ହେବ । ତୁ ଯଦି ନ ମାନୁ, ଦେଖିବୁ ଆଜି କ’ଣ କରିବି ?

 

ନନ୍ଦକିଶୋର ଧୀରେ ଧୀରେ ଉତ୍ତେଜିତ ହୋଇ ଉଠୁଛି । ମନ ଭିତରେ ଧୀରେ ଧୀରେ କ୍ରୋଧ ଜମି ଉଠୁଛି ।

 

ସେ ଆଉ ଭୟ କଲାନି । କହିଲା–ହେଇ ମୁଁ ଆଗକୁ ଆଗେଇଲି ଗୋସବାପା । ମୋର ତମେ କ’ଣ କରୁଛ କର ?

 

ପୁଣ୍ଡରୀକାକ୍ଷ ଗାମୁଛାଟାକୁ କମରରେ ଗୁଡ଼ାଇ ଦେଇ ନନ୍ଦକିଶୋର ଉପରକୁ ଝୁଙ୍କି ପଡ଼ିଲେ । ନନ୍ଦକିଶୋର ତାଙ୍କୁ ଧରିପକାଇ କହିଲା–ମତେ କ’ଣ ମାରିବ ଗୋସବାପା ? ମୋ ସହିତ ତମେ ଯଦି ବଳ କଷିବ, ତମେ କ’ଣ ମତେ ବୁକେଇ ଯିବ ! ବାଇଶି ତେଇଶି ବର୍ଷର ଯୁବକ ମୁଁ । ମୋ ଦେହରେ ବଳ ଅଛି । ତତଲା ଲହୁ ଅଛି । ତମେ ଆସି ବୁଢ଼ା ହେଲଣି । ମୋ ହାତର ଶକ୍ତି ମୁଠା ପାଖରେ ତମେ ତିଷ୍ଠି ପାରିବନି ।

 

ପୁଣ୍ଡରୀକାକ୍ଷ ରାଗରେ ସେଇମିତି ଥରୁଥିଲେ । ସେ ଭାବୁଥିଲେ ତାଙ୍କର ଯଦି ଯୁବକ ବୟସର ଶକ୍ତି ଥାଆନ୍ତା, ସାମର୍ଥ୍ୟ ଥାଆନ୍ତା ନନ୍ଦକିଶୋରକୁ ଗୋଟାଏ ଚାପୁଡ଼ାରେ ଏଠାରୁ ଫେରାଇ ଦିଅନ୍ତେ । ସେ ଯଦି ତାକୁ ମାରିବେ, ତା’ ବଦଳରେ ନନ୍ଦକିଶୋର ଯଦି ତାଙ୍କୁ ମାରେ...ତାଙ୍କର ମାନ, ସମ୍ମାନ ଧୂଳିରେ ଲୋଟିବ । ମୁହଁ ଦେଖାଇ ଦାଣ୍ଡରେ ଚାଲିବାକୁ ହୁଏତ ସାହସ ଅଣ୍ଟିବନି ।

 

ଯୁଗ ବଦଳୁଛି । ପତିତ, ହରିଜନ ଜାତିଟା ଆଜି ମଧ୍ୟ ବ୍ରାହ୍ମଣ, କରଣ ଓ କ୍ଷତ୍ରିୟମାନଙ୍କ ସହ ତାଳ ପକାଇ ଗତି କରିବାକୁ ଅଗ୍ରସର ହେଉଛି । ଏ ଯୁଗର ଏଇ ପ୍ରବହମାନ ସ୍ରୋତକୁ ରୋକି ହେଉନି । ୟୁନିୟନ ପ୍ରେସିଡେଣ୍ଟ ବିକ୍ରମଦେବ ରାୟ, ଜମିଦାର ଲୋକନାଥ ପଟ୍ଟନାୟକ ଯେତେ ଚେଷ୍ଟ କଲେ ମଧ୍ୟ ଏଇ ଛୋଟ ଜାତିଟାର ଜାଗରଣକୁ ଚାପି ରଖିପାରୁ ନାହାନ୍ତି ।

 

କାହିଁକି ? ଏଇ ପତିତ, ଅଜଗର ଜାତିଟାର ବୁକୁରେ କିଏ ଦେଲା ଏକ ନୂତନ ଜୀବନ୍ୟାସ ? ସ୍ଥାଣୁ, ସ୍ଥିତିଶୀଳ ଜାତିଟାକୁ କିଏ କଲା ମୁଖର ? ଗତିଶୀଳ ? କେବଳ ହରିଜନ ନୁହନ୍ତି, ସବୁ ଜାତିର ଲୋକଙ୍କ ଭିତରେ ସ୍ଵାଧୀନତା ହାସଲ ପାଇଁ ଏକ ଅପୂର୍ବ ଉତ୍ସାହ ଖେଳି ଯାଇଛି ।

 

କିଏ ସେଇ ଗାନ୍ଧୀ ? ପୁର ପଲ୍ଲୀରେ ତାଙ୍କରି ଜୟନାଦ ଆଜି ଶୁଭୁଛି । ଭାରତମାତାର ଗଗନଭେଦୀ ଜୟଧ୍ୱନିରେ କାନ ସ୍ତବ୍ଧ ହୋଇ ଯାଉଛି ? ସତରେ କ’ଣ ବ୍ରିଟିସ୍‍ ଶାସନକୁ ଏଇ ବାନର ସେନା ହଟାଇ ଦେବେ ? ଧ୍ୱଂସ କରିଦେବେ ? ଏଇମାନଙ୍କ ଜୟ ଧ୍ୱନିରେ ମହାମାନ୍ୟ ବ୍ରିଟିସ୍‍ ସରକାର, ପେଡ଼ି ପୁଟୁଳି ବାନ୍ଧି ବିଲାତକୁ ଫେରିଯିବ ?

 

ମିଛ, ସବୁ ମିଛ । ଯେତେ ବେକାର, ଆଜି ସମସ୍ତେ ରୁଣ୍ଡ ହୋଇଛନ୍ତି । ହେଇ ନଳିନାକ୍ଷ-! ତାରି ପାଇଁ ତ ତାଙ୍କରି ଗାଁର ପାଣସାହିର ଲୋକେ ମାତି ଉଠିଛନ୍ତି । ସେମାନେ ଆଉ କ’ଣ କାହାରିକୁ ମାନୁଛନ୍ତି !

 

ନନ୍ଦକିଶୋରକୁ ମାରିବାକୁ ଧମକ ଦେଲା ବେଳକୁ, ସେ ମଧ୍ୟ ଠିକ୍‍ ସେଇଭଳି କରିବା ପାଇଁ ପ୍ରସ୍ତୁତ ହେଉଛି । ନଳିନାକ୍ଷକୁ ଜବଦ୍‍ ନ କଲେ ଏମାନେ କେହି ଜବଦ୍‍ ହେବେନାହିଁ । ମୂଳ ଭାଙ୍ଗି ପଡ଼ିଲେ, ଡାଳଗୁଡ଼ାକ ଛାଆଁକୁ ଛାଆଁ ତ ଭୂଇଁରେ ଲୋଟିଯିବେ ।

 

ଏଡ଼େ ବଦମାସ୍‍ ଏ ନଳିନାକ୍ଷ ! ଗାଁରେ ଦୁଇ ଦଳ କଜିଆ ଲାଗିଲେ, ତାଙ୍କର ଲାଭ ହୁଏ-। ଦୁଇ ବିବଦମାନ ଗୋଷ୍ଠୀଙ୍କ ଠାରୁ ଟଙ୍କା ଆଦାୟ କରି କଜିଆ, କଳି ଏବଂ ମାଲି ମୋକଦ୍ଦମାକୁ ସେ ନିଷ୍ପତ୍ତି କରି ଦେଉଥିଲେ । ତାହାଦ୍ୱାରା ଦି ପଇସା ତାଙ୍କର ରୋଜଗାର ହେଉଥିଲା । ପ୍ରତିପତ୍ତି ମଧ୍ୟ ଥିଲା । ତାଙ୍କ ଗୋଡ଼ ତଳେ କେତେ ଲୋକ ଆସି ପଡ଼ୁଥିଲେ । କାତର, ବିନତି କରୁଥିଲେ ।

 

କିନ୍ତୁ ଏଇ ନଳିନାକ୍ଷ ଗାଁକୁ ଆସିଲା ପରଠାରୁ କେହି ତାଙ୍କୁ ଡାକୁ ନାହାନ୍ତି । ତାଙ୍କ ପାଖରେ ମାଲି, ମୋକଦ୍ଦମା, କଳି ତକରାଳ ନିଷ୍ପତ୍ତି କରିବା ପାଇଁ କେହି ଗୋଡ଼ଭାଙ୍ଗି ଠିଆ ହେଉ ନାହାନ୍ତି । ନଳିନାକ୍ଷ ତାଙ୍କ ସ୍ଵାର୍ଥରେ ଭୀଷଣ ଆଘାତ ସୃଷ୍ଟି କରିଛି ।

 

ନଳିନାକ୍ଷ ତାଙ୍କର ପ୍ରଧାନ ଶତ୍ରୁ । କାଲିକାର ମେଞ୍ଚଡ଼ା ଟୋକାଟାର କଥାମାନି ଗାଁର ଅଧିକାଂଶ ଲୋକ ଚାଲୁଛନ୍ତି । କାହିଁକି ? କ’ଣ ଦି ଅକ୍ଷର ପାଠ ପଢ଼ିଛି ବୋଲି ! ଗାଁରେ ତାଙ୍କ ବିରୁଦ୍ଧରେ ହୀନ ଅପପ୍ରଚାର ଚାଲିଛି । ସେ କୁଆଡ଼େ ଟାଉଟର ।

 

ଏ ସବୁ ନଳିନାକ୍ଷର ଚକ୍ରାନ୍ତ । ଦେଖିବି, ସେ କେମିତି ମେଲଣ ପଡ଼ିଆରେ ସଭା କରିବ-! ବକ୍ତୃତା ଦେବ !!

 

ପୁଣ୍ଡରୀକାକ୍ଷ ନନ୍ଦକିଶୋର ଉପରେ ବିରକ୍ତ ହେବା ପରିବର୍ତ୍ତେ ନଳିନାକ୍ଷ ଉପରେ ଉତ୍ତେଜିତ ହୋଇ ଉଠିଲେ ।

 

ପୁଣ୍ଡରୀକାକ୍ଷ କହିଲେ–ତମମାନଙ୍କୁ ନଳିନାକ୍ଷ ମତାଇ, ଗାନ୍ଧୀ ମହାତ୍ମା କଥା କହି ଆଗକୁ ଆଗେଇ ଦେଇଛି । ତାକୁ ଆଗ ଆଉ ତତେ ପରେ–ତମ ଦୁହିଁଙ୍କୁ ଜବଦ୍‍ ନ କଲା ପର୍ଯ୍ୟନ୍ତ, ମୋ ମନରେ ଶାନ୍ତି ନାହିଁ ।

 

ନାଗରାବାଲା ସେଇମିତି ଠିଆ ହୋଇ ସେମାନଙ୍କର ଯୁକ୍ତି ଶୁଣୁଛି ।

 

ନନ୍ଦକିଶୋର ପୁଣି ହସି ହସି କହିଲା–ମୋ ଉପରୁ ରାଗିଯାଇ, ପୁଣି ନଳିନାକ୍ଷ ଭାଇଙ୍କ ହାତରେ ପଡ଼ିଲା ଗୋସାପା ? ସେ କ’ଣ ତମର ଅପକାର କଲେ ? ତମ ଆୟରେ ସେ କ’ଣ ବାଧାଦେଲେ କି ଆଉ ?

 

ପୁଣ୍ଡରୀକାକ୍ଷ ପୁଣି ଚିଡ଼ି ଉଠିଲେ । କହିଲେ–ତୁ ଶଳା ସବୁ ଜାଣିଚୁ । ମତେ ଥଟ୍ଟା କରୁଛୁ ନାଇଁ ! ତତେ ତ ଛୁଇଁଲିଣି । ଯେ କୌଣସି ପ୍ରକାରେ ତ ସ୍ନାନ କରିବି । କିନ୍ତୁ ତତେ ନ ବଜେଇ ଆଉ ଫେରିବି ନାହିଁ ।

 

ନନ୍ଦକିଶୋର ମୁହଁରେ ପୁଣି ହସର ଫଲ୍‍ଗୁ ।

 

କହିଲା–ତମ ଟାଉଟରିରେ ବ୍ୟାଘାତ ସୃଷ୍ଟି ହୋଇଛି ବୋଲି ତମ ମନରେ ଭାରି ଦୁଃଖ, ନାଇଁ ? କେତେକାଳ ତମେ ଆଉ ଅନ୍ଧାରରେ ବାଡ଼ି ବୁଲାଇଥାନ୍ତ ଗୋସବାପା ? ଯୁଗ ବଦଳୁଛି । ଲୋକଙ୍କର କୁସଂସ୍କାରର ମଧ୍ୟ ସଂସ୍କାର ଘଟୁଛି । ତମକୁ ଲୋକେ କେତେକାଳ ଆଉ ମାନ ସମ୍ମାନ ଦେଇ ସମାଜପତି, ନ୍ୟାୟପତି ବୋଲି ମାନିଥାନ୍ତେ ? ଗାଁ ଲୋକଙ୍କର ସରଳତାର ସୁଯୋଗ ନେଇ ତମେ ସେମାନଙ୍କୁ କମ୍‍ ଶୋଷଣ କରିନାହଁ ? ତମର ଅର୍ଥଲିପ୍‍ସାର ଅଗ୍ନିପରୀକ୍ଷା ତଳେ, ସେମାନଙ୍କର ଶତ ଅଭିଯୋଗ ଜଳି ପୋଡ଼ି ଧ୍ୱଂସ ହୋଇ ଯାଇଛି । ସେମାନେ ନ୍ୟାୟ ବିଚାର ନ ପାଇ ନିରାଶ ହୋଇ ଫେରି ଯାଇଛନ୍ତି ।

 

ସେମାନଙ୍କୁ ନ୍ୟାୟ ବିଚାର ଦେବାପାଇଁ ନଳିନାକ୍ଷ ଭାଇ ଆଜି ଆଗଭର । ତମଭଳି ଦୁଇ ବିବଦମାନ ଗୋଷ୍ଠୀଙ୍କ ତରଫରୁ ଟଙ୍କା ଆଣି ଖାଇବାର ମନୋବୃତ୍ତି ତାଙ୍କର ନାହିଁ । ତାଙ୍କରି ଗାଁର ଲୋକେ ଭାଇ ଭାଇ ପରି ଚଳିଲେ ସେ ସୁଖୀ ହେବେ । ପରସ୍ପର ଭିତରେ ସ୍ନେହ, ସୌହାର୍ଦ୍ଦ୍ୟ ଓ ଆନ୍ତରିକତା ପ୍ରତିଷ୍ଠିତ ହେଲେ, ତାଙ୍କ ମନ ଆନନ୍ଦରେ ପୁଲକି ଉଠିବ । ତମଭଳି ନ୍ୟସ୍ତସ୍ଵାର୍ଥ ଲୋକେ ଛାଆଁକୁ ଛାଆଁ, ନୀରବରେ ରହିଯିବେ ।

 

ପୁଣ୍ଡରୀକାକ୍ଷ ଆହୁରି ଉତ୍ୟକ୍ତ ହୋଇ ଉଠିଲେ । ରାଗରେ ନନ୍ଦକିଶୋରକୁ ଚାପୁଡ଼ାଏ ମାରିବାକୁ ଯାଉଁ ଯାଉଁ, ସେ ତାଙ୍କ ହାତକୁ ଧରି ପକାଇଲା । କହିଲା–କହିଛି ଗୋସବାପା ତମେ ପାରିବନି । ଆମକୁ ଛୁଇଁଲେ ତମେମାନେ କିପରି ଯେ ଛୁଆଁନ୍ତା ହୁଅ ମୁଁ ବୁଝିପାରୁନି । କେଉଁ ଯୁଗେ, କେଉଁ କାଳେ ଆମେ ଥିଲୁ ଅସ୍ପୃଶ୍ୟ । ଇତର । ଆଜି କିନ୍ତୁ ସେ ଯୁଗ ଓ କାଳ ବଦଳି ଯାଇଛି-। ତମରି ସାଙ୍ଗେ ଟକ୍‍କର ମାରି ଆମେ ବାଟ ଚାଲିବୁ ।

 

ପୁଣ୍ଡରୀକାକ୍ଷ ନନ୍ଦକିଶୋରର ହାତ ମୁଠାରୁ ହାତ କାଢ଼ିନେଇ କହିଲେ–ଆଚ୍ଛା ମୁଁ ଯାଉଛି ଶଳା । ସ୍ନାନ ସାରିବି । ତତେ ଆଉ ତୋ ଗୁରୁ ନଳିନାକ୍ଷକୁ ଦେଖିଲାର କାମ ନ କଲା ପର୍ଯ୍ୟନ୍ତ, ମୋ ମନରେ ଶାନ୍ତି ନାହିଁ । ଏମାନେ ଗାଆଁଟାକୁ ନଷ୍ଟ କରିଦେଲେ ହୋ....

 

ପୁଣ୍ଡରୀକାକ୍ଷ ରାଗ ଓ ଉତ୍ତେଜନାରେ ଜର ଜର ହୋଇ ସେଠାରୁ ଚାଲିଗଲେ ।

 

ନନ୍ଦକିଶୋର ନାଗରାବାଲାକୁ ସାଙ୍ଗରେ ଧରି ଶତପଥି ସାହି ଆଡ଼େ ଆଗେଇଛି । ମନରେ ତା’ର ଆଶା ଓ ଆଶଙ୍କା ଘୋଟି ଘୋଟି ଆସୁଛି । ଶତପଥି ସାହି ଭିତରେ, ପୁଣ୍ଡରୀକାକ୍ଷ ଯଦି ସାହି ଲୋକଙ୍କୁ ଘେରାଇ ତାକୁ ଆକ୍ରମଣ କରେ ତା’ହେଲେ ସେ କ’ଣ କରିବ ? କିପରି ମୁକ୍ତି ପାଇବ ?

 

ପୁଣ୍ଡରୀକାକ୍ଷଙ୍କ ପ୍ରକୃତି ଭଲ ନୁହେଁ । ଯାହାଙ୍କ ବିରୁଦ୍ଧରେ ସେ ଲାଗନ୍ତି, ଅସତ୍‍ ଉପାୟରେ, ଅନ୍ୟାୟରେ ସେ ତାକୁ ତଳି ତଳାନ୍ତ କରନ୍ତି । ଷଡ଼ଯନ୍ତ୍ରର ମାୟାଜାଲ ସୃଷ୍ଟି କରି ତା’ର ପ୍ରତିଶୋଧ ନିଅନ୍ତି । ସେ ଯଦି ପ୍ରତିଶୋଧ ନେବା ଆକାଂକ୍ଷାରେ ସାହି ଲୋକଙ୍କୁ ଘେରାଇ ଦିଏ !

 

ନା, ତାକୁ ଯିବାକୁହିଁ ହେବ । ଅନ୍ୟାୟରେ ସେ ପୁଣ୍ଡରୀକାକ୍ଷଙ୍କୁ ସେ ଅପମାନ ଦେଇନି-। କଟୁ କଥା କହିନି । ସେ ଆସି ତାଙ୍କୁ ପ୍ରତିରୋଧ କଲେ ବୋଲି, ସାହି ଭିତରକୁ ଛାଡ଼ି ଦେବେନି ବୋଲି, ସେ ଏତକ କହିବାକୁ ବାଧ୍ୟ ହେଲା । ନଚେତ୍‍ ସେ ତ ତା’ ବାଟରେ ଆଗେଇ ଯାଇଥାନ୍ତା-

 

ସେ ଅନ୍ୟାୟକୁ ପ୍ରତିରୋଧ କରିବ । ଅନୀତିର ପ୍ରତିବାଦ କରିବ । ଅନୈକ୍ୟ ଭେଦାଭେଦ ଓ ବୈଷମ୍ୟର ବିଲୋପ ସାଧନ ପାଇଁ ପ୍ରାଣପାତ୍‍ ଉଦ୍ୟମ କରିବ । ଯେଉଁମାନେ ଗାଁ ଲୋକଙ୍କର ଅନିଷ୍ଟ ସାଧନ କରିବା ପାଇଁ ଆଗେଇ ଆସିବେ, ସେମାନଙ୍କୁ ମୂଳପୋଛ କରିବା ପାଇଁ କେବେହେଲେ ସେ କାର୍ପଣ୍ୟ ଦେଖାଇବ ନାହିଁ ।

 

ଗାନ୍ଧିଜୀ କହିଛନ୍ତି, ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରି, ଏ ଦେଶରୁ ବ୍ରିଟିସ୍‍ ବାହିନୀକୁ ହଟାଇ ଦେବାକୁ ହେବ । ହିଂସାତ୍ମକ କାଣ୍ଡର ଉନ୍ମତ୍ତ ରହିବ ନାହିଁ । ପ୍ରତିଶୋଧମୂଳକ ଆଚରଣ କେବେହେଲେ ଦେଖାଇବ ନାହିଁ ।

 

ନନ୍ଦକିଶୋର ଚାଲିଛି...

 

ଶତପଥି ସାହିର ତେମୁହାଁଣି ଛକରେ ପୁଣି ବାଜି ଉଠିଲା ନାଗର ଡିବିଡିବି ହୋଇ ।

 

ନନ୍ଦକିଶୋରର ଜ୍ଵାଳାମୟୀ ଭାଷଣ ଅତି ଦୂରରୁ ଶୁଭୁଥିଲା ଅତି ଅସ୍ପଷ୍ଟ ହୋଇ ।

 

ପହଲି ବୈଶାଖର ହିରଣ୍ମୟ ସକାଳ, ଅବତରଣ କରିଥିଲା ପୂରବୀପୁର ଗାଁରେ ।

 

ଲୋକନାଥ ପଟ୍ଟନାୟକ ସକାଳ ସ୍ନାନ ସାରି, ଉଦୟମାନ ବାଳାରୁଣକୁ ଅର୍ଘ୍ୟ ଟେକି ମନ୍ତ୍ର ଜପୁଥିଲେ । ପୂର୍ବ ଆକାଶରେ ଉଠି ଉଠି ଆସୁଥିଲା ବୈଶାଖର ପ୍ରଚଣ୍ଡ, ଉଗ୍ର ମାର୍ତ୍ତଣ୍ଡ । ଆଉ କେତେ ସମୟ ପରେ, ସମଗ୍ର ପୃଥିବୀକୁ ସେଇ ଉତ୍ତପ୍ତ ରଶ୍ମି ଜ୍ୱାଳାରେ, ସେ ଯେପରି ଜାଳି ଦେବ, ପୋଡ଼ି ଦେବ ।

 

ପଟ୍ଟନାୟକ ସୂର୍ଯ୍ୟାର୍ଘ୍ୟ ଦେଇ ଫେରିଲେ । ପକ୍‍କା ବାରଣ୍ଡା ଉପରେ ବିଛା ହୋଇଥିବା ବାଘ ଛାଲ ଉପରେ ବସି, ବଡ଼ ଅସ୍ପଷ୍ଟ ସ୍ୱରରେ ଗୀତା ପଢ଼ିବାରେ ମନଢାଳି ଦେଲେ । ଜୀବନର ସାୟାହ୍ନରେ ଏଇ ଗୀତା ପଢ଼ିବାରେ ତାଙ୍କର ଯେପରି ଏକ ଆନନ୍ଦ ଅଛି । ପରିତୃପ୍ତ ଅଛି । ନ ହେଲେ ଜୀବନଟା ତାଙ୍କର ଅତୃପ୍ତ ଆକାଂକ୍ଷାରେ, ବିଡ଼ମ୍ବିତ କାମନାରେ ପର୍ଯ୍ୟବସିତ ହୋଇଛି ।

 

ଲୋକନାଥଙ୍କ ବାପା ସୁଦର୍ଶନ ପଟ୍ଟନାୟକ । କଟକ ଜିଲ୍ଲାର ଏକ ବିଶିଷ୍ଟ ଜମିଦାର । ହଜାର ହଜାର ଏକର ଜମି । ଖାନ୍‍ଦାନୀ ବୁନିଆଦି । ଶହ ଶହ ମୂଲିଆ । ଗର୍ବ ଓ ଅହଂକାରରେ ସୁଦର୍ଶନ ଫାଟି ପଡ଼ୁଥିଲେ । ତାଙ୍କ ନାଁ ଶୁଣିଲେ ପୂରବିପୁର ଅଞ୍ଚଳର ଲୋକେ ଥରି ଥରି କମ୍ପି ଉଠୁଥିଲେ । ଚଉରାଶି ଖଣ୍ଡ ମୌଜାର ଲୋକେ ତାଙ୍କ ଅତ୍ୟାଚାରରେ ବ୍ୟତିବ୍ୟସ୍ତ ହୋଇ ଉଠିଥିଲେ ।

 

ସେ ଥିଲେ ଭୀଷଣ ଅତ୍ୟାଚାରୀ । ପ୍ରଜାପୀଡ଼କ । କଠୋର । ନିର୍ମମ । ସାମାନ୍ୟ ଅପରାଧରେ ପ୍ରଜାମାନଙ୍କୁ ଚାବୁକ୍‍ ମାଡ଼ ଦେଉଥିଲେ । ଛାତି ଉପରେ ଘୋଡ଼ା ଚଢ଼ାଇ ଦେଉଥିଲେ-। ତାଙ୍କ ନଅରର ପାଚେରୀ ପଟେ, କେହି ଗୀତ ଗାଇ ଜୋତା ପିନ୍ଧି ଯାଉଥିଲେ, ଗୁମାସ୍ତା ଓ ପିଆଦାଙ୍କ ଦ୍ଵାରା ତାଙ୍କୁ ଡକାଇ ଭୀଷଣ ଅପମାନ ଓ ଦଣ୍ଡ ଦେଉଥିଲେ ।

 

ତାଙ୍କରି ଔରସରୁ ତିନି ପୁଅ ଜନ୍ମିଥିଲେ । ଲୋକନାଥ, ଶ୍ରୀନାଥ ଓ ଗୁରୁଦତ୍ତ । ସାନ ପୁଅ ଦୁଇ ଜଣ ମଦ ପିଇ ପିଇ, ତରୁଣ ଜୀବନରେ ବେଶ୍ୟାସକ୍ତ ହୋଇ, ଦୁରାରୋଗ୍ୟ ଗନେରିଆ ଓ ସିପ୍ଳିସରେ ସଢ଼ି ସଢ଼ି ମରିଗଲେ । କେବଳ ସୁଦର୍ଶନଙ୍କର ଯୋଗ୍ୟ ଦାୟାଦରୂପେ ବଞ୍ଚି ରହିଲେ ଜ୍ୟେଷ୍ଠପୁତ୍ର ଲୋକନାଥ ।

 

ବାପାଙ୍କ ମୃତ୍ୟୁପରେ ବିଶାଳ ସମ୍ପତ୍ତିର ମାଲିକ ହେଲେ ଲୋକନାଥ । କିନ୍ତୁ ସୁଦର୍ଶନ ଶେଷ ଜୀବନରେ ଅନେକ ସମ୍ପତ୍ତି ବନ୍ଧକ ପକାଇ ଇରମ୍‍ର ପ୍ରତିଷ୍ଠିତ ଜମିଦାର ପାଢ଼ୀ ବଂଶଙ୍କ ଠାରୁ, ଦାୟରେ ପଡ଼ି ଲକ୍ଷାଧିକ ଟଙ୍କା କରଜ କରିଥିଲେ । ଲୋକନାଥ ସେ ଋଣ କିନ୍ତୁ ଶୁଝି ପାରିଲେନି । ଯାହା ଫଳରେ ମୂଳ ଓ ସୁଧ ମିଶି ଦଶ ବର୍ଷରେ ଦଶ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହେଲା । ଯେଉଁ ସମ୍ପତ୍ତି ବନ୍ଧକ ଦେଇ ସୁଦର୍ଶନ ଋଣ କରିଥିଲେ, ସେ ସମ୍ପତ୍ତି ଲୋକନାଥ ଫେରି ପାଇଲେନି-। ତାଙ୍କ ଜମିଦାରୀର ଅର୍ଦ୍ଧାଧିକ ସମ୍ପତ୍ତି ବାହାରି ଗଲା ।

 

ଲୋକନାଥଙ୍କର ପଞ୍ଚାବନ ବର୍ଷ ଚାଲିଲାଣି । ମାତ୍ର ସେ ଅପୁତ୍ରିକ । ସାତଟି କନ୍ୟା ସନ୍ତାନର ଜନକ ହେବାର ସେ ସୌଭାଗ୍ୟ ଲାଭ କରିଥିଲେ । ଏଇ ସାତଟି କନ୍ୟା ରତ୍ନଙ୍କୁ ବିବାହ ଦେଇ, ତାଙ୍କ ଜମିଦାରୀର ପ୍ରାୟ ସମସ୍ତ ସମ୍ପତ୍ତି ସେ ଯୌତୁକ ଦେବା ଉଦ୍ଦେଶ୍ୟରେ ବିକ୍ରି କରିଦେଇଥିଲେ । ସାତଟି ଝିଅ ପରଘରକୁ ବିବାହ ହୋଇ ଗଲାପରେ, ଘରେ ତାଙ୍କର ସ୍ତ୍ରୀ ଓ ସେ ନିଜେ ଅଛନ୍ତି । ବୁଢ଼ୀ ଚାକରାଣୀଟି ବ୍ୟତୀତ ଅବିକା ତାଙ୍କର କେହି ନାହାନ୍ତି ।

 

ମୋଟ ଉପରେ ଏବେ ତାଙ୍କର ପନ୍ଦର ଏକର ଜମି ଅଛି । ଭାଗ ଚାଷୀମାନେ ଚାଷ କରି ଯାହା ଦେଇ ଯାଆନ୍ତି, ସେଇ ଧାନ ପାଇ ଲୋକନାଥ ଦମ୍ପତି ଦୁଃଖେ ସୁଖେ ବର୍ଷକ ମୁଣ୍ଡ ପିଆଇ ଦିଅନ୍ତି ।

 

ଲୋକନାଥଙ୍କର ଜମିଦାରୀର ଭଗ୍ନାଂଶ ରହି ନ ଥିଲେ ମଧ୍ୟ ନିଜକୁ ଜମିଦାର ରୂପେ ପରିଚୟ ଦେବାକୁ ତାଙ୍କୁ ଖୁବ୍‍ ଗୌରବ ଲାଗେ । ତାଙ୍କ ନାଁ ପୂର୍ବରୁ ଜମିଦାର ଶବ୍ଦ ବ୍ୟବହାର ନ କଲେ, ତାଙ୍କ ମନତଳ ଗଭୀର ଅସନ୍ତୋଷରେ ଭରିଯାଏ ।

 

ତାଙ୍କ ପାଖକୁ କେହି କେବେ ଆସିଲେ, ସେ ତାଙ୍କ ବଂଶର ଗୌରବୋଜ୍ଜ୍ଵଳ ଇତିହାସ ବଖାଣନ୍ତି । ନିଜ ବାପାଙ୍କ ତେଜୋଦୀପ୍ତ, ଗାରିମାମୟ କାହାଣୀ କହି, ନିଜକୁ ଗୌରବାନ୍ୱିତ ମନେ କରନ୍ତି । ଦୁନିଆରେ ସମସ୍ତେ ତାଙ୍କର ପ୍ରଜା ବୋଲି ମଧ୍ୟ ସେ କହିବାକୁ ଛାଡ଼ି ନ ଥାନ୍ତି । ମିଛ ସତ ଯୋଡ଼ି ନିଜକୁ ଖୁବ୍‍ ପ୍ରତିଷ୍ଠିତ ଆସନରେ ଥୋଇବାକୁ ସେ ଭାରି ଇଚ୍ଛା କରନ୍ତି ।

 

ଅଭାବରେ ପଡ଼ି, ଜୀବନର ଶେଷ ପ୍ରାନ୍ତରରେ ସେ ଏବେ ଟାଉଟରି ବ୍ୟବସାୟ ଆରମ୍ଭ କରିଛନ୍ତି । ଏଇ ବ୍ୟବସାୟରେ ପୁଣ୍ଡରୀକାକ୍ଷ ହେଉଛନ୍ତି ତାଙ୍କର ସହଯୋଗୀ, ସହକର୍ମୀ । ତାଙ୍କର କୂଟନୀତି ଓ ପଟ୍ଟନାୟକନଙ୍କର ବୁଦ୍ଧି ଉଭୟ ସମନ୍ୱିତ ହୋଇ ଟାଉଟରି ବ୍ୟବସାୟ ବେଶ୍‍ ଏବେ ଚାଲିଛି ।

 

ଅପୁତ୍ରିକ ଦୋଷରୁ ମୁକ୍ତି ପାଇବା ପାଇଁ, ସେ ଗୀତା ପଢ଼ୁଛନ୍ତି । ଚନ୍ଦନରେ ମସ୍ତକ ତାଙ୍କର ଚର୍ଚ୍ଚିତ ହେଉଛି । ସୂର୍ଯ୍ୟାର୍ଘ୍ୟ ଦେଇ, ଜୀବନର ସମସ୍ତ ପାପ ତାପ, ଗ୍ଳାନି ଓ ଦୋଷ ଦୁର୍ବଳତାରୁ ସେ ଯେପରି ମୁକ୍ତି ପାଆନ୍ତି ବୋଲି ନିଜେ ଅନୁଭବ କରନ୍ତି ।

 

ଗୀତା ପାରାୟଣ ସାରି ତୁଳସୀ ସେବନ କରୁଛନ୍ତି । ମୁଣ୍ଡପାତି ଭଗବାନଙ୍କ ଉଦ୍ଦେଶ୍ୟରେ ପ୍ରଣିପାତ ହେଲେ ।

 

ପୁଣ୍ଡରୀକାକ୍ଷ ଆସି ପହଞ୍ଚିଲେ ।

 

ଲୋକନାଥଙ୍କୁ ଦେଖି କହିଲେ–କ’ଣ ଜମିଦାର ବାବୁ–ସେବା କାମ ସରିଗଲା ନା ଆଉ କିଛି ବାକି ଅଛି ? ତମ ପରି, ତମ ବଂଶର କେହି ଧାର୍ମିକ ନଥିଲେ ବାବୁ । ତମେ ଯେପରି ଭଗବାନଙ୍କର ଏକନିଷ୍ଠ ଭକ୍ତ । ସାଧକ । ଉପାସକ । ଭଗବାନ ସିନା ତୁମକୁ ଅପୁତ୍ରିକ କରିଦେଲେ, ନହେଲେ କେଉଁ କଥାରେ ତମର ଅଭାବ ଅଛି ?

 

ଲୋକନାଥ ନିଜର ପ୍ରଶଂସା ଶୁଣି ଉଲ୍ଲସିତ ହୋଇ ଉଠିଲେ । ତାଙ୍କର ଯାହା ନାହିଁ, ସେ ଯାହା ନୁହଁନ୍ତି, ତାହା ତାଙ୍କର ଅଛି ଓ ସେ ସେହିପରି କହିଲେ ଦେହରେ ତାଙ୍କର ପୁଲକ ଜାଗେ । ତୋଷାମଦ ଓ ଚାଟୁକ୍ତିର ବାଣୀ ଶୁଣାଇଲେ ସେ ଅଖିଆ ଅପିଆ ରହି, ସେଇ କଥା ଶୁଣୁଥିବେ ।

 

ପୁଣ୍ଡରୀକାକ୍ଷଙ୍କର ପ୍ରଶସ୍ତି ଶୁଣି, ଆଜି ଦାନ୍ତରେ ମରାହୋଇଥିବା ସୁନା ଖିଲଟାକୁ ବାହାରକୁ ଦେଖାଇ ସେ ଏକ ପାଣିଚିଆ ହସର ଲହଡ଼ି ଖେଳାଇଲେ । କହିଲେ–ହଁ, ଗୋସେଇଁ ସରି ଗଲାଣି । ଆସ ଉପରକୁ ଆସ । ଆଜି ଖୁବ୍‍ ବେଳୁଁସୁ ଆମ ଆଡ଼ିକି ଗଡ଼ି ପଡ଼ିଲ ଯେ ।

 

ପୁଣ୍ଡରୀକାକ୍ଷ ଆସ୍ତେ ଆସ୍ତେ ପଥର ପାହାଚ ଉପରକୁ ଉଠିଲେ । କେଉଁ କାଳର ପଥର ପାହାଚ ସେ ! ପାହାଚର ସନ୍ଧିରେ ଘାସ ଉଠିଲାଣି । ତିରିଶି ବର୍ଷ ଧରି ପଟ୍ଟନାୟକଙ୍କ ଘର ଧଉଳା ଯାଇନାହିଁ । ଠାଏ ଠାଏ ଶିଉଳି ଜମି ଯାଇଛି । ଠାଏ ଠାଏ ଫାଟି ମଧ୍ୟ ଗଲାଣି । ନାଲି ରଙ୍ଗର ଇଟା ବାହାରକୁ ପରିଷ୍କାର ଦେଖା ଯାଉଛି ।

 

ପଥର ପାହାଚ ଅତିକ୍ରମ କରି ପୁଣ୍ଡରୀକାକ୍ଷ ଲୋକନାଥଙ୍କ ବାରଣ୍ଡାକୁ ଉଠିଲେ । ସିମେଣ୍ଟ ଚଟାଣର ବାରଣ୍ଡା ଅନେକ ସ୍ଥାନରେ ଫାଟି ଆଁ କରିଛି । କେଉଁଠି କେମିତି ଖାଲୁଆ ଖାବୁରା ମଧ୍ୟ ହୋଇ ଯାଇଛି ।

 

ଲୋକନାଥ ଉଠିପଡ଼ି ପୁଣ୍ଡରୀକାକ୍ଷଙ୍କୁ ବାଘ ଚର୍ମର ଆସନଟି ଦେଇ ନିଜେ ତଳେ ବସି ପଡ଼ିଲେ । ପୁଣ୍ଡରୀକାକ୍ଷ ତାଙ୍କର ପୁରୋହିତ । ତାଙ୍କୁ ମାନମର୍ଯ୍ୟାଦା ନ ଦେଖାଇବେ ବା କିପରି ? ତା’ଛଡ଼ା ସେ ତାଙ୍କର ପରାମର୍ଶଦାତା । ଜୀବନର ସନ୍ଧ୍ୟାରେ, ପୁଣ୍ଡରୀକାକ୍ଷଙ୍କ ବ୍ୟବସାୟକୁ ବିନା କୁଣ୍ଠାରେ ସେ ଗ୍ରହଣ କରି ନେଇଛନ୍ତି । ଅନ୍ତରର ନିଭୃତ କୋଣରେ, ସେଥିପାଇଁ, ତାଙ୍କର ପୁଣ୍ଡରୀକାକ୍ଷଙ୍କ ପ୍ରତି କୃତଜ୍ଞତା ଖେଳି ଖେଳି ବୁଲୁଛି ।

 

ଲୋକନାଥ କହିଲେ–କ’ଣ ଖବର କକେଇ ? ଏଡ଼େ ସଅଳ ତମେ ଆସିଯିବ ବୋଲି ମୋର ଧାରଣା ନଥିଲା । ମୁଁ ତ ଚା’ ଖାଇ ତମଆଡ଼େ ଯିବି ବୋଲି ଠିକ୍‍ କରିଥିଲି । ଆଲୋ ହେ ପାର–ଗୋସେଇଁ ଆସିଛନ୍ତି । ତାଙ୍କ ପାଇଁ ଚା’ ବସା ।

 

ପୁଣ୍ଡରୀକାକ୍ଷ କହିଲେ–ଚା’ ମୋର ଦରକାର ନାହିଁ ଲୋକନାଥବାବୁ । ଏକ ଜରୁରୀ କାର୍ଯ୍ୟରେ ତମ ପାଖକୁ ଆସିଛି । ସେ କାମଟା ଯଦି ଆମେ ନ କରି ପାରିବା, ତା’ହେଲେ ଏ ଗାଁରେ ଆମର ଆଉ ପ୍ରତିପତ୍ତି ରହିବ ନାହିଁ ।

 

ଲୋକନାଥ ଉଦ୍‍ଗ୍ରୀବ ହୋଇ ଛାହିଁ ରହିଲେ ପୁଣ୍ଡରୀକାକ୍ଷଙ୍କ ଆଡ଼େ । ପୁଣ୍ଡରୀକାକ୍ଷ କହିଲେ–ଶଶୀ ଦକ୍ଷିଣରାୟଙ୍କ ପୁଅ ନଳିନାକ୍ଷ, ଆମକୁ ଏ ଗାଁରେ ରଖାଇ ଦେବନି ବାବୁ । ଗାଁକୁ ଫେରିଲା ଦିନଠାରୁ ଆମ ବିରୁଦ୍ଧରେ ରୀତିମତ ସେ ଏକ ଷଡ଼ଯନ୍ତ୍ର ଆରମ୍ଭ କରିଛି । ନିରୀହ ପାଣ କଣ୍ଡରାଙ୍କୁ ମତାଇ, ଦେଶ ସ୍ଵାଧୀନ କରିବା ପାଇଁ ହୁଙ୍କାର ଛାଡ଼ିଛି ।

 

ଯାହା କଲା ବାବୁ ଯାହା କଲା, ଆମ ବ୍ୟବସାୟରେ ମଧ୍ୟ ପାଉଁଶ ପକାଇଲା । ମାଲି ମୋକଦ୍ଦମାରେ, କଳି ତକରାଳରେ ଆମକୁ ଯେଉଁମାନେ ନିଷ୍ପତ୍ତି କରିବାକୁ ଡାକୁଥିଲେ, ଆଜି ସେମାନେ ତାରି ପାଖକୁ ଦୌଡ଼ୁଛନ୍ତି । ତାରି ନିଷ୍ପତ୍ତିକୁ ମଧ୍ୟ ଅଙ୍ଗୀକାର କରୁଛନ୍ତି ।

 

ପାଣସାହିର ଲୋକେ ଆଉ କ’ଣ ମଣିଷ ମାନୁଛନ୍ତି ? ନନ୍ଦିଆଟା, ଯେଉଁଟା କୁଆଡ଼େ କେଉଁ ଗାଁରେ ଯାଇ ମାଷ୍ଟିରି ଚାକିରି କରୁଥିଲା, ସିଏ ବି ଆସି ନଳିନାକ୍ଷର ଶିଷ୍ୟ ସାଜିଛି । ତା’ ମୁହଁରେ କ’ଣ କଥା କହି ହେଉଛି ! ଦି ଅକ୍ଷର ପାଠ ପଢ଼ିଲେ ବୋଲି ଆମକୁ କ’ଣ ଏମାନେ ମାନିବେନି ଲୋକନାଥବାବୁ ?

 

ଏଇ ବୁଧବାର ଦିନ ମେଲଣ ପଡ଼ିଆରେ ତାଙ୍କର କୁଆଡ଼େ ଖୁବ୍‍ ବଡ଼ ଧରଣର ଏକ ସଭା ହେବ । ବଡ଼ ବଡ଼ ନେତାମାନେ ସେ ସଭାକୁ ଆସିବେ ବୋଲି ସବୁ ଗାଁରେ ନାଗରା ବାଡ଼େଇ ନନ୍ଦକିଶୋର ପ୍ରଚାର କରିଛି । ଏ କି କଥା ବାବୁ ! ସୁଦର୍ଶନ ପଟ୍ଟନାୟକେ ଆଜି ଯଦି ବଞ୍ଚି ଥାଆନ୍ତେ, ତା’ହେଲେ ପାଣସାହି ଭିତରେ ପଶି ନିର୍ଘାତ ଭାବରେ ଘୋଡ଼ା ଚାବୁକରେ ପ୍ରହାର କରୁଥାନ୍ତେ ।

 

ଲୋକନାଥଙ୍କ ପାଚିଲା ନିଶ ଥରି ଉଠିଲା । ନିଜ ପିତାଙ୍କର କରଣୀର କାହାଣୀ ଶୁଣି, ସେଇ ଭାବରେ ସେ ଉଦ୍‍ବୁଦ୍ଧ ହେଲେ ।

 

କହିଲେ–ମୁଁ ଜାଣିଛି, କକେଇ ସବୁ । ନଳିନାକ୍ଷ ଟୋକାଟାକୁ କିଭଳି ଆମେ ଜବତ୍‍ କରିବା, ଶିକ୍ଷିତ ପିଲା ସେ ! ଅନ୍ୟାୟ ଆଉ ଅନୀତି ଭିତରକୁ ସେ କେବେହେଲେ ପ୍ରବେଶ କରେନାହିଁ । ତା’ର ସିନା ଭୁଲ୍‍ ଭ୍ରାନ୍ତି ଦେଖିଲେ, ଦୋଷ ତ୍ରୁଟି ନଜରରେ ପଡ଼ିଲେ, ଆମେ ତାକୁ ଲଣ୍ଡଭଣ୍ଡ କରେଇ ଦିଅନ୍ତେ ।

 

ପୁଣ୍ଡରୀକାକ୍ଷ କହିଲା–ସେ ନଳିନାକ୍ଷ କଥା କହନି ବାବୁ । ପାଣସାହିରେ ଗାନ୍ଧୀ ସେବାଶ୍ରମ କରି, ପାଣ ଜାତିଟାକୁ ପୂରାପୂରି ତତେଇ ଦେଇଛି । ଏହି ପାଣ ଜାତିଟା ଯେମିତି ଭାରତ ଦେଶକୁ ସ୍ଵାଧୀନ କରିବେ । ଏଡ଼ିକି ମୂର୍ଖ ନଳିନାକ୍ଷ । ପାଠ ସିନା ଥୋଡ଼େ ପଢ଼ି ଯାଇଛି, ହେଲେ ତା’ର କ’ଣ ସାଧାରଣ ଜ୍ଞାନ ନାହିଁ ।

 

ପଟ୍ଟନାୟକ କହିଲେ–ହଁ ହେ କକେଇ, ମୋ ମୂଲିଆ ନେତରା କେମିତି ସ୍ଵାଧୀନତା ପାଇଁ କାମ ଦାମ ଛାଡ଼ି, ତା’ ସାଙ୍ଗରେ ବୁଲୁଛି ଦେଖୁନା ? ନଳିନାକ୍ଷ ଏ ଗାଁଟାକୁ ଖରାପ କରି ଦେଇଛି କକେଇ । ପାଣ କଣ୍ଡରା ଜାତିଟା ଯେମିତି ତାତି ଉଠିଲେଣି, ସେମାନଙ୍କୁ ସହଜରେ ଆଉ ଦମନ କରିହେବ ନାହିଁ ।

 

ପୁଣ୍ଡରୀକାକ୍ଷ ଶୁଖିଲା ହସ ହସି କହିଲେ–କ’ଣ କହୁଛ ତମେ ଲୋକନାଥ ବାବୁ ? ସୁଦର୍ଶନ ପଟ୍ଟନାୟକଙ୍କ ଛୁଆ ହୋଇ ତମ ମୁହଁରେ ଏ କି ଦୁର୍ବଳତାର ଭାଷା ? ପାଣ କଣ୍ଡରା ଗୋଟେ ଜାତି ! ସେମାନଙ୍କୁ ସହଜରେ ପୁଣି ଦମନ କରିହେବ ନାହିଁ । ସିଂହର ରକ୍ତ ତମ ଦେହରେ ବହୁନି ବାବୁ ! ସୁଦର୍ଶନ ପଟ୍ଟନାୟକ ବଞ୍ଚିଥିଲେ, ଏତେବେଳକୁ ବାରଣ୍ଡା ତଳକୁ କୁଦି ପଡ଼ନ୍ତେଣି ! ତମେ ତାଙ୍କର ବଡ଼ ପୁଅ । ତମ ମୁହଁରେ ଏ କି ଭୀରୁତାର ଭାଷା ?

 

ଲୋକନାଥ ପୁଣି ଉଦ୍‍ବୁଦ୍ଧ ହେଲେ । ନଳିନାକ୍ଷକୁ ଜବତ୍‍ କରିବା ପାଇଁ ମନ ଭିତରେ ତାଙ୍କର ନାନା ପ୍ରତିକ୍ରିୟା ସୃଷ୍ଟି ହେଲା । ତାକୁ କେମିତି ସେ ଜବଦ୍‍ କରିବେ ? ତାକୁ ସିନା ଜବତ୍‍ କଲେ ହରିଜନ, ପତିତ ଜାତିଟା ଆପଣା ଛାଏଁ ଲାଙ୍ଗୁଡ଼ ଗୁଞ୍ଜି, ପୁଣି ତାଙ୍କର ପୁରୁଣା ବାଟରେ ଚାଲିବେ ।

 

ରୀତିମତ ଷଡ଼ଯନ୍ତ୍ର କରିବାକୁ, ମିଛ ସତ ଯୋଡ଼ି ଏମାନଙ୍କ ବିରୁଦ୍ଧରେ ଅପପ୍ରଚାର କରିବାକୁ ହେବ ।

 

ଲୋକନାଥ ଏଇଭଳି ଭାବିବାରେ ଲାଗିଛନ୍ତି । ପୁଣ୍ଡରୀକାକ୍ଷ କହିଲେ–ଗୋଟିଏ କଥା ମତେ ଭଲ ଦିଶୁଛି ଲୋକନାଥ ବାବୁ ! ସେଇ କଥାଟା କଲେ ନା, ପୁଅ ମନ ଘର ଧରି ଯାଅନ୍ତା ।

 

ଲୋକନାଥ କହିଲେ–କ’ଣ ଦିଶୁଛି କହ ?

 

ପୁଣ୍ଡରୀକାକ୍ଷ କହିଲେ–ନଳିନାକ୍ଷକୁ ନିଆଁପାଣି ଅଟକ କଲେ ଆପେ ଆପେ ସେ ଭାଙ୍ଗି ପଡ଼ିବ । ତମ ସାହିରେ ତମେ ବନ୍ଦ କର । ଆମ ସାହିରେ ମୁଁ ମଧ୍ୟ ବନ୍ଦ କରିଦେବି । ଗୁଣନିଧି ବାବୁଙ୍କ ପାଖକୁ ଯାଇ, ତାଙ୍କ ସହ କଥାବାର୍ତ୍ତା କରି ନିଆଁପାଣି ବନ୍ଦ କଲାପରେ, ଆଉ ଯାହା କରିବାର କଥା, ସେ ପର୍ଯ୍ୟାୟ ଆରମ୍ଭ କରିଦେବା ।

 

ଲୋକନାଥ କହିଲେ–ଏହା କରିବା ପୂର୍ବରୁ ନଳିନାକ୍ଷର ମାଆକୁ ପଦେ ପଚାରିଲେ ଖୁବ୍‍ ଭଲ ହେବ । ଆମ କଥାରେ ତା’ ମାଆ ଯଦି ରାଜି ହୋଇଯାଏ, ତା’ହେଲେ ଭଲ କଥା । ଯଦି ରାଜି ନ ହୁଏ, ତା’ହେଲେ ଆମେ ନିଆଁପାଣି ବନ୍ଦ କରିବାକୁ ବାଧ୍ୟ ହେବା ।

 

ପୁଣ୍ଡରୀକାକ୍ଷ କହିଲେ–ନଳିନାକ୍ଷର ମାଆ ପାଖକୁ କିଏ ଯିବ ? ମୁଁ କିନ୍ତୁ ଯାଇ ପାରିବିନି ବାବୁ । ମୋତେ ଦେଖିଲେ ନଳିନାକ୍ଷ ଆଉ ତା’ର ସେଇ ଯେଉଁ ଭଉଣୀ ନୀଳିମା, ଉଭୟେ ଚିଡ଼ି ଉଠୁଛନ୍ତି । ତାଙ୍କ ଘରକୁ ଗଲେ ମତେ ଯଦି ଅପମାନ କରି କହିବେ, ମୁଁ ସହି ପାରିବିନି ।

 

ଲୋକନାଥ କହିଲେ–ତମେ କିଛି ଚିନ୍ତା କରନି କକେଇ । ନଳିନାକ୍ଷର ମାଆ ପାଖକୁ ମୁଁ ଯିବି । ତା’ ପୁଅକୁ ଏସବୁ ଘଟଣାରୁ ନିବର୍ତ୍ତାଇବା ପାଇଁ ତାକୁ କହିବି । ମେଞ୍ଚଡ଼ ଟୋକା ଖଣ୍ଡକ ଯଦି ପାଣ କାଣ୍ଡରାଙ୍କ ସଙ୍ଗେ ମିଶି ସେମାନଙ୍କ ମୁହଁ ବଢ଼ାଇ ଦେବ, ଆମେ ତାକୁ ସମାଜରୁ ବାସନ୍ଦ କରିବୁ ।

 

ପୁଣ୍ଡରୀକାକ୍ଷ କହିଲେ–ଶୁଣ ବାବୁ–ତାକୁ କହିବ, ତା’ ପୁଅକୁ ଯଦି ସେ ସମ୍ଭାଳି ନରଖେ, ପଛେ ସେ ଆଉ ଆମକୁ ଦୋଷ ଦେବେନି । ବ୍ରିଟିସ୍‍ ସରକାର ବିରୁଦ୍ଧରେ ସେ ଲାଗୁଛି । ଆମ୍ଭମାନଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରି ଗାଁ ଲୋକଙ୍କୁ ମତାଉଛି । ଲୁଣିଆରେ ଗୁଳିଫଏର ହେଲା ପରି, ଏଇ ବୁଧବାର ଦିନ ସଭାରେ ଯଦି ଗୁଳିକାଣ୍ଡ ଘଟିଯିବ, ଦକ୍ଷିଣରାୟଙ୍କର ଏକମାତ୍ର ପୁଅ, ଆଶାଭରସାର ସ୍ଥଳ ନଳିନାକ୍ଷ, ସେଇ ମେଲଣ ପଡ଼ିଆରେ ଟଳି ପଡ଼ିବ । ଏଇ କଥାଟା ଚେତେଇ ଦେଲେ ବାବୁ, ନାରୀ ହୃଦୟ ତା’ର ଭାରାକ୍ରାନ୍ତ ହୋଇ ଉଠିବ । ଜନନୀ ପ୍ରାଣ ତା’ର କାନ୍ଦି ଉଠିବ ।

 

ଲୋକନାଥ କହିଲେ–ଆଜି ସନ୍ଧ୍ୟା ବେଳକୁ ମୁଁ ତାଙ୍କ ଘରକୁ ଯିବି କକେଇ । ତମେ ନିଶ୍ଚିନ୍ତ ରହ ।

 

ପୁଣ୍ଡରୀକାକ୍ଷଙ୍କ ମନ ତଳେ ପ୍ରତିହିଂସାର ଉଜାଣି ଶାନ୍ତ ପଡ଼ି ପଡ଼ି ଆସୁଛି । ନଳିନାକ୍ଷକୁ ଜବତ୍‍ ନ କଲେ, ତାଙ୍କର କାମ ଯେପରି ଅସମାପ୍ତ ରହିଯିବ । ଅସମ୍ପୂର୍ଣ୍ଣ ରହିଯିବ । ତାଙ୍କ ମାମଲତ୍‍କାରୀର ସବୁ ମାରପେଞ୍ଚ ଏଇ ନଳିନାକ୍ଷ ପାଇଁ ଏବେ ଅଚଳ ହୋଇ ଯାଉଛି । ଯେଉଁ ଅଛବ, ଅସ୍ପୃଶ୍ୟ ଜାତିଟା ତାଙ୍କ ନାଁ ଶୁଣିଲେ ଥରି ଉଠନ୍ତି, ସେମାନେ ତାଙ୍କ ମୁହଁରେ ଜବାବ୍‍ ଦେଇ ମାରିବାକୁ ଧପାଇ ଆସୁଛନ୍ତି । ନାଁ, ସେ ନଳିନାକ୍ଷକୁ ଦେଖିନେବେ । ତାଙ୍କ ସର୍ବନାଶୀ ବୁଦ୍ଧିର ମାୟାଜାଲ ବିସ୍ତାର କରିବେ । କଳେ, ବଳେ, କୌଶଳେ ନଳିନାକ୍ଷକୁ ଦାବନ ନ ଦେଲେ, ଏ ଗାଁରୁ ପ୍ରତିପତ୍ତି ତାଙ୍କର ମଉଳି ପଡ଼ିବ ।

 

ସେ କହିଲେ–ମୁଁ ଯାଉଛି ଏଇନେ ଲୋକନାଥ ବାବୁ । ରାତିକି ପୁଣି ତମ ପାଖକୁ ଆସିବି । ସନ୍ଧ୍ୟାବେଳେ ନଳିନାକ୍ଷର ମା ପାଖକୁ ଯାଇ ତା’ର ମତାମତ ଆଣିଲେ, ସେଇ ଅନୁସାରେ ଆମେ କାମ କରିବା ।

 

ପୁଣ୍ଡରୀକାକ୍ଷ ଚାଲିଗଲେ । ଲୋକନାଥ ଚାହିଁ ରହିଥିଲେ ତାଙ୍କ ଯିବା ବାଟକୁ । ସେତେବେଳକୁ ବୈଶାଖୀ ସୂର୍ଯ୍ୟ ପ୍ରଚଣ୍ଡ ରୂପ ଧରି ଆକାଶର ରଙ୍ଗମଞ୍ଚରେ ଓଲ୍ଲାଇ ଆସୁଥିଲେ ।

 

ଲୋକନାଥ ବାଘ ଚର୍ମ ଧରି ନିଜ ଘର ଭିତରକୁ ଗଲେ ।

 

ବୈଶାଖୀ ସଞ୍ଜ ନଇଁ ଆସିଲାଣି । ଦିବସର ଉତ୍ତାପ ଧୀରେ ଧୀରେ ହ୍ରାସ ପାଉଛି । ବୈଶାଖୀ ରୌଦ୍ରରେ ପୂରବୀପୁର ଗାଁ ସତେ ଯେପରି ରୁଦ୍ଧଶ୍ଵାସ ହୋଇ ପଡ଼ିଥିଲା । ସଞ୍ଜୁଆ ପବନର ତାଳେ ତାଳେ ଘର୍ମାକ୍ତ ପୂରବୀପୁର ଗାଁ ନିଶ୍ଵାସ ମାରି ଦେହରୁ ସତେ ଯେପରି ଝାଳ ପୋଛିବାରେ ଲାଗିଛି ।

 

ଆକାଶରେ ତୃତୀୟା ଜହ୍ନର କ୍ଷୀଣ ହସ । ଅସୁମାରି ତାରକା, ଆକାଶ ଦର୍ପଣରେ ମୁହଁ ଦେଖାଇ ହସୁଥିଲେ ।

 

ଲୋକନାଥ ଚାଲିଛନ୍ତି ଦକ୍ଷିଣରାୟଙ୍କ ଘରକୁ । ଆଜି ସେ ନିଶ୍ଚୟ ଫଏସଲା କରିବେ । ନଳିନାକ୍ଷ ବିଷୟରେ କିଛି ଗୋଟାଏ ନିଷ୍ପତ୍ତି ନ କଲେ, ଏ ଗାଁରେ ତାଙ୍କର ମାନ ସମ୍ମାନ ରହିବ ନାହିଁ । ବ୍ୟବସାୟରେ ଚରମ କ୍ଷତି ହେବ । ଗାଁ ଲୋକ ଗୁଡ଼ାକର ତାଙ୍କ ପ୍ରତି ଯେଉଁ ଭୟ ମିଶା ସମ୍ମାନ ରହିଛି, ତାହା ମଧ୍ୟ ଉଭାଇ ଯିବ ।

 

ଜୀବନର ଶେଷ ପର୍ଯ୍ୟାୟରେ, ଜମିଦାର ବଂଶର ଶେଷ ଦାୟାଦରୂପେ ଗରିବ ହୋଇ ମଧ୍ୟ, ଗାଁରେ ତାଙ୍କର ଯେଉଁ ପ୍ରତିପତ୍ତି ରହିଛି, ସେ ପ୍ରତିପତ୍ତି ଉପରେ ଆକ୍ରମଣ ହେଲେ, ସେ ବରଦାସ୍ତ କରିବେ କିପରି ? ତାଙ୍କର ପ୍ରତିପତ୍ତିକୁ ଯେ କେହି ଆକ୍ରମଣ କରିବେ, ସେ ତା’ର ପ୍ରତିରୋଧ କରିବେ । କ୍ଷୟିଷ୍ଣୁ ସାମନ୍ତବାଦ ଲୋପ ପାଇ ଯାହା କିଛି ଅବଶିଷ୍ଟାଂଶ ରହିଛି, ଜମିଦାରୀର ବୈଭବ ସବୁ ଯାଇ ମୁମୂର୍ଷୁ, ମରଣାନ୍ତକ ଓ ଲିଭି ଆସୁଥିବା ଦୀପଶିଖା ଭଳି ଯେଉଁ ଜମିଦାରୀ ଖଣ୍ଡକ ତାଙ୍କର ଅଛି, ତା’ ଯଦି କାହାଦ୍ୱାରା ଅତ୍ୟାଚାରିତ ହୋଇ ଭୂଲୁଣ୍ଠିତ ହୁଏ, ସେ ତାହାହେଲେ ନୀରବ ରହିବେ କିପରି ? ସେ ତାଙ୍କ ଜୀବନର ସମସ୍ତ ରକ୍ତ ଦେଇ ପ୍ରତିରୋଧ କରିବେ । ବିରୋଧ କରିବେ ।

 

ନଳିନାକ୍ଷକୁ ବିରୋଧ କଲେ କ’ଣ ସେ ପାରିବେ ? ଉଚ୍ଚ ଶିକ୍ଷିତ ଯୁବକ ସେ ! କାହାରି ପ୍ରତି ହିଂସା ନାହିଁ । ଘୃଣା ନାହିଁ । ସମଗ୍ର ଗାଁର ଉନ୍ନତି ପାଇଁ ହୃଦୟ ତା’ର ମେଦୁରିତ । ଦକ୍ଷିଣରାୟଙ୍କ ପୁଅ ପୁଣି ! ଦକ୍ଷିଣରାୟ କେବେହେଲେ କାହାରି ଅନିଷ୍ଟ କରି ନାହାନ୍ତି । ନଳିନାକ୍ଷ ପରି ସେ ମଧ୍ୟ ଥିଲେ ଦୃଢ଼, ପ୍ରତିଜ୍ଞାବଦ୍ଧ । ତାଙ୍କର ସ୍ତ୍ରୀ ରାଧାମଣି ଦେବୀ ଠିକ୍‍ ସ୍ଵାମୀ ପରି । ପୂରବୀପୁର ଗାଁରେ ଅନେକ ସ୍ତ୍ରୀଲୋକଙ୍କ ନାମରେ ଅନେକ କଥା ଶୁଣାଯାଇଛି । କିନ୍ତୁ ରାଧାମଣିଙ୍କନାମରେ କେବେହେଲେ କୌଣସି ବିଷୟ ଶୁଣାଯାଇ ନାହିଁ । ଦକ୍ଷିଣରାୟ ବଂଶଟା ଭିତରେ ଯେପରି ଗୁରୁଗମ୍ଭୀରତା ଅତି ଗୋପନରେ ରାଜତ୍ୱ କରି ରହିଛି । ସମସ୍ତେ ନୀତିବାନ୍‍, ପରୋପକାରୀ । ହିଂସା, ଷଡ଼ଯନ୍ତ୍ର ସେମାନଙ୍କ ହୃଦୟକୁ ତିଳେ ହେଲେ ସ୍ପର୍ଶ କରିନାହିଁ ।

 

ଲୋକନାଥ ଭାବୁଛନ୍ତି, ଆଜି କିପରି ରାଧାମଣିଙ୍କ ନିକଟରେ ତାଙ୍କ ପୁଅ ବିରୁଦ୍ଧରେ କଥା ପକାଇବେ ? ସେ ଯଦି ନଳିନାକ୍ଷର କଥାକୁ ସମର୍ଥନ କରି ତାଙ୍କୁ ଘଉଡ଼ାଇ ଦିଅନ୍ତି, ତା’ହେଲେ ସବୁ ସରିଯିବ । ଅପମାନରେ ଜଳି ପୋଡ଼ି ସେ ଫେରିଯିବେ । ଏଇ ଅପମାନର କଥା ଶୁଣିଲେ ପୁଣ୍ଡରୀକାକ୍ଷ ଉତ୍ତେଜିତ ହୋଇ ଉଠିବେ । ନଳିନାକ୍ଷ ପରିବାର ବିରୁଦ୍ଧରେ ନାନା ଅବାଞ୍ଛିତ, ଅସ୍ୱାସ୍ଥ୍ୟକର ଯୋଜନା ତିଆରି କରିବା ପାଇଁ ସେ ପରାମର୍ଶ ଦେବେ । କ୍ଷତି କ’ଣ ? ଦକ୍ଷିଣରାୟ ଭାଇଙ୍କ ସ୍ତ୍ରୀ ଯଦି ତାଙ୍କ କଥା ନ ମାନିବେ, ଗ୍ରହଣ ନ କରିବ, ତା’ହେଲେ ତାଙ୍କ ପରିବାର ବିରୁଦ୍ଧରେ ଷଢ଼ଯନ୍ତ୍ର ହେଲେ, କିଛି କ୍ଷତି ନାହିଁ ।

 

ଲୋକନାଥ ଦକ୍ଷିଣରାୟଙ୍କ ଘର ପାଖରେ ପହଞ୍ଚି ପଥର ପାହାଚରେ ଚଢ଼ିବାକୁ ଆରମ୍ଭ କଲେ । ଦକ୍ଷିଣରାୟ ବଞ୍ଚିଥିଲା ବେଳେ, ସେ ଅନେକ ଥର ଏ ଘରକୁ ଆସିଛନ୍ତି । ଘଣ୍ଟା ଘଣ୍ଟା ବସି ଦକ୍ଷିଣରାୟ ଭାଇଙ୍କ ସଙ୍ଗେ ଆଳାପ କରି ଫେରିଛନ୍ତି । ଆଜି କିନ୍ତୁ ସେଇ ପାହାଚ ଉପରକୁ ଉଠିଲା ବେଳକୁ, ତାଙ୍କୁ ଅଲଗା ଅଲଗା ବୋଧ ହେଉଛି । ସେ ଯେପରି ଅସ୍ୱାଭାବିକ ଅନୁଭବ କରୁଛନ୍ତି । କାହଁକି ?

 

ସେତେବେଳେ ସେ ଥିଲେ ଦକ୍ଷିଣରାୟଙ୍କ ବିଶ୍ଵସ୍ତ । ଚକ ଘୂରି ଯାଇଛି, ସମୟ ଗଡ଼ି ଯାଇଛି । ସେ ମରି ଯାଇଛନ୍ତି । ବଞ୍ଚିଥିଲା ବେଳେ ତାଙ୍କ ପରିବାର ପ୍ରତି ସେ ଥିଲେ ଦରଦୀ, ସହାନୁଭୂତିଶୀଳ । ଦକ୍ଷିଣରାୟ ଭାଇଙ୍କ ଦେହ ଖରାପ ହେଉଥିଲେ, ସେ ଡାକ୍ତର ଡାକିବା ପାଇଁ ଯାଉଥିଲେ । କି କି ଔଷଧ, କେତେବେଳେ ଖାଇବାକୁ ହେବ, ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସେ ତାହା ତାଙ୍କ ହାତକୁ ବଢ଼ାଇ ଦେଉଥିଲେ ।

 

ଦକ୍ଷିଣରାୟ ମଲା ଦିନଠାରୁ ତାଙ୍କ ଘର ସହିତ ଲୋକନାଥଙ୍କର ସମ୍ପର୍କ ଅବଶ୍ୟ ଛିଡ଼ି ଯାଇଛି । ନହେଲେ ସେ ପରିବାର ସହିତ ତାଙ୍କର ସୌହାର୍ଦ୍ଦ୍ୟ ଥିଲା । ଭାଉଜଙ୍କ ସହିତ ବେଶ୍‍ ଚିହ୍ନା ପରିଚୟ ମଧ୍ୟ ଘଟିଥିଲା । ଆଜି ଯେତେବେଳେ ସେଇ ଭାଉଜଙ୍କ ପାଖରେ ନଳିନାକ୍ଷକୁ ନିଆଁପାଣି ବନ୍ଦ କରିବା ପାଇଁ ପ୍ରଶ୍ନ ଉଠାଇବେ, ସେ କ’ଣ ଭାବିବେ ? କହିବେ ସୁବିଧାବାଦୀ । ସ୍ଵାମୀ ମରିଗଲା ପରେ, ଗାଁର କୁଚକ୍ରୀ ଲୋକେ ରୁଣ୍ଡ ହୋଇ ତାଙ୍କ ଉପରେ ପ୍ରତିଶୋଧ ନେବାକୁ ଟାକି ବସିଛନ୍ତି । ସେଇ କୁଚକ୍ରୀ ଦଳରୁ ସେ ମଧ୍ୟ ବାଦ୍‍ ଯିବେ ନାହିଁ ।

 

ଲୋକନାଥ ପାହାଚକୁ ଚଢ଼ୁ ଚଢ଼ୁ ଏଇଭଳି ଚିନ୍ତା କରୁଥିଲେ, ଏଇମିତି ଭାବି ଭାବି କବାଟରେ ଜଞ୍ଜିରଟାକୁ ବାଡ଼େଇବାରେ ଲାଗିଲେ ।

 

କ୍ରମାଗତ ଭାବରେ କବାଟ ବାଡ଼ିଆ ଚାଲିଛି...

 

ରାଧାମଣି ଆସି କବାଟ ଖୋଲି ଲୋକନାଥଙ୍କୁ ଚାହିଁଲେ । ଆଖିରୁ ତାଙ୍କର ବିସ୍ମୟର ପାଖୁଡ଼ା ଝର ଝର ହୋଇ ଝରି ପଡ଼ୁଥିଲା । ଏଇ ବିସ୍ମୟ ଭିତରେ ଅଭିଭୂତ ହୋଇ ସେ ପଚାରିଲେ–ବହୁ ଦିନ ପରେ ଆଜି କୁଆଡ଼େ ଆସିଛ ଲୋକନାଥ ? ତାଙ୍କର କାଳ ହେଲା ଦିନଠାରୁ ତମେ ଏ ଘରର ଦୁଆର ତ ମାଡ଼ି ନଥିଲ । ଆଜି କିମିତି ତମର ଦୟା ହେଲା ?

 

ଲୋକନାଥ ମୁଣ୍ଡରେ ହାତମାରି କହିଲେ–ଆଜିକାଲି ନାନା କାମରେ ମୁଁ ବ୍ୟସ୍ତ ନୂଆ’ଉ-। ମତେ ଆଉ କେଉଁଠିକି ଯିବାକୁ ଫୁରୁସତ୍‍ କାହିଁ ? ମୁଁ ଯେତେବେଳେ ଆଜି ତମ ଘରକୁ ଆସିବା ପାଇଁ ମନସ୍ଥ କଲି, ତମେ ଏଭଳି ଏକ ପ୍ରଶ୍ନ ପଚାରିବ ବୋଲି ମୁଁ ଆଗରୁ ଭାବି ନେଇଥିଲି-। କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ସେଇୟା ଘଟିଲା ।

 

ରାଧାମଣି କହିଲେ–ହେଉ, ଘର ଭିତରକୁ ଆସ । ସୁଖର ଖବର ନେଇ ଆସିଛ କି ଦୁଃଖର ଖବର ନେଇ ଆସିଛ କହିଲ ?

 

ରାଧାମଣି ଘର ଭିତରକୁ ଗଲେ । ତାଙ୍କ ପଛେ ପଛେ ଚାଲିଲେ ଲୋକନାଥ । ରାଧାମଣିଙ୍କୁ ସେ କି ଉତ୍ତର ଦେବେ ? ସେ ତ ଦୁଃଖର ଖବର ନେଇ ଏଠାକୁ ଆସିଛନ୍ତି । ସୁଖର ଖବର କାହିଁ ? ସେ ଯଦି ବର୍ତ୍ତମାନ ଶୁଣିବେ, ନଳିନାକ୍ଷ ଓ ନୀଳିମାକୁ ପାଣସାହି ଲୋକଙ୍କ ସହିତ ସମ୍ପର୍କ ଛିଡ଼ାଇ ନ ଦେଲେ ଗାଁ ଲୋକେ, ଏ ଘର ସହିତ ଅସହଯୋଗ କରିବେ ବୋଲି, ତା’ହେଲେ ବହୁ ଦିନ ପରେ ତାଙ୍କୁ ଦେଖି ସେ ଯେପରି ଆଦର ଅଭ୍ୟର୍ଥନା କରିବାକୁ ପ୍ରସ୍ତୁତ ହୋଇଛନ୍ତି, ତା’ର ଉଷ୍ଣ ପରିବେଶ, କରୁଣ ଦୁଃଖରେ ମିଳାଇ ଯିବ । ତେଣୁ ଆଜି କିଭଳି ଭାବରେ ରାଧାମଣିଙ୍କ ନିକଟରେ କଥାଟାର ଉପସ୍ଥାପନା କରିବେ ?

 

ରାଧାମଣି ଘର ଅଗଣାରେ ସଅପ ପକାଇ ଦେଇ ଲୋକନାଥଙ୍କୁ ବସିବାକୁ କହିଲେ ।

 

ଲୋକନାଥ ଘର ଅଗଣାରେ ସଅପ ଉପରେ ବସିଲେ ।

 

ରାଧାମଣି ପାନ ଭାଙ୍ଗୁଛନ୍ତି ।

 

ଲୋକନାଥ କହି ଉଠିଲେ–ଘରଟା ନିଶୂନ ଲାଗୁଛି ଭାଉଜ । ଇଏ ଦିଇଟା ଯାକ ଗଲେ କୁଆଡ଼େ କି ?

 

ରାଧାମଣି କହିଲେ–କେତେବେଳେ ଆଉ ସେମାନେ ଘରେ ରହନ୍ତି ଯେ ? ବାୟା ପାଗଳଙ୍କ ପରି ସେମାନେ ସବୁବେଳେ ତ ଘୂରୁଛନ୍ତି, ଘରେ ଆଉ ରହିବ କିଏ ? ଖରାବେଳୁ ଯାଇଛନ୍ତି, ସଞ୍ଜ ଆସି ହେଲା, ଏପର୍ଯ୍ୟନ୍ତ ସେମାନେ ଫେରି ନାହାନ୍ତି । ଦେଶ କାମ ପାଇଁ ସେମାନେ ତ ପାଗଳ । ଘରେ ଆଉ କିଏ ରହିବ ଭାଇ ?

 

ଲୋକନାଥ ଭାବିଲେ, ଏଇ ଅବସରରେ ରାଧାମଣିଙ୍କୁ ନଳିନାକ୍ଷ ଓ ନୀଳିମା ସମ୍ପର୍କରେ କିଛି ପଚାରି ଦେବେ କି ? ପଚାରିବେ କ’ଣ, ସେମାନଙ୍କ ବିରୁଦ୍ଧରେ ଏଇଠାରେ କିଛି ଅପପ୍ରଚାର କଲେ, ବୋଧହୁଏ ଚଳିଯିବ । ସେ ଯେଉଁଥି ପାଇଁ ଆଜିକାର ସନ୍ଧ୍ୟାରେ ଏଠାକୁ ଆସିଛନ୍ତି, ସେହି ଉଦ୍ଦେଶ୍ୟଟା ଆଜି ଅକ୍ଳେଶରେ ଏଇଠାରେ ପକାଇ ହେବ ।

 

ଲୋକନାଥ ଗଳା ଝାଡ଼ି କଥା ଅରମ୍ଭ କରିବାକୁ ପ୍ରସ୍ତୁତ ହେଉଥିଲା ବେଳେ ରାଧାମଣି ପାନ ନେଇ ଆସି ତାଙ୍କ ହାତକୁ ବଢ଼ାଇ ଦେଉଁ ଦେଉଁ କହିଲେ–ଦେଶ କାମ ପାଇଁ ଦିନ ନାହିଁ, ରାତି ନାହିଁ ସବୁବେଳେ ଭାଇ ଭଉଣୀ ଦିହେଁ ଲାଗିଛନ୍ତି ସିନା କିନ୍ତୁ ତମ ଗାଁରେ ଅନେକ ଲୋକ ତାଙ୍କ ବିରୁଦ୍ଧରେ ଯା ଇଚ୍ଛା ତା’ ପ୍ରଚାର କରିବାରେ ଲାଗିଛନ୍ତି । ବାର ଲୋକେ ବାର କଥା କହି ତାଙ୍କର କ’ଣ ଅବା କରିବେ ? ପିଲା ଲୋକ–ଭାରତକୁ ସ୍ଵାଧୀନ କରିବା ପାଇଁ ସାରା ଦେଶଟାର ଲୋକେ ଯେତେବେଳେ ଆଜି ମାତି ଉଠୁଛନ୍ତି ସେ ଦିଟା ସେଥିରୁ ବାଦ୍‍ ଯାଆନ୍ତେ କିପରି ?

 

ଲୋକନାଥ ପ୍ରମାଦ ଗଣିଲେ । ଯେଉଁ କଥା କହିବା ପାଇଁ ସେ ଆଜି, ବହୁଦିନ ପରେ ଦକ୍ଷିଣରାୟଙ୍କ ଘରକୁ ଆସିଥିଲେ, ସେଇ କଥା ଆପେ ଆପେ ଦକ୍ଷିଣରାୟ ସ୍ତ୍ରୀଙ୍କ ଠାରୁ ବାହାରି ପଡ଼ିଲାଣି । ସେ ଆଉ କେଉଁ କଥା କହିବେ ? ସେମାନଙ୍କ ବିରୁଦ୍ଧରେ ଯେଉଁମାନେ କଥା କହୁଛନ୍ତି, ସେମାନଙ୍କୁ ଦକ୍ଷିଣରାୟଙ୍କ ସ୍ତ୍ରୀ ମଧ୍ୟ ଆକ୍ରମଣ କରୁଛନ୍ତି । ଛୋଟ ଲୋକ, ହୀନ ଲୋକ ଓ କୁଚକ୍ରୀ ବୋଲି ଚିତ୍ରଣ କରିବାକୁ ସେ ଛାଡ଼ିବେ ନାହିଁ ।

 

ତା’ହେଲେ କ’ଣ ସେ କରିବେ ? ପୁଣ୍ଡରୀକାକ୍ଷଙ୍କର ନେତୃତ୍ୱରେ ସେ ଯେଉଁ ଦଳ ଗଠନ କରିଛନ୍ତି, ସେ ଦଳର ଆଦର୍ଶ ଓ ଲକ୍ଷ୍ୟ ପୂରଣ ହେବ କିପରି ? ସେମାନଙ୍କ ବ୍ୟବସାୟରେ ନଳିନାକ୍ଷ ଯେଭଳି ଶୋଚନୀୟ ଭାବେ ବାଧା ସୃଷ୍ଟି କରିଛି, ତା’ର ପ୍ରତିଶୋଧ ନେବେ କିପରି ? ନଳିନାକ୍ଷକୁ ଦେଶସେବାର ପ୍ରଥମ ସ୍ତରରୁ ଜବତ୍‍ କରିଦେଲେ, ମେରୁଦଣ୍ଡକୁ ଭାଙ୍ଗିଦେଲେ, ସେ ଆଉ ଉଠି ପାରିବ ନାହିଁ । ଗାଁ ମାମଲତ୍‍କାର ପୁଣ୍ଡରୀକାକ୍ଷଙ୍କ ସହିତ ତାଳ ଦେଇ ସେ ଆଉ ଲଢ଼ି ପାରିବ ନାହିଁ ।

 

କିନ୍ତୁ ଏତେ ହଠାତ୍‍, ଦକ୍ଷିଣରାୟଙ୍କ ସ୍ତ୍ରୀ ତାଙ୍କ ପୁଅ ଝିଅ ସମ୍ପର୍କରେ ରାୟ ଦେଇଦେବେ ବୋଲି ସେ ଧାରଣା କରି ନଥିଲେ । ସେ ଯେତେବେଳେ ତାଙ୍କୁ ଜଣେ ଶୁଭାକାଂକ୍ଷୀ ହିସାବରେ ଧରି ନେଇଛନ୍ତି, ସାକ୍ଷୀ ଦେଇ କଥାବାର୍ତ୍ତା କରୁଛନ୍ତି, ସେତେବେଳେ ତାଙ୍କ ପୁଅ ଝିଅଙ୍କ ବିରୁଦ୍ଧରେ କହିବେ କିପରି ? ଦକ୍ଷିଣରାୟଙ୍କ ଦେହାନ୍ତରର ଅନେକ ଦିନପରେ ଆସି, ସେ ଯଦି ତାଙ୍କ ସ୍ତ୍ରୀ ପାଖରେ, ନଳିନାକ୍ଷ ଓ ନୀଳିମା ବିରୁଦ୍ଧରେ କିଛି କହିବେ, ନିଆଁପାଣି ଅଟକ କରିବାର ପ୍ରଶ୍ନ ଗୁଡ଼େଇ ତୁଡ଼େଇ ପଚାରିବେ, ତା’ହେଲେ ପୂର୍ବ ବନ୍ଧୁତ୍ୱର ଯେଉଁ ସୌଜନ୍ୟ ଏବେ ବି ଜୀବିତ ରହିଛି ତାହା ମଧ୍ୟ ଲୋପ ପାଇଯିବ । ପଟ୍ଟନାୟକ ବଂଶର ଶେଷ ଦାୟାଦରୂପେ ରାଧାମଣିଙ୍କ ଠାରେ ଯେଉଁ ସମ୍ମାନ, ସମ୍ଭ୍ରମ ସେ ଆଦାୟ କରି ପାରୁଛନ୍ତି, ଏଇ କଥା ଶୁଣିଲା ମାତ୍ରକେ, ସେ ସବୁ ଧୂଳିସାତ୍‍ ହୋଇଯିବ ।

 

କ’ଣ ସେ କରିବେ ? ଏକପକ୍ଷେ ନିଜର ସ୍ଵାର୍ଥ ସାଧନ ଅନ୍ୟପକ୍ଷେ ସାଧାରଣ ସୌଜନ୍ୟ । କେଉଁଟିକୁ ସେ ଧରିବେ ? କେଉଁଟିକୁ ଅବା ଛାଡ଼ିବେ ? ପୁଣ୍ଡରୀକାକ୍ଷଙ୍କର କଥା ନ ରଖିଲେ, ତାଙ୍କ କହିବା ଅନୁଯାୟୀ କାର୍ଯ୍ୟ ନକଲେ ଜୀବନର ଶେଷ ଭାଗରେ ଆୟ କରିବାର ଯେଉଁ ସୁଗମପନ୍ଥା ସେ ଧରି ନେଇଛନ୍ତି, ସେ ପନ୍ଥାରେ ହୁଏତ ଚଡ଼କ ପଡ଼ିବ । ତା’ଛଡ଼ା ସାରା ଗାଁଟାରେ ତାଙ୍କର ଯେଉଁ ଅନ୍ତସାରଶୂନ୍ୟ ପ୍ରତିପତ୍ତି ଓ ପ୍ରତିଷ୍ଠା ରହିଛି ତାହା ମଧ୍ୟ ଆପେ ଆପେ ମଳିନ ପଡ଼ିଯିବ । ନାଁ, ସେ ଯେତେବେଳେ କଥାଟାକୁ ପକାଇବାକୁ ଆସିଛନ୍ତି, ସେ କଥାଟା ଆଉ ଲୁଚାଇବେ ବା କିପରି ? ଏହାର ପରିଣତି ଯାହାହେଉ ନା କାହିଁକି ଦକ୍ଷିଣରାୟଙ୍କ ସ୍ତ୍ରୀଙ୍କ ଆଗରେ ପକାଇବେ ।

 

ଲୋକନାଥ ଘଟଣାର ଅବତାରଣା କରିବା ପାଇଁ ମନେମନେ ପ୍ରସ୍ତୁତ ହୋଇ ଉଠିଲେ-। କଣ୍ଠ ଝାଡ଼ି ଗଳା ସଫା କରି କହିଲେ–ନଳିନାକ୍ଷ ଓ ନୀଳିମା ଯେଭଳି ଭାବରେ ପାଣସାହି ଲୋକଙ୍କ ସଙ୍ଗେ ମିଶି ସେମାନଙ୍କୁ ଛୁଇଁ, ମତେଇ ସ୍ଵାଧୀନତା ଆନ୍ଦୋଳନ ଏଠାରେ ଆରମ୍ଭ କରିଛନ୍ତି, ତାହାଦ୍ଵାରା ଗାଁ ଲୋକେ କେହି ସୁଖୀ ନୁହଁନ୍ତି ଭାଉଜ । ତମ ପୁଅ ଝିଅଙ୍କ ବିରୁଦ୍ଧରେ ଗାଁ ଲୋକେ ଏବେ ଷଡ଼ଯନ୍ତ୍ର କରିବାରେ ଲାଗି ଗଲେଣି । ଭିତରେ ଭିତରେ ତମକୁ ନିଆଁପାଣି ଅଟକ କରିବାର ମଧ୍ୟ ମସୁଧା ଚାଲିଛି । ମୁଁ ଯେତେବେଳେ କାଲି ଏ ଘଟଣା ଶୁଣିଲି ମୁଁ ଆଶ୍ଚର୍ଯ୍ୟ ହୋଇଗଲି ନୂଆ’ଉ । ଦକ୍ଷିଣରାୟ ଭାଇଙ୍କ ଘରକୁ ନିଆଁପାଣି ବନ୍ଦ କରି ବାସନ୍ଦ କରିବା ଏକ ଲଜ୍ଜାକର ବ୍ୟାପାର ବୋଲି ମୁଁ ଧରିନେଇ ଘଟଣାଟା କେତେଦୂର ସତ୍ୟ ସେଇକଥା ବୁଝିବାକୁ ଆସିଥିଲି ।

 

ଏ ଘର ସହିତ ମୋର ସମ୍ପର୍କ ଅଛି । ଦକ୍ଷିଣରାୟ ଭାଇଙ୍କ ସହିତ ମୋର ଘନିଷ୍ଠତା ଥିଲା । ତାଙ୍କ ପୁଅ ଝିଅ ଯଦି ଗାଁରେ ଏକଘରିଆ ହୋଇ ରହିବେ ସେ ନିନ୍ଦା ଓ ଅପମାନ ମୋତେ କ’ଣ ହେବ ନାହିଁ ? ସେମାନଙ୍କ ଭଲ ପାଇଁ ମୁଁ ଆସିଛି ନୂଆ’ଉ । ସେମାନଙ୍କୁ ତମେ ବୁଝାଇ ସୁଝାଇ କହ ସେମାନେ ହରିଜନ ସାହିର ଲୋକଙ୍କ ସହିତ ସମସ୍ତ ଯୋଗାଯୋଗ ଛିନ୍ନ କରିଦିଅନ୍ତୁ । ନଳିନାକ୍ଷ ଉଚ୍ଚ ଶିକ୍ଷିତ, ଚାକିରି କରିବାକୁ ଇଚ୍ଛା କଲେ ଏହି ମୁହୂର୍ତ୍ତରେ ଚାକିରି ମିଳିବ । ନୀଳିମା ବିବାହଯୋଗ୍ୟା ହୋଇ ସାରିଲେଣି । ସ୍ଵାଧୀନତା ଆନ୍ଦୋଳନ କରି ସେମାନଙ୍କୁ କ’ଣ ମିଳିବ ?

 

ପ୍ରବଳ ପ୍ରତାପୀ ଇଂରେଜ ସରକାରକୁ ନଳିନାକ୍ଷ ଭଳି କେଇଟା ଟୋକା କ’ଣ ଏ ଦେଶରୁ ହଟେଇ ଦେବେ ନୂଆ’ଉ ? ଏ ଏକ ଝୁଙ୍କ୍‍ ସେମାନଙ୍କର ! ଲାଠି, ଗୁଳି ଆଉ ଜେଲଖାନା ତଳେ ଶହ ଶହ ସଂଖ୍ୟାରେ ଏମାନଙ୍କୁ ବନ୍ଦୀ କରି ଏ ଆନ୍ଦୋଳନକୁ ଶିଥିଳ କରାଯିବ । ତମର ଗୋଟିଏ ମାତ୍ର ପୁଅ ସେ ! ତମରି ଆଖି ଆଗରେ ସେ ଯଦି ଲାଠି ଖାଏ, ତମେ କ’ଣ ବରଦାସ୍ତ କରିବ ନୂଆ’ଉ ? ତମର ଜନନୀ ସୁଲଭ ହୃଦୟ ବିଦୀର୍ଣ୍ଣ ହୋଇ ଉଠିବ ।

 

ତେଣୁ ନୂଆ’ଉ, ଏସବୁ କାମ କରିବାକୁ ତାଙ୍କୁ ମନାକର । ଅଯଥାରେ ଗାଁ ଲୋକେ କାହିଁକି ଶତ୍ରୁ ସାଜିବେ ? ସରକାରଙ୍କ ଆଗରେ–ଅଯଥାରେ ସେମାନେ କାହିଁକି ଦେଶଦ୍ରୋହୀ ହୋଇ ଉଠିବେ ? କିଛି ନ କରି ସେମାନେ ଯଦି ଘରେ ରହିଯିବେ ତେବେ କୌଣସି ଅସୁବିଧା ହେବ ନାହିଁ ନୂଆ’ଉ ।

 

ରାଧାମଣିଙ୍କ ମୁହଁରେ ଆତଙ୍କର ଏକ ଅସ୍ପଷ୍ଟ ଆଚ୍ଛାଦନ । ମନେମନେ ଭାବିଲେ ଏ କି କଥା ? ବହୁ ଦିନ ପରେ ଲୋକନାଥ ତାଙ୍କ ଘରକୁ ଆସି ଆଜି ଏ କି କଥା ଶୁଣାଇଲେ ? ଗାଁ ଲୋକେ ନିଆଁପାଣି ବନ୍ଦ କରିବେ ? କାହିଁକି ? ଏଡ଼େ ସାହସ ସେମାନଙ୍କର ? ତାଙ୍କ ସ୍ଵାମୀ ମରି ଯାଇଛନ୍ତି ବୋଲି, ଗାଁ ଲୋକେ ଆଜି ଏତେ ବଡ଼ କାଣ୍ଡ ସୃଷ୍ଟି କରିବାକୁ ଯାଉଛନ୍ତି ? ସେ ଯଦି ଆଜି ବଞ୍ଚିଥାନ୍ତେ....

 

ରାଧାମଣିଙ୍କ ଆଖି ଲୋତକାପ୍ଳୁତ ହୋଇ ଉଠିଲା । ଛଳ ଛଳ କଣ୍ଠରେ ସେ କହିଲେ–ମୋ ପୁଅ ଝିଅ ଏ ଗାଁର କାହାର କ’ଣ କ୍ଷତି କରିଛନ୍ତି ଲୋକନାଥ ? ତମେ କହି ପାରିବ କାହାର ସେ ଉଜାଡ଼ି ଦେଇଛନ୍ତି ? କାହାର ସମ୍ପତ୍ତି ଲୁଟ୍‍ କରିଛନ୍ତି ? କାହାରି କଥାରେ ସେମାନେ ପଦେ ହେଲେ କଥା କହନ୍ତି ନାହିଁ । ପାଠଶାଠ ଛାଡ଼ି ନଳିନାକ୍ଷ ଯଦି ଦେଶ କାମରେ ମାତିଲା, ଗରିବ ଗୁରୁବାଙ୍କୁ ଏକଜୁଟ୍‍ କରି ସ୍ୱାଧୀନତା ଆନ୍ଦୋଳନ କରିବା ପାଇଁ ସେ ଯଦି ଆଗଭର ହେଲା, ସେଥିରେ ଗାଁ ଲୋକଙ୍କର ଯାଏ ଆସେ କେତେ ? ଗାଁ ଲୋକଙ୍କ ବିରୁଦ୍ଧରେ ସେ ତ ଯାଉନି ! ଗାଁ ଲୋକଙ୍କର ଅମଙ୍ଗଳ ତ ଘଟାଉନି !! ଗାଁ ଯାକର ଲୋକେ ତାକୁ ନିଆଁପାଣି ଅଟକ କରିବାକୁ କାହିଁକି ବାହାରୁଛନ୍ତି ?

 

ହରିଜନ ସାହିକୁ ଯାଇ ଲୋକଙ୍କୁ ସେ କ’ଣ ମତାଉଛି ଲୋକନାଥ ? ଅନ୍ୟମାନଙ୍କୁ ହଇରାଣ କରିବା ପାଇଁ ସେମାନଙ୍କ ସଙ୍ଗେ ସେ କ’ଣ ଆଲୋଚନା କରୁଛି ? ଏଇ ଗାଁରେ ତମେ ଘର କରିଛ । ଏ ଗାଁର ସମସ୍ତଙ୍କୁ ଊଣା ଅଧିକେ ଚିହ୍ନିଛ–କିଏ କେଉଁ ପ୍ରକୃତିର ଲୋକ ତାହା ମଧ୍ୟ ଜାଣିଛ । ତେଣୁ କହି ପାରିବ ଲୋକନାଥ ନଳିନାକ୍ଷ କି ଧରଣର ପିଲା ? ସମଗ୍ର ଗାଁର ଉନ୍ନତି ପାଇଁ ସେ ଚିନ୍ତା କରେ । ସମସ୍ତଙ୍କୁ ସମାନ ଦୃଷ୍ଟିରେ ସେ ଦେଖେ । ସେ ଏତେ ସ୍ଵାର୍ଥତ୍ୟାଗ କରି ମଧ୍ୟ ଗାଁ ଲୋକଙ୍କର ଶ୍ରଦ୍ଧାଭାଜନ ହୋଇ ପାରିଲାନି ? କିଏ କିଏ ତା’ ବିରୁଦ୍ଧରେ ଏ ପ୍ରକାର ଦଣ୍ଡବିଧାନ କରିବାକୁ ସଂକଳ୍ପ କରିଛନ୍ତି ମତେ କହିବ ଲୋକନାଥ ?

 

ଲୋକନାଥ ଅବାକ୍‍ ହୋଇ ତାଙ୍କୁ ଚାହିଁ ରହିଥିଲେ । ସେ ଅନେକ ଥର ଦକ୍ଷିଣରାୟଙ୍କ ଘରକୁ ଆସିଛନ୍ତି । ରାଧାମଣିଙ୍କ ସଙ୍ଗେ ଅନେକ ଥର କଥାବାର୍ତ୍ତା କରିବାର ସୁଯୋଗ ପାଇଛନ୍ତି । ମାତ୍ର କେଉଁଥର ସେ ଏଭଳି ପ୍ରଗଳ୍‍ଭା ହୋଇ ଉଠିଥିବାର ତାଙ୍କର ମନେ ହେଉନି । ତାଙ୍କ ଚକ୍ଷୁ ତୀରରୁ ସତେ ଯେପରି ଝରି ପଡ଼ୁଛି ଅଗ୍ନି କଣିକା ।

 

ଲୋକନାଥ ହତଭମ୍ବ ହୋଇ ଉଠିଲେ । –କହିଲେ–ଗାଁର ସମସ୍ତେ ତ ତା’ ବିରୁଦ୍ଧରେ କହୁଛନ୍ତି ନୂଆ’ଉ ! କାହା ନାଁ ଆଉ ତମ ଆଗରେ କହିବି ? ଆଚ୍ଛା ମୋ କଥା ଶୁଣିବ ନୂଆ’ଉ ! ନଳିନାକ୍ଷ ଓ ନୀଳିମା ପାଣସାହି ଲୋକଙ୍କ ସହିତ ନ ମିଶିଲେ କ’ଣ ତାଙ୍କର ହୋଇଯିବ କହିଲ ? ଏ ଦେଶରୁ ବ୍ରିଟିସ୍‍ ସରକାରକୁ ହଟାଇବା କ’ଣ ଏଡ଼ିକି ସହଜ ବ୍ୟାପାର ? ସେ ଦୁହେଁଯାକ ସେଥିରୁ ଓହରି ଆସିଲେ ତାଙ୍କର ମାନମର୍ଯ୍ୟାଦା କ’ଣ ପଙ୍କରେ ଲୋଟିଯିବ ? ତମେ ତାଙ୍କର ମା, ତମେ ଯଦି ଏ ବିଷୟରେ ତାଙ୍କୁ ବୁଝାଇବ, ସେ ନିଶ୍ଚୟ ବୁଝିଯିବେ । ଯେଉଁ ଗାଁ ଲୋକେ ତାଙ୍କ ବିରୁଦ୍ଧରେ ଏଇନେ ମେଳିବାନ୍ଧି ଷଡ଼ଯନ୍ତ୍ର ଭିଆଇଛନ୍ତି, ସେମାନେ ଆପେ ଆପେ ଥମକି ରହିଯିବେ-। ମା ହିସାବରେ ତମେ ଅନ୍ତତଃ ଏତିକି କର ନୂଆ’ଉ !

 

ରାଧାମଣି ନୀରବ । ଲୋକନାଥଙ୍କୁ ଉତ୍ତର ନ ଦେଇ ତଳକୁ ଚାହିଁ ରହିଛନ୍ତି ସେ । ମନ ଭିତରେ ତାଙ୍କର ଭାବନାର ଅସରନ୍ତି ଜୁଆର । ସେ କି କଥା ଆଜି ଶୁଣୁଛନ୍ତି ? ଗାଁ ଲୋକଙ୍କର ସମ୍ମିଳିତ ଷଡ଼ଯନ୍ତ୍ରର ପରିଣାମ ତାଙ୍କ ଆଖି ଆଗରେ ଭାସି ଉଠୁଛି ।

 

ନା, ସେ ଆଉ ସହି ପାରିବେନି । ଇତର ଲୋକମାନଙ୍କର ଧମକ, ଚମକକୁ ସେ ବରଦାସ୍ତ କରି ପାରିବେନି । ନଳିନାକ୍ଷ ଓ ନୀଳିମା ସୁନା ପିଲାଟି ଭଳି ଦୁହେଁଯାକ ଯଦି ଘରେ ବସି ରହନ୍ତେ, ଏ ଗାଁରେ କେହିହେଲେ ତାଙ୍କୁ ପଦେ କଥା କହିବାକୁ ସାହସ କରନ୍ତେ ନାହିଁ ।

 

ଯେତେ ମନାକଲେ ମଧ୍ୟ ଦୁହେଁଯାକ ମାନିଲେ ନାହିଁ । ଭୋକ, ଶୋଷ ଭୁଲିଯାଇ ଦିନ ରାତି ବାୟା, ପାଗଳୀଙ୍କ ପରି ଘୂରିବାରେ ଲାଗିଲେ । ଶରୀର କ୍ଷୀଣ କଲେ । ଦେହରୁ ଶକ୍ତି ଢାଳିଲେ । ଦେଶର ମଙ୍ଗଳ ପାଇଁ ବିଳାସ ବ୍ୟସନ ସବୁ ପାସୋରିଲେ ।

 

କାହିଁକି ଏତେ କଷ୍ଟ ? ଏତେ ସନ୍ନ୍ୟାସ ମନୋଭାବ ? ଦେଶବାସୀ ଯଦି ସ୍ୱାଧୀନତା ହାସଲ କରିବା ପାଇଁ ଅନିଚ୍ଛୁକ, ଏମାନେ, ଏଇ କେଇଟି ତରୁଣ ତରୁଣୀ କାହିଁକି ଏତେ ଜିଦ୍‍ ଧରିଛନ୍ତି ? ନା, ଆଜି ସେମାନେ ଘରକୁ ଫେରନ୍ତୁ । ତାଙ୍କ ପାଇଁ ମୁଁ ଆଉ କାହା କଥା ସହି ପାରିବିନି । ସେମାନେ ଯଦି କଥା ମାନି ଆଉ କେଉଁଠିକି ନଯିବେ, ହରିଜନ ସାହିର ଲୋକଙ୍କ ସଙ୍ଗେ ନ ମିଶିବେ ତା’ହେଲେ ସବୁ ଭଲ । ଯଦି ମୋ କଥା ନ ମାନି, ସେମାନେ ପୁଣି ଥରେ ଅମାନିଆଁ ପାଲଟିବେ, ତା’ହେଲେ ସେମାନଙ୍କ ସହିତ ମୁଁ ଆଉ କୌଣସି ସମ୍ପର୍କ ରଖିବି ନାହିଁ ।

 

ଲୋକନାଥ ତାଙ୍କୁ ଚାହିଁ ରହି, କୌଣସି ଉତ୍ତର ନ ପାଇ ନିଜକୁ ବଡ଼ ଅସହାୟ ବୋଧ କରୁଥିଲେ ।

 

ରାଧାମଣି କହିଲେ–ହେଉ ତମେ ଯାଅ ଲୋକନାଥ ! ସେମାନେ ଆଜି ଫେରିଲେ ମୁଁ ତାଙ୍କୁ ଆକଟ କରିବି ? ଗାଁର ମଙ୍ଗଳ ପାଇଁ, ଦେଶର ହିତ ପାଇଁ କାର୍ଯ୍ୟ କରି ଯଦି ସେମାନେ ଗାଁ ଲୋକଙ୍କର ଚକ୍ଷୁଃଶୂଳ ହେଲେ, ସେ ଦେଶସେବା କରିବା ତାଙ୍କର ଦରକାର ନାହିଁ । ସେମାନେ କେବଳ ଘରେ ବସି ରହିଲେ ମୋର ସବୁ କାମ ହୋଇ ପାରିବ ।

 

ଲୋକନାଥ ଓଠ ତୀରରେ ଶୁଖିଲା ହସର ଲହଡ଼ିଟିଏ ଖେଳାଇ ଦେଇ ଦକ୍ଷିଣରାୟଙ୍କ ଘରୁ ବିଦାୟ ନେଲେ ।

 

ରାଧାମଣି କିନ୍ତୁ ବଡ଼ ଅସହାୟ ଭାବରେ ଦାଣ୍ଡ କବାଟଟା ବନ୍ଦ କରିଦେଇ ନିଜ ସ୍ୱାମୀଙ୍କର ଟଙ୍ଗା ହୋଇଥିବା ଫଟୋଟିକୁ ଧରି ଭୋ ଭୋ କାନ୍ଦି ଉଠିଲେ । ଆଖିରୁ ତାଙ୍କର ବହି ଯାଉଥିଲା ଧାର ଧାର ଲୁହ । ଲଣ୍ଠନର ସ୍ତିମିତ ଆଲୋକରେ ଆଖି ତୀରରୁ ବହି ଆସୁଥିବା ଲୁହ ଚକ୍‍ ଚକ୍‍ କରୁଥିଲା । ସେ କିଛି କହିପାରୁ ନଥିଲେ ।

 

ରାତି ଅନେକ ହୋଇ ଗଲାଣି । ତଥାପି ନଳିନାକ୍ଷ ଓ ନୀଳିମା ଘରକୁ ଫେରି ନାହାନ୍ତି ।

 

ରାଧାମଣି ଅଭିମାନରେ ଫୁଲି ଫୁଲି, ଅଗଣାରେ ଶୋଇ ରହି କାନ୍ଦିବାରେ ଲାଗିଛନ୍ତି । ଘର ଶୂନଶାନ୍‍ । ରୋଷେଇ ମଧ୍ୟ ବନ୍ଦ । ଲଣ୍ଠନ ଜଳୁଛି । ବୈଶାଖୀ ସନ୍ଧ୍ୟାର ପବନ ବାହାରେ ହୋଇ ଉଠିଛି ମୁଖର ପ୍ରଗଳ୍‍ଭ ।

 

ରାଧାମଣି ଭାବୁଛନ୍ତି ଆଜି ପୁଅ ଝିଅଙ୍କ ଠାରୁ ଶେଷ କଥା ଆଦାୟ ନ କଲେ ସେ ଛାଡ଼ିବେ ନାହିଁ । ଅସହଯୋଗ କରି ହୁଏତ ସେମାନଙ୍କୁ ଜିଦ୍‍ରୁ ନିବୃତ୍ତ କରାଇ ହେବ । ତା’ ନ କଲେ ସେମାନେ କେବେହେଲେ ସେମାନଙ୍କ ସଂକଳ୍ପରୁ ଓହରି ଯିବେନାହିଁ । ଭାଗ୍ୟକୁ ସେ ଯଦି ଆଜି ବଞ୍ଚିଥାନ୍ତେ....ଗାଁ ଲୋକେ କେବେହେଲେ ନିଆଁପାଣି ବନ୍ଦ କରିବାକୁ ପ୍ରସ୍ତାବ କରି ନଥାନ୍ତେ । ନା, ସେ ଆଉ ନଳିନାକ୍ଷ ଓ ନୀଳିମା ପାଇଁ କାହାରି ଠାରୁ କିଛି ଶୁଣି ପାରିବେ ନାହିଁ । ଯଦି ସେମାନେ ତାଙ୍କ କଥାରେ ନ ଚାଲିବେ, ତା’ହେଲେ ନିଜ ବାଟ ସେମାନେ ଆଦରି ନିଅନ୍ତୁ । କିନ୍ତୁ ଦକ୍ଷିଣରାୟ ବଂଶର ମାନମର୍ଯ୍ୟାଦା, ଆଭିଜାତ୍ୟକୁ କେବେହେଲେ ସେ ଧୂଳିରେ ଲୋଟିବାକୁ ଦେବେ ନାହିଁ ।

 

ରାଧାମଣିଙ୍କ ମନ ଭିତରେ ଶ୍ଵଶୁର ଘରର ବଂଶମର୍ଯ୍ୟାଦା ଓ ଆଭିଜାତ୍ୟ ପ୍ରଚଣ୍ଡ ଭାବରେ ଆତ୍ମପ୍ରକାଶ କଲା । ଯେଉଁ ଦକ୍ଷିଣରାୟ ବଂଶର ନାଁ ଶୁଣିଲେ ଏଇ ଗାଁର ଲୋକେ ଚମକି ଉଠନ୍ତି, ସେଇ ଗାଁର ଲୋକେ ସେଇ ବଂଶର ବିରୁଦ୍ଧରେ ଆଜି ଅଭିଯାନ ଆରମ୍ଭ କରୁଛନ୍ତି ! ଏମାନେ ଆଶ୍ଚର୍ଯ୍ୟ ! ଲୋକେ ଚାହିଁ ରହନ୍ତି ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଓ ପରିବାରର ଅଧୋପତନ ଦେଖିବାକୁ । ଯେତେବେଳେ ଏ ଅଧୋପତନ ଆରମ୍ଭ ହୁଏ, ସେତେବେଳେ ଜନସାଧାରଣ ବେଶ୍‍ ଏକ ସୁରାକ୍‍ ପାଆନ୍ତି । ଅଧୋପତିତ ଅବସ୍ଥା ଉପରେ ସେମାନେ ପୁଣି ଆକ୍ରମଣ କରିଦିଅନ୍ତି । କେବେଳ ଏଇ ଗାଁ ଲୋକଙ୍କ ପାଇଁ ଏହା ପ୍ରଯୁଜ୍ୟ ନୁହେଁ ଜଗତରେ ଏହା ସାଧାରଣ କଥା । ସ୍ୱାଭାବିକ ଘଟଣା ରୂପେ ସଚରାଚର ଏହାହିଁ ଦେଖାଦେଇଥାଏ ।

 

ରାଧାମଣି କର ଲେଉଟାଇ ପୁଣି ଶୋଇବାକୁ ଚେଷ୍ଟା କଲେ । କିନ୍ତୁ ନିଦ ହେଉନାହିଁ । ରାଗ ଓ ଅଭିମାନରେ ସେ ସିନା ରୋଷେଇବାସ ଆରମ୍ଭ କଲେନି । କିନ୍ତୁ ପୁଅ ଝିଅ ଫେରିଲେ କ’ଣ ଖାଇବେ ଏଇ କଥା ଚିନ୍ତା କରୁଥିଲେ ।

 

ରାତି ଗଭୀରରୁ ଗଭୀରତର ହେଉଛି...

 

ଶେଷ ବୈଶାଖର...ନୈଶ ପବନ ବାହାରେ ମତୁଆଳ ହୋଇ ଉଠିଛି ।

 

ବାହାରେ କବାଟ ଖଡ଼୍‍ ଖଡ଼୍‍ କରିବାର ଶବ୍ଦ ଶୁଣାଗଲା । ରାଧାମଣି ଜାଣିପାରିଲେ । କିନ୍ତୁ ସବୁ ଦିନ ଯେମିତି ସେ ହଠାତ୍‍ ଶବ୍ଦ ଶୁଣିଲେ ଖୋଲିଦିଅନ୍ତି ଆଜି ଆଉ କବାଟ ଖୋଲିବାକୁ ଆଗେଇ ଆସିଲେ ନାହିଁ । ଚୁପ୍‍ ହୋଇ ଶୋଇବାକୁ ଆରମ୍ଭ କଲେ ।

 

ବାହାରପଟୁ ପୁଣି କ୍ରମାଗତ ଭାବେ କବାଟ ଉପରେ ବାଡ଼ିଆ ଚାଲିଛି....

 

ରାଧାମଣି ତଥାପି ନୀରବ ।

 

କବାଟ ବାଡ଼ିଆ ବନ୍ଦ ହେଲା । ରହି ରହି ବୋଉ, ବୋଉ ଡାକ ଶୁଭିଲା । ଜଣକ ପରେ ଜଣେ ଯେପରି ପାଳି ଧରି ଡାକୁଛନ୍ତି । ସେମାନଙ୍କ ଡାକ ବେଳକୁବେଳ ଉଚ୍ଚତର ହେଉଛି । ସେଇ ସ୍ୱର ଭିତରେ ଶିଶୁ ଜୀବନର ଯେପରି ଶତ ଅଳି ଅର୍ଦ୍ଦଳି ଓ ଅଭିଯୋଗ ଜଡ଼ିତ ରହିଛି ।

 

ସେଇ ଦୀର୍ଘ ଓ ଉଚ୍ଚତର ଡାକ ଭିତରେ ଦୁଇଟି ପିଲାଙ୍କର ଯେପରି ବିପ୍ଳବ ଭାରି ରହିଛି-। ପିଲାମାନଙ୍କ ଦାବି ଓ ହାରି ଗୁହାରି ପୂରଣ ନହେଲେ, ସେମାନେ ରୁଷନ୍ତି ଓ ଅଭିମାନ କରନ୍ତି-। ରାଧାମଣି ଉତ୍ତର ନ ଦେଲା ବେଳକୁ, ସେମାନଙ୍କ ଡାକ ଭିତରେ ବିପ୍ଳବ ଓ ବିଦ୍ରୋହର ସ୍ୱର ପ୍ରଚ୍ଛନ୍ନ ଭାବରେ ସତେ ଯେପରି ରୂପନେଇ ଆତ୍ମପ୍ରକାଶ କରିଛି ।

 

ରାଧାମଣି ଜନନୀ !

 

ନିଜ ପୁତ୍ର କନ୍ୟାଙ୍କର ବିକଳ ଡାକରାକୁ କେତେ ଆଉ ପ୍ରତ୍ୟାଖ୍ୟାନ କରିବେ ? କେତେ ଆଉ ବରଦାସ୍ତ କରିବେ ? ଅଭିମାନରେ, ରାଗରେ ଆଜି ସିନା ସେ ଶୋଇ ପଡ଼ିଛନ୍ତି । ନ ହେଲେ ଯେଉଁ ପୁଅ ଝିଅଙ୍କୁ ନେଇ ଜୀବନର ଚଲା ପଥରେ ସବୁ ଦୁଃଖ ଓ ନିର୍ଯ୍ୟାତନା ଭୁଲିଛନ୍ତି, ସେମାନଙ୍କ ପାଇଁ ସେ କ’ଣ ରୁକ୍ଷ, କଠୋର ଓ ପାଷାଣ ପାଲଟିବେ ? ଜୀବନର ସ୍ତୂପୀକୃତ ଅନ୍ଧକାର ମଧ୍ୟରେ ନଳିନାକ୍ଷ ଓ ନୀଳିମା ଦୁଇଟି ଆଲୋକ । ସେଇ ଆଲୋକର ଈଷତ୍‍ ଉଜ୍ଜ୍ଵଳତାରେ, ଘନୀଭୂତ ଅନ୍ଧକାର ମଧ୍ୟରେ ସେ ବାଟ ଖୋଜି ଖୋଜି ସଂସାର ସରଣୀରେ ଆଗେଇ ଚାଲିଛନ୍ତି । ସ୍ୱାମୀଙ୍କର ଅକାଳ ମରଣର ବେଦନାକୁ ମନ ଭିତରୁ ପାସୋରି ଯାଇଛନ୍ତି ।

 

ସେମାନେ ତାଙ୍କର ପୁଅ ଆଉ ଝିଅ ! ବକ୍ଷଫାଡ଼ି ସେମାନଙ୍କୁ ସେ ଜନ୍ମ ଦେଇଛନ୍ତି । ରାତି ଅଧରେ ଘରର ବାହାର ପଟରେ ରହି ଏଇଭଳି ଗଳା ଫଟାଇ କରୁଣ ଭାବରେ ଚିତ୍କାର କରିବେ–ଅଥଚ ସେ ଅଭିମାନ କରି ଶୋଇ ରହିବେ ! ଅସମ୍ଭବ । କେଉଁ ଜନନୀ ଏ କଥା କରି ପାରିବ ? ଧରାପୃଷ୍ଠରେ କେଉଁ ଜନନୀର ହୃଦୟ ଏଭଳି କଠୋର, ନିର୍ମମ ଓ ନିଦାଘ ହେବ ।

 

ରାଧାମଣି ଉଠି ପଡ଼ିଲେ । ହେଲେ, ଆଜି ସେ ଶପଥ ନେଇଛନ୍ତି ସେ ଶପଥ ପୂର୍ଣ୍ଣ ହେବ କିପରି ? ପୁଅ ଝିଅଙ୍କୁ ମାଆ ଯଦି ଠିକ୍‍ ବାଟରେ ପରିଚାଳିତ ନ କରି ପାରିବ, ତା’ହେଲେ ସେ କି ମା ? ସେ ଦୁହିଁଙ୍କ ପାଇଁ ଇତର ଲୋକଙ୍କ ଠାରୁ ସେ ଯେଉଁ ଅପମାନର କଥା ଶୁଣିଲେ, ସେ ସବୁର ନିରାକରଣ ହେବ କିପରି ? ତାଙ୍କ ପିଲାଙ୍କୁ ସେ ଯଦି ଶାସନ ନ କରିବେ, ଶୃଙ୍ଖଳିତ ନ କରିବେ, ତା’ହେଲେ କିଏ ତାଙ୍କୁ ଏଭଳି ହେବାକୁ ନିର୍ଦ୍ଦେଶ ଦେବ ?

 

ରାଧାମଣି ଉଠିପଡ଼ି ଏଇମିତି ଭାବୁଛନ୍ତି ପୁଣି ଦୁହିଁଙ୍କର ସମ୍ମିଳିତ ଡାକ ‘ବୋଉ’ ଆସି ତାଙ୍କ କାନରେ ବାଜିଲା । ସେ ଆଉ ସମ୍ଭାଳି ପାରିଲେନି । ଝଡ଼ ବେଗରେ ଉଠିପଡ଼ି ଦାଣ୍ଡଘର ଆଡ଼କୁ ଆଗେଇଲେ ।

 

ଦାଣ୍ଡ କବାଟ ପାଖରେ ପହଞ୍ଚି ଠିଆ ହୋଇଗଲେ । ବହୁଦିନ ପରେ ସେ ଯେତେବେଳେ ରାଗିଛନ୍ତି, ଅଭିମାନ କରିଛନ୍ତି, ଏଡ଼େ ହଠାତ୍‍ ସେ ରାଗ ଓ ଅଭିମାନ କ’ଣ ପ୍ରଶମିତ ହେବ ? ନା, ଜନନୀ ହିସାବରେ ପୁତ୍ର ଓ କନ୍ୟାଙ୍କୁ ସେ ଶାସନ କରିବେ । ଉଚିତ ମାର୍ଗରେ ସେମାନଙ୍କୁ ପରିଚାଳିତ ହେବାକୁ ନିର୍ଦ୍ଦେଶ ଦେବେ ।

 

ରାଧାମଣି କବାଟ ଖୋଲିଦେଲେ । ଦଣ୍ଡେମାତ୍ର ସେଠାରେ ଅପେକ୍ଷା ନ କରି, ପୁଅ ଝିଅଙ୍କୁ କିଛି ନ କହି ପୁଣି ତାଙ୍କ ଶୋଇବା ଘର ଭିତରକୁ ଫେରି ଆସିଲେ ।

 

ନଳିନାକ୍ଷ ଓ ନୀଳିମା ଅବାକ୍‍ । ଘଟଣା କ’ଣ ? ସେମାନେ ରାଧାମଣିଙ୍କର ଏଭଳି ଫଣଫଣିଆ ଓ ରାଗ ଜରଜର ମୁହଁ କେବେ ଦେଖି ନଥିଲେ । ତା’ପରେ ପ୍ରତିଦିନ ବୁଲି ବୁଲି ଫେରିଲେ, ସେ ଯେଉଁ ମନ୍ତବ୍ୟ କରେ, ସେ ମନ୍ତବ୍ୟ ଆଜି କାହିଁ ? ସେ କହେ–ତମେ ଦିଇଟା ପିଲା ହୋଇଛ ନା ଆଉ କିଏ ଅଛି ?

 

ଦୁହେଁ ଭାବିଲେ ବୋଉର ଆଜି ଏ କି ମନୋଭାବ ! କ’ଣ ତା’ର ହୋଇଛି ? କିଏ ତାକୁ କ’ଣ କହିଲା ?

 

ନଳିନାକ୍ଷ ଓ ନୀଳିମା ଧୀରେ ଧୀରେ, ଆଶଙ୍କା ଜଡ଼ିତ ହୃଦୟରେ ଘର ଭିତରକୁ ଆସିଲେ । ଘରଟା ଶୂନଶାନ୍‍ । ସବୁ ଘରେ କବାଟ ଦିଆଯାଇଛି । ବୋଉ ପୁଣି ଅଗଣାରେ ମୁହଁମାଡ଼ି ଶୋଇଗଲାଣି । ଲଣ୍ଠନଟା କେବଳ ମିଞ୍ଜି ମିଞ୍ଜି ହୋଇ ଯାହା ଜଳୁଛି ।

 

ନୀଳିମା ଡାକିଲା–ବୋଉ, ବୋଉ, ବୋଉ ମ–

 

ନଳିନାକ୍ଷ ଡାକିଲା–ବୋଉ–ଏ ବୋଉ–ବୋଉ...

 

ରାଧାମଣି ନିରୁତ୍ତର । ନୀଳିମା ଓ ନଳିନାକ୍ଷ ଦୁହେଁଯାକ ରାଧାମଣିଙ୍କ ପାଖରେ ବସି ପଡ଼ିଲେ । ଦୁହେଁଯାକ ଦେହ ଓ ହାତ ଆଉଁସି ବସିଲେ ।

 

ନଳିନାକ୍ଷ କହିଲା–କ’ଣ ତୋର ହୋଇଛି ବୋଉ ? ଦେହ ତ ଭଲ ଅଛି । ଜ୍ୱର ନାହିଁ । ମୁଣ୍ଡବ୍ୟଥା ନାହିଁ । ଆଉ କାହିଁକି କିଛି ନକହି ତୁ ଶୋଇ ପଡ଼ିଛୁ ?

 

ରାଧାମଣି ତଥାପି ନିରୁତ୍ତର ।

 

ଦୁହେଁଯାକ ବ୍ୟସ୍ତ ଓ ବିବ୍ରତ ହୋଇ ଉଠିଲେ । ନୀଳିମା କହିଲା–କାହିଁକି କିଛି କହୁନୁ ବୋଉ ? କ’ଣ ତୋର ହୋଇଛି ? ତୁ ଯଦି ତୋ ଦୁଃଖ ସୁଖ, ଭଲ ମନ୍ଦ ତୋ ପୁଅ ଝିଅଙ୍କ ପାଖରେ ନ କହିବୁ ତା’ହେଲେ କହିବୁ କାହା ପାଖରେ ?

 

ରାଧାମଣି ତଥାପି ଉତ୍ତର ଦେଉ ନାହାନ୍ତି । ରହି ରହି ବେଳେ ବେଳେ ଦୀର୍ଘ ଶ୍ୱାସମାନ ପକାଉଛନ୍ତି ।

 

ନଳିନାକ୍ଷ ଓ ନୀଳିମା ଲଣ୍ଠନ ତେଜି ରାଧାମଣିଙ୍କ ପାଖକୁ ଆଣିଲେ । ତାଙ୍କୁ ଭଲ ଭାବରେ, ଲଣ୍ଠନର ଫିକା ଆଲୁଅରେ ଅନାଇଲେ । ମାତ୍ର କେଉଁଠାରେ ସେମାନେ ଅସ୍ଵାଭାବିକତା ଦେଖିଲେ ନାହିଁ । ସନ୍ଦେହରେ ଦୁହେଁଯାକ ଦୋଳାୟିତ ହେଲେ ।

 

ନଳିନାକ୍ଷ କହିଲା–ଆମକୁ କ’ଣ କଥା କହିବୁନି ବୋଉ ?

 

ରାଧାମଣିଙ୍କ ଜିଦ୍‍ର ପାହାଡ଼ ତରଳି ଗଲା । ଅଭିମାନର ସ୍ତରୀଭୂତ ଅନ୍ଧକାର ଧୀରେ ଧୀରେ ଅପସରି ଗଲା । କେତେକାଳ ଆଉ ପୁଅ ଝିଅଙ୍କୁ ହଇରାଣ କରିବେ ? ତାଙ୍କ ସହ ଅସହଯୋଗ ସ୍ଥାପନ କରିବେ ? ମା ଆଗରେ ତା’ ପୁଅ ଝିଅ ଯଦି ଡହଳ ବିକଳ ହେବେ, ବ୍ୟସ୍ତ, ବ୍ୟଥିତ ଓ ବିବ୍ରତ ହେବେ, ତେବେ କେଉଁ ଜନନୀ ଜାଣି ଜାଣି ଏ କଥା ସହ୍ୟ କରିବ ?

 

ରାଧାମଣି କର ଲେଉଟାଇ କହିଲେ–ମୋ କଥା ଯଦି ଆଜି ନ ମାନ ଏବଂ କାର୍ଯ୍ୟ ନ କର ତା’ହେଲେ ମୁଁ ମୋ ବାଟ ଧରିବି । ତମେ ତମର ଯାହା କରୁଛ କର ।

 

ନଳିନାକ୍ଷ ଓ ନୀଳିମା ବୋଉ ରାଗିଛି ବୋଲି ଜାଣି ପାରିଲେ । ସେମାନେ ଭାବିଲେ, ବୋଉତ କେବେ ରାଗେ ନାହିଁ । କ’ଣ ପାଇଁ ରାଗିଲା ? ଦୁହେଁଯାକ ତ ତା’ ପାଖରେ କିଛି ଭୁଲ୍‍ ତ୍ରୁଟି ଓ ଅନ୍ୟାୟ କରି ନାହାନ୍ତି ।

 

ନୀଳିମା କହିଲା–ଜାଣିଲ ଭାଇ, ବୋଉ ଆମ ଉପରେ ରାଗିଛି ? ଆଚ୍ଛା ବୋଉ, ତୁ ଆମ ଉପରେ ରାଗିଛୁ ନୁହେଁ ?

 

ନଳିନାକ୍ଷ ରାଧାମଣିଙ୍କ ପାଖକୁ ଯାଇ କହିଲା–ବୋଉ, ତୁ ଯାହା କହୁ, ଆମେ କ’ଣ ସେଇଆ କରୁନା ? ଆଚ୍ଛା, ଏଣିକି ତୁ ଯାହା କହିବୁ, ସେଇ କଥା ଅନୁଯାୟୀ ଆମେ ନିଶ୍ଚୟ ଚଳିବୁ-

 

ରାଧାମଣି କହିଲେ–ମୋ ଦେହ ଛୁଇଁ ନିୟମ କର, ମୁଁ ଯାହା କହିବି, ସେଇ କଥା ତୁ ଅକ୍ଷରେ ଅକ୍ଷରେ ମାନି ଚଳିବୁ ।

 

ନଳିନାକ୍ଷ ହସି ହସି, ରାଧାମଣିଙ୍କୁ ଉଠାଇବାକୁ ଚେଷ୍ଟା କଲା । ରାଧାମଣିଙ୍କୁ ନିଜ ହାତରେ ଉପରକୁ ଟେକି ଗେହ୍ଲ କଲା ପରି କହିଲା–ବୋଉ ରାଗିଛିରେ–ବୋଉ ରାଗିଛିରେ–ବୋଉ ରାଗିଛି ଆମ ଉପରେ ନୀଳିମା ।

 

ରାଧାମଣି କହିଲେ–ଆରେ ରହ–ପଡ଼ି ଯିବିରେ–ରହ–ରହ ।

 

ନଳିନାକ୍ଷ କହିଲା–କହ, ଆଉ ଦିନେ ଆମ ଉପରେ ରାଗିବୁନି...... ।

 

ରାଧାମଣି କହିଲେ–ତମେ ଆଗ ମୋ କଥା ମାନିସାର । ମୁଁ ଯାଇ ପରେ ତମ କଥା ବୁଝିବି ।

 

ନଳିନାକ୍ଷ କହିଲା–ଆଚ୍ଛା କହିଲୁ କେଉଁ କଥାରେ ମୁ ତୋର ଅବାଧ୍ୟ ହୋଇଛି ? ଯେଉଁ ଦିନ ଯେଉଁ ମୁହୂର୍ତ୍ତରେ ଯାହା କହିଛୁ, ବିନା ଆପତ୍ତିରେ, କୁଣ୍ଠାରେ, ମାତାର ଆଦେଶ ଭାବି ସେଗୁଡ଼ିକ ମୁଁ ଗ୍ରହଣ କରିଛି । ପୁଅ ହୋଇ ମାତାର କଥା କେମିତି ବା ନ ରଖିବି ? ଆଜି ଏ ପ୍ରଶ୍ନ କେମିତି ତୁ ଉଠାଉଛୁ ?

 

ଆଚ୍ଛା, ଆଜି ଆଉ ଥରେ ତୋ ପାଖରେ ମୁଁ କହୁଛି ତୁ ଯାହା କହିବୁ ଏବଂ କରିବାକୁ ନିର୍ଦ୍ଦେଶ ଦେବୁ, ସେଇ ଅନୁସାରେ ମୁଁ ନିଶ୍ଚୟ କାମ କରିବି ।

 

ନୀଳିମା ମଧ୍ୟ କହି ଉଠିଲା–ମୁଁ ମଧ୍ୟ ସେଇ ଅନୁସାରେ ଚଳିବି ବୋଉ । କହ ତୋର କ’ଣ କହିବାର କଥା ?

 

ରାଧାମଣି ବସିଲେ । ନୀଳିମା ଓ ନଳିନାକ୍ଷ ମଧ୍ୟ ତାଙ୍କ ପାଖେ ବସି ପଡ଼ିଲେ ।

 

ରାଧାମଣି କହିଲେ–ତମେ ଆଉ ହରିଜନ ସାହିକୁ ଯିବନାହିଁ । ହରିଜନଙ୍କୁ ଛୁଇଁବ ନାହିଁ-। ଆନ୍ଦୋଳନ କରିବାକୁ ଲୋକମାନଙ୍କୁ ମତାଇବ ନାହିଁ । ତମ ପାଇଁ ମୁଁ ଆଉ ବାର ଲୋକଙ୍କ ଠାରୁ ଅପମାନ ସହି ପାରିବି ନାହିଁ । ତମେ ଯଦି କିଛି ନକରି ସୁନାପିଲାଙ୍କ ଭଳି ଘରେ ବସି ରହିବ ତା’ହେଲେ ତମ ଉପରେ ମୁଁ ଆଉ କେବେହେଲେ ରାଗିବି ନାହିଁ ।

 

ନଳିନାକ୍ଷ ଓ ନୀଳିମା ରାଧାମଣିଙ୍କ କଥା ବୁଝି ପାରିଲେ ନାହିଁ । ଦୁହେଁଯାକ କ୍ଷଣକାଳ ନୀରବ ହୋଇ ଠିଆ ହେଲେ । ନଳିନାକ୍ଷ ସନ୍ଦେହଟାକୁ ଦୂରୀଭୂତ କରିବା ପାଇଁ ପଚାରିଲା–ବୋଉ, କିଏ ତତେ କ’ଣ କହିଛି ? କିଏ ତତେ ପଦେ କହିଦେଲା ବୋଲି, ତୁ ଆଜି ଏଭଳି ନିରାଶାର ବାଣୀ ଆମକୁ ଶୁଣାଉଛୁ ? ବାର ଲୋକଙ୍କ କଥା ତୁ କାହିଁକି ଶୁଣିବାକୁ ଯାଉଛୁ କହିଲୁ ?

 

ରାଧାମଣି ଛଳ ଛଳ କଣ୍ଠରେ କହିଲେ–ସମସ୍ତେ ତ କହୁଛନ୍ତି ! କିଏ ଅବା ଗାଁରେ ନ କହୁଛି କହିଲୁ ? ତୁ ତ ସବୁବେଳେ ବାୟା ପାଗଳାଙ୍କ ପରି ଦେଶ କାମରେ ଲାଗିଲୁ । ଦେଶକୁ ସ୍ଵାଧୀନ କରିବା ପାଇଁ ଅଣ୍ଟା ଭିଡ଼ିଲୁ । ଏଣେ ତତେ ଗାଁ ଲୋକେ ନିଆଁପାଣି ବନ୍ଦ କରି ତୋ ସହ ଅସହଯୋଗ କରିବେ ବୋଲି ତିଆର ହେଲେଣି । ତୋ ଘର ସହିତ ତମ ଗାଁର ଲୋକେ ସମସ୍ତ ସମ୍ପର୍କ ଛିନ୍ନ କରିବେ ବୋଲି ପ୍ରତିଜ୍ଞାବଦ୍ଧ ହେଲେଣି ।

 

ଏଇ ବଂଶ ଉପରେ ଇତର ଲୋକଙ୍କ ଆକ୍ରମଣକୁ ରାଧାମଣି କେତେକାଳ ସହିଯିବ ? ତା’ର ଶ୍ୱଶୁରଙ୍କର ବୁନିଆଦି ଥିଲା–ପ୍ରତିପତ୍ତି ଥିଲା । ଦକ୍ଷିଣରାୟ ବଂଶର ଇଜ୍ଜତ୍‍ ଏ ଗାଁର କାହାକୁ ଅବିଦିତ ନଥିଲା । ରାଧାମଣିର ସ୍ଵାମୀ ନାହିଁ ବୋଲି, ଶ୍ୱଶୁର ନାହିଁ ବୋଲି ଏ ଗାଁ ଲୋକେ ସେଇ ଉଜ୍ଜ୍ୱଳ ବଂଶର ପରମ୍ପରା ଉପରେ ପାହାର ଦେବାକୁ ଆଜି ତିଆର । ଏଡ଼େ ଦିମାକ୍‍ ସେମାନଙ୍କର-? ତମେ ଦିହେଁ ଯାହା କହ, ଯାହା କର ପଛେ, ଦକ୍ଷିଣରାୟ ବଂଶକୁ ଧୂଳିସାତ୍‍ କରିବାକୁ ଟିକିଏହେଲେ ଅବକାଶ ମୁଁ ଦେବିନି । ଏ ବଂଶର ଗୌରବକୁ ଅକ୍ଷୁଣ୍ଣ ରଖିବା ପାଇଁ, ସ୍ଵାମୀ, ଶ୍ୱଶୁର ପ୍ରଭୃତିଙ୍କର ସ୍ଵର୍ଗତଃ ଆତ୍ମାର ବଡ଼ିମାକୁ ଅପ୍ରତିହତ ରଖିବାପାଇଁ ମୋ ସାଧ୍ୟମତେ ଲଢ଼ାଇ କରିବି-

 

ନଳିନାକ୍ଷ ରାଧାମଣିଙ୍କୁ ଏକ ଧ୍ୟାନରେ ବିସ୍ମିତ ବିସ୍ଫାରିତ ନୟନରେ ଚାହିଁଛି । ଭାବୁଛି ବୋଉର ଆଜି ଏ କି ପରିବର୍ତ୍ତନ ! କେବେହେଲେ ତାକୁ ଏଭଳି ରୂପରେ, ଉତ୍ତେଜିତ ସ୍ୱର ଭଙ୍ଗୀରେ କଥା କହିବାର ଦେଖି ନଥିଲା । ଆଜି ଭାବପ୍ରବଣା ହୋଇ ବଂଶ ଗୌରବର ସମ୍ମାନକୁ ଅକ୍ଷୁଣ୍ଣ, ଅପ୍ରତିହତ ରଖିବା ପାଇଁ, ତା’ ସ୍ୱର ଭଙ୍ଗୀରେ ବିପ୍ଳବର ଝନତ୍‍କାର କାହିଁକି ?

 

ନଳିନାକ୍ଷ ଦବିଲା ଦବିଲା ସ୍ୱରରେ ପଚାରିଲା–ତତେ କିଏ କ’ଣ ଆଜି କହିଲା ମତେ କହ ଆଗ । ତା’ପରେ ସିନା ଘଟଣାଟା ବୁଝିବି ।

 

ରାଧାମଣି କହିଲେ–ନିଆଁପାଣି ବନ୍ଦ କରିବା ପାଇଁ ଏ ଗାଁରେ ମେଳି ବନ୍ଧା ସରିଲାଣି । ଆଜି ସନ୍ଧ୍ୟାବେଳେ ଲୋକନାଥ ଆସିଥିଲେ । ଗାଁ ଲୋକେ ତାଙ୍କୁ ଶେଷଥର ପାଇଁ ମୋ ପାଖକୁ ପଠାଇ ଥିଲେ । ଗାଁ ଲୋକଙ୍କର ପ୍ରସ୍ତାବ ହୋଇଛି–ତୁ ଯଦି ହରିଜନଙ୍କ ସାଙ୍ଗରେ ନ ମିଶିବୁ, ସ୍ୱାଧୀନତା ସଂଗ୍ରାମରେ ଝାସ ଦେବାପାଇଁ ସେମାନଙ୍କୁ ନ ମତାଇବୁ, ତା’ହେଲେ ଏ ଘର ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ସେ କରିବେ ନାହିଁ । ଯଦି ଏ ପ୍ରସ୍ତାବଗୁଡ଼ିକ ତୁ ପ୍ରତ୍ୟାଖ୍ୟାନ କରିବୁ, ତା’ହେଲେ ସବୁ କଥାରେ ଗାଁ ଲୋକେ ତୋ ସହ ଅସହଯୋଗ କରିବେ । ତେଣୁ ବାବା, ପୁଣି ଥରେ ତମ ଦିହିଁଙ୍କୁ କହୁଛି, କ’ଣ ମିଳିବ ଆମକୁ ସେ ସ୍ୱାଧୀନତାରୁ ? ଦେଶର କଲ୍ୟାଣ ପାଇଁ, ଦେଶବାସୀଙ୍କର ମଙ୍ଗଳ ସାଧନ ପାଇଁ ତୁ ଯଦି କାମ କରି ସେମାନଙ୍କ ଠାରୁ ସ୍ନେହ, ସହାନୁଭୂତି ଓ ସହଯୋଗ ନପାଇ ପାରିଲୁ, ତା’ହେଲେ ଆଉ କାହିଁକି ମାତିଛୁ ସେଥିରେ ?

 

ନଳିନାକ୍ଷ ସବୁ ଶୁଣିବାରେ ଲାଗିଛି–ନୀଳିମା ମଧ୍ୟ ଉତ୍‍କର୍ଣ୍ଣ ହୋଇ ଶୁଣି ଚାଲିଛି । ରାତି ଅନେକ ହୋଇ ଗଲାଣି । ଶୁକ୍ଳ ପକ୍ଷର ଜହ୍ନ ସାରି ସାରି ବାଦଲ ଭିତରେ ଲୁଚି ଲୁଚି ଯାଉଛି । ତାରକା ଖଚିତ ନୀଳ ଆକାଶରେ ମେଘ ଘୋଟି ଘୋଟି ଆସିଲାଣି ।

 

ନଳିନାକ୍ଷ କହିଲା–କେହି ତୋର କିଛି କରି ପାରିବେ ନାହିଁ, ବୋଉ । ତୋ ବଂଶ ଗୌରବର ଉଜ୍ଜ୍ୱଳ ପରମ୍ପରାକୁ ମୁଁ କେବେହେଲେ ଧୂଳି ଧୂସରିତ କରି ଦେବାକୁ ଅବକାଶ ଦେବି ନାହିଁ । ତୋ ବଂଶ ଗୌରବକୁ ମୁଁ ଯଦି ଭୂଲୁଣ୍ଠିତ କରିବାରେ ସାହାଯ୍ୟ କରିବି, ତା’ହେଲେ ଏ ବଂଶର ମୁଁ ତ ହେବି ସବୁଠାରୁ ଅଯୋଗ୍ୟ, ଅପଦାର୍ଥ ଦାୟାଦ ।

 

କିନ୍ତୁ ଗାଁ ଲୋକଙ୍କ କଥାରେ ତୁ ଡରିବାର କୌଣସି କାରଣ ନାହିଁ । ଲୋକନାଥ ଦାଦାଙ୍କ କଥା ତତେ ସିନା ଜଣା ନାହିଁ, କିନ୍ତୁ ଏ ଗାଁର ତାଙ୍କୁ କିଏ ନ ଜାଣେ ? ପୁଣ୍ଡରୀକାକ୍ଷ ଶତପଥି ତାଙ୍କର ଚାଳକ ଏଇନେ ବୋଉ ! ଗାଁର ଅଧିକାଂଶ ଲୋକେ ମତେ ଶ୍ରଦ୍ଧା କରନ୍ତି । ମୋ କାମରେ ଉତ୍ସାହ ପ୍ରଦର୍ଶନ କରନ୍ତି । ତେଣୁ ମୋ ବିରୁଦ୍ଧରେ ସେମାନେ କେବେ ଯିବେନାହିଁ ।

 

ହୁଏତ ଲୋକନାଥ ଦାଦା ଏବଂ ପୁଣ୍ଡରୀକାକ୍ଷ ଶତପଥି ସେମାନଙ୍କୁ ପ୍ରରୋଚିତ କରିଥିବେ । ଏମାନେ ଲୋକଙ୍କୁ ଯେତେ ମତାନ୍ତୁ, ମୋ ବିରୁଦ୍ଧରେ ପ୍ରରୋଚିତ କରନ୍ତୁ, ମତେ ଯେବେ ସେମାନେ ସମ୍ମୁଖରେ ଦେଖିବେ, ସେମାନେ କିଛି କରିବେ ନାହିଁ । ଏ ଆତ୍ମବିଶ୍ଵାସ ଅଛି ମୋର ବୋଉ ।

 

ତା’ଛଡ଼ା ଗାଁ ଲୋକେ ଯଦି ଆମକୁ ନିଆଁପାଣି ବନ୍ଦ କରନ୍ତି, ତା’ହେଲେ ଆମର କ’ଣ କ୍ଷତି ହୋଇଯିବ କହିଲୁ । ହରିଜନ ସାହିର ଲୋକେ ଆମକୁ ଆସି ସବୁ କଥାରେ ତ ସାହାଯ୍ୟ କରିବେ । ସେଥିପାଇଁ ଏତେ ଚିନ୍ତା କ’ଣ ?

 

ଦେଶର ଏ ଘଡ଼ିସନ୍ଧି ମୁହୂର୍ତ୍ତରେ ବୋଉ, ତୋ ଭଳି ଜନନୀ ପକ୍ଷେ ଏଭଳି ଅଧୈର୍ଯ୍ୟ, ବିଚଳିତ ହେବା ଆଦୌ ମଙ୍ଗଳସୂଚକ ନୁହେଁ । ଏଇ ସାମାନ୍ୟ ଧମକରେ ତୁ ଯଦି ଭାଙ୍ଗିପଡ଼ୁ ମୋ ଉପରେ ତୋର ଜନନୀସୁଲଭ ପ୍ରଭାବ ପକାଉ, ତା’ହେଲେ ଦେଶର ଅବସ୍ଥା କ’ଣ ହେବ ଚିନ୍ତା କରି ପାରୁଛୁ ?

 

ଦେଶର ନେତୃସ୍ଥାନୀୟ ଲୋକେ ଆଜି ଜେଲଖାନାର ପାଚେରୀ ତଳେ ସଢ଼ିବାରେ ଲାଗିଛନ୍ତି । ଅନେକେ, ବ୍ରିଟିସ୍‍ ସରକାର ଆଖିରେ ଧୂଳି ଦେଇ ଅଣ୍ଡର ଗ୍ରାଉଣ୍ଡରେ ଲୁଚି ଲୁଚି ରହିଛନ୍ତି । ମୋରି ଭଳି କେତେଜଣ ଜାତୀୟବାଦୀ ଯୁବକ ଏଇ ଘଡ଼ିସନ୍ଧି ବେଳେ ଯଦି ଆତ୍ମଘାତୀ ନୀତି ଧରି ବସନ୍ତି, ମୋ ଦେଶର ସ୍ୱାଧୀନତା ସୁଦୂର ପରାହତ ହେବ ବୋଉ । ଗୋଟିଏ ଜାଗ୍ରତ ଜାତି ହୁଏତ ତା’ର ସ୍ୱାଧୀନତା ପ୍ରାପ୍ତିରୁ ବଞ୍ଚିତ ହେବ ।

 

ତୁ ଜନନୀ । ମୋ ଭଳି କୋଟିଏ ଯୁବକର ଜନନୀ । ତୁ ଯଦି ଦେଶର ଏଇ ଦୁର୍ଦ୍ଦିନରେ ମତେ ଏକାନୁହେଁ, ମୋ ଭଳି କୋଟିଏ ଅଗ୍ରଗାମୀ, ସ୍ଵାଧୀନତା ପାଗଳ ଯୁବକଙ୍କୁ ଆଶୀର୍ବାଦ କରିବୁ, କଲ୍ୟାଣ ଢାଳିବୁ ଆଉ ଶୁଭ ମନାସି ପାରିବୁ, ତେବେ ଏ ଦେଶର ସ୍ଵାଧୀନତା ସମର ଫଳପ୍ରସୂ ହେବ । ଏହି ସଂଗ୍ରାମକୁ କେହିହେଲେ, କୌଣସି ଉପାୟରେ ଖର୍ବ କରି ପାରିବେ ନାହିଁ । ଏ ଦେଶର ସ୍ଵାଧୀନତା ଅନିବାର୍ଯ୍ୟ ହୋଇ ଉଠିବ ।

 

ନଳିନାକ୍ଷ ଅନର୍ଗଳ କହି ଚାଲିଛି...

 

ରାଧାମଣି ମଧ୍ୟ ନଳିନାକ୍ଷର ଉଷ୍ମ ଉପଦେଶରେ ସ୍ଵଦେଶବତ୍ସଳତାର ଲଘୁ ଉତ୍ତେଜନ ମନ ଭିତରେ ଅନୁଭବ କରୁଛନ୍ତି । କେତେ ସମୟ ଆଗରୁ ନଳିନାକ୍ଷ ଓ ନୀଳିମାକୁ ଶାସନ କରିବା ପାଇଁ ସେ ଯେଉଁ ଅସହଯୋଗ ବାତାବରଣର ଆଶ୍ରୟ ନେଇଥିଲେ, ସେ ବାତାବରଣ ଧୀରେ ଧୀରେ ଅପସରି ଯାଉଛି ।

 

ନଳିନାକ୍ଷ କହିଲା–ଚାଲ ବୋଉ, ଆମକୁ ଖାଇବାକୁ ଦେବୁ । ଭାରି ଭୋକ ହେଲାଣି ।

 

ନୀଳିମା କହି ଉଠିଲା–ସତରେ ବୋଉ ତୁ ଏପର୍ଯ୍ୟନ୍ତ ଆମର ଖାଇବା ଯୋଗାଡ଼ ନ କରି ରୁଷି ବସିଛୁ ?

 

ରାଧାମଣି ଅତୀତର ସବୁ ରାଗ, ରୋଷ ଓ କ୍ରୋଧ ଭୁଲିଯାଇ ନିଜ ପୁଅ ଝିଅଙ୍କୁ ଏପର୍ଯ୍ୟନ୍ତ ଖାଇବାକୁ ଦେଇ ନାହାନ୍ତି ଜାଣି, ରୋଷ ଘରକୁ ଚାଲି ଯିବାକୁ ଉଦ୍ୟତ ହେଉଥିଲେ । ସେତିକିବେଳେ ନୀଳିମା ଦଉଡ଼ି ଆସି ତାଙ୍କ ହାତ ଧରିପକାଇ କହିଲା–ଏଣିକି ଆମ ଦୁହିଁଙ୍କ ଉପରେ ତୁ ଆଉ ରାଗିବୁନି ତ ?

 

ରାଧାମଣି ହସି ଉଠିଲେ । ନୀଳିମା ଓ ନଳିନାକ୍ଷକୁ ଦୁଇ ପାଖକୁ ଟାଣି ଆଣି ନିବିଡ଼ ଆଲିଙ୍ଗନ ଓ ଆଶ୍ଳେଷ କଲେ । ଏଇ ନିବିଡ଼ ଆଶ୍ଳେଷ ଓ ଆଲିଙ୍ଗନର ଉତ୍ତାପରେ ତାଙ୍କର ଦୁଇ ଆଖିରୁ ଝରି ପଡ଼ିଲା ଦୁଇ ଟୋପା ଆନନ୍ଦାଶ୍ରୁ ।

 

ରାଧାମଣି ଲୁହ ପୋଛିଦେଇ କହିଲେ–ଭଗବାନ ତମ ଦୁହିଁଙ୍କୁ ଆୟୁଷ ଦେଇ ଦୀର୍ଘାୟୁ କରନ୍ତୁରେ । ମୋର ଆଉ କିଛି ଦରକାର ନାହିଁ ।

 

ନୀଳିମା ରାଧାମଣିଙ୍କ ଉପରେ ଆହୁରି ଜୋର୍‍ କରି ଛୋଟ ପିଲାଙ୍କ ଭଳି ଓହଳି ପଡ଼ିଥିବାରୁ, ନଳିନାକ୍ଷ କହିଲା–ଆରେ ବୋଉକୁ ଛାଡ଼ । ରୋଷେଇ ସରିଲେ ପରା ଆମେ ଖାଇବା-। କେତେ ରାତି ହେଲାଣି ଜାଣିଚୁଟି ?

 

ନୀଳିମା ଓ ନଳିନାକ୍ଷ ରାଧାମଣିଙ୍କୁ ଛାଡ଼ିଦେଲେ । ସେ ଗଲେ ରୋଷ ଘରକୁ ।

 

ଆକାଶରୁ ମେଘ କଟି ଗଲାଣି । ମେଘର ଫାଙ୍କେ ଫାଙ୍କେ ଉଠି ଆସୁଥିଲା ବୈଶାଖର ଫାଜିଲ୍‍ ଓ ଦୁର୍ବିନୀତ ଜହ୍ନ ।

 

ରାତି ପାହି ସକାଳ ହେଲା । ରାଧାମଣି ଉଠି ଘର ଓ ଅଗଣା ପହଁରିବାରେ ଲାଗିଛନ୍ତି । ନଳିନାକ୍ଷ ଓ ନୀଳିମା ଏପର୍ଯ୍ୟନ୍ତ ବିଛଣା ଛାଡ଼ି ନାହାନ୍ତି ।

 

ଲୋକନାଥ ବାହାରେ ଠିଆ ହୋଇ ‘ନୂଆବୋଉ, ନୂଆବୋଉ’ ଡକା ଛାଡ଼ିଛନ୍ତି ।

 

ରାଧାମଣି କବାଟ ଖୋଲିଲେ । ପଚାରିଲେ–ଏତେ ସକାଳୁ କୁଆଡ଼େ ଲୋକନାଥ ?

 

ଲୋକନାଥ କହିଲେ–ନଳିନାକ୍ଷକୁ ମୁଁ ନିଜେ ଗାଁ ଲୋକଙ୍କ ତରଫରୁ ପଚାରି କଥାଟା ଆଦାୟ କରିବାପାଇଁ ଆସିଛି । ତା’ଠାରୁ ଜାବବ୍‍ ପାଇ ସାରିଲେ ଆମର ଯାହା କରିବାର କଥା ଆମେ କରିବୁ । ସେ ଅଛି ତ ନୂଆବୋଉ ?

 

ରାଧାମଣି କହିଲେ–ସେ ଶୋଇଛି ତ ! କାଲି କେତେ ରାତିରେ ଘୂରି ଘୂରି ଆସି ଥକ୍‍କା ହୋଇ ଶୋଇ ଯାଇଛି । ତାକୁ ଆଉ କ’ଣ ପଚାରିବ ତମେ ? ସେ ତ ଯେମିତି ପିଲା ଜାଣ-! ତା’ ଜିଦ୍‍ରୁ ସେ କେବେହେଲେ ଟଳିବ ବୋଲି ତମେ କ’ଣ ଭାବୁଛ ? ସ୍ୱାଧୀନତା ଆନ୍ଦୋଳନରୁ ଫେରାଇ ଆଣିବା ପାଇଁ ମୁଁ ଯେତେ ଚେଷ୍ଟା କରିଛି, ସବୁବେଳେ ମୋ ଚେଷ୍ଟା ବ୍ୟର୍ଥ ହୋଇ ଯାଇଛି-। ତମେ ଯେତେବେଳେ ନିଜେ ଆସିଛ, ତା’ ମତାମତ ଥରେ ଜାଣିବା ଉଚିତ । ଆଚ୍ଛା, ଏଇଠି ବସ ମୁଁ ତାକୁ ଡାକି ଦେଉଛି ।

 

ରାଧାମଣି ଲୋକନାଥଙ୍କୁ ଚଟ ଖଣ୍ଡିଏ ବସିବାକୁ ଦେଇ ନଳିନାକ୍ଷକୁ ଡାକିବାକୁ ଗଲେ ।

 

ଲୋକନାଥ ବସି ଭାବୁଛନ୍ତି, ନଳିନାକ୍ଷ ଯେଭଳି ପିଲା ତା’ ଆଗରେ ଯୁକ୍ତି କରି ମୁକ୍ତି ପାଇବା କାଠିକର ପାଠ । ମାତ୍ର ସେ ସ୍ୱାଧୀନତା ପାଇଁ ଯାହା କଲା କଲା ଦୁଃଖ ନାହିଁ କିନ୍ତୁ ସେ ଯେ ପୁଣ୍ଡରୀକାକ୍ଷ ଓ ତାଙ୍କର ଅର୍ଥକାରୀ ବ୍ୟବସାୟରେ ବ୍ୟାଘାତ ସୃଷ୍ଟି କରୁଛି, ତାହାହିଁ ସବୁଠାରୁ ଦୁଃଖର କଥା । ସେ ଯଦି ସେତକ ସେ ଦୁହିଁଙ୍କୁ ପାଇବାର ସୁବିଧା ଓ ସୁଯୋଗ ଦିଅନ୍ତା, ସେ ଯାହା କରନ୍ତା ସେଥିରେ ସେମାନଙ୍କର ଆପତ୍ତି କରିବାର କିଛି ନଥିଲା ।

 

ପୁଣି ଏଇ ନଳିନାକ୍ଷର ପ୍ରଭାବ ଓ ପ୍ରରୋଚନାରେ ପଡ଼ି ଇତର ଲୋକଗୁଡ଼ାକ ଯାହା ହେଉଛନ୍ତି, ସେଗୁଡ଼ିକ ବରଦାସ୍ତ କରିବା ତାଙ୍କ ପକ୍ଷେ ନିହାତି ଅସହ୍ୟ । ଯୁଗ ଯୁଗ ଧରି ଯେଉଁ ହରିଜନମାନେ ଅନ୍ଧାକାରରେ ସଢ଼ି ସଢ଼ି ସମାଜରେ ପତିତ, ଅସ୍ପୃଶ୍ୟ ଓ ଘୃଣିତ ଅବସ୍ଥାରେ ରହିଥିଲେ, ସେହିମାନଙ୍କୁ ପ୍ରଶ୍ରୟ ଦେଇ, ସ୍ଵାଧୀନତା ଆନ୍ଦୋଳନର ସୈନିକ କରାଇଛି । ପୁଣ୍ଡରୀକାକ୍ଷ ଓ ସେ ଦୁହେଁ ବଞ୍ଚିଥାଉଁ ଏ ସବୁ ଅନୀତି ଓ ଅନ୍ୟାୟ କେବେହେଲେ ବରଦାସ୍ତ କରିବେ ନାହିଁ । ନଳିନାକ୍ଷର ମେରୁଦଣ୍ଡ ଭାଙ୍ଗିଦେଲେ, ସବୁ ଠିକ୍‍ଠାକ୍‍ ହୋଇଯିବ ।

 

ଲୋକନାଥ ଏଇଭଳି ବସି ଭାବୁଛନ୍ତି । ନଳିନାକ୍ଷ ଆଖି ମଳି ମଳି ତାଙ୍କ ନିକଟରେ ଆସି ପହଞ୍ଚିଲା । ଲୋକନାଥଙ୍କୁ ଦେଖି କହିଲା–ଏତେ ସକାଳୁ କୁଆଡ଼େ ଦାଦା ? ମୋ ପାଖରେ ତମର ତ କେବେ କାମ ନଥାଏ । ଆଜି ଏମିତି ଏଡ଼େ ଜରୁରୀ କାମ କ’ଣ ଥିଲା ଯେ, ସକାଳୁ ଆସି ହାଜର ।

 

ଲୋକନାଥ ଶୁଖିଲା ହସର ଢେଉ ଭାଙ୍ଗି କହିଲେ–ଏଇମିତି ଚାଲି ଆସିଲି । ଆଉ ତୋର କ’ଣ ଖବର ବାବା କହ ? ସତରେ କ’ଣ ତମମାନଙ୍କର କଳ୍ପନା ସାର୍ଥକ ହେବ ?

 

ନଳିନାକ୍ଷ ତାଙ୍କ ପାଖରେ ବସିଯାଇ କହିଲା–କୁଆଡ଼େ ଆସିଛ ସତରେ କହିଲ ଦାଦା ? ତମ ଆସିବା ମୂଳରେ କି ଉଦ୍ଦେଶ୍ୟ ନିହିତ ଅଛି ?

 

ଲୋକନାଥ ଗଳା ଝାଡ଼ି କହିଲେ–ଏଇ ଆସିଥିଲି ତୋରି ପାଖକୁ । ଗାଁ ଲୋକଙ୍କର ଏକ କଥା, ତତେ ନିଆଁପାଣି ଅଟକ କରିବେ । ପାଣ କଣ୍ଡରାଙ୍କ ସଙ୍ଗେ ମିଶିଛୁ, ତାଙ୍କ ଘରେ ପଶି ଆପଣାର ଜ୍ଞାତିକୁଟୁମ୍ବଙ୍କ ଭଳି ଚଳୁଛୁ ବୋଲି ସାହି ଲୋକଙ୍କର ତୁମୂଳ ପ୍ରତିବାଦ ! ତୁ ଏଭଳି, ମିଶିବା ଦ୍ଵାରା ସେମାନଙ୍କର ମଗଜ ବଢ଼ିଯାଇଛି । ସେମାନେ ହଳ କରିବାକୁ ଆସୁ ନାହାନ୍ତି, ମୂଲ ଲାଗିବାକୁ ଯାଉ ନାହାନ୍ତି । ସବୁ କଥାରେ ଚରମ ଔଦ୍ଧତ୍ୟ ପ୍ରକାଶ କରୁଛନ୍ତି । ତୁ ଯଦି ସେମାନଙ୍କ ସଙ୍ଗେ ନ ମିଶି ଗାଁ ଲୋକଙ୍କ ସଙ୍ଗେ ଚଳିବୁ, ତା’ହେଲେ ଭଲ । ନ ହେଲେ ଆଜିଠାରୁ ତୋତେ ସବୁ କଥାରେ ଗାଁ ଲୋକେ ଅସହଯୋଗ କରିବେ ।

 

ସକାଳ ପରି ନଳିନାକ୍ଷଙ୍କ ଶାନ୍ତ ହୃଦୟ କ୍ଷଣକମାତ୍ରେ ମଧ୍ୟାହ୍ନର ସୂର୍ଯ୍ୟ ପରି ପ୍ରଚଣ୍ଡ ହୋଇ ଉଠିଲା । କଣ୍ଠରେ ଉତ୍ତେଜନାର ଭଙ୍ଗୀ ଫୁଟାଇ କହିଲା–ତମକୁ ଗାଁ ଲୋକେ ପଠାଇଛନ୍ତି ନା ତମେ ନିଜେ ଆସିଛ ମୋ ପାଖକୁ ଲୋକନାଥ ଦାଦା ? ଏଇ ଗାଁରେ ମୋ ଘର । ଗାଁ ଲୋକଙ୍କର ମତାମତ କେବଳ ଯେ ତମଦ୍ୱାରା ନିୟନ୍ତ୍ରିତ ହୁଏ, ଏ କଥା ମତେ ଆଉ ଅବିଦିତ ନାହିଁ-। ମାତ୍ର ଏସବୁ କାହାର ଚକ୍ରାନ୍ତ ଲୋକନାଥ ଦାଦା ? ପୁଣ୍ଡରୀକାକ୍ଷ ଶତପଥି ଓ ତମେ ଦୁହେଁଯାକ ଏଇ ଅସହଯୋଗ ପଛରେ କ’ଣ ନାହଁ ?

 

ହଠାତ୍‍ ଲୋକନାଥ ନିଜକୁ ରକ୍ଷା କରିବା ପାଇଁ କହିଲେ–ଆରେ ମତେ ଭୁଲ୍‍ ବୁଝନି ନଳିନାକ୍ଷ । ତୁ ତ ମୋତେ ଦୋଷୀ ସାବ୍ୟସ୍ତ କରିବୁ ବୋଲି ମୁଁ ତମ ଘରକୁ ଆସୁ ନଥିଲି । କିନ୍ତୁ ଗାଁ ଲୋକେ ମୋ ଇଚ୍ଛା ବିରୁଦ୍ଧରେ ତୋ ପାଖକୁ ମତେ ପଠାଇଲେ ।

 

ଏତିକିବେଳେ ରାଧାମଣି ଓ ନୀଳିମା ଏଇ ଆଲୋଚନା କ୍ଷେତ୍ରକୁ ଚାଲି ଆସିଲେ ।

 

ରାଧାମଣିଙ୍କୁ ଦେଖି ଲୋକନାଥ କହିଲେ–ଦେଖ ନୂଆବୋଉ–ଶଶୀ ଭାଇଙ୍କ ସହ ମୋର ଯେଉଁ ସମ୍ପର୍କ ତମେ ତ ପୁଣି ନିଜ ଆଖିରେ ଦେଖିଥିଲ । ସେଇ ଶଶୀ ଭାଇଙ୍କ ପୁଅ ମୋ ସାମ୍‍ନାରେ କିଭଳି ଉତ୍ତର ଦେଉଛି ତମେ ଥରେ ଦେଖିନିଅ ।

 

ରାଧାମଣି ଉଭୟଙ୍କ ଆଡ଼କୁ ଅନାଇଁ ଅନାଇଁ ନୀରବ ରହିଲେ ।

 

ନଳିନାକ୍ଷ କହିଲା–ଅଟକ ଓ ଅସହଯୋଗ କରିବା ପାଇଁ ମୁଁ ତ ଆଗରୁ କଳ୍ପନା କରି ନେଇଥିଲି । ତମ ଦିହିଁଙ୍କ ସ୍ଵାର୍ଥରେ ଯେତେବେଳେ ଶୋଚନୀୟ ବାଧା ସୃଷ୍ଟି ହୋଇଛି, ସେତେବେଳେ ଯେକୌଣସି ଉପାୟରେ ତମେ ପ୍ରତିହିଂସା ପରାୟଣ ହୋଇ ପାରିଛ । ଏ କଥା କ’ଣ ମିଛ ଲୋକନାଥ ଦାଦା ।

 

ତମ ନେତୃତ୍ୱର ଆଜି ମ୍ଳାନ ପଡ଼ିଯାଇଛି । ତମ ଦିହିଁଙ୍କ କଥାକୁ ଗାଁ ଲୋକେ ବେଦ ବାକ୍ୟ ଭଳି ଯେପରି ଗ୍ରହଣ କରୁଥିଲେ ଆଜି ସେଭଳି କରିବାକୁ କୁଣ୍ଠାବୋଧ କରୁଛନ୍ତି । କାହିଁକି ? ତମେ କ’ଣ ଏତକ ବୁଝିପାରୁନ ଦାଦା ?

 

ଲୋକନାଥ ଉତ୍ତେଜିତ ହୋଇ ଉଠିଲେ । ନଳିନାକ୍ଷଙ୍କ କଥା ସେ ଆଉ ବରଦାସ୍ତ କରି ପାରିଲେନି । କହିଲେ–ମୋର ସ୍ଵାର୍ଥରେ କି ଆଞ୍ଚ ଆଇଛି ? ମୁଁ କାହିଁକି ଈର୍ଷା କାତର ଓ ହିଂସା ପରାୟଣ ହୋଇ ଉଠିବି ନଳିନାକ୍ଷ ? ତୁ ଯେ କ’ଣ କହୁଛୁ ମୁଁ ବୁଝିପାରୁନି । ଗାଁ ଲୋକେ ସବୁଦିନେ ଆମ କଥା ଯେଭଳି ମାନୁଥିଲେ, ଆଜି ମଧ୍ୟ ସେମିତି ମାନି ଚଳୁଛନ୍ତି । ତୁ ଅଯଥାରେ ସକାଳୁଟାରୁ କାହିଁକି ଏଭଳି ଅପମାନ କରୁଛୁ ।

 

ନଳିନାକ୍ଷ ହସି ହସି କହିଲା–ତମ ଟାଉଟରିରେ କ’ଣ ବ୍ୟାଘାତ ସୃଷ୍ଟି ହୋଇନାହିଁ । ଏ ଅଞ୍ଚଳର ଲୋକମାନଙ୍କ ଅଜ୍ଞତାର ସୁଯୋଗ ନେଇ ତମେ ଦୁହେଁ କ’ଣ ନ କରିଛ ଦାଦା ? ତମେ ଦୃଢ଼ତାର ସହିତ କହିପାରିବ, ତମ କଥା ଗାଁ ଲୋକେ କ’ଣ ଗ୍ରହଣ କରୁଛନ୍ତି । ଯେଉଁ ହରିଜନମାନଙ୍କୁ କାଳକାଳ ଧରି ଶୋଷଣ କରି ଅଜଗର ସାପ ଭଳି ରଖାଇ ଦେଇଥିଲ, ଆଜି ସେହିମାନଙ୍କ ମୁହଁରେ କଥା କହିବାକୁ ତମର କ’ଣ ସାହସ ଅଛି ? ଯୁଗ ବଦଳୁଛି ଲୋକନାଥ ଦାଦା । ତେଣୁ ତମେ ଅନ୍ତତଃ ବଦଳିବାକୁ ଚେଷ୍ଟା କର, ତମେ ଯଦି ନ ବଦଳିବ, ଦୃଷ୍ଟିକୋଣ ପରିବର୍ତ୍ତିତ ନ କରିବ, ତା’ହେଲେ ତମେ ପଡ଼ି ରହିବ ଏଇ ଗାଁରେ ଏକ ପରିତ୍ୟକ୍ତ ପ୍ରାଗୈତିହାସିକ ସରୀସୃପର ନିର୍ମୋକ ପରି । ଗାଁର ଅନ୍ୟମାନେ ଯୁଗର ଅଗ୍ରଗତି ସହିତ ତଳ ମିଳାଇ ବେଶ୍‍ ସ୍ଵଚ୍ଛନ୍ଦରେ ଚାଲିପାରିବେ ।

 

ଲୋକନାଥଙ୍କ ଉତ୍ତେଜନା ସୀମା ଲଙ୍ଘିବାକୁ ବସିଲାଣି । ମାତ୍ର ନଳିନାକ୍ଷ ଭଳି ଏକ ନିର୍ଭୀକ, ନିରପେକ୍ଷ ଓ ଦୃଢ଼ ଯୁବକ ପାଖରେ ସେ କିଭଳି ତାଙ୍କ ବ୍ୟକ୍ତିତ୍ୱର ବଡ଼ିମା ବଖାଣିବେ, ଜାଣିପାରି ନାହାନ୍ତି । ନଳିନାକ୍ଷ ଯାହା କହୁଛି, ସେଥିରେ ଅଣୁମାତ୍ର ମିଥ୍ୟା ନାହିଁ ।

 

ଏଇମିତି ଏକ ଦ୍ଵନ୍ଦ୍ୱ ଭିତରେ ଗତି କରି ଲୋକନାଥ କହିଲେ–ହରିଜନମାନେ ଆଜି ତୋରି ପାଇଁ ନାଗସାପ ପାଲଟିଯାଇଛନ୍ତି । ନହେଲେ ପୁରୁଷ ପୁରୁଷ ଧରି ଯେଉଁମାନେ ଆମର ସେବା ଓ ଭକ୍ତି କରି ଆସିଥିଲେ, ସେ ସବୁ ପାରମ୍ପରିକ ଚଳଣିରେ ଏଡ଼େ ହଠାତ୍‍ ବ୍ୟତିକ୍ରମ ଘଟନ୍ତା କିପରି ? ଆଚ୍ଛା କହିଲୁ ବାବା–ସ୍ୱାଧୀନତାର ଅର୍ଥ ସେମାନେ କ’ଣ ବୁଝନ୍ତି ? ବାନର ସେନାଙ୍କ ପରି ତୋ ପିଛା ସିନା ସେମାନେ ଧରିଛନ୍ତି, ନହେଲେ ଆଉ କ’ଣ ଜାଣନ୍ତି କହିଲୁ ?

 

ନଳିନାକ୍ଷ କହିଲା–ସ୍ୱାଧୀନତାର ଅର୍ଥ ସେମାନେ ତମଠାରୁ ବେଶ୍‍ ଭଲରୂପେ ବୁଝିଛନ୍ତି ଲୋକନାଥ ଦାଦା । ତମେ ଯଦି ପରୀକ୍ଷା କରିବାକୁ ଚାହଁ, ହରିଜନ ସାହିର ଯେକୌଣସି ଯୁବକକୁ ତମ ସହିତ ତୁଳନା କରିବାକୁ ଡାକି ପଠାଇବି । ସେମାନଙ୍କ ସହ ପ୍ରତିଯୋଗିତା କରିବାକୁ ତମର ସାହସ ଅଛି ତ ?

 

ଲୋକନାଥ କ୍ଳାନ୍ତ ହୋଇ ଉଠିଲେ । ନଳିନାକ୍ଷଠାରୁ ଏଭଳି କଠୋର ବାକ୍ୟ ନ ଶୁଣିବା ପାଇଁ ଯେତେ ଉପାୟ ଓ ଫିକର ପାଞ୍ଚି ନାନାଆଡ଼ୁ ନାନା କଥାର ଅବତାରଣା କଲେ ମଧ୍ୟ ସେ ବାରମ୍ବାର ଆଘାତ ଦେଉଛି । କାହିଁକି ? ପିଲାଟା କେଡ଼େ ଉଦ୍ଧତ ଓ ଉଶୃଙ୍ଖଳ ସତେ !

 

ଲୋକନାଥ କହିଲେ ଦେଖ ନୂଆବୋଉ, ମୁଁ ଯେଉଁଥି ପାଇଁ ଆସିଥିଲି, ସେ କଥା କାନକୁ ନେବାକୁ ନଳିନାକ୍ଷ ପୂରାପୂରି ଅସମ୍ମତ । ତେଣୁ ଶେଷକୁ ମୋ ଦୋଷ ତମେ ଯେପରି ନ ଦିଅ । ମୁଁ ଚାଲିଲି ।

 

ନଳିନାକ୍ଷ କହିଲା–ଶୁଣ ଦାଦା, ତମର ନିଆଁପାଣି ଅଟକ ରଖିବା ପାଇଁ ଯେଉଁ ପ୍ରସ୍ତାବ ଗୃହୀତ ହୋଇ ଯାଇଛି, ସେଥିପାଇଁ ତମମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି । ଆଉ ତମେ ସବୁ ଏଭଳି ପ୍ରସ୍ତାବ ଗ୍ରହଣ କରିବା ପୂର୍ବରୁ, ମୁଁ ସେହି ପରିସ୍ଥିତିକୁ ସମ୍ମୁଖୀନ ହେବାପାଇଁ, ଅନେକ ଦିନରୁ ପ୍ରସ୍ତୁତ ହୋଇ ସାରିଛି । ତମେ ଯାଅ ଦାଦା–ନିର୍ବିଘ୍ନରେ ତମେ ତମର ଆନ୍ଦୋଳନ ମୋ ବିରୁଦ୍ଧରେ ସୁର୍‍ କରିଦିଅ ।

 

ଲୋକନାଥ ପିଣ୍ଡା ତଳକୁ ଓହ୍ଲାଇ ପଡ଼ିଲେ । କହିଲେ–ଦେଖିବି ବାବା କିଭଳି ତୁ ଦେଶକୁ ସ୍ଵାଧୀନ କରିବୁ ? ନିହାତି ଛୋଟ, ହୀନ ଓ ଇତର ଜାତିକୁ ନେଇ ବ୍ରିଟିସ୍‍ ସରକାର ସହିତ ଲଢ଼ିବାକୁ କେତେଦୂର ତୋର କମରରେ ଶକ୍ତି ଅଛି, ସେ ସବୁ ପରୀକ୍ଷା ହୋଇଯିବ । ଏଡ଼େ ନିର୍ବୋଧ ତମେମାନେ । ପାଠ ପଢ଼ି କି ଜ୍ଞାନ ତମେମାନେ ଯେ ଅର୍ଜ୍ଜନ କଲ, ଆମେ କିଛି ବୁଝିପାରୁନୁ । ଶେଷକୁ ଗୋଟି ଗୋଟି ହୋଇ ଜିଅଲ୍‍ ଯିବ, ବନ୍ଧୁକରେ ପ୍ରାଣନାଶ ହେବ । ତମ ସ୍ଵାଧୀନତା ଲାଭ କରିବାର ଆଶା ବିଡ଼ମ୍ବିତ ହେବ ।

 

ନଳିନାକ୍ଷ ପୁଣି ଉତ୍‍କ୍ଷିପ୍ତ ହୋଇ କହି ଉଠିଲେ । କହିଲେ–ତମ ଭଳି ହଜାର ହଜାର, ଦେଶଦ୍ରୋହୀ ଓ ମାତୃଦ୍ରୋହୀ ଲୋକ ଏ ଦେଶର ସ୍ଵାଧୀନତା ଆନ୍ଦୋଳନକୁ ପଣ୍ଡ କରିଦେବାକୁ ଯେତେ ବାଧା ବିଘ୍ନ ଓ ଅନ୍ତରାୟ ସୃଷ୍ଟି କଲେ ମଧ୍ୟ, ଭାରତୀୟ ଜନତାର ଏ ଐକ୍ୟବଦ୍ଧ ଆନ୍ଦୋଳନ କେବେହେଲେ ବ୍ୟର୍ଥରେ ଯିବନି ଦାଦା । ବେଳ ଆସିବ ଦାଦା–ତମେ ମଧ୍ୟ ଦିନେ ଭାରତୀୟ ପାଗଳ ଜନତାର ପଛରେ ଜାତୀୟପତାକା ଧରି, ଭାରତ ମାତାର ବନ୍ଦନା ଗାଇ ଗାଇ, ଆଗେଇ ଚାଲିବ । ଅପେକ୍ଷା କର ।

 

ଲୋକନାଥ ଅଳ୍ପ ଆଗକୁ ଆଗକୁ ଚାଲିବାକୁ ଆରମ୍ଭ କରିଥିଲେ । ନଳିନାକ୍ଷର ଏଇ କଥା ଶୁଣି ପୁଣି ଟିକିଏ ଥମକି ଗଲେ । କହିଲେ–ଆଚ୍ଛା । ଦେଖିବା ବାବା, ତମେମାନେ ଦେଶଟାକୁ କିଭଳି ସ୍ଵାଧୀନତା କରିଦେବ ! ମୁଁ ଦଉଡ଼ିବି ପୁଣି ସ୍ଵାଧୀନତା ପାଇଁ ତମମାନଙ୍କ ପଛେ ପଛେ । ପୁଣି ସେହି ତିନି ରଙ୍ଗର ପତାକା ଧରି । ଅସମ୍ଭବ, ଅସମ୍ଭବ ନଳିନାକ୍ଷ ! ଲୋକନାଥ ପଟ୍ଟନାୟକ ପକ୍ଷେ ଏସବୁ ଅସମ୍ଭବ । ରଜା ବିରୁଦ୍ଧରେ କାର୍ଯ୍ୟ କରିବା କେଉଁ ପ୍ରଜାର କର୍ତ୍ତବ୍ୟ ? ଏ ଦେଶରୁ ବ୍ରିଟିସ୍‍ ରାଜ ଯଦି ଚାଲିଯାଏ, ଏ ବିରାଟ ଭୂଖଣ୍ଡକୁ କିଏ ଆଉ ଶାସନ କରିବ ? ଏ ଦେଶ ହୋଇ ଉଠିବ ରାଜାହୀନ । ଶାସନହୀନ । ଶୃଙ୍ଖଳାହୀନ । ଭାରତବର୍ଷର ଚାରିଆଡ଼େ ତମମାନଙ୍କ ପରି ଉଦ୍ଧତ ଓ ବିଦ୍ରୋହୀ ଯୁବକ ପଲ ପଲ ଘୂରି ରାଜ୍ୟରେ ଅରାଜକତା ସୃଷ୍ଟି କରିବେ । ଏସବୁ କଥାକୁ ଆମେ କେବେହେଲେ ସମର୍ଥନ ଜଣାଇ ନପାରୁ ନଳିନାକ୍ଷ । ଏସବୁ କଠୋର ହସ୍ତରେ ଦମନ କରିବା ପାଇଁ ବରଂ ଆମେ ମହାମାନ୍ୟ ବ୍ରିଟିସ୍‍ ସରକାରଙ୍କୁ ସାହାଯ୍ୟ କରିବୁ ।

 

ଆଚ୍ଛା ମୁଁ ଯାଉଛି । ତତେ କିନ୍ତୁ ନିଆଁପାଣି ବନ୍ଦ ।

 

ଲୋକନାଥ ଆଗେଇ ଚାଲିଲେ ।

 

ନଳିନାକ୍ଷ କହିଲା–ଆଚ୍ଛା । ମୋର କିଛି କ୍ଷତି ହେବନାହିଁ ଲୋକନାଥ ଦାଦା । ସବୁ କାମ ମୋର ସୁରୁଖୁରୁରେ ହୋଇଯିବ । କିନ୍ତୁ ତମେମାନେ ଏ ଦେଶର ଇତିହାସରେ ସର୍ବଶ୍ରେଷ୍ଟ ବିଶ୍ଵାସଘାତକ ଓ କୃତଘ୍ନରୂପେ ଲିପିବଦ୍ଧ ହୋଇ ରହିଯିବ ।

 

ଲୋକନାଥ ଅଦୃଶ୍ୟ ହୋଇଗଲେ ।

 

ରାଧାମଣି କହିଲେ–ଭଲ କଥା ହେଲାନାହିଁ ବାବା । କେଡ଼େ ରୁକ୍ଷ ଓ କଠୋର କଥା କହି ଲୋକନାଥକୁ ତୁ ଦୁଃଖରେ ବିଦାୟ ଦେଲୁ । ତୋ ବାପାଙ୍କର ସେ ପ୍ରାୟ ସମବୟସୀ । ତୋର ସେ ପିତୃପ୍ରତିମ । ସେ ଯଦି ତୋତେ ଅଭିଶାପ ଦେବେ ?

 

ନୀଳିମା ହସି ହସି କହିଲା–ତୋର ସବୁ କଥାରେ ଅଭିଶାପକୁ ଡର ବୋଉ । ଯେ ନ୍ୟାୟ କଥା କହିବ, ତା’ର ପୁଣି କି ଦୋଷ ? ଅପରାଧ ? ଭାଇ ତ କିଛି ଖରାପ କଥା କହିନାହାନ୍ତି-? ହରିଜନମାନେ ଆମରି ଭଳି ତ ମଣିଷ ? ସେମାନଙ୍କୁ ପୋକ ମାଛି ପରି ଦେଖିବା କେଉଁ କଥାର କଥା ପୁଣି ! ତୁ ଯା ତୋ କାମ କର । ଭାଇ ତାଙ୍କ କଥା ବୁଝିବେ ଯେ ।

 

ରାଧାମଣି କହିଲେ–ନିଆଁପାଣି ଅଟକ କଲେ ମୋର ଯେ କିଛି ଅଚଳ ରହିଯିବ ତାହାନୁହେଁ–ତେବେ କଥା ହେଲା ବାହାରୁ ଯେଉଁ ଭଦ୍ରଲୋକ ଅଥବା କୁଣିଆଁ ମଇତ୍ର ଆସିବେ ସେମାନଙ୍କୁ ଏଇ ଗାଁର ଲୋକେ ଏଇ ଘର ସମ୍ପର୍କରେ ଖରାପ ଧାରଣା ଦେବେ । ବାହାର ଲୋକଙ୍କ ଆଗରେ ଏ ଘରର ଅପନିନ୍ଦା ଓ କଳଙ୍କ ଗାଇଲେ ମୁଁ କେବେ ସହ୍ୟ କରି ପାରିବିନି ମା । ସେତିକି ମୋ ପକ୍ଷେ ସବୁଠାରୁ ଦୁଃଖଦାୟକ ।

 

ନଳିନାକ୍ଷ କହିଲା–କୌଣସି କଥାକୁ ତୋର ଭୟ କରିବାର କିଛି ନାହିଁ ବୋଉ । ଯାହା ଘଟିବ, ମୁଁ ନିଜେ ସେ ସବୁ କଥା ବୁଝିବି । ତୁ ଗଲୁ ତୋ କାମ କରିବୁ ।

 

ନୀଳିମା ଓ ନଳିନାକ୍ଷ ରାଧାମଣିଙ୍କୁ ଘର ଭିତରକୁ ନେଇଗଲେ ।

 

ପୂରବୀପୁରର ମେଲଣ ପଡ଼ିଆ ଆଜି କମ୍ପି ଉଠୁଛି । ଲୁଣିଆରେ ଯେଉଁ ହତ୍ୟାକାଣ୍ଡ ଘଟିଥିଲା, ତା’ର ପ୍ରତିବାଦ ସ୍ୱରୂପ ଆଜି ଏଠାରେ ବିରାଟ ସଭାର ଆୟୋଜନ । ପ୍ରଦେଶର ବହୁ ତୁଙ୍ଗ ନେତା ଓ ନେତ୍ରୀ ଆସି ପହଞ୍ଚିଛନ୍ତି । ପଡ଼ିଆରେ ଚାରିଆଡ଼େ ପୋତା ହୋଇଛି ଜାତୀୟପତାକା ।

 

ବୈଶାଖୀ ସନ୍ଧ୍ୟାର ପବନ ସେ ଦିନ ହୋଇ ଉଠିଥିଲା ସତେ ଯେପରି ଚପଳ । ସେ ପବନର ଛନ୍ଦେ ଛନ୍ଦେ ଭାରତୀୟ ଜନ ଜୀବନର ପ୍ରତୀକ ସ୍ୱରୂପ ଫର ଫର ହୋଇ ଉଡ଼ୁଥିଲା ଧାଡ଼ି ଧାଡ଼ି ତ୍ରିରଙ୍ଗ ପତାକା । ଜନତାର ଏଇ ପ୍ରତିବାଦକୁ ଉତ୍ସାହିତ ଓ ସ୍ଵାଗତ କରିବା ପାଇଁ ଏ ଦେଶର ପବନ ଭିତରେ ଖେଳି ବୁଲୁଥିଲା ସତେ ଯେପରି ଏକ ସ୍ଵତଃସ୍ଫୂର୍ତ୍ତ ଉନ୍ମାଦନା ।

 

ପ୍ରାୟ ଦଶ ବାର ମାଇଲ ଦୂରରୁ ଲୋକମାନେ ଚାଲି ଚାଲି ଏ ସଭାକୁ ଆସୁଥିଲେ । ଯୁଆଡ଼େ ଚାହିଁବ ସିଆଡ଼େ ଦିଶୁଥାଏ ଜନତାର ଉଦବେଳିତ ପାରାବାର । ପ୍ରତି ବ୍ୟକ୍ତିର ଅନ୍ତରରେ ସତେ ଯେପରି ତୀବ୍ର ପ୍ରତିବାଦର ଉଚ୍ଛ୍ୱାସ ଖେଳି ବୁଲୁଥାଏ ।

 

ମେଲଣ ପଡ଼ିଆରେ ଲୋକାରଣ୍ୟ ।

 

ଗୋଟିଏ ବିରାଟ ଶୋଭାଯାତ୍ରା ପଡ଼ିଆର ଦକ୍ଷିଣ ଦିଗରୁ ଆସୁଛି । ସେଇ ବିକ୍ଷୁବ୍ଧ ଶୋଭଯାତ୍ରା ଭିତରୁ ‘ଭାରତମାତା କି ଜୟ’ ‘ବନ୍ଦେ ମାତରମ୍‍’ର ବଜ୍ରଦୃଢ଼ ସ୍ଳୋଗାନ ପ୍ରତି ଅନ୍ତରରେ ସତେ ଯେପରି ବିପ୍ଳବ ସୃଷ୍ଟି କରୁଛି । ଶୋଭାଯାତ୍ରାର ଅସଂଖ୍ୟ ଜନତାର ମୁଣ୍ଡରେ ଶୁଭ୍ର ଖଦଡ଼ ଟୋପି ।

 

ଶୋଭାଯାତ୍ରା ପଡ଼ିଆରେ ଆସି ପହଞ୍ଚିଗଲା । ଗୋଟିଏ ମୁହୂର୍ତ୍ତ ପାଇଁ ପଡ଼ିଆର ଆୟୋଜିତ ସଭାକକ୍ଷ ପୁଣି ହୋଇ ଉଠିଲା କଳ ମୁଖରିତ ।

 

ଶୋଭାଯାତ୍ରାକାରୀମାନେ ଶୃଙ୍ଖଳିତ ଭାବେ ବସିଗଲେ । ସ୍ଵେଚ୍ଛାସେବକମାନ ବିକ୍ଷିପ୍ତ ଜନତାକୁ ଶାନ୍ତ, ସ୍ଥିର ହେବାପାଇଁ ଲାଗି ପଡ଼ିଲେ ।

 

Unknown

ଅଳ୍ପ କେଇଟି ମୁହୂର୍ତ୍ତ ମଧ୍ୟରେ ସଭାକକ୍ଷ ଶାନ୍ତ ପଡ଼ି ଆସିଲା ।

 

ପ୍ରଦେଶର ତୁଙ୍ଗ ନେତା ହୃଦୟବଲ୍ଲଭ ଚୌଧୁରୀ ସେ ଦିନର ସଭାରେ ସଭାପତିତ୍ୱ କଲେ ।

 

ପ୍ରାରମ୍ଭିକ ଭାଷଣ ଦେଲା ନଳିନାକ୍ଷ । ଡାକବାଜି ଯନ୍ତ୍ରରେ ନଳିନାକ୍ଷର ଗୁରୁଗମ୍ଭୀର ଅଥଚ ଅଗ୍ନିବର୍ଷୀ ଭାଷଣ ସଭାକକ୍ଷକୁ ଉତ୍ତେଜିତ କଲା । ସଭାରେ ଉପସ୍ଥିତ ଥିବା ଅସଂଖ୍ୟ, ଅଗଣନ ଜନତା ଉଦ୍‍ଗ୍ରୀବ ହୋଇ ନଳିନାକ୍ଷର ଭାଷଣ ଶୁଣୁଥିଲେ ।

 

ଯେଉଁମାନେ ଶ୍ରୋତାରୂପେ, ଦର୍ଶକରୂପେ ଯୋଗ ଦେବାକୁ ସେଦିନ ଆସିଥିଲେ ସେମାନଙ୍କ ଲୋମ ମୂଳରେ ଏକ ଅଦ୍ଭୁତ ସ୍ପନ୍ଦନ ଖେଳି ଖେଳି ବୁଲୁଛି । ଗୋଲାମି ସରକାରକୁ ଏ ଦେଶରୁ ବହିଷ୍କାର ନକଲା ପର୍ଯ୍ୟନ୍ତ ସେମାନଙ୍କର ସତେ ଯେପରି ଉପାୟନ୍ତର ନାହିଁ । ନଳିନାକ୍ଷର ଭାଷଣରେ ସେମାନେ ଦୁନିଆଁର ସମସ୍ତ ବିଷୟ ବିଳାସ ଓ ବ୍ୟକ୍ତିଗତ ସ୍ୱାର୍ଥକୁ ଭୁଲିଯାଇ କି ଏକ ନୂତନ ଉତ୍ତେଜନା ଓ ପ୍ରଚୋଦନାରେ ମୁହ୍ୟମାନ ହୋଇଗଲେ । ବର୍ଷ ବର୍ଷ ଧରି ଯଦି ଏଇ ସ୍ଥାନରେ ନଳିନାକ୍ଷ ଭାଷଣ ଦେଉଥିବ, ସେତେ କାଳ ପର୍ଯ୍ୟନ୍ତ ରହିବାକୁ ଏମାନଙ୍କର ଯେପରି ଧୈର୍ଯ୍ୟ ଓ ମନୋବୃତ୍ତି ପ୍ରକାଶ ପାଉଛି ।

 

ମଝିରେ ମଝିରେ କରତାଳି ଧ୍ୱନି ।

 

ନଳିନାକ୍ଷ ଅନର୍ଗଳ କହି ଚାଲିଛି–ଏ ଦେଶର ଜାଗ୍ରତ ଜନତାକୁ ନାନା ଭାବରେ ଦମନ କରିବା ପାଇଁ ବ୍ରିଟିସ୍‍ ସରକାର ତାଙ୍କର ସମସ୍ତ ଶକ୍ତି ପ୍ରୟୋଗ କରିଛନ୍ତି । ମାତ୍ର ଭାରତର ଜାଗ୍ରତ, ଜାତୀୟ ଜନମତ ସରକାରର ସମସ୍ତ ଶକ୍ତିକୁ ପ୍ରତିହତ କରି, ତା’ର ଜନ୍ମଗତ ଅଧିକାର, ସେଇ ସ୍ଵାଧୀନତା ଲାଭ ପାଇଁ ଆଗେଇ ଯିବ । ସ୍ଵାଧୀନତା ହାସଲ ପାଇଁ ଯଦି ଲାଠି ଚାଲେ, ଗୁଳି ବସେ ଏବଂ ଅକଥନୀୟ ଅତ୍ୟାଚାର ଆରମ୍ଭ ହୋଇଯାଏ, ତଥାପି ଏ ସ୍ଵାଧୀନତାପ୍ରିୟ ପାଗଳ ଜନତା ଭାଙ୍ଗି ପଡ଼ିବେନି । ନବୀନ ବିକ୍ରମରେ, ଅସୀମ ସାହସ ଓ ଉତ୍ସାହରେ ସେମାନେ ପୁଣି ଆଗେଇ ଯିବେ ।

 

କେତେକାଳ ଭାରତୀୟ ଜନତାକୁ ସାତ ସିନ୍ଧୁ ତେର ନଈ ଆର ପଟରୁ ଆସିଥିବା ଗୋଟିଏ ବିଦେଶୀ ସରକାର ଶାସନ କରି ବସିବେ ? କେତେକାଳ ପୃଥିବୀର ଅର୍ଦ୍ଧେକ ଜନତାକୁ ଏଇ ଇଂରେଜୀ ଜାତିଟା ପଶୁ ଓ ଅନ୍ଧ ପରି ବ୍ୟବହାର କରୁଥିବେ ? ଔପନିବେଶିକବାଦର ଘନ ଅନ୍ଧକାର ଏଇ ଭାରତ ଭୂଇଁରେ ପ୍ରଥମଥର କରି ଦୂର ହୋଇଯିବା ସର୍ବପ୍ରଥମେ ଔପନିବେଶିକବାଦର ଅନ୍ଧକାର ଏଇଠାରୁ ଅପସରି ଗଲେ ପୃଥିବୀର ବିଭିନ୍ନ କୋଣରେ, ଆଲୋକର ରେଖା ଦିଶିବ ।

 

ଭାଇମାନେ, ଏ ସ୍ଵାଧୀନତା ସଂଗ୍ରାମକୁ ପଣ୍ଡ କରିଦେବା ପାଇଁ ବ୍ରିଟିସ୍‍ ସରକାରର ବହୁ ଦଲାଲ୍‍, ଭାରତର କୋଣ ଅନୁକୋଣରେ ଘୂରି ବୁଲୁଛନ୍ତି । ଏ ଜାତିର ଏଇ ମହାନ୍‍ ସଂଗ୍ରାମକୁ ବ୍ୟର୍ଥ କରିଦେବା ପାଇଁ, ଭିତିରି ଉଦ୍ୟମ ଆରମ୍ଭ କରିଛନ୍ତି । ସର୍ବପ୍ରଥମେ ଏଇମାନଙ୍କୁ ସତର୍କ ରହିବା ପାଇଁ ଆପଣମାନଙ୍କୁ ମୁଁ ନିବେଦନ କରୁଛି ।

 

ଯେଉଁ ବୀରବୃନ୍ଦ, ଦେଶମାତୃକାର ମୁକ୍ତିହାସଲ ପାଇଁ ହସି ହସି ନିଜର ଜୀବନ ଉତ୍ସର୍ଗ କରିଛନ୍ତି, ସେମାନେ କେବଳ ଏ ଦେଶର ଅମର ସହିଦ ହୋଇ ରହିବେ ନାହିଁ, ସେମାନଙ୍କ ଆଦର୍ଶ ଓ ତ୍ୟାଗ ଆମ୍ଭମାନଙ୍କୁ ଜାତୀୟ ଭାବରେ ଆହୁରି ଅନୁପ୍ରାଣିତ ଓ ଉଦ୍‍ବୁଦ୍ଧ କରିବ । ଭାରତମାତାର ଆଜିର ଏଇ ଐକ୍ୟବଦ୍ଧ ଆନ୍ଦୋଳନ ସଫଳ ହେଉ, ଏତିକି କାମନା କରୁଛି ।

 

ନଳିନାକ୍ଷଙ୍କ ବକ୍ତୃତା ପରେ ନନ୍ଦକିଶୋର ଆରମ୍ଭ କଲା ତା’ ବକ୍ତୃତା ।

 

ଆରମ୍ଭ କଲାମାତ୍ରେ ସଭାର ପଛପଟୁ ଅତି କ୍ଷୀଣ ଭାବରେ ଏକ କୋଳାହଳ ଶୁଭିଲା । ଧୀରେ ଧୀରେ ସେଇ କୋଳାହଳଟା ବ୍ୟାପକ ହୋଇ ଉଠି, ସଭାରେ ଉପସ୍ଥିତ ଜନତା ଉଠିପଡ଼ି ଦଉଡ଼ା ଦଉଡ଼ି ଆରମ୍ଭ କରିଦେଲେ ।

 

ନଳିନାକ୍ଷ ଶାନ୍ତହେବା ପାଇଁ ବାରମ୍ବାର ନିବେଦନ କରି ବିଫଳ ହେଲା । ଉପସ୍ଥିତ ଜନତା ହଠାତ୍‍ ଯେ କାହିଁକି ଅଶାନ୍ତ ଓ ବିଶୃଙ୍ଖଳ ହୋଇ ଉଠିଲେ, ଜଣା ପଡ଼ିଲାନି । ନଳିନାକ୍ଷ ଆଉ ମୁହୂର୍ତ୍ତେ ମାତ୍ର ବିଳମ୍ବ ନ କରି, ଅଶାନ୍ତ ଓ ବିଶୃଙ୍ଖଳ ଜନତା ଆଡ଼କୁ ଅଣନିଃଶ୍ୱାସୀ ହୋଇ ଧାଇଁଲା ।

 

ନନ୍ଦକିଶୋରଙ୍କ ବକ୍ତୃତା ଚାଲିଛି...

 

ନଳିନାକ୍ଷ ଦେଖିଲା, ସଭାକକ୍ଷକୁ ଦ୍ଵିଭାଗ କରିଦେଇ ଦୁଇଟି କାଳିଆ ହୃଷ୍ଟପୁଷ୍ଟ ମାରଣା ଷଣ୍ଢ ସିଙ୍ଗାରି ହୋଇ, ଲୋକମାନଙ୍କୁ ମାଡ଼ି ଚକଟି ଆଗକୁ କୁଦି କୁଦି ଆସୁଛନ୍ତି ।

 

ନଳିନାକ୍ଷ କିଂକର୍ତ୍ତବ୍ୟବିମୂଢ଼ ହୋଇ ଉଠିଲା । ହଠାତ୍‍ ତାଙ୍କ ହାତରେ ଏକ ବାଉଁଶ ପାତିଆ ପଡ଼ିଗଲା । ସେ ବାଉଁଶ ପାତିଆକୁ ଉଠାଇ, ସେ ହୃଷ୍ଟପୁଷ୍ଟ, ବଳିଷ୍ଟ ଓ ଦୁରନ୍ତ ମାରଣା ଷଣ୍ଢଙ୍କୁ ସଭାକକ୍ଷରୁ ଘଉଡ଼ି ଦେବାପାଇଁ, ଆଗେଇ ଗଲେ ।

 

ନଳିନାକ୍ଷକୁ, ସଭାରେ ଉପସ୍ଥିତ ଥିବା ଅନେକ ଯୁବକ ସ୍ୱେଚ୍ଛାକୃତ ଭାବରେ, ଷଣ୍ଢକୁ ଘଉଡ଼ାଇ ଦେବାପାଇଁ ସାହାଯ୍ୟ କଲେ । ମାତ୍ର ଘଉଡ଼ି ଦେବାପାଇଁ ସେ ଯେତେବେଳେ ଉଦ୍ୟମ ଅରମ୍ଭ କରିଛନ୍ତି, ସେତେବେଳେ ପଛରୁ କିଏ ପୁଣି ସେଇ ପଶୁମାନଙ୍କୁ ଘଉଡ଼ାଇବାରେ ଲାଗିଛି । ନଳିନାକ୍ଷ ଏଇ ଅସଂଖ୍ୟ ଜନତା ଭିତରୁ ସେମାନଙ୍କୁ ଠିକ୍‍ରୂପେ ଚିହ୍ନି ନପାରି ବହୁ ଆୟାସ ସ୍ୱୀକାର କରି, ଷଣ୍ଢଦ୍ୱୟଙ୍କୁ ଘଉଡ଼ାଇ ଦେଲେ ।

 

ମାତ୍ର ସଭାକକ୍ଷର ଅନେକ ଦୂରକୁ ଘଉଡ଼ାଇ ଦେଇସାରିଲା ପରେ ପୁଣି ସେମାନେ ଏଇ ଆଡ଼କୁ ପୁଣି କାହିଁକି ଧାବିତ ହେଉଛନ୍ତି ? କିଏ ତାଙ୍କୁ ଏଇ ଆଡ଼କୁ ଦଉଡ଼ାଇ ଦଉଡ଼ାଇ ଘଉଡ଼ାଇ ଆଣୁଛନ୍ତି ?

 

ନଳିନାକ୍ଷ ଓ ଆଉ କେତେଜଣ ଯୁବକ ପୁଣି ଏଇ ଦୁଇଟି ଷଣ୍ଢଙ୍କୁ ଆଗରୁ ଘଉଡ଼ାଇଲେ-। ନଳିନାକ୍ଷ ଦେଖିଲା ପଛରୁ ଗୋଡ଼ାଇଛନ୍ତି ତାଙ୍କରି ଗାଁର ଦୁଇଜଣ ଯାକ ଚୌକିଦାର ନିଶାକର ମଳିକ ଓ ଭାସ୍କର ଜେନା । ସେ ଯେତେବେଳେ ଦୁହିଁଙ୍କ ଆଗରେ ଠିଆ ହୋଇଗଲା, ସେମାନେ ଦୋଷୀ ପରି ନୀରବ ହୋଇ ଠିଆ ହୋଇଗଲେ । ଦେହରେ ତାଙ୍କର ଚୌକିଦାରୀ ପୋଷାକ ଲାଗିଥିଲା ।

 

ସଭା ଚାଲିଛି । ବିକ୍ଷିପ୍ତ, ଅଶାନ୍ତ ଓ ଉଶୃଙ୍ଖଳ ଜନତା ପୁଣି ଶାନ୍ତ ଓ ଶୃଙ୍ଖଳ ହୋଇ ବସି ପଡ଼ିଲେଣି । ନନ୍ଦକିଶୋରଙ୍କ ବକ୍ତୃତା ଏପର୍ଯ୍ୟନ୍ତ ବନ୍ଦ ହୋଇନି ।

 

ସଭାକକ୍ଷରେ କେତେଜଣ ପୋଲିସ୍‍ କନେଷ୍ଟବଲ୍‍ ଜମି ଗଲେଣି ।

 

ନିଶାକର ଓ ଭାସ୍କରଙ୍କୁ ସାଙ୍ଗରେ ଧରି ନଳିନାକ୍ଷ ସଭାକକ୍ଷରେ ପହଞ୍ଚିଲା ବେଳକୁ ନନ୍ଦକିଶୋରର ବକ୍ତୃତା ସରି ଯାଇଥିଲା ।

 

ନଳିନାକ୍ଷ ବିଦ୍ୟୁତ୍‍ ବେଗରେ ମାଇକ୍ରୋଫୋନ୍‍ ପାଖକୁ ଉଠିଯାଇ କହିଲା–ଭାଇମାନେ, ଆଜି ଏ ସଭାକୁ ଭଣ୍ଡୁର କରିଦେବା ପାଇଁ ସଭାକକ୍ଷକୁ ଦୁଇଗୋଟି ମାରଣା ଷଣ୍ଢ ଛାଡ଼ି ଦିଆ ଯାଇଥିଲା । ଆଉ ଆପଣମାନେ ଜାଣି ଖୁସି ହେବେ ଯେ, ଏଇ ଷଣ୍ଢ ଦୁଇଟିକୁ ଚାଳିତ କରିବାର ଦାୟିତ୍ୱ ନେଇଥିଲେ ପୂରବୀପୁରର ଦୁଇ ଚୌକିଦାର ନିଶାକର ଓ ଭାସ୍କର ।

 

ସଭାକକ୍ଷରେ ଏକ ଉତ୍ତେଜନା ସଙ୍ଗେ ସଙ୍ଗେ ଖେଳିଗଲା । ଲୋକମାନେ ଏହି ଦୁହିଁଙ୍କୁ ମାଡ଼ ଦେବାପାଇଁ ଆଗକୁ ଆଗକୁ ଉହୁଁକି ଆସିଲେ । ନାନାଦି ଅସଭ୍ୟ ଓ ଅଶ୍ଳୀଳ ଭାଷାରେ ଏ ଦୁହିଁଙ୍କୁ ଗାଳିଗୁଲଜ କରି ଆକ୍ରମଣ କରିବାକୁ, ଠେଲି ପେଲି ଆଗକୁ ଆଗକୁ ଧପାଳିଲେ ।

 

ମାତ୍ର ନଳିନାକ୍ଷ ପୁଣି ମାଇକ୍ରୋଫୋନ୍‍ ଜରିଆରେ ସଭାସ୍ଥଳର ଉତ୍ତେଜିତ ଓ କ୍ଷୁବ୍ଧ ଜନତାକୁ ସ୍ଥିର ଓ ଶାନ୍ତ ହେବାପାଇଁ ନିବେଦନ କଲା । କହିଲା–ଧୈର୍ଯ୍ୟ ଧରନ୍ତୁ ଭାଇମାନେ । ଜଣେ ଭୁଲ୍‍ କଲା ବୋଲି, ସଭାସ୍ଥଳରେ ଉପସ୍ଥିତ ଥିବା ଅସଂଖ୍ୟ ଧୈର୍ଯ୍ୟଶୀଳ ଓ ବୁଦ୍ଧିମାନ୍‍ ଲୋକେ ସେଇ ଭୁଲ୍‍ କରି ବସିଲେ କ’ଣ ଶୋଭା ପାଇବ ? ସୁନ୍ଦର ଦିଶିବ ? ଦୋଷୀକୁ ଦଣ୍ଡ ଦେବା ଅବଶ୍ୟ ଆମର କର୍ତ୍ତବ୍ୟ । ସେ ଦଣ୍ଡ ଶାରୀରିକ ଆକାରରେ ନ ଦିଆଯାଇ ଯଦି ନୈତିକ ପ୍ରଭାବରେ ଦୋଷୀର ଦୋଷକୁ ସଂଶୋଧିତ କାରାଯାଏ, ତାହାହେଲେ ସେ ହେବ ସବୁଠାରୁ ଉତ୍କୃଷ୍ଟ ପନ୍ଥା ।

 

ବର୍ତ୍ତମାନ ଆମର ସେମାନଙ୍କୁ ପ୍ରଶ୍ନ କରିବାର କଥା ଏହି ଯେ ନିଜ ବୁଦ୍ଧିରେ ପରିଚାଳିତ ହୋଇ ସେ ଏଭଳି ଅଶୋଭନୀୟ କାଣ୍ଡ ସୃଷ୍ଟି କଲେ ନା କାହାର ନିର୍ଦ୍ଦେଶରେ ସେମାନେ ଏଭଳି କାର୍ଯ୍ୟ କରିବାକୁ ଯାଉଥିଲେ ।

 

ସଭାସ୍ଥଳର ଉତ୍ତେଜିତ ଜନତା ପୁଣି ଶାନ୍ତ ହୋଇ ଉଠିଲେ ।

 

ନିଶାକର ଓ ଭାସ୍କର ଚୋରଙ୍କ ପରି ଠିଆ ହୋଇଛନ୍ତି ।

 

ନଳିନାକ୍ଷ ପଚାରିଲା–କିଏ ତମକୁ ଷଣ୍ଢ ପୂରାଇ ସଭାକୁ ଭାଙ୍ଗିବାକୁ କହିଥିଲା ? ମୁଁ ଜାଣେ ତୁମେ ଦୁହେଁ ନିରୀହ ପୁଣି ଦରିଦ୍ର । ତମ ନିଜ ବୁଦ୍ଧିରେ ଏ କାମ ତମେ କେବେହେଲେ କରିନାହଁ ବୋଲି ମୁଁ ଜାଣେ । ମାତ୍ର ତମ ଭଳି ନିରୀହ ଓ ଅଜ୍ଞ ଲୋକ, ସେମାନଙ୍କ ବୁଦ୍ଧିରେ ପଡ଼ି ଏଭଳି ଅଶୋଭନୀୟ କାଣ୍ଡ ଘଟାଉଥିଲ କାହିଁକି ?

 

ନିଶାକର ଓ ଭାସ୍କରଙ୍କ ତଣ୍ଟି ଶୁଖି ଶୁଖି ଯାଉଛି । ଦେହ ଥରୁଛି । ପାଟି ଅଠା ଅଠା ଲାଗୁଛି । ସେ କି ଉତ୍ତର ଦେବେ ? ବିରାଟ ଜନଦରବାରରେ ତାଙ୍କର ଆଜି ବିଚାର ହେଉଛି ।

 

ଯେଉଁ କେତେଜଣ କନେଷ୍ଟବଲ୍‍ ସଭା ଦେଖିବାକୁ ଆସିଥିଲେ ଭୟରେ ସେମାନେ କୁଆଡ଼େ ପଳାଇ ଗଲେଣି । କେବଳ ସଭା ମଞ୍ଚର ସମ୍ମୁଖରେ ଦୁଇଟି ଚେୟାରରେ ଯେଉଁ ଦୁଇ ଜଣ ସି.ଆଇ.ଡି.ବସିଛନ୍ତି, ଏବଂ ଭାଷଣର ଆମୂଳଚୂଳ ଟିପି ନେଉଛନ୍ତି, ସେଇମାନେ କେବଳ ମୂକଦର୍ଶକ ରୂପେ, ଏସବୁ ଦୃଶ୍ୟ ଦେଖି ଚାଲିଛନ୍ତି ।

 

ସେ ଦିନର ସଭାପତି ହୃଦୟବଲ୍ଲଭ ଚୌଧୁରୀ ଏପର୍ଯ୍ୟନ୍ତ ତାଙ୍କର ସଭାପତି ଅଭିଭାଷଣ ଦେଇ ନାହାନ୍ତି । ନିଶାକର ଓ ଭାସ୍କରଙ୍କ ଠାରୁ କଥା ଆଦାୟ ସରିଲେ ସେ ତାଙ୍କ ଅନ୍ତିମ ଭାଷଣ ଦେବେ ବୋଲି ସ୍ଥିର କରି ନେଇଛନ୍ତି ।

 

ନନ୍ଦକିଶୋର ଆସି ପୁଣି ଏଇ ଚୌକିଦାରଙ୍କୁ ବୁଝାଇଲା । ଏମାନେ ନଳିନାକ୍ଷ ଆଗରେ ସାହସ କରି କହିପାରୁ ନଥିଲେ । ମାତ୍ର ନନ୍ଦକିଶୋର ହରିଜନ ହୋଇଥିବାରୁ, ତା’ ପାଖରେ କହିବାକୁ ଏହି ଦୁହିଁଙ୍କର ହିମତ୍‍ ହେଲା । ନଳିନାକ୍ଷ ପାଖରେ ସେ କିଭଳି କହିବେ ? ସାଆନ୍ତ ବଂଶର ପୁଅ ସେ ! କେଡ଼େ ଶିକ୍ଷିତ–ଭଦ୍ର ପୁଣି ପ୍ରଚଣ୍ଡ । ସେ ଯଦି ଖାଲି ଟିକିଏ ଇସାରା ଦେବେ ସଭାରେ ଉପସ୍ଥିତ ଥିବା ଅସଂଖ୍ୟ ଲୋକେ ସେଇ ଦୁହିଁଙ୍କୁ ମାରି ଟିକି ଟିକି ବନାଇ ଦେବେ ।

 

ନିଶାକର ଓ ଭାସ୍କର ନନ୍ଦକିଶୋର କାନରେ ଚୁପୁ ଚୁପୁ ହୋଇ କ’ଣ କହିଦେଲେ ।

 

ନନ୍ଦକିଶୋର ଅସଂଖ୍ୟ ଜନତାର ସନ୍ଦେହକୁ ମୋଚନ କରି ମାଇକ୍‍ ଆଗରେ ଘୋଷଣା କଲା–ଭାଇମାନେ, ଯେଉଁମାନଙ୍କ ଭୟ ଓ ପ୍ରରୋଚନାରେ ପଡ଼ି ଏଇ ଦୁଇଟି ଗରିବ ହରିଜନ ଚୌକିଦାର, ଏଭଳି ଅଶୋଭନୀୟ କାଣ୍ଡ ସୃଷ୍ଟି କରି ସଭା ଭାଙ୍ଗି ଦେବାକୁ ବସିଥିଲେ, ସେଇ ଭଦ୍ରଲୋକ ଦୁଇ ଜଣ ହେଲେ ଏଇ ଗାଁର ପୁଣ୍ଡରୀକାକ୍ଷ ଶତପଥି ଓ ଲୋକନାଥ ପଟ୍ଟନାୟକ ।

 

ପୁଣି ସଭାକକ୍ଷରେ ଗୋଟିଏ କଳ ଗୁଞ୍ଜନ ଖେଳିଗଲା । ନନ୍ଦକିଶୋର ସେମାନଙ୍କୁ ଶାନ୍ତ, ସ୍ଥିର ହେବାକୁ ବାରମ୍ବାର ନିବେଦନ କରିବା ଫଳରେ, ଉତ୍ତେଜିତ ଜନତା ପୁଣି ଶାନ୍ତହୋଇ ଉଠିଲେ ।

 

ନନ୍ଦକିଶୋର ପୁଣି କହିଲା–ଏଭଳି ହୀନକାର୍ଯ୍ୟ କରିବାକୁ ନିଶାକର ଓ ଭାସ୍କର ଅସମ୍ମତ ହେବାରୁ ସେମାନଙ୍କୁ ଗାଆଁରୁ ମାଡ଼ ମାରି ବିଦାୟ କରି ଦେବାର ଧମକ ଦିଆ ଯାଇଥିଲା-। ଥାନା ବାବୁଙ୍କୁ କହି, ଦୁହିଁଙ୍କୁ ଚାକିରିରୁ ବରଖାସ୍ତ କରିଦେବେ ବୋଲି ସେମାନେ ସତର୍କବାଣୀ ଶୁଣାଇଲେ । ଷଣ୍ଢ ପୂରାଇ ସଭାଟି ଭଣ୍ଡୁର କରିଦେଲେ ପ୍ରତ୍ୟେକଙ୍କୁ ପାଞ୍ଚ ଟଙ୍କା ଲେଖାଏଁ ଦିଆଯିବ ବୋଲି ଲୋଭ ଓ ପ୍ରତିଶ୍ରୁତି ଦିଆଯାଇ ଥିଲା ।

 

ପୁଣି ସଭା କକ୍ଷରେ ଉତ୍ତେଜନା । ‘ଏ ଶଳାଙ୍କୁ ଧରି ମାର’ ବୋଲି ଐକ୍ୟତାନିକ ସ୍ୱରରେ, ଦଳେ ଯୁବକ ଆଗକୁ ଆଗେଇ ଆସିଲେ ।

 

ମାତ୍ର ନଳିନାକ୍ଷ ସଭାମଞ୍ଚ ଉପରୁ ଡେଇଁପଡ଼ି ଏଇ ବଳିଷ୍ଠ ଯୁବକମାନଙ୍କୁ ବାଟ ଓଗାଳିଲେ । କହିଲେ–ସେମାନେ ନିରୀହ ଭାଇମାନେ । ଏମାନଙ୍କୁ ମାଡ଼ ଦେଇ କ’ଣ ଅବା ଲାଭ-?

 

ଏଇ ସବୁ କଥା ଆଲୋଚନା ହେଉଥିଲା ବେଳେ ପୁଣ୍ଡରୀକାକ୍ଷ ଓ ଲୋକନାଥ ସଭାକକ୍ଷର ଖୁବ୍‍ ଅଳ୍ପ ବ୍ୟବଧାନରେ ଗୋଟିଏ ଝଙ୍କାଳିଆ ତେନ୍ତୁଳି ଗଛ ମୂଳେ ଲୁଚି ଲୁଚି ବସି ଏସବୁ ଦେଖୁଥିଲେ ।

 

ସେମାନଙ୍କ ନାଁ ଯେତେବେଳେ ନିଶାକର ଓ ଭାସ୍କର ସଭାକକ୍ଷରେ ଘୋଷଣା କରିଦେଲେ, ସେତେବେଳେ ଦୁହେଁଯାକ ରକ୍ତଚାଉଳ ଚୋବାଇ ହେଉଥିଲେ । ଭାବୁଥିଲେ କ’ଣ କଲେ ଏମାନେ ! ଗୁପ୍ତ ଷଡ଼ଯନ୍ତ୍ର ପଦାରେ ପକାଇ ଦେଲେ । କାଲି ଯେତେବେଳେ ଅପର ଗାଁର ଲୋକେ ଜାଣିବେ ଯେ ସଭା ଭଣ୍ଡୁର କରିବାକୁ ପୂରବୀପୁରର ଏଇ ଦୁଇ ମୁଖିଆ ଲୋକେ ଚେଷ୍ଟା କରୁଥିଲେ, ସେତେବେଳେ ସେମାନେ ହୁଏତ ଏ ଦୁହିଁଙ୍କୁ ଘୃଣା କରିବାକୁ ଟିକିଏ ହେଲେ ପଛାଇ ଯିବେ ନାହିଁ ।

 

ପୁଣ୍ଡରୀକାକ୍ଷ ଓ ଲୋକନାଥ ଗଭୀର ଦୁଃଖରେ, ସେଇ ଝଙ୍କାଳିଆ ତେନ୍ତୁଳି ଗଛର ପଛପଟେ ବସି ରହିଥିଲେ ।

 

ସନ୍ଧ୍ୟା ଆସି ଗଲାଣି....

 

ସଭାକକ୍ଷରେ ଜଳି ଉଠିଲାଣି ପେଟ୍ରୋମାକ୍ସ ଲାଇଟ୍‍ । ଦଶ ପନ୍ଦର ଜଣ ଯୁବକ ସ୍ୱେଚ୍ଛାସେବକ ରୂପେ ପେଟ୍ରୋମାକ୍ସ ଲାଇଟ୍‍ ଲଗାଇ, ଖୁଣ୍ଟପୋତି ଟାଙ୍ଗିବାରେ ଲାଗିଛନ୍ତି । ପୂରବୀପୁରର ମେଲଣ ପଡ଼ିଆ, ଅର୍ଦ୍ଧ ଶତାବ୍ଦୀ ପରେ ଆଜି ଯେଭଳି ନୂତନ ଜୀବନ୍ୟାସ ପାଇଛି ।

 

ଏଇ ପଡ଼ିଆ ଆଗରୁ, ଆଜିକୁ ପ୍ରାୟ ପଚାଶ ବର୍ଷ ତଳେ ଏଇଭଳି ଲୋକାରଣ୍ୟରେ ଫାଟି ପଡ଼ୁଥିଲା । ଅସଂଖ୍ୟ ଜନତାର ସମାରୋହ, କଳଉଚ୍ଛ୍ୱାସ ଓ ବିପୁଳ ଭଙ୍ଗିମାରେ ଏ ପଡ଼ିଆ ହୋଇ ଉଠୁଥିଲା ମୁଖରିତ ।

 

ଲୋକନାଥ ପଟ୍ଟନାୟକଙ୍କ ବଂଶ ଆନୁକୂଲ୍ୟରେ ହେଉଥିଲା ମେଲଣ । ତିନି ଦିନ ଧରି ଅସଂଖ୍ୟ ଲୋକେ ଧାଡ଼ି ବାନ୍ଧି ଏଇ ପଡ଼ିଆକୁ ଛୁଟିଥିଲେ । ପଟ୍ଟନାୟକ ବଂଶର ତତ୍କାଳୀନ ଜମିଦାର ବିନା କୁଣ୍ଠାରେ ହଜାର ହଜାର ଟଙ୍କା ଖର୍ଚ୍ଚ କରୁଥିଲେ । ଯାତ୍ରା, ପାଲା ଓ ସୁଆଙ୍ଗରେ ତିନି ଦିନ ତିନି ରାତି ଏ ପଡ଼ିଆ ହୋଇ ଉଠୁଥିଲା ଜୀବନ୍ତ ।

 

ମେଲଣ, ତାଙ୍କ ବୁନିଆଦିର ପରମ୍ପରା କ୍ରମେ ହୋଇ ଆସୁଥିଲା । କିନ୍ତୁ ଆଜିକୁ ପ୍ରାୟ ପଚାଶ ବର୍ଷ ତଳୁ ସେ ଜାକ୍‍ଜମକ, ବୈଚିତ୍ର୍ୟ ଆଉ ନାହିଁ । କେବଳ କୁଳର ଚଳଣିକୁ ରକ୍ଷା କରିବା ପାଇଁ ଏଇ ଲୋକନାଥ କିଛି କାଳ, ଏଇ ପଡ଼ିଆରେ ମେଲଣ କରୁଥିଲେ । ମାତ୍ର ଆଜକୁ ଦଶ ବର୍ଷ ହେଲା, ଆଉ ଏଠାରେ ମେଲଣ ବସୁନି କି ଏଭଳି ଉଦବେଳିତ ଜନତାର ସାଗର ମାଡ଼ୁନି । ପୁରୁଣା ଗୌରବ ଓ ଐତିହ୍ୟକୁ ବୁକୁ ଭିତରେ ଚାପିରଖି ପଡ଼ି ରହିଛି ଏଇ ପୂରବୀପୁରର ମେଲଣ ପଡ଼ିଆ !

 

ସେଇ ପଡ଼ିଆ ଉପରେ ଜାତୀୟ ସଂଗ୍ରାମକୁ ଆହୁରି ପ୍ରଜ୍ଜ୍ଵଳିତ, ଦୃଢ଼ କରିବା ପାଇଁ ନଳିନାକ୍ଷ ନେତୃତ୍ୱରେ ପରିଚାଳିତ କେତେକ ଅସ୍ପୃଶ୍ୟ, ପତିତ ଓ ହରିଜନମାନେ ଲାଗିପଡ଼ିଥିବା ବେଳେ, ସେହି ବଂଶର ଶେଷ ଦାୟାଦ ରୂପେ ଅବଧି ପରିଚିତ ଲୋକନାଥ, ପଡ଼ିଆର ଗୋଟିଏ ତେନ୍ତୁଳି ଗଛ ମୂଳେ, ଚୋରଙ୍କ ପରି ବସି ରହି ସଭାରେ ଯାହା ଯାହା ଆଲୋଚିତ ହେଉଛି, ସେଗୁଡ଼ିକ ଶୁଣିବାରେ ଲାଗିଛନ୍ତି ।

 

ନଳିନାକ୍ଷ ନିଶାକର ଓ ଭାସ୍କରଙ୍କୁ ସଭାକକ୍ଷରେ ବସିବାକୁ କହିଲେ । ସେମାନେ ନୀରବରେ ହାତଯୋଡ଼ି ସେଠାରେ ବସି ପଡ଼ିଲେ ।

 

ସଭାପତି ହୃଦୟବଲ୍ଲଭ ଚୌଧୁରୀଙ୍କ ଜ୍ଵାଳାମୟୀ ଉଦବୋଧନୀ ପରେ ସେ ଦିନର ସଭା ସାଙ୍ଗ ହେଲା । ଭାରତମାତାର ଜୟଧ୍ୱନିରେ ସେ ଦିନ ଗଗନ ପବନ ମୁଖରିତ ହେବା ସଙ୍ଗେ ମେଲଣ ପଡ଼ିଆର ଧୂଳିପଟଳ ଆକାଶାଭିମୁଖୀ ହେଲା ।

 

ପୁଣ୍ଡରୀକାକ୍ଷ ଓ ଲୋକନାଥ ଲୁଚି ଲୁଚି ଗହୀର ବାଟେ ଘରକୁ ଫେରିଲେ ।

 

ଆଦ୍ୟ ଆଷାଢ଼ର ବାରିପାତ ଆରମ୍ଭ ହୋଇଯାଇଥିଲା....

 

ବିକ୍ରମଦେବ ରାୟ ସକାଳୁ ଉଠି ଦାନ୍ତ ଘଷୁଥିଲେ । ଝିପି ଝିପି ବର୍ଷା ଆରମ୍ଭ ହୋଇ ଯାଇଛି ।

 

ବିକ୍ରମଦେବ ରାୟ ହେଉଛନ୍ତି ଯାଜପୁର ସବ୍‍ଡିଭିଜନର ଅଠର ନମ୍ବର ୟୁନିୟନ ପ୍ରେସିଡେଣ୍ଟ । ବ୍ରିଟିସ୍‍ ସରକାରଙ୍କ ଜଣେ ଅନୁରକ୍ତ ପ୍ରତିନିଧି । ସରକାରଙ୍କ ହୁକୁମ ତାମିଲ୍‍ କରିବାରେ ସେ ସବୁଠାରୁ ତତ୍ପର । କୌଣସି କାର୍ଯ୍ୟରେ ସେ ତ୍ରୁଟି କରନ୍ତି ନାହିଁ । ସବୁ କାର୍ଯ୍ୟରେ, ସରକାରଙ୍କୁ ସନ୍ତୁଷ୍ଟ କଲାଭଳି କାର୍ଯ୍ୟ କରନ୍ତି ।

 

ବିକ୍ରମ ତାଙ୍କର ଜୀବନକାଳ ମଧ୍ୟରେ, ନିଜ ବିଦ୍ୟା ଓ ବୁଦ୍ଧିରେ ବହୁ ଭୂସମ୍ପତ୍ତି କରିପାରିଛନ୍ତି । ନିଜର ଦୁଇ ତାଲା କୋଠାଟିଏ ମଧ୍ୟ ତିଆରି କରିଛନ୍ତି । ସମଗ୍ର ସବ୍‍ଡିଭିଜନରେ ନିଜକୁ ଜଣେ ଗଣ୍ୟମାନ୍ୟ ତଥା ପ୍ରତିଷ୍ଠିତ ବ୍ୟକ୍ତି ରୂପେ ପରିଚୟ କରାଇ ପାରିଛନ୍ତି ।

 

ଝିପି ଝିପି ବର୍ଷାର ବିରତି ନାହିଁ....

 

ପୁଣ୍ଡରୀକାକ୍ଷ ଓ ଲୋକନାଥ ଆସି ପହଞ୍ଚିଲେ । ଛତା ଦୁଇଟିକୁ ବନ୍ଦ କରିଦେଇ ସେ ଯେତେବେଳେ ବିକ୍ରମଙ୍କ ପାହାଚ ଉପରକୁ ଉଠିଲେ, ଦୁହିଁଙ୍କ ଉପରେ ବିକ୍ରମଙ୍କ ନଜର ପଡ଼ିଲା । ସଙ୍ଗେ ସଙ୍ଗେ ସେ ଉଠିପଡ଼ି ପୁଣ୍ଡରୀକାକ୍ଷଙ୍କୁ ଓଳଗି ହେଲେ...

 

ପୁଣ୍ଡରୀକାକ୍ଷ ହାତଟେକି ଆଶୀର୍ବାଦ କଲେ ।

 

ଲୋକନାଥ ଓ ବିକ୍ରମଦେବଙ୍କର ନମସ୍କାରର ଆଦାନ ପ୍ରଦାନ ସରିଗଲା ।

 

ବିକ୍ରମ କହିଲେ–ଆଜି ଏଡ଼େ ସଅଳ ସଅଳ କୁଆଡ଼େ ଭାଇନା ? ତମ ସାଙ୍ଗରେ ମଧ୍ୟ ଲୋକନାଥ ବାବୁ ଆସିଛନ୍ତି ?

 

ବିକ୍ରମ ଏତିକି କହି ଦୁହିଁଙ୍କୁ ନିଜ ବୈଠକଖାନାକୁ ନେଇଗଲେ । ଦୁହିଁଙ୍କୁ ଦୁଇଗୋଟି ଚେୟାରରେ ବସିବାକୁ କହି, ନିଜେ ଗୋଟିଏ ଚେୟାରରେ ବସି ପଡ଼ିଲେ ।

 

ପୁଣ୍ଡରୀକାକ୍ଷ କହିଲେ–ଅବସ୍ଥା ଏଭଳି ଅସମ୍ଭାଳ ହେଲାଣି ଭାଇ, ଆମ୍ଭମାନଙ୍କ ପକ୍ଷେ ଏଠାରେ ରହିବା ବିପଦ୍‍ଜନକ । ସେଇ ନଳିନାକ୍ଷ ଟୋକାଟା ଏ ଅଞ୍ଚଳକୁ ଧ୍ୱଂସ କରିଦେଲା ବାବୁ । ତମଭଳି ଲୋକ ଇଉନିୟନ ପ୍ରେସିଡେଣ୍ଟ ଥାଉଁ ଥାଉଁ, ସେ ଯାହା ଏଠି ଲୀଳା ଲଗେଇଛି ତାହା କେହି ବରଦାସ୍ତ କରି ପାରିବେନି ।

 

ତା’ଠାରେ କି କାଉଁରୀ ମନ୍ତ୍ର ଅଛି କେଜାଣି କେବଳ ହରିଜନ ଟୋକାଏ ନୁହଁନ୍ତି, ସାରା ଅଞ୍ଚଳର ଲୋକେ, ସେ ଯାହା କରିବାକୁ ନିର୍ଦ୍ଦେଶ ଦେଉଛନ୍ତି, ପ୍ରାୟ ସମସ୍ତେ ମାନି ଯାଉଛନ୍ତି ।

 

ପୁଣ୍ଡରୀକାକ୍ଷଙ୍କ ଠାରୁ ଲୋକନାଥ କଥା ଛଡ଼େଇ ନେଇ କହିଲେ–ଏଠାକାର ଆନ୍ଦୋଳନକୁ ଦୃଢ଼ ହାତରେ ଦମନ ନ କଲେ ଚଳିବନି ବିକ୍ରମ ବାବୁ । ତମେ ଥାଉଁ ଥାଉଁ ଏଠାରେ ଯଦି ଆନ୍ଦୋଳନ ଓ କଂଗ୍ରେସ ସଙ୍ଗଠନଟା ଦୃଢ଼ ହୋଇଉଠେ, ତମର ପ୍ରଶଂସାରେ କେବଳ କଳଙ୍କ ଲାଗିବ ।

 

ଗତ କୋଡ଼ିଏ ବର୍ଷ ଧରି ତମେ ଏ ଅଞ୍ଚଳରେ ପ୍ରେସିଡେଣ୍ଟ ରହିଛ । ଗୋରା କମିଶନର, ଗୋରା କଲେକ୍ଟର ଓ ଗୋରା ଏସ୍‍.ଡି.ଓ ଆସିଲେ ତମରି ଘରେ ଡେରା ପକାନ୍ତି । ତମର ଅଦ୍ଭୁତ ବିଦ୍ୟା ଓ ବୁଦ୍ଧି ଦେଖି, ସେମାନେ ତମକୁ କେତେ ପ୍ରଶଂସା ନ କରନ୍ତି ! ସେମାନଙ୍କ ଧାରଣା ହୋଇଥିବ ଯେ ବିକ୍ରମଦେବ ରାୟଙ୍କ ଅଞ୍ଚଳରେ ଏଭଳି ଜାତୀୟ ଆନ୍ଦୋଳନର ସୂତ୍ରପାତ ହେଲେ, ଆପଣାର ଲୌହ ବ୍ୟକ୍ତିତ୍ୱ ଫଳରେ ବିକ୍ରମ ଏ ସବୁକୁ ଦୃଢ଼ ହସ୍ତରେ ଦମନ କରି ପାରିବେ-

 

ମାତ୍ର ଏ ଅଞ୍ଚଳରେ ନଳିନାକ୍ଷ ନେତୃତ୍ୱରେ ଏ ଆନ୍ଦୋଳନ ଯେପରି ବ୍ୟାପକ ହୋଇ ଉଠିଲାଣି ତମପକ୍ଷେ ବିକ୍ରମ ବାବୁ ଦମନ କରିବା କାଠିକର ପାଠ ହେବ । ଏବେ ତମେ ଏ ବିଷୟରେ ଚିନ୍ତା କର ।

 

ବିକ୍ରମ ଗମ୍ଭୀର ହୋଇ ଶୁଣୁଛନ୍ତି । ଭାବୁଛନ୍ତି ଏ ଅଞ୍ଚଳରେ କିଏ ତାଙ୍କୁ ନମାନେ ? ୟୁନିୟନ ଅନ୍ତର୍ଭୁକ୍ତ ଯେଉଁ ଗ୍ରାମକୁ ସେ ଯାଆନ୍ତି ସେଇ ଗାଁରେ ତାଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ମିଳେ । ସମ୍ମାନ ଓ ସମ୍ଭ୍ରମରେ ଲୋକମାନେ ତାଙ୍କୁ ପୋତି ପକାନ୍ତି । ତାଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ, ତାଙ୍କ ବ୍ୟକ୍ତିତ୍ୱକୁ ମଳିନ ଓ ପରାଜିତ କରି ଆଉ ଏକ ବ୍ୟକ୍ତିତ୍ୱ ଏ ଅଞ୍ଚଳରେ ବିଶେଷତଃ ତାଙ୍କ ଜୀବନକାଳ ଭିତରେ ଦେଖାଦେବ, ଏ ଆଶା ଓ କଳ୍ପନା ତାଙ୍କର କେବେ ନ ଥିଲା ବା ନାହିଁ ।

 

ଆଜି ପୁଣି ଏ କ’ଣ ଶୁଣିବାକୁ ପାଉଛନ୍ତି ? ନଳିନାକ୍ଷ କଥାରେ ସାରା ଅଞ୍ଚଳର ଲୋକେ ପରିଚାଳିତ ହେଉଛନ୍ତି । ପୁଣ୍ଡରୀକାକ୍ଷ ଭାଇନାଙ୍କ ଭାଷାରେ ନଳିନାକ୍ଷ ସମସ୍ତଙ୍କୁ ଭୁଲାଇ ସ୍ତମ୍ଭୀଭୂତ କରି ଦେଇଛି ।

 

କିଏ ଏଇ ନଳିନାକ୍ଷ ? ସ୍ୱର୍ଗୀୟ ଶଶୀଭୂଷଣ ଦକ୍ଷିଣରାୟଙ୍କ ପୁଅ ତ ? ଓକିଲାତି ପଢ଼ା ଛାଡ଼ି, ବ୍ରିଟିସ୍‍ ସରକାର ବିରୁଦ୍ଧରେ ଜାତୀୟ ସଂଗ୍ରାମର ଅଗ୍ନିକୁ ପ୍ରଜ୍ଜ୍ଵଳିତ କରିଛି ?

 

ବିକ୍ରମଦେବ ନଳିନାକ୍ଷର ବ୍ୟକ୍ତିତ୍ୱ ଓ ପ୍ରତିଷ୍ଠାରେ ଯେତିକି ଈର୍ଷା ଓ ହିଂସା ପ୍ରକାଶ କରୁଥିଲେ ଠିକ୍‍ ସେତିକି ପରିମାଣରେ ତା’ ପ୍ରତି ହୋଇ ଉଠୁଥିଲେ ସ୍ନେହ ଓ ସହାନୁଭୂତିଶୀଳ ।

 

ନଳିନାକ୍ଷ ତାଙ୍କର ହିସାବରେ ହେବ ଭଣଜା । ଶଶୀଭୂଷଣ ତାଙ୍କ ନିଜର ମାଉସୀ ଝିଅ ଭଉଣୀ ରାଧାମଣିକୁ ବିବାହ କରିଥିଲେ । ତେଣୁ ନଳିନାକ୍ଷ ହେଲା ତାଙ୍କର ସମ୍ପର୍କୀୟ ଭଣଜା । ଭଣଜାର ଗୌରବରେ କେଉଁ ମାମୁର ଛାତି ଉତ୍‍ଫୁଲ୍ଲିତ ନ ହେବ ?

 

ମାତ୍ର ପରମୁହୂର୍ତ୍ତରେ ବିକ୍ରମଦେବ ପୁଣି ହୋଇ ଉଠିଲେ ପ୍ରତିଶୋଧ ପରାୟଣ । ସେ ନିଜେ ୟୁନିୟନ ପ୍ରେସିଡେଣ୍ଟ ଥାଉଁ ଥାଉଁ, ଗାନ୍ଧୀ ନେତୃତ୍ୱରେ ପରିଚାଳିତ ଗୋଟିଏ ଭାଷା, ନପୁଙ୍ଗା ଓ ବେକାର ଦଳର ସଂଗଠନକୁ କେବେହେଲେ ପ୍ରଶ୍ରୟ ଦେବେନାହିଁ । ଗତ କୋଡ଼ିଏ ବର୍ଷ ଧରି ୟୁନିୟନ ପ୍ରେସିଡେଣ୍ଟ ହୋଇ ସେ ଯେଉଁ ଖ୍ୟାତି, ସୁନାମ ଓ ଯଶଲାଭ କରିଛନ୍ତି, ଏ ଆନ୍ଦୋଳନ ଯଦି ଏଠାରେ ଦୃଢ଼ ଓ ଅବଶେଷରେ କୃତକାର୍ଯ୍ୟ ହୋଇଯାଏ, ତାହାହେଲେ ଯେ ଯଶଖ୍ୟାତି ଧୂଳି ଧୂସରିତ ହେବ ସିନା !

 

କିନ୍ତୁ ନଳିନାକ୍ଷ ଭଳି ଗୋଟିଏ ଉଚ୍ଚ ଶିକ୍ଷିତ ଯୁବକର ଯୋଜନାବଦ୍ଧ ଆନ୍ଦୋଳନକୁ ଏଡ଼େ ସହଜରେ କ’ଣ ଦବାଇ ଦିଆଯାଇ ପାରିବ ? ଅଶିକ୍ଷିତ, ଆଲୋକହୀନ ଲୋକମାନଙ୍କୁ ସିନା ଗତ କୋଡ଼ିଏ ବର୍ଷ ଧରି ସେ କାବୁ କରି ରଖିଛନ୍ତି, ନାଲି ଆଖିର ଶାସନ ଭିତରେ ଦବାଇ ଦେଇ ପାରିଛନ୍ତି । କିନ୍ତୁ ନଳିନାକ୍ଷକୁ କୌଣସି ଉପାୟରେ ତ ଦବାଇ ହେବନାହିଁ ?

 

କେବଳ ଏଠି ନୁହେଁ ସାରା ଭାରତରେ ଏ ଆନ୍ଦୋଳନ ଦିନୁ ଦିନ ବ୍ୟାପକ ହେଉଛି । ସତରେ କ’ଣ ଏମାନେ ମହାପ୍ରତାପୀ, ବ୍ରିଟିସ୍‍ ସରକାରକୁ ଏଠାରୁ ତଡ଼ିଦେବାକୁ ସମର୍ଥ ହେବେ ? ଭାରତର ଯୁବଶକ୍ତି ଭିତରେ କିଭଳି ଯେ ଗୋଟାଏ ଉନ୍ମାଦନା ଖେଳି ଯାଇଛି, ତାହା ବାସ୍ତବିକ୍‍ ଦେଖିବାର କଥା । ମାଡ଼ ଖାଉଛନ୍ତି, ଜେଲ୍‍ ଯାଉଛନ୍ତି ଶେଷରେ ଗୁଳି ଖାଇ ପ୍ରାଣ ହରାଉଛନ୍ତି, ତଥାପି ସେମାନଙ୍କର ଐକ୍ୟବଦ୍ଧ ଆନ୍ଦୋଳନ ଭୁଷୁଡ଼ି ପଡ଼ୁନି–ଦୁର୍ବଳ ହେଉନି । କାହିଁକି ? ତା’ଛଡ଼ା ଏ ଦେଶର ଯେତେ ଶିକ୍ଷିତ, ଆଲୋକପ୍ରାପ୍ତ ସେଇ ଗୋଷ୍ଟୀଟା ବିଶେଷ ଭାବରେ ଆନ୍ଦୋଳନର ନେତୃତ୍ୱ ନେଇଛି ?

 

ଏଇଭଳି ଭାବୁଛନ୍ତି ବିକ୍ରମ । ପୁଣ୍ଡରୀକାକ୍ଷ ଓ ଲୋକନାଥ ତାଙ୍କର ଗମ୍ଭୀର ମୁହଁକୁ ନୀରବରେ ଚାହିଁ ରହିଛନ୍ତି ।

 

ପୁଣ୍ଡରୀକାକ୍ଷ ତାଙ୍କଠାରୁ ଦୁଇ ମିନଟ କାଳ କୌଣସି ଉତ୍ତର ନପାଇ ଗଳା ଖଙ୍କାର ମାରିଲେ । ବିକ୍ରମଦେବ ଚେତନଶୀଳ ହୋଇ ଉଠି କହିଲେ–କ’ଣ କହ ଭାଇନା–କି ଉପାୟରେ ଏ ଆନ୍ଦୋଳନକୁ ଦବାଇ ପାରିବା ?

 

ପୁଣ୍ଡରୀକାକ୍ଷ ହସି ହସି କହିଲେ–ତମକୁ ଭାଇ ମୁଁ କି ପରାମର୍ଶ ଦେବି ? ଖାଲି ଏମାନଙ୍କୁ ହଳି ହଳି ବାନ୍ଧିନେଇ ହାଜତରେ ପୂରାଇ ଦେବାର ବ୍ୟବସ୍ଥା କରି ପାରିଲେ ଏ ବାନର ଦଳଙ୍କ ଆନ୍ଦୋଳନ ଆପଣା ଛାଏଁ କୁଆଡ଼େ ଭଣ୍ଡୁର ହୋଇଯିବ ।

 

ସବୁ ଦିନେ ସଭା ସମିତି କରି ଏ ଅଞ୍ଚଳଟାକୁ ତତେଇ ଦେଲେଣି ବାବୁ । ଆମ ସ୍କୁଲ ପିଲାଗୁଡ଼ାକ ପଢ଼ାପଢ଼ି ବନ୍ଦକରି ତାଙ୍କରି ପିଛା ଧରିଛନ୍ତି ।

 

ଆସନ୍ତା ଶୁକ୍ରବାର ପୁଣି ତାଙ୍କର ସଭା ହେବାର ଅଛି । ନାଗର ଦେଇ ଦେଇ କାଲି ତ ଦଳେ ଟୋକା କହି କହି ଯାଉଥିଲେ । ରଥ ଚକଡ଼ାରେ ଶୁକ୍ରବାର ଦିନ ସଭା ହେବ । ଏ ସଭାକକ୍ଷରୁ ନଳିନାକ୍ଷ, ନନ୍ଦକିଶୋର ପ୍ରଭୃତିଙ୍କୁ ଯଦି ଗିରଫ କରାଯାଇ ପାରନ୍ତା.....

 

ବିକ୍ରମଦେବ ଚମକି ପଡ଼ିଲେ । କହିଲେ–ଏଁ ରଥ ଚକଡ଼ାରେ ସଭା ହେବ ? ଆଚ୍ଛା ଦେଖିବି ସେମାନେ ସେଠାରେ କିପରି ସଭା କରିବେ ?

 

କେତେବେଳକୁ ସଭା ହେବ ଭାଇନା ?

 

ପୁଣ୍ଡରୀକାକ୍ଷ କହିଲେ–ସନ୍ଧ୍ୟାବେଳକୁ ତ କହୁଥିଲେ ସେମାନେ ।

 

ବିକ୍ରମଦେବ ନବୀନ ବିକ୍ରମରେ ଚେୟାର ଉପରୁ ଉଠିପଡ଼ି କହିଲେ–ଠିକ୍‍ ବେଳ ଆସି ପହଞ୍ଚିଗଲା ଲୋକନାଥ ବାବୁ । ଏମାନଙ୍କୁ ଦମନ କରିବା ପାଇଁ ମୁଁ ଉଚିତ ବାଟର ଆଶ୍ରୟ ନେବି । ତମେ କିଛି ଚିନ୍ତା କରନି । କିନ୍ତୁ ମତେ ତମେ ଦୁହେଁ ଯଦି ସାହାଯ୍ୟ କରିବ, ଅକ୍ଳେଶରେ ନଳିନାକ୍ଷ ଭଳି ଗୋଟାଏ ଟୋକାକୁ ନୁହେଁ କୋଟିଏ ଟୋକାଙ୍କୁ ବୋକା ବନେଇ ଦେବି । ପାରିବ ତ ସାହାଯ୍ୟ କରି ?

 

ଲୋକନାଥ ଓ ପୁଣ୍ଡରୀକାକ୍ଷ ନୂତନ ଆଶାରେ ଆଶାୟିତ ହୋଇ ଉଠିଲେ । ନିଆଁପାଣି ଠାରୁ ଆରମ୍ଭ କରି ନାନା ହୀନ ଓ ଜଘନ୍ୟ ଷଡ଼ଯନ୍ତ୍ର କରି ମଧ୍ୟ ନଳିନାକ୍ଷକୁ ନତମସ୍ତକ କରିପାରି ନଥିଲେ । ତେଣୁ ବାଧ୍ୟ ହୋଇ ୟୁନିୟନ ପ୍ରେସିଡେଣ୍ଟ ବିକ୍ରମଙ୍କର ଶରଣାର୍ଥୀ ହୋଇଥିଲେ ।

 

ବିକ୍ରମଦେବଙ୍କର ଅମିତ ବିକ୍ରମ ଓ ଆସ୍ଫାଳନ ଉପରେ ଦୁହେଁଯାକ ଆସ୍ଥା ରଖି କହିଲେ–ଆମେ ତମକୁ ନିଶ୍ଚୟ ସାହାଯ୍ୟ କରିବୁ ବିକ୍ରମ ବାବୁ । ଯେତେବେଳେ ଯେ କୌଣସି ପ୍ରକାର ସାହାଯ୍ୟ ଆମଠାରୁ ଚାହିଁବ, ସେତେବେଳେ ସେ ପ୍ରକାର ସାହାଯ୍ୟ ଦେବାକୁ ଆମେ ନିଶ୍ଚୟ ଆଗେଇ ଆସିବୁଁ । ତମେ ତମର କୂଟନୀତି ଏଠାରେ ପ୍ରୟୋଗ କର ।

 

ଏତିକିବେଳେ ବିକ୍ରମଦେବଙ୍କ ଚାକର ଗୋଟିଏ ରକାବିରେ ପାନ ଆଣି ଥୋଇଦେଇ ଚାଲିଗଲା ।

 

ବିକ୍ରମଦେବ ଦୁହିଁଙ୍କ ହାତକୁ ପାନ ବଢ଼ାଇ ଦେଇ କହିଲେ–ତମେ ଦିହେଁ ନିଶ୍ଚିନ୍ତ ରହ । କିନ୍ତୁ ସେମାନଙ୍କର ଗୁପ୍ତ ଖବର ମତେ ଯୋଗାଇଦେବାକୁ ହେବ ଯେପରି ।

 

କିନ୍ତୁ ମନେରଖ ଶୁକ୍ରବାର ଦିନ ସଭାଟାକୁ ଯେମିତି ଭଣ୍ଡୁର କରାଯାଇ ପାରିବ, ତା’ର ସମସ୍ତ ବ୍ୟବସ୍ଥା କରିବ । ତମେ ଦୁହେଁ ଟିକିଏ ଟିକିଏ ଆସି ମତେ ଖବର ଦେଉଥିଲେ ମୁଁ ସବୁ ଠିକଣା କରିଦେବି ।

 

କିନ୍ତୁ ଲୋକନାଥ ବାବୁ–ଏ ଦେଶର ଶିକ୍ଷିତ-ଅଶିକ୍ଷିତ ଯୁବଶକ୍ତି ମଧ୍ୟରେ କି ଚୈତନ୍ୟ ଉଦୟ ହୋଇଛି କେଜାଣି, ସମସ୍ତେ ସ୍ଵାଧୀନତା ପାଇଁ ପାଗଳ । ସ୍କୁଲ କଲେଜର ପିଲା ମଧ୍ୟ ଶିକ୍ଷାନୁଷ୍ଠାନ ଛାଡ଼ି ସ୍ୱାଧୀନତା ସଂଗ୍ରାମରେ ଦଳ ଦଳ ହୋଇ ଝାସ ଦେଉଛନ୍ତି । ଆମ ଜ୍ୟୋତ୍ସ୍ନା ମଧ୍ୟ ଏଥିରୁ ବାଦ ଯାଇନି । କାଲି ସେ ମୋ ପାଖକୁ ଚିଠି ଲେଖିଛି ଯେ–ଯଦି ‘ଭାରତ ଛାଡ଼’ ଡାକରେ ଏ ଦେଶରୁ ବ୍ରିଟିସ୍‍ ସରକାର ସ୍ୱେଚ୍ଛାକୃତ ଭାବରେ ଅପସରି ନଯାଏ ତା’ହେଲେ, ଭାରତବର୍ଷରେ ସଶସ୍ତ୍ର ବିପ୍ଳବ ଆରମ୍ଭ ହୋଇଯିବ ବାପା । ଏହି ବିପ୍ଳବକୁ ଆହୁରି ଶକ୍ତିଶାଳୀ ଓ ତେଜୀୟାନ କରିବାକୁ ମୋ ଭଳି ଅଂସଖ୍ୟ ଛାତ୍ର ଛାତ୍ରୀ ବୀରଦର୍ପରେ ବାହାରି ପଡ଼ିବାକୁ ବାଧ୍ୟ ହେବେ ।

 

କ’ଣ ଶୁଣିବ ପୁଣ୍ଡରୀକାକ୍ଷ ଭାଇନା ? ଅଠର, ଉଣେଇଶି ବର୍ଷର ଝିଅଟିଏ ! ତା’ର ମଧ୍ୟ ବ୍ରିଟିସ୍‍ ସରକାରକୁ ହଟାଇ ଦେବାପାଇଁ ଜିଦ୍‍ ଲାଗିଛି । ସ୍କୁଲ, କଲେଜ ବନ୍ଦ ହୋଇଗଲେ ମୁଁ ତାକୁ ଜବରଦସ୍ତ ଘରକୁ ନେଇ ଆସିବି ।

 

ପୁଣ୍ଡରୀକାକ୍ଷ ଓ ଲୋକନାଥ ବିସ୍ମୟ ବିସ୍ଫାରିତ ନୟନରେ ଚାହିଁ ରହିଛନ୍ତି ବିକ୍ରମଦେବଙ୍କୁ-। ସେମାନେ କ’ଣ ଶୁଣୁଛନ୍ତି ? ଖୋଦ୍‍ ୟୁନିୟନ ପ୍ରେସିଡେଣ୍ଟଙ୍କ ଝିଅ ଜ୍ୟୋତ୍ସ୍ନାରାଣୀ ଯେତେବେଳେ ବ୍ରିଟିସ୍‍ ସରକାରକୁ ହଟାଇ ଦେବାପାଇଁ ସଂକଳ୍ପ କଲେଣି, ଏ ଦେଶରେ ଆଉ ଅବା ନ କରିବ କିଏ-? ଅଦ୍ଭୁତ ଏ ମହାତ୍ମା ଗାନ୍ଧୀ ! ତାରି କୁହୁକ ମନ୍ତ୍ରରେ ସାରା ଦେଶର ଜନତା ପାଗଳ ହୋଇ ଉଠିଛନ୍ତି । ଦେଶର ଏତେ ବଡ଼ ବିରାଟ ଜନମତକୁ ଦବାଇ ଦେବା ଏତେ ସହଜ ନୁହେଁ ।

 

ଲୋକନାଥ କହିଲେ–ବେଳ ଆସି ସେମିତି ହୋଇଛି ବିକ୍ରମବାବୁ । ଆମ ଶକ୍ତିମତେ ଏହି ଆନ୍ଦୋଳନକୁ ଆମେ ଚପାଇ ଦେବାକୁ ଚେଷ୍ଟା କରିବା । ତେଣିକି ଯାହା ହେବାର କଥା ହେବ-। ସେଥିପାଇଁ ଚିନ୍ତା କରିବାର କୌଣସି କାରଣ ନାହିଁ ।

 

ପୁଣ୍ଡରୀକାକ୍ଷ କହିଲେ–ସଭା ଦିନ କେତେ ପୋଲିସ୍‍ ଯଦି ଏଠାକୁ ଆସି ଯାଆନ୍ତେ, ତେବେ ଖୁବ୍‍ ଭଲ ହୁଅନ୍ତା ବିକ୍ରମବାବୁ । ଥାନାକୁ ଖବର ଦେଇ କେତେକ ପୋଲିସ୍‍ ମଗାଇବେନି-? ଏଠାରୁ ଯଦି ନଳିନାକ୍ଷଟା ଗିରଫ ହୋଇ ଚାଲିଯାଆନ୍ତା, ଏ ଅଞ୍ଚଳଟା ଥଣ୍ଡା ପଡ଼ିଯାଆନ୍ତା ବାବୁ-। ତାରି ପାଇଁ ଏଠାରେ ସବୁ ଗଣ୍ଡଗୋଳ । ସବୁ ବିଭ୍ରାଟ ।

 

ପୁଣ୍ଡରୀକାକ୍ଷ ଓ ଲୋକନାଥ ଉଠିଲେ । ବିକ୍ରମଦେବ ସେମାନଙ୍କୁ ବିଦାୟ ଦେଲେ ।

 

ଦୁହେଁ ଚାଲି ଚାଲି ଆସୁଛନ୍ତି । ପୁଣ୍ଡରୀକାକ୍ଷ କହିଲେ–ଆନ୍ଦୋଳନଟାକୁ ପୂରାପୂରି ଦବାଇ ହେବନାହିଁ ବୋଲି ମୋର କାହିଁକି ଅନୁମାନ ହେଲାଣି ଲୋକନାଥ ବାବୁ । ଖୋଦ୍‍ ୟୁନିୟନ ପ୍ରେସିଡେଣ୍ଟ ତ ଶଙ୍କିତ ହେଉଛନ୍ତି । ତମେ ଆଉ ମୁଁ ଏଇ ଦିଇଟା ଲୋକ କ’ଣ କରି ପାରିବା ?

 

ଲୋକନାଥ କହିଲେ–ଆଗତ କଥା ଭାବି କିଛି ଫଳ ନାହିଁ କକେଇ । ଯେଭଳି ହେଉ ଆସନ୍ତା ଶୁକ୍ରବାର ସଭାଟାକୁ ଭଣ୍ଡୁର କରିଦେଲେ ଚଳିବ ।

 

ସେମାନେ ପୂରବୀପୁର ସଡ଼କ ଧରିଲେ....

 

ପୁଣ୍ଡରୀକାକ୍ଷଙ୍କର ଦ୍ୱିତୀୟ ପକ୍ଷ ସ୍ତ୍ରୀ କୋକିଳ । ପ୍ରଥମ ସ୍ତ୍ରୀ ପନ୍ଦର ବର୍ଷ ବଞ୍ଚି ମଧ୍ୟ କୌଣସି ସନ୍ତାନ ସୃଷ୍ଟି କରିପାରି ନଥିଲେ । ମାତ୍ର ଏଇ କୋକିଳକୁ ବିବାହ ହେବା ପରେ ଗତ ବାର ବର୍ଷ ପରେ ତାଙ୍କର ପୁଅଟିଏ ହୋଇଛି ।

 

ତା ନାଁ ଅଶ୍ଵିନୀ ।

 

ବୁଢ଼ାକାଳେ ଏଇ ପୁଅଟିକୁ ପାଇ ପୁଣ୍ଡରୀକାକ୍ଷ ଭାରି ଖୁସି । ତେଣୁ କୋକିଳକୁ ସବୁ କଥାରେ ପଚାରନ୍ତି । ତା’ର ମତାମତ ନିଅନ୍ତି । ଏଇ ପଚାରିବା ବା ମତାମତ ନେବା ପଛରେ କୋକିଳ ପ୍ରତି ତାଙ୍କର ଥିଲା ଭୟ । କାରଣ କୋକିଳର ବୟସ ଥିଲା । ପୁଣି ଦ୍ୱିତୀୟ ପକ୍ଷ ସ୍ତ୍ରୀ !

 

କଥାକେ କଥାକେ ସେ ଚିଡ଼ି ଉଠେ । ରାଗ ଖପା ହୋଇଯାଏ । ତେଣୁ କୋକିଳ ଯେମିତି ନ ରାଗେ, ନ ଚିଡ଼େ, ସେଥିପାଇଁ ପୁଣ୍ଡରୀକାକ୍ଷ ସତତ ସତର୍କ ଓ ଜାଗ୍ରତ ରହିଥିଲେ ।

 

ଅଶ୍ୱିନୀ ଏବେ ଷଷ୍ଠ ଶ୍ରେଣୀରେ ପଢ଼ୁଛି । ବେଶ୍‍ ମେଧାବୀ ଛାତ୍ରଟିଏ । ଅସମ୍ଭବ ସ୍ମରଣ ଶକ୍ତି । ଏଇ ମେଧାଶକ୍ତି ଯୋଗୁଁ ସବୁଥର ବାର୍ଷିକ ପରୀକ୍ଷାରେ ବେଶୀ ନମ୍ବର ରଖି ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରୁଛି ।

 

ସେତେବେଳେ ପ୍ରାୟ ସନ୍ଧ୍ୟା ହୋଇ ଆସୁଥିଲା । କୋକିଳ ସଞ୍ଜଦେବା ପାଇଁ ସଳିତା ବଳୁଥିଲେ

 

ପୁଣ୍ଡରୀକାକ୍ଷ ଆସି ପହଞ୍ଚିଯାଇ କହିଲେ–ବୁଝିଲ ଅଶ୍ୱିନୀ ବୋଉ, ଆଜିକାଲି ଏ ଛୁଆଗୁଡ଼ା ଯେମିତି ହେଉଛନ୍ତି, ଏମାନଙ୍କୁ ସମ୍ଭାଳି ରଖିବା ଭାରି ଅସାଧ୍ୟ ହୋଇ ଉଠିଲାଣି । ଆମ ଗାଁର ଦଳେ ଟୋକା ପ୍ରତିଦିନ ସଭା ସମିତି କରି, ପିଲା ଛୁଆ ଓ ଭେଣ୍ଡା ପର୍ଯ୍ୟନ୍ତ ସମସ୍ତଙ୍କୁ ମତାଉଛନ୍ତି–ତତାଉଛନ୍ତି । ଶୋଭାଯାତ୍ରା କରି, ‘ଭାରତମାତା କି ଜୟ’ ‘ମହାତ୍ମା ଗାନ୍ଧୀ କି ଜୟ’ କହି କାନ ବଧିରା କରି ଦେଉଛନ୍ତି । ତମେ ଆମ ଅଶ୍ୱିନୀକୁ କେଉଁଠିକି ଛାଡ଼ିବନି । ବୁଝିଲ । ସେ ଯେମିତିକା ପିଲା, ତାକୁ ଆକଟ ନ କଲେ, ସେ ଯାଇ ତାଙ୍କ ସଙ୍ଗେ ମିଶିଯିବ ।

 

କୋକିଳ ସଞ୍ଜ ବଳିସାରି, ଘିଅରେ ସେଗୁଡ଼ିକ ବୁଡ଼ାଉ ବୁଡ଼ାଉ କହିଲେ–ମତେ ତ ଆଜି ଅଶ୍ୱିନୀ କହୁଥିଲା ବୋଉ, ମୁଁ କାଲି ରଥ ଚକଡ଼ା ଠାରେ ଯେଉଁ ସଭା ହେବ, ସେ ସଭାରେ ଯୋଗଦେବି । ତୁ ବାପାଙ୍କ ପାଖରେ କହିବୁନିଟି । ସେ ଭାରି ବିଗିଡ଼ିବେ ।

 

ଆଚ୍ଛା ତମେ କୁଆଡ଼େ ନଳିନାକ୍ଷ ଉପରେ ବିଗିଡ଼ । ସେ କହୁଥିଲା ନଳିନାକ୍ଷ ବାବୁଙ୍କ ଭଳି ଲୋକ ଆମ ଏ ଖଣ୍ଡ ମଣ୍ଡଳରେ ନାହାନ୍ତି ବୋଉ । ପାଠ ପଢ଼ା ଛାଡ଼ି, ଯେଉଁ ଦୁଃଖ କଷ୍ଟ ସହି ସେ ଏ ଆନ୍ଦୋଳନ ଆମ ଅଞ୍ଚଳରେ ଚଳାଇଛନ୍ତି, ସେ ଦୁଃଖର କାହାଣୀ ଶୁଣିଲେ ତୁ ସ୍ତବ୍ଧ ହୋଇଯିବୁ । କିନ୍ତୁ ବାପା ଓ ଲୋକନାଥ ବାବୁ କାହିଁକି ଯେ ତାଙ୍କ ଉପରେ ବିରକ୍ତ ଓ ଅସନ୍ତୁଷ୍ଟ ହୁଅନ୍ତି ମୁଁ କିଛି ବୁଝି ପାରେନି ।

 

ପୁଣ୍ଡରୀକାକ୍ଷ ଉତ୍ତେଜିତ ହୋଇ ଉଠିଲେ । ଯାହାର ପ୍ରଶଂସା ଶୁଣିଲେ ସେ ପଳେ ପଳେ ରାଗି ଉଠି ଜର୍ଜ୍ଜରିତ ହୋଇଯାଆନ୍ତି, ସେଇ ନଳିନାକ୍ଷର ପ୍ରଶଂସା, ତାଙ୍କରି ପୁଅ ଅଶ୍ୱିନୀ ପୁଣି କରୁଛି ? ସମଗ୍ର ଦେହରେ ତାଙ୍କର ଅସହ୍ୟ ବେଦନା । ଆଖି ଭିତରୁ ସତେ ଯେପରି ଅଗ୍ନି ଝରି ପଡ଼ିବ ।

 

କୋକିଳ, ପୁଣ୍ଡରୀକାକ୍ଷଙ୍କର ଏଭଳି ଅସ୍ୱାଭାବିକ ପରିସ୍ଥିତି ଦେଖି କହିଲେ–ମଲା, ଏ ମିଣିପିଟା ଇମିତି କାହିଁକି ହୋଇ ଉଠୁଛନ୍ତି । ପିଲାଟା ଯାହା ବୁଝିଥିଲା, ସେଇଆ ଆସି ମତେ କହିଥିଲା । ମୁଁ ଚାଣ୍ଡାଳୀ ନ କହିଥିଲେ ଭଲ ହୋଇଥାନ୍ତା । ଯଦି କହିଦେଲି କ’ଣ ସେଠୁ ହୋଇଗଲା ଯେ ? ବୋପା ଲୋ ରାଗ ? ଆଉ ଯଦି ଚାରି ପାଞ୍ଚଟା ପୁଅ ଜନ୍ମ କରିଥାନ୍ତ, ତା’ହେଲେ ଆହୁରି କେତେ ରାଗୁଥାନ୍ତ ?

 

ପୁଣ୍ଡରୀକାକ୍ଷ କହିଲେ–ତମେ ବୁଝିନ ଅଶ୍ୱିନୀ ବୋଉ, ଏମାନଙ୍କର ଦଶା କ’ଣ ହେବ ? ପର କଥାରେ ଛୋଟ ପିଲାଗୁଡ଼ାକ ସିନା ମାତି ଉଠୁଛନ୍ତି, ହେଲେ ଯେତେବେଳେ ମାଡ଼ ହେବ, ପୋଲିସ୍‍ମାନେ ଭିଡ଼ି ଓଟାରି ପିଲାମାନଙ୍କୁ ଜେଲରେ ନେଇ ଭର୍ତ୍ତି କରିବେ, କେଉଁମାନେ ଆସି ପିଲାମାନଙ୍କର ସାହା ଭରସା ହୋଇ ଠିଆ ହେବେ ? ପିଠିରେ ପଡ଼ିବେ ?

 

କାଲି ତ ସଭା ହେବ ରଥ ଚକଡ଼ାରେ । ଦେଖିବ କେତେ ଲୋକ ମାଡ଼ ଖାଇ ଖଣ୍ଡିଆ ଖାବୁରା ହେବେ ? ହଳ ହଳ ବନ୍ଧାହୋଇ ଥାନା ହାଜତକୁ ଯିବେ ? ଦେଶକୁ ସ୍ଵାଧୀନ କରିବାର ନିଶା ସେମାନଙ୍କର ବଳେ ଭାଙ୍ଗିଯିବ ।

 

କୋକିଳଙ୍କ ଅନ୍ତର ଏକ ଅବ୍ୟକ୍ତ ବେଦନାରେ ଗୁମୁରି ଉଠିଲା ।

 

ତାଙ୍କର ଅଶ୍ୱିନୀ ଯଦି ଲୁଚି ଲୁଚି ସଭାକକ୍ଷରେ ଯୋଗଦେବ, ସେ ବି ମାଡ଼ ଖାଇବ । ଜେଲ୍‍ ଯିବ । ସରକାରଙ୍କ ନାଲି ପଗଡ଼ିଧାରୀ ଶହ ଶହ କନେଷ୍ଟବଲ୍‍ ଯେମିତି ରକ୍ତମୁହାଁ ହୋଇ ଘୂରି ବୁଲୁଛନ୍ତି, ସେମାନଙ୍କ କବଳରେ ଅଶ୍ୱିନୀ ଭଳି ଛୋଟ ଛୋଟ ପିଲାଏ ଯଦି ପଡ଼ି ଯାଆନ୍ତେ.....

 

ନାଁ, ନାଁ ଅଶ୍ୱିନୀକୁ ସେ ଛାଡ଼ିବ ନାହିଁ । ବୃଦ୍ଧ ବୟସରେ ସ୍ଵାମୀଙ୍କର ଏଇ ଅଶ୍ୱିନୀ ଏକମାତ୍ର ପୁଅ । ତା’ ନିଜର ବୟସ ଅଛି । ଶିଶୁ ସୃଷ୍ଟି କରିବା ପାଇଁ ଏବେ ବି ତା’ର ଶକ୍ତି ଅଛି । ଆକାଂକ୍ଷା ରହିଛି । ଦାମ୍ପତ୍ୟ ଜୀବନକୁ ଏବେ ମଧ୍ୟ ରସାପ୍ଳୁତ କରିବା ପାଇଁ, ତା’ ମନରେ ସରାଗ ଅଛି । ସୁରଭି ଅଛି ।

 

କିନ୍ତୁ କେଉଁ ଜନ୍ମରେ ସେ କି ଅଭିଶାପ କରିଥିଲା କେଜାଣି, ଅସ୍ତାୟମାନ ଯୌବନଯୁକ୍ତ ଏକ ବୃଦ୍ଧ ସଙ୍ଗରେ ତା’ର ବିବାହ କାର୍ଯ୍ୟ ସମାହିତ ହେଲା । ଯୌବନର ଉତ୍ତାଳ ସମୁଦ୍ରରେ ସେ ଯେତେବେଳେ ଭାସି ଭାସି ବୁଲୁଛି ସେତେବେଳେ ଏକ କାମନାହୀନ, ବାସନା ରହିତ, ଯୌବନ କ୍ଳାନ୍ତ ବୃଦ୍ଧ ତା’ର ସ୍ଵାମୀ ହୋଇ ଆସିଛନ୍ତି । ଯଦି ସେଇ ଏକମାତ୍ର ପୁଅ ଅଶ୍ଵିନୀର କିଛି ଦୁର୍ଘଟଣା ଘଟେ, ଅମଙ୍ଗଳ ସାଧିତ ହୁଏ, ତା’ହେଲେ ଆଉ ଗୋଟିଏ ପୁଅ ସେ ଜନ୍ମ କରି ପାରିବ ନାହିଁ । ଚିରଦିନ ପାଇଁ ପୁତ୍ର ମୁଖ ଦେଖିବାରୁ ସେ ବଞ୍ଚିତ ହୋଇଯିବ ।

 

ଅଶ୍ୱିନୀ ପରି ପୁଅଟିଏ କିଏ ତା’ର କୋଳରେ ଭରିଦେବ ? ଅଥର୍ବ, ବୃଦ୍ଧ ସ୍ୱାମୀଙ୍କର ଆଉ ଲାଳସା ନାହିଁ–କ୍ଷୁଧା ନାହିଁ । ସନ୍ତାନ ସୃଷ୍ଟି କରି ପାରିବାର ମମତା ଅଶ୍ୱିନୀ ଜନ୍ମ ହେଲାର ମାତ୍ର ବର୍ଷକ ପରେ ଲୋପ ପାଇ ଯାଇଛି । ମୃତ, ଅସ୍ତପ୍ରାୟ ଲାଳସାର ଆଉ ଉଦ୍ରେକ ହେବନାହିଁ । ଅଶ୍ୱିନୀର ଅମଙ୍ଗଳରେ ତା’ର ନାରୀ ଜୀବନ ଦୁଃଖ ଓ ହାହାକାରରେ ଭରିଯିବ ।

 

ସେ ତାକୁ ସେଇ ସଭାକକ୍ଷକୁ ଛାଡ଼ିବ ନାହିଁ । ଯେଉଁ ମାଆର ଗୋଟିଏରୁ ଅଧିକ ପିଲା ଅଛି, ସେ ହୁଏତ ସେମାନଙ୍କ ମଧ୍ୟରୁ ଗୋଟିଏକୁ ଛାଡ଼ିଦେଇ ପାରେ । ବିନା ଚିନ୍ତା ଓ ଦୁଃଖରେ ସେଗୁଡ଼ିକୁ ପଥର କରି ଦେଇପାରେ ? କିନ୍ତୁ ସେ କିପରି କରିବ ?

 

ଅଶ୍ୱିନୀ ତା’ର ଅନ୍ଧାର ଘରର ଆଲୋକ ରେଖା । ଅନ୍ଧର ଲଉଡ଼ି । ମରୁଭୂଇଁର ଜଳ ଟୋପିଏ । ଧୁଧୁ ଖରାବେଳର ଗଛ ତଳ ଛାଇ । ଜୀବନ କାଳ ଭିତରେ ସେ ଆଲୋକରେଖା ଯଦି ନିଭିଯିବ, ସୀମାହୀନ ଅନ୍ଧକାର ଭିତରେ ସେ ବାଟ ଚାଲି ପାରିବ ନାହିଁ । ମରୁଭୂଇଁର ମାଇଲ୍‍ ମାଇଲ୍‍ ବାଲି ବାଟରେ ସେ ଚାଲି ପାରିବ ନାହିଁ । ଜୀବନ ବୈଶାଖୀର ଖଇଫୁଟା ଝାଞ୍ଜିରେ ସେ ଡହଳ ବିକଳ ହେବ ।

 

ପୃଥିବୀ ବରଂ ଭାଜି ପଡ଼ୁ, ବସୁଧା ବରଂ ଓଲଟି ଯାଉ, ଅଶ୍ୱିନୀକୁ ସେ ସଭାକକ୍ଷକୁ ଛାଡ଼ିବ ନାହିଁ । ତା’ ପିଲାର ଯଦି କିଛି ଅମଙ୍ଗଳ ଘଟେ, ଆପଦ ବିପଦ ଘନେଇ ଆସେ, କିଏ ତାକୁ ରକ୍ଷା କରିବ ? ତା’ ନିରାପତ୍ତାର କିଏ ଦାୟିତ୍ୱ ନେବ ?

 

ଯେଉଁ ନଳିନାକ୍ଷର ସେ ଏତେ ପ୍ରଶଂସା କରେ, ସେ କ’ଣ ଦାୟିତ୍ୱ ନେବ ? କମର କଷି ତା’ ଆଗରେ ଠିଆ ହୋଇ ପାରିବ ? ତା’ ପାଇଁ ତ ଏତେ କଥା ! ତାରି ଲାଗି ସାରା ମୁଲକରେ ଏଇ ଆନ୍ଦୋଳନ–ଏଇ ଜାଗରଣ । ସରକାର ନିଜେ ଯେତେବେଳେ ତା’ ପଛେ ପଛେ ଗୋଡ଼େଇଛନ୍ତି, ତାକୁ ବାନ୍ଧି ନେବାପାଇଁ ଚକ୍ରାନ୍ତ ଚଳେଇଛନ୍ତି ସେତେବେଳେ ତା’ ପୁଅର ସମ୍ପୂର୍ଣ୍ଣ ନିରାପତ୍ତାର ଦାୟିତ୍ୱ ନଳିନାକ୍ଷ ଉପରେ ନ୍ୟସ୍ତ କରିବ କିପରି ?

 

ଦରକାର ନାହିଁ ଆମର ସେ ସଭାରେ ଯୋଗଦେବା । ଯିଏ ଆନ୍ଦୋଳନ କରିବେ, ବିପ୍ଳବ ସୃଷ୍ଟି କରିବେ, ଜାଗରଣ ଆଣିବେ, ସେମାନଙ୍କୁ ପୁଲିସ୍‍ ବାନ୍ଧିନେଉ । ମାଡ଼ ଦେଉ । ଗାଳି ଦେଉ । ଅତ୍ୟାଚାର କରୁ । ଅଶ୍ୱିନୀ ପରି ଦଶ ବର୍ଷର ବାଳକ ପ୍ରତି ପୋଲିସ୍‍ ଯଦି ଅକଥନୀୟ ଅତ୍ୟାଚାର କରିବ, ତା’ କଅଁଳ ମେରୁଦଣ୍ଡ ଉପରେ ପାହାର କରିବ, ଓଃ ସେ ଆଉ ବଞ୍ଚି ପାରିବ ନାହିଁ ।

 

କୋକିଳ ଦେବୀ ଆତଙ୍କିତ ହୋଇ କହିଲେ । ସଞ୍ଜ ସଳିତାଗୁଡ଼ିକୁ ତଳେ ଥୋଇଦେଇ କହିଲେ–ସେ ସଭାକୁ ଯିବାର ଦରକାର ନାହିଁ ଲୋ ମା । କୁଆଡ଼େ ବୁଲି ଯାଇଛି ଯେ ଏପର୍ଯ୍ୟନ୍ତ ସେ ଫେରିନି । ଆଜି ସେ ଫେରିଲେ ମୁଁ ତାକୁ ଆକଟ କରି କହିବି । ମୋ କଥାରେ ସେ ଯଦି ରାଜି ହୋଇଗଲା, ମୋ କଥା ଯଦି ଭଲରେ ସେ ମାନିନେଲା, ତା’ହେଲେ ସେ ତ ହେବ ମୋର ସୁନା ପୁଅ । ନହେଲେ...

 

ପୁଣ୍ଡରୀକାକ୍ଷ, କୋକିଳ ଦେବୀଙ୍କର ଜନନୀ ସୁଲଭ ବ୍ୟସ୍ତତା ଦେଖି ମନେମନେ ବେଶ୍‍ ଗୌରବ ଅନୁଭବ କରୁଥିଲେ । ସେ ଯଦି ଆସନ୍ତା କାଲିର ଭୟାବହ ଚିତ୍ର କୋକିଳ ଦେବୀଙ୍କ ଆଗରେ ପରିବେଷଣ କରି ନଥାନ୍ତେ, ତା’ହେଲେ ସେ ହୁଏତ ତାଙ୍କୁ ଭୟ ଦେଖାଇ ଡରାଇ ପାରିଥାନ୍ତା । ନିଜ ସ୍ତ୍ରୀର ମରମ କଥା ସେ ଜାଣିଛନ୍ତି ।

 

ପୁଣ୍ଡରୀକାକ୍ଷ କୋକିଳ ଦେବୀଙ୍କ କଣ୍ଠରୁ କଥା ଛଡ଼େଇ ନେଇ କହିଲେ–ତମେ କ’ଣ କରିବ, ତା’ହେଲେ ଅଶ୍ୱିନୀ ବୋଉ ?

 

ପୁଣ୍ଡରୀକାକ୍ଷ ନିଜର ଦଶନହୀନ ରେଢ଼ାକୁ ଖୋଲି ସୋହାଗରେ ହସିବାକୁ ଆରମ୍ଭ କରିଦେଲେ ?

 

କୋକିଳ ଦେବୀ ମନ୍ଦ୍ର ଧ୍ୱନିରେ କହି ଉଠିଲେ–କାଲି ଯେତେବେଳେ ସଭା ଚାଲିବ, ତାକୁ ଘରେ ପୂରାଇ ଦେଇ ଚାବିଦେଇ ଅଟକାଇ ରଖିବି । ସେ ଯେମିତି ପିଲା ନା ସଭା ମଞ୍ଚରୁ ଯଦି ଜୟ ଜୟକାର ଧ୍ୱନି ଉଠିବ, ସାତ ସନ୍ଧିରେ ତାକୁ ରଖାଇଥିଲେ ମଧ୍ୟ, ସେଇ ଜୟ ଜୟକାର ଧ୍ୱନି ଶୁଣି ସେ ଅସମ୍ଭାଳ ହୋଇ ଉଠିବ ।

 

ପୁଣ୍ଡରୀକାକ୍ଷ ପୁଣି ହସି ହସି କହିଲେ–ତମେ ଠିକ୍‍ ଜନନୀ ଅଶ୍ୱିନୀ ବୋଉ । ନିଜ ପିଲାମାନଙ୍କୁ ଯେଉଁ ପିତା ମାତା ନିଜ ହାତରେ ଶାସନ କରି ନ ପାରନ୍ତି, ସେ ପିତାମାତା ନୁହଁନ୍ତି ଅନ୍ୟ କିଛି । ତମ ପିଲାକୁ ଆୟତ୍ତ କରିବା ପାଇଁ ଆଜି ତମର ଯେଉଁ ସାହସ ଦେଖିଲି, ତାହା ବାସ୍ତବିକ ପ୍ରଶଂସନୀୟ ଅଶ୍ୱିନୀ ବୋଉ ।

 

ଅଶ୍ୱିନୀ ଆମର ଗୋଟିଏ ମାତ୍ର ପୁଅ । ବ୍ରିଟିସ୍‍ ବାହିନୀ ଆଗରେ ଏ ଦେଶର ଶହ ଶହ, ହଜାର ହଜାର ମଣିଷ ଗୋଟିଏ ମାତ୍ର ଜଳବିନ୍ଦୁ ପରି । ଗୁଳି ଗୋଳାର ବିଷାକ୍ତ ଅସ୍ତ୍ରରେ, ଭାରତୀୟ ଜନତାର ପୁଞ୍ଜୀଭୂତ ଶକ୍ତି ଖର୍ବ ହୋଇଯିବ । ଧ୍ୱଂସ ପାଇଯିବ ।

 

ଏମାନଙ୍କୁ, ଏ ଦେଶର ଶହ ଶହ ଚପଳମତି ବାଳକ ବାଳିକାଙ୍କୁ କିଏ ଅବା ପଚାରେ ? ପିମ୍ପୁଡ଼ି ଭେଳା ପରି ଏମାନେ, ସେମାନଙ୍କ ପାଖରେ ମରିଯିବେ । ଅଦୃଶ୍ୟ ହୋଇଯିବେ ।

 

ତେଣୁ କାଲିଠାରୁ ଅଶ୍ୱିନୀ ଉପରେ ତମେ ସତର୍କ ଦୃଷ୍ଟି ରଖିଥିବ । ଆସନ୍ତାକାଲି ମୁଁ ଦିନ ତମାମ ଘରକୁ ଫେରିବି ନାହିଁ । ଏକ ଜରୁରୀ କାମରେ ଗାଁ ବାହାରକୁ ଯିବି । ଅଶ୍ୱିନୀର ସମ୍ପୂର୍ଣ୍ଣ ଦାୟିତ୍ୱ ତମ ଉପରେ ରହିଲା ।

 

କୋକିଳ ଦେବୀ ସାଙ୍ଗେ ସାଙ୍ଗେ ନିଜର ବିଷଣ୍ଣ ମୁଖ ପରିବର୍ତ୍ତନ କରାଇ କହି ଉଠିଲେ–କେଉଁ କାମରେ ଗାଁ ବାହାରକୁ ତମେ ଯିବ, ମତେ କହିଲ ଆଜି ? ତମେ ଆସି ବୁଢ଼ା ହେଲଣି । ଘରେ ମୁହୂର୍ତ୍ତେ ମାତ୍ର ରହୁନାହଁ । ଖାଲି କାମର ବାହାନା ଦେଖାଇ, ଘରୁ ବାହାରି ଚାଲି ଯାଉଛ । ତମ ଫନ୍ଦି ଫିକର ମତେ ଅଛପା ନାହିଁ ଯେ–

 

ପୁଣ୍ଡରୀକାକ୍ଷ ଗମ୍ଭୀର ହୋଇ କହିଲେ–ତମେମାନେ ନାରୀ ଜାତି ଅଶ୍ୱିନୀ ବୋଉ । ପୁରୁଷ ହୋଇ ଜନ୍ମ ହୋଇଥିଲେ ତମେ ବୁଝିଥାନ୍ତ, ଦୁନିଆଁରେ ଏଇ ପୁରୁଷ ଜାତିଟାର କେତେ କାମ–କେତେ ଦାୟିତ୍ୱ । ଦୁନିଆଁରେ ବାହାଦୁରି ନେବାପାଇଁ ପୁରୁଷ ଜାତିଟା ସଂଗ୍ରାମ କରେ । ସତ, ମିଛର ଆଶ୍ରୟ ନିଏ । ନ୍ୟାୟ, ଅନ୍ୟାୟ କରି ବସେ । ଶତ୍ରୁକୁ ମିତ୍ର କରେ–ପୁଣି ମିତ୍ରକୁ ମଧ୍ୟ ଶତ୍ରୁରେ ପରିଣତ କରାଏ । ଦୁନିଆଁରେ ବଞ୍ଚି ରହିବା ପାଇଁ ପୁରୁଷ ଜାତିଟା ଦିବା ରାତ୍ରି ଲଢ଼େଇ କରେ ଅଶ୍ୱିନୀ ବୋଉ । ତମେ ସେ କଥା ବୁଝି ପାରିବ ନାହିଁ ।

 

ବୁଢ଼ା ହେଉ, ଟୋକା ହେଉ, ସେ ପୁରୁଷ । ପୁରୁଷ ଜାତିର ଦୁର୍ଦ୍ଧର୍ଷ, ଅନମନୀୟ ଆକାଂକ୍ଷା ଓ ଆଗ୍ରହ କି ବୁଢ଼ା କି ଟୋକା ସବୁରି ହୃଦୟରେ ରାଜତ୍ୱ କରେ । ତରୁଣଟିଏ ବଞ୍ଚି ରହିବା ପାଇଁ ଯେଉଁ ସବୁଜ କଳ୍ପନା କରି ବସେ, ବୃଦ୍ଧଟିଏ ସେଇ କଳ୍ପନାରୁ ମଧ୍ୟ ବାଦ୍‍ ଯାଏନି ।

 

ତେଣୁ ମୋ କାମର ନିର୍ଦ୍ଦିଷ୍ଟ ରୂପରେଖ କିଛି ନାହିଁ । ମୋର ମାନ ସମ୍ମାନ, ପ୍ରତିପତ୍ତି ଉପରେ ଯେଉଁମାନେ ଆକ୍ରମଣ ଚଳାଇଛନ୍ତି, ସାମାଜିକ ଜଗତରୁ ଯେଉଁମାନେ ମୋର ମୂଲ୍ୟବୋଧ ହ୍ରାସ କରାଇ ଦେଇଛନ୍ତି, ସେମାନଙ୍କୁ ଜବଦ୍‍ କରିବା ମୋର ପ୍ରଧାନ କାମ ।

 

କୋକିଳ ଦେବୀ ଏତେବେଳେ ବୁଝି ପାରିଲେ ପୁଣ୍ଡରୀକାକ୍ଷଙ୍କ କଥାର ସାରମର୍ମ । ନଳିନାକ୍ଷର ସଭାକୁ ପଣ୍ଡ କରିଦେବା ପାଇଁ ଏମାନେ ବୋଧେ ଭିତରେ ଭିତରେ ଷଡ଼ଯନ୍ତ୍ର ଚଳାଇଛନ୍ତି । କାଲି ଦିନ ତମାମ୍‍ ଘରକୁ ନଆସି, ସେଇ ସଭା ବିରୁଦ୍ଧରେ କିଛି ନା କିଛି ଗୋଟିଏ କାଣ୍ଡ ନିଶ୍ଚୟ କରିବେ ।

 

ଆଶ୍ଚର୍ଯ୍ୟ ଏ ସ୍ଵାମୀ ! ନଳିନାକ୍ଷ ଓ ତା’ ଭଳି ଶହ ଶହ ଯୁବକ ଯଦି ଦେଶର ସ୍ଵାଧୀନତା ପାଇଁ ଆନ୍ଦୋଳନ କଲେ, ସତ୍ୟାଗ୍ରହ କଲେ, ସଭା ସମିତି ଜରିଆରେ ଦେଶର ଜନସାଧାରଣଙ୍କୁ ସ୍ୱାଧୀନତାର ଅର୍ଥ ବୁଝାଇ ବସିଲେ, ଏମାନଙ୍କର କ’ଣ ହେଲା ? ସେମାନଙ୍କୁ ବାଧାଦେଇ, ସେମାନଙ୍କ ଯାତ୍ରା ପଥରେ ଅନ୍ତରାୟ ସୃଷ୍ଟି କରି ଏମାନେ ଭଲା କ’ଣ ପାଇବେ ?

 

କୋକିଳ ଦେବୀ କହିଲେ–ସେ ଟୋକା ଟାକରା ସଭା କଲେ, ସମିତି କଲେ ବା ଆଉ ଯାହା କିଛି କରିବାକୁ ଚାହିଁଲେ, ସେଥିରେ ତମର କ’ଣ ଗଲା ? ସେମାନଙ୍କ ପାଇଁ ତମର ଚିନ୍ତା କରିବାର ଏତେ ଦରକାର ପଡ଼ିଛି ? ସେମାନଙ୍କୁ ବାଧା ଦେଇ କ’ଣ ତୁମର ଉପକାର ହୋଇଯିବ ମତେ କହିଲ ?

 

ପୁଣ୍ଡରୀକାକ୍ଷ କହିଲେ–ତମେ କିଛି ବୁଝି ପାରିବନି ଅଶ୍ୱିନୀ ବୋଉ । ଏଇ ନଳିନାକ୍ଷ ପାଇଁ ଆଜି ଏତେ କାଣ୍ଡ । ଗାଁ ଭିତରେ ମୋର ଯେଉଁ ପ୍ରଭାବ ଓ ପ୍ରତିପତ୍ତି ଥିଲା ସେ ସବୁ କାହାପାଇଁ ଶୂନ୍ୟ ହୋଇଯାଇଛି କହି ପାରିବ ?

 

କାହାପାଇଁ ଅସ୍ପୃଶ୍ୟ, ପତିତ ହରିଜନମାନେ ଆଜି ମଣିଷକୁ ମାନୁ ନାହାନ୍ତି ? କାହା ସାହସରେ ଆମ ଆଗରେ ଛାତି ଫୁଲାଇ ବାଟ ଚାଲିବା ସଙ୍ଗେ ସଙ୍ଗେ ମୁହେଁ ମୁହେଁ ମଧ୍ୟ ଜବାବ୍‍ ଦେଉଛନ୍ତି ? ସେଇ ନଳିନାକ୍ଷ ପାଇଁ ଅଶ୍ୱିନୀ ବୋଉ ।

 

ସେଇ ନଳିନାକ୍ଷର ଔଦ୍ଧତ୍ୟ ଓ ଗର୍ବ ନ ଭାଙ୍ଗିଲେ, ଆମେ ଆଉ ଏ ଗାଁରେ ରହି ପାରିବୁନି । ତାକୁ ଗିରଫ କରି ଜେଲ୍‍କୁ ନ ପଠାଇଲା ପର୍ଯ୍ୟନ୍ତ ଆମର ଶାନ୍ତି ନାହିଁ–ମୁକ୍ତି ନାହିଁ । ଯେଉଁ ଦିନ ଏଇ ପୂରବୀପୁର ଗାଁରୁ ସେ ଅଦୃଶ୍ୟ ହୋଇଯିବ, ସେ ଦିନ ଆମେ ଆମର ପୂର୍ବ ଗୌରବ ଫେରି ପାଇବୁ ।

 

ଆଷାଢ଼ ସନ୍ଧ୍ୟାର ଅନ୍ଧକାର ଗାଢ଼ ହୋଇ ଉଠିଲାଣି । ଆକାଶର ମଥାନରେ ଗୋଟି ଗୋଟି ହୋଇ ଜଳି ଉଠିଲାଣି ଅସଂଖ୍ୟ ତାରକାର ବତୀ ।

 

କୋକିଳ ଦେବୀ କହିଲେ–ପରର ଅମଙ୍ଗଳ ପାଞ୍ଚି ତମେ ଜୀବନଟା କଟେଇ ଦେଲ–ଶେଷ ମୁହୂର୍ତ୍ତରେ ସେଥିରୁ ଭଲା ଖସି ଆସି ଭଗବାନଙ୍କ ନାମ ଜପନ୍ତ !

 

ପୁଣ୍ଡରୀକାକ୍ଷ ସାମାନ୍ୟ କ୍ଷୁବ୍ଧ ହୋଇ କହିଲେ–ପରର ଅମଙ୍ଗଳ ମୁଁ ପାଞ୍ଚେ ? ତମେ, ନିଜର ସ୍ତ୍ରୀ ହୋଇ ଏ କଥା କହି ପାରିଲ ଅଶ୍ୱିନୀ ବୋଉ ? ଯେଉଁମାନେ ମୋ ବିରୁଦ୍ଧରେ ଅସ୍ତ୍ର ଉତ୍ତୋଳନ କରନ୍ତି, ମୁଁ ବାଧ୍ୟ ହୋଇ ପରେ, ସେମାନଙ୍କ ସହିତ ଲଢ଼ିବା ପାଇଁ ଅସ୍ତ୍ର ଧରି ଲଢ଼ାଇ କରେ । ତା’ ନ ହେଲେ...

 

କୋକିଳ ଦେବୀ ତାଙ୍କ ପାଟିରୁ କଥା ଛଡ଼େଇ ନେଇ କହିଲେ–ନା, ନା ତମେ ଭଲ ଲୋକ ହେ–ଯାହା କରୁଛ କର । ବଳେ ଫଳ ପାଇବ । ମୋର ସେଥିରେ କ’ଣ ଅଛି ? ସଞ୍ଜ ହୋଇଗଲାଣି ଆସି । ମୋର କେତେ କାମ ତେଣେ ପଡ଼ିଛି । ତମ ସହିତ ବକିବାକୁ ମୋର ବେଳ ନାହିଁ । ମୁଁ ଯାଉଛି ।

 

କୋକିଳ ଦେବୀ ଚାଲିଗଲେ ଘର ଭିତରକୁ ।

 

ପୁଣ୍ଡରୀକାକ୍ଷ ସନ୍ଧ୍ୟାର ଅନ୍ଧକାରରେ ଆସନ୍ତାକାଲି ପାଇଁ ନୂତନ କାର୍ଯ୍ୟକ୍ରମ ମନ ଭିତରେ ପ୍ରସ୍ତୁତ କରୁଥିଲେ ।

 

ପୂରବୀପୁରର ରଥ ଚକଡ଼ାରେ ‘ଭାରତ ଛାଡ଼’ ଡାକରାର ଆଜି ସଭା ବସୁଛି ।

 

ଦଳ ଦଳ ହୋଇ ଛାତ୍ର ଓ ଯୁବକମାନେ ଶୋଭାଯାତ୍ରା କରି ସଭାକକ୍ଷକୁ ଆସୁଛନ୍ତି ।

 

ସୂର୍ଯ୍ୟ ଅସ୍ତ ହୋଇଯିବା ଉପରେ । ଶ୍ରାବଣର କାଣୀ ନଦୀ ସତେ ଯେପରି ଆଜି ଫୁଲି ଉଠିଛି । ଦୁଇକୂଳ ଲଙ୍ଘି ପାଣି ବହି ଯାଉଛି । କୂଳପ୍ଳାବିନୀ କାଣୀ ନଦୀ ବୁକୁରେ ପଡ଼ିଛି ସନ୍ଧ୍ୟାରାଗର କେଇଟି ଫଳକ ।

 

କାଣୀ ନଦୀ ଆରପଟେ ରହି ଯାଇଥିବା ଅନେକ ଗ୍ରାମରୁ, ବହୁ ଲୋକ ସଭାକକ୍ଷକୁ ଆସୁଛନ୍ତି । ସେମାନଙ୍କର ନେତୃତ୍ୱ ନେଇଛି ନଳିନାକ୍ଷ । ହାତରେ ତ୍ରିରଙ୍ଗା ପତାକା ଧରି, ‘ଭାରତ ମାତା କି ଜୟ’, ‘ସ୍ୱାଧୀନ ଭାରତ ଜିନ୍ଦାବାଦ’ ଏବଂ ‘ମହାତ୍ମା ଗାନ୍ଧୀ କି ଜୟ’ ନାଦରେ କାଣୀ ନଦୀ ଆରପଟ ଗ୍ରାମଗୁଡ଼ିକ ଜାତୀୟ ଉଦ୍ଦୀପନାରେ ସତେ ଯେପରି ମନ୍ଦ୍ରିତ ହୋଇ ଉଠୁଛି ।

 

ଦଳ ଦଳ ହୋଇ ଲୋକେ ଡଙ୍ଗାରେ ପାରି ହୋଇ ଆର ପାରିକୁ ଆସୁଛନ୍ତି । ଦୁଇ ଜଣ ନାଉରୀ ଦୁଇଟି ନାହାରେ ଅସୀମ ଧୈର୍ଯ୍ୟ ସହକାରେ ସେମାନଙ୍କୁ ପାରି କରି ଦେଉଛନ୍ତି । ଭାରତର ସ୍ୱାଧୀନତା ଆନ୍ଦୋଳନରେ ସେ ଦୁହେଁ ଯେପରି ଅଂଶଗ୍ରହଣ କରିଛନ୍ତି । ଅଥଳ ନଦୀ ବୁକୁରେ ଶହ ଶହ ଲୋକଙ୍କୁ ପାରି କରିଦେବା ପାଇଁ ସେମାନଙ୍କର କ୍ଳାନ୍ତି ନାହିଁ–ଶ୍ରାନ୍ତି ନାହିଁ–କୁଣ୍ଠା ପ୍ରକାଶ ପାଉନାହିଁ ।

 

ରାତି ଦି ଘଡ଼ି ରଥ ଚକଡ଼ାର ସଭାକକ୍ଷ ପୂରି ଯାଇଥିଲା । କାଣୀ ନଦୀ ଘାଟରେ ଲୋକ ଭିଡ଼ କମିଯାଇ ଥିଲା ।

 

ନୀଳିମା ଓ ଜ୍ୟୋତ୍ସ୍ନାରାଣୀ ସ୍ତ୍ରୀଲୋକମାନଙ୍କର ନେତୃତ୍ୱ ନେଇଛନ୍ତି । କେଉଁ ଗାଁରୁ ଏତେ ସ୍ତ୍ରୀଲୋକ ଆସିଛନ୍ତି କେଜାଣି ? ସଭାକ୍ଷେତ୍ରରୁ କ’ଣ ସେ ପାଇବେ ? କ’ଣ ଅବା ଶୁଣିବେ-? ପୁରୁଷ ଲୋକଙ୍କ ପରି ସେମାନେ ମଧ୍ୟ ପାଗଳ ହୋଇ ଛୁଟିଛନ୍ତି ।

 

ସେମାନେ ପାଗଳିନୀ ହୋଇ ନାହାନ୍ତି । ଜ୍ୟୋତ୍ସ୍ନାରାଣୀ ଓ ନୀଳିମା ସେମାନଙ୍କୁ ପାଗଳିନୀ କରିଛନ୍ତି । ସେମାନଙ୍କ ନିଷ୍କ୍ରିୟ ମନ ଭିତରେ ଏ ଦୁହେଁ କ୍ରିୟାଶୀଳତାର ଶୁଭଶଙ୍ଖ ବଜାଇଛନ୍ତି । ସେଇ ଶୁଭଶଙ୍ଖ ନାଦରେ ସେମାନଙ୍କ ପିଞ୍ଜରାବଦ୍ଧ ଗୃହସ୍ଥ ଜୀବନ ଚହଲି ଯାଇଛି । ଚଞ୍ଚଳ ହୋଇ ଉଠିଛି । ଗାର୍ହସ୍ଥ୍ୟ ଜୀବନର ସ୍ଵାମୀ ପରିଚର୍ଯ୍ୟା ଓ ଶିଶୁମାନଙ୍କର ଖାଦ୍ୟପେୟର ବ୍ୟବସ୍ଥା କଥା ଭୁଲିଯାଇ, ସେମାନେ ଦଉଡ଼ି ଆସିଛନ୍ତି ସଭାକକ୍ଷକୁ ।

 

ସେଇ ସ୍ତ୍ରୀମାନଙ୍କ ଭିତରେ ଅନେକ ନବବିବାହିତା ତରୁଣୀ ଅଛନ୍ତି । ଅନେକଙ୍କ ମନ ଭିତରୁ ମଧୁଶଯ୍ୟା ରାତ୍ରିର ଉନ୍ମାଦନା ଏପର୍ଯ୍ୟନ୍ତ ମଧ୍ୟ କଟି ନଥିବ । ବିବାହ ବାସରର ମନ୍ଦିର ସୁରଭି ସେମାନଙ୍କ ଦେହ ତୀରରୁ ଏବେ ମଧ୍ୟ ଭାସି ଆସୁଥିବ ।

 

ସେମାନେ କାହିଁକି ଆସିଲେ ? ଜୀବନର ସେଇ ବାଞ୍ଛିତ ମୁହୂର୍ତ୍ତକୁ ଭୁଲିଯାଇ, ଏଇ ଶୁଷ୍କ, ରୁକ୍ଷ ସଭାକକ୍ଷକୁ ସେମାନେ କାହିଁକି ଆସିବାକୁ ମନ ବଳାଇଲେ ? ଏ ସଭାରେ ଯୌନଚର୍ଚ୍ଚା ହେବ ନାହିଁ । ସ୍ୱାମୀର ମନକୁ ଜୟ କରିବା ପାଇଁ ସାଧୁ ଉପଦେଶ ଓ ଶିକ୍ଷା ମଧ୍ୟ ଦିଆଯିବ ନାହିଁ । ପ୍ରେମର ସାଗରରେ ନିରାପଦରେ ପହଁରିବାକୁ ନୂଆ ନୂଆ ଉପାୟ ଓ କୌଶଳ ମଧ୍ୟ କହି ଦିଆଯାଇ ପାରିବ ନାହିଁ ।

 

ନଳିନାକ୍ଷ ଥରେ ଚାହିଁଲା ସ୍ତ୍ରୀମାନେ ବସିଥିବା ସେଇ ଶୃଙ୍ଖଳିତ ସ୍ଥାନଟିକୁ । ଓଃ କେଡ଼େ ନୀରବରେ ବସି ରହିଛନ୍ତି, ପ୍ରୌଢ଼ା ଓ ତରୁଣୀ ସ୍ତ୍ରୀମାନେ । ସଭାକକ୍ଷକୁ ତୀର୍ଥସ୍ଥାନ ମଣି ସେମାନେ ବୋଧହୁଏ ଚାଲି ଆସିଛନ୍ତି । ପୁଣ୍ୟ ଅର୍ଜ୍ଜନ କରିବା ପାଇଁ । ଏକ ଅନ୍ଧ ପ୍ରରୋଚନାରେ ବଶବର୍ତ୍ତୀ ହୋଇ ସେମାନେ ବୋଧହୁଏ ଏଠାକୁ ଆସିଛନ୍ତି ।

 

ସେମାନଙ୍କର ଆସିବାର କି ଆବଶ୍ୟକତା ଥିଲା ? କି ପ୍ରୟୋଜନ ଅବା ଥିଲା ? ନୀଳିମା ଓ ଜ୍ୟୋତ୍ସ୍ନାରାଣୀ ସମଗ୍ର ନାରୀ ସମାଜକୁ ତତେଇ ଦେଇ ପାରିଛନ୍ତି । ପଲ୍ଲୀ ମାଳିନୀ ଓଡ଼ିଶାର ଗୃହକୋଣର ଭୁଆସୁଣୀ ମନତଳେ ଜାତୀୟ ଆନ୍ଦୋଳନର ମୃତସଞ୍ଜୀବନୀ ମନ୍ତ୍ର ମଧ୍ୟ ଦେଇ ପାରିଛନ୍ତି ।

 

ବନ୍ଧୁକ ଓ ଗୁଳି ଗୋଳାର ଆଓ୍ୱାଜ, ଭାରତର ଚାରିଆଡ଼େ ଶୁଭୁଥିଲେ ମଧ୍ୟ, ସରଳା ଗ୍ରାମ୍ୟବଧୂ ସେ ଭୟ ଓ ଆତଙ୍କରେ ଥରି ଉଠୁନାହିଁ, ଶିହରି ଉଠୁନାହିଁ । ନିଜ ସ୍ଵାମୀମାନଙ୍କ ସହିତ ନିର୍ଭୟରେ, ଓଢ଼ଣା ଟାଣି ଟାଣି ଚାଲି ଆସିଛି ଏଇ ସଭାକକ୍ଷକୁ ।

 

ଦରିଆର ଆର ପାରିର ହେ ସାମ୍ରାଜ୍ୟବାଦୀ ପାଶ୍ଚାତ୍ୟ ଗୋଷ୍ଠୀ ! କେତେକାଳ ଆଉ ଭାରତ ଭୂଇଁରେ ତମେ ଏକାଙ୍ଗଚକ୍ରବର୍ତ୍ତୀ ସମ୍ରାଟ ହୋଇ ବସି ରହିବ ? ଭାରତୀୟ ଜନତାର ଏଇ ସ୍ଵତଃସ୍ଫୂର୍ତ୍ତ ଗଣ ବିକ୍ଷୋଭ ତମେ ଥରେ ଆସି ସ୍ଵଚକ୍ଷୁରେ ଦେଖିଯାଅ । କେବଳ ଶିକ୍ଷିତ ଯୁବକ ନୁହେଁ, ମହାତ୍ମା ଗାନ୍ଧୀ, ପଣ୍ଡିତ ନେହେରୁ, ସର୍ଦ୍ଦାର ପଟେଲ ଓ ସୁଭାଷ ବୋଷ ନୁହଁନ୍ତି ପଲ୍ଲୀ ମାଳିନୀ ଭାରତର ଶହ ଶହ ଅଶିକ୍ଷିତା କୁଳବଧୂ, ଗୃହାଙ୍ଗନର ମାୟା ଓ ମମତାକୁ ପରିହାର କରି ଆଜି ଚାଲି ଆସିଛନ୍ତି ଭାରତୀୟ ଜନତାର ଏଇ ମହାନ୍‍ ପୀଠକୁ ।

 

ତମର ନିଶ୍ଚୟ ପରାଜୟ ହେବ । ତମର ଶାସନ ଭୁଷୁଡ଼ି ପଡ଼ିବ । ଭାରତୀୟ ଜନତା, ଭାରତର ଶାସନ ଖସଡ଼ା ତିଆରି କରି, ତମ ବଡ଼ଲାଟ ଭବନରେ ମାଲିକ ହେବ । ଭାରତୀୟ ଜନତାର ପୁଞ୍ଜୀଭୂତ ନିଃଶ୍ୱାସର ଖର ବାୟୁରେ ତମର ଗର୍ବ ଓ ଅହଂକାର ଉଡ଼ିଯିବ ।

 

ସଭାକକ୍ଷରେ ଭୀଷଣ ଲୋକାରଣ୍ୟ । ଏ ଭିଡ଼ର ଯେପରି ଅବସାନ ହେବ ନାହିଁ । ବେଳୁବେଳ ଭିଡ଼ ଆହୁରି ବଢ଼ୁଛି । ହଜାର ହଜାର ଜନତାକୁ ଶାନ୍ତ କରି ହେଉନି । ଶୃଙ୍ଖଳିତ କରାଯାଇ ପାରୁନି । ଘୋ ଘୋ ହୋ ହୋରେ ଚାରିଆଡ଼େ ଖେଳି ବୁଲୁଛି ଏକ ଅଶାନ୍ତ ବାତାବରଣ-

 

କଂଗ୍ରେସ ଦଳର ସ୍ଵେଚ୍ଛାସେବକମାନେ ନନ୍ଦକିଶୋରଙ୍କ ନେତୃତ୍ୱରେ ଦଳ ଦଳ ବାଣ୍ଟି ହୋଇ ସେମାନଙ୍କୁ ଦଶ ଜଣ କରି ବସାଇବାର ଆୟୋଜନ କରୁଛନ୍ତି । ଧୀରସ୍ଥିର ହୋଇ ବସିବାକୁ ହାତଯୋଡ଼ି ବିନମ୍ର ନିବେଦନ କରୁଛନ୍ତି ।

 

ତଥାପି କୋଳାହଳ । ଭୀଷଣ କୋଳାହଳ । କାନ ସ୍ତବ୍ଧ ହୋଇ ଯାଉଛି ।

 

ନଳିନାକ୍ଷ ନିରୁପାୟ ହୋଇ ସଭା ମଞ୍ଚ ଉପରକୁ ଉଠିଲା । ହାତଯୋଡ଼ି ନୀରବରେ ଦୁଇ ମିନିଟ୍‍ ଖଣ୍ଡେ ଠିଆହେଲା । ଅଶାନ୍ତ ଓ ବିଶୃଙ୍ଖଳ ଜନତା, ମଞ୍ଚ ଉପରେ ନଳିନାକ୍ଷ ଠିଆ ହୋଇଥିବା ଦେଖି, ଧୀରେ ଧୀରେ ଶାନ୍ତ ଓ ଶୃଙ୍ଖଳିତ ହୋଇ ଉଠିଲେ ।

 

ସଭାକକ୍ଷ ସମ୍ପୂର୍ଣ୍ଣ ନୀରବ...

 

ନଳିନାକ୍ଷ କହିଲା–ପୂରବୀପୁରର ଇତିହାସରେ ଆଜି ଭଳି ଏକ ସ୍ମରଣୀୟ ଦିବସର ଗୁରୁତ୍ୱ ନିଶ୍ଚୟ କାଳ କାଳକୁ ଉଲ୍ଲେଖ ହୋଇ ରହିବ । ଯାଜପୁର ସବ୍‍ଡିଭିଜନ୍‍ର ପ୍ରାୟ ପ୍ରତ୍ୟେକ ଗାଁରୁ ଆଜି ଲୋକ ଆସିଛନ୍ତି ।

 

ଏ ଦେଶର ସ୍ଵାଧୀନତା ଆନ୍ଦୋଳନକୁ ଦୃଢ଼ ଓ ଶକ୍ତିଶାଳୀ କରିବା ପାଇଁ ଆପଣମାନେ ଏଠାକୁ ଆସିଛନ୍ତି । ମୁଁ ଜାଣେ, ବହୁ ଲୋକ ଏକତ୍ରିତ ହୋଇ ଗୋଟିଏ ସ୍ଥାନରେ ବସିଲେ, ସେମାନଙ୍କ ପାଟି ଗୋଳରେ, ବସିଥିବା ସ୍ଥାନ କୋଳାହଳମୟ ହୋଇ ଉଠେ ।

 

ତେଣୁ ଆଜି ଯେତେବେଳେ ହଜାର ହଜାର ଲୋକ, ଏଠାରେ ଏକତ୍ରିତ ହେବାର ଅବକାଶ ପାଇଛନ୍ତି ସେତେବେଳେ କୋଳାହଳ ନହେବ କିପରି ? ମାତ୍ର ଆପଣମାନଙ୍କୁ ମୋର ଗୋଟିଏ ଅନୁରୋଧ, ସଭା ଆରମ୍ଭ ହେବା ପୂର୍ବରୁ ଆପଣମାନେ ନିଜ ନିଜ ସ୍ଥାନରେ ଧୀରସ୍ଥିର ହୋଇ ବସିବେ । ଆପଣମାନେ ଧୀରସ୍ଥିର ହୋଇ ନ ବସିଲେ ଆମେ ଆରମ୍ଭ କରିବୁ କିପରି ?

 

ନଳିନାକ୍ଷ, ଜନତା ଉଦ୍ଦେଶ୍ୟରେ ନମସ୍କାର ଜଣାଇଲା ।

 

ସଭାକକ୍ଷରେ ଉପସ୍ଥିତ ଜନତା ଧୀର, ଶାନ୍ତ ହୋଇ ବସିପଡ଼ିଲେ । ତଥାପି ସମବେତ ଜନତାର ମୃଦୁ ଗୁଞ୍ଜନରେ ସଭାକକ୍ଷ, କମ୍ପି ଉଠୁଥାଏ ।

 

ନଳିନାକ୍ଷ ସଭା ମଞ୍ଚରୁ ବିଦାୟ ନେଇ ଚାଲିଗଲା ପରେ ନନ୍ଦକିଶୋର ଆସିଲା । କହିଲା–ଆଜିକାର ଏଇ ସଭାରେ ସଭାପତିତ୍ୱ କରିବା ପାଇଁ ନଳିନାକ୍ଷ ବାବୁଙ୍କ ନାମ ମୁଁ ପ୍ରସ୍ତାବ କରୁଛି ।

 

ଜ୍ୟୋତ୍ସ୍ନାରାଣୀ କେଉଁଠି ଥିଲା କେଜାଣି ହଠାତ୍‍ ସଭାମଞ୍ଚ ଉପରକୁ ଅପ୍ରତ୍ୟାଶିତ ଭାବେ ଉଠି ଆସି କହିଲା–ଏ ପ୍ରସ୍ତାବକୁ ମୁଁ ସମର୍ଥନ କରୁଛି ।

 

କରତାଳି ଧ୍ୱନିରେ କମ୍ପି ଉଠିଲା ରଥ ଚକଡ଼ା ।

 

ନଳୀନାକ୍ଷ ଧୀର, ଗମ୍ଭୀର ହୋଇ ସଭାପତି ଆସନରେ ଯାଇ ବସିଲା । ଆଖି ସାମନାକୁ ଚାହିଁ ଦେଖେ ଅଗଣିତ ଜନତାର ପାରାବାର । ବେଳୁଁ ବେଳ ଲୋକ ବଢ଼ିବାରେ ଲାଗିଛନ୍ତି ।

 

ଶ୍ରାବଣ ଆକାଶରେ କଳାଘୁମର ମେଘ ଘୋଟି ଆସିଲାଣି । ଚାରିଟି ପେଟ୍ରୋମାକ୍ସ ଲାଇଟ୍‍ ଜଳୁଛି । ସାହି ସାରା ଯେତେ ଲଣ୍ଠନ ସବୁ ସଂଗ୍ରହ କରାଯାଇ, ସଭାକକ୍ଷର ବିଭିନ୍ନ ସ୍ଥାନରେ ଖୁଣ୍ଟ ପୋତାହୋଇ ଟଙ୍ଗା ଯାଇଛି

 

ସବା ପ୍ରଥମେ ଜ୍ୟୋତ୍ସ୍ନାରାଣୀ ସଭାମଞ୍ଚ ଉପରକୁ ଉଠି ବକ୍ତୃତା ଆରମ୍ଭ କଲା ।

 

ଜନତା ଆଶ୍ଚର୍ଯ୍ୟ ହେଲେ । ଜାତୀୟ ଆନ୍ଦୋଳନକୁ ପଣ୍ଡ କରିଦେବା ପାଇଁ ଯେଉଁ ବିକ୍ରମଦେବ ରାୟ ପ୍ରାଣପଣେ ଚେଷ୍ଟା ଚଳେଇ, ଗୋରା କଲେକ୍ଟର ପଛରେ ଗୋଡ଼ାଇଛନ୍ତି ତାଙ୍କରି କନ୍ୟା ଜ୍ୟୋତ୍ସ୍ନାରାଣୀ ! ରେଭେନ୍‍ସା କଲେଜର ବି.ଏ. ଶ୍ରେଣୀର ଛାତ୍ରୀ । ସେ କିପରି ଆସି ଏଠି ବକ୍ତୃତା ଦେଉଛନ୍ତି ?

 

ଓଃ କି ଜ୍ଵାଳାମୟୀ, ଅଗ୍ନିବର୍ଷୀ ସେ ଭାଷଣ ! ସେ ଭାଷଣ ଶୁଣିଲା ବେଳକୁ ଲୋମ ଟାଙ୍କୁରି ଉଠୁଛି । ସ୍ନାୟୁ ତନ୍ତ୍ରୀରେ ଉତ୍ତେଜନା ଖେଳି ବୁଲୁଛି । ଘରଦ୍ଵାର, ଖାଇବା ପିଇବା ଓ ପିଲା ଛୁଆଙ୍କ ମାୟା ମମତା ଭୁଲି, ବ୍ରିଟିସ୍‍ ବାହିନୀକୁ ତଡ଼ିଦେବା ପାଇଁ ମନ ଭିତରେ ଶତ ସିଂହର ବଳ ଉଦୟ ହେଉଛି ।

 

ଜ୍ୟୋତ୍ସ୍ନାରାଣୀର ଭାଷଣ ଚାଲିଛି....

 

ଶ୍ରାବଣ ଆକାଶରେ ମେଘ ଛାଇ ହୋଇ ଗଲାଣି । ଥଣ୍ଡା ଥଣ୍ଡା ପବନ ପିଟିବାକୁ ଆରମ୍ଭ କରିଛି । ଯଦି ଅସରେ ବର୍ଷିଯିବ ! ତେବେ ଆଜିକାର ଏଡ଼େ ବିରାଟ ସଭା, ବ୍ୟର୍ଥ ହୋଇଯିବ ।

 

ନଳିନାକ୍ଷର ଅନ୍ତର ଉଦାସ ହୋଇ ଉଠିଲା ।

 

ଭାରତ ମାତା ! ତମେ କ’ଣ ବିଦେଶୀ ଶାସକର ଶୃଙ୍ଖଳରୁ ମୁକ୍ତ ହେବାକୁ ଚାହଁନାହିଁ ? ତମର ଅଗଣିତ ସନ୍ତାନକୁ ଜାତୀୟ ଭାବରେ ଉଦ୍‍ବୁଦ୍ଧ କରିବାକୁ ତମର କ’ଣ ଇଚ୍ଛା ନାହିଁ ? ବାସନା ନାହିଁ ? ଆଜି ଯେତେବେଳେ ସମଗ୍ର ସବ୍‍ଡିଭିଜନ୍‍ର ଲୋକେ ଏକତ୍ରିତ ହେବାର ଅବକାଶ ପାଇଛନ୍ତି, ‘ଭାରତ ଛାଡ଼’ ଆହ୍ୱାନରେ ମୁକାବିଲା କରିବା ପାଇଁ ରୁଣ୍ଡ ହୋଇଛନ୍ତି, ସେତେବେଳେ ପ୍ରକୃତିର ଏ କି ଅଭିଶାପ ? ବିପର୍ଯ୍ୟୟ ?

 

ଘଣ୍ଟାକ ପୂର୍ବରୁ ଆକାଶ ଥିଲା ନିର୍ମଳ-ମେଘମୁକ୍ତ । ମାତ୍ର ସଭା ଆରମ୍ଭ ହେବାକୁ ଯାଉଥିବା ବେଳେ, ଘୋଟି ଆସୁଛି ଶ୍ରାବଣର ସର୍ବନାଶୀ କଳାମେଘ ।

 

ହେ ପ୍ରଭୁ ! ଆକାଶ ବୁକୁରୁ ମେଘ ଦୂର ହୋଇଯାଉ । ପବନର ଗତି ଚକ୍ରରେ କଳା କଳା ମେଘ ଉଡ଼ିଯାଉ । ଆକାଶ ହେଉ ମେଘମୁକ୍ତ, ତାରକା ଖଚିତ । ଆଜିର ସଭା ଯଦି ସାଫଲ୍ୟମଣ୍ଡିତ ହୁଏ, ସାରା ଓଡ଼ିଶାର ଜନତାକୁ ବିସ୍ମୟରେ ଅଭିଭୂତ କରିଦେଇ, ଯାଜପୁର ହେବ ଅଗ୍ରଣୀ । ‘ଭାରତ ଛାଡ଼’ ଆନ୍ଦୋଳନର ଆଦି ଭୂମି ।

 

ଜ୍ୟୋତ୍ସ୍ନାରାଣୀର ଭାଷଣ ଚାଲିଛି....

 

ସଭାର ଅନତି ଦୂରରେ, ଗୋଟିଏ କିଆବୁଦା ପାଖରେ ବସିଛନ୍ତି ପୁଣ୍ଡରୀକାକ୍ଷ । ତାଙ୍କ ପାଖକୁ ଲୋକନାଥ । ଦୁହିଁଙ୍କ ପଛପଟେ ଠିଆ ହୋଇଛନ୍ତି ଚାଳିଶି ଜଣ ଲାଠିଧାରୀ ମୁସଲମାନ୍‍ ଯୁବକ ।

 

ସେମାନେ ଖୁବ୍‍ ହୃଷ୍ଟପୁଷ୍ଟ । ବାଡ଼ିଆ । ଖୋସାଲୁପୁରର ଯେ କେହି ବାଡ଼ିଆ, ଦଶ ଜଣ ଲୋକଙ୍କୁ ଖଣ୍ଡିଏ ମାତ୍ର ବାଡ଼ି ସାହାଯ୍ୟରେ ପ୍ରତିରୋଧ କରି ପାରିବ । ସେହି ଗାଁର ବଛା ବଛା ଚାଳିଶି ଜଣ ବାଡ଼ିଆ, ପାଇକଛା ଭିଡ଼ି, ଗାଲମୁଛି ବାନ୍ଧି ଲାଠିଧରି ଠିଆ ହୋଇଛନ୍ତି ।

 

ଏଇ ଚାଳିଶି ଜଣ ବାଡ଼ିଆ, ସମସ୍ତେ ବିକ୍ରମଦେବ ରାୟଙ୍କର ପ୍ରଜା । ସରଳ ବିଶ୍ଵାସୀ ଏହି ମୁସଲମାନ୍‍ଙ୍କ ମନ ତଳେ ବିକ୍ରମଦେବ ସୃଷ୍ଟି କରିଛନ୍ତି ପ୍ରଚଣ୍ଡ ବିଦ୍ରୋହ । ତାଙ୍କରି ପ୍ରରୋଚନାରେ ସେମାନେ ଆସିଛନ୍ତି ଜାତୀୟ ଆନ୍ଦୋଳନର ଅଖ୍ୟାତ ଓ ପ୍ରଖ୍ୟାତ ନେତାମାନଙ୍କୁ ମାରି ପିଟି ଜବଦ୍‍ କରିଦେବେ ।

 

ବିକ୍ରମଦେବ ସେମାନଙ୍କୁ କହିଛନ୍ତି–ଜାତୀୟ ଆନ୍ଦୋଳନରେ ଯଉଁମାନେ ମାତିଛନ୍ତି, ସେମାନେ ସମସ୍ତେ ବିଧର୍ମୀ । ତମ ଇସ୍‍ଲାମ୍‍ ଧର୍ମକୁ ଧ୍ଵଂସ କରିଦେବା ପାଇଁ ସେମାନେ ସଭା ସମିତି କରୁଛନ୍ତି । ତମ ମସ୍‍ଜିଦ୍‍କୁ ଭାଙ୍ଗିଦେଇ ସେଠାରେ ସଭା ସମିତି କରିବା ପାଇଁ କଳ୍ପନା କରୁଛନ୍ତି ।

 

ସରଳ, ଧର୍ମ ବିଶ୍ଵାସୀ ମୁସଲମାନ୍‍ ଯୁବକମାନେ ଉତ୍‍କ୍ଷିପ୍ତ ହେଲେ । ଜମିଦାର ପୁଣି ୟୁନିୟନ ପ୍ରେସିଡେଣ୍ଟ ବିକ୍ରମଦେବଙ୍କର ପରାମର୍ଶ ଲୋଡ଼ିଲେ–ସେ କହିଲେ ଶୁକ୍ରବାର ଦିନ ଯେଉଁ ସଭା ହେବ, ସେହି ସଭାରେ ଯେଉଁମାନେ ବକ୍ତୃତା ଦେବେ, ସେହିମାନଙ୍କୁ ତମେ ଯଦି ଘାଏଲ କରିପାରିବ ତା’ହେଲେ ତମର ଏ ଧର୍ମ ଉପରେ କୌଣସି ଆଞ୍ଚ ଆସିବ ନାହିଁ । ନିରାପଦରେ ପୂର୍ବଭଳି ତମେମାନେ ଜୀବନ କଟାଇ ପାରିବ ।

 

ସେମାନଙ୍କୁ ମାରିପିଟି ଘାଏଲ କଲେ, ପୋଲିସ୍‍ ଶୁଣିବନି । ସରକାର ନୀରବ ରହିଯିବ-। କାରଣ ସେମାନେ ସରକାରଙ୍କ ବିରୁଦ୍ଧରେ ମାତିଛନ୍ତି । ଆନ୍ଦୋଳନ ସୃଷ୍ଟି କରୁଛନ୍ତି ।

 

ବିକ୍ରମଦେବଙ୍କ କଥାରେ ରାଜି ହୋଇ ଖୋସାଲପୁରର ଚାଳିଶି ଜଣ ଶକ୍ତିସମ୍ପନ୍ନ ଯୁବକ ବାଡ଼ିଆ, ଆଜି ନେତାମାନଙ୍କୁ ମାରିପିଟି ଘାଏଲ କରିଦେବା ପାଇଁ ତିଆର ହୋଇଛନ୍ତି । ପୁଣ୍ଡରୀକାକ୍ଷଙ୍କ ଠାରୁ ଆଦେଶ ପାଇଲେ, ସେମାନେ ବାଡ଼ି ଧରି ଡେଇଁ ପଡ଼ିବେ ସଭାକକ୍ଷ ଭିତରକୁ-। ହାତୀ ଯେମିତି କିଆ କନ୍ଦା କାଇବାକୁ ଯାଇ, କିଆ ବଗିଚାକୁ ଛିନ୍ନ ଭିନ୍ନ, ବିପର୍ଯ୍ୟସ୍ତ ଓ ବିକ୍ଷିପ୍ତ କରିଦିଏ, ସେମାନେ ସଭାକକ୍ଷ ଭିତରକୁ ପାଶିଯାଇ ସେଇମିତି କରିଦେବେ ।

 

ପୁଣ୍ଡରୀକାକ୍ଷ ଏପର୍ଯ୍ୟନ୍ତ ଆଦେଶ ଦେଇ ନାହାନ୍ତି ।

 

ସେ ଲକ୍ଷ୍ୟ କରୁଛନ୍ତି ସଭା ମଞ୍ଚ ଉପରକୁ । ଓଃ, ଏ ଝିଅଟା କି ବକ୍ତୃତା କରୁଛି ! ସେ ଲୋକନାଥଙ୍କ ଆଡ଼କୁ ମୁହଁକରି, ଶ୍ରାବଣର ସେଇ ମେଘ ଅନ୍ଧାର ରାତିରେ ଧୀରେ କହିଲେ–ଦେଖ, ଦେଖ ଲୋକନାଥ ବାବୁ, ବାପ ସିଆଡ଼େ ବ୍ରିଟିସ୍‍ ସରକାରଙ୍କ ତରଫରେ ରହି ସୁନାପୁଅ ହେଉଛି । ଜାତୀୟ ଆନ୍ଦୋଳନରେ ଭାଗନେଇ ଯେଉଁମାନେ ସତ୍ୟାଗ୍ରହୀ ହୋଇଛନ୍ତି, ସେମାନଙ୍କ ମୂଳପୋଛ କରିବା ପାଇଁ ଉଦ୍ୟମ କରୁଥିବା ବେଳେ, ତାଙ୍କ ଝିଅ ଇଆଡ଼େ, ବ୍ରିଟିସ୍‍ ବାହିନୀର ମୁଳୋତ୍ପାଟନ କରିବା ପାଇଁ ଶପଥ ନେଉଛି ।

 

ଲୋକନାଥ କହିଲେ–ଆଜି ଆମର ଉଦ୍ଦେଶ୍ୟ ସାଧିତ ହେବନି କକେଇ । ବିକ୍ରମ ବାବୁଙ୍କ ଝିଅ ଯେତେବେଳେ ସଭାକକ୍ଷରେ ଅଛି, ଏମାନଙ୍କୁ ଛାଡ଼ିଦେଲେ ତା’ ଉପରେ ଯଦି ମାଡ଼ ହୋଇଯାଏ, ତା’ହେଲେ କ’ଣ ହେବ ପରିଣତି ? କାଲି ସକାଳୁ ଦେଖାହେଲେ ଆମକୁ ସେ କ’ଣ କହିବେ ? ଆମେ ସେମାନଙ୍କୁ ଲାଠି ଚଳାଇବାକୁ ନିର୍ଦ୍ଦେଶ ଦେବାନି । କଥାଟା ଭାରି କିଛି ଖରାପ ହେବ ।

 

ପୁଣ୍ଡରୀକାକ୍ଷ ରାତ୍ରିର ସେଇ ଅନ୍ଧାରରେ ଲୋକନାଥଙ୍କ ପାଖକୁ ଲାଗିଯାଇ କହିଲେ–ଆଜି ଭଳି ସୁବର୍ଣ୍ଣ ସୁଯୋଗ ଆମକୁ ମିଳିବନି ଲୋକନାଥ ବାବୁ । ଶତ୍ରୁକୁ ଜବତ୍‍ କରିବାର ଏ ହେଉଛି ମାହେନ୍ଦ୍ର ଲଗ୍ନ । ଆଜି ଯଦି ନଳିନାକ୍ଷ ଉପରେ ଆମେ ଦାଉ ସାଧି ନ ପରିବା, ତେବେ ଚିରଦିନ ଆମର ପ୍ରତିଶୋଧ, ସେଇ ପ୍ରତିଶୋଧରେହିଁ ରହିଯିବ । ବିକ୍ରମ ବାବୁଙ୍କ ଝିଅ ଉପରେ ଯଦି ମାଡ଼ ବାଜିଯାଏ, ଆମେ ସେଥିପାଇଁ ଦାୟୀ ହେବାନି । ସେ ହେବ ଆମର ଦୁର୍ଭାଗ୍ୟ । କିନ୍ତୁ ଏମାନଙ୍କୁ ଆମେ ନିଶ୍ଚୟ ସଭାକକ୍ଷ ଭିତରକୁ ଯାଇ ଲାଠି ଚଳାଇବାକୁ ନିର୍ଦ୍ଦେଶ ଦେବା ।

 

ଲୋକନାଥ ନୀରବ ରହିଲେ ।

 

ଆକାଶରେ କଳା ଭଅଁରିଆ ମେଘଟା ଚାହୁଁ ଚାହୁଁ ଭାଜିଗଲା । ହୋଇଥାନ୍ତା କି ଅସରେ ବର୍ଷା । ତା’ହେଲେ ଏମାନନଙ୍କର ସଭା ଆଜି ବ୍ୟର୍ଥ ହୋଇ ଯାଇଥାନ୍ତା ।

 

ଜ୍ୟୋତ୍ସ୍ନାର ବକ୍ତୃତା ତଥାପି ବନ୍ଦ ହୋଇନି....

 

ପୁଣ୍ଡରୀକାକ୍ଷ କହିଲେ–କେତେ ସମୟ ଆଉ ଅପେକ୍ଷା କରିବା ? ଏମାନେ ଯାଇ ଲାଠି ଚଳାଇବା ଆରମ୍ଭ କରି ଦିଅନ୍ତୁ । ଦୁଇ ଚାରି ଜଣ ଖୁନ୍‍ ହୋଇଗଲେ, କିଏ ହୁଆଡ଼େ ଛତ୍ରଭଙ୍ଗ ଦେଇ ପଳାଇ ଯିବେ ।

 

ଲୋକନାଥ କହିଲେ–ଠିକ୍‍ କହିଛ ତମେ କକେଇ । ଏମାନଙ୍କୁ ନିର୍ଦ୍ଦେଶ ଦିଅ । ଆଉ ଡେରି କରନି ।

 

ପୁଣ୍ଡରୀକାକ୍ଷ କିଆବୁଦା ପାଖରୁ ଉଠିଯାଇ ପ୍ରସ୍ତୁତ ହୋଇ ରହିଥିବା ଚାଳିଶି ଜଣ ବାଡ଼ିଆଳ ନେତାଙ୍କୁ ସଭା ଭିତରକୁ ପଶିଯିବା ପାଇଁ ନିର୍ଦ୍ଦେଶ ଦେଲେ ।

 

ଅସୀମ ବିକ୍ରମରେ, ଏହି ଚାଳିଶି ଜଣ ଲାଠିଧାରୀ ଯୁବକ ସଭା ମଞ୍ଚ ପାଖକୁ ଉଠିଯାଇ, ଗୋରୁ ଗାଈଙ୍କୁ ପିଟିଲା ଭଳି ପିଟିବା ଆରମ୍ଭ କରିଦେଲେ ।

 

ସଭା କକ୍ଷରେ ଖେଳିଗଲା ଏକ ଅଦ୍ଭୁତପୂର୍ବ ଭୟ ଓ ଚମକ । ଛତ୍ରଭଙ୍ଗ ଦେଇ କିଏ କୁଆଡ଼େ ପ୍ରାଣ ବିକଳରେ ଦଉଡ଼ିବାରେ ଲାଗିଲେ ।

 

ସଭା ମଞ୍ଚରେ ଠିଆ ହୋଇ ଜ୍ୟୋତ୍ସ୍ନାରାଣୀ ଭାଷଣ ଦେଉଥିଲା ତା’ ପାଖକୁ ଲାଗି ବସିଥିଲା ନୀଳିମା ।

 

ଜ୍ୟୋତ୍ସ୍ନାରାଣୀ ଉପରେ ହେଲା ପ୍ରଚଣ୍ଡ ପାହାର । ସେ ତଳେ ଲୋଟି ପଡ଼ିଲା । ନୀଳିମାର ବେକ ଷଣ୍ଢାରେ ପ୍ରହାର ବସି ସେ ଅଚେତା ହୋଇ ପଡ଼ିଗଲା ।

 

ନଳିନାକ୍ଷ ଉପରେ ଯେତେବେଳେ ପ୍ରହାର ହେବାକୁ ଯାଉଥିଲା, ଠିକ୍‍ ସେତିକିବେଳେ ଆନ୍ଦୋଳନର ସମର୍ଥକ ଦଳେ ଯୁବକ ତାକୁ ଟେକି ନେଇଗଲେ ଗୋଟିଏ ନିରାପଦ ସ୍ଥାନକୁ । ନନ୍ଦକିଶୋର ମଧ୍ୟ ସେହି ଟୋକା ଦଳଙ୍କ ପାଇଁ ଅଳ୍ପକେ ଏଇ ନିର୍ଘାତ ମାଡ଼ରୁ ରକ୍ଷା ପାଇଗଲା ।

 

ମୁହୂର୍ତ୍ତକ ମଧ୍ୟରେ ସଭାକକ୍ଷ ଛିନ୍‍ଛତ୍ର ହୋଇ ଯାଇଥିଲା । ଯେଉଁ କୁଳବଧୂମାନେ, ଓଢ଼ଣା ଫୋପାଡ଼ି ଦେଇ ଆଜିର ସଭାକୁ ଆସିଥିଲେ, ସେମାନେ ପ୍ରାଣ ବିକଳରେ କିଏ କୁଆଡ଼େ ଦଉଡ଼ି ପଳାଇ ଗଲେଣି । ପେଟ୍ରୋମାକ୍ସ ଲାଇଟ୍‍ଗୁଡ଼ିକ ଭାଙ୍ଗି ରୁଜି ତଳେ ପଡ଼ିଛି । ଲଣ୍ଠନ କାଁ ଭାଁ କେଉଁଠି ଜଳୁଛି । ଲଣ୍ଠନର ସେଇ ସୀମିତ ଆଲୋକରେ ସଭାକକ୍ଷର ଦୃଶ୍ୟ କିଛି ଦେଖି ହେଉନାହିଁ-

 

ଲୋକନାଥ ଓ ପୁଣ୍ଡରୀକାକ୍ଷ ଏଇ ଘଟଣା ସହିତ ଆଦୌ ସମ୍ପୃକ୍ତ ନୁହଁନ୍ତି ବୋଲି ଛଳନା କରି, ସେମାନେ ମଧ୍ୟ ନିଜ ନିଜ ଘରକୁ ପଳାଇ ଗଲେଣି ।

 

ସଭାକକ୍ଷ, ଶ୍ରାବଣର କୃଷ୍ଣପକ୍ଷ ଅନ୍ଧାରରେ ଛାଇ ହୋଇ ଯାଇଛି । ଆହତ, ଆଘାତପ୍ରାପ୍ତ ମଣିଷଙ୍କର ସଂଖ୍ୟା କେହି ଦେଖିପାରୁ ନାହାନ୍ତି, କଳନା ମଧ୍ୟ କରିପାରୁ ନାହାନ୍ତି ।

 

ସଭାକକ୍ଷ ସତେ ଯେପରି ଶ୍ମଶାନର ଶୂନ୍ୟତା ଓ ବିଭୀଷିକା ଧରି ପଡ଼ିରହିଛି ।

 

ଯାଜପୁର ହସ୍‍ପିଟାଲର ଦୁଇଟି ବ୍ୟାଡରେ ପାଖାପାଖି ଲାଗି ଶୋଇଛନ୍ତି ଜ୍ୟୋତ୍ସ୍ନା ଓ ନୀଳିମା । ଉଭୟଙ୍କ ମୁଣ୍ଡରେ ବ୍ୟାଣ୍ଡେଜ୍‍ ବନ୍ଧାଯାଇଛି । ଡାକ୍ତର ଓ ନର୍ସ, ଏହି ଦୁଇଟି ତରୁଣୀଙ୍କର ଆରୋଗ୍ୟ ଲାଭପାଇଁ ଅକ୍ଳାନ୍ତ ଚେଷ୍ଟା କରୁଛନ୍ତି ।

 

ଜ୍ୟୋତ୍ସ୍ନାର ମୁଣ୍ଡରେ ଭୀଷଣ ମାଡ଼ ହୋଇଛି । ଅବିରତ ରକ୍ତସ୍ରାବ ହେତୁ ସେ ଦୁର୍ବଳ ହୋଇ ପଡ଼ିଛି । ଖୁବ୍‍ ଡେରିରେ ତା’ର ଚେତନା ଫେରି ଆସିଛି ।

 

ନୀଳିମାର ରକ୍ତସ୍ରାବ ନହେଲେ ମଧ୍ୟ ବେକ ଷଣ୍ଢାରେ ତା’ର ଜୋରରେ ମାଡ଼ ବାଜିଛି । ସେ ମୁଣ୍ଡ ଟେକି ପାରୁନି । କର ଲେଉଟାଇ ଶୋଇ ମଧ୍ୟ ପାରୁନି ।

 

ହସ୍‍ପିଟାଲରେ ତିନି ଦିନ ଭର୍ତ୍ତି ହେବା ପରେ....

 

ନଳିନାକ୍ଷ ଲୁଚି ଲୁଚି ଆସି ପହଞ୍ଚିଲା ହସ୍‍ପିଟାଲରେ । ବେହେରାକୁ ବହୁ ଅନୁନୟ, ବିନୟ ହୋଇ, ନୀଳିମା ଓ ଜ୍ୟୋତ୍ସ୍ନାରାଣୀ ଚିକିତ୍ସିତ ହେଉଥିବା ଓ୍ୱାଡରେ ଯାଇ ପହଞ୍ଚିଲା ।

 

ବହୁ ରୋଗୀଙ୍କ ମେଳରେ, ଦୁଇଟି ବ୍ୟାଡରେ ଶୋଇଛନ୍ତି ଭଉଣୀ ନୀଳିମା ଓ ଜ୍ୟୋତ୍ସ୍ନାରାଣୀ । ଶାନ୍ତ ଶିଶୁ ପରି, ନିର୍ବେଦ ହୋଇ ସେମାନେ ଶୋଇ ପଡ଼ିଛନ୍ତି । ଭାରତର ସ୍ଵାଧୀନତା ଆନ୍ଦୋଳନର ଆହ୍ୱାନ ସେମାନଙ୍କ ଜ୍ଞାନ ଭିତରେ ଆଉ ହୁଏତ ପଶୁନି ! କ୍ଳାନ୍ତ, ଶ୍ରାନ୍ତ ହୋଇ ସେମାନେ ନୀରବରେ ନିଦ୍ରା ଯାଇଛନ୍ତି !

 

ପାଖାପାଖି ଦୁଇଟି ବ୍ୟାଡରେ ସେମାନେ ଶୋଇଛନ୍ତି । ପ୍ରଥମେ ସେ କାହା ପାଖକୁ ଯିବ ? କାହା ବେଡରେ ବସି, ଦେହ ଆଉଁଷି ଦେବ ? ସହାନୁଭୂତି ଢାଳିବ ? ସେମାନେ କାନ୍ଦିଲେ ଆଖିରୁ ଅଶ୍ରୁ ପୋଛିଦେବ ? ଭାଙ୍ଗିପଡ଼ ନାହିଁ ବୋଲି ଆଶ୍ୱାସନା ଜଣାଇବ ?

 

‘ଦିଲ୍ଲୀ ଚଲୋ’ର ସମୟ ଆଖର ହୋଇଗଲା ବୋଲି କହିବ ? ଦୁଃଖ କଷ୍ଟ ସହିବାର ଅମା ଅନ୍ଧକାର ଘୁଞ୍ଚି ଆସିଲାଣି ବୋଲି କହିବ ?

 

ହେଇ, ନିଷ୍କ୍ରିୟ ପରି ଶୋଇ ରହିଛି ନୀଳିମା–ଭଉଣୀ ନୀଳିମା । ଗୋଟିଏ ରକ୍ତରୁ ତା’ର ଆଉ ନୀଳିମାର ଜନ୍ମ । ତା’ପାଇଁ ବୋଉ ଘରେ କାନ୍ଦୁଛି । ଖାଉନି । ତା’ର ଅବସ୍ଥା ନିଜ ଆଖିରେ ଦେଖିବା ପାଇଁ ସେ ବ୍ୟସ୍ତ, ବିକଳ ହୋଇ ଉଠୁଛି ।

 

କିଏ ସେହି ଦୁବୃର୍ତ୍ତ ! ଦୁଇଟି ସରଳ, ନିଷ୍ପାପ ଯୁବତୀଙ୍କ ଉପରେ ଅନ୍ୟାୟରେ ଅତ୍ୟାଚାର ଆରମ୍ଭ କରିଦେଲା ?

 

ନଳିନାକ୍ଷର ଅନ୍ତର ଧୀରେ ଧୀରେ ବେଦନାଦଗ୍ଧ ହୋଇ ଉଠୁଥିଲା । ସେ ଯଦି ଏଇବେଳେ ଦୁଃଖିତ ହେବ, ଭାଙ୍ଗି ପଡ଼ିବ, ଭଉଣୀ ନୀଳିମାର ଦୁର୍ଦ୍ଦିନରେ ଆଖିରୁ ଅଶ୍ରୁ ପୋଛିବ, ତା’ହେଲେ କିଛି ହୋଇ ପାରିବ ନାହିଁ । ତାକୁ ଦୃଢ଼ ରହିବାକୁ ହେବ । ଶକ୍ତ ରହିବାକୁ ପଡ଼ିବ । ମନ ତଳୁ ସବୁ ଦୁଃଖକୁ ଟାଣି ଓଟାରି ଫିଙ୍ଗି ଦେବାକୁ ପଡ଼ିବ ।

 

ସେ ପଟେ ଶୋଇଛି ଜ୍ୟୋତ୍ସ୍ନାରାଣୀ । କଲେଜ ପଢ଼ନ୍ତା ଝିଅ ଜ୍ୟୋତ୍ସ୍ନାରାଣୀ । ଚେତାଶୂନ୍ୟ ହେଲାଭଳି, ଗୋଟିଏ କଡ଼ରେ ଶୋଇ ରହିଛି । ଗୋଡ଼ ହଲୁନି–ହାତ ହଲୁନି । ସତେ କି ସେ ଅଥର୍ବ ! ଦାରୁଣ ଯନ୍ତ୍ରଣାରେ ସେ ବୋଧହୁଏ ଆଖିବୁଜି ନିଦ୍ରା ଯାଇଛି ।

 

ନଳିନାକ୍ଷ ଧୀରେ ଧୀରେ ଯାଇ ଜ୍ୟୋତ୍ସ୍ନାରାଣୀର ବେଡରେ ବସିଲା ।

 

ଜ୍ୟୋତ୍ସ୍ନାରାଣୀ ଦିନରେ କ’ଣ ଶୋଇଛି ? କିଏ ତାକୁ ଉଠାଇବ ? କେମିତି ତାକୁ ସେ ଡାକିବ ?

 

କୌଣସି ଯୁବତୀ ପାଖରେ ବସିବା ତା’ ପକ୍ଷେ ଇଏ ପ୍ରଥମ । ଖୁବ୍‍ ନିକଟରେ ବସି କୌଣସି ଝିଅ ସହିତ ଆଳାପ କରିବା, ଦୁଃଖ ସୁଖ ହେବା, ଏଇ ମଧ୍ୟ ନୂଆ । ଜ୍ୟୋତ୍ସ୍ନାରାଣୀ ଲେଖାଯୋଖାରେ ବନ୍ଧୁବାନ୍ଧବ ହେଲେ ମଧ୍ୟ, ତା’ ସହିତ ସମ୍ପର୍କ ଥିଲା ଖୁବ୍‍ କମ୍‍ ।

 

କିନ୍ତୁ ଜାତୀୟ ଆନ୍ଦୋଳନକୁ ସଫଳ କରିବା ପାଇଁ ସେ ଯେତେବେଳେ ଆସି ସେମାନଙ୍କ ଦଳରେ ପର୍ଯ୍ୟାୟଭୁକ୍ତ ହେଲା, ସେହି ଦିନ ଠାରୁ ସେ ତାକୁ ଭଲରୂପେ ଦେଖିଛି । ପାଖରେ ବସି କଥାବାର୍ତ୍ତା କରିଛି । ସେ କଥାବାର୍ତ୍ତା ଦେଶର କଲ୍ୟାଣ ପାଇଁ, ମଙ୍ଗଳ ବିଧାନ ପାଇଁ, ରାଜନୈତିକ ଲକ୍ଷ୍ୟ ହାସଲ ପାଇଁ ?

 

ମାତ୍ର ଆଜି କେଉଁଥି ପାଇଁ ସେ ଆସିଛି ତାକୁ ଦେଖିବାକୁ ? ସାକ୍ଷାତ କରିବାକୁ ?

 

ଜ୍ୟୋତ୍ସ୍ନାରାଣୀର ପେଲବ ମୁଖଶ୍ରୀ ଝାଉଁଳି ପଡ଼ିଛି । ସେ ଯଦି ଆଘାତ ପାଇ ହସ୍‍ପିଟାଲରେ ରହି ନଥାନ୍ତା, ତା’ର ଏଇ ଝାଉଁଳା ମୁଖମଣ୍ଡଳରେ ଖେଳି ବୁଲୁଥାନ୍ତା ସଦ୍ୟ ଫୁଟନ୍ତ ଗୋଲାପର ବର୍ଣ୍ଣାଢ୍ୟ ବିକାଶ ।

 

ନଳିନାକ୍ଷର ଅବଚେତନ ମନ ଭିତରେ ରୂପ ପିପାସାର ଲଘୁ ଚପଳତା ......

 

ଏ କ’ଣ ? ଦେଶର ଏଇ ଦୁର୍ଦ୍ଦିନରେ ଗୋଟିଏ ସୁନ୍ଦରୀ ତରୁଣୀକୁ ଚାହିଁ ଚାହିଁ କ’ଣ ସେ ଭାବି ଚାଲିଛି ? ସ୍ୱାଧୀନତାର ରବି ଏବେ ବି ଉଦୟ ହୋଇନାହିଁ । ଭାରତର ମୁକ୍ତି ଏବେ ବି ସମ୍ଭବ ହୋଇନାହିଁ । ଆଜିର ଏପରି ଅବସ୍ଥାରେ, ପୁଣି ହସ୍‍ପିଟାଲର ଗୋଟିଏ ରୋଗୀ ପାଖରେ ବସି ରହି ଏ କି ଅବାସ୍ତବ ଭାବନାର ଉତ୍ସ ଉଠୁଛି ?

 

ନଳିନାକ୍ଷ ସଂବିତ୍‍ ଫେରି ପାଇ ଜ୍ୟୋତ୍ସ୍ନାରାଣୀର ହାତରେ ହାତ ମାରି ଡାକିଲା–ଜ୍ୟୋତ୍ସ୍ନା... ଜ୍ୟୋତ୍ସ୍ନା....

 

ଜ୍ୟୋତ୍ସ୍ନାରାଣୀ ଆଖି ଖୋଲି ଚାହିଁଲା ନଳିନାକ୍ଷକୁ ।

 

ଗୌର, ନିଟୋଳ ମୁଖ ମଣ୍ଡଳରେ ଦାଢ଼ି ବଢ଼ିବାକୁ ଲାଗିଛି । ଦାଢ଼ିପ୍ରତି ତା’ର ଯେପରି ଖିଆଲ ନାହିଁ ।

 

ଜ୍ୟୋତ୍ସ୍ନା ଚମକି ଉଠି କହିଲା–ଆପଣ କୁଆଡ଼େ ନଳିନାକ୍ଷ ବାବୁ । ଆମେ ଖୁବ୍‍ ଭଲରେ ଅଛୁ । ରୀତିମତ ଚିକିତ୍ସିତ ହେଉଛୁଁ । ଆପଣ ଫେରିଯାନ୍ତୁ ଏଠାରୁ । ନହେଲେ....

 

ନଳିନାକ୍ଷ ଦାଢ଼ି ଭରା ଓଠ ତଳେ ହସର ଝରଣା ଖେଳାଇ କହିଲା–ତମେ ସବୁ କେମିତି ଅଛ, ମୁଁ ଦେଖିବାକୁ ଆସିଛି ଜ୍ୟୋତ୍ସ୍ନା । ତମେ ଏପରି ବ୍ୟସ୍ତ କାହିଁକି ହୋଇ ଉଠଛ ଶୁଣେ ?

 

ଜ୍ୟୋତ୍ସ୍ନା ଅଧୀର ଆବେଗରେ ଉଠିବାକୁ ଚେଷ୍ଟା କରୁଥିଲା । କିନ୍ତୁ ନଳିନାକ୍ଷ ଧୀରେ ତାକୁ ଶୁଆଇ ଦେଇ କହିଲା–ତମ ମୁଣ୍ଡରେ ଭୀଷଣ ଆଘାତ ହୋଇଛି ଜ୍ୟୋତ୍ସ୍ନା । ଉଠିବାକୁ ଚେଷ୍ଟା କରନି । ଯାହା କହିବାର କଥା, ସେଇଠି ଶୋଇ କହ ।

 

ଜ୍ୟୋତ୍ସ୍ନା ତରତର ହୋଇ କହି ଚାଲିଲା–ଆପଣ ବର୍ତ୍ତମାନ ଏଠାରୁ ଚାଲି ନଗଲେ ଅସୁବିଧା ହେବ ନଳିନାକ୍ଷ ବାବୁ । ବାପା, ବୋଉ, ପୁଣ୍ଡରୀକାକ୍ଷ ଶତପଥି ଓ ଲୋକନାଥ ବାବୁ ଏଠାକୁ ଆସୁଛନ୍ତି । କଟକରୁ ଗୁର୍ଖା ସିପାହୀ ମଧ୍ୟ ଆସିଛନ୍ତି । ଆଜି ରାତ୍ରିରେ ଗାଁକୁ ଯାଇ ଆପଣଙ୍କୁ ଗିରଫ କରିବା ପାଇଁ ସବୁ ପ୍ରକାର ଆୟୋଜନ ହୋଇଛି । ଆଉ ଟିକକ ପରେ ସେମାନେ ଏଠାକୁ ଆସିଯିବେ ।

 

ଆଜିକାର ଗୁପ୍ତ ଆଲୋଚନା, ଏଇଠି ଶୋଇ ରହି ମୁଁ ସବୁ ଶୁଣିଛି ନଳିନାକ୍ଷ ବାବୁ । ଆପଣ ଏଠୁ ପଳାଇ ଯାଆନ୍ତୁ । ଆତ୍ମଗୋପନ କରିବା ପାଇଁ ଯଥାସାଧ୍ୟ ଚେଷ୍ଟା କରନ୍ତୁ । ତା’ ନହେଲେ ଆପଣ ଯଦି ଗିରଫ ହୋଇଯିବେ ଆନ୍ଦୋଳନ ଭୁଷୁଡ଼ି ପଡ଼ିବ । ଜନଜାଗରଣ ଶେଷକୁ ବ୍ୟର୍ଥତାରେ ପର୍ଯ୍ୟବସିତ ହେବ ।

 

ନଳିନାକ୍ଷ ଆତଙ୍କିତ ହୋଇ ଉଠିଲେ । ସତରେ ସେ ଯଦି ଗିରଫ ହୋଇଯିବ, ତେବେ ସାରା ସବ୍‍ଡିଭିଜନ୍‍ରୁ ଜାତୀୟ ଆନ୍ଦୋଳନର ଜ୍ଵଳ-ଆନ, ଲେଲିହାନ ଶିଖା ନିର୍ବାପିତ ହୋଇଯିବ ।

 

ନଳିନାକ୍ଷ କହିଲେ–ତମେ ଠିକ୍‍ କହିଛ ଜ୍ୟୋତ୍ସ୍ନା–ମୁଁ ଏଇନେ ଏଠୁ ଚାଲିଯିବି । ମାତ୍ର ତମେ ଦୁହେଁ କିପରି ଅଛ ମୁଁ ତାହାହିଁ ଦେଖିବାକୁ ଆସିଛି । ତମ ଦୁହିଁଙ୍କର ଖବର ଥରେ ବୁଝିଗଲେ, ମୁଁ ଫେରିଯିବି ।

 

ନୀଳିମା, ନିଜ ବ୍ୟାଡରେ ଶୋଇ ରହି ଚାହିଁଦେଲା ନଳିନାକ୍ଷକୁ । କରୁଣ ଆର୍ତ୍ତନାଦରେ ସେ ସେହି ଓ୍ୱାଡ୍‍ଟି କମ୍ପେଇ ଦେଇ କହିଲା–ତମେ ଏଠୁ ଚାଲିଯାଅ ଭାଇ । ଏଠାକୁ କାହିଁକି ଆସିଛ-?

 

ସେହି ଓ୍ୱାଡରେ ଚିକିତ୍ସିତ ହେଉଥିବା ଅନ୍ୟାନ୍ୟ ରୋଗୀମାନେ ନୀଳିମାର ଏହି ଅସ୍ୱାଭାବିକ ଚିତ୍କାରରେ ଚମକି ଉଠିଲେ ।

 

ନଳିନାକ୍ଷ, ଜ୍ୟୋତ୍ସ୍ନା ବ୍ୟାଡରୁ ଉଠିଯାଇ, ନୀଳିମା ବ୍ୟାଡରେ ବସି ପଡ଼ିଲା । ନୀଳିମାକୁ ଧିରେ କହିବା ପାଇଁ ସେ ନିର୍ଦ୍ଦେଶ ଦେଇ କହିଲା–ତୁ ବ୍ୟସ୍ତ ହୁଅନି ନୀଳିମା । ଜ୍ୟୋତ୍ସ୍ନାଠାରୁ ସବୁ ଖବର ମୁଁ ପାଇଲିଣି । ତୋ ଦେହରେ ଭୀଷଣ ଆଘାତ ହୋଇଛି । ସେଇ ଆଘାତ ଅବସ୍ଥାରେ ତୁ ଯଦି ଏଭଳି ଚିତ୍କାର କରୁ, ତୋ ଆଘାତପ୍ରାପ୍ତ ଶରୀର ଆହୁରି ଶୋଚନୀୟ ହୋଇ ଉଠିବ । ତୁ ଚୁପ୍‍ ହୋଇ ଶୋଇପଡ଼ ।

 

ନୀଳିମା, ନଳିନାକ୍ଷର କଥା ଶୁଣି ମଧ୍ୟ କହିଲା–ତମେ ଏଠୁ ଶୀଘ୍ର ବାହାରି ନଗଲା ପର୍ଯ୍ୟନ୍ତ ମୁଁ ଛିତ୍କାର କରୁଥିବି ଭାଇ । ତମେ ଯଦି ଆଉ ଅଧଘଣ୍ଟାଏ ଏଠାରେ ରହିବ, ତା’ହେଲେ, ତମେ ନିଶ୍ଚୟ ଗିରଫ ହୋଇଯିବ ।

 

ନଳିନାକ୍ଷର ବିଷାଦ ଗମ୍ଭୀର ମୁଖରେ ଖେଳିଗଲା ଏକ ସରଳ ହାସ୍ୟରେଖା–ମୁଁ ଚାଲିଯାଉଛି ନୀଳିମା । କିନ୍ତୁ ମୋ’ପାଇଁ ତୋର ଆଉ ଜ୍ୟୋତ୍ସ୍ନାର ବ୍ୟସ୍ତ ହେବାର କୌଣସି କାରଣ ନାହିଁ । ମୋ ବାଟ ମୁଁ ଦେଖିଛି ନୀଳିମା । ପ୍ରତି ମୁହୂର୍ତ୍ତରେ ସଜାଗ ରହିବା ପାଇଁ ମୋର ବିବେକ ବାରମ୍ବାର ମତେ ନିର୍ଦ୍ଦେଶ ଦେଉଛି । କିନ୍ତୁ ତମ ଦୁହିଁଙ୍କ ପାଇଁ ମନରେ ମୋର ଦୁଃଖ ଜାଗୁଛି....

 

ନୀଳିମା ଓ ଜ୍ୟୋତ୍ସ୍ନାରାଣୀ, ଦୁହେଁ ଦୁହିଁଙ୍କ ବ୍ୟାଡରେ ଶୋଇରହି କହିଲେ–ଆମ ପାଇଁ ଦୁଃଖ ନ କରି, ତମେ ଚାଲିଯାଅ ଏଠୁ । ତା’ ନହେଲେ ତମେ ଯଦି ଗିରଫ ହୋଇଯିବ, ସାରା ସବ୍‍ଡିଭିଜନ୍‍ରୁ ଆନ୍ଦୋଳନର ଅଗ୍ନି ନିଭିଯିବ ।

 

ନଳିନାକ୍ଷ ବ୍ୟାଡ ଉପରୁ ଉଠି, ତଳେ ଠିଆ ହେଲା । ତା’ର ମନେପଡ଼ି ଯାଉଛି ରାଧାମଣି ଦେବୀଙ୍କର ଅଶ୍ରୁ ସଜଳ ଆଖି । ହସ୍‍ପିଟାଲକୁ ବାହାରିଲା ବେଳେ, ବୋଉ କାନ୍ଦି କାନ୍ଦି କହିଥିଲା–ମୋ ନୀଳିମା କିମିତି ଅଛି–ତା’ ଅବସ୍ଥା କିପରି ଅଛି ଥରେ ଭଲରୂପେ ଦେଖି ଆସିବୁ । ଡାକ୍ତରଙ୍କୁ ବୁଝାଇ ସୁଝାଇ ତା’ର ଉପଯୁକ୍ତ ଚିକିତ୍ସା ନେବାପାଇଁ କହିବୁ ।

 

ଯେଉଁ ନୀଳିମାର ସ୍ୱାସ୍ଥ୍ୟ ଦେଖିବା ପାଇଁ, ସେ ହସ୍‍ପିଟାଲକୁ ଆସିଥିଲା, ତା’ ସ୍ୱାସ୍ଥ୍ୟ ସମ୍ପର୍କରେ କିଛି ନ ବୁଝି ଏଡ଼େ ହଠାତ୍‍ ଚାଲିଯିବ କିପରି ? ଘରେ ବୋଉ ପଚାରିଲେ ତାକୁ କି ଉତ୍ତର ଦେବ ? କି ସାନ୍ତ୍ୱନା ଦେଇ ଜନନୀର ହୃଦୟକୁ ସେ ଆଶ୍ୱାସନା ଦେଇ ପାରିବ ?

 

ବୋଉ ବାହାରିଥିଲା, ହସ୍‍ପିଟାଲକୁ ଆସିବାକୁ । ନିଜ ଆଖିରେ ନୀଳିମାର ଅବସ୍ଥା ଦେଖିବାକୁ । କିନ୍ତୁ ବୁଝାଇ ସୁଝାଇ ପ୍ରବୋଧନା ଦେଇ ସେଥିରୁ ତାକୁ ସେ ନିବୃତ୍ତ କରାଇଛି । ଏଡ଼େ ବେଗି ଯଦି ତାକୁ ଘରେ ପହଞ୍ଚିବାର ଦେଖିବ, ସେ ହୁଏତ ଆହୁରି କାନ୍ଦିବ । ହସ୍‍ପିଟାଲକୁ ସେ ଯାଇନି ବୋଲି ସନ୍ଦେହ କରିବ ।

 

ନଳିନାକ୍ଷ ଭ୍ରାତୃସୁଲଭ ଭାବୋଚ୍ଚ୍ୱାସରେ ନିମଜ୍ଜିତ ହୋଇ କହିଲା–ତୋ’ପାଇଁ ଘରେ ବୋଉ ଭାରି ବ୍ୟସ୍ତ ହେଉଛି ନୀଳିମା । ତୋର ଭଲମନ୍ଦ ବୁଝିଯିବା ପାଇଁ ବାରମ୍ବାର ସେ ମତେ କହିଛି । ଏଡ଼େ ଶୀଘ୍ର ମୁଁ ଯଦି ଘରକୁ ଫେରିଯିବି, ସେ ହୁଏତ ମୁଁ ଏଠାକୁ ଆସିନି ବୋଲି ସନ୍ଦେହ କରି, ଆଖିରୁ ଅଶ୍ରୁ ଢାଳିବ ।

 

ଦେହ ତୋର କିପରି ଅଛି କହ ? ତୁ କିପରି ଅନୁଭବ କରୁଛୁ ?

 

ନୀଳିମା କହିଲା–ମୁଁ ଭଲ ଅଛି ଭାଇ । ଆଉ ପ୍ରାୟ ଗୋଟିଏ ସପ୍ତାହ ପରେ ମୁଁ ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇ ଘରକୁ ଫେରିଯିବି । ବୋଉକୁ କହିବ ମୁଁ ସୁସ୍ଥରେ ଅଛି ବୋଲି । ମୋ’ପାଇଁ ତମେ ଆଉ ଦୁଃଖ ପ୍ରକାଶ ନ କରି ଶୀଘ୍ର ଯାଅ ଭାଇ....ଯଦି ସେମାନେ ଆସିଯିବେ, ପୋଲିସ୍‍କୁ ଖବର ସାଙ୍ଗେ ସାଙ୍ଗେ ଦେଇଦେବେ । ସେତେବେଳେ ତମେ ଖସି ପଳାଇ ଯିବାକୁ ଆଉ ବାଟ ନ ଥିବ । ତମେ ଚାଲିଯାଅ ।

 

ନଳିନାକ୍ଷ ଚାହିଁଲା ଓ୍ୱାଡ୍‍ର ଦରଜା ଆଡ଼କୁ । ଧାତ୍ରୀଟିଏ ବଡ଼ ଉତ୍ସୁକ ନୟନରେ ତା’ ଆଡ଼େ ଚାହିଁ ରହିଛି । କାହିଁକି ? ସେ ବୋଧହୁଏ ବେଶି ସମୟ ରୋଗୀମାନଙ୍କ ନିକଟରେ ରହିଗଲା ବୋଲି । ଧାତ୍ରୀଟି ମନେମନେ ବିରକ୍ତ ହୋଇ ଉଠୁଥିବ ।

 

ନା, ସେ ଆଉ ଏଠି ରହିବନି । ସ୍ଵାଧୀନତା ଆନ୍ଦୋଳନକୁ ବ୍ୟର୍ଥ କରିଦେବା ପାଇଁ ଯେଉଁ ଆତ୍ମଘାତୀ ଶକୁନି ଦଳ ଏବେ ମଧ୍ୟ ଲୁଚି ଲୁଚି ଚେଷ୍ଟା ଚଳେଇଛନ୍ତି, ସେମାନଙ୍କ ହାବୁଡ଼ରେ ଥରେ ପଡ଼ିଗଲେ ଆଉ ରକ୍ଷାନାହିଁ ।

 

ପୋଲିସ୍‍ର ଗିରଫଦାରୀ ବର୍ତ୍ତମାନ ବ୍ୟାପକ ହୋଇ ଉଠିଛି । ଏଠାରୁ ଖସି ପଳାଇ ନ ଗଲେ, ଶକୁନି ଦଳର ସେ ଷଡ଼ଯନ୍ତ୍ରର ମାୟାଜାଲ ଭିତରେ ସେ ହୁଏତ ବନ୍ଦୀ ହୋଇଯିବ । ଛନ୍ଦି ହୋଇଯିବ ।

 

ନଳିନାକ୍ଷ, ନୀଳିମା ଓ ଜ୍ୟୋତ୍ସ୍ନାରାଣୀଙ୍କ ଆଡ଼େ ଥରେ ଉଦାସ ନୟନରେ ଚାହିଁଦେଇ କହିଲା–ମୁଁ ଚାଲିଲି ଜ୍ୟୋତ୍ସ୍ନା–ନୀଳିମା । ତମେ ଶୀଘ୍ର ଆରୋଗ୍ୟ ହୋଇ ହସ୍‍ପିଟାଲରୁ ମୁକ୍ତ ହେଲେ, ଆମର ସଂଗଠନ ଆହୁରି ଦୃଢ଼ ହେବ ।

 

ନଳିନାକ୍ଷ, ତରବରରେ ହସ୍‍ପିଟାଲ ଭିତରୁ ବାହାରି, ଯାଜପୁରର ଅଣ-ଓସାରିଆ ସହରୀ ରାସ୍ତାରେ, ଅସଂଖ୍ୟ ଜନଗହଳି ଭିତରେ ଲୁଚିଗଲା ।

 

ପୂରବୀପୁର ଗାଁରେ ପୋଲିସ୍‍ ପଇଁତରା ମାରୁଛନ୍ତି ।

 

ସାରା ଭାରତରେ ବ୍ୟାପକ ଗିରଫଦାରୀର ଝଞ୍ଜା ..... କୋଟି ଜନତାର ଆଶା, ଆକାଂକ୍ଷାକୁ ଦଳି ମକଚି ଜୋର ଜବରଦସ୍ତ ବିଦେଶୀ ଶାସନ ଏଠାରେ ଚାଲୁ କରିବା ପାଇଁ, ସରକାର ବଦ୍ଧପରିକର ।

 

ନଳିନାକ୍ଷ ଓ ନନ୍ଦ, ନଳିନାକ୍ଷଙ୍କ ଘରେ ଅଣ୍ଡର ଗ୍ରାଉଣ୍ଡରେ ରହିଲା ଭଳି ରହିଛନ୍ତି ।

 

ସନ୍ଧ୍ୟା ହୋଇ ଆସୁଛି । ଭାଦ୍ରବର ଆକାଶରେ ମେଞ୍ଚି ମେଞ୍ଚି କଳା ବଉଦ ଭାସି ଚାଲିଛି.....

 

ପୁଣ୍ଡରୀକାକ୍ଷଙ୍କ ପୁଅ ଅଶ୍ୱିନୀ ଘର ଭିତରକୁ ପଶିଯାଇ ନଳିନାକ୍ଷ ବୋଉଙ୍କୁ ବ୍ୟସ୍ତ ହୋଇ କହିଲା–ନଳିନାକ୍ଷ ଭାଇ ଘରେ କ’ଣ ନାହାନ୍ତି ମାଉସୀ ? ସେ କୁଆଡ଼େ ଗଲେ ?

 

ନଳିନାକ୍ଷ ବୋଉ ଅଗଣା ପହଁରୁ ଥିଲେ । ଅଶ୍ୱିନୀକୁ ଦେଖି କହିଲେ–କାହିଁକି ବାପ ? ତା’ ପାଖରେ କି କାମ ଅଛି ? ମତେ କହ ? ମୁଁ ତାକୁ କହିଦେବି ଯେ–

 

ଅଶ୍ୱିନୀ କହିଲା–ତାଙ୍କ ପାଖରେ ମୋର ଏକ ଜରୁରୀ କାମ ଅଛି ମାଉସୀ । ସେ ଖବର ତମକୁ ଜଣାଇ କିଛି ଲାଭ ନାହିଁ । ତାଙ୍କୁ ସାକ୍ଷାତ ପାଇଲେ ସବୁ କଥା ଖୋଲି କହି ପାରିବି । ସେ କାହାନ୍ତି ? କୁଆଡ଼େ ଗଲେ ?

 

ରାଧାମଣିଙ୍କ ହୃଦୟ ଆଶା ଓ ଆଶଙ୍କାରେ ଭରିଗଲା । ଅଶ୍ୱିନୀ ତାକୁ କି ଖବର ଦେବ-? କେଉଁ କଥା କହିବ ? ତା’ର କ’ଣ ଏତେ ଜରୁରୀ କାମ ? ପିଲା ବକଟେ । କିନ୍ତୁ ତା’ର ଅନେକ ବୁଦ୍ଧି । ବାପ ପରି ସେ ମିଛ କହେ ନାହିଁ । ପର ଘର ଭାଙ୍ଗେ ନାହିଁ । ମିଛ ସତ ଯୋଡ଼ି କାହା ବିରୁଦ୍ଧରେ ଷଡ଼ଯନ୍ତ୍ର ରଚନା କରେ ନାହିଁ ।

 

ନଳିନାକ୍ଷର ସେ ଶୁଭାକାଂକ୍ଷୀ । ମଙ୍ଗଳକାମୀ । ତା’ର ମଙ୍ଗଳ ପାଇଁ ବୋଧହୁଏ ସେ ଶୁଭ ସନ୍ଦେଶ ସାଙ୍ଗରେ ଆଣିଥିବ । ସେ ଯାଉ । ନଳିନାକ୍ଷକୁ ସାକ୍ଷାତ କରୁ । ନଳିନାକ୍ଷ ଓ ନନ୍ଦକିଶୋର ଦୁହେଁଯାକ ତଳ ଘରେ ବସି ଆଲୋଚନା କରୁଛନ୍ତି । ସେ ଆଲୋଚନା ବଡ଼ ଗୁପ୍ତ । ବଡ଼ ଏକାନ୍ତ । ବଡ଼ ଗୁରୁତ୍ୱପୂର୍ଣ୍ଣ ।

 

ରାଧାମଣି କହିଲେ–ହେଉରେ ପୁଅ, ମୋ ପାଖରେ କହିବାକୁ ଯଦି ଭଲ ମନେକରୁ ନାହୁଁ, ତେବେ ତଳ ଘରକୁ ଯାଆ–ସେଇଠି ନଳିନାକ୍ଷ ଓ ନନ୍ଦକିଶୋର ଦୁହେଁଯାକ ବସିଛନ୍ତି । ଗୁପ୍ତରେ କ’ଣ ଆଲୋଚନା ଚଳାଇଛନ୍ତି ! ତା’ ପାଖରେ ତୋ ଜରୁରୀ କଥାଟା କହିଦେବୁ ।

 

ଅଶ୍ୱିନୀ, ରାଧାମଣିଙ୍କ ଠାରୁ ନଳିନାକ୍ଷର ସନ୍ଧାନ ପାଇ ଦ୍ରୁତ ଗତିରେ ଦଉଡ଼ି ଦଉଡ଼ି ଚାଲିଗଲା ତଳ ଘରକୁ ।

 

ରାଧାମଣି ପୁଣି ଅଗଣା ପହଁରିବାରେ ମନ ଲଗାଇଲେ ହେଲେ ଅଶ୍ୱିନୀର କଥା ବାରମ୍ବାର ତାଙ୍କର ମନେ ପଡ଼ୁଥିଲା ।

 

ସନ୍ଧ୍ୟାର ଅସ୍ପଷ୍ଟ ଅନ୍ଧାର ଭିତରେ ଅଶ୍ୱିନୀକୁ ଦେଖି ନଳିନାକ୍ଷ ଓ ନନ୍ଦକିଶୋର ଚମକି ଉଠିଲେ ।

 

ନଳିନାକ୍ଷ ବିସ୍ମିତ ହୋଇ କହିଲା–ଏତେବେଳେ କୁଆଡ଼େରେ ଅଶ୍ୱିନୀ । କ’ଣ ଖବର ? କି ଖବର ନେଇ ଆସିଛୁ କହ ?

 

ଅଶ୍ୱିନୀ, ନଳିନାକ୍ଷ ପାଖରେ ବସିଯାଇ କହିଲା–ପୋଲିସ୍‍ ଫୌଜ ବିକ୍ରମଦେବ ରାୟଙ୍କ ଘର ପାଖରେ ପହଞ୍ଚି ସାରିଲେଣି ନଳିନାକ୍ଷ ଭାଇ । ତମକୁ ଓ ନନ୍ଦକିଶୋର ବାବୁଙ୍କୁ ବାନ୍ଧିନେବା ପାଇଁ ସେମାନେ ମସୁଧା କରିଛନ୍ତି ।

 

ନଳିନାକ୍ଷର ଓଠରେ ମଳିଚିଆ ହସର ପ୍ଳାବନ...

 

ନନ୍ଦକିଶୋର ଆତଙ୍କିତ ହୋଇ ଉଠିଲା ।

 

ନଳିନାକ୍ଷ କହିଲା ତୁ କେମିତି ଜାଣିଲୁ ଅଶ୍ୱିନୀ ସେମାନେ ଆମକୁ ବାନ୍ଧିନେବେ ବୋଲି-? କିଏ ତୋତେ କହିଲା ? କାହାଠାରୁ ଶୁଣିଲୁ ?

 

ଅଶ୍ୱିନୀ, ନଳିନାକ୍ଷ ପାଖକୁ ଆହୁରି ଲାଗିଯାଇ କହିଲା–ବାପା, ଆଜି ବୋଉ ପାଖରେ କହୁଥିଲା ନଳିନାକ୍ଷ ଭାଇ । ବାପା ବି ବେଳ ଥାଉଁ ଥାଉଁ ବିକ୍ରମଦେବ ରାୟ ଘରକୁ ଚାଲିଗଲେ । ମୁଁ ସବୁ କଥା ଶୁଣିଛି । ତମେ ଦୁହେଁ ତମ ଘରୁ ପଳାଇ ନଗଲେ ଆଉ ରକ୍ଷାନାହିଁ । ସେମାନେ ତମକୁ ନିଶ୍ଚୟ ଜେଲ୍‍ ଦେଇଦେବେ । ଆଉ କେଇ ଘଣ୍ଟା ପରେ ତମ ଘର ମଧ୍ୟ ଘେରାଉ କରିଦେବେ ।

 

ନନ୍ଦକିଶୋର ବ୍ୟସ୍ତ ହୋଇ କହି ଉଠିଲା–ତମେ ଚାଲ ନଳିନାକ୍ଷ ଭାଇ–ଆମେ କୁଆଡ଼େ ଲୁଚିଯିବା । ଆଉ ଯଦି କେଇ ଘଣ୍ଟା ପରେ ତମ ଘର ସେମାନେ ଘେରାଉ କରିବେ, ଆମେ ନିଶ୍ଚୟ ଗିରଫ ହୋଇଯିବା ।

 

ନଳିନାକ୍ଷ, ନନ୍ଦକିଶୋର ବ୍ୟସ୍ତତାକୁ ବେଶ୍‍ ରୂପେ ହୃଦୟଙ୍ଗମ କରୁଥିଲା । ମାତ୍ର ସେ ଯଦି ତା’ ଭଳି ବ୍ୟସ୍ତ, ଚଞ୍ଚଳ ଓ ଅଧୈର୍ଯ୍ୟ ହୋଇ ଉଠିବ ତା’ହେଲେ ସେମାନଙ୍କୁ ସାନ୍ତ୍ୱନା ଦେବ କିଏ ? ସାହସ ଓ ଦମ୍ଭର ଖୋରାକ ଯୋଗାଇବେ କେଉଁମାନେ ?

 

ନା, ସେ ବ୍ୟସ୍ତ ହେବନି । ଚଞ୍ଚଳ ହେବନି । ଧୀରେ, ବୁଦ୍ଧି ବିଚାରି ସବୁ କାର୍ଯ୍ୟ କରିବ ।

 

ନଳିନାକ୍ଷ ସେଇ ଅନ୍ଧାର ଭିତରେ ନନ୍ଦକିଶୋର କାନ୍ଧରେ ହାତ ପକାଇ କହିଲା–ତୁ ବ୍ୟସ୍ତ ହୁଅନି ନନ୍ଦକିଶୋର । ଏଠି ଛାଡ଼ି ଆମେ ନିଶ୍ଚୟ ଅବିକା ଚାଲିଯିବା । ମାତ୍ର ତା’ ପୂର୍ବରୁ ଚିନ୍ତା କରି ଦେଖିବା, ଆମେ କୁଆଡ଼କୁ ଗଲେ ସୁବିଧା ହେବ ? ନିରାପଦରେ ରହି ପାରିବା ? ଆମକୁ ଯେତେ ଖୋଜିଲେ ମଧ୍ୟ ଆମର ପତ୍ତା ପାଇବେନି ।

 

ଏ ସବୁ କିଛି ନ କରି, ହଠାତ୍‍ ପଳାଇଯିବା କୁଆଡ଼େ ? କାର୍ଯ୍ୟକ୍ରମ ଓ ସ୍ଥାନ ନିର୍ଦ୍ଦିଷ୍ଟ ନ କରି ଏଇଭଳି ହଠାତ୍‍ ପଳାଇ ଯାଉ ଯାଉ, ଯଦି ସେମାନଙ୍କ ହାବୁଡ଼ରେ ଆମେ ପଡ଼ିଯିବା ତା’ହେଲେ ଆମର ଯୋଜନା ସବୁ ନଷ୍ଟଭ୍ରଷ୍ଟ ହୋଇଯିବ ନନ୍ଦ ।

 

ଅଶ୍ୱିନୀ ତଳୁ ଉଠିପଡ଼ି କହିଲା–ମୁଁ ଫେରି ଯାଉଛି ଆମ ଘରକୁ ନଳିନାକ୍ଷ ଭାଇ । ବାପା, ଘରୁ ଗଲାବେଳକୁ ବୋଉକୁ କହି ଯାଇଛନ୍ତି ମତେ କେଉଁଠିକି ନ ଛାଡ଼ିବା ପାଇଁ । ବୋଉ ମତେ ନ ବାନ୍ଧିଲେ ମଧ୍ୟ ସବୁବେଳେ ନଜରବନ୍ଦୀରେ ରଖୁଛି । ସେ ବାଡ଼ି କୂଅକୁ ପାଣି ଆଣି ଯାଇଥିବା ବେଳେ ମୁଁ ଏଠିକି ଲୁଚି ଲୁଚି ପଳାଇ ଆସିଛି । ପାଣି ଆଣି ଘରେ ମତେ ନ ପାଇ, ସେ ବୋଧହୁଏ ଗାଁ ଯାକର ଘରେ ଘରେ ଖୋଜିବା ଆରମ୍ଭ କରିଦେବ ।

 

ମୁଁ ଯାଉଛି–କିନ୍ତୁ ତମେ ଏଠୁ ଶୀଘ୍ର ଚାଲିଯାଅ ।

 

ଅଶ୍ୱିନୀ ଚାଲିଗଲା ।

 

ରାଧାମଣି ତାକୁ ପଛରୁ ଯେତେ ଡାକିଲେ, ସେ ଶୁଣିଲାନି । ତୀର ବେଗରେ ଦଉଡ଼ି ଦଉଡ଼ି ଯାଇ ଗାଁ ରାସ୍ତାରେ କୁଆଡ଼େ ମିଳାଇ ଗଲା ।

 

ରାଧାମଣି ତଳ ଘରକୁ ଗଲେ.....

 

ନଳିନାକ୍ଷ ଓ ନନ୍ଦକିଶୋର ମୁହଁ ଶୁଖାଇ ବସିଛନ୍ତି । କାହାରି ତୁଣ୍ଡରେ ଭାଷା ନାହିଁ । ଆତଙ୍କର କଳାମେଘ ସେମାନଙ୍କ ମୁଖର ଆକାଶରେ ସତେ ଯେପରି ଖେଳି ବୁଲୁଛି ।

 

ରାଧାମଣି କହିଲେ–ଅଶ୍ୱିନୀ କୁଆଡ଼େ ଆସିଥିଲା କିରେ ବାବା ? ତା’ଠାରୁ କଥା ଆଦାୟ କରିବି ବୋଲି ଯେତେ ଚେଷ୍ଟା କଲି, ପାରିଲି ନାହିଁ । ଦଉଡ଼ି ଦଉଡ଼ି ପଳେଇ ଗଲା । କ’ଣ ସେ କହିଲା ? କାହିଁକି ଆସିଥିଲା ? ତମେ ଦୁହେଁ ଏଇ କେତେ ମିନିଟ୍‍ ଆଗରୁ ହସି ହସି ଗଳ୍ପ କରୁଥିଲ । ମାତ୍ର ବର୍ତ୍ତମାନ ତମ ଦୁହିଁଙ୍କ ମୁହଁରୁ ହସ କାହିଁକି ମରିଗଲା ? ହସର ସରୁ ଜଳଧାରା କାହିଁକି ଶୁଖିଗଲା ?

 

ନଳିନାକ୍ଷ ଓ ନନ୍ଦକିଶୋର ଦୁହେଁଯାକ ତଥାପି ନୀରବ । ରାଧାମଣିଙ୍କ କଥାରେ ସେ ଉତ୍ତର ଦେଉ ନାହାନ୍ତି । ଘରୁ ବାହାରି ଯାଇ କୁଆଡ଼େ ଯିବେ ସେଇ କଥା ସେମାନେ ଚିନ୍ତା କରିବାରେ ଲାଗିଛନ୍ତି ।

 

ରାଧାମଣି ଦୁହିଁଙ୍କ ଠାରୁ କୌଣସି ଉତ୍ତର ନ ପାଇ ବ୍ୟସ୍ତ ହୋଇ ଉଠିଲେ । କ’ଣ ହେଲା ଏମାନଙ୍କର ! ଦିନେ ହେଲେ ଦୁହିଁଙ୍କର ଏପରି ଅନ୍ୟମନସ୍କତା ସେ କେବେ ଦେଖି ନାହାନ୍ତି-। ଏଭଳି ଆତଙ୍କିତ ହୋଇ ନୀରବରେ ବସି ରହିବାର କେବେହେଲେ ସେ ଲକ୍ଷ୍ୟ କରି ନାହାନ୍ତି । ଅଶ୍ୱିନୀ ଆସି କି ସମ୍ବାଦ ଦେଲା ?

 

ରାଧାମଣି ଆବେଗ ଆକୁଳ କଣ୍ଠରେ କହି ଉଠିଲେ–କ’ଣ ହେଲା ବାବା ? ଦୁହେଁଯାକ କଥା ନକହି ନୀରବରେ ବସି ରହିଛ କାହିଁକି ? ଅଶ୍ୱିନୀ ଆସି କି ସମ୍ବାଦ ଦେଲା ଯେ ତମେ ଦୁହେଁଯାକ ଭାଜି ପଡ଼ିଛ । ଅଧୈର୍ଯ୍ୟ ହୋଇ ଉଠିଛ ।

 

ନଳିନାକ୍ଷ କହିଲା–ତୋର ବ୍ୟସ୍ତ ହେବାର କୌଣସି କାରଣ ନାହିଁ ବୋଉ । ଆମ ପଛରେ ପୋଲିସ୍‍ ଲାଗିଛି । ଏଇ ମୁହୂର୍ତ୍ତରେ ଆମେ ଦୁହେଁ ଘର ଛାଡ଼ି ଚାଲିଯିବୁ । କୁଆଡ଼େ ଆତ୍ମଗୋପନ କରି ବସିବୁ ।

 

ରାଧାମଣି ବ୍ୟସ୍ତ ହୋଇ ଉଠିଲେ–ତାଙ୍କର ଜନନୀ ସୁଲଭ ହୃଦୟ ସତେ ଯେପରି ବିଦୀର୍ଣ୍ଣ ହୋଇ ଉଠିଲା । କାରୁଣ୍ୟ ସ୍ୱରରେ କହିଲେ–ତୁ କୁଆଡ଼େ ଚାଲିଯିବୁ ବାବା ? ନୀଳିମା ଏପର୍ଯ୍ୟନ୍ତ ଡାକ୍ତରଖାନାରୁ ଆରୋଗ୍ୟ ହୋଇ ଫେରି ନାହିଁ । ତୁ ପୁଣି କୁଆଡ଼େ ଚାଲିଯିବୁ ? ଅଦୃଶ୍ୟ ହୋଇଯିବୁ ? ଏ ଘରେ କାହାକୁ ଚାହିଁ ମୁଁ ଦିନ କାଟିବି ? ସମୟ ଅତିବାହିତ କରିବି ? ମୁଁ ତତେ ଛାଡ଼ିବି ନାହିଁ ବାବା–କେଉଁଠିକି ଯିବାକୁ ତତେ ଦେବି ନାହିଁ ।

 

ରାଧାମଣି ଆଖିରୁ ଅଶ୍ରୁ ପୋଛି ନଳିନାକ୍ଷକୁ ଧରି ପକାଇଲେ ।

 

ନଳିନାକ୍ଷ କହିଲା–ଆଜି ଏତେବେଳେ ତୁ ଯଦି ମତେ ଅଟକାଇ ରଖୁ ବୋଉ, ତା’ହେଲେ ତୋରି ଆଗରେ ମୋ ହାତରେ ହାତକଡ଼ା ପଡ଼ିବ । ତୋ କୋଳରୁ ନିଷ୍ଠୁର ଭାବରେ ପୋଲିସ୍‍ମାନେ ମତେ ଛଡ଼ାଇ ନେଇ ଜେଲରେ ଭର୍ତ୍ତି କରିଦେବେ । ଯଦି ତୋ ପୁଅକୁ ତୁ ଜେଲ୍‍କୁ ନ ପଠାଇବାକୁ ଚାହୁଁ, ମତେ ଶୀଘ୍ର ଛାଡ଼ିଦେ–ନ ହେଲେ ଏଇ ଦୁଇ ତିନି ଘଣ୍ଟା ମଧ୍ୟରେ ସେମାନେ ଆସି ଆମକୁ ଘେରାଉ କରିବେ । ମା ବୋଲି ଯେତେ କାନ୍ଦି କାନ୍ଦି ଅଶ୍ରୁ ଢାଳିଲେ ମଧ୍ୟ ସେମାନେ ତତେ ଛାଡ଼ିବେ ନାହିଁ ।

 

ରାଧାମଣିଙ୍କ ଆଖି ତୀରରୁ ଝରି ପଡ଼ୁଛି ଧାରା ଶ୍ରାବଣର ବାରି ଧାରା । ସେ ବିକଳ ହୋଇ ଆହୁରି କାନ୍ଦିବାକୁ ଲାଗିଲେ ।

 

ନଳିନାକ୍ଷ ନିଜ ଜନନୀର ବ୍ୟଥା ଭଲଭାବେ ହୃଦୟଙ୍ଗମ କରୁଥିଲେ ମଧ୍ୟ ଧୀରେ ଧୀରେ ସେ ବାସ୍ତବବାଦୀ ହୋଇ ଉଠୁଥିଲା । ବୋଉର ବିକଳ ଅଶ୍ରୁ ଦେଖି ସେ ଯଦି ବ୍ୟଥିତ ହୁଏ, ତା’ହେଲେ ଘରୁ ଅନିର୍ଦ୍ଦିଷ୍ଟ କାଳପାଇଁ ପଳାଇ ଯିବାର ସ୍ୱପ୍ନ ନିଶ୍ଚୟ ପ୍ରତିହତ ହେବ । ଯେଉଁ ପୋଲିସ୍‍ମାନେ ତାକୁ ଆରେଷ୍ଟ କରି ନେବାପାଇଁ ଗାଁ ପର୍ଯ୍ୟନ୍ତ ଦଉଡ଼ି ଆସିଛନ୍ତି, ସେମାନଙ୍କ ଲକ୍ଷ୍ୟ ହୁଏତ ସାର୍ଥକ ହୋଇଯିବ ।

 

ନନ୍ଦକିଶୋର ବାକ୍‍ଶୂନ୍ୟ । ରାଧାମଣିଙ୍କ ବ୍ୟସ୍ତତାକୁ ସେ ଏକ ଧ୍ୟାନରେ ଚାହିଁ ରହିଛି । ତାଙ୍କର ଆକୁଳ, ଆର୍ତ୍ତ ଓ ମର୍ମ ବିଦାରୀ ଅଶ୍ରୁଳ ପରିବେଶ ତା’ ମନ ତଳକୁ ସତେ ଯେପରି ଆର୍ଦ୍ର କରି ଦେଉଛି ।

 

ନଳିନାକ୍ଷ ଭାଇଙ୍କ ସଙ୍ଗେ ସେ କୁଆଡ଼େ ଅଦୃଶ୍ୟ ହୋଇ ଯାଇଛି ବୋଲି ଯେଉଁ ଦିନ ତା’ ବୋଉ ଜାଣିବ, ସେ ଦିନ ସେ ବି ଠିକ୍‍ ଏଇପରି ହେବ । ଆଖିରୁ ଅଶ୍ରୁ ଢାଳି ବିକଳ ବେଦନାରେ ବାହୁନି ଉଠିବ ।

 

ନଳିନାକ୍ଷ କହିଲା–ମୋର ସବୁ କଥା ତୁ ଶୁଣିଛୁ । ସବୁ କଥା ରକ୍ଷା କରିଛୁ ବୋଉ । ନୀଳିମା ଡାକ୍ତରଖାନାରେ ଚିକିତ୍ସା ପାଉଛି । ସେ ଆଘାତ ଏବେ ବି ତୋ ମନରୁ ଯାଇନି । ପୁଣି ଆଉ ଏକ ଧକ୍କା ମୁଁ ଦେବାକୁ ଯାଉଛି । ନୀଳିମାର ଆଘାତ ତୁ ଯେପରି ମୂକ, ଜଡ଼ ଓ ନିର୍ବେଦ ପରି ସହି ଯାଇଥିଲୁ, ମୋ ଆଘାତ ତୁ ଠିକ୍‍ ସେଇମିତି ସହିଯିବୁ ବୋଉ !

 

ନଳିନାକ୍ଷ ରାଧାମଣିଙ୍କୁ ଧରି ପକାଇ ଭାବପ୍ରବଣ ହୋଇ ଉଠିଲା । କହିଲା–ତୁ ଜନନୀ–ଧରିତ୍ରୀ ପରି ତୁ ସର୍ବଂସହା । ଯେତେ ବାଧା ଆସୁ, ପ୍ରତିବନ୍ଧକ ସୃଷ୍ଟି ହେଉ, ଝଡ଼ ଉଠୁ, ତୋଫାନ ବହୁ, ସେ ସବୁକୁ ନିର୍ବିକାର ଚିତ୍ତରେ ତୁ ସହିଯାଆ ବୋଉ । ଏ ଦୁଃଖ ତୋର ସବୁଦିନେ ରହିବନି । ଆଉ ମାତ୍ର କେତେ ଦିନ ପରେ ତୋ ଦୁଃଖର ରଜନୀ ପାହିଯିବ ।

 

ରାଧାମଣି ନଳିନାକ୍ଷର କଥା ବୁଝି ମଧ୍ୟ ଅବୁଝା ହେଲେ । ଆଖିରୁ ଅଶ୍ରୁ ପୋଛି କହିଲେ–ମୋ ଦୁଃଖର ରାତି ପାହିବନିରେ–ଏଇ ଦୁଃଖ ଭିତରେ ମୋ ଜୀବନ ହୁଏତ ଅତିବାହିତ ହୋଇଯିବ । ତମର ଏଇ ସବୁ ଦୃଶ୍ୟ ଦେଖିବା ପୂର୍ବରୁ ମୋର ଯଦି ମୃତ୍ୟୁ ହୋଇ ଯାଆନ୍ତା, ତା’ହେଲେ....

 

ନଳିନାକ୍ଷ କହିଲା–ଆଉ ଡେରି କରନି ବୋଉ । ଆମକୁ କିଛି ଖାଇବାକୁ ଦେ–ପୋଲିସ୍‍ ଦଳ ଆମ ଘରକୁ ଘେରାଉ କରିବା ପୂର୍ବରୁ ଆମେ ଘରଛାଡ଼ି ଚାଲିଯିବୁ ଅନେକ ଦୂର ।

 

ରାଧାମଣି ରୋଷ ଘରକୁ ଗଲେ...

 

ନନ୍ଦକିଶୋର ଓ ନଳିନାକ୍ଷ ରୋଷ ଘର ବାରଣ୍ଡାରେ ବସିଲେ ।

 

ରାଧାମଣି ପଖାଳ ଓ ତରକାରୀ ଦୁଇଟା ଜାଗାରେ ସ୍ଵତନ୍ତ୍ର ଭାବରେ ଆଣି ଥୋଇଲେ ।

 

ଦୁହେଁଯାକ ଖୁବ୍‍ ଚଞ୍ଚଳ ଖାଇବାରେ ଲାଗିଛନ୍ତି ।

 

ରାଧାମଣି ଚାହିଁ ଚାହିଁ ଭାବୁଛନ୍ତି–ଗତ ସାତ ଦିନ ହେଲା ନୀଳିମା ଡାକ୍ତରଖାନାରେ ପଡ଼ିଛି । ଘରକୁ ଆସିନି । ଡାକ୍ତରଖାନାର ସେଇ ମେଘନାଦ ପାଚେରୀ ତଳେ କିପରି ଖାଇ ପିଇ ସେ ଆରୋଗ୍ୟ ଲାଭ କରୁଛି ତାହା ମଧ୍ୟ ସେ ଜାଣନ୍ତି ନାହିଁ । ଆଜି ପୁଣି ନଳିନାକ୍ଷ ଚାଲିଯିବ କୁଆଡ଼କୁ ?

 

କେବେ ସେ ଫେରିବ ? କେତେ ଦିନ ସରକାର ଆଖିରେ ଧୂଳିଦେଇ ଲୁଚି ରହିବ ? ନଳିନାକ୍ଷର ସ୍ୱାଧୀନ ଭାରତ କେବେ ଆଉ ଆସିବ ? ସ୍ୱାଧୀନ ଭାରତର ସ୍ୱପ୍ନ ଦେଖିବା ପୂର୍ବରୁ ତା’ର ହୁଏତ ମରଣ ହୋଇ ଯାଇଥିବ ।

 

ତା’ର ବାପା ଯେମିତି ପରାଧୀନ ଭାରତରେ ଆଖି ମୁଦିଥିଲେ, ସେ ବି ଠିକ୍‍ ସେଇମିତି ପରାଧୀନ ଭାରତ ମାଟିରେ ଆଖି ବୁଜି ବସିବ । ପୁଅ ଝିଅ, ଯେଉଁ ସ୍ଵାଧୀନତା ସଂଗ୍ରାମ ପାଇଁ ମାଡ଼ଖାଇ, ହାଡ଼ଭାଙ୍ଗି, ପୁଣି ନିରୁଦ୍ଧିଷ୍ଟ ହୋଇ ଯାଉଛନ୍ତି ସେ ସ୍ୱାଧୀନତାର ଅମୃତ ସ୍ୱାଦ କେଉଁ ଦିନ ସେ ଆଉ ଚାଖିବ.....

 

ନଳିନାକ୍ଷ ଓ ନନ୍ଦକିଶୋର ଦୁହେଁ ଖାଇ ସାରିଲେଣି । ଓଃ କେଡ଼େ ତରବରରେ ସେମାନେ ଖାଇଦେଲେ ! ଏତେ ତରବରରେ ସେମାନେ କେବେହେଲେ ତ ଖାଆନ୍ତି ନାହିଁ !

 

ନଳିନାକ୍ଷ କହିଲା–ମୋ ହାତ ବ୍ୟାଗ୍‍ ଭିତରେ ଗାମୁଛା ଆଉ ଖଣ୍ଡେ ଧୋତି ରଖିଦେ ବୋଉ । । ବେଳ ଆସି ଆଖର ହୋଇଗଲା, ଆଉ ଅପେକ୍ଷା କଲେ ବିପଦ ମାଡ଼ି ଆସିବ ।

 

ରାଧାମଣି ବ୍ୟାଗ୍‍ ଭିତରେ ଗାମୁଛା ଓ ଧୋତି ରଖି ନଳିନାକ୍ଷଙ୍କ ହାତକୁ ବଢ଼ାଇ ଦେଲେ ।

 

ମଧ୍ୟାହ୍ନ ବୁଢ଼ା ହୋଇ ଆସୁଥିଲା ସେତେବେଳେ । ଆଉ ଟିକକ ପରେ ଭାଦ୍ରବର ବହଳ ସଞ୍ଜ ମାଡ଼ି ଆସିବ ଧରଣୀ ଉପରକୁ । ସବୁ ଅନ୍ଧାର ହୋଇଯିବ । ସବୁ ଅନ୍ଧାର ଦିଶିବ ।

 

ନଳିନାକ୍ଷ ଓ ନନ୍ଦକିଶୋର ବାଡ଼ି ଦୁଆର ପଟେ ବାହାରିଲେ । ହରିଜନ ସାହି ଅତିକ୍ରମ କରି ଧାନ କିଆରୀ ଭିତର ଦେଇ ସେମାନେ ଚାଲିଯିବେ ଆର ଗାଁକୁ–ଦୂର ଗାଁକୁ । ନଈ ପାରି ହୋଇ ବାଲେଶ୍ୱର ଜିଲ୍ଲାକୁ ଚାଲିଗଲେ, ପୋଲିସ୍‍ ହୁଏତ ଖୋଜି ପାଇବାକୁ କଷ୍ଟସାଧ୍ୟ ହେବ । ବୈତରଣୀ, ଗେଙ୍ଗୁଟୀ ଓ କୋଚିଳାର ଶଯ୍ୟା ଦେଶରେ ଯେଉଁ ଗାଁଗୁଡ଼ିକ ଗଛ ବୃକ୍ଷର ବହଳ ସବୁଜିମା ଭିତରେ ନୂଆ ବୋଉଟି ପରି ଓଢ଼ଣା ଟାଣି ଲୁଚି ଯାଇଛି, ସେଇ ଗାଆଁକୁ ପଳାଇ ଯାଇ ଆତ୍ମଗୋପନ କଲେ, ରକ୍ଷା ମିଳିଯିବ ।

 

ନଳିନାକ୍ଷ ବାଡ଼ି ଦୁଆର ଅତିକ୍ରମ କରୁକରୁ ଫେରି ଚାହିଁଲା ପଛକୁ । ରାଧାମଣି ଅଶ୍ରୁସଜଳ ନୟନରେ ଚାହିଁ ରହିଛନ୍ତି ତାକୁ । ମାଆର ଆକର୍ଷଣ ଏଡ଼େ ତୀବ୍ର !

 

ନଳିନାକ୍ଷର ଅନ୍ତର ବେଦନାର୍ଦ୍ର ହୋଇ ଉଠିଲା ।

 

ନା, ଆଉ ଅଟକି ରହିବାର ଅବକାଶ ନାହିଁ । ସ୍ନେହମୟୀ ଜନନୀର ଲୋଭନୀୟ, ଅବିଚ୍ଛେଦ୍ୟ ଆକର୍ଷଣରେ ଛନ୍ଦି ହୋଇ ରହିଗଲେ ଭବିଷ୍ୟତରେ ବିପଦ ଘନେଇ ଆସିବ ।

 

ନଳିନାକ୍ଷ ହାତ ଠାରି ବିଦାୟ ବାର୍ତ୍ତା ଜଣାଇଲା ।

 

ନନ୍ଦକିଶୋର ଓ ନଳିନାକ୍ଷ ବାଡ଼ିର ଘନ ସବୁଜିମା ଭୋଦେଇ କିଆ ଭିତରେ ଅଦୃଶ୍ୟ ହୋଇଗଲେ ।

 

ରାଧାମଣି ଅଶ୍ରୁପୂର୍ଣ୍ଣ ନୟନରେ ଚାହିଁ ରହିଲେ ସେ ଆଡ଼କୁ । ତାଙ୍କ ଅନ୍ତର ରହି ରହି ଯେପରି କାନ୍ଦି ଉଠୁଛି ।

 

ରାତି ଦି ଘଡି ହୋଇ ଗଲାଣି ।

 

ଭାଦ୍ରବ ଆକାଶରେ ମେଘ ଘୋଟି ଆସୁଛି । ଆଉ ଟିକିକ ପରେ ହୁଏତ ଅସରେ ବର୍ଷା ବର୍ଷିଯିବ ।

 

ରାଧାମଣି ଘର ଖଟ ଉପରେ ବସି ନିଜ ସ୍ଵାମୀଙ୍କ ଫଟୋକୁ ନିରୀକ୍ଷଣ କରୁଛନ୍ତି । ସ୍ଵାମୀଙ୍କ ମୃତ୍ୟୁର ଅନେକ ଦିନ ପରେ ଘରଟା ଆଜି ଯେମିତି ଶୂନ୍ୟ ବୋଧ ହେଉଛି । ନୀଳିମା ହସ୍‍ପିଟାଲ ବେଡ୍‍ ଉପରେ ଶୋଇ ରହି କରୁଣ ଚିତ୍କାର ଛାଡ଼ୁଥିବ । ଆଉ ନଳିନାକ୍ଷ ଆତ୍ମଗୋପନ କରିବା ଉଦ୍ଦେଶ୍ୟରେ ହୁଏତ କେଉଁ ଏକ ଅରମା, ଅରଣା ସ୍ଥାନରେ ଲୁଚିଥିବ ।

 

ରାଧାମଣିଙ୍କ ଅନ୍ତର ବିଳପି ଉଠିଲା । ନିଜ ସ୍ୱାମୀଙ୍କ ଫଟୋକୁ ଚାହିଁ, ତାଙ୍କ କଥା ସ୍ମରଣ କରି କରି ବର୍ତ୍ତମାନର ଦୁଃଖ ଜଞ୍ଜାଳକୁ ଭୁଲିଯିବାକୁ ଚେଷ୍ଟା କରୁଥିଲେ । ମାତ୍ର ଘରର ଶୂନ୍ୟ ହାହାକାର ଓ ଦୀର୍ଘ ନୀରବତା, ସ୍ୱାମୀଙ୍କ ଫଟୋକୁ ଏକାଗ୍ରଚିତ୍ତରେ ନିରୀକ୍ଷଣ କରିବା ପାଇଁ ସତେ ଯେପରି ବାଧା ସୃଷ୍ଟି କରୁଛି ।

 

ହେ ମୋର ମୃତ ସ୍ୱାମୀ ! ଆଜିର ଏଇ ଜଞ୍ଜାଳ ଜର୍ଜ୍ଜରିତ ମୁହୂର୍ତ୍ତରେ ତମେ ସ୍ଵର୍ଗଧାମରୁ ଓଲ୍ଲାଇ ଆସ । ତମର ଆଗମାନୀ ବାର୍ତ୍ତାରେ ଭାଦ୍ରବ ନିଶୀଥର ଏଇ ଘନୀଭୂତ ଅନ୍ଧକାର ଦୂରେଇ ଯାଉ ।

 

ତମେ ଆସି ଦେଖିଯାଅ, ତମ ସ୍ତ୍ରୀର ଅବସ୍ଥା । ଏକାକିନୀ ଘର ଭିତରେ ବସି କି କରୁଣ ହାହାକାର ଭିତରେ ସେ ସମୟ ଅତିବାହିତ କରୁଛି । ପୁଅ ନାହିଁ–ଝିଅ ନାହିଁ । ସେମାନଙ୍କ ବିହୁନେ ଏ ଘର, ଏ ମାଟି ସର୍ବୋପରି ମୋର ମନ କିପରି ତିକ୍ତତାରେ ଭରି ଯାଉଛି ।

 

ରାଧାମଣି ଭାବପ୍ରବଣ ହୋଇ ଉଠିଲେ । ଘରୋଇ କାମରେ ବ୍ୟସ୍ତ ରହି ଅନେକ ଦିନ ହେଲା ସ୍ୱାମୀଙ୍କର ଫଟୋଟିକୁ ଦେଖି ନଥିଲେ । କାଚ ଉପରେ ବୁଢ଼ିଆଣୀ ଜାଲଗୁଡ଼ିକୁ ପରିଷ୍କାର କରି ନଥିଲେ ।

 

ସେ କାଚ ଉପରେ ନିଜ ଲୁଗା କାନି ବୁଲାଇ ଆଣି ଦୁଇ ହାତ ଯୋଡ଼ି ସେଇ ଫଟୋଟିକୁ ପ୍ରଣାମ କଲେ ।

 

ସେଇ ଫଟୋ ଭିତରୁ ସ୍ୱାମୀଙ୍କର ସେଇ ଅମୃତ ହସର ଧାରା ଝରି ପଡ଼ୁଛି । ସେ ସତେ ଯେପରି କହୁଛନ୍ତି–ଭୟ କରନାହିଁ ରାଧାରାଣି ! ପିଲାମାନେ ଠିକ୍‍ ବାଟରେ ଚାଲିଛନ୍ତି । ତମେ ଭାଙ୍ଗିପଡ଼ ନାହିଁ । ଦୁଃଖ କର ନାହିଁ । ତୁମେ ଦୃଢ଼ ହୁଅ । ଶକ୍ତ ହୁଅ । ସେମାନଙ୍କୁ ଉତ୍ସାହ ଦିଅ । ଉଦ୍ଦୀପନା ସୃଷ୍ଟିକର । ଶେଷକୁ ସେମାନେ ଜିତିବେ ।

 

ରାଧାମଣି ଫଟୋଟିକୁ ପୁଣି ସେଇମିତି ଚାହିଁ ରହିଛନ୍ତି ।

 

ବାହାରେ ଭାଦ୍ରବର ମେଘ ମେଦୁରିତ ଆକାଶରୁ ଟୁପୁ ଟୁପୁ ହୋଇ ବୃଷ୍ଟି ପଡ଼ିବାକୁ ଆରମ୍ଭ କଲାଣି ।

 

ଦାଣ୍ଡ କବାଟରେ ଦୃଢ଼ ଆଘାତ ଶୁଭିଲା...

 

ରାଧାମଣି କାନପାରି ରହିଲା ଆଉଥରେ ସେଇ ଶବ୍ଦକୁ । ପୁଣି କବାଟ ଉପରେ କ୍ରମାଗତ କରାଘାତ । ଓଃ ସତେ ଯେପରି ଦାଣ୍ଡ କବାଟଟାକୁ ସେମାନେ ଭାଙ୍ଗିଦେବେ !

 

ରାଧାମଣି ଲଣ୍ଠନ ହାତରେ ଧରି ଛୁଟି ଆସିଲେ ଦାଣ୍ଡ ଘରକୁ । ଦାଣ୍ଡ ପଟେ ବହୁଲୋକଙ୍କର କୋଳାହଳ ଶୁଭୁଛି । ରାଧାମଣି କବାଟ ଖୋଲିଦେଲେ...

 

ସଶସ୍ତ୍ର ପୋଲିସ୍‍ ବାହିନୀ । ସେମାନଙ୍କ କଣ୍ଠରେ ଦୃପ୍ତ ଗମ୍ଭୀର ଭାଷା । ବିନା ଅନୁମତିରେ ରାଧାମଣିଙ୍କ ଘର ଭିତରକୁ ବୁଟ୍‍ ମାଡ଼ି, ବସୁଧାକୁ ଥର ହର କରିଦେଇ ପଶି ଆସିଲେ-

 

ରାଧାମଣିଙ୍କ ମନ ଭିତରେ ବିଦ୍ରୋହ ବହ୍ନି । ସମଗ୍ର ପୋଲିସ୍‍ଙ୍କ ଉପରେ, ରାଗରେ ସେ ଜର୍ଜ୍ଜରିତା ହୋଇ ଉଠିଲେ । କ୍ରୋଧ-ପ୍ରଜ୍ଜ୍ଵଳିତ ଭାଷାରେ କହିଲେ–ବିନା ଅନୁମତିରେ ମୋ ଘରକୁ ପଶି ଆସିବାକୁ ତମକୁ କିଏ କହିଲା ? କିଏ ନିର୍ଦ୍ଦେଶ ଦେଲା ?

 

ଗର୍ବୀ, ଉଦ୍ଧତ କନେଷ୍ଟବଲମାନେ ଥମକି ଠିଆ ହେଲେ । ଆଗକୁ ପାଦ ବଢ଼ାଇବାକୁ ତାଙ୍କର ସାହସ ହେଲାନାହିଁ । ରାଧାମଣି ସତେ ଯେପରି ନାରୀରୁ ଭୈରବୀ ହୋଇ ଉଠିଲେ । ଦୁଇ ଚକ୍ଷୁ ତାଙ୍କର ଆରକ୍ତ ହୋଇ ଉଠିଲା । ଦେହ ଗୋଟାପଣେ ଥରିବାକୁ ଲାଗିଲା ।

 

ପଛଆଡ଼େ ପୋଲିସ୍‍ ଇନିସ୍ପେକ୍ଟର ଠିଆ ହୋଇଥିଲେ । ରାଧାମଣିଙ୍କର ଭୟଙ୍କର ରୂପଦେଖି ସେ ଆଗକୁ ଆସିଲେ । ମାତ୍ର ମନ ଭିତରେ ତାଙ୍କର ଶଙ୍କା ଜାଗ୍ରତ ହେଉଥିଲା ।

 

ଇନିସ୍ପେକ୍ଟର କହିଲେ–ଆମେ ଆସିଛୁ ଆପଣଙ୍କ ଘର ଘେରାଉ କରି ନଳିନାକ୍ଷ ବାବୁଙ୍କୁ ଗିରଫ କରିବାକୁ ଆଜ୍ଞା–ତାଙ୍କ ନାଁରେ ଓ୍ୱାରେଣ୍ଟ ଇସୁ ହୋଇଛି ।

 

ରାଧାମଣି କହିଲେ–ବେଶ୍‍, ଘର ଘେରାଉ କରିବାକୁ ତମକୁ କିଏ ମନା କରୁଛି ? ମାତ୍ର ବିନା ଅନୁମତିରେ ମୋ ଘରେ ପ୍ରବେଶ କରିବାକୁ ଏମାନେ କିଏ ?

 

ଇନିସ୍ପେକ୍ଟର କହିଲେ–ତା’ହେଲେ ନଳିନାକ୍ଷ ବାବୁ କେଉଁଠି ଅଛନ୍ତି ? ତାଙ୍କୁ ଯଦି ଆପଣ ଆମ ପାଖକୁ ପଠାଇ ଦିଅନ୍ତି, ତା’ହେଲେ ଆପଣଙ୍କ ଘରେ ପଶିବାର କୌଣସି ଦରକାର ନାହିଁ । ଯଦି ନ କହିବେ ଆମେ ବାଧ୍ୟ ହୋଇ ଘରେ ପଶି ତାଙ୍କର ସନ୍ଧାନ ନେବୁଁ ।

 

ରାଧାମଣି ହସି ଉଠିଲେ, କହିଲେ–ସେ ନାହିଁ ବାବୁ । ସେ ଘରେ ଭୀରୁ ପରି ଲୁଚି ରହିଲା ପିଲା ନୁହେଁ । ତମମାନଙ୍କ ଭୟରେ ସେ କ’ଣ ଲୁଚି ରହନ୍ତା ? ଗତକାଲିଠାରୁ ସେ କୁଆଡ଼େ ଯାଇଛି ଯେ ଏପର୍ଯ୍ୟନ୍ତ ଫେରିନି ।

 

ଇନିସ୍ପେକ୍ଟର ହତାଶ ହେଲେ । ଯେଉଁ ପନ୍ଦର ଜଣ କନେଷ୍ଟବଲ ଅତି ବୀର ଦର୍ପରେ ଘର ଭିତରକୁ ପଶି ଆସିଥିଲେ, ସେମାନଙ୍କ ମୁହଁରେ ସତେ ଯେପରି ନୈରାଶ୍ୟର ଏକ ତରଙ୍ଗ ଖେଳିଗଲା ।

 

ଇନିସ୍ପେକ୍ଟର କହିଲେ–ନଳିନାକ୍ଷ ବାବୁ ନାହାନ୍ତି ! ନିଶ୍ଚୟ ଘର ଭିତରେ ଥିବେ ।

 

ରାଧାମଣି ବିରକ୍ତ ହେଲା ଭଳି ଭାଷାରେ କହିଲେ–ମତେ ତମେ ବିଶ୍ଵାସ କର । ମୁଁ ତା’ର ମା । କେବେହେଲେ ମିଛ କହେନାହିଁ । ଯଦି ଘରେ ତାକୁ ଖୋଜିବାକୁ ଇଚ୍ଛା କରୁଛ, ଭିତରକୁ ଯାଇ ଖୋଜିପାର । ମୋର ସେଥିରେ କୌଣସି ଆପତ୍ତି ନାହିଁ । କିନ୍ତୁ ତମେମାନେ ନିଶ୍ଚୟ ନିରାଶ ହେବ, ଏ କଥା ପରିଷ୍କାର ତମକୁ କହି ରଖୁଛି ।

 

ପୋଲିସ୍‍ ଇନିସ୍ପେକ୍ଟରଙ୍କ ଆଗ୍ରହ ମରି ଯାଉଥିଲା । ସେ ରାଧାମଣିଙ୍କ କଥାରେ ଆସ୍ଥା ସ୍ଥାପନ କରି, ସେଠାରୁ ଫେରିଯିବାକୁ ମନସ୍ଥ କରୁଥିଲେ । କିନ୍ତୁ ପଛରୁ ପୁଣ୍ଡରୀକାକ୍ଷ ଚୁପ୍‍ ଚୁପ୍‍ ଭାଷାରେ କହି ଉଠିଲେ–ଆପଣ ଘର ଭିତରକୁ ଯାଇ ସନ୍ଧାନ ନିଅନ୍ତୁ ଆଜ୍ଞା । ତାଙ୍କ କଥାରେ ବିଶ୍ୱାସ କରନ୍ତୁ ନାହିଁ ।

 

ଇନିସ୍ପେକ୍ଟରଙ୍କ ମନ ସନ୍ଦେହରେ ଦୋଳାୟିତ ହେଲା । ସେ କହିଲେ–ଆପଣ ତା’ହେଲେ ଘରକୁ ଚାଲନ୍ତୁ–ଆମେ ତାଙ୍କର ସନ୍ଧାନ ନେବୁ ।

 

ରାଧାମଣି କହିଲେ–ମୋ ଯିବାରେ କୌଣସି ଆବଶ୍ୟକତା ନାହିଁ । ତମେ ଯାଇ ନିଜେ ଦେଖିପାର ।

 

ପୋଲିସ୍‍ ଇନିସ୍ପେକ୍ଟର କନେଷ୍ଟବଲମାନଙ୍କୁ ଆଖି ଠାରି ଦେଲେ । ତାଙ୍କର ଆଖି ଠାରରେ, କନେଷ୍ଟବଲମାନେ ଘର ଭିତରକୁ ଭାଦ୍ରବର ସେଇ ଅନ୍ଧକାର ମଧ୍ୟରେ, ଟର୍ଚ୍ଚ ମାରି ମାରି ଆଗେଇ ଗଲେ ।

ଇନିସ୍ପେକ୍ଟର ମଧ୍ୟ ଘର ଭିତରକୁ ପଶି କହିଲେ–ଆପଣ ଆସନ୍ତୁ ମୋ ସାଙ୍ଗରେ ।

ରାଧାମଣି କହିଲେ–ତମେ ଖୋଜି ଆସିବ ଯା ବାବା । ମୁଁ କାହିଁକି ଯିବି ? ତମକୁ ଘରେ ପଶିବାର ଅଧିକାର ତ ଦେଇଛି । ଆଉ କ’ଣ ଅସୁବିଧା ?

ଇନିସ୍ପେକ୍ଟର ମଧ୍ୟ ସବ୍‍ଇନିସ୍ପେକ୍ଟରଙ୍କ ସହ ଘର ଭିତରକୁ ଚାଲିଗଲେ ।

ରାଧାମଣି ଲଣ୍ଠନ ଟେକି ଚାହିଁଲେ ଦାଣ୍ଡ ଅଗଣାକୁ । ପୁଣ୍ଡରୀକାକ୍ଷ ଧୀରେ ଧୀରେ ପଳାଇ ଯାଉଛନ୍ତି ନଇଁ ନଇଁ । ତାଙ୍କ ଆଗରେ ସେ କିଏ ? ଟୁପୁ ଟୁପୁ ବର୍ଷା ପଡ଼ୁଛି ବୋଲି ମୁଣ୍ଡରେ ଚଦର ପକାଇ ଚାଲି ଯାଉଛି ? ବୋଧହୁଏ ଲୋକନାଥ !

ନଳିନାକ୍ଷକୁ ଗିରଫ କରାଇ ଦେବାପାଇଁ ପୋଲିସ୍‍ମାନଙ୍କୁ ବାଟ କଢ଼ାଇ ତ ଆଣିଛନ୍ତି । ବର୍ତ୍ତମାନ କାହିଁକି ଲୁଚି ଲୁଚି ପଳାଇ ଯାଉଛନ୍ତି ପିଣ୍ଡା କଡ଼େ କଡ଼େ–ଧାରେ ଧାରେ ।

ରାଧାମଣିଙ୍କର ଇଚ୍ଛା ହେଉଥିଲା ଲୋକନାଥଙ୍କୁ ଡାକିବାକୁ ।କିନ୍ତୁ ସେ ଡାକି ପାରିଲେନି-। ଘୃଣାରେ ତାଙ୍କ ଅନ୍ତର ପୂରିଗଲା ।

କୃତଘ୍ନ ଲୋକନାଥ । ସ୍ଵାମୀ ବଞ୍ଚିଥିଲା ବେଳେ, ଦିନ ରାତି ତାଙ୍କରି ପାଖରେ ବସି ରହେ । ତାଙ୍କ ନିର୍ଦ୍ଦେଶ ଅନୁଯାୟୀ ବାଟ ଚାଲେ । ବଡ଼ଭାଇ ବୋଲି ଭକ୍ତି କରେ । ସେବା ଢାଳେ । ସେ କିନ୍ତୁ ଆର ପୁରୀକୁ ଚାଲିଗଲେ ବୋଲି, ଆଜି ଲୋକନାଥ ତାଙ୍କ ପୁଅକୁ ଗିରଫ କରାଇଦେବା ଉଦ୍ଦେଶ୍ୟରେ ପୋଲିସ୍‍ମାନଙ୍କୁ ଡାକି ଆଣି ତା’ ଘରେ ପୂରେଇଛି ।

 

ସ୍ୱାର୍ଥପର, ଜଘନ୍ୟ ଲୋକନାଥ ! ନଳିନାକ୍ଷ କି ଅପକାର ତା’ର କରିଛି ? ନିଆଁପାଣି ଠାରୁ ଆରମ୍ଭ କରି ସମସ୍ତ ସାମାଜିକ ବ୍ୟବସ୍ଥା ଓ ଚଳଣିରେ ତାକୁ ବାସନ୍ଦ କରିବାକୁ ଚେଷ୍ଟା କଲ । ତଥାପି ପାରିଲନି । ଜୀବନରେ ମାରିଦେବା ପାଇଁ ଚକ୍ରାନ୍ତ କରିଥିଲ, ସେଥିରେ ମଧ୍ୟ କୃତକାର୍ଯ୍ୟ ହୋଇ ପାରିଲ ନାହିଁ । ପୋଲିସ୍‍ମାନଙ୍କୁ ଡାକିଆଣି, ତାକୁ ଗିରଫ କରି ଗାଁରୁ ବିଦାୟ କରିଦେଲେ ତମର ସେଥିରେ କି ଉପକାର ହେବ କେଜାଣି ?

 

ପୁଣ୍ଡରୀକାକ୍ଷ ଓ ଲୋକନାଥ ଭାଦ୍ରବ ରାତିର ଅନ୍ଧକାର ମଧ୍ୟରେ କୁଆଡ଼େ ଅଦୃଶ୍ୟ ହୋଇଗଲେ ।

 

ରାଧାମଣି ଲଣ୍ଠନ ହାତରେ ଧରି ଫେରି ଆସିଲେ ଘରକୁ । କନେଷ୍ଟବଲମାନେ ପ୍ରାଣ ବିକଳରେ ଖୋଜୁଛନ୍ତି ନଳିନାକ୍ଷକୁ । ଏମାନେ ଏଡ଼େ ଅନ୍ଧ ! ସତେ ଯେପରି କେଉଁ ଭାଡ଼ିତଳେ ସେ ଅବା ଲୁଚି ରହିଛି ।

 

ପୋଲିସ୍‍ ଇନିସ୍ପେକ୍ଟର ଠିଆ ହୋଇ ତାଙ୍କ ଶକ୍ତିଶାଳୀ ଟର୍ଚ୍ଚ ଲାଇଟ୍‍ର ଆଲୋକକୁ ଘର ଭିତରେ ବିଚ୍ଛୁରି ଦେଉଛନ୍ତି । କନେଷ୍ଟବଲମାନେ ଏ ଘରୁ, ସେ ଘର ହେଉଛନ୍ତି ।

 

ରାଧାମଣି ହସି ହସି କହିଲେ–କାହିଁକି ବାବା ଏତେ କଷ୍ଟ ସ୍ୱୀକାର କରୁଛ ? ସେ କ’ଣ ସେମିତିକା ପୁଅ ? ଚୋର ପରି ସେ କ’ଣ ଘର ଭିତରେ ତମମାନଙ୍କ ଭୟରେ ଲୁଚି ରହି ପାରିବ-?

 

ଇନିସ୍ପେକ୍ଟର ଆସ୍ତେ ଆସ୍ତେ ରାଧାମଣିଙ୍କ କଥାରେ ବିଶ୍ୱସ୍ତ ହୋଇ ଉଠିଲେ । କହିଲେ–ନଳିନାକ୍ଷ ବାବୁ କେଉଁଦିନ ଘରୁ ଚାଲିଗଲେ ମା ? କେଉଁଠିକି ଯାଇଛନ୍ତି, ଆପଣ କହିପାରିବେ ନିର୍ଦ୍ଦିଷ୍ଟ ଭାବେ ?

 

ରାଧାମଣି କହିଲେ–ଦେଶର ସ୍ୱାଧୀନତା ପାଇଁ ସେ ପାଗଳ ହୋଇଛି ବାବୁ । କେତେବେଳେ ସେ କେଉଁଠିକି ଯାଏ ଏବଂ ପୁଣି ଫେରେ ତାହା ମୁଁ ଜାଣେନାହିଁ । ତେଣୁ ସେ କାଲି କେଉଁଠିକି ଗଲା, ମୁଁ ଜାଣିବି କିପରି ?

 

କନେଷ୍ଟବଲମାନେ ଘର, ଦ୍ଵାର, ଭାଡ଼ି ତଳ, ଅଗଣା ଓ ଢିଙ୍କିଶାଳ ଆଦି ଖୋଜି ଖୋଜି ନିରାଶ ହୋଇ ଫେରି ଆସିଲେ । ପରାଜିତ ସୈନିକର ଆତ୍ମଗ୍ଳାନି ନେଇ କନେଷ୍ଟବଲମାନେ ଅତି ନୀରବରେ ପୋଲିସ୍‍ ଇନିସ୍ପେକ୍ଟରଙ୍କ ଆଗରେ ଠିଆ ହୋଇଗଲେ ।

 

ଇନିସ୍ପେକ୍ଟର କହିଲେ–ତେବେ ଫେରି ଚାଲ । ଆଖ ପାଖ ଗାଁମାନଙ୍କୁ କାଲି ଘେରାଉ କରି ତାଙ୍କୁ ଯଦି ଖୋଜି ନ ପାଇବା ତା’ହେଲେ ଏଇ ଗାଁରେ ହିଁ ଆମ୍ଭମାନଙ୍କୁ କେମ୍ପ ପକାଇ ରହିବାକୁ ହେବ ।

 

ଅଳ୍ପ କେତୋଟି ମୁହୂର୍ତ୍ତ ଆଗରୁ ଯେଉଁମାନେ ଗର୍ବନ୍ନୋତ ପଦକ୍ଷେପ ପକାଇ ଅତର୍କିତ ଭାବେ ଘର ଭିତରକୁ ପଶି ଆସିଥିଲେ, ସେମାନେ ଫେରିଗଲା ବେଳକୁ ସେ ଉଦ୍ଧତ ପଦଧ୍ଵନିର ଆଉ ଐକତାନିକ ସ୍ୱର ନାହିଁ । ସେଇ ଛନ୍ଦ ବର୍ତ୍ତମାନ ଯେପରି ବେସୁରା ହୋଇ ଉଠିଛି । ସେମାନେ ହତାଶ ହୋଇ ଫେରି ଯାଉଛନ୍ତି ।

 

ପୋଲିସ୍‍ ଇନିସ୍ପେକ୍ଟର କହିଲେ–ଆମେ ଫେରି ଯାଉଛୁ ମା । କର୍ତ୍ତବ୍ୟର ଆହ୍ୱାନରେ ଆପଣଙ୍କ ଘରେ ପଶିବାକୁ ଆମେ ବାଧ୍ୟ ହୋଇଗଲୁ । ଘରର ଅନ୍ଦି କନ୍ଦି ଖୋଜି ବସିଥିଲୁ । ଆମେ ସରକାରୀ ଚାକିରିଆ । ଆମର କୌଣସି ସ୍ଵାଧୀନତା ନାହିଁ । କର୍ତ୍ତବ୍ୟରେ ଆମେ ହେଳା କଲେ, ଚାକିରିରୁ ବରଖାସ୍ତ ହେବୁ । ଆମ ଚାକିରି ଜୀବନର ଉଜ୍ଜ୍ୱଳ ରେକର୍ଡ, ଖରାପ ହୋଇଯିବ ।

 

କନେଷ୍ଟବଲମାନେ ଐକ୍ୟତାନିକ ଧ୍ୱନି କରି, ଭାଦ୍ର ରଜନୀର ଢୁ ଢୁ ବର୍ଷା ଅନ୍ଧକାର ଭିତରେ ଚାଲିଛନ୍ତି ।

 

ପୋଲିସ୍‍ ଇନିସ୍ପେକ୍ଟର ଓ ସବ୍‍ଇନିସ୍ପେକ୍ଟର ରାଧାମଣିଙ୍କୁ ନମସ୍କାର କଲେ । ଗଲାବେଳକୁ କହିଲେ–ଆମକୁ କ୍ଷମା କରିବେ ମାଉସୀ । ଆମେ ମଣିଷ । ଆମର ମାନବିକତା ଅଛି । ନଳିନାକ୍ଷ ବାବୁଙ୍କୁ ଆମେ ଶ୍ରଦ୍ଧା କରୁ । ସହାନୁଭୂତି ଢାଳୁ । ଓଡ଼ିଶାର ଲୋକଙ୍କ ପାଖରେ ସେ ଆଉ ଅପରିଚିତ ହୋଇ ରହି ନାହାନ୍ତି । କିନ୍ତୁ କର୍ତ୍ତବ୍ୟର ଗୁରୁଦାୟିତ୍ୱ ଆମେ ଯଦି ତୁଲାଇ ନ ବସିବୁ, ତା’ହେଲେ ଆସନ୍ତାକଲି ହୁଏତ ଆମେ ତଡ଼ାଖାଇ ବସିବୁ ।

 

ଆପଣଙ୍କ ଗାଁର ମୁଖିଆ ଲୋକେ ନଳିନାକ୍ଷ ବାବୁଙ୍କର ଶତ୍ରୁ ମାଉସୀ । ଏଇ ଗାଁର ଲୋକନାଥ ପଟ୍ଟନାୟକ ଓ ପୁଣ୍ଡରୀକାକ୍ଷ ଶତପଥି ଆମକୁ ତ ବାଟ କଢ଼ାଇ ଆଣିଛନ୍ତି । ୟୁନିୟନ ପ୍ରେସିଡେଣ୍ଟ ବିକ୍ରମଦେବ ରାୟ ତ ନଳିନାକ୍ଷ ବାବୁ ଘରେ ଅଛନ୍ତି ବୋଲି ରିପୋର୍ଟ କରିଛନ୍ତି । ହେଉ–ଆମେ ଯାଉଛୁଁ ।

 

ଦୁହେଁଯାକ ବର୍ଷା ଅନ୍ଧକାରରେ ଚାଲିଗଲେ ।

 

ରାଧାମଣି ଦାଣ୍ଡ ଦୁଆର ଦେଇ ଆସିଲେ ଘର ଭିତରକୁ ।

 

କୃତଘ୍ନ ବିକ୍ରମଦେବ ମଧ୍ୟ ଷଡ଼ଯନ୍ତ୍ର କରୁଛି । କାହିଁକି ? ତା’ର କ’ଣ କ୍ଷତି ହୋଇ ଯାଉଛି-? ସେ କ’ଣ ଟିକିଏ ଆତ୍ମପରୀକ୍ଷା କରି ପାରୁନି ? ଯେଉଁ ଆନ୍ଦୋଳନକୁ ଦବାଇ ଦେବା ପାଇଁ ସରକାରୀ ଅଫିସରମାନଙ୍କର ସେ ଅତି ବିଶ୍ଵସ୍ତ ହୋଇ ଉଠିଛି, ସେଇ ଆନ୍ଦୋଳନରେ ତା’ର ଝିଅ ତ ପୁଣି ଅଗ୍ରଣୀ ! ମାଡ଼ ଖାଇ ହାଡ଼ ଭାଙ୍ଗି ଯାଇଛି । ନୀଳିମା ସହିତ ଏକା ସାଙ୍ଗରେ ହସ୍‍ପିଟାଲରେ ରହି ଚିକିତ୍ସିତ ହେଉଛି ।

 

ନା, ସେ ମଧ୍ୟ ଛାଡ଼ିବ ନାହିଁ । ଯେଉଁ ଅଫିସରମାନଙ୍କ ଖୋସାମତ୍‍ କରି ଆଜି ଏ ଅଞ୍ଚଳରେ ଏତେ ବଡ଼ ଲୋକ ହୋଇ ପାରିଛି, ସେହି ଅଫିସରମାନଙ୍କ ବିରୁଦ୍ଧରେ ସେ ଯିବ କିପରି-? ସ୍ଵାଧୀନତା ଆନ୍ଦୋଳନକୁ ସେ ସମର୍ଥନ କରନ୍ତା କିପରି ? ବ୍ରିଟିସ୍‍ ସରକାରର ଯେତେ ଅଫିସର, ପୋଲିସ୍‍ ଏପରି କି କନେଷ୍ଟବଲ ଆସିଲେ ମଧ୍ୟ ତା’ ଘରେ ଆଶ୍ରୟ ନିଅନ୍ତି । ଗରିବ ପ୍ରଜା ସାଧାରଣଙ୍କର ତଣ୍ଟି ଚିପି, କୋଠା ଉପରେ କୋଠା ତିଆରି କରାଇ ବିପୁଳ ସମ୍ପତ୍ତିର ମଧ୍ୟ ଅଧିକାରୀ ହୋଇ ପାରିଛି ।

 

ଛାଡ଼ । ରାଧାମଣି ଚାହିଁଲେ ଘର ଭିତରକୁ । ଜିନିଷପତ୍ର ବିପର୍ଯ୍ୟସ୍ତ ହୋଇ ପଡ଼ିରହିଛି । କନେଷ୍ଟବଲମାନେ ଲୁଗାପଟା, ବିଛଣା ପତ୍ର ମଧ୍ୟ ଦରାଣ୍ଡିବାକୁ ଛାଡ଼ିଲେ ନାହିଁ । ଓଃ ସେମାନେ ଏଡ଼େ ସନ୍ଦେହୀ ! ଲୁଗାପଟା ଭିତରେ ନାଗ ସାପ କ’ଣ ରହିପାରେ ?

 

ରାଧାମଣି ଖଟ ଉପରେ ବସିଲେ । ନଳିନାକ୍ଷ ଓ ନୀଳିମାନଙ୍କର କଥା ତାଙ୍କର ମନେ ପଡ଼ିଲା । ଆହା–ସେମାନେ କ’ଣ କରୁଥିବେ ? କେଉଁଠି ଶୋଇଥିବେ ?

 

ସେ ତାଙ୍କ ସ୍ୱାମୀଙ୍କ ଫଟୋ ଆଡ଼େ ଚାହିଁଲେ ।

 

ବାହାରେ, ଜୋରରେ ବୃଷ୍ଟି ହେବାକୁ ଆରମ୍ଭ କଲା । ଏ ବର୍ଷା ଆଉ ଛାଡ଼ିବ ନାହିଁ ।

 

ରାଧାମଣି ଶୋଇବାକୁ ଚେଷ୍ଟା କଲେ....

 

ନଳିନାକ୍ଷ ଓ ନନ୍ଦକିଶୋର ଯାଜପୁରର ଛୋଟ ଜେଲ୍‍ ଭିତରେ ବନ୍ଦୀ....

 

ଗୋଟିଏ ଘରେ ଦୁହେଁଯାକ ତୃତୀୟ ଶ୍ରେଣୀର ବନ୍ଦୀରୂପେ ରହିଛନ୍ତି । ଆଖି ଆଗରେ ଘେରି ରହିଛି ଜେଲ୍‍ର ମେଘନାଦ ପାଚେରୀ ।

 

ଜେଲ୍‍ ଓ୍ୱାଡ଼ର ଲୁଚାଇ ଲୁଚାଇ ସେମାନଙ୍କୁ ଖବରକାଗଜ ଆଣିଦିଏ । ସେମାନେ ଅତି ଆଗ୍ରହରେ ଖବରକାଗଜ ପଢ଼ନ୍ତି ।

 

ସେହି ଜେଲ୍‍ ଓ୍ୱାଡ଼ରଟିର ସେମାନଙ୍କ ପ୍ରତି ଅସୀମ ଦୟା । ଅନ୍ୟମାନଙ୍କୁ ସେ ଖରାପ ବ୍ୟବହାର ପ୍ରଦର୍ଶନ କଲେ ମଧ୍ୟ ସେ ଦୁହିଁଙ୍କୁ ବେଶ୍‍ ସମ୍ମାନ ଦେଉଛି ।

 

ସେ ଦିନ ସନ୍ଧ୍ୟା ହୋଇଯାଇ ଥିଲା....

 

ଯାଜପୁରର ବହଳ ଦେବଦାରୁ ବୃକ୍ଷର ପତର ଗହଳି ଦେଇ ଘୋଟି ଘୋଟି ଆସୁଥିଲା ଅନ୍ଧକାରର ଘନୀଭୂତ ଛାୟା । ଦୁହେଁଯାକ ଖାଇସାରି ଜେଲ୍‍ର ସେଇ ନିର୍ଜ୍ଜନ ପ୍ରକୋଷ୍ଠ ଭିତରେ ବସିଥିଲେ । ସେଇ ବିଶ୍ଵସ୍ତ ଓ୍ୱାଡ଼ରଟି ଭିତର ପଟୁ କବାଟ ବନ୍ଦ କରି, ସେଥିରେ ଚାବି ପକାଇ ଚାଲିଗଲା ନିଜ ଘରକୁ ।

 

ପ୍ରକୋଷ୍ଠ ଭିତରେ ମଳିନ ବିଦ୍ୟୁତ୍‍ ଆଲୋକ ଜଳୁଛି....

 

ନଳିନାକ୍ଷ କହିଲା–ଆମର ଦୁର୍ଭାଗ୍ୟ ନନ୍ଦ । ସେ ଦିନ ଆମେ ଯଦି ନଈ ପାର ନ ହୋଇ, ନଈକୂଳ ଗାଁରେ କେଉଁଠି ହେଲେ ରହି ଯାଇଥାନ୍ତେ, ତା’ହେଲେ ପୋଲିସ୍‍ ଆମର ପତ୍ତା ପାଇ ନଥାନ୍ତେ । ସେ ଦିନ ରାତାରାତି ନଈ ପାର ହୋଇ ଆମେ ଏକ ବିରାଟ ଭୁଲ୍‍ କଲେ । ନାଉରୀକୁ ଆମେ ସିନା ବାଧ୍ୟ କରି ଆର ପାରିକୁ ବାହି ନେବାକୁ କହିଲେ । ନଈ ଯଦି ଆମେ ସେ ଦିନ ପାରି ହୋଇ ନଥାନ୍ତେ, ତା’ହେଲେ ପୋଲିସ୍‍ମାନେ ଆମକୁ କେବେହେଲେ ଧରି ପାରି ନଥାନ୍ତେ ।

 

ନନ୍ଦକିଶୋର କହିଲା–ଆମେ ଦୁହେଁ ଜେଲ୍‍କୁ ଆସିଲା ପରେ ଲୋକମାନେ ନିଶ୍ଚୟ ଭାଙ୍ଗି ପଡ଼ିବେ ଭାଇ । ସେମାନଙ୍କ କାନରେ ସ୍ୱାଧୀନତାର ଶୁଭଶଙ୍ଖ କିଏ ଆଉ ବଜାଇବ ।

 

ହେଇ ଦେଖ ସମ୍ବାଦପତ୍ର । ତାଳଚେର ମାତି ଉଠିଛି । ରାଜତନ୍ତ୍ର ବିରୁଦ୍ଧରେ ପ୍ରଜାସାଧାରଣ ବିଦ୍ରୋହ ଘୋଷଣା କରିଛନ୍ତି । ବାଲେଶ୍ଵର ଜିଲ୍ଲା ବାସୁଦେବପୁରର ଜନସାଧାରଣ ବ୍ରିଟିସ୍‍ ଶାସନକୁ ଅଚଳ କରିଦେବା ପାଇଁ ପ୍ରତିଜ୍ଞାବଦ୍ଧ ହୋଇଛନ୍ତି । ସାରା ଓଡ଼ିଶାର ସବୁରି ସ୍ଥାନରେ ଏକ କଥା–ଏକ ସ୍ୱର–ଏକ ପ୍ରତିଜ୍ଞା । ସେଥିରୁ ଯାଜପୁର ଯଦି ବାଦ୍‍ ପଡ଼ିଯାଏ, ତା’ହେଲେ ସ୍ୱାଧୀନତା ସଂଗ୍ରାମର ଇତିହାସରେ ଯାଜପୁର ନାମ ଲିପିବଦ୍ଧ ହୋଇ ରହିବ ନାହିଁ ।

 

ନଳିନାକ୍ଷ, ନନ୍ଦକିଶୋରର କଥା ଶୁଣୁଛି । ତାଳଚେରର ରାଜତନ୍ତ୍ର ବିରୁଦ୍ଧରେ ପ୍ରଜାସାଧାରଣ ମାତି ଉଠି ଯେଭଳି ଅଭୂତପୂର୍ବ ଐକ୍ୟ ଓ ଜାଗୃତିର ଶିଙ୍ଘା ବଜାଉଛନ୍ତି, ଠିକ୍‍ ସେହିପରି ସାରା ଭାରତରେ ବାଜି ଉଠିଛି ବିଦେଶୀ ସରକାର ବିରୁଦ୍ଧରେ ବିପ୍ଳବର ମହୁରି । ବିପ୍ଳବର ଏ ମହୁରିକୁ କେହି ବନ୍ଦ କରି ପାରିବେ ନାହିଁ–କେହି ରୋକି ପାରିବେ ନାହିଁ ।

 

ସ୍ୱାଧୀନତା ସଂଗ୍ରାମର ଇତିହାସରେ ଯାଜପୁରର ନାମ ଉଲ୍ଲେଖ ରହିବ ନାହିଁ ! କିଏ କହିଲା ଏ କଥା ? ସର୍ବପ୍ରଥମେ ଯାଜପୁରର ବିପ୍ଳବୀ ଜନତା ଗାନ୍ଧିଜୀଙ୍କର ପ୍ରଥମ ଆହ୍ୱାନ ଶୁଣି ପାରିଛି । ‘ଭାରତ ଛାଡ଼’ ଡାକରାରେ ପ୍ରଥମେ କର୍ଣ୍ଣପାତ କରିଛି । ଯେଉଁ ଲୋକେ ଓଡ଼ିଶା ମୁଲକରେ ଚାଞ୍ଚଲ୍ୟ ଓ ଚମକ ସୃଷ୍ଟି କରିପାରି ଥିଲେ, ସେହି ଯାଜପୁରର ଲୋକେ କେବେହେଲେ ନୀରବ ରହି ନ ପାରନ୍ତି । ସେମାନଙ୍କ ନେତା, ପଥପ୍ରଦର୍ଶକ ଜେଲ୍‍ ଚାଲି ଆସିଲେ ବୋଲି ସେମାନେ କ’ଣ ଭାଙ୍ଗି ପଡ଼ିବେ

 

ନଳିନାକ୍ଷ କହିଲା–ଯାଜପୁରର ଲୋକେ କେବେହେଲେ ନିଷ୍କ୍ରିୟ ହେବେନି ନନ୍ଦକିଶୋର-। ଭାରତର ଚାଳିଶି କୋଟି ଜନତାର ସ୍ୱର ସଙ୍ଗରେ ସ୍ୱର ମିଳାଇ ବ୍ରିଟିସ୍‍ ସରକାରକୁ ତଡ଼ିଦେବା ପାଇଁ ସେମାନେ ବୀର ଦର୍ପରେ ଆଗେଇ ଆସିବେ ।

 

କିନ୍ତୁ ଜେଲ୍‍ ଭିତରୁ ଆମକୁ ଖସି ପଳାଇ ଯିବାକୁ ହେବ । ତା’ ନ ହେଲେ ବିପ୍ଳବର ବହ୍ନିକୁ କିଏ କରିବ ପ୍ରଜ୍ଜ୍ଵଳିତ ?

 

ନନ୍ଦକିଶୋର ମଳିଛିଆ ବିଦ୍ୟୁତ୍‍ ଆଲୋକରେ ଚାହିଁ ରହିଲା ନଳିନାକ୍ଷକୁ ବିସ୍ମିତ ହୋଇ-

 

ନଳିନାକ୍ଷ କହିଲା–ଆଶ୍ଚର୍ଯ୍ୟ ହୋଇ ମୋ ଆଡ଼କୁ ଅନାଇ ରହିଲୁ କାହିଁକି ନନ୍ଦକିଶୋର-? ଜେଲ୍‍ ଭିତରୁ ଖସି ପଳାଇ ଯିବାକୁ ହିଁ ହେବ ।

 

ନନ୍ଦକିଶୋର କହିଲା–ସବୁବେଳେ ଯମଦୂତ ପରି ଆମକୁ ଘେରି ରହିଛନ୍ତି ସରକାରୀ ଲୋକେ ନଳିନାକ୍ଷ ଭାଇ । ତା’ଛଡ଼ା ଏଇ ମେଘନାଦ ପାଚେରୀକୁ ଡେଇଁବା ନିହାତି ଅସମ୍ଭବ କଥା-। ଏଠାରୁ ଖସି ପଳାଇ ଯିବାକୁ ତମେ କେମିତି ଯେ ଚିନ୍ତା କରି ପାରୁଛ, ମୁଁ କିଛି ବୁଝି ପାରୁନି-

 

ନଳିନାକ୍ଷ କହିଲା–ଅସମ୍ଭବ ବି ସମ୍ଭବ ହୋଇ ପାରିବ ନନ୍ଦ । ରାତି ଗାଢ଼ତର ହେଲେ, ଓ୍ୱାଡ଼ରମାନେ ଶୋଇ ପଡ଼ିବେ । ଫାଟକ ପାଖରେ ଯେଉଁ ଚାରି ଜଣ ସଶସ୍ତ୍ର ପୋଲିସ୍‍ ଜଗି ରହିଛନ୍ତି, ସେମାନଙ୍କୁ କାବୁ କରିଦେଇ, ଜେଲ୍‍ ପଛଭାଗ ପାଚେରୀକୁ ଡେଇଁ ଚାଲିଯାଇ ହେବ ।

 

ନନ୍ଦକିଶୋର କହିଲା–ଏ ଘରୁ ସିନା ମୁକ୍ତି ପାଇଲେ ଜେଲ୍‍ ଡେଇଁବାକୁ ଚେଷ୍ଟା କରିବା । ନିଶବ୍ଦ ରାତ୍ରିରେ ଏ ଘରୁ କେମିତି ଯିବ କହିଲ ?

 

ନଳିନାକ୍ଷ କହିଲା–ଲୁହା ରେଲିଂରେ ହାତ ଗଳାଇ, ଏ ତାଲାକୁ ଭାଙ୍ଗିଦେଇ ହେବ ନନ୍ଦ-। ସେଥିପାଇଁ ତୋର ଚିନ୍ତା କରିବାର କୌଣସି କାରଣ ନାହିଁ । ତୁ ମୋ ସାଙ୍ଗରେ କାଲି ରାତ୍ରିରେ ଏପରି ଏକ ଦୁର୍ଦ୍ଧର୍ଷ ଅଭିଯାନ ଚଳାଇ ପାରିବୁ କି ନାହିଁ କହ ?

 

ନନ୍ଦକିଶୋର ଆତଙ୍କିତ ହୋଇ ଉଠିଲା ।

 

ଜେଲ୍‍ ଭିତରର ଏଇ ପ୍ରକୋଷ୍ଠ ଭାଙ୍ଗି, ତାଳଗଛ ପରି ଉଚ୍ଚା ପାଚେରୀକୁ କିପରି ସେ ଡେଇଁବ ? ଏଣେ ସଶସ୍ତ୍ର ପୋଲିସ୍‍ ଜଗି ରହିଛନ୍ତି । ସେମାନେ ଯଦି ବିପଦର କୌଣସି ସଂକେତ ପାଇବେ, ତା’ହେଲେ ହୁଇସିଲ୍‍ ମାରିବା ମାତ୍ରେ ଶହ ଶହ ସଶସ୍ତ୍ର ପୋଲିସ୍‍ ଘେରି ଆସିବେ ତାଙ୍କୁ । ତାଙ୍କ ଦୁର୍ଦ୍ଧର୍ଷ ଅଭିଯାନ ଯଦି ବିଫଳ ହୋଇଯାଏ....

 

ନନ୍ଦକିଶୋର କହିଲା–ମୋର ସାହସ ହେଉନାହିଁ ଭାଇ । ଏ ଅଭିଯାନ ସମ୍ଭବ ହେବନାହିଁ ବୋଲି ମୁଁ କଳ୍ପନା କରୁଛି ।

 

ନଳିନାକ୍ଷ କହିଲା–ତୁ ବରଂ ରହିପାରୁ ନନ୍ଦ । ମୁଁ କିନ୍ତୁ ରହିପାରିବି ନାହିଁ । ଆସନ୍ତାକାଲି ରାତିରେ, ଜେଲ୍‍ ଡେଇଁ ପଳାଇ ଯିବାପାଇଁ ଶେଷ ଚେଷ୍ଟା କରିବି ।

 

ନନ୍ଦକିଶୋରର ମୁହଁ ଅଭିମାନରେ ଝାଉଁଳି ପଡ଼ିଲା । କଣ୍ଠରେ ଅଭିମାନର ସ୍ୱର ଫୁଟାଇ କହିଲା–ତମେ ଏକାକୀ ମତେ ଛାଡ଼ି, କେମିତି ଯିବ ନଳିନାକ୍ଷ ଭାଇ । ଆମେ ସାଙ୍ଗ ହୋଇ ଆସିଛେଁ । ସାଙ୍ଗ ହୋଇ ସ୍ୱାଧୀନତା ସଂଗ୍ରାମର ସୈନିକ ହୋଇଛେଁ । ନା, ମୁଁ ନିଶ୍ଚୟ ତମ ସାଙ୍ଗରେ ଯିବି । ଯେତେ ବାଧା ଆସୁ, ଯେତେ ବିପଦ ମାଡ଼ି ଆସୁ ତମର ସହଯାତ୍ରୀ ହେବି ।

 

ନଳିନାକ୍ଷ ହସିଲା–ଏକ ପାଣିଚିଆ ଅର୍ଥହୀନ ହସ । ସେ ହସ ଭିତରୁ ସହାନୁଭୂତି ଯେପରି ଝରି ପଡ଼ୁଛି । ନନ୍ଦକିଶୋରର ଅସହାୟତାକୁ ନିବାରଣ କରିବା ପାଇଁ ସେ ହସରେ ଯେପରି ଯୁଗ ଯୁଗର ଆଶା ଓ ଅନନ୍ତ ଉତ୍ସାହ, ଉଦ୍ଦୀପନା ଭରି ରହିଛି ।

 

ନଳିନାକ୍ଷ କହିଲା–ଆଚ୍ଛା ହେଉ । ରାତି ପାହୁ । ଆସନ୍ତାକଲି ଆମେ ଆମର କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ।

 

ରାତ୍ରି ଘନୀଭୂତ ହେଉଛି....

 

ନନ୍ଦକିଶୋର ଶୋଇ ପଡ଼ିଲାଣି । ଗଭୀର ନିଦ୍ରାରେ ଅଭିଭୂତ ହୋଇ ସେ ଘୁଙ୍ଗୁଡ଼ି ମାରୁଛି ।

 

ନଳିନାକ୍ଷର ଆଖିରେ ନିଦ ନାହିଁ । ନନ୍ଦକିଶୋରକୁ ନ ଜଣାଇ ତା’ ଅଜ୍ଞାତରେ ସେ ଚାଲିଯିବ ଆଜି ? ଦୁହେଁଯାକ ସାଙ୍ଗ ହୋଇ ପାଚେରୀ ଡେଇଁବା ସମ୍ଭବ ହେବନି ।

 

ସେ ଆଜି ନିଶ୍ଚୟ ଯିବ । ହନୁମାନ ଲଙ୍କା ପୋଡ଼ିଲା ପରି, ସେ ଆଜି ଏଇ ମେଘନାଦ ପାଚେରୀକୁ ନିଶ୍ଚୟ ଡେଇଁ ପଡ଼ିବ ।

 

ଟ୍ରେଜେରୀ ଘଣ୍ଟାରେ ଗୋଟାଏ ବାଜିଲାଣି । ସମଗ୍ର ଧରିତ୍ରୀ ସୁପ୍ତ । ଅନ୍ୟ ପ୍ରକୋଷ୍ଠ ଭିତରେ ଦିନରେ ହାଡ଼ଭଙ୍ଗା ପରିଶ୍ରମ କରି, କଏଦୀମାନେ ହାଲିଆ ହୋଇ ଶୋଇ ପଡ଼ିଛନ୍ତି ।

 

ଏହି ହେଉଛି ମାହେନ୍ଦ୍ର ଲଗ୍ନ । ଏ ଲଗ୍ନରେ ଚାଲି ନଗଲେ, ଚାଲିଯାଇ ପାରିବା ଆଉ ସମ୍ଭବ ହେବ କି ନାହିଁ ?

 

ନଳିନାକ୍ଷ ଉଠି ପଡ଼ିଲା....

 

ପହିଲି ଆଶ୍ୱିନର ଆକାଶ ମେଘମୁକ୍ତ । ଅଗଣିତ ତାରକା ଆକାଶ ଅଗଣାରେ ଆଲୋକ ଜାଳିବାରେ ଲାଗିଛନ୍ତି ।

 

ସାଙ୍ଗରେ ଲୁଗାପଟା ନେବାର ଦରକାର ନାହିଁ । ଚାଦର ଖଣ୍ଡେ ନେଇଗଲେ ଚଳିବ ।

 

ନଳିନାକ୍ଷ ଉଠି ପଡ଼ିଲା ।

 

ନନ୍ଦକିଶୋର ଶୋଇଛି...ସ୍ଵାଧୀନତା ସଂଗ୍ରାମର କଠୋର, ଅସାଧ୍ୟ ଓ ଅଜେୟ ସାଧନାକୁ ଭୁଲିଯାଇ ନିଶ୍ଚିନ୍ତରେ ଶୋଇପଡ଼ି ସେ ଘୁଙ୍ଗୁଡ଼ି ମାରୁଛି । ନା, ସେ ତାକୁ ଉଠାଇବନି । ତା’ ଯିବା ସମ୍ପର୍କରେ କୌଣସି ସୂଚନା ଦେବ ନାହିଁ ।

 

ନଳିନାକ୍ଷର ଦୟା ଜାଗ୍ରତ ହେଲା । ହରିଜନ ହେଲେ ମଧ୍ୟ ଦୁଇ ଭାଇ ପରି ସେମାନେ ଚଳୁଥିଲେ । ମାତ୍ର ଭାଇଟିକୁ ଏକାକୀ କରିଦେଇ ଚାଲିଗଲା ବେଳକୁ, ହୃଦୟ ଭିତରଟା ରିକ୍ତତାରେ ଭରି ଯାଉଛି ।

 

ନନ୍ଦକିଶୋର ଦେହରେ ଥରେ ହାତ ବୁଲାଇ ଆଣି ନଳିନାକ୍ଷ ବାହାରି ପଡ଼ିଲା ।

 

ଲୁହା ରେଲିଂ ଦେଇ ହାତ ବଢ଼ାଇଲା ସେଇ ବିରାଟ ଚାବିଟାକୁ । ଏ ଚାବି କିପରି ଭାଙ୍ଗିବ ? ଯାହା ଦିନେ କରିବା ପାଇଁ ସ୍ଵପ୍ନ ଦେଖୁଥିଲା, ସେ କଥା ବାସ୍ତବରେ ରୂପାନ୍ତରିତ କଲାବେଳକୁ କଷ୍ଟସାଧ୍ୟ ହେଉଛି ।

 

ନଳିନାକ୍ଷ ନିଜର ଶକ୍ତିମତେ ଗୋଟିଏ ହାତରେ ଝୁଲୁଥିବା ଚାବିଟାକୁ ଧରି ମୋଡ଼ିଦେଲା-। ଚାବି ଭାଙ୍ଗିଗଲା, ଗେଟ୍‍ ଖୋଲିଗଲା ।

 

ନଳିନାକ୍ଷ ଆଶ୍ଚର୍ଯ୍ୟ ହୋଇଗଲା । ସେ ମ୍ୟାଜିକ୍‍ ଜାଣିଛି କି ? ଯାଦୁ ବିଦ୍ୟାରେ ପାରଦର୍ଶିତା ଲାଭ କରିଛି କି ? ଏଡ଼େ ହଠାତ୍‍, ହାତ ଲାଗିଲା ମାତ୍ରେ ବିରାଟ ଚାବିଟା ଭାଙ୍ଗିଗଲା ।

 

ନା, ଏ ଦେବତାର ଆଶୀର୍ବାଦ । ଭାରତ ଜନନୀର କଲ୍ୟାଣ । ସ୍ଵାଧୀନତା ସଂଗ୍ରାମକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଭଗବାନଙ୍କର ବୋଧହୁଏ ମାୟା ସୃଷ୍ଟି ହୋଇଛି ।

 

କବାଟ ଖୋଲି ବାହାର ପଟକୁ ଆସିଲା ନଳିନାକ୍ଷ । ସବୁ ନୀରବ-ନିସ୍ପନ୍ଦ । ତା’ ଭଳି କେହି ଜାଗ୍ରତ ରହି ନାହାନ୍ତି । ସେ ଅନାଇଁଲା ଚାରିଆଡ଼େ । ଚାବି ଭାଙ୍ଗିବାର ଶବ୍ଦ କାହା କାନରେ ବାଜିନି ତ ଆଉ !

 

Unknown

ନା, ଏ ସମୟରେ ବିଳମ୍ବ କଲେ, ମନ ଭିତରର ପରିକଳ୍ପନା ଧୂଳିସାତ୍‍ ହୋଇଯିବ । ଏଠୁ ଶୀଘ୍ର ଚାଲିଯିବାକୁ ହେବ ।

 

ମାତ୍ର ମେଘନାଦ ପାଚେରୀ ଭଳି ଜେଲ୍‍ର ଏଡ଼େ ବିରାଟ କାନ୍ଥକୁ ସେ ଡେଇଁବ କିପରି-? କାନ୍ଥ ଉପରକୁ ଉଠିବ କିପରି ? ତାଲା ଭାଙ୍ଗି, କାନ୍ଥଡେଇଁ ସେ ଯଦି ଆଜି ଯାଇ ନପାରେ, ତା’ହେଲେ ଆସନ୍ତାକାଲି ସେ ଧରା ପଡ଼ିବ । ଜେଲ୍‍ର କର୍ତ୍ତୃପକ୍ଷ ଆହୁରି କଡ଼ା ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦଶ ଦେବେ ।

 

ନଳିନାକ୍ଷ ଜେଲ୍‍ର ପଛପଟ କାନ୍ଥକୁ ଅନାଇଁଲା । ଉଃ, ତାଳଗଛ ପରି ଚୂନ ଧଉଳା କାନ୍ଥ ଠିଆ ହୋଇଛି । ଏହି କାନ୍ଥକୁ କିପରି ସେ ଡେଇଁବ ?

 

ସେ କାନ୍ଥ ଆଡ଼କୁ ଆଗେଇ ଗଲା । ତାରାର ଆଲୁଅରେ ନିରୀକ୍ଷଣ କଲା କାନ୍ଥକୁ । କିପରି ସେ ଯିବ ? କେଉଁ ଉପାୟରେ ଏହି କାନ୍ଥ ଅତିକ୍ରାନ୍ତ କରିଯିବ ?

 

ଜେଲ୍‍ ହତା ଭିତରକୁ ଅନାଇଁଲା । ହତା ଭିତରର ଝଙ୍କାଳିଆ ଲେମ୍ବୁ ଗଛ ଉପରେ ବାଉଁଶଟିଏ ଆଉଜା ହୋଇଛି । ଖୁବ୍‍ ଲମ୍ବ ଦେଖାଯାଉଛି ଦୂରରୁ । ତାରି ସାହାଯ୍ୟରେ କାନ୍ଥ ଉପରକୁ ହୁଏତ ଉଠିହେବ ।

 

ନଳିନାକ୍ଷ ଚାଲି ଚାଲି ଆସିଲା ଲେମ୍ବୁ ଗଛ ପାଖକୁ । ଗଣ୍ଠିଯୁକ୍ତ ବାଉଁଶର ନଗୀ ଟିଏ–ପ୍ରାୟ କୋଡ଼ିଏ ବାଇଶି ହାତ ଲମ୍ବ ହେବ । ବାଉଁଶର ସେଇ ଗଣ୍ଠି ସ୍ଥାନମାନଙ୍କରେ ଗୋଡ଼ଦେଇ ଅନ୍ତତଃ କାନ୍ଥ ଉପରକୁ ଉଠିହେବ । କାନ୍ଥ ଉପରକୁ ଉଠିଯାଇ, ବାଉଁଶକୁ ଟେକି କାନ୍ଥ ଆରପଟକୁ ଲଗାଇ ଦେଲେ, ତଳକୁ ଯାଇ ହେବ ।

 

ନଳିନାକ୍ଷ ଆଉ ମାତ୍ର ମୁହୂର୍ତ୍ତଟିଏ ବିଳମ୍ବ ନ କରି ବାଉଁଶକୁ ଧରି ଧରି ଜେଲ୍‍ର କାନ୍ଥ ପାଖକୁ ଆସିଲା ।

 

ଆଜି ରାତିରେ, ଭୟ ହେଉଛି–ଆଶଙ୍କା ଜାଗୁଛି । କାଳେ କେହି ଦେଖିବେ କି ! ମାତ୍ର ଅଭିଯାନର ଏଇ ଦୁଃସାହସ ମନ ଭିତରେ ବେଶ୍‍ ଏକ ଉଦାର ଜାଗରଣ ସୃଷ୍ଟି କରି ପାରୁଛି ।

 

ନଳିନାକ୍ଷ କାନ୍ଥ ଉପରେ ବାଉଁଶଟି ଲଗାଇ ଦେଇ, ଲୁଗାପଟା ଭିଡ଼ି ହେଲା ।

 

କବାଟ ଖୋଲିବାର ଆଓ୍ୱାଜ ଶୁଭିଲା । ସଶସ୍ତ୍ର ପୋଲିସ୍‍ମାନେ ରାତ୍ରିର ଏହି ଅଭିଯାନ ଦେଖି, ଛୁଟି ଆସୁଛନ୍ତି କି ଆଉ ? ସେମାନେ ଯଦି ତା’ର ଏହି ଅଭିଯାନ ଦେଖି ପକାଇବେ, ସବୁ ସରିଯିବ । ଏହି ଜେଲ୍‍ରୁ ବଦଳି କରି ନେଇ ଅନ୍ୟ କେଉଁ ବିରାଟ ଜେଲ୍‍ ଭିତରେ ହୁଏତ ବନ୍ଦୀ କରି ରଖିବେ ।

 

ରାତ୍ରିର ଅନ୍ଧକାର ଭିତରେ ନଳିନାକ୍ଷ ଚାହିଁଲା ଚାରି ଆଡ଼କୁ । କେହି ଆସୁ ନାହାନ୍ତି । କବାଟ ଖୋଲିବାର ଆଓ୍ୱାଜ ଆଉ ଶୁଣାଯାଉ ନାହିଁ । ମାନସିକ ଦୁର୍ବଳତା ହେତୁ ବୋଧହୁଏ ସେ ଏଇଭଳି ଅନୁଭବ କରୁଛି ।

 

ନଳିନାକ୍ଷ ବାଉଁଶର ଗଣ୍ଠି ଉପରେ ନିଜ ଶରୀରର ଗୁରୁଭାର ନ୍ୟସ୍ତ କରି ଉପରକୁ ଉଠିବାକୁ ଆରମ୍ଭ କଲା । ଧୀରେ ଧୀରେ ଗଣ୍ଠି ଉପରେ ଗୋଡ଼ଦେଇ ଉପରକୁ ଉପରକୁ ଉଠୁଛି । ଆଉ ମାତ୍ର ଆଠ ଦଶଟି ଗଣ୍ଠି ପାର ହୋଇ ଚାଲିଗଲେ, ସେ କାନ୍ଥ ଛୁଇଁବ ।

 

ନଳିନାକ୍ଷର ଗୋଡ଼ ହଠାତ୍‍ ଖସିଗଲା । ଲଥ୍‍ କରି ସେ ପଡ଼ିଗଲା ତଳେ । ତା’ର ଆଣ୍ଠୁ ଛିଡ଼ିଗଲା । ହାତଗଣ୍ଠି ଛେଚି ହୋଇଗଲା ।

 

ନଳିନାକ୍ଷର ତଥାପି ଦୁଃଖ ନାହିଁ । ଝାଡ଼ିଝୁଡ଼ି ହୋଇପଡ଼ି, ବାଉଁଶ ଉପରେ ଭରା ଦେଇ ପୁଣି ସେ ଉଠିବାକୁ ଆରମ୍ଭ କଲା । ଶରୀରର ଆଘାତରେ ସେ ଯଦି ଏଇ ମୁହୂର୍ତ୍ତରେ ଦୁଃଖବାଦୀ, ବିଷାଦବାଦୀ ହୋଇ ଉଠିବ, ତା’ହେଲେ ଜେଲ୍‍ ଭିତରୁ ଖସି ପଳାଇବାର ସ୍ଵପ୍ନ ବ୍ୟର୍ଥ ହୋଇଯିବ ।

 

ଏଇଥର ନଳିନାକ୍ଷ ଉଠିଗଲା କାନ୍ଥ ଉପରକୁ । ସେ ସତେ ଯେପରି ହିମାଳୟ ଆରୋହଣ କରିଛି । ବୁକୁ ଭିତରେ ଅପରିସୀମ ଆନନ୍ଦର କଳ ଢେଉ । ବିଜୟ ଗୌରବ ବର୍ତ୍ତମାନ ପାଳନ କରିବାର ନୁହେଁ । ବିଜୟ ଗୌରବରେ ଉଲ୍ଲସିତ ହେବାର ବର୍ତ୍ତମାନ ଉପଯୁକ୍ତ ମୁହୂର୍ତ୍ତ ନୁହେଁ-। ଏଠୁଁ ଚାଲିଗଲା ପରେ ଯେଉଁ କଥା ।

 

ନଳିନାକ୍ଷ ବାଉଁଶଟାକୁ ଟେକି, ଆରପଟେ ଲଗାଇ, ସିଡ଼ି ଦେଇ ତଳକୁ ଖସିଲା ପରି ସେ ଖସି ଚାଲିଛି ।

 

ଜେଲ୍‍ କାନ୍ଥ ଡେଇଁଦେଲା ନଳିନାକ୍ଷ । ଆଶ୍ଵିନ ରାତ୍ରିର ଶୀତଳ ପରିବେଶ ମଧରେ ଦେହରୁ ତା’ର ସ୍ୱେଦ ଭାସି ଯାଉଛି ।

 

ଏଇ ମୁହୂର୍ତ୍ତରେ ଦଉଡ଼ି ଦଉଡ଼ି ପଳାଇଯିବି କୁଆଡ଼କୁ ? କୁଆଡ଼କୁ ସେ ଯିବ ? ଘରେ ଯାଇ ପହଞ୍ଚିଲେ, ରାତି ପାହିଲେ ପୁଣି ପୋଲିସ୍‍ମାନେ ଦଳ ଦଳ ହୋଇ ଖୋଜିବା ଆରମ୍ଭ କରିଦେବେ ।

 

ନା, ଘରକୁ ଯିବାର ଦରକାର ନାହିଁ । ଲୁଚି ଲୁଚି ବିପ୍ଳବକୁ ତେଜୀୟାନ କରିବାକୁ ହେବ-। ଲୋକମାନଙ୍କୁ ଉତ୍ସାହିତ କରିବାକୁ ହେବ । ଲୋକମାନଙ୍କ ଭିତରେ ସ୍ୱାଧୀନତାର ଲିପ୍ସାକୁ ଜାଗ୍ରତ ଓ ଜୀବନ୍ତ କରିବାକୁ ପଡ଼ିବ ।

 

ନଳିନାକ୍ଷ ବାଉଁଶଟାକୁ ଟେକି ଟେକି କିଛି ବାଟ ନେଇ ଆସିଲା ।

 

ନଳିନାକ୍ଷ ଚାଲିଛି । ରାତ୍ରିର ଅନ୍ଧକାର ଭିତରେ ସେ ଆଗକୁ ଆଗକୁ ଗୋଡ଼ ପକାଇ ଚାଲିଛି । ଗୋଟିଏ ବିରାଟ ଆମ୍ବ ବଗିଚା ପଡ଼ିଲା । ସେଇ ବଗିଚାର ବହଳ ବୃକ୍ଷରାଜି ଭିତରେ ସେଇ ବାଉଁଶ ନଗୀଟାକୁ ରଖିଦେଇ, ସେ ପୁଣି ଆଗେଇ ଚାଲିଲା ।

 

ରାତି ପହିବା ଆଗରୁ ତାକୁ କେଉଁଠି ଆଶ୍ରୟ ନେବାକୁ ପଡ଼ିବ । ରାତି ଥାଉଁ ଥାଉଁ ସେ ଯଦି କେଉଁଠି ଆଶ୍ରୟ ନ ନିଏ, ତା’ହେଲେ ସବୁ ଗୋଳମାଳ ହୋଇଯିବ ।

 

ରାତ୍ରି ତ ଅନେକ ଅଛି । ଲକ୍ଷ୍ୟହୀନ ଭାବେ ଚାଲୁ ଚାଲୁ ଯେଉଁଠି ରାତ୍ରି ଅପସରି ଯାଇ ଦିବସର ଆଗମନୀ ବାର୍ତ୍ତା ଶୁଣିବ, ଠିକ୍‍ ସେହି ଜାଗାରେ ସେ ରହିଯିବ ।

 

ନଳିନାକ୍ଷ ଚାଲିଛି । ବଣ, ଖମାଣ, ଖାଲ, ଢିପ, ଅରମା, ଅରଣା ଓ କଣ୍ଟାବୁଦା ସ୍ଥାନ ତାକୁ ମାଲୁମ ହେଉନାହିଁ । ସ୍ଵାଧୀନତା ସଂଗ୍ରାମର ଏକ ସତ୍ୟାଗ୍ରହୀରୂପେ, ମଣିଷର ସ୍ୱଭାବିକ ପ୍ରବୃତ୍ତି ଧରି ସେ ଆଜି ମଣିଷ ହୋଇନାହିଁ । ମଣିଷରୂପେ ଚାଲିନାହିଁ । ରାତ୍ରିଚର ପରି ନିଃଶବ୍ଦ ରାତ୍ରିର ଅନ୍ଧକାର ମଧ୍ୟରେ ସେ ଆଗେଇ ଚାଲିଛି

 

ତା’ର ଭୟ ନାହିଁ । ଶଙ୍କା ନାହିଁ ।

 

ଆଶ୍ୱିନର ଗୋଟିଏ ଜ୍ୟୋତ୍ସ୍ନା ଚର୍ଚ୍ଚିତ ରାତ୍ରି…

 

ପାଞ୍ଚଦିନ ହେଲା ନୀଳିମା ଫେରି ଆସିଲାଣି ଡାକ୍ତରଖାନାରୁ । ରାଧାମଣିଙ୍କ ହୃଦୟରେ ଆନନ୍ଦ ଉତ୍ସବ । ଏଇ ମୁହୂର୍ତ୍ତରେ ଯଦି ନଳିନାକ୍ଷ ଉପସ୍ଥିତ ଥାଆନ୍ତା, ରାଧାମଣିର ମାତୃହୃଦୟ ଆନନ୍ଦର ସୀମାହୀନ ସାଗରର ଢେଉରେ ହୁଏତ ଭାସି ଭାସି ବୁଲୁଥାନ୍ତା ।

 

ରାଧାମଣି ଓ ନୀଳିମା ଖାଇସାରି ଶୋଇବାକୁ ଯାଉଥିଲେ । ରାଧାମଣି କହିଲେ–ପୁଅ ମୋର କେଉଁଠି ଥିବ ଲୋ ନୀଳି । କ’ଣ ଖାଉଥିବ ? କେଉଁଠି ଶୋଉଥିବ ? କାହା ଘରେ କି ପାହାଡ଼ ଜଙ୍ଗଲରେ ଆଶ୍ରୟ ନେଇଥିବ ? ତା’ କଥା ଭାବି ଭାବି ତିନି ଦିନ ହେଲା ରାତ୍ରିରେ ମୋର ନିଦ ହେଉନାହିଁ ।

 

ନୀଳିମା ହସ୍‍ପିଟାଲରୁ ଫେରିଲା ସମୟରେ ଖବରକାଗଜରୁ ଜାଣିଥିଲା ଭାଇ ତା’ର ଗିରଫ ହୋଇ ଯାଜପୁର ଜେଲରେ ରହୁଛନ୍ତି ବୋଲି । ପାଞ୍ଚ ଦିନ ହେଲା ଆରୋଗ୍ୟ ହୋଇ ଘରକୁ ଫେରିଥିଲେ ମଧ୍ୟ ରାଧାମଣିଙ୍କ ପାଖରେ ଏ କଥା ସେ କହିନାହିଁ । ଲୁଚାଇ ରଖିଛି ।

 

ବୋଉ ଯଦି କାନ୍ଦିବ ? ଖାଇବନି ? ମନ ଦୁଃଖରେ ବିଛଣାରେ ଶୋଇ ରହିବ ? ଭାଇଙ୍କୁ ଦିନ ରାତି ଝୁରି ଯଦି ତନୁ କ୍ଷୀଣ କରିବ ? ଏଇ ଆଶଙ୍କାରେ ବୋଉ ଆଗରେ ସେ ପ୍ରକାଶ କରିନି ।

 

କେତେ ଦିନ ଭାଇଙ୍କ କଥା ସେ ଲୁଚାଇ ରଖିବ ? ନିଜ ବୋଉ ପାଖରେ, ପର ମଣିଷ ଭଳି କେତେ ଦିନ ମନର କଥା ମନେ ରଖିବ । ମନର ଗୋପନ କଥା କଣ୍ଠ ତଟରେ ତା’ର ଖଇ ଫୁଟିଲା ପରି ଟକମକ ହେଉଛି ।

 

ସେ ଆଉ ଲୁଚାଇ ରଖି ପାରିଲାନି । କହିଲା–ବୋଉ, ଭାଇ ଦଶ ଦିନ ହେଲା ଗିରଫ ହୋଇ ଯାଜପୁର ଜେଲରେ ରହିଛନ୍ତି । ଘରକୁ ଆସିଲା ଦିନ ଖବରକାଗଜରୁ ଜାଣି ମୁଁ ଆସିଥିଲି । ମାତ୍ର ତୁ ଦୁଃଖ କରିବୁ ବୋଲି, ତୋ ପାଖରେ କହି ନ ଥିଲି ।

 

ରାଧାମଣିଙ୍କ ବୁକୁରେ ସତେ ଯେପରି ଶେଳବିଦ୍ଧ ହେଲା । ବୁକୁ ଭିତରଟା ତାଙ୍କର ଛେଚି କୁଟି, ମନ୍ଥି ହୋଇଗଲା । ସେ କାନ୍ଦି ପାରିଲେନି । କଥା କହି ପାରିବାର ଶକ୍ତି ଯେପରି ତାଙ୍କର ମରିଗଲା ।

 

ସେ ଚୁପ୍‍ ହୋଇ ତଳେ ବସି ପଡ଼ିଲେ ।

 

ନୀଳିମା ଦଉଡ଼ି ଗଲା ତାଙ୍କ ପାଖକୁ । କହିଲା–ଏଇଥି ପାଇଁ ଭାଇଙ୍କ କଥା ତୋ ପାଖରେ କହୁ ନଥିଲି ଏତେ ଦିନ ହେଲା । ତୋ କଥା ମୁଁ ଜାଣେ । ସାମାନ୍ୟ ଦୁଃଖ ଓ ଦୁଃସମ୍ବାଦରେ ତୁ ଯେମିତି ଭାଜିପଡ଼ୁ, ଦୁନିଆଁରେ କେହି ଏମିତି ଭାଜି ପଡନ୍ତିନି ।

 

ରାଧାମଣି କହିଲେ–ତୁ ଏଡ଼େ ମାୟାବିନୀ ନୀଳି । ପୁଅ ମୋର ଜେଲରେ, ଅମୁହାଁ ଦେଉଳରେ ଯାଇ ରହିଲେଣି । ତଥାପି ତୁ ମତେ ଖବର ଦେଉନାହୁଁ । ମତେ ଖବର ଦେଇଥିଲେ; ତାକୁ ଯାଇ ଥରେ ଦେଖି ଆସିବାର ସୁବିଧା କରିଥାନ୍ତି ।

 

ରାଧାମଣି କାନ୍ଦି ଉଠିଲେ । ବିକଳ ବେଦନାରେ ତାଙ୍କ ହୃଦୟ ଭିତରଟା ଭରିଗଲା ।

 

ତୁ ଏଡ଼େ ନିଷ୍ଠୁର ନୀଳି–ଭାଇ ତୋର ଜେଲରେ । ଅଥଚ ମା ପାଖରେ କହିବାକୁ ଦ୍ଵିଧାବୋଧ କରୁଛୁ ?

 

ନୀଳିମା କହିଲା–ଜେଲ୍‍ର କର୍ତ୍ତୃପକ୍ଷ ଦେଖା ସାକ୍ଷାତ କରାଇଦେବା ପାଇଁ ତତେ ସୁଯୋଗ ଦେବେନାହିଁ ବୋଉ । ଯଦି ଯାଇଥାନ୍ତୁ ବୃଥାରେ ନିରାଶ ହୋଇ ଏଠାକୁ ଫେରି ଆସିଥାନ୍ତୁ-

 

ରାଧାମଣି କାନ୍ଦି କାନ୍ଦି କହିଲେ–ଜେଲ୍‍ ଭିତରେ କିମିତି ସେ ଚଳୁଥିବ ? କ’ଣ ଖାଉଥିବ-? ଅମୁହାଁ ଦେଉଳର ଅନ୍ଧକାର ଭିତରେ ସେ ନିଶ୍ଚୟ ଅଣନିଃଶ୍ୱାସୀ ହୋଇ ଉଠୁଥିବ-। ଏ ଖବର ଶୁଣିବା ଆଗରୁ ମୋର ଯଦି ମୃତ୍ୟୁ ହୋଇ ଯାଆନ୍ତା–ତା’ହେଲେ ନଳିନାକ୍ଷ ପାଇଁ ଦୁଃଖ କରିବାକୁ ପଡ଼ିନଥାନ୍ତା ।

 

କେବେ ଆସିବ ଲୋ ଜେଲ୍‍ରୁ ଖଲାସ ହୋଇ ? ଦେଶକୁ ସ୍ଵାଧୀନ କରିବା ପାଇଁ କିହିଁକି ସେ ପାଗଳ ହୋଇଛି ? ଏ ଦେଶର ଶହ ଶହ ଜନତା ଯଦି ପରାଧୀନ ଭାରତକୁ ସ୍ଵାଗତ କରୁଛନ୍ତି, ସେ କାହିଁକି ବିରୋଧ କରୁଛି ?

 

ସେଇ ମାତ୍ର ଗୋଟିଏ ପୁଅ । ତାଙ୍କର ଅନ୍ଧର ଲଉଡ଼ି । ହୃଦୟର ହାର । ମଣି ମାଣିକ୍ୟ-। ସେ ଯଦି ଦୁଃଖ କଷ୍ଟରେ, ଜେଲ୍‍ ଭିତରେ ରହି ସଢ଼ିବ, ତାଙ୍କର ବଞ୍ଚି ରହି କ’ଣ ଅବା ଲାଭ-? ସେ ବଞ୍ଚି ରହିବା ଅର୍ଥହୀନ । ନିର୍ଲଜ୍ଜ ଜୀବନ ।

 

ନୀଳିମା କହିଲା–କେବଳ ଏକା ଭାଇ ନୁହଁନ୍ତି ବୋଉ, ଏ ଦେଶର ଶହ ଶହ ଉଚ୍ଚ ଶିକ୍ଷିତ ତରୁଣ, ସ୍କୁଲ କଲେଜ ଛାଡ଼ି ଆଜି ଜେଲ୍‍ ଭିତରେ ରହିଛନ୍ତି । ଆଉ ଅନେକ ଅଣ୍ଡର ଗ୍ରାଉଣ୍ଡରେ, ସରକାରଙ୍କ ଆଖିରେ ଧୂଳି ଦେଇ ସ୍ଵାଧୀନତା ସଂଗ୍ରାମର ବାର୍ତ୍ତା ପ୍ରଚାର କରି ବୁଲୁଛନ୍ତି-

 

ଆଉ ବେଶୀ ଦିନ ଡେରି ନୁହେଁ ବୋଉ । ଶେଷକୁ ବିଦେଶୀ ସରକାର ଆମ ଦେଶର ଲୋକଙ୍କ ହାତରେ ଶାସନ କ୍ଷମତା ଅର୍ପଣ କରି, ଦରିଆ ସେପାରି ଟାପୁକୁ ଚାଲିଯିବ । ତୋ ପୁଅ ଯେଉଁ ଦିନ ଜେଲ୍‍ରୁ ଖଲାସ ହୋଇ, ସ୍ଵାଧୀନ ଭାରତର ଉତ୍ସବ ପାଳନ କରୁଥିବ, ସେହି ଦିନ ତୁ ଦେଖିବୁ, ତୋ ମନରେ ଆଜି ଭଳି ଦୁଃଖ ନଥିବ–ଶୋକ ନଥିବ–ଚିନ୍ତା ନଥିବ । ସ୍ଵାଧୀନ ଭାରତର ଏକ ମୁକ୍ତ ନାଗରିକ ରୂପେ ତୁ ହସି ହସି ଫାଟି ପଡ଼ିବୁ ।

 

ନୀଳିମାର କଥା ଶେଷ ହୋଇଛି କି ନାହିଁ, ଦାଣ୍ଡ କବାଟରେ ଆଘାତ ହେଲା । କ୍ରମାଗତ କରାଘାତ କବାଟ ଉପରେ ଶୁଭୁଛି ।

 

ନୀଳିମା ଓ ରାଧାମଣି ଚମକି ଉଠିଲେ । ଘର କବାଟ ଖୋଲି ସେମାନେ ଦାଣ୍ଡ ଘରକୁ ଆସିଲେ ।

 

ଓଃ, କିଏ ଏମାନେ ? ରାତି ଅଧରେ ଆସି କବାଟ ବାଡ଼େଇବାରେ ଲାଗିଛନ୍ତି ?

 

ରାଧାମଣି କବାଟ ଖୋଲିଦେଲେ । ଦଶ ପନ୍ଦର ଜଣ ଗୁର୍ଖା ସିପାହୀ ପଶି ଆସିଲେ ଘର ଭିତରକୁ ।

 

ପଛରେ ପୋଲିସ୍‍ ଡି.ଏସ୍‍.ପି । ସେ ହୁକୁମ ଦେଲେ–ଯାଅ ଘର ଭିତରକୁ । ନଳିନାକ୍ଷ କେଉଁଠି ଅଛି ଖୋଜି ବାହାର କର ଶୀଘ୍ର ।

 

ରାଧାମଣି କହିଲେ–ତାକୁ ତ ବାନ୍ଧିନେଇ ଜେଲରେ ରଖିଛ ବାବୁ, ଆଉ କାହାକୁ ଖୋଜି ବାହାର କରିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦେଉଛ ?

 

ଡି.ଏସ୍‍.ପି.ଙ୍କ କଣ୍ଠରେ କ୍ରୋଧାଗ୍ନି । ସେ କହିଲେ–ପାଞ୍ଚଦିନ ହେଲା, ଜେଲ୍‍ରୁ ଖସି କୁଆଡ଼େ ପଳାଇ ଯାଇଛନ୍ତି ନଳିନାକ୍ଷ । ସେଥିପାଇଁ ସମଗ୍ର ଓଡ଼ିଶାରେ ଚାଞ୍ଚଲ୍ୟ ଖେଳି ଯାଇଛି । ଓଡ଼ିଶାର ପୋଲିସ୍‍ ତାଙ୍କୁ ଖୋଜି ବାହାର କରିବା ପାଇଁ ବର୍ତ୍ତମାନ ସଚେତନ ହୋଇ ଉଠିଛନ୍ତି ।

 

ରାଧାମଣି ଓ ନୀଳିମା ଚମକି ଉଠିଲେ ।

 

ରାଧାମଣି ନିଜ ସନ୍ତାନର ଅନିଶ୍ଚିତ ଅବସ୍ଥାରେ ମ୍ରିୟମାଣ ହୋଇ ଉଠୁଥିଲେ । କିନ୍ତୁ ନୀଳିମା ନିଜ ଭାଇର ବିଜୟ ଗୌରବରେ ଉଲ୍ଲସିତ ହୋଇ ଡି.ଏସ୍‍.ପି.ଙ୍କୁ କହିଲା–ସେ କାହିଁକି ଆସିବେ ଆମ ଘରକୁ ଆଜ୍ଞା । ଆଜିକୁ ପ୍ରାୟ ପଚିଶ ଦିନ ହେବ ଘରୁ ଆମର ସେ ବିଦାୟ ନେଇଛନ୍ତି । ଆପଣଙ୍କର ଯଦି ସନ୍ଦେହ ହେଉଛି, ନିଜେ ଯାଇ ଘର ତଲାସ୍‍ କରି ପାରନ୍ତି ।

 

ଗୁର୍ଖା ପୋଲିସ୍‍, ଆରଥର ପରି ନିରାଶରେ ଫେରି ଆସିଲେ । ଡି.ଏସ୍‍.ପି. କହିଲେ–ଚାଲ ପୂରବୀପୁରର ପ୍ରତି ଘର ଦ୍ଵାର ଭଲରୂପେ ତଲାସ୍‍ କରିବା–ପ୍ରତି ଗ୍ରାମେ ଗ୍ରାମେ, ସହର ବାହାରରେ ଯେଉଁଠି ସେ ଲୁଚି ଥାଆନ୍ତୁ ନା କାହିଁକି ଆମେ ତାଙ୍କୁ ଖୋଜି ବାହାର କରିବା ।

 

ସେଇ ରାତି ଭିତରେ ସେମାନେ ପୁଣି ନଳିନାକ୍ଷକୁ ଖୋଜିବା ପାଇଁ ଚାଲିଗଲେ ।

 

ନୀଳିମା କବାଟ ଦେଲା । ମା ଝିଅ ଦୁହେଁଯାକ ପୁଣି ଘର ଭିତରକୁ ଆସିଲେ ।

 

ରାଧାମଣି କହିଲେ–କେତେ ଦିନ ପୁଅ ମୋର ବାୟା, ପାଗଳାଙ୍କ ପରି ଘୂରି ବୁଲିବ ଲୋ ! ଜେଲ୍‍ର ସେଇ ମେଘନାଦ ପାଚେରୀକୁ ଡେଇଁ କେମିତି ସେ ପଳାଇ ଆସିଲା ? ଜେଲରେ ଗୋଟିଏ ଜାଗାରେ ସେ ରହୁଥିଲା । ଏବେ ଚୋରଙ୍କ ପରି କୁଆଡ଼େ ସେ ଲୁଚି ଛପି ଘୂରି ବୁଲୁଥିବ-?

 

ରାତ୍ରି ଅନେକ ହୋଇ ଗଲାଣି...

 

ଆକାଶରେ ହୋଇଛି ଚତୁର୍ଦ୍ଦଶୀର ବିଳମ୍ବିତ ଚନ୍ଦ୍ରୋଦୟ । ନୀଳିମା କେତେବେଳୁ ଶୋଇ ପଡ଼ିଲାଣି ।

 

ରାଧାମଣିଙ୍କ ଆଖିରେ ନିଦ ନାହିଁ । ବିଛଣାରେ ପଡ଼ିରହି ସେ ଭାବି ଚାଲିଛନ୍ତି ନଳିନାକ୍ଷର କଥା ।

 

ରାଧାମଣିଙ୍କ ଶୋଇବା ଘର କବାଟରେ ମୃଦୁ ଆଘାତ ଶୁଭିଲା । ଏ ଆବାଜରେ ରାଧାମଣି ଚମକି ପଡ଼ିଲେ । ବିଛଣାରୁ ଉଠି ନପଡ଼ି କବାଟର ସେଇ ମୃଦୁ ଆଘାତକୁ ଶୁଣିବା ପାଇଁ ସେ ଆଉଥରେ ଅପେକ୍ଷା କରି ରହିଲେ ।

 

ପୁଣି ଥରେ କବାଟରେ ସେଇ ମୃଦୁ ଆଘାତ...

 

ରାଧାମଣି ବିଛଣାରୁ ଉଠିପଡ଼ି କହିଲେ–କିଏ ସେ ?

 

ବାହାର ପଟରୁ କୌଣସି ଜବାବ୍‍ ମିଳିଲା ନାହିଁ । ରାଧାମଣି ନୀରବ, ନିସ୍ତବ୍ଧ ହୋଇ ବିଛଣାରେ ବସିଲେ । ସେମାନେ ଆସି ଦାଣ୍ଡ କବାଟରେ ସିନା ଆଘାତ କରିଥିଲେ–ଏ ପୁଣି ଘର ଭିତରକୁ ପଶି, ଶୋଇବା ଘରର କବାଟରେ କରାଘାତ କରୁଛି କିପରି ?

 

ପୁଣି ସେଇ ମୃଦୁ କରାଘାତ....

 

ରାଧାମଣି ବିରକ୍ତ ହୋଇ କବାଟ ଖୋଲିଦେଲେ । ଘର ଭିତରକୁ, ରାତିର ଅନ୍ଧାରରେ ଛାଇପରି ପଶି ଆସିଲା ନଳିନାକ୍ଷ । ଦିକି ଦିକି ଲଣ୍ଠନ ଆଲୋକରେ ରାଧାମଣିଙ୍କୁ ପରିଷ୍କାର କିଛି ଦେଖା ଗଲାନି । ସେ ହାଉଳି ଖାଇ ଉଠିଲେ ।

 

ନଳିନାକ୍ଷ, ରାଧାମଣିଙ୍କ ପାଖକୁ ଲାଗିଅସି କହିଲା–ମତେ ଚିହ୍ନି ପାରୁନୁ ବୋଉ ! ମୁଁ ପରା ନଳିନାକ୍ଷ । ପାଟି ନକରି ଶୀଘ୍ର କବାଟ ବନ୍ଦ କରିଦେ ।

 

ରାଧାମଣି ନଳିନାକ୍ଷର କଣ୍ଠସ୍ୱର ବାରିପାରି, ଲଣ୍ଠନଟାକୁ ଯାଇ ଟେକି ଦେଲେ ।

 

ନଳିନାକ୍ଷର ମୁହଁ ଶୁଖିଯାଇଛି । ଇଞ୍ଚେ ଲେଖାଏଁ ଦାଢ଼ି ଉଠିଛି ଗାଲରେ । ଲୁଗାପଟା ଅସନା–ଅପରିଷ୍କାର । ଗୋରା ତକ ତକ ଚେହେରା ସତେ ଯେପରି କଳାକାଠ ପଡ଼ି ଯାଇଛି ।

 

ରାଧାମଣି କହିଲେ–ଏ କି ଚେହେରାରେ ତୋର ବାବା ? ସୁନା ଦେହ ତୋର ଚୂନା ହେଲା । ତଥାପି ସେ ନିଶା ତତେ ଛାଡ଼ିଲା ନାହିଁ ।

 

ଏଇ ଘଣ୍ଟାକ ଆଗରୁ ତତେ ପୋଲିସ୍‍ମାନେ ଖୋଜିବାକୁ ଆସିଥିଲେ । ଜେଲ୍‍ରୁ ଖସି ପଳାଇ ଆସିଛୁ ବୋଲି, ତୋ ନାଁରେ ଗିରଫ ପରୁଓ୍ୱାନା ଝୁଲୁଛି । ପ୍ରତି ଗାଏଁ ଗାଏଁ, ଘରେ ଘରେ ତତେ ଖୋଜି ପାଇବା ପାଇଁ ସରକାର ଜୋର ସୋରରେ ଲାଗି ପଡ଼ିଛି । ତୁ କେମିତି ଆସିଲୁ ? କେଉଁଆଡ଼ୁ ଫେରିଲୁ ?

 

ରାଧାମଣି ନଳିନାକ୍ଷର ଓଠ ଧରି କାନ୍ଦି ଉଠିଲେ । ନଳିନାକ୍ଷ କହିଲା–ଏ କାନ୍ଦିବାର ବେଳ ନୁହେଁ ବୋଉ । ପୁଅକୁ ସ୍ନେହ, ଶ୍ରଦ୍ଧା ଆଉ ଆଦର ସୋହାଗ କରିବାର ବେଳ ତୋର ଯେତେବେଳେ ଆସିବ, ସେତେବେଳେ ମୁକ୍ତ ଭାବରେ ତୁ କରିବୁ । ବର୍ତ୍ତମାନ ମତେ ଭାରି ଭୋକ । କିଛି ଗଣ୍ଡେ ଯଦି ଖାଇବାକୁ ଦେବୁ, ତା’ହେଲେ ଦୁଇ ଦିନର ଭୋକ ଆଜି ମେଣ୍ଟିଯିବ । ମୁଁ ବି ପୁଣି ଏଇ ରାତିର ଅନ୍ଧାରରେ ଅଦୃଶ୍ୟ ହୋଇଯିବି ।

 

ରାଧାମଣି କହିଲେ–ଏ କି ପାଗଳାମିରେ ବାବା । ନଖାଇ ନପିଇ ଆଉ ଯଥାବିଧି ନଶୋଇ ତୁ ହାଲିଆ ହୋଇଛୁ । ଆଖି ଭିତରକୁ ପଶିଯାଇଛି । ତୁ କ୍ଳାନ୍ତ, ଶ୍ରାନ୍ତ ହୋଇ ପଡ଼ିଛୁ । ଆଜି ରାତିଟା ଶୋଇପଡ଼ି, କାଲି ସକାଳୁ ଉଠି ପଳାଇଗଲେ କ’ଣ ଚଳିବ ନାହିଁ ?

 

ନଳିନାକ୍ଷ ହସିଲା । ବିବର୍ଣ୍ଣ ମୁଖ ଭିତରୁ ପାଂଶୁଳ ହସର ଏକ କ୍ଷୀଣ ଆଭା ।

 

କହିଲା–ଆଜି ରାତିଟା ଏଠି ମୁଁ ବିଶ୍ରାମ ନେଇ ପାରିବିନି ବୋଉ । ପୋଲିସ୍‍ ଗାଆଁ ଗାଆଁ ଆଉ ସାହିକୁ ସାହି ଯେପରି ଘୂରି ବୁଲୁଛନ୍ତି, କେତେବେଳେ କେଉଁ ମୁହୂର୍ତ୍ତରେ ଯେ ଆସି ଆମ ଘର ଘେରାଉ କରି ବସିବେ, କହି ହେବନି । ଆଜି ରାତିଟା ରହିଗଲେ, ମୁଁ ନିଶ୍ଚୟ ଗିରଫ ହେବି ।

 

ତେଣୁ ଯାହା କିଛି ରଖିଛୁ, ସେତକ ଅନ୍ତତଃ ମତେ ଦେଲେ ଖାଇପିଇ ପୁଣି ବାହାରି ଯିବି ।

 

ରାଧାମଣି କହିଲେ–ଖାଇବାକୁ କିଛି ନାହିଁ ବାବା–ପଖାଳ ଅଛି । ବଡ଼ି ପୋଡ଼ାହୋଇ ଥୁଆ ହୋଇଛି । ରାତିରେ ସେ ସବୁ କ’ଣ ଖାଇବୁ ?

 

ନଳିନାକ୍ଷ କହିଲା–ଖୁବ୍‍ ଭଲ ହେବ ବୋଉ । ତୁ ଜଲ୍‍ଦି ଆଣ । ଏଠାରେ ମୁହୂର୍ତ୍ତଟିଏ ରହିବା ଅର୍ଥ ବିପଦ ଘନେଇ ଆସିବ ।

 

ରାଧାମଣି ରୋଷ ଘରକୁ ଚାଲିଗଲେ ।

 

ନଳିନାକ୍ଷ ଭଲ ଭାବରେ ଚାହିଁଲା ଘର ଭିତରକୁ । ନୀଳିମା ଶୋଇଛି ଗଭୀର ନିଦ୍ରାରେ-। ହସ୍‍ପିଟାଲରୁ ମୁକ୍ତ, ଆରୋଗ୍ୟ ହୋଇ ତା’ହେଲେ ସେ ଫେରି ଆସିଲାଣି ? ଆଉ ଜ୍ୟୋତ୍ସ୍ନା-? ତା’ର କ’ଣ ହେଲା ? ସେ କ’ଣ ଆରୋଗ୍ୟ ହୋଇ ସାରିଛି ?

 

ନଳିନାକ୍ଷର ମନ ଜ୍ୟୋତ୍ସ୍ନା ପ୍ରତି ଆକୃଷ୍ଟ ହୋଇଗଲା । ଆହା ବିଚାରୀ ! କଲେଜରେ ପଢ଼ୁଥିଲା । ବିଦେଶୀ ସରକାର ବିରୁଦ୍ଧରେ ଶହ ଶହ ଛାତ୍ର କଲେଜ ବର୍ଜ୍ଜନ କଲେ ବୋଲି ସେ ମଧ୍ୟ ଛାଡ଼ିଲା । ବିନା ଦୋଷରେ ଖୋସାଲପୁରର ମୁସଲମାନ ଗୁଣ୍ଡାମାନେ ତାକୁ ଆଘାତ କଲେ ।

 

ସେ ଆଘାତ ପାଇଁ, ପୁଣ୍ଡରୀକାକ୍ଷ ଓ ଲୋକନାଥ ଦାଦା ଯେତିକି ଦାୟୀ, ତାଙ୍କଠାରୁ ଅଧିକ ଦାୟୀ ଜ୍ୟୋତ୍ସ୍ନାର ବାପା ବିକ୍ରମବାବୁ । ତାଙ୍କରି ନିର୍ଦ୍ଦେଶରେ ଖୋସାଲପୁରର ମୁସଲମାନ ଯୁବକମାନେ ସଭା ଭଣ୍ଡୁର କରିବାକୁ ସେ ଦିନ ଆଗେଇ ଆସିଥିଲେ ।

 

ନୀଳିମାକୁ ଉଠାଇ, ଜ୍ୟୋତ୍ସ୍ନା ସମ୍ପର୍କରେ ଅନେକ କଥା ପଚାରିବାକୁ ଇଚ୍ଛା ହେଉଥିଲା । କିନ୍ତୁ ନୀଳିମା ଯଦି ଜାଣିବ, ଆଜି ରାତିରେ ସେ ଚାଲି ଯାଉଛି ବୋଲି, ସେ ଜିଦ୍‍ ଧରି ବସିବ ତା’ ସାଙ୍ଗରେ ଯିବାକୁ । ନୀଳିମା ଭଳି କୋମଳମତି ବାଳିକା ଏତେ ଦୁଃଖ କଷ୍ଟ ସହି ପାରିବନି । ଏତେ ଝଡ଼ ଝଞ୍ଜାର ସମ୍ମୁଖୀନ ହୋଇ ପାରିବନି ।

 

ନା, ସେ ଶୋଇଥାଉ । ହଂସୁଳୀ ଶେଯରେ ଶୋଇ ଅଶେଷ ସ୍ଵପ୍ନ ଦେଖୁ । ସେ ସ୍ଵପ୍ନରୁ ଅପସରି ଆସି ସ୍ୱାଧୀନତା ସଂଗ୍ରାମର ଏଇ ରୁକ୍ଷ, କଠୋର ଓ କଣ୍ଟକମୟ ରାସ୍ତାକୁ ସେ ଆଦରି ନେଇ ପାରିବନି ।

 

ରାଧାମଣି ପଖାଳ ଓ ବଡ଼ି ପୋଡ଼ା ଆଣି ତା’ ଆଗରେ ଥୋଇଦେଲେ ।

 

ନଳିନାକ୍ଷ ଆଖିବୁଜି ଖାଇ ଚାଲିଛି । ଓଃ, ଏତେ ଭୋକ ତାକୁ !

 

ରାଧାମଣି କହିଲେ–ଧୀରେ ଧୀରେ ଖାଆ ବାବା–ଚଞ୍ଚଳ ହୋଇ ଖାଇଲେ ଭାତ ଗୁଣ୍ଡା ତଣ୍ଟିରେ ଲାଗିଯିବ । ରାତିରେ ପଳାଇ ଯିବୁ ବୋଲି ଏତେ ବ୍ୟସ୍ତ କାହିଁକି ? ଏଇ ମାତ୍ର ଘଣ୍ଟାଏ ଦିଘଣ୍ଟା ଆଗରୁ ଘର ଖୋଜି ସେମାନେ ଫେରି ଯାଇଛନ୍ତି । ଆଉ କ’ଣ ଆଜି ଆସିବେ ? ଯଦି ଆସନ୍ତି, ତେବେ ସେମାନେ କାଲି ସକାଳୁ ହୁଏତ ଆସିବେ....

ନଳିନାକ୍ଷ ଖାଉଛି....

ରାଧାମଣି କହିଲେ–ନୀଳିମାକୁ ଡାକିବି କିରେ ! ଅନେକ ଦିନ ହେଲା ତତେ ସେ ଦେଖିନି । ତୁ ବି ତାକୁ ଦେଖିନୁ । ଭାଇ ଭଉଣୀଙ୍କର ଦେଖା ସାକ୍ଷାତ ହୋଇଗଲେ, ମନ ଭିତରର ଓରିମାନ ମେଣ୍ଟିଯିବରେ ।

ନଳିନାକ୍ଷ ପାଟିରେ ଭାତଗୁଣ୍ଡା ପୂରାଇ କହିଲା–ନା, ନା, ତାକୁ ଡାକନା ବୋଉ । ସେ ଶୋଇଥାଉ । ସେ ଯଦି ନିଦରୁ ଉଠିବ ତା’ହେଲେ ଅସୁବିଧା ।

ତୁ ଜାଣୁ ତ ସେ କେମିତି ଜିଦଖୋର ପିଲା । ମୋ ସାଙ୍ଗରେ ଯିବାକୁ ସେ ଯଦି ଜିଦ୍‍ କରେ, ତାକୁ ମନା କରି ହେବନି । ମୋ ସାଙ୍ଗରେ ଯାଇ ପାରିବନି ବୋଉ–ବଣ, ଜଙ୍ଗଲ, ନଈ, ନାଳ ଓ ଧାନ କିଆରୀ ଦେଇ, ଅଖିଆ ଅପିଆ ମୁଁ ଘୂରି ବୁଲୁଛି । ଜନସାଧାରଣଙ୍କୁ ସ୍ୱାଧୀନତାର ମନ୍ତ୍ର ଦେଉଛି । ମୋ ସାଙ୍ଗରେ ଗଲେ ମୁହୂର୍ତ୍ତେ ସେ ଚଳି ପାରିବନି ।

ସେ କୁମାରୀ । କଅଁଳ ତା’ର ମନ । ସେ ଧୂଳି ଖେଳିବ । କୁଣ୍ଢେଇ ବାହାଘର କରିବ । କୁଆଁର ପୁନିଅଁ ଗୀତ ଗାଇବ । ଚଉରା ତଳେ କଇଁ ଫୁଲରେ ଘର କାଟିବ । କିନ୍ତୁ ମୋ ସାଙ୍ଗରେ ଯାଇ ଏକ ରସହୀନ, ପ୍ରାଣହୀନ ସଂଗ୍ରାମୀ ଜୀବନ ସେ କଟାଇ ପାରିବନି....

 

ମୁଁ ଯାଉଛି–ମୋ ସାଙ୍ଗରେ ସେ ଯଦି ସାଥୀ ହେବ ତା’ହେଲେ ତୋର ଦୁଇଟି ଆଖି ଅନ୍ଧ ହୋଇଯିବ । ମୁଁ ଗଲେ ନୀଳିମା ଅଛି । ସେ ହେବ ତୋର ଆଉ ଏକ ଆଖି । ଗୋଟିଏ ଆଖି ହରାଇ, ଅନ୍ୟ ଆଖିରେ ଦୁନିଆଁକୁ ତୁ ଦେଖି ପାରିବୁ । ମାତ୍ର ଦୁଇଟି ଆଖି ହରାଇ, ତୁ କେମିତି ଚଳିବୁ ?

 

ନଳିନାକ୍ଷ ଖାଇସାରି ଉଠିଲା । କହିଲା–ମୁଁ ଚାଲିଲି ବୋଉ । ତୁ କବାଟ ଦେ । ରାତିରେ ମୁଁ ଆସିଥିଲି ବୋଲି କାହାରି ପାଖରେ କହିବୁନି । ଯେତେବେଳେ ଏଇମିତି ସୁବିଧା ହେଉଥିବ, ରାତିରେ ଚାଲି ଆସୁଥିବି ।

 

ରାଧାମଣି ତାକୁ ଧରି ପକାଇ କହିଲେ–କେତେ ଦିନ ବାବା, ଏଇମିତି ବୁଲିବୁ ? କେତେ ଦିନ ଲୁଚି ଲୁଚି ରାତ୍ରିଚର ହୋଇ କାଳ କାଟିବୁ ? ସ୍ଥାବର, ଜଙ୍ଗମ ସାଙ୍ଗରେ ସଖା ସାଜି ଘୂରି ବୁଲିବୁ ? ସତରେ କ’ଣ ତୋର କାମନା ପୂର୍ଣ୍ଣ ହେବ ? ଏ ଦେଶରେ ସ୍ୱାଧୀନତାର ରବି ଉଦୟ ହେବ ?

 

ନଳିନାକ୍ଷ କହିଲା–ଆଉ ବେଶି ବେଳ ନୁହେଁ ବୋଉ । ସ୍ୱାଧୀନତାର ରବି ଦୂର ଦିଗ୍‍ବଳୟରେ ଉଠି ଆସୁଛି । ରାତିର ମଳିଛିଆ ଅନ୍ଧାର କଟିଗଲେ, ସ୍ୱାଧୀନତାର ରବି ପୂର୍ବ ଗଗନରେ ଉଦ୍ଭାସିତ ହୋଇ ଉଠିବ । ହେଉ ମୁଁ ଚାଲିଲି ।

 

ନଳିନାକ୍ଷ ବାଡ଼ି କବାଟ ଖୋଲି, ଚନ୍ଦ୍ର କିରଣର ଅସ୍ପଷ୍ଟ ଆଲୋକରେ କୁଆଡ଼େ ଅନ୍ତର୍ଦ୍ଧାନ ହୋଇଗଲା ।

 

ରାଧାମଣି ବାଡ଼ି କବାଟ ମେଲା କରି ଚାହିଁ ରହିଛନ୍ତି ତା’ର ଯିବା ବାଟକୁ...

 

ଆକାଶର ଜହ୍ନ ଉପରକୁ ଉଠୁଛି ।

 

ନଳିନାକ୍ଷ ପୁଣି ଗିରଫ ହୋଇଛି...

 

ଝୁମ୍ପୁରି ହାଟରେ ବୁଢ଼ୀବେଶ ସାଜି, ବାଡ଼ି ଠୁକୁ ଠୁକୁ କରି ଗଲାବେଳେ ସି.ଆଇ.ଡି.ମାନେ ତାକୁ ସନ୍ଦେହ କଲେ । ସେମାନେ ସାଧାରଣ ପୋଲିସ୍‍ମାନଙ୍କୁ ନଳିନାକ୍ଷ ସମ୍ପର୍କରେ ଖବର ଦେବାରୁ, ହାଟ ଦିନ ପୋଲିସ୍‍ ତାକୁ ଗିରଫ କଲେ ।

 

ନଳିନାକ୍ଷକୁ ବ୍ରହ୍ମପୁର କେନ୍ଦ୍ର ଜେଲରେ ରଖିବା ପାଇଁ ସରକାରୀ କର୍ତ୍ତୃପକ୍ଷ ପୋଲିସ୍‍କୁ ନିର୍ଦ୍ଦେଶ ଦେଇଛନ୍ତି । ଛୋଟ ଛୋଟ ଜେଲରେ ରଖିବାକୁ ସରକାରଙ୍କର ମହାଭୟ । ଯାଜପୁର ଜେଲରେ ରଖିଲେ ପୂର୍ବଥର ପରି ଯଦି ସେ ପଳାଇ ଯାଏ–ତା’ହେଲେ ଯାଜପୁର ଅଞ୍ଚଳର ଚାରିଆଡ଼େ ସରକାର ବିରୁଦ୍ଧରେ ଜନମତ ସୃଷ୍ଟି କରିବାକୁ ସେ ଅବକାଶ ପାଇବ ।

 

ତାକୁ ଗିରଫ କରାଯାଇ ଆଠଜଣ ଗୁର୍ଖା ଏସ୍‍କଟ୍‍ ପାର୍ଟିଙ୍କ ଗହଣରେ ବ୍ରହ୍ମପୁର ପଠାଇ ଦିଆଗଲା ।

 

ବ୍ରହ୍ମପୁର କେନ୍ଦ୍ର ଜେଲରେ ପହଞ୍ଚୁ ପହଞ୍ଚୁ ସେ ଦିନ ରାତି ଦୁଇଟା ହୋଇ ଯାଇଥିଲା ।

 

ନଳିନାକ୍ଷକୁ ଗୋଟିଏ ନିର୍ଜ୍ଜନ କୋଠରୀରେ ସେ ଦିନ ରଖାଗଲା । ତା’ ପରଦିନ ସକାଳ.......

 

ଗୁହାଳର ଧଡ଼ା ବା ଛାଞ୍ଚ ଟେକାଗଲେ, ଗାଈ ଗୋରୁମାନେ ଯେପରି ଦଳ ଦଳ ହୋଇ ବାହାରକୁ ବାହାରି ଆସନ୍ତି, ଠିକ୍‍ ସକାଳ ହୋଇଗଲା ପରେ ବ୍ରହ୍ମପୁର ଜେଲ୍‍ର ବିରାଟ ପରିସର ଭିତରେ ଚାଲବୁଲ୍‍ କଲେ ଅସଂଖ୍ୟ କଏଦୀ ଓ ଓଡ଼ିଶାର କେତେଜଣ ବିଶିଷ୍ଟ ରାଜନୈତିକ ବନ୍ଦୀ ।

 

ନଳିନାକ୍ଷ ଯେଉଁ ଘରେ ରହିଥିଲା, ସେଇ ଘରର ବାରଣ୍ଡା ଉପରୁ ଠିଆ ହୋଇ ଦେଖିଲା, ଓଡ଼ିଶା ସ୍ୱାଧୀନତା ଆନ୍ଦୋଳନର ଅଗ୍ରଗଣ୍ୟ ନେତା ହୃଦୟବଲ୍ଲଭ ଚୌଧୁରୀଙ୍କ ଠାରୁ ଆରମ୍ଭ କରି ତାଙ୍କ ଗାଁର ହରିଜନ କର୍ମୀ ନନ୍ଦକିଶୋର ପର୍ଯ୍ୟନ୍ତ ଏହି ଜେଲରେ । ଏମାନଙ୍କ ବ୍ୟତୀତ ଆହୁରି କେତେ ମହିଳା କର୍ମୀ ଅଛନ୍ତି । କୋଡ଼ରେ ଶିଶୁ ଧରି କେତେ ଜନନୀ, ଭଗିନୀ ସରକାରୀ ଗୁହାଳର ଅନ୍ଧକାର ଭିତରେ ସଢ଼ୁଛନ୍ତି ।

 

ନଳିନାକ୍ଷ ହତାଶ ହୋଇଗଲା । ପ୍ରଦେଶର ସମସ୍ତ ଟାଣୁଆ କର୍ମୀ ବୋଧହୁଏ ଗିରଫ ହୋଇଛନ୍ତି । ଭାରତର ସମସ୍ତ ସାହସିକ ବୀର ନେହେରୁ, ପଟେଲ ଓ ମହାତ୍ମା ଗାନ୍ଧୀ ଆଜି ମଧ୍ୟ ଜେଲରେ । ତେବେ କେଉଁମାନେ ଜନମତ ସଂଗଠନ କରିବେ ? ସ୍ଵାଧୀନତା ଆନ୍ଦୋଳନ ପାଇଁ ଜନତା ମଧ୍ୟରେ ବିଦ୍ରୋହର ବାତାବରଣ ସୃଷ୍ଟି କରିବେ ?

 

ବ୍ରିଟିସ୍‍ ସରକାର ଭାରତୀୟ ଜନତାର ଏଇ ଉଦବେଳ ଆକାଂକ୍ଷାକୁ ଦଳି ମକଚି ବୋଧହୁଏ ଶାନ୍ତ କରିଦେବ । ଶହ ଶହ ବର୍ଷର ଜଡ଼ତା ଓ ସୁସୁପ୍ତିକୁ ଭାଙ୍ଗି ଯେଉଁ ଜନତା ନବୀନ ଉତ୍ସାହ ଓ ଉଦ୍ଦୀପନାରେ ମାତି ଉଠିଥିଲା, ବ୍ରିଟିସ୍‍ ସରକାରର ଜଘନ୍ୟ ପଶୁବଳ ପ୍ରୟୋଗରେ ସେ ଉତ୍ସାହ ଓ ଉଦ୍ଦୀପନା ହୁଏତ ମରିଯିବ । ଦେଢ଼ ଶହ ବର୍ଷ ଧରି, ଦରିଆ ସେପାରିର ଯେଉଁ ବିଦେଶୀ ଜାତିଟା ଏ ଦେଶରେ ଆସି ଶାସନର ଭେଳିକି ଲଗାଇଛି, ସେ ଭେଳିକି ବୋଧହୁଏ ଚିରଦିନ ଲଗାଇବ ?

 

ରାଜନୈତିକ ବନ୍ଦୀମାନେ ଆଶ୍ୱିନର ସକାଳ ଖରାରେ ବେଶ୍‍ ଆରାମରେ ଘୂରା ଫେରା କରିବାରେ ଲାଗିଛନ୍ତି । ସେମାନଙ୍କ ଚଲା ବୁଲାରେ ପ୍ରଜାପତିର ଆନନ୍ଦ ପ୍ରକାଶିତ ହେଉଛି । ସେମାନଙ୍କର ଯେପରି ଚିନ୍ତା ନାହିଁ, ଦକ ନାହିଁ । ସେମାନଙ୍କର କର୍ତ୍ତବ୍ୟ, କର୍ମ ଗିରଫ ହୋଇ ଜେଲରେ ରହିବା ପରେ ବୋଧହୁଏ ସମାପ୍ତ ହୋଇଯାଇଛି ।

 

ଆଶ୍ଵିନ ଖରାକୁ ପିଠି ଦେଖାଇ ହୃଦୟ ବାବୁ ବସିଛନ୍ତି । ପଢ଼ୁଛନ୍ତି ଦୈନିକ ଇଂରାଜୀ କାଗଜ । ତାଙ୍କ ଚାରିପାଖେ ଘେରି ରହିଛନ୍ତି ପ୍ରଦେଶର ଆଉ ଚାରି ପାଞ୍ଚ ଜଣ ବିଶିଷ୍ଟ ନେତା । ଖବରକାଗଜରୁ କେବଳ ଖବର ସଂଗ୍ରହ କଲେ ଭାରତ କ’ଣ ସ୍ଵାଧୀନ ହୋଇଯିବ ? ଏ ଦେଶରୁ ଗୋଲାମ ସରକାର କ’ଣ ଅନ୍ତର୍ଦ୍ଧାନ ହୋଇଯିବ ?

 

ନନ୍ଦକିଶୋର ହେଇ ବୁଲୁଛି । ଡକାଏତମାନେ କୋବି କିଆରୀରେ ପାଣି ମଡ଼ାଇବାର ଦୃଶ୍ୟ ସେ ଦେଖୁଛି ।

 

ଜେଲ୍‍ ଭିତରେ ପ୍ରଥମ ବା ଦ୍ୱିତୀୟ ଶ୍ରେଣୀର ରାଜନୈତିକ ବନ୍ଦୀରୂପେ ରହି, ଆରାମରେ ଦି’ଟା ଖାଇପିଇ, ସମୟ ଅତିବାହିତ କଲେ, ସ୍ଵାଧୀନତା ଆସିବ ନାହିଁ । ଜେଲ୍‍ ଭିତରେ ଥାଇ ଆମକୁ ବିପ୍ଳବ କରିବାକୁ ହେବ । ଜେଲ୍‍ ଭିତରୁ ଖସି ପଳାଇ ଯାଇ ଦେଶର ଜନତାକୁ ପ୍ରଣୋଦିତ ଓ ଉଦ୍‍ବୁଦ୍ଧ କଲେ ଦେଶର ଚାରିଆଡ଼େ ବିପ୍ଳବର ନିଆଁ ଜଳି ଉଠିବ ।

 

ସମଗ୍ର ଭାରତୀୟ ଜନତା ହୋଇ ଉଠିବ ବିଶୃଙ୍ଖଳ, ଲଗାମ ହୀନ । ସ୍ୱାଧୀନତାର ଅପୂର୍ବ ପ୍ରେମରେ ସମସ୍ତେ ହୋଇ ଉଠିବେ ପାଗଳ । ଇଂରେଜ ସରକାରର ସମସ୍ତ ଶକ୍ତି ପରାଜିତ ହେବ । ଦମନ କରିବାର ପଶୁ ପ୍ରବୃତ୍ତି ଶାନ୍ତ ପଡ଼ିବ । ଇଂଲଣ୍ଡରୁ ଦମନ କରିବା ପାଇଁ ଯେଉଁ ନୂଆ ନୂଆ ନିର୍ଦ୍ଦେଶ ଆସୁଛି, ସେ ନିର୍ଦ୍ଦେଶ ଅଚଳ ହୋଇଯିବ । ସେମାନେ ପେଡ଼ି ପୁଟୁଳା ବାନ୍ଧି ଫେରିଯିବେ ସେଇ ଦେଶକୁ ।

 

ନଳିନାକ୍ଷ ସେଇ ବାରଣ୍ଡାରେ ଠିଆ ହୋଇ ଭାବୁଛି....

 

ଚୋରୀ ଓ ହତ୍ୟା ଅଭିଯୋଗରେ ଅଭିଯୁକ୍ତ ପାଞ୍ଚ ବର୍ଷର ଜଣେ କଏଦୀ, ପଟା ପଟାକିଆ ହାଫ୍‍ପ୍ୟାଣ୍ଟ ଓ ଜାମା ପିନ୍ଧି ନଳିନାକ୍ଷ ପାଖକୁ ଆସିଲା । ତା’ ନିକଟରେ ଠିଆ ହେଲା ।

 

କିନ୍ତୁ ନଳିନାକ୍ଷର ନଜର ନାହିଁ । ଆଶ୍ଵିନ ସକାଳର ହଳଦିଆ ଖରାରେ କ୍ରୀଡ଼ାରତ, ସ୍ଵାଧୀନତା ସଂଗ୍ରାମର ସତ୍ୟାଗ୍ରହୀମାନଙ୍କୁ ସେ ଅନାଇଁ ରହିଛି ।

 

ସେହି କଏଦୀର ଶିକ୍ଷାଦୀକ୍ଷା ନଥିଲା । ଚୋରି କରି ଗତ ଅଠର ବର୍ଷ କାଳ ସେ ଜୀବନ କାଟୁଥିଲା । ମାତ୍ର ଏଥର ଜେଲରେ ରହିଲାବେଳେ ସେ ଶୁଣିଲା, ସାରା ଭାରତରେ ସୃଷ୍ଟି ହୋଇଛି ଗଣ ଅଭ୍ୟୁତ୍‍ଥାନ । ବିଦେଶୀ ସରକାରକୁ ଶାସନଚ୍ୟୁତ କରିବା ପାଇଁ ଦେଶବାସୀ ଶପଥ ଗ୍ରହଣ କରିଛନ୍ତି ।

 

ସେଥିପାଇଁ ପ୍ରତିଦିନ ଶହ ଶହ ରାଜନୈତିକ କର୍ମୀ ଗିରଫ ହେଉଛନ୍ତି । ଜେଲ୍‍ ଭିତରକୁ ଆସୁଛନ୍ତି । ଜେଲ୍‍ ଭିତରର ଶୁଷ୍କ, ନୀରସ, ଶ୍ୱାସରୁଦ୍ଧ ବାତାବରଣ ମଧ୍ୟରେ ବିପୁଳ ଜୀବନର ସଞ୍ଚାର ହେଉଛି ।

 

ଏଇ ବାବୁ ସେଇ ସତ୍ୟାଗ୍ରହୀଙ୍କ ଭିତରୁ ନିଶ୍ଚୟ ଜଣେ । ବାହାରକୁ ନ ଆସି, ବାରଣ୍ଡାରେ ଠିଆ ହୋଇ, ଉଦାସ ଓ କରୁଣ ଦୃଷ୍ଟିରେ ସେ କ’ଣ ଦେଖୁଛନ୍ତି ? ଜଣେ ଅଭିଜାତ, ସମ୍ଭ୍ରାନ୍ତ ବଂଶର ଯୁବକ ପରି ଜଣା ପଡ଼ୁଛନ୍ତି । ସେ ନିଶ୍ଚୟ ଶିକ୍ଷିତ ହୋଇଥିବେ । ବିଶ୍ୱବିଦ୍ୟାଳୟର ସର୍ବୋଚ୍ଚ ଡିଗ୍ରୀ ହୁଏତ ହାସଲ କରିଥିବେ ।

 

ସ୍ୱାଧୀନତା ସଂଗ୍ରାମର ସାରଥି ସାଜି, ସେ ମଳିନ, ବିବର୍ଣ୍ଣ ଓ ବିଷଣ୍ଣ ଦେଖା ଯାଉଛନ୍ତି । ନହେଲେ ଶରୀରର ଔଜ୍ଜଲ୍ୟ, ତାଙ୍କ ବଂଶ ଗାରିମା ଓ ଶିକ୍ଷାଦୀକ୍ଷାର ସଂକେତ ଦେଉଛି ।

 

କଏଦୀଟି କହିଲା–ଆଜ୍ଞା, ଆପଣ ବୋଧହୁଏ ନୂଆ ଆସିଛନ୍ତି । ଆପଣଙ୍କର ପ୍ରିୟ ସାଥୀମାନେ ସେଠାରେ ବସି କେତେ ସୁଖ ଦୁଃଖ ହେଉଛନ୍ତି । ନିରୋଳାରେ, ଆପଣ କାହିଁକି ଏଠାରେ ଠିଆ ହୋଇଛନ୍ତି ?

 

ନଳିନାକ୍ଷର ସମ୍ବିତ୍‍ ଫେରି ଆସିଲା । ଚାହିଁଲା ସେ କଏଦୀ ଆଡ଼କୁ । ଟିକିଏ ରହି କହିଲା–ନାଇଁ ଯେ ବ୍ରହ୍ମପୁର ଜେଲ୍‍ର ବିରାଟ ବ୍ୟାପ୍ତିକୁ ମୁଁ ଲକ୍ଷ୍ୟ କରୁଥିଲି ।

 

କଏଦୀଟା କହିଲା–ଆସନ୍ତୁ ମୋ ସାଙ୍ଗରେ । ହୃଦୟ ବାବୁଙ୍କ ପାଖକୁ ଆପଣଙ୍କୁ ମୁଁ ନେଇଯିବି ।

 

ନଳିନାକ୍ଷ ସେହି କଏଦୀଟିକୁ ଚାହିଁଲା । ଦେହରେ ପଟା ପଟାକିଆ ସାର୍ଟ । ନିଶ୍ଚୟ ଚୋର କିମ୍ବା ଡକାଏତ ହୋଇଥିବ । ମାତ୍ର ତା’ର କି ସହାନୁଭୂତି ! ଦେଶର ସ୍ୱାଧୀନତା ପାଇଁ ଜେଲ୍‍ ଭିତରର ଚୋର, ଡକାୟତମାନେ ମଧ୍ୟ ଆଜି ପାଗଳ, ବିଭୋର । ସେମାନେ ଆଜି ଚୋର ନୁହଁନ୍ତି–ଡକାୟତ ନୁହଁନ୍ତି । ଏମାନଙ୍କ ପରି ସେମାନେ ବି ଜଣେ ଜଣେ ସୈନିକ–ସତ୍ୟାଗ୍ରହୀ ।

 

ନଳିନାକ୍ଷ କହିଲା–ତମେ ଗୋଟିଏ କାମ କରି ପାରିବ ?

 

କଏଦୀଟି କହିଲା–ନିଶ୍ଚୟ ପାରିବି । ଆପଣ ଦାନ୍ତପତ୍ର ଘଷି ସାରନ୍ତୁ ଆଗ । ତା’ପରେ ଯାହା କରିବାକୁ କହିବେ, ମୁଁ ତାହା ନିଶ୍ଚୟ କରିବି ।

 

ନଳିନାକ୍ଷ କହିଲା–ତମେ ନନ୍ଦକିଶୋରକୁ ଚିହ୍ନିଛ ?

 

କଏଦୀଟି କହିଲା–ନନ୍ଦକିଶୋର ବାବୁଙ୍କୁ ମୁଁ ଚିହ୍ନିନି ? ଯେଉଁମାନେ ଦେଶର ମଙ୍ଗଳ ପାଇଁ ଜେଲ୍‍ ଭିତରକୁ ଆସିଛନ୍ତି, ମୁଁ ସମସ୍ତଙ୍କୁ ଗୋଟି ଗୋଟି କରି ଚିହ୍ନ୍ନିଛି ବାବୁ । କ’ଣ ତାଙ୍କୁ ଆପଣଙ୍କ ପାଖକୁ ଡାକି ଆଣିବି ?

 

ନଳିନାକ୍ଷ କହିଲା–ଯଦି ଡାକି ଆଣି ପାରିବ, ତେବେ ଉପକୃତ ହେବି ।

 

କଏଦୀଟି ସାଙ୍ଗେ ସାଙ୍ଗେ ଚାଲିଗଲା ନନ୍ଦକିଶୋରକୁ ଡାକିବାକୁ ।

 

ନଳିନାକ୍ଷ ଘର ଭିତରକୁ ଆସିଲା । ଦେହରୁ ଚଦର ବାହାର କରି ତଳେ ବସି ପଡ଼ିଲା ।

 

ନନ୍ଦକିଶୋର ଆସିଲା । ସେ ଜାଣି ନଥିଲା ନଳିନାକ୍ଷ ଜେଲ୍‍କୁ କାଲି ରାତିରେ ଆସିଛି ବୋଲି ।

 

କଏଦୀ ପଛେ ପଛେ ନନ୍ଦ ଯେତେବେଳେ ଘର ଭିତରେ ଆସି ପହଞ୍ଚିଗଲା, ସେତେବେଳେ ନଳିନାକ୍ଷକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲା । ତାକୁ କୁଣ୍ଢାଇ ପକାଇ କହିଲା–ତମେ ବଡ଼ ମାୟାବୀ ନଳିନାକ୍ଷ ଭାଇ । ସେ ଦିନ ରାତିରେ ଜଲ୍‍ରୁ ପଳାଇଯିବା ପାଇଁ ପରିକଳ୍ପନା କରୁ କରୁ, ମତେ କିଛି ନ କହି ତମେ ଚାଲିଗଲ ?

 

ନଳିନାକ୍ଷ ମୃଦୁ ମୃଦୁ ହସୁଥିଲା ।

 

ନନ୍ଦକିଶୋର କହିଲା–ତମେ ଚାଲିଗଲା ପରେ ମୋ ଉପରେ ଆରମ୍ଭ ହୋଇଗଲା ସେମାନଙ୍କ ଅତ୍ୟାଚାର । ତମର ସନ୍ଧାନ ମୁଁ କୁଆଡ଼େ ଜାଣିଥିବି ବୋଲି ତାଙ୍କର ଧାରଣା ଥିଲା । ମୋତେ ସେମାନେ ବହୁତ ପଚାରିଲେ । ପ୍ରଶ୍ନ ବାଣରେ ମତେ ଜର୍ଜ୍ଜରିତ କରିଦେଲେ । ମାଡ଼ ମାରି କଥା ଆଦାୟ କରିବାକୁ ମଧ୍ୟ ଆଗେଇ ଆସିଲେ ।

 

ତୁମେ କେଉଁଠିକି, କେଉଁ ଆଡ଼କୁ ଗଲ, ମୁଁ ଜାଣିବି କିପରି ? ମୁଁ ଯେତେବେଳେ ତମର ପତ୍ତା ଜାଣିନାହିଁ ବୋଲି ସେମାନଙ୍କୁ କହିଲି, ସେତେବେଳେ ଏଇ ଜେଲ୍‍କୁ ସ୍ଥାନାନ୍ତରିତ କରିବା ପାଇଁ ମତେ ଆଦେଶ ଦିଆଗଲା । ବ୍ରହ୍ମପୁର ଜେଲରେ ଆସି ଯେତେବେଳେ ପହଞ୍ଚିଲି, ସେତେବେଳେ ପ୍ରଦେଶର ବଡ଼ ବଡ଼ ନେତା ଓ ନାମଜାଦା କର୍ମୀମାନେ ଏଠାରେ ରହୁଥିବାର ଦେଖିଲି । ସେମାନଙ୍କ ସହିତ ତମ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲି । ତମର ପତ୍ତା କେହି ଜାଣି ନାହାନ୍ତି ବୋଲି ଯେତେବେଳେ କହିଲେ ମୁଁ ନିରାଶ ହେଲି ।

 

ହୃଦୟ ବାବୁ ଏଇ ଗତକାଲି ତ ତମ କଥା ମତେ ପଚାରୁଥିଲେ । ତମର ଉଚ୍ଚ୍ୱସିତ ପ୍ରଶଂସାରେ ସେ ଶତମୁଖ ହୋଇ ଉଠୁଥିଲେ ।

 

ନଳିନାକ୍ଷ ଆଉ ନିଜର ପ୍ରଶସ୍ତି ଶୁଣି ପାରିଲାନି । ନନ୍ଦକିଶୋରର ଏ ସ୍ତୁତିଗାନ ସତେ ଯେପରି ବନ୍ଦ ହେବ ନାହିଁ । ଦେଶର ସ୍ଵାଧୀନତା ପାଇଁ କିଏ କ’ଣ କଲା, କିଏ କେଉଁ ସ୍ଵପ୍ନ କିମ୍ବା ପରିକଳ୍ପନା କରୁଛି ତା’ର ରୂପରେଖ ସମ୍ପର୍କରେ ଆଭାସ ନଦେଇ, କେବଳ ବ୍ୟକ୍ତିବାଦର ପ୍ରଶଂସା କରିବାରେ ଲାଗିଛି । ବ୍ୟକ୍ତିବାଦର ପ୍ରଶଂସା କଲେ, ଦେଶରେ କ’ଣ ସ୍ଵାଧୀନତାର ଢେଉ ମାଡ଼ି ଆସିବ ?

 

ନଳିନାକ୍ଷ କହିଲା–ମୋର ପ୍ରଶଂସା ଆଉ କରନାହିଁ ନନ୍ଦକିଶୋର । ଦେଶପାଇଁ କିଏ କ’ଣ କରି ଜେଲ୍‍କୁ ଆସିଛି, ତା’ର ଏକ ସଠିକ୍‍ ତାଲିକା ମୁଁ ଜାଣିବାକୁ ଚାହୁଁଛି । ଏ ସବୁ ପ୍ରଶଂସାରେ ଅବଗାହନ କରିବାକୁ ମୋର ଧୈର୍ଯ୍ୟ ନାହିଁ ।

 

ନନ୍ଦକିଶୋର ନୀରବ ହୋଇଗଲା ।

 

ଯେଉଁ କଏଦୀଟି ନନ୍ଦକିଶୋରକୁ ଡାକି ଆଣିଥିଲା, ଘରର ବାରଣ୍ଡାରେ ଠିଆ ହୋଇଛି । ସେ ଯେପରି ଏହି ସବୁ କଥାକୁ କର୍ଣ୍ଣପାତ କରୁନାହିଁ ।

 

ନଳିନାକ୍ଷ କହିଲା–ଦେଶ ବ୍ୟାପୀ ଯେଉଁ ଆନ୍ଦୋଳନ ଦେଖାଦେଇ ବ୍ରିଟିସ୍‍ ସରକାରର ଛାତିକୁ ପ୍ରକମ୍ପିତ କରିଥିଲା, ସେ ଆନ୍ଦୋଳନ ଏଇ ବ୍ୟାପକ ଗିରଫଦାରୀ ବଳରେ ଯଦି ଶାନ୍ତ ପଡ଼ିଯାଏ, ତେବେ ଏ ଦେଶର ସ୍ଵାଧୀନତାର ସ୍ଵପ୍ନ ମରୀଚିକାରେ ପରିଣତ ହେବ । ଶହ ଶହ ବର୍ଷ ଧରି ଯେଉଁ ବ୍ରିଟିସ୍‍ ସରକାର ଏ ଦେଶରେ ନିରଙ୍କୁଶ ଭାବରେ ଶାସନ ଚଳେଇ ଆସୁଥିଲା, ସେ ଶାସନ ଆହୁରି ଲୋମହର୍ଷଣକାରୀ ଅତ୍ୟାଚାରରେ ରୂପାନ୍ତରୀତ ହେବ । ଆମର କଠିନ ତପସ୍ୟା ବୃଥା ହେବ ।

 

ନଳିନାକ୍ଷ ଧୀରେ ଧୀରେ ଭାବପ୍ରବଣ ହୋଇ ଉଠୁଥିଲା ।

 

ନନ୍ଦକିଶୋର କହିଲା–ଆପଣ ସିନା ଏଭଳି ମତାମତ ଦେଉଛନ୍ତି । ଚାଲ ଶୁଣିବ ହୃଦୟ ବାବୁ କ’ଣ କହୁଛନ୍ତି ? ସେ ତ କାଲି ଆମମାନଙ୍କ ପାଖରେ କହୁଥିଲେ–ଆଉ ବେସିକାଳ ଡେରି ନୁହେଁ । ମାତ୍ର ବର୍ଷେ ଦୁଇ ବର୍ଷ ମଧ୍ୟରେ ବ୍ରିଟିସ୍‍ ସରକାର ବାଧ୍ୟହୋଇ ଶାସନଭାର ଭାରତୀୟ ଜନତାର ହାତରେ ନ୍ୟସ୍ତ କରି ଚାଲିଯିବ । ସେଥିପାଇଁ କେହି ବ୍ୟସ୍ତ ହେବାର କାରଣ ନାହିଁ । ଆମ୍ଭମାନଙ୍କ ଆବେଦନ ନିବେଦନ ଓ ପ୍ରଭାବରେ ବଶବର୍ତ୍ତୀ ହୋଇ ଏ ଦେଶର ଜନତା ଯେଉଁ ଅଭୂତପୂର୍ବ ବିପ୍ଳବର ମହୁରି ବଜାଇଛି ତାହାହିଁ ସମସ୍ତଙ୍କର ଦେଖିବାର କଥା ।

 

ନଳିନାକ୍ଷ କଟମଟ କରି ନନ୍ଦକିଶୋର ଆଡ଼େ ଚାହିଁ କହିଲା–ଏ ସବୁ ଆତ୍ମତୁଷ୍ଟି ଛଡ଼ା ଆଉ କିଛି ନୁହେଁ ନନ୍ଦ । ଓଡ଼ିଶା ଭଳି ପ୍ରଦେଶରେ ସତ୍ୟାଗ୍ରହ ସଂଗ୍ରାମର ନେତୃତ୍ୱ ନେଇ ସେ ଏଭଳି ଏକ ନପୁଂସକ ଭବିଷ୍ୟତ ବାଣୀ କିପରି ଶୁଣାଇଲେ ତାହା ମୁଁ ଆଶ୍ଚର୍ଯ୍ୟ ହେଉଛି ।

 

ନନ୍ଦକିଶୋର ନୀରବ ।

କଏଦୀଟି ଆଉ ଠିଆ ହୋଇ ପାରିଲା ନାହିଁ । ଅନିଚ୍ଛାକୃତ ଭାବେ ଘରକୁ ପଶିଯାଇ କହିଲା–ଆଜ୍ଞା, ବାବୁ ଦାନ୍ତପତ୍ର ଘଷି ନାହାନ୍ତି ପାଇଖାନା ମଧ୍ୟ ଯାଇ ନାହାନ୍ତି । ଏ ସବୁ ବାସୀ କାମ ସାରି, କଥାବାର୍ତ୍ତା କଲେ କ’ଣ ଚଳିବ ନାହିଁ ନନ୍ଦ ବାବୁ ?

ନନ୍ଦକିଶୋର କହିଲା–ଆରେ ଠିକ୍‍ କଥା । ନଳିନାକ୍ଷ ଭାଇ ଏତେବେଳ ଆସି ହେଲାଣି ତମେ ଏ ସବୁ କାମ ସାରିନାହଁ ?

କଏଦୀଟି କହିଲା–ମୋ ସାଙ୍ଗରେ ଆସନ୍ତୁ ବାବୁ, ମୁଁ ପାଇଖାନା ଓ ଗାଧୋଇବା ଘର ଦେଖାଇ ଦେବି ।

ନଳିନାକ୍ଷ ଆତ୍ମସ୍ଥ ହୋଇ କଏଦୀଟି ସାଙ୍ଗରେ ନିତ୍ୟକର୍ମ ସାରିବାକୁ ଆଗେଇ ଗଲା । ମାତ୍ର ହେଇ ଯେ ହୃଦୟ ବାବୁ ତା’ ଆଡ଼କୁ ହସି ହସି ଆସୁଛନ୍ତି ? ଅନ୍ୟମାନେ ତାଙ୍କ ପିଛା ଧରି ମଧ୍ୟ ତା’ ଆଡ଼କୁ ପ୍ରଧାବିତ ହେଉଛନ୍ତି ।

ହୃଦୟ ବାବୁ, ନଳିନାକ୍ଷକୁ କୋଳାଗ୍ରତ କରି କହିଲେ–ତମର ସାହସିକ ପଦକ୍ଷେପ ଆମ ସମସ୍ତଙ୍କୁ ବିସ୍ମିତ କରି ଦେଇଛି ନଳିନାକ୍ଷ । ବୟସରେ ଆମଠାରୁ ତମେ ଯଥେଷ୍ଟ ସାନ ହେଲେ ମଧ୍ୟ ତମର ଜ୍ଞାନ ଓ ଦେଶାତ୍ମବୋଧ ଭାବ ଅଧିକ ରହିଛି । ମୁଁ ତମକୁ ସ୍ୱାଗତ, ଅଭିନନ୍ଦନ କରୁଛି ।

ଅନ୍ୟମାନେ ନଳିନାକ୍ଷକୁ ଦେଖିବା ପାଇଁ ଭିଡ଼ ଜମେଇ ଉଠିଲେ । କଏଦୀଟି କହିଲା–ସେ ବାବୁ, ବାସୀ କାମ ସାରି ନାହାନ୍ତି । କାଲି ରାତି ତମାମ ମଧ୍ୟ ଶୋଇ ନାହାନ୍ତି । ତାଙ୍କୁ ଟିକିଏ ବର୍ତ୍ତମାନ ସମୟ ଦିଅନ୍ତୁ । ଏଇ ସବୁ ନିତ୍ୟକର୍ମ ସାରି, ଜଳଖିଆ କରିଲେ ଆପଣମାନେ କଥାବାର୍ତ୍ତା କରିବେ ।

ହୃଦୟ ବାବୁ କଥାଟା ବେଶ୍‍ ଭାବେ ହୃଦୟଙ୍ଗମ କଲେ । କହିଲେ–ଠିକ୍‍ ଅଛି । ହଁ, ତମେ ଯାଅ ନଳିନାକ୍ଷ–ଏତେବେଳ ଯାଏ, ଏ କାମ ତମେ ଶେଷ କରିନାହଁ ?

ଅନ୍ୟମାନେ ସେମାନଙ୍କୁ ବାଟ ଛାଡ଼ିଦେଲେ ।

କଏଦୀଟି ଆଗେ ଆଗେ–ନଳିନାକ୍ଷ ପଛେ ପଛେ ।

କଏଦୀଟିର ସତେ କି ଅସମ୍ଭବ ମମତା ଓ ସହାନୁଭୂତି ! ଜୀବନରେ ନରହତ୍ୟା ଅନେକ କରିଛି । ନିଷ୍ଠୁର ଭାବରେ କାହାର ତଣ୍ଟିଚିପି ଧନରତ୍ନ ଲୁଣ୍ଠନ କରି ଆଣିଛି । ଆତତାୟୀ ନରପିଶାଚ ହୋଇ ମଧ୍ୟ ତା’ପ୍ରତି ଏ କି ଦୟା ? କରୁଣା ?

ତା’ର ନିଷ୍ଠୁର ଡକାଏତ ଜୀବନରେ ଆଧ୍ୟାତ୍ମିକ ଭାବର ବୋଧହୁଏ ଉଦ୍ରେକ ହୋଇଛି । ଦସ୍ୟୁ ରତ୍ନାକରର ହୃଦୟରେ ଋଷି ବାଲ୍ମିକୀର ସ୍ପର୍ଶ ସତେ ଯେପରି ପତିତ ହୋଇଛି ।

ନଳିନାକ୍ଷ ନିତ୍ୟକର୍ମ ସାରିବା ପାଇଁ, ତା’ ପଛେ ପଛେ ଆଗେଇ ଚାଲିଛି ।

ଜେଲରେ ରହିବାର ପ୍ରାୟ ଏକବର୍ଷ ହୋଇ ଗଲାଣି…

ବିଲାତର ଚର୍ଚ୍ଚିଲ ସରକାର ଗାନ୍ଧିଜୀଙ୍କୁ ଆଉ ବୁଲାଫକୀର କହୁ ନାହାନ୍ତି । ଭାରତକୁ ସାର୍ବଭୌମ କ୍ଷମତା ଅର୍ପଣ କରିବା ପାଇଁ ସେମାନେ ଆସ୍ତେ ଆସ୍ତେ ଅନୁକୂଳ ମତ ପ୍ରକାଶ କରିବାରେ ଲାଗିଛନ୍ତି

 

ସେ ଦିନ ପୌଷର ଏକ ମଧ୍ୟାହ୍ନ....

 

ନଳିନାକ୍ଷ ତା’ର କେତେଜଣ ସହଯୋଗୀ ସତ୍ୟାଗ୍ରହୀମାନଙ୍କ ସାଙ୍ଗରେ ଖରାରେ ବସି ସମ୍ବାଦପତ୍ର ପଢ଼ୁଥିଲା ।

 

ଜେଲ୍‍ର ଓ୍ୱାଡ଼ର ଜଣେ ନଳିନାକ୍ଷର ଚିଠି ଦେଇଗଲା ।

 

ସମ୍ବାଦପତ୍ର ପଢ଼ା ବନ୍ଦକରି ନଳିନାକ୍ଷ ଚିଠିଟି ଖୋଲିଲା ।

 

ଘରୁ ଯେତେଥର ଚିଠି ଆସେ, ସେତେଥର ନଳିନାକ୍ଷର ବ୍ୟସ୍ତତା ଓ ବ୍ୟଗ୍ରତା ବିଶେଷ ଭାବରେ ପ୍ରକଟିତ ହୁଏନାହିଁ । କିନ୍ତୁ ଏ ଥର ନଳିନାକ୍ଷର ଭୀଷଣ ବ୍ୟଗ୍ରତା ।

 

ତରବରରେ ଚିଠିଟି ଖୋଲି ପଢ଼ି ବସିଲା । ନୀଳିମା ଚିଠିଟି ଲେଖିଥିଲା, ସେଥିରେ ଲେଖାଥିଲା–

 

ଭାଇ,

 

ଆଜିକୁ ଆଠ ଦିନ ହେଲା ବୋଉର ଦେହ ଭଲ ନାହିଁ । ସବୁବେଳେ ଦେହରେ ଜ୍ୱର ରହିଛି । ଆଦୌ ଉପଶମ ହେଉନାହିଁ । ହୋମିଓପାଥିକ ଔଷଧ ପ୍ରତିଦିନ ମୁଁ ଆଣି ଦେଉଛି । କିନ୍ତୁ ଫଳ ବିଶେଷ କିଛି ହେଉନି । ଗତ ଚାରି ଦିନ ହେଲା ସେ ଆଉ ବିଛଣାରୁ ଉଠି ପାରୁନି । ଗୋଟିଏ କରରେ ପଡ଼ି ରହିଛି ।

 

ତା’ର ଖାଇବା ପିଇବା ଏକ ପ୍ରକାର ବନ୍ଦ ହୋଇ ଗଲାଣି । ସାଗୁ, ବାର୍ଲି ଯେତେଥର ମୁଁ ତିଆରି କରି ଦେଉଛି, ସେତେଥର ସେଗୁଡ଼ିକ ଫୋପଡ଼ା ଯାଉଛି । ତମକୁ ଦେଖିବ ବୋଲି ସେ ଝୁରି ହେଉଛି ।

 

ଗତ କଲି ରାତିରେ ମତେ ପାଖକୁ ଡାକି କହିଲା–ମୋର ଶେଷ ବେଳ ଆସିଗଲା ନୀଳିମା । ମୁଁ ଆଉ ବଞ୍ଚି ପାରିବି ନାହିଁ । ଆର ପୁରୀରୁ ତୋ ବାପା ମତେ ହାତ ହଲାଇ ଡାକୁଛନ୍ତି । ମୁଁ ଯଦି ତୋର ବାପାଙ୍କ ପାଖକୁ ଚାଲିଯିବି, ତମେ ଦୁହେଁ କେମିତି ବଞ୍ଚିବ ? କେମିତି କାଳ କାଟିବ-?

 

ଦେଶର ସ୍ଵାଧୀନତା ଲାଭପାଇଁ ପୁଅ ମୋର ଜେଲ୍‍ଖାନାରେ ବର୍ଷେହେଲା ବନ୍ଦୀ ରୂପରେ ରହିଛି । ସେ ଆଉ ମୁକ୍ତିପାଇ କେଉଁଦିନ ଆସିବ ? ମୁଁ ଯଦି ଆର ପୁରୀକୁ ଚାଲିଯିବି, ଜେଲ୍‍ରୁ ଖଲାସ ହୋଇ ଆସିଲେ, ବୋଉ, ବୋଉ ବୋଲି କାହାକୁ ସେ ଡାକିବ ? ଖୋଜିବ ?

 

ତମ ଦୁହିଁଙ୍କୁ ଜନ୍ମ ଦେଇଥିଲି । ମଣିଷ କରାଇ ଥିଲି । ତମ ଦୁହିଁଙ୍କର ବିବାହ ନ କରି, ମୁଁ କେମିତି ଚାଲିଯିବି ସେ ଅଫେରା ରାଇଜକୁ । ତୁମ ଦୁହିଁଙ୍କର ଫୁଲବୋଳ ଦେଖିଲେ ମୋ ଜୀବନ ସାର୍ଥକ ହୋଇଥାନ୍ତା । ତମ ଦୁହିଁଙ୍କର ସୁନାର ସଂସାର ଦେଖିଲେ ବିପୁଳ ଆନନ୍ଦରେ ପ୍ରାଣ ମୋର ଉଲ୍ଲସିତ ହୋଇ ଉଠିଥାନ୍ତା ।

 

ମାତ୍ର ଭଗବାନଙ୍କର ବିଚିତ୍ର ବୁଝାମଣା ନୀଳିମା । ମୁଁ ବୋଧେ ବଞ୍ଚି ପାରିବିନି । ତୋ ବାପା ବାରମ୍ବାର ମୋ ପଛରେ ଛାଇ ଭଳି ଗୋଡ଼ାଇଛନ୍ତି । କାଲି ରାତିରେ ତାଙ୍କୁ ସ୍ଵପ୍ନ ଦେଖିଥିଲି । ସେ କହିଲେ–ମର ଜଗତର ମାୟାପ୍ରତି ତମେ ଆଉ ଆକୃଷ୍ଟ ହୁଅନି ରାଧାମଣି । ମର ଜଗତର ସେଇ ସବୁ ତୁଚ୍ଛ ମାୟା, ମମତା ଓ ଆକର୍ଷଣ ଉପରେ ପାଉଁଶ ବୋଳିଦେଇ ତମେ ଚାଲିଆସ ଏଇ ଅମୃତମୟ ରାଜ୍ୟକୁ । ଏ ପୁରୀରେ ବସବାସ କଲେ ମଣିଷର ଦୁଃଖ ରହେନାହିଁ । ଚିନ୍ତା ରହେନାହିଁ-। ପେଷଣ ଓ ଜଞ୍ଜାଳର ସର୍ବଗ୍ରାସୀ ରୂପ ମଣିଷର ଚିନ୍ତା ରାଜ୍ୟକୁ ଆକ୍ରମଣ କରେ ନାହିଁ-

 

ସେଇ ସ୍ଵପ୍ନ ଭିତରେ ତାଙ୍କୁ ଅନେକ କଥା ବୁଝାଇଲି । କହିଲି–ତମେ ତ ଯାଇ ସେ ପୁରୀରେ ଅଚିନ୍ତାରେ ରହିଲ । ଯେଉଁ ପିଲା ଦୁଇଟିର ଦାୟିତ୍ୱ ମୋ ଉପରେ ନ୍ୟସ୍ତ କରି ଚାଲିଯାଇଛ, ସେ ଦାୟିତ୍ୱ ଏପର୍ଯ୍ୟନ୍ତ ମଧ୍ୟ ମୋର ତୁଟି ନାହିଁ । ସେମାନଙ୍କ ବିବାହ ଏପର୍ଯ୍ୟନ୍ତ ସମ୍ଭବ ହେଲାନାହିଁ । ସେମାନଙ୍କୁ କୁଳକିନାରା ଦେଖାଇ ମୁଁ ସିନା ଫେରିଯିବି ତମ ପାଖକୁ । ତମେ ଗଲ–ମୁଁ ଯଦି ଚାଲିଯାଏ, ସେମାନଙ୍କୁ କିଏ ଆଉ ମଣିଷ କରିବ ? ସେମାନଙ୍କ ଦୁଃଖ ଓ ବ୍ୟଥାରେ ସହାନୁଭୂତି କିଏ ଜଣାଇବ ?

 

ମୋ କଥା ଶୁଣି ସେ କହିଲେ–ନଳିନାକ୍ଷ ଓ ନୀଳିମା ଧୂଳିଖେଳ ଘରର ଶିଶୁ ଆଜି ନାହାନ୍ତି ରାଧାମଣି । ସେମାନଙ୍କର ବୟସ ଆସି ଯାଇଛି । ଦାୟିତ୍ୱବୋଧ ସେମାନେ ହୃଦୟଙ୍ଗମ କଲେଣି । ନିଜ ଶିଙ୍ଗରେ ନିଜେ ମାଟି ତାଡ଼ି ସେମାନେ ବାଟ କାଟିବେ । ତମେ ଫେରିଆସ ।

 

ମୋର ସ୍ୱପ୍ନ ଭାଜିଗଲା । ମାତ୍ର ସେଇ ସ୍ୱପ୍ନ ଦେଖିବାର ମୁହୂର୍ତ୍ତଠାରୁ ମୁଁ କିଛି ଅନୁଭବ କରି ପାରୁନି ନୀଳିମା । ମୋ ପ୍ରାଣବାୟୁ ଧୀରେ ଧୀରେ ଯେପରି ଉଡ଼ି ଉଡ଼ି ଚାଲିଛି । ମୋ ମନ ଯେପରି ଏଇ ଧୂଳି ମାଟିର ଧରଣୀ ପ୍ରତି ଆଉ ଆକୃଷ୍ଟ ହେଉନି । ମୋ ନିଜ ଭିତରେ ମୁଁ ଅନୈକ୍ୟ ଅନୁଭବ କରୁଛି । ସମଗ୍ର ଦେହ, ମନ ଓ ଚିନ୍ତା ରାଜ୍ୟରେ ମୁଁ ଯେମିତି ଅସ୍ଵାଭାବିକତା ଦେଖି ପାରୁଛି ।

 

ମୁଁ ଆଉ ବେଶି ଦିନ ରହିବିନି ନୀଳିମା । ତୋ ବାପାଙ୍କର ଆକର୍ଷଣ ଦିନୁ ଦିନ ପ୍ରବଳ ହୋଇ ଉଠିଛି । ସେଇ ଚିର ସୁନ୍ଦର ରାଜ୍ୟର ଅନୁପମ ଶୋଭା ସମ୍ପଦ ମୋ ଚିତ୍ତ ରାଜ୍ୟକୁ ଜୟ କରି ନେଉଛି । କିନ୍ତୁ ତତେ ଦେଖୁଛି–ଜୀବନର ଶେଷ ନିଃଶ୍ୱାସ ତ୍ୟାଗ କଲା ପର୍ଯ୍ୟନ୍ତ ମୋରି ପାଖରେ ବସି ତୁ ଅଶ୍ରୁ ପୋଛୁଥିବାର ଦେଖି ପାରିବି । ମାତ୍ର ମୋ ନଳିନାକ୍ଷକୁ ଆଉ ବୋଧେ ଦେଖି ପାରିବିନି ।

 

ମାଆ ରୋଗ ଶଯ୍ୟାରେ ଶୋଇଛି ଖବର ଶୁଣି ନଳିନାକ୍ଷ କାନ୍ଦିବ । ମନ ତା’ର ଛାଟିପିଟି ହେବ ମତେ ଦେଖିବାକୁ । କିନ୍ତୁ ଅମୁହାଁ ଦେଉଳର ସେଇ ମେଘନାଦ ପାଚେରୀ ତଳୁ ସେ ଆସି ପାରିବନି ମା । ଗୋଲାମ ସରକାର ହୃଦୟରେ ଟିକିଏ କରୁଣା ଜାଗ୍ରତ ହେବନି ।

 

ସେମାନେ ବିଦେଶୀ । ଭାରତୀୟ ଜଳବାୟୁରେ ଲାଳିତ ପାଳିତ ହୋଇ ମା’ର ଦୁଃଖରେ ପୁଅର ମନ କିପରି ଦୁଃଖ ଓ ବ୍ୟଥାରେ ବିଗଳିତ ହୁଏ, ବେଦନା ଓ ହାହାକାରରେ ବୁକୁତଳ ଆର୍ଦ୍ର ହୋଇଉଠେ, ସେ କଥା ସେମାନେ ବୁଝିବେନି । ତା’ର ଆକୁଳ, ବିକଳ ଆବେଦନ ଓ ନିବେଦନକୁ ନିଷ୍ଠୁର ଭାବରେ ଅଗ୍ରାହ୍ୟ କରିବା ସଙ୍ଗେ ସଙ୍ଗେ ତାକୁ ହୁଏତ ସମାଲୋଚନା କରିବେ । ଥଟ୍ଟା ପରିହାସ ଓ ବ୍ୟଙ୍ଗ ବିଦ୍ରୂପର ଶାଣିତ ସଂଳାପରେ ତାକୁ ହୁଏତ ଜର୍ଜ୍ଜରିତ କେରିଦେବେ ।

 

ବିଦେଶୀ ସରକାରର ବିଚାରରେ ନଳିନାକ୍ଷ ମୋର ରାଷ୍ଟ୍ରଦ୍ରୋହୀ–ରାଜଦ୍ରୋହୀ । ରାଷ୍ଟ୍ରଦ୍ରୋହ ଅଭିଯୋଗରେ ଅଭିଯୁକ୍ତ ପୁଅ ମୋର ଆଜି ବନ୍ଦୀ । ସେ କିପରି ଆସିବ ତା’ ମାଆର ଶେଷ ନିଃଶ୍ୱାସ ତ୍ୟାଗ ଦେଖିବାକୁ ? ସେ କିପରି ଆସିବ ତା’ ମାଆର ଶବାଧାରରେ ପୁଷ୍ପମାଲ୍ୟ ଅର୍ପଣ କରିବାକୁ ? ସେ କିପରି ଆସିବ ତା’ ଜନନୀକୁ ମୁଖାଗ୍ନି ଦେବାକୁ ?

 

ମୋର ବଞ୍ଚିବାକୁ ଲୋଭ ଜାଗୁଛି ନୀଳିମା । ପୁଅ ମୋର ଜେଲ୍‍ରୁ ଖଲାସ୍‍ ହୋଇ ଆସିଲା ପର୍ଯ୍ୟନ୍ତ ବଞ୍ଚି ରହିବାକୁ ଇଚ୍ଛା ହେଉଛି । ଜେଲ୍‍ ଫେରନ୍ତା, ସ୍ଵଦେଶବତ୍ସଳ ସନ୍ତାନକୁ ମୋର କୋଳରେ, ପୂରାଇ, ଆଖିରୁ ଅଶ୍ରୁ ବର୍ଷଣ କରି ସାରି ହୁଏତ ଆର ପାରିକୁ ବାଟ କାଟିଥାନ୍ତି....

 

ଦେଶ ଯେଉଁ ଦିନ ସ୍ଵାଧୀନତା ହାସଲର ଆନନ୍ଦରେ ଆତ୍ମବିସ୍ମୃତ ହୋଇ ଉଠୁଥାନ୍ତା, ଠିକ୍‍ ସେଇ ଦିନ ନଳିନାକ୍ଷର ବିବାହ କରାଇ, ଏକ ଲାବଣ୍ୟମୟୀ ତରୁଣୀଟିକୁ ବୋହୂ ରୂପେ ଆଣିଥାନ୍ତି ମୋ ଘରକୁ । ବୋହୂ ମୋର ଧୀରେ ଧୀରେ, ମୁଣ୍ଡ ନୁଆଁଇ, ଚାପି ଚାପି, ଚମ୍ପକ ବରଣ ଚରଣ ଚଳାଇ ମୋ ଘରକୁ ଆସି ଥାଆନ୍ତା ।

 

ମୁଁ ମରିଥାନ୍ତି ସ୍ଵାଧୀନ ଭାରତର ମାଟିରେ । ତୋ ବାପା ସିନା ପରାଧୀନ ଭାରତର ଶ୍ମଶାନ ତଳେ ହଜିଗଲେ । ମୁଁ କିନ୍ତୁ ଶପଥ କରିଥିଲି, ସ୍ଵାଧୀନ ଭାରତର ଶ୍ମଶାନ ଉପରେ ମୋ ମର ଦେହଟାକୁ ଗଡ଼ାଇ ଦେବାକୁ ।

 

ଯେଉଁ ସ୍ଵାଧୀନତାର ଅମୃତ ସ୍ୱାଦ ଚାଖିବା ପାଇଁ ପୁଅ ମୋର ଅସହନୀୟ ଦୁଃଖ, କଷ୍ଟ ଓ ଯନ୍ତ୍ରଣା ସହିଥିଲା, ସେଇ ସ୍ୱାଧୀନତାର ଅମୃତ ସ୍ୱାଦ ମୁଁ ଚାଖି ପାରିବିନି । ସ୍ୱାଧୀନତାର ସୂର୍ଯ୍ୟ ଏ ଦେଶର ଦିଗ୍‍ବଳୟକୁ ସ୍ପର୍ଶ କଲା ପୂର୍ବରୁ, ପୁଅ ମୋର ସ୍ଵାଧୀନ ଭାରତର ସ୍ଵପ୍ନ, ସଫଳୀକୃତ କରିବାର ଅବ୍ୟବହିତ ପୂର୍ବରୁ, ମୁଁ ବଞ୍ଚି ନଥିବି ନୀଳିମା ।

 

ଭାଇ ! ବୋଉ ଏଇଭଳି ଦିନ ରାତି ହେଉଛି । ମୁଁ ଯେତେ ବୁଝାଇବାକୁ ଚେଷ୍ଟା କରୁଛି, ସେ ସେତେ ସେତେ ବକୁଛି । ଦିନୁ ଦିନ ତା’ର ଦେହ ରୁଗ୍‍ଣ ହୋଇ ଉଠୁଛି ।

 

ତମେ ଯାଇ ଜେଲ୍‍ ଭିତରେ ନିଶ୍ଚିନ୍ତରେ ରହିଲ । ସେ ଦିନ ରାତିରେ ମୁଁ ଯଦି ଚେଇଁ ରହିଥାନ୍ତି, ତା’ହେଲେ ତମ ସାଙ୍ଗରେ ନିଶ୍ଚୟ ଯାଇଥାନ୍ତି । ପରିଣାମରେ ତମ ସାଙ୍ଗରେ ଜେଲ୍ ମଧ୍ୟ ଯିବାକୁ ବାଧ୍ୟ ହୋଇଥାନ୍ତି ।

 

ସେ ଦିନ ନଯାଇ ମୁଁ ବରଂ ଭଲ କରିଛି । ଆମେ ଦିହେଁ ଯଦି ଜେଲ୍‍ ଚାଲି ଯାଇଥାନ୍ତେ, ତା’ହେଲେ ବୋଉକୁ ଦେଖିବାକୁ ଦୁହେଁଯାକ ହୁଏତ ବଞ୍ଚିତ ହୋଇଥାନ୍ତେ । ମୁଁ ଅଛି ବୋଲି ସିନା ବୋଉର ସେବା କରୁଛି–ଯତ୍ନ ନେଉଛି–ଚିକିତ୍ସା ପାଇଁ ଔଷଧ ପତ୍ରାଦିର ବ୍ୟବସ୍ଥା କରୁଛି । ନହେଲେ....

 

ସତରେ ଭାଇ, ବୋଉ ଯାହା କହୁଛି, ତାହା ଯଦି ସତହୁଏ, ମୋର ଅବସ୍ଥା କ’ଣ ହେବ-? କାହାକୁ ନେଇ ଏଡ଼େ ବିରାଟ ବିଶ୍ୱରେ ମୁଁ ବାଟ ଚାଲିବି ?

 

ତମେ କଳ୍ପନା କରି ପାରୁଛ ଭାଇ ମୋର ଭବିଷ୍ୟତକୁ ? ମୋ ଭବିଷ୍ୟତ ଦିଗନ୍ତ ବିସ୍ତାରୀ ଘନାନ୍ଧକାର ଭିତରେ ହଜିଯିବ ।

 

ମୁଁ କ’ଣ କରିବି ? ମୁଁ ଆଉ କିଛି ଲେଖି ପାରୁନି । ଆଖିର ଅଶ୍ରୁରେ ମତେ ଆଉ କିଛି ଦେଖା ଯାଉନି ମୁଁ ଅସହାୟ–ନିଃସହାୟ । ଶୀଘ୍ର ଉତ୍ତର ଦେବ ।

 

ତମର

ନୀଳିମା

 

ଏକା ନିଃଶ୍ୱାସକେ ପଢ଼ି ଚାଲିଥିଲା ନଳିନାକ୍ଷ । ମାତ୍ର ଚିଠିର ଶେଷାଂଶ ପଢ଼ି, ଆଖିରେ ତା’ର ଅଶ୍ରୁ ସଞ୍ଚାର ହେଲା । ବୁକୁ ଭିତରଟା ସୀମାହୀନ କାରୁଣ୍ୟରେ ବିଳପି ଉଠିଲା ।

 

ଆଖି ଆଗରେ ହଠାତ୍‍ ତା’ର ଭାସି ଉଠିଲା ଜନ୍ମଦାତ୍ରୀ, କଲ୍ୟାଣମୟୀ ମା ଆଉ ତାଙ୍କର ସେଇ ଶାନ୍ତ, କାନ୍ତ ରୂପ । ରୋଗ ଶଯ୍ୟାରେ ପଡ଼ି, ସେ ଶାନ୍ତ, କାନ୍ତ ରୂପ ହୁଏତ ମଳିନ ପଡ଼ିଯାଇ ଥିବ । ଗୋଧୂଳିର ଆଲୋକ ପରି ବିଷଣ୍ଣ, ବିମର୍ଷ ହୋଇ ଉଠିଥିବ ।

 

ଇଚ୍ଛା ହେଉଛି ଦଉଡ଼ି ଯିବାକୁ ମାଆ ପାଖକୁ । କିନ୍ତୁ କିପରି ସେ ଯିବ ? ଜେଲ୍‍ ଭିତରୁ କିପରି ସେ ଖସି ପଳାଇ ଯିବ ? ବ୍ରିଟିସ୍‍ ସରକାର ପାଞ୍ଚ ବର୍ଷ କାରାବାସ ଭୋଗିବାକୁ ଆଦେଶ ଦେଇଛନ୍ତି । ପାଞ୍ଚ ବର୍ଷ ପୂର୍ଣ୍ଣ ନହେଲେ ସେ ଜେଲ୍‍ରୁ ଖଲାସ ହୋଇ ପାରିବନି ।

 

ବୋଉକୁ କ’ଣ ଦେଖି ପାରିବନି ?

 

ନଳିନାକ୍ଷର ଆଖିରେ ଅଶ୍ରୁ ଜମି ଉଠିଲା ।

 

ନନ୍ଦକିଶୋର ଓ ଅନ୍ୟାନ୍ୟ ସହବନ୍ଦୀମାନେ ନଳିନାକ୍ଷର ମନୋଭାବ ଲକ୍ଷ୍ୟ କରିପାରି ଚିଠିଟିକୁ ତା’ ହାତରୁ ନେଇ ପଢ଼ିବାକୁ ଲାଗିଲେ । ତାକୁ କି ସାନ୍ତ୍ୱନା ଦେବେ ? କିଭଳି ଭାବେ ପ୍ରବୋଧନା ଦେଇ ଆସନ୍ନ ଦୁଃଖରୁ ତାକୁ ମୁକ୍ତ କରିବେ ? ଜନନୀର ଦୁଃଖରେ କେଉଁ ସନ୍ତାନର ହୃଦୟ ମୁହ୍ୟମାନ ହୋଇ ନ ଉଠିବ ?

 

ନନ୍ଦକିଶୋର କହିଲା–ତମେ ନିରୁପାୟ ନଳିନାକ୍ଷ ଭାଇ । ମାତାର ଏ ଦୁର୍ଦ୍ଦିନରେ ତମେ ଆଜି ଜେଲରେ । ନୀଳିମା ଭଳି ପିଲା ଲୋକ ଆତଙ୍କିତ ହୋଇ ଉଠିବା ସ୍ୱାଭାବିକ । ତମେ ତାକୁ ବୁଝାଇ ସୁଝାଇ ଚିଠି ଲେଖ । ଚିକିତ୍ସା କରିବା ପାଇଁ ସେ ଗୁରୁତ୍ୱ ଦେଉ ।

 

ନଳିନାକ୍ଷ ବ୍ୟଥିତ ହୃଦୟରେ ନିଜେ ରହୁଥିବା କୋଠରୀ ଭିତରକୁ ଚାଲିଗଲା । ସେ ଚିଠି ଲେଖିବ । ନୀଳିମାକୁ ନିଶ୍ଚୟ ବୁଝାଇ ସୁଝାଇ ଚିଠି ଲେଖିବ । ବୋଉର ଯଥୋଚିତ ସେବା, ଯତ୍ନ ଓ ଚିକିତ୍ସା ନେବାପାଇଁ ତା’ ପାଖକୁ ନ ଲେଖିଲେ, ସେ ଯଦି ତା’ର ଅଜ୍ଞତାବଶତଃ ଅବହେଳା କରି ବସେ, ବୋଉ ହୁଏତ ବଞ୍ଚିବନି । ସ୍ଵାଧୀନ ଭାରତର ମୁକ୍ତ ସିପାହୀ ହୋଇ ଜେଲ୍‍ରୁ ଫେରିଲା ବେଳକୁ ବୋଉକୁ ସେ ଯଦି ସାକ୍ଷାତ କରି ନପାରେ, ସ୍ଵାଧୀନ ଭାରତର ଗୌରବ ଓ ମୂଲ୍ୟବୋଧ ପୂର୍ଣ୍ଣ ପ୍ରାଣରେ ସେ ହୁଏତ ଉପଭୋଗ କରି ପାରିବନି ।

 

ବାହାରେ ପୌଷର ଅପରାହ୍ନ ଧୂସର ପଡ଼ି ପଡ଼ି ଆସୁଥିଲା । ନଳିନାକ୍ଷର ସହବନ୍ଦୀମାନେ, ଅଶାନ୍ତ ଓ ବିଚଳିତ ହୃଦୟରେ ପରସ୍ପରକୁ ଚାହିଁ ରହିଥିଲେ ।

 

ମାଘ ମାସର ଏକ ଶୀତାର୍ତ୍ତ ରାତ୍ରି.....

 

ରାଧାମଣି ଆଉ ବେଶି କଥାବାର୍ତ୍ତା କରିପାରୁ ନାହାନ୍ତି । ଦେହ ଅବଶ, କ୍ଳାନ୍ତ ହୋଇ ପଡ଼ିଲେଣି । କଥା କହିଲା ବେଳକୁ ସେ ଭୀଷଣ ଯନ୍ତ୍ରଣା ଅନୁଭବ କରୁଛନ୍ତି । ପାଟିରେ ପାଣି ଦେଲା ବେଳକୁ, ସେ ଆଉ ପିଇପାରୁ ନାହାନ୍ତି ।

 

ନୀଳିମା ହତାଶ ହେଲା । ତା’ର ଆଖି ଆଗରେ ନାଚି ନାଚି ଉଠିଲା ଦୁର୍ଦ୍ଦିନର ଶତ ଜ୍ୟୋତିରିଙ୍ଗଣ, ଅଶୁଭ ସଂକେତର ବାର୍ତ୍ତା ବହନ କରି । ସେ କିଂକର୍ତ୍ତବ୍ୟବିମୂଢ଼ । ତା’ର ଭାବନା ନାହିଁ । ଆଶା ନାହିଁ । ସ୍ଵପ୍ନ ହଜି ଯାଇଛି ।

 

ବୋଉର ଆଜି ଏ କି ଅବସ୍ଥା ? କଥା କହୁଛି ଟାଣି ଓଟାରି ହୋଇ । ଦେହ, ହାତ ଧୀରେ ଧୀରେ ଶୀତଳ ପଡ଼ି ପଡ଼ି ଆସୁଛି । ସଞ୍ଚାଳନ ଶକ୍ତି ସତେ ଯେପରି ଲୋପ ପାଇ ଯାଉଛି ।

 

ବୋଉ କ’ଣ ବଞ୍ଚିବ ନାହିଁ ? ଜୀବନ ପାତ୍ରରୁ ସବୁତକ ମଧୁ ନିଗାଡ଼ି ଯେଉଁ ଦୁଇଟି ସନ୍ତାନ ସୃଷ୍ଟି କରିଥିଲା, ସେଇ ଦୁଇଟି ଅସହାୟ ସୃଷ୍ଟିକୁ ଏଡ଼େ ଶୀଘ୍ର କ’ଣ ଛାଡ଼ି ଚାଲିଯିବ ଆର ପୁରୀକୁ ? ତା’ର କ’ଣ ଲୋଭ ନାହିଁ ? ମମତା ନାହିଁ ? ସରାଗ ନାହିଁ ? ସ୍ନେହ, ଶ୍ରଦ୍ଧା ଓ ଆଦର ସୋହାଗ, ଏଡ଼େ ଶୀଘ୍ର ସେ କ’ଣ ତୁଟାଇ ଦେଇ ଚାଲିଯିବ ?

 

ସେ ଦିନ ସେ କହୁଥିଲା–ବାପା ଡାକୁଛନ୍ତି ତାକୁ ବାରମ୍ବାର ହାତ ହଲାଇ । ମାତ୍ର ବାପାଙ୍କର ସେଇ ସଶ୍ରଦ୍ଧ ଓ ପ୍ରେମପ୍ରବଣ ଆହ୍ୱାନରେ ଟିକିଏ ହେଲେ ମୁଗ୍ଧ ନ ହୋଇ, ନିଜ ପୁଅ ଝିଅଙ୍କର ମଙ୍ଗଳ ସକାଶେ ଧରାପୃଷ୍ଠରେ ବଞ୍ଚି ରହିବା ପାଇଁ ସେ ଯେଉଁ ଆକୁଳ ଆବେଦନ, ନିବେଦନ କରି ବାପାଙ୍କୁ ବୁଝାଇବାକୁ, ସ୍ଵପ୍ନରେ ଚେଷ୍ଟା କରିଥିଲା, ଏଡ଼େ ହଠାତ୍‍ ସେ ସ୍ୱର ବଦଳାଇ ତାଙ୍କର ସହଯାତ୍ରିଣୀ ହେବାକୁ କିପରି ମନ ବଳାଇଛି ?

 

ଅନେକ ଦିନ ତଳେ ବାପା, ଭାଇ ଓ ତା’ ପ୍ରତି ଅନ୍ୟାୟ ଆଚରଣ କରି, ଧରାପୃଷ୍ଠରୁ ଅତି ଅଭିମାନରେ ବିଦାୟ ନେଇ ଯାଇଥିଲେ । କିନ୍ତୁ ବୋଉ, ସବୁ ଦୁଃଖ କଷ୍ଟକୁ ପିଠିରେ ମାରି, ସେ ଦୁହିଁଙ୍କୁ ମଣିଷ କରିଥିଲା । ମାତ୍ର ଦୁହେଁଯାକ ପୂର୍ଣ୍ଣ ମଣିଷ ରୂପେ ରୂପାନ୍ତରିତ ନହେବା ପୂର୍ବରୁ, ବାପା ସ୍ଵର୍ଗରେ ଥାଇ ବୋଉକୁ ତାଙ୍କରି ପରି ଅନ୍ୟାୟ ଆଚରଣ କରିବାକୁ ସଂକେତ ଦେଉଛନ୍ତି । ତାଙ୍କ ପଥ ଅନୁସରଣ କରିବା ପାଇଁ ବାରମ୍ବାର ନିର୍ଦ୍ଦେଶ ଦେଉଛନ୍ତି । କାହିଁକି ?

 

ନିଜ ଝିଅ ପୁଅ ପ୍ରତି ତାଙ୍କର କ’ଣ ଲୋଭ ନାହିଁ ? ଆଶୀର୍ବାଦ ଓ କଲ୍ୟାଣ ନାହିଁ ?

 

ନୀଳିମା ମନେମନେ କହି ଉଠିଲା–ହେ ମୋର ସ୍ଵର୍ଗବାସୀ ପିତା ! ତମ ପାଖକୁ ବୋଉକୁ ନେବାପାଇଁ ଆଉ ଚେଷ୍ଟା କରନାହିଁ । ଆମେ ମଣିଷ ହୋଇନାହୁଁ । ସଂସାର-ସଂଗ୍ରାମରେ ସମ୍ମୁଖୀନ ହେବାପାଇଁ ଏବେ ମଧ୍ୟ ଆମର ଶକ୍ତି ଆସିନାହିଁ । ଦୁଇଟି ଅସହାୟ ଶିଶୁଭଳି, ଆମେ ଦୁହେଁ ମାତୃକୋଳରେ ବଢ଼ି ଚାଲିଛୁଁ ।

 

ବର୍ତ୍ତମାନର ଘୋର ଦୁଃସ୍ଥିତିରେ ଆମ ପାଖେ ବୋଉ ଯଦି ନ ରହିବ, ଆମେ ତା’ହେଲେ ଭାସିଯିବୁ । ଭାଇ ବର୍ଷେ ହେଲା ଜେଲରେ । ଦେଶ କେଉଁ ଦିନ ସ୍ଵାଧୀନତା ଲାଭ କରିବ କିଏ ଜାଣେ ? ସ୍ଵାଧୀନତା ଲାଭ ହେବାର ନିଶ୍ଚିତ ଖବର ଜାଣି ସାରିଲା ପରେ, ବ୍ରିଟିସ୍‍ ସରକାର ବାଧ୍ୟ ହୋଇ ସେମାନଙ୍କୁ ମୁକ୍ତ କରିବ । କିନ୍ତୁ ତା’ ପୂର୍ବରୁ ନୁହେଁ...

 

ଏଭଳି ପରିସ୍ଥିତିରେ, ତମେ ଯଦି ବୋଉକୁ ନେଇଯିବ ତମର ଏଇ ହତଭାଗିନୀ ଝିଅ ଚଳିବ କିପରି ? କାହା ପାଖରେ ମୁଣ୍ଡ ଗୁଞ୍ଜି ସେ ଦିନ ଅତିବାହିତ କରିବ ?

 

ତମେ ଥିଲ ଏ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ବାପା ! ତମେ ମାନ, ମହତ୍ତ୍ୱ, ଇଜ୍ଜତ ଓ ବୁନିଆଦି ଉପରେ ବିଶେଷ ଗୁରୁତ୍ୱ ଦେଉଥିଲା । ବୋଉକୁ ଯଦି ତମ ପାଖକୁ ଟାଣି ନେଇଯିବ, ତମ ବଂଶର ସେଇ ଗୌରବାବହ ବୁନିଆଦି କ’ଣ ଭୂଲୁଣ୍ଠିତ ହେବ ନାହିଁ ? ତମ କନ୍ୟା ଯଦି ଅନାଥିନୀ ହୋଇ ଉଠିବ, ସରଗର ତାରା ରୂପରେ ରହି ତମକୁ କ’ଣ ବାଧିବନି ? ତମର ଆଖିରେ ଅଶ୍ରୁ ସଞ୍ଚାର ହେବନି ?

 

ନୀଳିମା ମାଘର ସେଇ ପ୍ରଚଣ୍ଡ ଶୀତ ଭିତରେ ନିଜ ପିତାଙ୍କ ଉଦ୍ଦେଶ୍ୟରେ ପ୍ରଣିପାତ ଜଣାଇ ରାଧାମଣିଙ୍କ ଆଡ଼କୁ ଚାହିଁଲା ।

 

ସେ ବାକ୍‍ଶୂନ୍ୟ ହୋଇ ପଡ଼ିଲେ । ଆଗରୁ ଟାଣି ଓଟାରି ହୋଇ, ବହୁ କଷ୍ଟରେ ମନୋଭାବ ବ୍ୟକ୍ତ କରିପାରୁ ଥିଲେ । କିନ୍ତୁ ବର୍ତ୍ତମାନ ପାରିଲେ ନାହିଁ । ହାତ ଠାରି ନୀଳିମାକୁ ପାଖକୁ ଯିବାପାଇଁ ସଂକେତ ଦେଲେ ।

 

ନୀଳିମା ରାଧାମଣିଙ୍କ ପାଖକୁ ଗଲା ।

 

ମାତ୍ର ଏ କ’ଣ ? ବୋଉ ଯେ କଥା କହିପାରୁ ନାହିଁ ? ଗୋଡ଼, ହାତ ଅପେକ୍ଷାକୃତ ଶୀତଳ ପଡ଼ି ପଡ଼ି ଆସୁଛି ? ଔଷଧ ଏତେ ଖାଇ କ’ଣ କିଛି ଫଳ ଫଳିଲା ନାହିଁ ।

 

ଏତେ ସେବା, ଚିକିତ୍ସା ଓ ଯତ୍ନ ତା’ର କ’ଣ ପାଣିରେ ପଡ଼ିବ ? ରୋଗୀର ରୋଗକୁ ଡାକ୍ତରର ଔଷଧ ଦୂର କରାଏ । ମାତ୍ର ବୋଉର କ’ଣ କିଛି ହେଲା ନାହିଁ ?

 

ଓଃ, ପାଖରେ କେହି ଯେ ନାହାନ୍ତି ! ପ୍ରତିଦିନ ପଡ଼ିଶା ଘରର ସ୍ତ୍ରୀଲୋକମାନେ ରାତିରେ ଆସି ବୋଉକୁ ଦେଖି ଶୁଣି ଯାଆନ୍ତି । ଚିକିତ୍ସା କରିବା ପାଇଁ ନା ନା ଉପଦେଶ ଦେଇ ଯାଆନ୍ତି । ମାତ୍ର ଆଜି, ବୋଉ ଯେତେବେଳେ ଦାରୁଣ ଯନ୍ତ୍ରଣାରେ ସଢ଼ି ଯମରାଜ ସହିତ ପ୍ରାଣମୂର୍ଚ୍ଛା ଲଢ଼େଇ କରୁଛି, ସେତେବେଳେ ପଡ଼ିଶା ଘରର କୌଣସି ସ୍ତ୍ରୀଲୋକ ଟିକିଏ ଆସୁ ନାହାନ୍ତି ।

 

ଗଭୀର ରାତିରେ, ବୋଉକୁ ମୃତ୍ୟୁ ଶଯ୍ୟାରେ ଛାଡ଼ିଦେଇ ଆଉ କାହା ପାଖକୁ ଯିବ ? କାହାକୁ ଆସିବା ପାଇଁ ଡାକିବ ? ମାଘ ମାସର ଶୀତ ଆଜି ପ୍ରବଳ ହୋଇଛି । ସମସ୍ତେ କବାଟ କିଳି ଘର ଭିତରେ ପଶିଛନ୍ତି । ସେ ନିଜେ ଯାଇ କାହାକୁ ଡାକିଲେ ସିନା, ସେମାନେ ଆସିବେ ? ନହେଲେ ସେମାନେ କ’ଣ ଆପେ ଆପେ ଆସିବେ ? ସେ କିପରି ଯିବ ? ମୃତ୍ୟୁ ଶଯ୍ୟାରେ ଛାଡ଼ିଦେଇ ସେ କେଉଁଠିକୁ ଯାଇ ପାରିବନି । କାହାରିକୁ ଡାକି ପାରିବ ନାହିଁ । ସେମାନେ କେହି ନ ଆସନ୍ତୁ–ବୋଉର ମୃତ୍ୟୁ କେହି ନ ଦେଖନ୍ତୁ । ସେ କିନ୍ତୁ ରହିବ ।

 

ରାଧାମଣି ହାତ ଆଣି ନୀଳିମାର ପିଠିରେ ବୁଲାଇଲେ ।

 

ନୀଳିମା ଚାହିଁଲା ରାଧାମଣିଙ୍କୁ । ରାଧାମଣି ଚାହିଁଲେ ନୀଳିମାକୁ । ସେ ଅନେକ କଥା କହିବାକୁ ଚେଷ୍ଟା କରୁଥିଲେ ମଧ୍ୟ, ତାଙ୍କ କଥା କହିବାର ଶକ୍ତି କଣ୍ଠ ଦେଶରେ ମରିଗଲା ।

 

ରୁଗ୍‍ଣ, ଅଶ୍ରୁ ଢଳ ଢଳ ନୟନରେ ତାଙ୍କ ମନର ଅସରନ୍ତି ଅବ୍ୟକ୍ତ କାହାଣୀ ଢେଉ କାଟୁଥିଲା । ମାତ୍ର ସେ ସବୁ ପରିସ୍ପୁଟିତ ହୋଇପାରୁ ନଥିଲା ।

 

କିନ୍ତୁ ନୀଳିମାର ପିଠିରେ ଏପର୍ଯ୍ୟନ୍ତ ସେ ହାତ ସାଉଁଳାଇବାରେ ଲାଗିଛନ୍ତି । ସେଇ ସାଉଁଳା ହାତର ସ୍ପର୍ଶରେ, ସେ ଯେପରି ନିଜର ମନୋଭାବ ଲେଖିଦେଇ, ଆଙ୍କିଦେଇ ଚାଲିଛନ୍ତି ।

 

ହଠାତ୍‍ ହାତ ସାଉଁଳା ବନ୍ଦ ହୋଇଗଲା । ରାଧାମଣି ସେଇ ହାତଟିକୁ ଆଣି ନୀଳିମାକୁ ଦେଖାଇ ହାତ ଠାରିଲେ ।

 

ସେ ହାତ ଠାରିବାର ଅର୍ଥ କ’ଣ ? ସେ ହାତ ଠାରିବାର ମାର୍ମିକ ଅର୍ଥ ଆଉ କ’ଣ ଥାଇପାରେ ? ହାତ ଠାରି ସେ କହୁଛନ୍ତି–ମୁଁ ଚାଲିଲି ନୀଳିମା । ତୋ ବାପା ମତେ ଆଉ ରଖାଇ ଦେଲେ ନାହିଁ । ସେ ମୋତେ ସଙ୍ଖୋଳି ନେଇଯିବା ପାଇଁ ଆଗେଇ ଆସିଛନ୍ତି ବାରି ଅଗଣା ପର୍ଯ୍ୟନ୍ତ । ମୁଁ ତୋ ପାଖରୁ ବିଦାୟ ନେଇ ଚାଲିଗଲେ, ସେ ମତେ ସ୍ଵାଗତ କରିବେ । ଅଭିନନ୍ଦନ ଜଣାଇବେ । ପୁଷ୍ପମାଲ୍ୟରେ ବିଭୂଷିତ କରିବେ ।

 

ହାତ ତାଙ୍କର ପୁଣି ପ୍ରସାରିତ ହୋଇଗଲା । ନୀଳିମା ଆଡ଼ୁ ରାଧାମଣି ହସ୍ତ ଫେରାଇ ଆଣି, କାନ୍ଥ ଆଡ଼କୁ ବଢ଼ାଇଲେ ।

 

ନୀଳିମା, ମାଘର ହାଡ଼ଭଙ୍ଗା ଜାଡ଼ ଭିତରେ, ଲଣ୍ଠଣର ସୀମାବଦ୍ଧ ଆଲୋକ ଭିତର ଦେଇ ଚାହିଁଛି ରାଧାମଣିଙ୍କୁ । କାନ୍ଥ ଆଡ଼କୁ ହାତ କାହିଁକି ବଢ଼ାଇଲା ବୋଉ ? ଶୂନ୍ୟ ଦିଗକୁ ହସ୍ତ ପ୍ରସାରିତ କରି କେଉଁ କଥାର ସେ ସୂଚନା ଦେଉଛି ?

 

ଭାଇଙ୍କ କଥା ବୋଧେ ସ୍ମରଣ କରୁଛି । ଭାଇଙ୍କ କଥା ମନେ ପକାଇ କାନ୍ଥ ଆଡ଼କୁ ହାତ ଠାରୁଛି–ଦୂରରେ ଅନେକ ଦୂରରେ ଜେଲ୍‍ର ଅମୁହାଁ ଦେଉଳର ଅନ୍ଧକାର ଭିତରେ ସେ ରହି ଯାଇଛନ୍ତି । ତାଙ୍କୁ ଦେଖି ନପାରି, ସେ ବ୍ୟଥିତ ହେଉଛି । ଜ୍ୟୋତିହୀନ, ପାଣ୍ଡୁର ଆଖି ତୀରରେ ଅଶ୍ରୁ ଉଛୁଳି ଉଠୁଛି ।

 

ମୃତ୍ୟୁ ଶଯ୍ୟାରେ ପୁଅକୁ ଦେଖି ନପାରି, ଅତି ଅସହାୟ ଭାବେ ବୋଉ କାନ୍ଦି ଉଠୁଛି । ସେ ଯଦି ମୃତ୍ୟୁ ଶଯ୍ୟାରେ ଶୋଇ ନଥାନ୍ତା, ତା’ହେଲେ ବର୍ତ୍ତମାନ ଗଳା ଫଟାଇ ହୁଏତ କାରୁଣ୍ୟର ଧ୍ୱନି ଉଠାଇଥାନ୍ତା । ମାତ୍ର ଭଗବାନ ସେ ଶକ୍ତି ତା’ଠାରୁ ଛଡ଼ାଇ ନେଇଛନ୍ତି ।

 

ସତରେ କ’ଣ ବୋଉ ବଞ୍ଚିବ ? ମୃତ୍ୟୁ ସଙ୍ଗେ ଲଢ଼ି ଲଢ଼ି ବିଜୟ ହାସଲ କରିବ ? ଦିନବେଳେ ଡାକ୍ତର ଆସିଥିଲେ–ପଚିଶି ଟଙ୍କା ଫିଜ୍‍ ନେଇ ଚାଲିଗଲେ । କହୁଥିଲେ–ଏ ତାଙ୍କର ଶେଷ ଅବସ୍ଥା ନୀଳିମା ଦେବୀ । ଯଦି ଔଷଧ ଖାଉ ଖାଉ, ସୌଭାଗ୍ୟବଶତଃ ବଞ୍ଚି ଯାଆନ୍ତେ, ତା’ହେଲେ ବଞ୍ଚିଯିବେ । ନ ହେଲେ......

 

ଡାକ୍ତର ଆଉ କିଛି ନକହି ଚାଲିଗଲେ । ଟଙ୍କା ତ କାହିଁ ଫେରାଇ ଦେଇଗଲେ ନାହିଁ ! ରୋଗୀକୁ ଆରୋଗ୍ୟ ନ କରି, ଖୁବ୍‍ ସହଜରେ ସେମାନେ ପକେଟରେ ଟଙ୍କା ରଖି ପାରନ୍ତି । ମୃତ୍ୟୁ ଶଯ୍ୟାରେ ରୋଗୀ ଶୋଇଥିବା ବେଳେ, ରୋଗୀର ସମ୍ପର୍କୀୟ ଲୋକଙ୍କର ହାଡ଼କୁ ଶକୁନି ପରି ପଳେ ପଳେ ସେମାନେ ଖାଇ ଯାଆନ୍ତି ।

 

ନୀଳିମାର ହଠାତ୍‍ ନଜର ପଡ଼ିଲା ଔଷଧ ଶିଶି ଉପରେ । ଏତିକିବେଳେ ବୋଉକୁ ପାନେ ଔଷଧ ଖୁଆଇ ଦେଲେ ଚଳିବ । ଔଷଧ ପାନେ ଖୁଆଇ ଦେଲେ ମୃତ୍ୟୁ ସହିତ ଲଢ଼ିବାକୁ ବୋଉର ହୁଏତ ଶକ୍ତି ସଞ୍ଚିତ ହୋଇ ପାରିବ ।

 

ଡାକ୍ତର ଅର୍ଥ ନେଇ ଯେତେବେଳେ ଔଷଧ ଦେଇଛି, ସେ ଔଷଧ ଅକାରଣରେ ଥୁଆ ହୋଇ ରହିବ କାହିଁକି ? ତା’ର ସଦୁପଯୋଗ ହେବା ବାଞ୍ଛନୀୟ, ବିଧେୟ ।

 

ନୀଳିମା ଟେବୁଲ୍‍ ଉପରୁ ଔଷଧ ଶିଶିଟିକୁ ଆଣିବାକୁ ଉଠିଗଲା ।

 

ଶିଶିରୁ, ଛୋଟ ଗ୍ଲାସକୁ, ତରଳ ଔଷଧ ସେ ଗଡ଼ାଇଲା । ଧୀରେ ଧୀରେ ରାଧାମଣିଙ୍କ ପାଖକୁ ଆସି ତାଙ୍କ ମୁହଁ ପାଖକୁ ନେବାକୁ ଯାଉଛି, ରାଧାମଣି ଏକ ଦୀର୍ଘନିଃଶ୍ୱାସ ପକାଇଲେ । ସେହି ନିଃଶ୍ୱାସର ଚାପ ଫଳରେ ତାଙ୍କ ପାଟିରୁ ବାହାରି ଆସିଲା ଦୁଇ ଝଲକା ଲହୁ ।

 

ସେ ଆଖି ଖୋସିଦେଲେ । ଗୋଡ଼ ହାତ ପଥର ପାଲଟିଲା, ନିଃଶ୍ୱାସ ବନ୍ଦ ହୋଇଗଲା-। କାଷ୍ଠ ପାଷାଣ ପରି ନିର୍ଜୀବ ହୋଇ ସେ ପଡ଼ିରହିଲେ । ସବୁ ଶୂନଶାନ୍‍ । ନୀରବ ନିସ୍ପନ୍ଦ-

 

ନୀଳିମାର ହାତରୁ ଔଷଧ ଗ୍ଲାସଟି ଖସିପଡ଼ି ଚୁର୍‍ମାର୍‍ ହୋଇଗଲା ।

 

ସେ ଅକସ୍ମାତ ହାଉଳି ଖାଇ ‘ବୋଉ’ ‘ବୋଉ’ ବୋଲି ଡାକିଲା । ରାଧାମଣିଙ୍କ ମୃତ ଶରୀରକୁ ଏପଟ ସେପଟ ହଲାଇଲା । ମାତ୍ର ରାଧାମଣି ସୁପ୍ତ, ନିଷ୍କ୍ରିୟ, ମୂକ, ବଧିର, ସ୍ପନ୍ଦନହୀନ । ପୃଥିବୀର ଲକ୍ଷ ଚାରି କୋଟି ଜନତା ଆଜି ଯଦି ଆସି ସମସ୍ଵରରେ ତାଙ୍କୁ ଡାକନ୍ତି, ତାଙ୍କର ନିଦ ଭାଜିବ ନାହିଁ । କୁମ୍ଭକର୍ଣ୍ଣର ନିଦ୍ରାଠାରୁ ତାଙ୍କ ନିଦ୍ରା ବ୍ୟାପକ–ବିଶାଳ । ପବିତ୍ର । ସୁନ୍ଦର । ମହନୀୟ-

 

ନୀଳିମା ବିକଳ ହୋଇ, ରାଧାମଣିଙ୍କ ସେଇ ମୃତ ଶରୀର ଉପରେ ମୁଣ୍ଡ ବାଡ଼େଇବାରେ ଲାଗିଲା ।

ମାଘ ମାସର ଶୀତଳ ଇଥରରେ, ନୀଳିମାର କାତର କ୍ରନ୍ଦନ ଭାସିଗଲା । ସାହି ଲୋକେ ନିଦରୁ ଉଠି ପଡ଼ିଲେ ।

ନୀଳିମା କାନ୍ଦୁଛି ବିକଳ ହୋଇ–ବାହୁନି ବାହୁନି । ପଡ଼ିଶା ଘରର ଝିଅ, ବୋହୂ ଧୀରେ ଧୀରେ ଜମି ଉଠିଲେଣି । ସବୁରି ମୁହଁରେ କାଳିମାର ଘନଛାଇ । ଆଖିରେ ଅଶ୍ରୁର ଉଦ୍‍ଗତ ଇସାରା ।

ନୀଳିମା କାନ୍ଦୁଛି । ତା’ର ବିକଳ କାନ୍ଦଣା ବେଳୁବେଳ କରୁଣ ଓ ମର୍ମ ବିଦାରୀ ହୋଇ ଉଠୁଛି.....

ବାହାରେ ହୋଇଛି ମାଘ ମାସର ବୁକୁଥରା ଶୀତ ପ୍ରବଳ ।

ନଳିନାକ୍ଷର ତିନି ଦିନ ହେଲା ମନ ଭଲ ରହୁନାହିଁ । ତା’ର ବନ୍ଦୀ ଜୀବନର ସ୍ୱାଭାବିକ ଚଳଣି ସତେ ଯେପରି ଅସ୍ୱାଭାବିକ ଓ ବେସୁରା ହୋଇ ଯାଇଛି ।

ବାରମ୍ବାର ତା’ର ମନେପଡ଼ି ଯାଉଛି ସେଇ ବୋଉର କଥା–ଜନ୍ମଦାତ୍ରୀ ମାଆର କଥା । ଯେଉଁଦିନ ଗଭୀର ନିଶୀଥରେ, ସେ ଯାଇ ହଠାତ୍‍ ଘରେ ପହଞ୍ଚି ଗଲା, ସେ ଦିନ ତା’ର ମଳିନ, ଶ୍ରୀହୀନ ରୂପ ଦେଖି ସେ ବ୍ୟସ୍ତ, ବିବ୍ରତ ଓ ବିକଳ ହୋଇ ଉଠିଥିଲା । ଗଭୀର ନିଶୀଥର କଳା ଅନ୍ଧାରକୁ ଭୟ କରି, ତାକୁ ନ ଛାଡ଼ିବା ପାଇଁ ମଧ୍ୟ କହିଥିଲା ।

 

ସେଇ ମାଆ ରୋଗ ଶଯ୍ୟାରେ ପଡ଼ିଛି ? କ’ଣ ତା’ର ହେଲା ? ସେ କ’ଣ ଆରୋଗ୍ୟ ହୋଇଗଲା ? ଅବସ୍ଥାରେ ତା’ର ଉନ୍ନତି ହେଲା କି ନାହିଁ ? କିଏ ତା’ର ଚିକିତ୍ସା କରୁଛି ? ନୀଳିମା ଏପର୍ଯ୍ୟନ୍ତ ବି ଉତ୍ତର ଦେଲା ନାହିଁ ।

 

ସେ ଦିନର ଅପରାହ୍ନରେ ଏକାକୀ, ଜେଲ୍‍ ଅଗଣାରେ ନଳିନାକ୍ଷ ଘୂରୁଥିଲା । ମନ ତା’ର ଚିନ୍ତାର ମେଘରେ ଆଚ୍ଛାଦିତ ।

 

ଜେଲ୍‍ ଓ୍ୱାଡ଼ର ହାତରେ ଚିଠିଟିଏ ଧରି ତା’ ଆଡ଼କୁ ଯାଉଥିଲା ।

 

ନଳିନାକ୍ଷର ହଠାତ୍‍ ନଜର ପଡ଼ିଲା ସେଇ ଓ୍ୱାଡ଼ର ଉପରେ । ହାତରେ ତା’ର ଚିଠି । ତା’ ଚିଠି ଧରି ଓ୍ୱାଡ଼ର ଆସୁଛି କି ଆଉ ?

 

ନଳିନାକ୍ଷ ସେଇ ଓ୍ୱାଡ଼ର ଆଡ଼କୁ ଧୀରେ ଧୀରେ ଆସିଲା–ଓ୍ୱାଡ଼ର ଅଳ୍ପ ଦୂରରୁ କହିଲା–ଆପଣଙ୍କର ଚିଠି ଆସିଛି ନଳିନାକ୍ଷ ବାବୁ । ନିଅନ୍ତୁ ।

 

ନଳିନାକ୍ଷ ସେତେବେଳକୁ ଓ୍ୱାଡ଼ର ପାଖରେ ପହଞ୍ଚି ଯାଇଥିଲା । ସେ ତା’ ହାତକୁ ଚିଠି ବଢ଼ାଇ ଦେଇ ପୁଣି ଚାଲିଗଲା ।

 

ନୀଳିମା ଚିଠି ଦେଇଛି । ବୋଉର ଖବର ସେ ନିଶ୍ଚୟ ଲେଖିଥିବ ।

 

ନଳିନାକ୍ଷ ଚିଠିଟି ସଙ୍ଗେ ସଙ୍ଗେ ଖୋଲି ବସିଲା । ନୀଳିମା ଲେଖିଥିଲା ।

 

ଭାଇ,

 

ଆମର ଜନ୍ମଦାତ୍ରୀ କରୁଣାମୟୀ ବୋଉ ଆଜିକୁ ଦୁଇଦିନ ହେଲା, ଆମକୁ ଛାଡ଼ିଦେଇ ଆର ପୁରୀକୁ ଚାଲିଗଲା । ରୋଗରୁ ମୁକ୍ତ କରିବା ପାଇଁ ଯେତେ ଚେଷ୍ଟା କଲି, ଔଷଧ ଖୁଆଇଲି, ଡାକ୍ତରଙ୍କୁ ଆଣି ଯେତେ ଇଞ୍ଜେକ୍‍ସନ୍‍ ଦିଆଇଲି, ସେ ସବୁ ବୃଥାରେ ପରିଣତ ହେଲା । ସେ ଦିନ ଗଭୀର ରାତ୍ରିରେ, ମୋରି ପାଖରେ ଶୋଉ ଶୋଉ ସେ ଚିରଦିନ ପାଇଁ ଆଖିବୁଜି ଦେଲା ।

 

ସେ ଦିନ କାନ୍ଦି କାନ୍ଦି ଅଧୀର ହୋଇଗଲି । ହେଲେ ମୋ ବିକଳ କାନ୍ଦଣା ତା’ କାନରେ ବାଜିଲାନି । ବୋଉ, ବୋଉ ବୋଲି ଡାକି ଗଳା ଫଟାଇ ଦେଲି–ଏକପ୍ରକାର ବାୟାଣୀ ହୋଇ ଉଠିଲି । ବୋଉ କିନ୍ତୁ କଥା କହିଲାନି । ବୋଉର ସେ ଅଭିମାନ ଭାଙ୍ଗିଲାନି । ସେ ଚିରଦିନ ପାଇଁ ଅଭିମାନ କରି ଆମ ପାଖରୁ ଚାଲିଗଲା ।

 

ମୃତ୍ୟୁ ବେଳକୁ ତମ କଥା ମନେ ପକାଇ, ହାତ ଆଙ୍ଗୁଳି ଠାରି ମତେ ସଂକେତ ଦେଲା । ମୁଁ ବୁଝି ପାରିଲି । ତମ କଥା ମନରେ ପକାଇ ମୃତ୍ୟୁକାଳୀନ ଆଖି ତା’ର ଆର୍ଦ୍ର ହୋଇଗଲା ।

 

ବୋଉର ସେ ମର ଶରୀର ଆଉ ନାହିଁ । ବଡ଼ଖୁଆ ପଡ଼ିଆର ଶ୍ମଶାନ ଜୁଇ ଭିତରେ ପୋଡ଼ି ଜାଳି ସେ ପାଉଁଶ ହୋଇ ଯାଇଛି । ତା’ର ଚାଲି, କଥା, ହସ ଓ କାନ୍ଦ ଆମ ଘରର ପ୍ରତିଟି ଧୂଳିକଣା ଭିତରେ ଯେପରି ଅମର ସ୍ଵାକ୍ଷର ହୋଇ ରହି ଯାଇଛି ।

 

ତମେ ନାହଁ । ତମେ କାହିଁ କେତେ ଦୂରରେ । ପାଖରେ ଥିଲେ ତମକୁ ହୁଏତ ମୃତ୍ୟୁ ବେଳକୁ ଅନେକ କଥା ସେ କହି ଯାଇଥାଆନ୍ତା । ସେ ହତଭାଗିନୀ କି ତମେ ହତଭାଗା, ସେ କଥା ତମେ ବିଚାର କରିବ । କିନ୍ତୁ ମୁଁ ତା’ର ମୁଖାଗ୍ନି ଦେଇଛି । ତା’ର ସ୍ୱର୍ଗତଃ, ଅମର ଆତ୍ମାକୁ ଶାନ୍ତ କରିବା ଉଦ୍ଦେଶ୍ୟରେ ପୁଅ ଭଳି ମୁଁ ସବୁ ପ୍ରକାର ବ୍ୟବସ୍ଥା କରୁଛି ।

 

ବୋଉର ମୃତ୍ୟୁ ବେଳକୁ ମୋ ପାଖରେ ଅଧଲାଟିଏ ସୁଦ୍ଧା ନଥିଲା । ବିକ୍ରମ ବାବୁ ଦୟା ପରବଶ ହୋଇ ମୋର ଯାହା ଖର୍ଚ୍ଚ କରିବାର ଦରକାର ପଡ଼ୁଛି, ଅମ୍ଳାନ ବଦନରେ ଦେଇ ଦେଉଛନ୍ତି ।

 

ମୁଁ ବର୍ତ୍ତମାନ ଆମ ଘରେ ନାହିଁ । ବୋଉ ମଲା ପରେ ଏଡ଼େ ବଡ଼ ବିରାଟ ଖଞ୍ଜାଟା ଖାଲି ଖାଁ ଖାଁ ଗୋଡ଼ଉଛି । ଭୟ ଲାଗୁଛି । ବିକ୍ରମ ବାବୁ, ତାଙ୍କ ଝିଅ ଜ୍ୟୋତ୍ସ୍ନାକୁ ପଠାଇ ମତେ ତାଙ୍କ ଘରକୁ ନେଇ ଆସିଛନ୍ତି । ସୁରୁଖୁରୁରେ ଏବଂ ଆଡ଼ମ୍ବର ସହକାରେ ଦଶାହ କାର୍ଯ୍ୟ ସମାପନ କରିବା ପାଇଁ ସେ ମୋତେ ସବୁ ପ୍ରକାର ସାହାଯ୍ୟ କରୁଛନ୍ତି ।

 

ମୁଁ ଜାଣେନାହିଁ ଏହି ସ୍ୱେଚ୍ଛାକୃତ ଦାନ ପଛରେ ତାଙ୍କର କିଛି ଅଭିସନ୍ଧି ଅଛି କି ନାହିଁ । ମାତ୍ର ତାଙ୍କର ଯାହା କିଛି ସ୍ୱାର୍ଥ ଅଭିସନ୍ଧି ଥାଉନା କାହିଁକି, ବୋଉର ଦଶାହ କାର୍ଯ୍ୟ, ହିନ୍ଦୁ ପରମ୍ପରାର ଗଡ୍‍ଡାଳିକା କ୍ରମରେ ସାରିଦେଲେ, ଅମର କାମ ସରିଯିବ । ଆମେ କିନ୍ତୁ ଆଜି ମାତୃହରା ଭାଇ । ଅନେକଦିନ ତଳେ ବାପାଙ୍କୁ ହରାଇଥିଲେ । କିନ୍ତୁ ବୋଉଥିଲା ବୋଲି ବାପାଙ୍କ ମୃତ୍ୟୁର ଧକ୍କା, ଆମକୁ ଆଘାତ ଦେଇ ନଥିଲା । ତାଙ୍କ ଅଭାବରେ, ବୋଉକୁ ଆମେ ବାପା, ଅଭିଭାବକ, ପରିଚାଳକ ଓ ଆମର ଦିଗ୍‍ଦ୍ରଷ୍ଟା ରୂପେ ଧରି ନେଇଥିଲା । ଆଜି କିନ୍ତୁ ବାପା ନାହାନ୍ତି, ବୋଉ ନାହିଁ । ଆମେ ଦୁଇଟି ଅରକ୍ଷ, ଅନାଥ ଓ ଅସହାୟ ଶିଶୁଭଳି ବଞ୍ଚି ରହିଛେଁ । ଆମକୁ କିଏ ଦିଗ ଦେଖାଇବ ? ଆଲୋକର କଣିକା ବୁଣି ଆମ ମନର ଅନ୍ଧାରକୁ ଆଲୋକିତ କରିବ ?

ମୋ କଥା ଚିନ୍ତା କରି କରି ବନ୍ଦୀ ଜୀବନର ତମର ଅସହ୍ୟ ପରିବେଶ ଆହୁରି ଦୁର୍ବହ ହୋଇ ଉଠୁଥିବ । କିନ୍ତୁ ମୋ’ପାଇଁ ଭାଇ, ତମେ ଚିନ୍ତା କରିବନି । ଚିନ୍ତା କଲେ, ଜେଲ୍‍ ଭିତରେ ତମର ସ୍ୱାସ୍ଥ୍ୟ ଭାଙ୍ଗିଯିବ । ମୁଁ କିନ୍ତୁ ତମେ ଜେଲ୍‍ରୁ ଖଲାସ ହୋଇ ଆସିଲା ପର୍ଯ୍ୟନ୍ତ, ଦୁଃଖ କଷ୍ଟ ଭିତରେ ମୁଣ୍ଡପାତି ଗତି କରିବି । ସଂସାରରେ ବଞ୍ଚି ରହିବା ପାଇଁ ଅସାଧ୍ୟ ସାଧନ କରିବାକୁ ଚେଷ୍ଟା ଚଳାଇବି-। ଯଦି ଭଗବାନ ମୋ ଜୀବନ ଯାତ୍ରା ପଥରେ ସହାୟକ ହୋଇ ଠିଆହେବେ, ତା’ହେଲେ ମୋର କିଛି ଭୟନାହିଁ ଭାଇ । ଯେତେଦିନ, ଯେତେ ମାସ ଆଉ ଯେତେ ବର୍ଷ ବିତିଗଲେ ମଧ୍ୟ, ତମ ଆସିବା ବାଟକୁ ମୁଁ ଅପେକ୍ଷା କରି ରହିବି । ତମ ଚିର ଇପ୍‍ସିତ ସ୍ୱାଧୀନତାର ସୂର୍ଯ୍ୟକୁ ଦୂର ଦିଗ୍‍ବଳୟରେ ଲକ୍ଷ୍ୟ କରିବା ପାଇଁ, ଅତି ଧୈର୍ଯ୍ୟର ସହିତ ମୁଁ ଅପେକ୍ଷା କରିବି ।

ମୋ ଭବିଷ୍ୟତ ନିରାପତ୍ତା ସମ୍ପର୍କରେ ତମେ ନିଶ୍ଚିନ୍ତ ରହ ଭାଇ । ମୁଁ ମୋ ପ୍ରତିଜ୍ଞାରେ ଅଟଳ ରହିବି । ମୋ ବଂଶମର୍ଯ୍ୟାଦା ଓ ବାପା ବୋଉଙ୍କର ମାନ, ସମ୍ମାନକୁ ନିଶ୍ଚୟ ଅକ୍ଷୁଣ୍ଣ ରଖିବି ।

 

ଆଉ କ’ଣ ଅଧିକ ଲେଖିବି ? ଜନନୀର ଦୁଃଖ ମନରୁ କେବେ ଦୂରେଇ ଯିବ, ସେ କଥା ଭାବି କିଛି ସ୍ଥିର କରି ପାରୁନି । ତମେ ମୋ’ପାଇଁ କିଛି ଚିନ୍ତା କରିବନି । ପ୍ରତି ସପ୍ତାହରେ ମୋତେ ଚିଠି ଲେଖୁଥିବ । ମୁଁ ମଧ୍ୟ ପ୍ରତି ସପ୍ତାହରେ ତମ ପାଖକୁ ଚିଠି ଲେଖିବି ।

 

ତମର

ନୀଳିମା

 

ନଳିନାକ୍ଷର ମୁଣ୍ଡ ଉପରେ ସତେ ଯେପରି ଆକାଶ ଛିଡ଼ି ପଡ଼ିଲା । ଜେଲ୍‍ ଭିତରର ସେଇ ବଗିଚା ଭିତରେ ବସିପଡ଼ି ଭୋ ଭୋ ହୋଇ ଅସହାୟ ଭାବେ କାନ୍ଦି ଉଠିଲା ସେ ।

 

ନନ୍ଦକିଶୋର ଓ ଅନ୍ୟମାନେ ନଳିନାକ୍ଷର ସେଇ କାନ୍ଦଶୁଣି ତା’ ପାଖକୁ ଦଉଡ଼ି ଦଉଡ଼ି ଆସିଲେ । ଗଭୀର ଦୁଃଖ ଓ ଆବେଗରେ ସେମାନଙ୍କ ସହିତ ସେ କଥାବାର୍ତ୍ତା କରି ପାରିଲାନି । ହାତରେ ଧରିଥିବା ଚିଠିଟାକୁ ନନ୍ଦକିଶୋର ଆଡ଼କୁ ଫିଙ୍ଗି ଦେଲା ।

 

ନନ୍ଦକିଶୋର ଓ ଅନ୍ୟମାନେ ଚିଠିଟି ପଢ଼ିଲେ । ମାତ୍ର ଏଇ କେଇ ଦିନ ପୂର୍ବରୁ, ସେମାନେ ନଳିନାକ୍ଷର ମା ରୋଗାକ୍ରାନ୍ତ ହୋଇଥିବାର ସମ୍ବାଦ ପାଇଥିଲେ । କିନ୍ତୁ ଏଡ଼େ ହଠାତ୍‍ ସେଇ ରୋଗ ଯେ ଚିର ରୋଗରେ ପରିଣତ ହେବ, ସେ କଥା ସେମାନେ କଳ୍ପନା କରିପାରି ନଥିଲେ ।

 

ନଳିନାକ୍ଷର ସେଇ ବିକଳ କ୍ରନ୍ଦନ ଏପର୍ଯ୍ୟନ୍ତ ଥମିନାହିଁ ।

 

ଏମାନେ, ତାକୁ କି ସାନ୍ତ୍ୱନା ଦେବେ ? କି ସାନ୍ତ୍ୱନା ଦେଇ ନଳିନାକ୍ଷକୁ ଏଇ ବିକଳ କ୍ରନ୍ଦନରୁ ସେମାନେ ନିବୃତ୍ତ କରାଇବେ ? ଗର୍ଭଧାରିଣୀ ଜନନୀର ବିୟୋଗ, ଏଡ଼େ ଶୀଘ୍ର ନଳିନାକ୍ଷର ମନରୁ କ’ଣ ପାସୋର ହେବ ?

 

ନନ୍ଦକିଶୋରର ଆଖି ଅଶ୍ରୁ ସଜଳ ହୋଇ ଉଠିଲା । ରାଧାମଣିଙ୍କ ରୂପ ନାଚି ଉଠିଲା ହଠାତ୍‍ ତା’ ଆଗରେ ।

 

ପର ଆପଣା ତାଙ୍କର ନଥିଲା । ନିଜ ପୁଅକୁ ଯେଉଁ ଦୃଷ୍ଟିରେ ସେ ଦେଖନ୍ତି, ଅନ୍ୟମାନଙ୍କୁ, ନଳିନାକ୍ଷ ଭାଇଙ୍କର ସାଙ୍ଗ ସାଥୀମାନଙ୍କୁ, ସେହି ଦୃଷ୍ଟିରେ ସେ ଦେଖୁଥିଲେ । ସ୍ନେହ କରୁଥିଲ, ଶ୍ରଦ୍ଧା ଢାଳୁଥିଲେ । ମୁହଁ ଶୁଖି ଯାଇଥିଲେ, ନିଜ ଲୁଗା କାନିରେ ପୋଛି ଦେଉଥିଲେ । ସାରା ଜନନୀ ଜାତିର ସେ ଯେପରି ପ୍ରତିନିଧିତ୍ୱ କରୁଥଲେ । ସମଗ୍ର ସନ୍ତାନର ସେବା କରିବା ପାଇଁ ସେ ଯେପରି ଜନ୍ମ ହୋଇଥିଲେ ।

 

ଆଖିରୁ ଲୁହପୋଛି ନନ୍ଦକିଶୋର ନଳିନାକ୍ଷକୁ ଧରି କହିଲା–ଚାଲ ଭାଇ, ଘର ଭିତରକୁ ଚାଲ, ଭାଗ୍ୟରେ ଯାହାଅଛି, ତାହାହିଁ ଭୋଗିବାକୁ ପଡ଼ିବ । ଦେଶର ସ୍ୱାଧୀନତା ପାଇଁ ତମେ ଯେତେବେଳେ ଶିବଙ୍କ ପରି କଠୋର ସାଧନା କରୁଛ, ସେତେବେଳେ ପ୍ରାକୃତିକ ବିପର୍ଯ୍ୟୟ ଘନେଇ ଆସୁଛି । ପାରିବାରିକ ଜଞ୍ଜାଳ ଆଉରି ହୋଇ ଉଠୁଛି ବିଷାକ୍ତ । ଚାଲ, ଆମ କୋଠରୀକୁ ଫେରିଚାଲ ।

 

ନନ୍ଦକିଶୋର ନଳିନାକ୍ଷକୁ ଧରି ଜେଲ୍‍ ଭିତରର ଏକ କୋଠରୀକୁ ନେଇଗଲା । ଅନ୍ୟମାନେ ସେଇ ଦୁହିଁଙ୍କ ପଛେ ପଛେ ଚାଲିଲେ ।

 

ଦିବସର ସୂର୍ଯ୍ୟ ପଶ୍ଚିମ ଦିଗନ୍ତରେ ରାଜଯକ୍ଷ୍ମା ରୋଗୀ ପରି କାଶି କାଶି ବେଦମ୍‍ ହୋଇ ଉଠୁଥିଲା । ଆଉ ମାତ୍ର ଅଳ୍ପ ସମୟ ପରେ ତା’ର ଜୀବନ ନାଟିକା ଯେପରି ଶେଷ ହୋଇଯିବ ।

 

ନଳିନାକ୍ଷ ଜେଲ୍‍କୁ ଆସିବାର ଚାରିବର୍ଷ ପୂରିଗଲା...

 

ଜେଲ୍‍ ଭିତରେ ସ୍ୱାଧୀନତା ସଂଗ୍ରାମର ସୈନିକମାନଙ୍କର ଆଜି ଅପୂର୍ବ ଉତ୍ସାହ । ଅଭୂତପୂର୍ବ ଆନନ୍ଦ ଓ କଳରୋଳ । ଆଉ ମାତ୍ର ମାସକ ପରେ ସେମାନେ ଜେଲ୍‍ରୁ ଖଲାସ ହେବେ-। ବ୍ରିଟିସ୍‍ ସରକାର, ଏ ଦେଶର ଜନତାର ମୁଣ୍ଡରେ ଶାସନର ସୁନା କଳସ ଢାଳି ଆପଣା ଦେଶକୁ ଫେରିଯିବ ।

 

ନଳିନାକ୍ଷ ଅନ୍ୟମାନଙ୍କ ସହ ଏଭଳି ଏକ ଜାତୀୟ ଆନନ୍ଦରେ ହସି ହସି ଅଂଶଗ୍ରହଣ କରୁଛି । ଅଗଣିତ ଭାରତୀୟ ଜନତାର ପାଖେ ପ୍ରବଳ ପ୍ରତାପୀ ବ୍ରିଟିସ୍‍ ସରକାର ମୁଣ୍ଡ ନୁଆଁଇ ପାରିଛି । ତାହାହିଁ ସତ୍ୟାଗ୍ରହୀମାନଙ୍କ ପକ୍ଷରେ ଆନନ୍ଦ, ଆଶ୍ୱାସନା ଓ ଗୌରବ ।

 

ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହେବ । ତା’ର ନୂତନ ସମ୍ବିଧାନ ପ୍ରଣୀତ ହେବ । କଥା କହିବାର ସ୍ୱାଧୀନତାକୁ ସମ୍ବିଧାନ ଜାହିର୍‍ କରିବ । ନିର୍ବାଚନ ପଦ୍ଧତିରେ ଲୋକତନ୍ତ୍ର ପରିଚାଳିତ ହେବ ।

 

ଭାରତର ଜନତା, ଭାରତୀୟ ଶାସନତନ୍ତ୍ରର ଲଗାମ୍‍ ଧରି ନିୟନ୍ତ୍ରଣ କରିବେ । ରାଜା, ଜମିଦାର ଉଠିଯିବେ । ବ୍ରିଟିସ୍‍ ଶାସନର ଚିରାଚରିତ ପ୍ରଥା ଉଠିଯାଇ ନୂତନ ଭାରତରେ ନୂତନ ଶାସନ ଖସଡ଼ା ଚାଲୁ କରାଯିବ ।

 

ନଳିନାକ୍ଷର ମନ ଉଚ୍ଛନ୍ନ ହୋଇ ଉଠୁଛି । ଗାଁକୁ ଗଲେ ପୁଣି ଆରମ୍ଭ କରିଦେବ ସଂଗଠନ କାମ । ଦରିଦ୍ର, ନିପୀଡ଼ିତ ଜନତାର ପାଇଁ ସେ ପୁଣି ସେବା କରିବ, ସେମାନଙ୍କର ସାମୁହିକ କଲ୍ୟାଣ ପାଇଁ ସେ ଚିନ୍ତା କରିବ । ଦେଶରୁ ଧନୀ, ଦରିଦ୍ରର ବିରାଟ ବ୍ୟବଧାନ ଦୂର ନହେଲେ, ସ୍ୱାଧୀନ ଭାରତର କୌଣସି ମୂଲ୍ୟବୋଧ ରହିବ ନାହିଁ ।

 

ନଳିନାକ୍ଷର ମନରେ ଆଜି ଅନେକ ସ୍ୱପ୍ନ । ଅନେକ ଭାବନାର ଢେଉ ।

 

ହୃଦୟବଲ୍ଲଭ ବାବୁ ଆସିଲେ । ଓଡ଼ିଶାର ସ୍ୱାଧୀନତା ସଂଗ୍ରାମ ପାଇଁ ସେ ଅନେକ ତ୍ୟାଗ ସ୍ୱୀକାର କରିଛନ୍ତି । ବିରାଟ ଜମିଦାର । ବିଳାସ ବ୍ୟସନରେ ସେ ସମୟ ଅତିବାହିତ କରିଥାନ୍ତେ । କିନ୍ତୁ ଜାତୀୟ ଆନ୍ଦୋଳନର ଡାକରା, ଗାନ୍ଧିଜୀ; ନେହେରୁ ଓ ପଟେଲଙ୍କର ‘ଭାରତ ଛାଡ଼’ ଡାକରାର ଆଓ୍ୱାଜ୍‍ ଘନ ଘନ କାନରେ ବାଜି ତାଙ୍କୁ ପାଗଳ କରିଦେଲା ।

 

ଓଡ଼ିଶା ଜାତୀୟ ଦଳର ସେ ହେଲେ କର୍ଣ୍ଣଧାର । ନଳିନାକ୍ଷକୁ ସେ କହିଲେ–ଆଉ ମାତ୍ର ମାସକ ପରେ ଆମେ ଜେଲ୍‍ରୁ ମୁକ୍ତ ହେବା ନଳିନାକ୍ଷ ବାବୁ । କିନ୍ତୁ ଗାଁକୁ ଫେରିବା ପୂର୍ବରୁ ତମକୁ କେତୋଟି ବିଷୟରେ ମୋର କିଛି କହିବାର ଅଛି ।

 

ଭାରତର ସ୍ୱାଧୀନତା ଆଉ ବେଶିକାଳ ଡେରି ନୁହେଁ । ଭାରତୀୟ ଜନତା ହାତରେ ଶାସନ କ୍ଷମତା ଅର୍ପଣ କରି ସେମାନେ ଫେରିଯିବେ ତାଙ୍କର ସେଇ କ୍ଷୁଦ୍ର ରାଜ୍ୟକୁ । କିନ୍ତୁ ସ୍ୱାଧୀନତାର ପୂର୍ଣ୍ଣପ୍ରାପ୍ତି ପର୍ଯ୍ୟନ୍ତ ଗାଁର ଅସଂଖ୍ୟ ଅଶିକ୍ଷିତ, ଅନୁନ୍ନତ ଜନତାର ପାଇଁ ଆମମାନଙ୍କୁ ଅନେକ କିଛି କାମ କରିବାକୁ ପଡ଼ିବ । ନୈଶ ବିଦ୍ୟାଳୟ, ବସ୍ତି ସଫେଇ, ପାଠାଗାର ପ୍ରତିଷ୍ଠା, ଆଲୋଚନା ସଭା ଏବଂ ଧର୍ମ ଚର୍ଚ୍ଚା କରିବା ପାଇଁ ମଫସଲର ଶହ ଶହ ଜନତାକୁ ପ୍ରବର୍ତ୍ତାଇବାକୁ ହେବ ।

 

ଦେଶ ସ୍ୱାଧୀନ ହୋଇଗଲେ ଏ ଦେଶର ଜନତା ଯେ ସ୍ୱର୍ଗକୁ ଚାଲିଯିବେ ତା’ ନୁହେଁ । ମାତ୍ର ସେଇ ନବଲବ୍ଧ ସ୍ୱାଧୀନତାର ରକ୍ଷଣାବେକ୍ଷଣ ହେବ ସବୁଠାରୁ ଆମର ବିରାଟ କର୍ତ୍ତବ୍ୟ । ଆମ ଦେଶର ଲୋକେ ଯଦି ସଚେତନ ନହେବେ, ଦାୟିତ୍ୱବୋଧ ନ ଶିଖିବେ, ଲୋକତନ୍ତ୍ର ଶାସନକୁ ସବୁ ପ୍ରକାର ସାହାଯ୍ୟ ଓ ସହଯୋଗ ନ କରିବେ, ତା’ହେଲେ ଆମ ଦେଶର ସ୍ୱାଧୀନତା ଅଚିରେ ଲୋପ ପାଇଯିବ ।

 

ଯେଉଁ ସ୍ୱାଧୀନତା ପାଇଁ ଘରଦ୍ୱାର ଛାଡ଼ି, ବର୍ଷ ବର୍ଷ ଜେଲ୍‍ର ଏଇ ଅମୁହାଁ ଦେଉଳର ଅନ୍ଧକାର ଭିତରେ ଆମେ ସଢ଼ିଥିଲେ, ସେ ସ୍ୱାଧୀନତାକୁ ଯଦି ପୂର୍ଣ୍ଣ ଭାବରେ ଆମେ ଉପଯୋଗ ନ କରି ପାରିବା, ତା’ହେଲେ ଆମର ସାଧନା, କଠୋର ପରିଶ୍ରମ, ବର୍ଷ ବର୍ଷର ତପସ୍ୟା ବ୍ୟର୍ଥ ହୋଇଯିବ ନଳିନାକ୍ଷ ବାବୁ ।

 

ତେଣୁ ଆମର ପ୍ରତ୍ୟେକଙ୍କର ପ୍ରଧାନ କର୍ତ୍ତବ୍ୟ ହେଉଛି, ଗ୍ରାମୀଣ ଜନତାର ଚିନ୍ତାଧାରା, ରୁଚି ଓ ଚଳଣିକୁ ପରିମାର୍ଜିତ କରିବା । ସ୍ୱାଧୀନ ଭାରତର ନାଗରିକ ରୂପେ ପ୍ରତିଷ୍ଠିତ ହେବାପାଇଁ ସେମାନଙ୍କୁ ଉପଯୁକ୍ତ ତାଲିମ ଦେବା । କେବଳ ଓଡ଼ିଶାରେ ନୁହେଁ, ସାରା ଭାରତରେ ଆଜି ମଧ୍ୟ ଅସ୍ପୃଶ୍ୟତା ଏକ ବିରାଟ ସମସ୍ୟା ହୋଇ ରହିଛି । ସେ ଦିନ ମହାତ୍ମା ଗାନ୍ଧୀଙ୍କ ସମ୍ପାଦିତ ହରିଜନ ପତ୍ରିକା ତମକୁ ତ ପଢ଼ାଉ ଥିଲି । ସେ ଲେଖିଥିଲେ–ମଣିଷ ଏକ । ମଣିଷ ଜାତି ଭିତରେ ଛୁଆଁ, ଅଛୁଆଁର ଭେଦଭାବ ରହିଲେ, ସବୁ ପ୍ରକାର ଅନର୍ଥ ସୃଷ୍ଟି ହେବ ।

 

ସୁତରାଂ ଆମର ଆଉ ଏକ କର୍ତ୍ତବ୍ୟ ହେଲା ଦେଶରୁ ଅସ୍ପୃଶ୍ୟତା ନିବାରଣ କରିବା । ଗାଁରେ କେବଳ ହରିଜନମାନଙ୍କୁ ଛୁଇଁ ଦେଲେ, ଆମର ଉଦ୍ଦେଶ୍ୟ ସାଧିତ ହେବ ନାହିଁ । ସାମାଜିକ ଜଗତରେ ଆମ ସହିତ ସେମାନେ ଯେପରି ଉପଯୁକ୍ତ ଆସନ ପାଇବେ, ତାହାର ମଧ୍ୟ ବ୍ୟବସ୍ଥା କରିବ ।

 

ନଳିନାକ୍ଷ, ପ୍ରଦେଶର ତୁଙ୍ଗନେତା ହୃଦୟ ବାବୁଙ୍କ କଥା ଶୁଣୁଛି...

 

ସେ ଭାବୁଛି, ହୃଦୟ ବାବୁ ନୂଆ କଥା କ’ଣ କହୁଛନ୍ତି ? ଏ ସବୁ ଚିନ୍ତା ଓ ଭାବନା, ଅନେକ ଦିନ ତଳେ ତା’ ମନରେ ଉଦୟ ହୋଇଥିଲା । ଗାନ୍ଧିଜୀ, ନେହୁରୁଙ୍କ ସାଙ୍ଗରେ ସେ ମିଶିଛନ୍ତି । ଅହମଦାବାଦ୍‍ ଜେଲରେ ମଧ୍ୟ କିଛି ସମୟ କାଟିଛନ୍ତି । ପ୍ରଦେଶର ଏତେବଡ଼ ଚିନ୍ତାଶୀଳ, ଜାତୀୟ ନେତା ହୋଇ, ଏଇସବୁ କଳ୍ପନା ଛଡ଼ା, ତାଙ୍କ ମନକୁ ଆଉ କ’ଣ କିଛି ସ୍ପର୍ଶ କଲାନି ?

 

ନଳିନାକ୍ଷ କହିଲା–ଏ ସବୁ କରିବି ବୋଲି ମୁଁ ତ ଅନେକ ଦିନରୁ ଠିକ୍‍ କରି ସାରିଛି ହୃଦୟ ବାବୁ । ୟା ବ୍ୟତୀତ ଆଉ ସବୁ କ’ଣ କରିବାକୁ ପଡ଼ିବ ?

 

ହୃଦୟ ବାବୁ କହିଲେ–ଆମକୁ ଜାତୀୟ ଦଳର ସଙ୍ଗଠନକୁ ଦୃଢ଼ କରିବାକୁ ପଡ଼ିବ । ଆମର ଶାସନ ସମ୍ବିଧାନ ପ୍ରଣୀତ ହୋଇସାରି, ସ୍ୱାଧୀନ ଭାରତର ଲୋକସଭାରେ ପାସ୍‍ ହେବା ପୂର୍ବରୁ ଗାଏଁ ଗାଏଁ ଆମ ପାର୍ଟିକୁ ଶକ୍ତିଶାଳୀ କରିବାକୁ ହେବ । ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ବହୁ ରାଜନୈତିକ ଦଳ ରହିବେ । ଶାସନ କ୍ଷମତା ହାସଲ ପାଇଁ ଏହି ସବୁ ଦଳମାନଙ୍କ ଭିତରେ ତୁମୂଳ ପ୍ରତିଦ୍ୱନ୍ଦ୍ୱିତା ହେବ । ଯେଉଁ ଦଳ, ପ୍ରଦେଶ ଠାରୁ ଆରମ୍ଭ କରି କେନ୍ଦ୍ର ସ୍ତରରେ ସର୍ବାଧିକ ଲୋକ ସମର୍ଥନ ପାଇବେ, ସେହିମାନେ ଶାସନ କ୍ଷମତା ପାଇବେ ।

 

ତେଣୁ, ଜାତୀୟ ଦଳ ଭିତରର ଯେଉଁ ସୋସାଲିଷ୍ଟ ଗ୍ରୁପ୍‍ଟି ଥିଲା, ସେ ତ ଖୁବ୍‍ ନିକଟରେ ଅଲଗା ହୋଇ ଯାଇଛି । ସେମାନେ ମଧ୍ୟ ଶାସନ କ୍ଷମତା ମାଡ଼ି ବସିବା ପାଇଁ, ଲୋକମାନଙ୍କ ଭିତରେ ସଂଗଠନ କାମ ଚଳାଇବେ ।

 

ନଳିନାକ୍ଷ ପାଖରେ ହୃଦୟ ବାବୁଙ୍କ କଥା ଆଉ କିଛି ଅସ୍ପଷ୍ଟ ହୋଇ ରହିଲାନି ।

 

ଜେଲ୍‍ ଭିତରେ ଥାଇ, ଆଜିଠାରୁ, ସ୍ୱାଧୀନତାର ଏଇ ପ୍ରାକ୍‍ କାଳରେ, ହୃଦୟ ବାବୁଙ୍କ ମନତଳେ ଶାସନ କ୍ଷମତା ଦାଖଲ କରିବା ପାଇଁ ଅଦ୍ଭୁତ ଲୋଭ ! ଏ ଲୋଭକୁ ସେ ହୁଏତ କେବେହେଲେ ସମ୍ବରଣ କରି ପାରିବେ ନାହିଁ ।

 

ନଳିନାକ୍ଷର ଇଚ୍ଛା ହେଉଥିଲା କହି ଦେବାକୁ–ଦେଶ ସେବା କରିବାକୁ ଗଲେ, ଶାସନ କ୍ଷମତାରେ ରହିବା ଆଦୌ ଦରକାର ପଡ଼େନାହିଁ ହୃଦୟ ବାବୁ । ଶାସନ କ୍ଷମତା ହାସଲ କରି, ତାକୁ ଚଳେଇବା ପାଇଁ ଗୋଟିଏ ନିର୍ଦ୍ଦିଷ୍ଟ (ପାର୍ଟି ନୁହେଁ) ଦଳ ଥିଲାବେଳେ, ଆଉ ଗୋଟିଏ ଦଳ ଦେଶ ସେବା କରିବେ । ଦେଶ ସେବାଠାରୁ ମହତ୍‍ କାର୍ଯ୍ୟ କିଛି ନାହିଁ । ମାତ୍ର ସ୍ୱାଧୀନତାର ପ୍ରଥମ ପ୍ରଭାତରେ ଶାସନ କ୍ଷମତା ପାଇଁ ଦଳ ଦଳ ଭିତରେ ଯଦି ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ସୃଷ୍ଟି ହେବ । ବହୁ କଷ୍ଟ, ଆୟାସ ଓ ତ୍ୟାଗ ସ୍ୱୀକାର ପରେ, ଯେଉଁ ସ୍ୱାଧୀନତା ମିଳିବାକୁ ଯାଉଛି, ତାହା ଧ୍ୱସ୍ତ ବିଧ୍ୱସ୍ତ ହୋଇଯିବ ।

 

ହେଲେ ନଳିନାକ୍ଷ କିଛି କହି ପାରିଲାନି । ସୌଜନ୍ୟ ଓ ସମ୍ମାନ ଦୃଷ୍ଟିରୁ ହୃଦୟ ବାବୁଙ୍କ କହିବା ସେ ସମୀଚୀନ ମନେକଲା ନାହିଁ ।

 

ହୃଦୟ ବାବୁ ଫେରିଗଲେ ତାଙ୍କ କୋଠରୀକୁ ।

 

ନନ୍ଦକିଶୋର ଆସିଲା । ହସି ହସି କହିଲା–ଯେଉଁଦିନ ଆମେ ଆମ ଷ୍ଟେସନରେ ଓହ୍ଲାଇବା, ସେ ଦିନ ବିଜୟ ଗୌରବରେ ଆମ ଅଞ୍ଚଳର ଲୋକେ ଆମକୁ ସ୍ୱାଗତ ଅଭିନନ୍ଦନ ଜଣାଇବାକୁ ଆସିବେ ନଳିନାକ୍ଷ ଭାଇ । ତମେ କିନ୍ତୁ ସ୍ୱତନ୍ତ୍ର ସମ୍ବିଧାନ ପ୍ରଣୟନ ପରେ ପରେ ଆମ ଅଞ୍ଚଳରୁ ବିଧାନସଭା ପାଇଁ ପ୍ରାର୍ଥୀ ହେବ । ଆମ ଅଞ୍ଚଳରେ ତମ ନାମର ଯେଉଁ ଯାଦୁକରୀ ସମ୍ମୋହନ ଅଛି, ତମେ ଅକ୍ଳେଶରେ ଜିତିଯିବ । ତମ ପାଇଁ ପୁରା ଦମରେ କାମ କରିବି ବୋଲି ମୁଁ ଆଜିଠାରୁ ପ୍ରତିଜ୍ଞାବଦ୍ଧ ହେଉଛି ।

 

ନଳିନାକ୍ଷ ଚାହିଁଲା ନନ୍ଦକିଶୋରକୁ । କ୍ଷମତା ଲୋଭର ଭୂତ ନନ୍ଦକିଶୋର ଭଳି ସ୍ୱଳ୍ପ ଶିକ୍ଷିତ ସମାଜ ସେବୀକୁ ମଧ୍ୟ ଗ୍ରାସ କରିଛି । ଜାତୀୟ ଦଳର କେତେଜଣ ଉଗ୍ର କ୍ଷମତାଲାଳସୀ ଲୋକମାନଙ୍କ ସଂସ୍ପର୍ଶରେ ଆସି ତା’ର ମଧ୍ୟ ସେଇ ଧାରଣା ହୋଇଛି । ସମାଜ ସେବା କରିବାର ସ୍ୱପ୍ନ କ୍ଷମତା ଲାଳସାରେ ରୂପ ଲାଭ କରିଛି ।

 

ନଳିନାକ୍ଷ ହସି ହସି କହିଲା–ସ୍ୱାଧୀନତାର ସୂର୍ଯ୍ୟ ଏବେ ବି ଦିଗ୍‍ବଳୟରେ, ରାତିର ଅନ୍ଧକାର ମଧ୍ୟରେ ଲୁଚି ରହିଛି ନନ୍ଦ । ତା’ର ଶୁଭ ଉଦ୍‍ଘାଟନ ହେବା ପୂର୍ବରୁ ଆମ ଦେଶର ସ୍ୱରାଜ ସୈନିକମାନେ ଏଭଳି ଯଦି ଚିନ୍ତା କରି ବସନ୍ତି, ତା’ହେଲେ ପରିଣାମ କ’ଣ ହେବ ବୁଝି ପାରୁଛୁ ?

 

ସ୍ୱାଧୀନତା ମିଳିବ ବୋଲି ବ୍ରିଟିସ୍‍ ସରକାରର ସାମାନ୍ୟ ପ୍ରତିଶ୍ରୁତିରେ ଆମ ଦେଶର ନେତାମାନେ ଅଜବ କଳ୍ପନାରେ ଆଜି ମସ୍‍ଗୁଲ । ସ୍ୱାଧୀନତା ମିଳି ଭାରତବର୍ଷ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରୂପେ ବିଘୋଷିତ ହୋଇ ଯେଉଁ ଦିନ ତା’ର ସ୍ୱତନ୍ତ୍ର ସମ୍ବିଧାନ ଆଲୋକକୁ ଆସିବ ସେ ଦିନ ଉଗ୍ର କ୍ଷମତା ଲାଳସାର ସ୍ୱପ୍ନରେ ଏହି ରାଜନୈତିକ ଦଳର ଐକ୍ୟ ଓ ସଂହତି ହୁଏତ ଦୁର୍ବଳ ହୋଇ ଉଠିବ ।

 

ଲୋକ ପ୍ରତିନିଧି ହେବ ପୂର୍ବରୁ, ଲୋକ ସାଧାରଣଙ୍କର କଲ୍ୟାଣ ପାଇଁ ଆମେ କ’ଣ କରିଛେ ? ଖାଲି ସ୍ୱାଧୀନତା ସଂଗ୍ରାମରେ ପତଙ୍ଗ ପରି ଝାସଦେଇ ଦେଲେ କ’ଣ ଲୋକଙ୍କର ପ୍ରତିନିଧି ହେବାପାଇଁ ଆମେ ଉପଯୁକ୍ତ ବିବେଚିତ ହେବା ? ପଲ୍ଲୀମାଳିନୀ ଓଡ଼ିଶାର ଶହ ଶହ ଦୁଃସ୍ଥ, ନିଃସ୍ୱ ଗରିବ–ସାଧାରଣ ଏବେ ବି ଅନ୍ନସଂସ୍ଥାନ ପାଇଁ ଆକୁଳ ଆର୍ତ୍ତନାଦରେ ଗଗନ ପବନ ମୁଖରିତ କରୁଛନ୍ତି । ପିନ୍ଧିବା ପାଇଁ ଖଣ୍ଡିଏ ଲୁଗା, ରହିବା ପାଇଁ ଖଣ୍ଡିଏ ଜାଗା ଏବେ ବି ସେମାନଙ୍କୁ ମିଳିନାହିଁ ।

 

ଏ ସବୁର ସମାଧାନ ପାଇଁ ଆମେ କ’ଣ ଚିନ୍ତା କରିଛେ ? ଆମେ କ’ଣ ଏ ସବୁର ସ୍ଥାୟୀ ସମାଧାନ ପାଇଁ କେବେହେଲେ ଚେଷ୍ଟା ଚଳେଇଛେ ? ଜନତାର ସେବକ ହେବାକୁ ହେଲେ, ତାଙ୍କର ସେବକ, ଭୃତ୍ୟ, ଆଉ ଦାସ ରୂପେ ଆମକୁ ଖଟିବାକୁ ପଡ଼ିବ । ସେମାନଙ୍କୁ ସୁସ୍ଥ, ଆନନ୍ଦିତ ଓ ରୋଗହୀନ ମଣିଷ ରୂପେ ଦେଖିଲେ, ଆମ ଦେଶସେବା, ଜନସେବା ସାର୍ଥକ ହେବ ।

 

କାହାଠାରୁ ଏ ମନ୍ତ୍ର ନେଇ ତୁ ମୋତେ ପ୍ରବର୍ତ୍ତାଇବାକୁ ଧାଇଁ ଅଶିଚୁ ନନ୍ଦ ? କିଏ ତତେ କ୍ଷମତା ଲାଳସାର ଅଗ୍ନିକୁଣ୍ଡ ଭିତରକୁ ଠେଲି ଦେଲା ? କାହାର ଲୋଭରେ ତୁ ହୋଇ ଉଠିଲୁ ଏଭଳି ପ୍ରମତ୍ତ ? ବିମୁଗ୍ଧ ? ବିମୂଢ଼ ?

 

ନଳିନାକ୍ଷର କଣ୍ଠ ଦେଶରେ ଭାବପ୍ରବଣତାର ତରଙ୍ଗ....

 

ନନ୍ଦକିଶୋର ଚମକି ପଡ଼ିଲା । ନଳିନାକ୍ଷ ଭାଇ ତା’ ଆଗରେ କେବେହେଲେ ଏଭଳି ଭାବପ୍ରବଣ ଓ ଉତ୍‍କ୍ଷିପ୍ତ ହୋଇ ନଥିଲେ । ମାତ୍ର ଆଜି ଲୋକପ୍ରତିନିଧି ହେବାକୁ ପ୍ରସ୍ତାବ ପକାଇଲା ବେଳେ ସେ କାହିଁକି ହୋଇ ଉଠିଲେ ରାଗରେ ଜରଜର ?

 

ହୃଦୟ ବାବୁଙ୍କ ଭଳି ତୁଙ୍ଗ, ପ୍ରାଦେଶିକ ନେତା କ୍ଷମତା ଲାଳସାରେ ଘାରି ହେଉଥିଲା ବେଳେ, ନଳିନାକ୍ଷ ଭାଇଙ୍କର ଏ କି ଓଲଟା ଯୁକ୍ତିର ଅବତାରଣା ?

 

ସେ ଠିକ୍‍ କହୁଛନ୍ତି । ମିଛ କହୁ ନାହାନ୍ତି । ପଲ୍ଲୀମାଳିନୀ ଓଡ଼ିଶାର ଶହ ଶହ ଜନସାଧାରଣ ଏବେ ବି ଭୋକ ଉପାସରେ କାଳ କାଟୁଛନ୍ତି । ଶିକ୍ଷା, ଦୀକ୍ଷା ଓ ସଂସ୍କୃତିର ଅଭାବରୁ ଅନ୍ଧାରର ଅନ୍ଧକୂପ ମଧ୍ୟରେ ଏବେ ବି ରୁଦ୍ଧଶ୍ୱାସ ହୋଇ ପଡ଼ୁଛନ୍ତି । ସେମାନଙ୍କୁ ନବ୍ୟ, ସଭ୍ୟ କରିବା ପ୍ରତ୍ୟେକ ଦେଶସେବୀର କର୍ତ୍ତବ୍ୟ । ପ୍ରତ୍ୟେକ ସମାଜ ସେବୀର ଧର୍ମ ।

 

ନନ୍ଦକିଶୋର କହିଲା–ମୋର ଭୁଲ୍‍ ହୋଇଛି ନଳିନାକ୍ଷ ଭାଇ । ସେମାନଙ୍କ ସାଙ୍ଗରେ ବସି ଏଇସବୁ ଆଲୋଚନା କରୁ କରୁ, ହଠାତ୍‍ ତମ କଥା ମନରେ ଉଠିଲା । ମୁଁ ଏବେ ମୋର ଭୁଲ୍‍ ବୁଝିପାରିଛି । ତମେ ଯେଉଁ ଆଦର୍ଶ, ଅନୁପ୍ରେରଣାରେ ମୋତେ ଦୀକ୍ଷିତ କରାଇବ, ସେହି ଆଦର୍ଶବାଦରେ ମୁଁ ଉଦ୍‍ବୁଦ୍ଧ ହେବି । ତା’ର ସୁଷ୍ଠୁ ରୂପାୟନ ପାଇଁ ମୁଁ ପ୍ରାଣପାତ ଉଦ୍ୟମ କରିବି ।

 

ନଳିନାକ୍ଷର ଭାବପ୍ରବଣତା କଟି କଟି ଆସିଲା ।

 

ନନ୍ଦକିଶୋରକୁ କୋଳାଗ୍ରତ କରି ନଳିନାକ୍ଷ କହିଲା–ଆମେ ସମାଜର ସେବା କରିବା ଆଗ । ତା’ପରେ ପ୍ରତିନିଧିତ୍ୱ କରିବାକୁ ଆମେ କେତେଦୂର ସମର୍ଥ ହୋଇଛେଁ, ସେ କଥା ନିଜେ ଆତ୍ମସମୀକ୍ଷା କରି ଦେଖିବା । ମାତ୍ର ଆଜହୁଁ ଦେଶ ସେବାର ଏଇ ମାତ୍ର ଅନ୍ନପ୍ରାଶନ କାଳରୁ ଆମେ ଯଦି ସେ ସ୍ୱପ୍ନରେ ଘାରି ହେବା, ପାଗଳ ହେବା, ଆମ ଦେଶସେବା ନିରର୍ଥକ ହେବ ।

 

ଫାଲ୍‍ଗୁନର ସନ୍ଧ୍ୟା ଜେଲ୍‍ ଆରପଟେ, ଆମ୍ରକୁଞ୍ଜର ଅନ୍ତରାଳରେ, ଢାଳି ଦେଉଥିଲା ତା’ର କାନ୍ତ କୋମଳ ଲାବଣ୍ୟର ରଶ୍ମି ରେଣୁ ।

 

ନଳିନାକ୍ଷ ନନ୍ଦକିଶୋରର କାନ୍ଧରେ ହାତ ପକାଇ ଚାଲିଲା ତା’ କୋଠରୀ ଆଡ଼କୁ । ଆଉ ଟିକକ ପରେ ସେମାନେ ଗାଈ ଗୋରୁ ଗୁହାଳରେ ପଶିଲା ପରି ପଶିବେ ।

 

ତେଣେ ଖାଇବାର ଯୋଗାଡ଼ ସରି ଗଲାଣି । ପ୍ରଥମ ଶ୍ରେଣୀର ରାଜନୈତିକ ବନ୍ଦୀର ମିଲ୍‍ ଖାଇବାକୁ ସଜବାଜ ହୋଇ ଉଠିଲେଣି ।

 

ଜେଲ୍‍ରୁ ଖଲାସ ହୋଇ, ନଳିନାକ୍ଷ ଓ ନନ୍ଦକିଶୋର ଯେତେବେଳେ ଯାଜପୁର ବସ୍‍ ଷ୍ଟାଣ୍ଡରେ ବସ୍‍ରୁ ଓହ୍ଲାଇଲେ, ସେତେବେଳେ ସେ ଅଞ୍ଚଳର ଶହ ଶହ ଜନତା ଦୁହିଁଙ୍କ ବେକରେ ପୁଷ୍ପମାଲ୍ୟ ଦେଇ ସେମାନଙ୍କୁ ଅଭିନନ୍ଦନ ଜଣାଇଲେ ।

 

ନୀଳିମା ଓ ଜ୍ୟୋତ୍ସ୍ନା ଦୁହେଁଯାକ ମଧ୍ୟ ବସ୍‍ ଷ୍ଟାଣ୍ଡକୁ ଆସିଥିଲେ । ସାଢ଼େ ଚାରିବର୍ଷ ପରେ, ନିଜ ଭାଇକୁ ଦେଖି ନୀଳିମାର ଆନନ୍ଦ ସୀମାତିକ୍ରମ କରିଥିଲା । ଜ୍ୟୋତ୍ସ୍ନାରାଣୀ ଅକୁହା ଆବେଗରେ ପୁଲକିତ ହୋଇ ଉଠୁଥିଲା ।

 

ନୀଳିମା ଭାବୁଥିଲା, ଜେଲ୍‍ ଭିତରେ ରହି ଭାଇଙ୍କର ସ୍ୱାସ୍ଥ୍ୟ ଭାଙ୍ଗି ଯାଇଥିବ ବୋଲି । ମାତ୍ର ତା’ର ଭାବନା ଠିକ୍‍ ଓଲଟା ହୋଇଛି । ନଳିନାକ୍ଷର ପରିପୁଷ୍ଟ ସ୍ୱାସ୍ଥ୍ୟ ଦେଖି ଅଧୀର ଆନନ୍ଦରେ ସତେ ଯେପରି ସେ ଫାଟି ପଡ଼ୁଛି ।

 

ଜନତା ଅଭିନନ୍ଦନ ଜଣାଇ ସାରିଲା ପରେ, ନଳିନାକ୍ଷ ଧୀରେ ଧୀରେ ସହର ଭିତରକୁ ଆସିଲା । ନନ୍ଦକିଶୋର ମଧ୍ୟ ତା’ ସାଙ୍ଗରେ ଥିଲା । ନୀଳିମା ଓ ଜ୍ୟୋତ୍ସ୍ନା ଦୁହେଁଯାକ ସଂଗୃହିତ ପୁଷ୍ପତୋଡ଼ା ଧରି ସେମାନଙ୍କ ପଛେ ପଛେ ଚାଲିଥିଲେ । ଜେଲ୍‍ ଫେରନ୍ତା ସେ ଦୁହିଁଙ୍କୁ ଦେଖିବା ପାଇଁ ସେ ଦିନ ଯାଜପୁର ସହରର ପ୍ରଧାନ ରାସ୍ତା ଲୋକାରଣ୍ୟ ହୋଇ ଉଠିଲା ।

 

ସହରର ସୀମା ଯେଉଁଠି ଶେଷ ହୋଇଛି, ସେ ପର୍ଯ୍ୟନ୍ତ ସେମାନେ ଚାଲି ଚାଲି ଆସିଲେ । ସହରର ନାଭି କେନ୍ଦ୍ରରେ ଅସୁଥିଲାବେଳେ ଯେତେ ଲୋକ ଜମିଥିଲେ, ସହରର ଶେଷ ସୀମାରେ ସେତେ ଲୋକ ଜମି ନଥିଲେ ମଧ୍ୟ ଲୋକାରଣ୍ୟର ପ୍ରକୋପ କମି ନଥିଲା ।

 

ନୀଳିମା କହିଲା–ଗାଆଁକୁ ଆଉ ଚାଲି ଚାଲି ଯାଇ ହେବନି ଭାଇ । ଏଇଠୁ ଗୋଟିଏ ଶଗଡ଼ ବନ୍ଦୋବସ୍ତ କରି ପାରିଲେ, ଆମେ ସମସ୍ତେ ସେଥିରେ ବସି ଯାଇ ପାରିବା ।

 

ନଳିନାକ୍ଷର ଚାଲି ଚାଲି ଗାଆଁକୁ ଯିବାକୁ ଇଚ୍ଛାଥିଲା । ଦୀର୍ଘ ସାଢ଼େ ଚାରିବର୍ଷ ଜେଲ୍‍ର ଏକ ସୀମାବଦ୍ଧ ପରିସର ଭିତରେ ରହି, ସେ ରୁଦ୍ଧଶ୍ୱାସ ହୋଇ ଉଠୁଥିଲା । ଜେଲ୍‍ରୁ ଖଲାସ ହୋଇ ଆମ୍ବ, ଦେବଦାରୁ ବୃକ୍ଷ ପରିଶୋଭିତ ପଲ୍ଲୀଶ୍ରୀର ଶ୍ୟାମଳିମା ଭିତରେ, ଧୂଳିମାଟି ସଡ଼କରେ, ଚାଲି ଚାଲି ଯିବାକୁ ସେ ଅଧିକ ପସନ୍ଦ କରୁଥିଲା ।

 

ମାତ୍ର ନୀଳିମା ଓ ଜ୍ୟୋତ୍ସ୍ନା ଆଠ ମାଇଲ ବାଟ ବୋଧହୁଏ ଚାଲି ପାରିବେନି । ନନ୍ଦ କିନ୍ତୁ ଚାଲିଯାଇ ପାରିବ । ତା’ର ସେ ସାହସ ଅଛି । ସୌନ୍ଦର୍ଯ୍ୟ ପିପାସା ଅଛି । ପିଞ୍ଜରାମୁକ୍ତ ବିହଙ୍ଗମର ଚପଳତା ତା’ ହାତ ଗୋଡ଼ରେ ଆଜି ଖେଳି ବୁଲୁଛି ।

 

କିନ୍ତୁ ବିକ୍ରମ ବାବୁଙ୍କ ଅଲିଅଳୀ କନ୍ୟା ଜ୍ୟୋତ୍ସ୍ନା ଚାଲି ପାରିବନି । ନୀଳିମା ହୁଏତ ବାଧ୍ୟ ହୋଇ ସେ ଦୁହିଁଙ୍କ ପଛ ଅନୁସରଣ କରି ପାରିବ । କିନ୍ତୁ ଜ୍ୟୋତ୍ସ୍ନାଭଳି ଏକ ସୁକୁମାରୀ ତରୁଣୀ, ଏତେ ରାସ୍ତା ଚାଲିଲେ ହୁଏତ କ୍ଳାନ୍ତ, ଶ୍ରାନ୍ତ ଓ ଅବସନ୍ନ ହୋଇ ଉଠିବ ।

 

ନଳିନାକ୍ଷ କହିଲା–ଆଚ୍ଛା, ତେବେ ନନ୍ଦ ଶଗଡ଼ିଆକୁ ଡାକେରେ–

 

ଶଗଡ଼ିଆ ଆସିଲା । ଚାରିଜଣ ଯାକ, ସେଇ ଶଗଡ଼ରେ ବସିଲେ । ଶଗଡ଼ର ଦୁଇ ଚକା, କଚା ରାସ୍ତାରେ ଧୂଳି ଉଡ଼ାଇ ଉଡ଼ାଇ ପୂରବୀପୁର ଗାଁ ଅଭିମୁଖେ ଚାଲିଛି ।

 

ଜ୍ୟୋତ୍ସ୍ନା ଅନେକ ବେଳୁ ନଳିନାକ୍ଷକୁ କିଛି ଗୋଟିଏ ପ୍ରଶ୍ନ ପଚାରିବ ବୋଲି ଭାବି ହେଲାଣି । କିନ୍ତୁ ପଚାରି ପାରୁନି । ଲାଜ ମାଡ଼ୁଚି । ସଂକୋଚ ବୋଧ କରୁଛି । କ’ଣ ସେ ପଚାରିବ ? କେଉଁ କଥା ? ଜେଲ୍‍ ଜୀବନର ଇତିହାସ ? ସୁଖ ଦୁଃଖ ? ହଲ ମନ୍ଦ ?

 

ଏଇ ନଳିନାକ୍ଷ ବାବୁଙ୍କ ପାଇଁ ସେ ଏବେ ବି ଅବିବାହିତା ରହିଛି । ବାପା ତା’ର କେତେଆଡ଼ୁ କେତେ ପାତ୍ରର ସନ୍ଧାନ ନେଲେଣି । ସେ କିନ୍ତୁ ପ୍ରତ୍ୟକ୍ଷ ଭାବରେ ନହେଲେ ମଧ୍ୟ ଏହି ପ୍ରସ୍ତାବରେ ଅସମ୍ମତି ଜଣାଉଛି ।

 

କାହିଁକି ସେ ଅସମ୍ମତ ହେଉଛି ? କାହାପାଇଁ ସେ ଏପର୍ଯ୍ୟନ୍ତ ପ୍ରତୀକ୍ଷା କରି ରହିଛି ? ଏଇ ନଳିନାକ୍ଷକୁ । ଯାହାପାଇଁ କେତେ ରାତି ଉଜାଗରରେ ରହି ସେ କଟାଇ ଦେଇଛି, ସେଇ ନଳିନାକ୍ଷକୁ ଦୀର୍ଘ ସାଢ଼େ ଚାରିବର୍ଷ ପରେ ଦେଖୁଛି । ତା’ ସହିତ କଥା ନ କହିବ କିପରି ? ତାଙ୍କ ଠାରୁ ଦରଦବୋଳା କଥା ପଦିଏ ନ ଶୁଣିଲେ, ମନ ଭିତରେ ଅବଶୋଷ ରହିଯିବ ନିଶ୍ଚୟ ।

 

ଧୀରେ ଧୀରେ ଶଗଡ଼ ଚାଲିଛି ।

 

ଶଗଡ଼ର ସମ୍ମୁଖ ଭାଗରେ ନଳିନାକ୍ଷ ଓ ନନ୍ଦକିଶୋର ପଲ୍ଲୀ ଚିତ୍ରର ଶୋଭା ସମ୍ପଦକୁ ସନ୍ଦର୍ଶନ କରୁଛନ୍ତି । ସେମାନେ ନୀରବ । ଅତି ନୀରବରେ ରାସ୍ତା ଦୁଇ ପାର୍ଶ୍ଵର ଗଛ, ଲତା, ବୃକ୍ଷ ଓ ନଡ଼ା ଛପରର ମାଟି କୁଡ଼ିଆକୁ ନିରୀକ୍ଷଣ କରୁଛନ୍ତି ।

 

ଜ୍ୟୋତ୍ସ୍ନା ଆଉ ସମ୍ଭାଳି ପାରିଲାନି । କେତେ ସମୟ ନୀରବରେ, ପୃଥିବୀର ସବୁଠାରୁ ବେଗନ୍ୟୁନ ଏଇ ଶଗଡ଼ ଜଣାରେ ସେ ବସି ପାରିବ ? ନୀଳିମାଟା ଚୁପ୍‍ ହୋଇ ବସି ରହିଛି । ଶଗଡ଼ର ଘୂର୍ଣ୍ଣାୟମାନ ଚକପରି, ତା’ ମନତଳେ ବୋଧେ ଅସଂଖ୍ୟ ଭାବନାର ଘୂର୍ଣ୍ଣନ ହେଉଛି । ସେ ଅନ୍ୟମନସ୍କା ଜଣାପଡ଼ୁଛି ।

 

ଜ୍ୟୋତ୍ସ୍ନା କହିଲା–ଜେଲ୍‍ ଜୀବନ ଆପଣଙ୍କୁ କେମିତି ଲାଗୁଥିଲା ନଳିନାକ୍ଷ ବାବୁ ? ଜେଲରେ ରହି ବେଳେ ବେଳେ ଆମମାନଙ୍କ କଥା କ’ଣ ମନରେ ପକାନ୍ତି ? ଆମେ ଦୁହେଁ–ନୀଳିମା ଓ ମୁଁ ଆପଣଙ୍କ ବିଷୟରେ ପ୍ରାୟ ପ୍ରତିଦିନ କଥାବାର୍ତ୍ତା କରୁ ।

 

ନଳିନାକ୍ଷର ମନ ପଲ୍ଲୀ ପ୍ରକୃତିରୁ ଫେରି ଆସିଲା । ସାଢ଼େ ଚାରିବର୍ଷ ପରେ, ପ୍ରଥମ ଥର ପାଇଁ ଏକ ଅନାତ୍ମୀୟା ଅଥଚ ପରିଚିତ ତରୁଣୀ ତାକୁ ପ୍ରଶ୍ନ ପଚାରୁଛି । ନାରୀ କଣ୍ଠର ପେଲବ ଉଚ୍ଚାରଣ ଧ୍ୱନିରେ ନଳିନାକ୍ଷର ଅବରୁଦ୍ଧ ମନ ସତେ ଯେପରି ବିଚ୍ଛୁରିତ ଆଲୋକର ଢେଉରେ ପହଁରିବାକୁ ଲାଗିଲା ।

 

ସେ ଫେରି ଚାହିଁଲା ପଛକୁ । ଜ୍ୟୋତ୍ସ୍ନା ହସୁଛି । ରାକା ନିଶୀଥର ଜ୍ୟୋତ୍ସ୍ନା ପରି ଓଠରେ ତା’ର ଖେଳି ଖେଳି ବୁଲୁଛି ହସର ଜ୍ୟୋତ୍ସ୍ନା ।

 

ନଳିନାକ୍ଷ, ପଲ୍ଲୀ ପ୍ରକୃତିକୁ ଉପଭୋଗ କରିବା ପାଇଁ ସତେ ଯେପରି ଭୁଲିଗଲା । ସେ କହିଲା–ଜେଲ୍‍ର ସେଇ ସୀମାବଦ୍ଧ ପରିସର ଭିତରେ ଦେଶ, ଦୁନିଆଁ, ଗାଁ, ଗଣ୍ଡା ଏବଂ ଆପଣାର ଆତ୍ମୀୟ, ପରିଚିତ ଲୋକେ ବେଳେ ବେଳେ ମନେ ପଡ଼ନ୍ତି ଜ୍ୟୋତ୍ସ୍ନା । ମାତ୍ର ସେସବୁ ସ୍ମୃତି ମନର ସାଗରରେ କ୍ଷଣକ ମାତ୍ରେ ବିଲୀନ ହୋଇଯାଏ ।

 

ଜ୍ୟୋତ୍ସ୍ନା ହସୁଛି । ଭାବୁଛି ଆଉ କିଛି ପଚାରିବ କି ? ତା’ର ତ ଅନେକ କଥା ପଚାରିବାର ଅଛି । ଅନେକ କଥା ଆଦାୟ କରିବାର ଅଛି । ସେ ସବୁ କଥା ଅତ୍ୟନ୍ତ ଗୋପନୀୟ । ଏକାନ୍ତ ବ୍ୟକ୍ତିକୈନ୍ଦ୍ରିକ । ଆପଣାର । ନୀଳିମା ଓ ନନ୍ଦକିଶୋର ସମ୍ମୁଖରେ ସେ ସବୁ କଥା ପଚାରି ହେବନି । ପ୍ରଶ୍ନ ମଧ୍ୟ କରିହେବ ନାହିଁ ।

 

ନଳିନାକ୍ଷର ଆଖି ପୁଣି ହଜିଗଲା ପଲ୍ଲୀ ସଡ଼କର ଦୁଇ ପାର୍ଶ୍ୱରେ । ଜ୍ୟୋତ୍ସ୍ନାର, ଜ୍ୟୋତ୍ସ୍ନାପ୍ଳାବିତ ହସର ଲହଡ଼ି ଏବେ ବି ତା’ର ଓଠ ତୀରରୁ ମଉଳି ଯାଇନି ।

 

ନଳିନାକ୍ଷ ଆସ୍ତେ ଆସ୍ତେ ଭାବପ୍ରବଣ ହୋଇ ଉଠୁଥିଲା । ଯୁଦ୍ଧରତ ସୈନିକର ପ୍ରାଣରେ ପ୍ରେମ କ’ଣ ସମ୍ଭବ ? ଆଲିଙ୍ଗନ, ଆଶ୍ଳେଷ, ସ୍ନେହ ଓ ବିରହ ସତେ କ’ଣ ସମ୍ଭବ ହୁଏ ?

 

ଜନ୍ମଭୂମିର ଗୌରବ ରକ୍ଷାପାଇଁ, ଦେଶର ଆପଦ ବିପଦକୁ ଦୂରୀଭୂତ କରିବା ପାଇଁ ସୈନିକର ଜନ୍ମ । ଜନ୍ମଭୂମି ଓ ଦେଶର ସେଇ ଘଡ଼ିସନ୍ଧି ବେଳେ ସେ ଯଦି ଗୋଟିଏ ତରୁଣୀକୁ ପ୍ରେମ କରି ବସିବ, ପୁରୁଷୋଚିତ ଆବେଗର ସ୍ୱାଭାବିକ ସ୍ରୋତରେ ସେ ଯଦି ଭାସିଯିବ, ତା’ହେଲେ ଜନ୍ମଭୂମିର ନିରାପତ୍ତା ଦୁର୍ବଳ ହୋଇ ଉଠିବ ।

 

ସେ ଆଜି ସ୍ୱାଧୀନତା ସଂଗ୍ରାମର ସୈନିକ । ଦେଶ ଏବେ ବି ସ୍ୱାଧୀନତା ଲାଭ କରିନାହିଁ । ଏଭଳି ଅବସ୍ଥାରେ ଜ୍ୟୋତ୍ସ୍ନାର ସୌନ୍ଦର୍ଯ୍ୟରେ ମୁଗ୍ଧ, ଚପଳ ଓ ବିହ୍ଵଳ ହେବା ଏକାନ୍ତ ହାସ୍ୟାସ୍ପଦ । ମନ ଭିତରୁ ଏ ଚପଳତା କଟିଯାଉ । ଜ୍ୟୋତ୍ସ୍ନାର ଆକର୍ଷଣ ମନ ଭିତରୁ ଦୂର ହୋଇଯାଉ । ଜ୍ୟୋତ୍ସ୍ନାର ହସ ବନଜ୍ୟୋତ୍ସ୍ନାରେ ପରିଣତ ହେଉ ।

 

ନଳିନାକ୍ଷ ଆଉ ଚାହିଁଲାନି ଭିତରକୁ ।

 

ଶଗଡ଼ ଆଗେଇ ଚାଲିଛି ।

 

ସେମାନେ ଗାଁରେ ପହଞ୍ଚିଲେ । ଶଗଡ଼ରୁ ଯେତେବେଳେ ନଳିନାକ୍ଷ ଓ ନନ୍ଦକିଶୋର ଓହ୍ଲାଇ ପଡ଼ିଲେ, ସେତେବେଳେ ଗାଁ ଯାକର ପିଲା, ଛୁଆ, ବୁଢ଼ା ଓ ଭେଣ୍ଡା ସମସ୍ତେ ଜମିଗଲେ । ପୂରବୀପୁର ସତେ ଅବା କମ୍ପି ଉଠିଲା ।

 

ନଳିନାକ୍ଷ ତିନି ଦିନ ହେଲା ଗାଁକୁ ଫେରିଲାଣି...

 

ରାଧାମଣିଙ୍କ ଫଟୋକୁ ଚାହିଁ, ମନ ତା’ର କାନ୍ଦି ଉଠୁଛି ଅତି ବିକଳରେ । ବାପା ଚାଲିଯାଇ ଥିଲେ । ବୋଉ ମଧ୍ୟ ଚାଲିଗଲା । ଅବିବାହିତା ଭଉଣୀଟିଏ ପାଖରେ ଅଛି । ତା’ର ବିବାହର ବୟସ ହୋଇ ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେ ଅବିବାହିତ ରହିଯାଇଛି ।

ବୋଉ ହସି ଉଠୁଛି ସେଇ ଫଟୋ ଭିତରୁ । ତା’ର ଯୁବତୀ ବେଳର ଫଟୋ ଇଏ ! ବିବାହର ମାତ୍ର ଚାରି ପାଞ୍ଚ ବର୍ଷ ପରେ ଏ ଫଟୋ ନିଆଯାଇ ଥିଲା । ବାପା ଓ ବୋଉ ସାଙ୍ଗ ହୋଇ ଥରେ କଟକ ଯାଇଥିଲେ । ସେଇ ଅବକାଶରେ ଦୁହେଁଯାକ ସ୍ୱତନ୍ତ୍ର ଭାବରେ ଫଟୋ ଉଠାଇ ଥିଲେ । ଏବେ ସୁଦ୍ଧା ସେହି ଦୁଇଟି ଫଟୋ ଦୁଇଟି ସ୍ୱତନ୍ତ୍ର କାଚ ଫ୍ରେମରେ ବନ୍ଧାଯାଇ, ଘରେ ଟଙ୍ଗା ହୋଇଛି ।

ତା’ ଭଳି ହତଭାଗ୍ୟ ସନ୍ତାନ ପୃଥିବୀରେ ବୋଧହୁଏ ଆଉ କେହି ନଥିବେ । ମୃତ୍ୟୁ ବେଳକୁ ଜନ୍ମଦାୟିନୀ, ଗର୍ଭଧାରିଣୀ ଜନନୀର ମୁଖରେ ପାଣି ଟୋପିଏ ସେ ଦେଇ ପାରିଲାନି । ମୃତ୍ୟୁ ବେଳର ସେଇ ମହା ମୁହୂର୍ତ୍ତରେ ସେ ଉପସ୍ଥିତ ହୋଇ ପାରିଲାନି ।

ଅଶ୍ରୁସଜଳ ଆଖି ପତାରେ ରାଧାମଣିଙ୍କ ଫଟୋକୁ ଚାହିଁ ସେ ପ୍ରଣିପାତ ଜଣାଇ ମନେମନେ କହିଲା–ଅଧମ ସନ୍ତାନକୁ କ୍ଷମା କରିବୁ ବୋଉ । ଝୁରି ଝୁରି, କୋଟିଏ ଦେବତାଙ୍କୁ ପୂଜା କରି, ଯେଉଁ ନରାଧମ ପୁତ୍ରକୁ ତୁ ଜନ୍ମ କରିଥିଲୁ, ତୋ ମୃତ୍ୟୁ ବେଳକୁ ସେ ଉପସ୍ଥିତ ହୋଇ ପାରିଲାନି । ତୋ ଆତ୍ମାର ସଦ୍‍ଗତି ନିମନ୍ତେ ସେ କିଛି କରି ପାରିନି । ତତେ ମୁଖାଗ୍ନି ମଧ୍ୟ ଦେଇ ପାରିନି । ମାତୃ ଋଣରୁ କିପରି ମୁକ୍ତି ପାଇବି ବୋଉ ?

ନଳିନାକ୍ଷ ଗଭୀର ଆବେଗରେ କାନ୍ଦି ଉଠିଲେ । ରୋଷଘରୁ ନୀଳିମା ଆସିଲା । ନଳିନାକ୍ଷ ଦୁଇ ହାତର ଚକି ଭିତରେ ମୁହଁ ରଖି କାନ୍ଦୁଥିବାର ଦେଖି ସେ ଥମକି ଠିଆ ହେଲା ।

ନଳିନାକ୍ଷର ବିକଳ କାନ୍ଦଣା ସେ ଆଉ ସହି ପାରିଲାନି । ତା’ ଆଖି ପତାରେ ମଧ୍ୟ ସଞ୍ଚରି ଉଠିଲା ଅଶ୍ରୁର ମେଘ ।

ନିଜ ଲୁହକୁ ଲୁଗା କାନିରେ ପୋଛିଦେଇ ସେ ନଳିନାକ୍ଷ ଆଡ଼କୁ ଆଗେଇ ଗଲା ।

ନଳିନାକ୍ଷ ଅଝଟ ଶିଶୁଙ୍କ ଭଳି କାନ୍ଦୁଛି । ତାକୁ ଯେପରି ବୁଝାଇ ହେବନି । ଆଶ୍ୱାସନା ଦେଇ ହେବନି ।

ନୀଳିମା ନଳିନାକ୍ଷର ହାତ କାଢ଼ି, ନିଜ ଲୁଗା କାନିରେ ଲୁହ ପୋଛି ଦେଉ ଦେଉ କହିଲା–ବୋଉ ଆଉ ଫେରିବନି ଭାଇ । ତମେ କାହିଁକି ଏମିତି ବିକଳ ହୋଇ କାନ୍ଦୁଛ । ଆମେ ଦିଟା ଅଭିଶପ୍ତ ପ୍ରାଣୀ ଭାଇ । ତମେ ଯେତେ କାନ୍ଦିଲେ ମଧ୍ୟ ବୋଉ ଆଉ ଫେରି ଆସିବନି । ଫଟୋ ଭିତରୁ ତମର ଏଇ ବିକଳ କାନ୍ଦଣା ସେ ଦେଖୁଛି । ସେ ଆଜି ଯଦି ବଞ୍ଚିଥାନ୍ତା, ତମ ଆଖିରେ ଏଇ ଲୁହ ଦେଖି କେବେହେଲେ ବରଦାସ୍ତ କରି ନଥାନ୍ତା ।

ନଳିନାକ୍ଷ ଲୁହ କଳା ଆଖିରେ ଚାହିଁଲା ନୀଳିମାକୁ । ନୀଳିମା ମଧ୍ୟ କାନ୍ଦୁଛି । ଆଖିରେ ଲୁହଭରି ମଧ୍ୟ ସେ ତାକୁ ବୁଝାଇବାକୁ ଚେଷ୍ଟା କରୁଛି ।

ନଳିନାକ୍ଷ କହିଲା–ବାପା, ବୋଉ ଆମରି ଆଖି ଆଗରୁ ବିଦାୟ ନେଇ ଚାଲିଗଲେ ନୀଳିମା । ମତେ ଏକାକୀ କରି ଚାଲିଗଲେ ମଧ୍ୟ ମୋର ସେଥିପ୍ରତି ଦୁଃଖନାହିଁ । ଦେଶର କଲ୍ୟାଣ ପାଇଁ ମୋ ଜୀବନ ଉତ୍ସର୍ଗ କରିବି । ଘରର ଭଲମନ୍ଦ ସହିତ ମୋର କୌଣସି ସମ୍ପର୍କ ନାହିଁ । ମାତ୍ର ତୋ’ପାଇଁ ମୋର ଗଭୀର ଦୁଃଖ । ତୋ ଚିନ୍ତାର ଭୂତ ମୋତେ ଗ୍ରାସ କରିଛି । ତୋର ବିବାହ ଯଦି ପୂର୍ବରୁ ସରି ଯାଇଥାନ୍ତା, ତା’ହେଲେ ମୁଁ ନିଶ୍ଚନ୍ତରେ ନୀଳ ଆକାଶର ବିହଙ୍ଗମ ପରି ଘୂରି ପାରନ୍ତି ।

 

ନୀଳିମା ବୁଝିପାରିଲା ନଳିନାକ୍ଷର ଦୁଃଖ । କାହିଁକି ତାଙ୍କର ଏତେ ଦୁଃଖ ? ଏତେ ବ୍ୟଥା ? ବିବାହ ନ କଲେ ସେ କ’ଣ ବଞ୍ଚି ପାରିବ ନାହିଁ ? ଅବିବାହିତ ରହି ଭାଇଙ୍କ ସାଙ୍ଗରେ ଦେଶ ଓ ଦଶର ସେବା କରି ପାରିଲେ, ତା’ ଜୀବନ ବରଂ ସାର୍ଥକ ହେବ ? କିନ୍ତୁ ଭାଇ କ’ଣ ରାଜି ହେବେ ? ସାମାଜିକ ଜଗତରେ ଝିଅ ହୋଇ ଜନ୍ମହେଲେ, ବିବାହ କରିବାକୁ ପଡ଼ିବ । ବିବାହ ନକଲେ ବାର ଲୋକ ବାର କଥା କହିବେ । ବ୍ୟଙ୍ଗ ବିଦ୍ରୂପରେ ବାଟ ଚଲେଇ ଦେବେନାହିଁ ।

 

ସମାଜର ନାଲି ଆଖିକୁ ସେ ଡରିବ ନାହିଁ । ସମାଜର କଲ୍ୟାଣ ପାଇଁ ସେ ଯଦି ଅବିବାହିତ ରହିବ, ତା’ହେଲେ ତା’ର ଦୋଷ ହେବନାହିଁ । ଭୁଲ୍‍ ହେବନାହିଁ ।

 

ସ୍ୱାଧୀନତା ସଂଗ୍ରାମରେ ଶହ ଶହ ମାଆ, ଭଉଣୀ ଝାସ ଦେଇଛନ୍ତି । ବିଜୟଲକ୍ଷ୍ମୀ ପଣ୍ଡିତ, ସରୋଜିନୀ ନାଇଡୁ, ନାରୀ ଜାତିର ପ୍ରତିନିଧିତ୍ୱ କରୁଛନ୍ତି । ସେ କାହିଁକି ସେମିତି ନ କରିବ-?

 

ନୀଳିମା କହିଲା–ମୋ ବିବାହ ପାଇଁ ତମେ କିଛି ଚିନ୍ତା କରନି ଭାଇ । ତମରି ସାଙ୍ଗରେ ସାଙ୍ଗ ହୋଇ ମୁଁ ମଧ୍ୟ ସମାଜର ସେବା କରିବି । ବୁଭୁକ୍ଷୁ ଜନତାର ଅନ୍ନ ସଂସ୍ଥାନ ପାଇଁ ତମପରି ମଧ୍ୟ ମୁଁ ଲଢ଼ିବାକୁ ତିଆର ହେବି ।

 

ନଳିନାକ୍ଷ କହିଲା–ଏ କି କଥା ନୀଳିମା । ଦକ୍ଷିଣରାୟ ବଂଶର ତୁ ହେଉଛୁ କନ୍ୟା । ତୋର ବିବାହ କାର୍ଯ୍ୟ ସମ୍ପନ୍ନ ନହେଲେ, ଏ ବଂଶର ମର୍ଯ୍ୟାଦା ନଷ୍ଟ ହୋଇଯିବ ।

 

ଯେଉଁ ବଂଶମର୍ଯ୍ୟାଦା ଓ ବୁନିଆଦି ପାଇଁ ବାପା, ବୋଉ ସବୁବେଳେ ମୋତେ ସଜାଗ ଓ ସତର୍କ ହେବାକୁ ନିର୍ଦ୍ଦେଶ ଦେଉଥିଲେ, ସେ ବଂଶ ଗୌରବରେ କଳଙ୍କ ବୋଳିବାକୁ ମୁଁ ଦେବିନି । ତତେ ମୁଁ ନିଶ୍ଚୟ ବିବାହ କରାଇ ଦେବି । ତୋର ମନଲାଖି ବରପାତ୍ରଟିଏ ଯୋଗାଡ଼ କରି, ତା’ ହାତରେ ତତେ ସମର୍ପି ଦେବି ।

 

ନୀଳିମା ଅନିଚ୍ଛା ପ୍ରକାଶ କରି କହିଲା–ନା ଭାଇ ମୋ ଇଚ୍ଛା ଅନୁଯାୟୀ ମତେ କାମ କରିବାକୁ ସୁବିଧା ଦିଅ ।

 

ନଳିନାକ୍ଷ କହିଲା–ମୋ କଥାରେ ତୁ ଅବାଧ୍ୟ ହୁଅନି ନୀଳିମା । ମୋ କଥାରେ ପ୍ରତିବାଦ କରିବାକୁ ତୁ ଆଉ କିଛି କହନି । ତୋର କୌଣସି କଥା ଶୁଣିବାକୁ ମୁଁ ପ୍ରସ୍ତୁତ ନୁହେଁ ।

 

ତୋର ବିବାହ କାର୍ଯ୍ୟ ସରିଲା ପରେ, ମୁଁ ଆରମ୍ଭ କରିବି ବ୍ୟାପକ କର୍ମଯୋଜନା । ସେ ଯୋଜନାରେ ଜନକଲ୍ୟାଣ ପାଇଁ ସବୁ ପ୍ରକାର ଧ୍ୟାନ ଧାରଣା ଦିଆଯିବ ।

 

ନୀଳିମା କହିଲା–ତମେ ଭାରି ଚାଲାଖ ଭାଇ । ମୋ ବିବାହ କରାଇ ଦେଇ ତମେ ନିଶ୍ଚିନ୍ତ ହେବାକୁ ବସିଛ । ଆଉ ତମ ବାହାଘର... ?

 

ନଳିନାକ୍ଷ ମୃଦୁ ହସି ନୀଳିମା ପିଠିରେ ହାତମାରି କହିଲା–ଆଗ ତୋର ସରିଯାଉ । ମୋ କଥା ପରେ ବିଚାର କରିବା ।

 

ନୀଳିମା କହିଲା–ତମର ବିବାହ ହେବ ତ ?

 

ନଳିନାକ୍ଷ କଥାଟା ବୁଲାଇ ଦେଇ କହିଲା–ଆଚ୍ଛା ହେଉ, ରୋଷେଇ ସରିଲାଣି ବୋଲି କହୁଥିଲୁ ପରା ! କାହିଁ ଚାଲିଲୁ ଖାଇବାକୁ ଦେବୁ ।

 

ଆଷାଢ଼ର ରାତ୍ରି ମେଘ ମେଦୁରିତ ହୋଇ ଉଠୁଥିଲା ।

 

ବିକ୍ରମଦେବରାୟ ବସିଛନ୍ତି ତାଙ୍କ ବୈଠକଖାନାରେ । ପୁଣ୍ଡରୀକାକ୍ଷ ଓ ଲୋକନାଥ ତାଙ୍କ ପାଖକୁ ଲାଗି ବସିଛନ୍ତି ।

 

ବିକ୍ରମଦେବ କହିଲେ–ଦେଶ ସ୍ୱାଧୀନ ହେବାକୁ ଆଉ ମାତ୍ର ପନ୍ଦର ଦିନ ରହିଲା ଲୋକନାଥ ବାବୁ । ଏ ଦେଶରୁ ଚିରଦିନ ପାଇଁ ବ୍ରିଟିସ୍‍ ସରକାର ବିଦାୟ ନେଇ ଚାଲିଯିବେ । ଏଇ ଦେଶର ଲୋକେ ଆମର ଶାସନ କଳ ଚଳାଇବାକୁ ଏଣିକି ସମର୍ଥ ହେବେ ।

 

ଯେଉଁ ଆନ୍ଦୋଳନକୁ ଦବାଇ ଦେବାପାଇଁ ଆମେ ଚେଷ୍ଟା କରୁଥିଲେ, ସେ ଆନ୍ଦୋଳନ କୃତକାର୍ଯ୍ୟ ହେଲା । ପ୍ରାୟ ସବୁ ପ୍ରଦେଶରେ, ଜାତୀୟ ଦଳ ମନ୍ତ୍ରୀମଣ୍ଡଳ ଗଠନ କରି ସାରିଲାଣି । ସ୍ୱାଧୀନତା ପରେ ଏହି ରାଜନୈତିକ ଅନୁଷ୍ଠାନ, ସାରା ଭାରତବର୍ଷରେ ପ୍ରଭାବ ବିସ୍ତାର କରିବ ।

 

ଆସନ୍ତା ଅଗଷ୍ଟ ପନ୍ଦରରେ, ସ୍ୱାଧୀନତା ଦିବସ ବହୁ ଆଡ଼ମ୍ବର ସହକାରେ ପାଳିତ ହେବ-। ଭାରତର କୋଟି କୋଟି ଜନତା ସେଦିନ ନବୀନ ଉତ୍ସାହରେ ମାତି ଉଠିବେ ।

 

ଆମେ ତିନିଜଣ ସେହି ଆନନ୍ଦରୁ ବାଦ୍‍ଯିବା କାହିଁକି ଲୋକନାଥ ବାବୁ ? ପୁଣ୍ଡରୀକାକ୍ଷ କକେଇ ? ସେମାନଙ୍କ ସହିତ କଣ୍ଠର ସ୍ୱର ମିଳାଇ ଆମେ କହିବା ‘ଭାରତ ମାତାକୀ ଜୟ’, ‘ସ୍ୱାଧୀନ ଭାରତ ଜିନ୍ଦାବାଦ’ ଏବଂ ‘ବନ୍ଦେ ମାତରମ୍’ । ଯୁଗ ଯାହା କହୁଛି ଆମେ ସେଇଆ କରିବା-। ତା’ ନ କଲେ ଆମେ ପଛକୁ ପଡ଼ିଯିବା ।

 

ଶ୍ରାବଣର ଖରା, ମେଘ ଅସରେ ବର୍ଷିଯିବା ପରେ, ଟାଣ ହୋଇ ଉଠୁଛି ।

 

ପୁଣ୍ଡରୀକାକ୍ଷ କହିଲେ–ବିକ୍ରମ ବାବୁ ଠିକ୍‍ କହିଛନ୍ତି ଲୋକନାଥ ବାବୁ । ଯୁଗ ଯେମିତି ଆଗେଇବ, ଆମେ ମଧ୍ୟ ସେମିତି ଆଗେଇବା । ବ୍ରିଟିସ୍‍ ସରକାର ଶାସନରେ ଥିଲା ବୋଲି ଆମେ ତାକୁ ପ୍ରଶଂସା କରୁଥିଲେ । ତା’ ସପକ୍ଷରେ କଥା କହୁଥିଲେ । ଯେଉଁମାନେ ତା’ର ବିରୋଧ କରୁଥିଲେ, ତାଙ୍କ ବିରୁଦ୍ଧରେ, ସରକାରଙ୍କ ପାଖରେ ସେମାନେ ଆପତ୍ତି ଜଣାଉ ଥିଲେ ।

 

ଆଜି ଯେତେବେଳେ ଶାସନ କ୍ଷମତା କଂଗ୍ରେସ ନେବାକୁ ଯାଉଛି, ଆମେ ତା’ର ପ୍ରଶଂସା କରିବା । ତା’ର ଗୁଣଗାନ କରିବା । କଂଗ୍ରେସର ନେତାମାନଙ୍କୁ ଶ୍ରଦ୍ଧା, ସମ୍ମାନ ଓ ତୋଷାମଦ୍‍ କରି ଶିଖି ସ୍ୱାର୍ଥ ହାସଲ କରିବାରେ ଲାଗିଯିବା ।

 

ଲୋକନାଥ କହିଲେ–ସବୁଠାରୁ ଦୁର୍ଭାଗ୍ୟ ଆମର ବିକ୍ରମ ବାବୁ, ଶେଷରେ ନଳିନାକ୍ଷ ପାଖରେ ଆମକୁ ହିଁ ମୁଣ୍ଡ ନୁଆଁଇବାକୁ ପଡ଼ିବ । ଓଡ଼ିଶା ମୁଲକରେ ତା’ର ଯେପରି ସୁନାମ ଅଛି, ଖ୍ୟାତି ଅଛି, ସେ ହୁଏତ ମନ୍ତ୍ରୀ ହୋଇଯାଇ ପାରିବ ।

 

ବିକ୍ରମ ବାବୁ କହିଲେ–ଆମକୁ ହିଁ ଜାତୀୟ ଦଳର ସଭ୍ୟ ଶ୍ରେଣୀଭୁକ୍ତ ହେବାକୁ ପଡ଼ିବ ଲୋକନାଥ ବାବୁ । ଯେଉଁ ରାଜନୀତି ଦଳର ଲୋକଙ୍କୁ ବ୍ରିଟିସ୍‍ ସରକାର ଥିଲାବେଳେ ଆମେ ଘୃଣା ଚକ୍ଷୁରେ ଦେଖୁଥିଲେ, ଏବେ ସେହି ଦୀକ୍ଷାରେ ଆମକୁ ଦୀକ୍ଷିତ ହେବାକୁ ପଡ଼ିବ । ତା’ ନହେଲେ ଆମକୁ କେହି ପଚାରିବେ ନାହିଁ । ଅଦରକାରୀ ଦ୍ରବ୍ୟରୂପେ ଆମେ ପଡ଼ି ରହିବା । ସାମାଜିକ ପ୍ରତିପତ୍ତି ଓ ପ୍ରତିଷ୍ଠା ଆମର ଶୂନ୍ୟ ହୋଇଯିବ ।

 

ପୁଣ୍ଡରୀକାକ୍ଷ କହିଲେ–ତା’ହେଲେ ଆମକୁ ଶୀଘ୍ର ଖଦଡ଼ ପିନ୍ଧିବାକୁ ହେବ ବିକ୍ରମ ବାବୁ-। ଗାନ୍ଧୀ ଟୋପି ଏବଂ ଖଦଡ଼ର ଲୁଗା ଓ ଜାମା ପିନ୍ଧି ବସିଲେ, ଆମ ଅତୀତ ପାପର ପ୍ରାୟଶ୍ଚିତ୍ତ ହୋଇଯିବ । ଖଦଡ଼ର ପବିତ୍ର ଖୋଳ ଭିତରେ ଆମର କିନ୍ତୁ ସେଇ ନର ପିଶାଚ, ସ୍ୱାର୍ଥ ଗୃଧ୍ର ଅଭିସନ୍ଧି ଲୁକ୍‍କାୟିତ ରହିବ । ବେଳ ଉଣ୍ଡି, ସମୟ ସୁବିଧାର ଅବକାଶ ପାଇ ଆମର ସେଇ ଅଭିସନ୍ଧି ଚରିତାର୍ଥ ହେବ ।

 

ଲୋକନାଥ କହିଲେ–ଅଗଷ୍ଟ ପନ୍ଦର ପୂର୍ବରୁ ଆମକୁ ଖଦଡ଼ ପିନ୍ଧିବାକୁ ପଡ଼ିବ କକେଇ । ତା’ ନହେଲେ, ସେ ଦିନ ଭାରତର କୋଟି କୋଟି ଜନତା ଯେତେବେଳେ ହର୍ଷୋତ୍‍ଫୁଲ୍ଲ ବଦନରେ, ଜାତିର ସେଇ ପବିତ୍ରତମ ଉତ୍ସବରେ ଯୋଗ ଦେଉଥିବେ, ଆମେ ମଧ୍ୟ ଠିକ୍‍ ସେମାନଙ୍କ ପରି ଦେବା ।

 

ତା’ଛଡ଼ା ବିକ୍ରମ ବାବୁ ଆମକୁ ହିଁ ଜାତୀୟ ଦଳର ସଭ୍ୟ ଶ୍ରେଣୀଭୁକ୍ତ ହେବାକୁ ପଡ଼ିବ । ଆସନ୍ତାକାଲି ଆମକୁ ସଭ୍ୟ ଶ୍ରେଣୀଭୁକ୍ତ କରିନେବା ପାଇଁ ଆବେଦନ କରାଯାଉ ।

 

ବିକ୍ରମଦେବ ସମ୍ମତି ଦେଲେ । ତିନିଙ୍କ ଭିତରେ ଖେଳିଗଲା ଏକ ଅନନୁଭୂତ ଆନନ୍ଦ ।

 

ପୁଣ୍ଡରୀକାକ୍ଷ ଓ ଲୋକନାଥ ହସି ହସି ସେ ଦିନର ସେଇ ଶ୍ରାବଣର ମଧ୍ୟାହ୍ନରେ ଘରକୁ ଫେରିଲେ ।

 

ଆଜି ହେଉଛି ଅଗଷ୍ଟ ପନ୍ଦର....

 

ଅଖଣ୍ଡ ଭାରତ ଦୁଇ ଭାଗରେ ବିଭକ୍ତ ହୋଇଯାଇ ଥିଲେ ବି ସମଗ୍ର ହିନ୍ଦୁସ୍ଥାନରେ ଅପୂର୍ବ ଉଲ୍ଲାସ, ଆନନ୍ଦ ଓ ପୁଲକର କଳା ଢେଉ....

 

ଲାଲ୍‍କିଲ୍ଲାରୁ ୟୁନିଅନ ଜାକ୍‍ ଉଡ଼ିଯାଇ, ଭାରତର ଜାତୀୟ ପତାକା ଫର ଫର ହୋଇ ଉଡ଼ିବାରେ ଲାଗିଛି ।

 

ସମଗ୍ର ହିନ୍ଦୁସ୍ଥାନର ପୁର ପଲ୍ଲୀରେ ଏକ ନୂତନ ଆତ୍ମ-ଚୈତନ୍ୟ ଉଦୟ ହୋଇଛି । ନଗର, ସହର, ଜନପଦ ଆଜି ବିପୁଳ ଆନନ୍ଦ ବିଳାଶରେ ନିମଜ୍ଜିତ ।

 

ପ୍ରଭାତ ଫେରିର ଧ୍ୱନି ଭାରତର ଆକାଶକୁ ଉଠିଯାଉଛି । ତୋପ, ହୁଳହୁଳି, ହରିବୋଲ ଏବଂ ଶଙ୍ଖ ଧ୍ୱନିର ସମ୍ମିଳିତ ସ୍ୱର ଭାରତର ସମଗ୍ର ବାୟୁମଣ୍ଡଳକୁ ମୁଖରିତ କରିଛି ।

 

ଚାରିଆଡ଼େ ଉତ୍ସବର ମଦିରା–ଆବେଗ...

 

ପୂରବୀପୁରର ଲୋକେ ଗତକାଲି ରାତ୍ରି ସାରା ଜାଗ୍ରତ । ଆଜି ଠିକ୍‍ ଭୋରରୁ ଦଳ ଦଳ ହୋଇ ଛାତ୍ର ଆସୁଛନ୍ତି । ‘ଭାରତ ଆଜିର ମୁକ୍ତ, ଅନ୍ଧାର ଅବଲୁପ୍ତ ସଂଗୀତରେ...ଗାଆଁର ପ୍ରାତଃକାଳୀନ ଶାନ୍ତ ପରିବେଶକୁ ସେମାନେ ଶତଧା ଅଶାନ୍ତ ଓ ବିଦୀର୍ଣ୍ଣ କରୁଛନ୍ତି । ତାଙ୍କ ପଛେ ପଛେ ଛୁଟିଛନ୍ତି ଅସଂଖ୍ୟ ବୁଢ଼ା, ଭେଣ୍ଡା ଯୁବକମାନେ ।

 

ନଳିନାକ୍ଷ ଆଜି ହେବ ଉତ୍ସବର ପୁରୋଧା । ଗାଁ ପ୍ରାଥମିକ ସ୍କୁଲ ପାଖ ପଡ଼ିଆରେ ପତାକା ଉତ୍ତୋଳନ ହେବ । ତା’ପରେ ହେବ ସଭା । ସନ୍ଧ୍ୟା ବେଳକୁ ବିଚିତ୍ରାନୁଷ୍ଠାନ । ପ୍ରାଥମିକ ସ୍କୁଲର ପିଲାଏ ଅଭିନୟ କରିବେ ‘ଭାରତ ଜନନୀ’ ଏକାଙ୍କ ନାଟିକା ।

 

ତା’ପରେ ପଂକ୍ତି ଭୋଜନ । ଗାଁ ଲୋକେ ଜାତି, ଭେଦ ଭୁଲି ଏକା ସାଙ୍ଗରେ ବସି ଖାଇବେ । ନନ୍ଦକିଶୋର ଉପରେ ସେ ସବୁର ଦାୟିତ୍ୱ ନ୍ୟସ୍ତ କରାଯାଇଛି ।

 

ଏ ଉତ୍ସବକୁ ଅଧିକା ଜୀବନ୍ତ ଓ ଉପଭୋଗ୍ୟ କରିବା ପାଇଁ ନଳିନାକ୍ଷ ପ୍ରାଣପାତ ଉଦ୍ୟମ କରିଛି । ଗାଁ ଲୋକଙ୍କ ଠାରୁ ଚାନ୍ଦା ଭେଦା ଆଦାୟ କରି ସ୍କୁଲ ପିଲାଏ ମାତ୍ର ଷାଠିଏ ଟଙ୍କା ସଂଗ୍ରହ କରିଛନ୍ତି । ସେଇ ମାତ୍ର ଷାଠିଏ ଟଙ୍କାରେ ଏତେବଡ଼ ଉତ୍ସବ କିପରି ଉଦ୍‍ଯାପିତ ହେବ ? ଏତେ ବଡ଼ ପଂକ୍ତି ଭୋଜନ କିପରି ଆୟୋଜନ କରି ହେବ ? ହଜାର ହଜାର ଲୋକ, ସ୍ୱାଧୀନତାର ଏଇ ପବିତ୍ର ଦିନରେ ଖାଇପିଇ କିପରି ଘରକୁ ଫେରିବେ ?

 

ପାହାନ୍ତା ପ୍ରହରରୁ ଯେଉଁ ବାଣ ଫୁଟୁଛି, ଆତସବାଜିର ଧ୍ୱନିରେ ପୂରବୀପୁର ଉଠୁଛି ଆଉ ପଡ଼ୁଛି, ତାହା କ’ଣ ଏଇ ଷାଠିଏ ଟଙ୍କାର ମୂଳଧନରେ ସମ୍ଭବ ହୋଇ ପାରିଛି ?

 

ନଳିନାକ୍ଷ, ଦୁଇଦିନ ତଳେ ରାଧାମଣିଙ୍କର ଏକ ସୁନାହାର ବିକ୍ରି କରି, ଏକ ହଜାର ଟଙ୍କା ଆୟୋଜନ କରିଛି । ଗୋଟିଏ ମାତ୍ର ସୁନାହାର–ଯାହାର ଓଜନ ଥିଲା ପ୍ରାୟ ଏଗାର ଭରି । ଦକ୍ଷିଣରାୟଙ୍କ ମୃତ୍ୟୁପରେ, ଘର କରଣା ଜିନିଷ ବିକି ଭାଙ୍ଗି, ରାଧାମଣି ଚଳିଥିଲେ । ଭୂସମ୍ପତ୍ତି ବିକ୍ରୟ କରି ନଳିନାକ୍ଷକୁ ପାଠ ପଢ଼ାଇ ଥିଲେ । ମାତ୍ର ସେଇ ହାରଟି ପ୍ରତି ତାଙ୍କର ଥିଲା ଅସମ୍ଭବ ଲୋଭ-ମମତା ।

ସେ ଭାବିଥିଲେ, ନୀଳିମାର ବିବାହ ଉତ୍ସବରେ ସେଇ ହାରଟିକୁ ତାକୁ ପିନ୍ଧାଇ ଦେଇ ଶାଶୁଘରକୁ ବିଦାୟ ଦେବେ । ସେଇ ଉଦ୍ଦେଶ୍ୟରେ ବହୁମୂଲ୍ୟ ହାରଟି ଏବେ ସୁଦ୍ଧା ସଞ୍ଚିତ ହୋଇ ରହିଥିଲା ।

କିନ୍ତୁ ସ୍ୱାଧୀନତା ଦିବସର ତାତ୍ପର୍ଯ୍ୟ ଓ ଗୁରୁଗମ୍ଭୀରତା, ଗାଁ ପିଲାଙ୍କ ଦ୍ୱାରା ସଂଗୃହିତ ମାତ୍ର ଷାଠିଏଟି ମୁଦ୍ରାରେ କିପରି ରକ୍ଷା କରିହେବ ? ଆଉ କିଏ ଅର୍ଥ ସାହାଯ୍ୟ କରିବ ? କାହା ପାଖରେ ସେ ଯାଇ ହାତ ପାତିବ ? ସ୍ୱେଚ୍ଛାକୃତ ଭାବେ ଯେ ଯାହା ଦାନ କରିଛନ୍ତି, ତାହାହିଁ ଯଥେଷ୍ଟ ।

ଇଚ୍ଛା କଲେ ବିକ୍ରମ ବାବୁ ଅର୍ଥ ସାହାଯ୍ୟ କରିପାରି ଥାନ୍ତେ । ମାତ୍ର ତାଙ୍କ ପାଖରେ ସ୍ୱାଧୀନ ଭାରତର ମୁକ୍ତି ଦିବସ ପାଳନ କରିବା ସକାଶେ କିଏ ନିବେଦନ କରିବ ? ହାତ ପାତି, ନିଜର ଦୈନ୍ୟ ପ୍ରକାଶ କରିବ ?

ତାଙ୍କର କୀର୍ତ୍ତି ଏବେ ବି ତା’ର ମନେ ଅଛି । ଦ୍ଵିତୀୟ ଥର ସେ ଯେତେବେଳେ ଗିରଫ ହୋଇଗଲା, ସେତେବେଳେ ପୋଲିସ୍‍ ଓ ସି.ଆଇ.ଡି.ମାନଙ୍କୁ ବିକ୍ରମଦେବ ପୂରା ସାହାଯ୍ୟ କରିଥିଲେ । ସ୍ୱାଧୀନତା ଆନ୍ଦୋଳନକୁ ଏ ଅଞ୍ଚଳରୁ ମୂଳପୋଛ କରିଦେବା ପାଇଁ ସେ ଦୃଢ଼ ସଂକଳ୍ପ ହୋଇଥିଲେ । ଆଜି ସେମାନେ ଖଦଡ଼ ପିନ୍ଧୁଛନ୍ତି । ଗାନ୍ଧୀ ଟୋପି ମୁଣ୍ଡରେ ଦେଇ ବାରଆଡ଼େ ବୁଲିବାରେ ଲାଗିଲେଣି । ଭାରତର ଏଇ ଜାତୀୟ ଉତ୍ସବ ପ୍ରତି ସେମାନଙ୍କର ଯଦି ସାହାଯ୍ୟ ଥାଆନ୍ତା, ସହାନୁଭୂତିର କାଣିଚାଏ ସ୍ପର୍ଶ ଅନୁଭୂତ ହେଉଥାନ୍ତା, ତା’ହେଲେ ହସି ହସି ସ୍ୱେଚ୍ଛାକୃତ ଭାବେ ସେ କ’ଣ କିଛି ଦାନ କରନ୍ତେ ନାହିଁ ?

ନନ୍ଦକିଶୋର କହୁଥିଲା, ଜିଲ୍ଲା ଜାତୀୟ ଦଳ କମିଟି ପାଖକୁ, ସଭ୍ୟ ଶ୍ରେଣୀଭୁକ୍ତ ହେବାପାଇଁ ସେମାନେ କୁଆଡ଼େ ଆବେଦନ କରିଛନ୍ତି । ଆଶ୍ଚର୍ଯ୍ୟ ଏମାନେ । ପବନ ଯେଉଁ ଆଡ଼କୁ ପିଟିବ, ଠିକ୍‍ ସେଇ ଆଡ଼କୁ ଏମାନେ ଛତା ଦେଖାଇବେ ।

 

ଛାଡ଼ ସେମାନଙ୍କ କଥା ।

 

ଯେଉଁ ଦିନ ସେଇ ହାରଟିକୁ ଧରି ନଳିନାକ୍ଷ ବିକିବାକୁ ଗଲା, ସେଦିନ ନୀଳିମା ହସି ହସି କହିଲା–ହାରଟିକୁ ନେବାପାଇଁ ତମେ ଯେଉଁଥି ପାଇଁ ସଂକୋଚ ବୋଧ କରୁଛ, ମୁଁ ଜାଣେ ଭାଇ । ସେ ହାର ପ୍ରତି ମୋର ଟିକିଏ ହେଲେ ଲୋଭ ନାହିଁ । ସେଇ ହାରର ମୂଲ୍ୟରେ, ଏ ଦେଶର ଏକ ମହନୀୟ ଦିବସ ଯଦି ଉଦ୍‍ଯାପିତ ହୋଇଯିବ, ସେଇ ହେବ ମୋର ଗୌରବ ।

 

ସେଇ ହାର ବିକ୍ରୟ କରି, ନଳିନାକ୍ଷ ପଂକ୍ତି ଭୋଜନ ଉଦ୍ଦେଶ୍ୟରେ ପ୍ରାୟ ହଜାରେ ଲୋକଙ୍କ ଖାଇବା ପାଇଁ ଯୋଗାଡ଼ କରୁଛି । ପତାକା ଉତ୍ତୋଳନ ଓ ସଭା ଅନୁଷ୍ଠିତ ହୋଇ ସରିଲା ପରେ, ଖନ୍ଦା ଲାଗିବ । ହଜାରେ ଲୋକଙ୍କର ଚର୍ଚ୍ଚାପାଇଁ ବ୍ୟବସ୍ଥା ହେବ ।

 

ଠିକ୍‍ ସାଢ଼େ ସାତରେ ହେବ ପତାକା ଉତ୍ତୋଳନ....

 

ଅଗଷ୍ଟ ଆକାଶରେ ଆଜି ମେଘ ନାହିଁ । ଶାରଦୀୟ ଗଗନ ପରି ଆକାଶ ଆଜି ନୀଳିମ-ପ୍ରଶାନ୍ତ, ନିର୍ମେଘ ।

 

ପୂର୍ବ ଆକାଶରେ ଆଜି ନୂଆ ସୂର୍ଯ୍ୟର ବିଳାସ...ସେଇ ପୁରାତନ ଆକାଶର ଆଦିମ ସୂର୍ଯ୍ୟ ଇଏ ବୋଧେ ନୁହେଁ । ପରାଧୀନ ଭାରତରେ ଯେଉଁ ପ୍ରାଚୀନ ସୂର୍ଯ୍ୟ, ସକାଳର ଗଛ ପତ୍ରରେ ଲେଖିଦିଏ ରୁପେଲି ଅକ୍ଷର, ସେଇ ଆକାଶର ସେ ସୂର୍ଯ୍ୟ, ବୋଧହୁଏ, ଅନନ୍ତ ନୀଳିମାରେ ନିଶ୍ଚିହ୍ନ ହୋଇ ଯାଇଛି ।

 

ସ୍ୱାଧୀନ ଭାରତର ଭୂଇଁରେ ଏ ନୂଆ ସୂର୍ଯ୍ୟର ଆବାହନୀ । ପୂର୍ବ ଆକାଶରେ ସୂର୍ଯ୍ୟ ଉଠୁଛି କି ପ୍ରଚଣ୍ଡ ଆଲୋକ ଢାଳି ! ଗଛ, ପତ୍ରରେ ସକାଳର ସେଇ ସୂର୍ଯ୍ୟାଲୋକ ଉଦ୍ଭାସିତ ହୋଇ ଉଠୁଛି । ଝଲମଲ କରୁଛି ।

 

କୋଟି କୋଟି ଜନତାର ନବୀନ ଉତ୍ସାହ ଓ ପୁଲକ ଦେଖି, ଏ ନୂଆ ସୂର୍ଯ୍ୟ ବୋଧହୁଏ ହସୁଛି । ପ୍ରାଣର ପୁଲକରେ ଢାଳି ଦେଉଛି ରୁପେଲି ରଶ୍ମି ପଟଳ ।

 

ଗାଁ ଯାକ ସମସ୍ତେ ଗାଧୋଇ, ନୂଆ ଲୁଗା ଏବଂ ନୂଆ ଜାମା ପିନ୍ଧି ସ୍କୁଲ ପାଖ ପଡ଼ିଆରେ ଜମି ଗଲେଣି । କୁଳ ବୋହୂମାନେ, ସଡ଼କ ଉପରେ ଠିଆ ହୋଇ, ସେହି ଲୋକାରଣ୍ୟକୁ ଚାହିଁ ରହିଛନ୍ତି ।

 

ହଠାତ୍‍ ଘଣ୍ଟା ବାଜିଲା ।

 

ସାଢ଼େ ସାତ ହୋଇଗଲା ।

 

ପତାକା ପ୍ରୋଥିତ ସ୍ଥାନରେ ଗୋଲ୍‍ ହୋଇ ଠିଆ ହୋଇଛନ୍ତି ଅନେକ ଲୋକ ।

 

ସେମାନଙ୍କ ଗହଳରେ ଶୁଭ୍ର ଖଦଡ଼ ପରିହିତ ବିକ୍ରମଦେବ, ଲୋକନାଥ ଓ ପୁଣ୍ଡରୀକାକ୍ଷ ଏକଧ୍ୟାନରେ ନଳିନାକ୍ଷର ନିର୍ଦ୍ଦେଶକୁ ସତେ ଯେପରି ଅପେକ୍ଷା କରି ରହିଛନ୍ତି । ଅତୀତର ପାପ, ସ୍ୱାଧୀନତା ଦିବସର ଏଇ ମଙ୍ଗଳ ମୁହୂର୍ତ୍ତରେ ସତେ ଯେପରି ଧୋଇ ଯାଉଛି ।

 

ନନ୍ଦକିଶୋର ଖଦଡ଼ ପରିହିତ, ଭାରତୀୟ ଗଣ-ଆନ୍ଦୋଳନର ପ୍ରଧାନ ଶତ୍ରୁ, ଏହି ତିନୋଟି ପ୍ରଖ୍ୟାତ ବ୍ୟକ୍ତିଙ୍କୁ ଦୋଷୀ ପରି ଠିଆ ହୋଇଥିବାର ଦେଖି ମନେମନେ ହସି ଉଠୁଥିଲା ।

 

ପୁଣି ବାଜିଲା ଆଉଥରେ ଘଣ୍ଟା ।

 

ନଳିନାକ୍ଷ ଧ୍ୟାନମଗ୍ନ ହୋଇ ଠିଆହେଲା । ଅନ୍ୟମାନେ ତା’ ପରି ନୀରବ, ନିର୍ବାକ ।

 

ପତାକା ଉତ୍ତୋଳନ ହେଲା । ବାଉଁଶର ଊର୍ଦ୍ଧ୍ୱଭାଗକୁ ଯେତେବେଳେ ପତାକା ଉଠି ଉଠି ଯାଉଥିଲା, ସେତେବେଳେ ପତାକାରୁ ଖସି ପଡ଼ୁଥିଲା ଅନେକ ପ୍ରକାର ଫୁଲ ।

 

ନଳିନାକ୍ଷ ଗାଇଲା–‘ଝଣ୍ଡା ଉଞ୍ଚାରାହେ ହମାରା....’

 

ଅନ୍ୟମାନେ ଏକ ସ୍ୱରରେ ତା’ ସ୍ୱର ସହିତ ସ୍ୱର ମିଳାଇ ଗୀତ ଗାଇଲେ । ବିକ୍ରମଦେବ, ଲୋକନାଥ ଓ ପୁଣ୍ଡରୀକାକ୍ଷ ଠିକ୍‍ ନଳିନାକ୍ଷ ପରି ଆଖିମୁଦି ମଧ୍ୟ ଅନ୍ୟମାନଙ୍କ ସହ ସ୍ୱର ଧରିଲେ ।

 

ପୁଣ୍ଡରୀକାକ୍ଷଙ୍କ ପୁଅ ଅଶ୍ୱିନୀ, ସେଇ ଜନତାର ଘେର ଭିତରେ ଠିଆ ହୋଇଛି । ସେ ଏବେ ଏକାଦଶ ଶ୍ରେଣୀରେ ପଢ଼ୁଛି ।

 

ସେ ଯେତେବେଳେ ଆଖିମେଲି ଚାହିଁଲା ପୁଣ୍ଡରୀକାକ୍ଷଙ୍କ ଆଡ଼େ, ସେତେବେଳେ ତାଙ୍କ କୃତ୍ରିମ ଜାତୀୟତା ଓ ଦେଶାତ୍ମବୋଧ ଦେଖି ତାକୁ ଭାରି ହସ ମାଡ଼ିଲା ।

 

ଗୀତର ସ୍ୱର ଛାଡ଼ିଦେଇ ଭାବିଲା–ଏଇମାନେ ଜାତୀୟ ଆନ୍ଦୋଳନକୁ ପଣ୍ଡ କରିବା ପାଇଁ ଷଡ଼ଯନ୍ତ୍ର କରୁଥିଲେ । ନଳିନାକ୍ଷ ଭାଇଙ୍କୁ ପୋଲିସ୍‍ ହାତରେ ବନ୍ଧାଇ ନେବାପାଇଁ ନାନା କୌଶଳ ପାଞ୍ଚୁଥିଲେ । ମାତ୍ର ଆଜି–ଘଟଣାର ଗତି ଚକ୍ରରେ ସେମାନେ ନଳିନାକ୍ଷ ଭାଇର ସ୍ୱର ସଙ୍ଗେ ସ୍ୱର ମିଳାଉଛନ୍ତି । ଆଖି ମୁଦି ଜାତୀୟ ପତାକା ତଳେ ମଥା ଅବନତ କରି, ପୁଣି ଖଦଡ଼ ପିନ୍ଧି ଠିଆ ହୋଇଛନ୍ତି ।

 

ପୁଣ୍ଡରୀକାକ୍ଷ ଯଦି ତା’ର ବାପା ହୋଇ ନଥାନ୍ତେ, ତା’ହେଲେ ପତାକା ଉତ୍ତୋଳନ ସରିଲା ମାତ୍ରେ ସେ ସବୁ କଥା ପଚାରି ବସନ୍ତା । ନଳିନାକ୍ଷ ଭାଇ ଉଦାର–ନିର୍ମାୟା ଲୋକ । ସେ ଭଲା ପଚାରି ବସନ୍ତେ ? ନା, ସେ ପଚାରିବେ ନାହିଁ । ନନ୍ଦକିଶୋର ବାବୁ ଭଲା ପ୍ରଶ୍ନ କରନ୍ତା !

 

ପତାକା ଉତ୍ତୋଳନ ସରିଲା ।

 

ସେ ଦିନ ରାତ୍ରି । ଦଶ, ବାର ଖନ୍ଦା ଗାଁର ଲୋକେ ପଂକ୍ତି ଭୋଜନ ସାରି ନିଜ ନିଜ ଘରକୁ ଫେରିଗଲେ । ବିକ୍ରମଦେବ ଆସି ନଳିନାକ୍ଷକୁ ଧରି ପକାଇ କହିଲେ–ପୂର୍ବ କଥା ପାସୋରି ଯିବୁ ବାବା । ଆଜି ଭଳି ଏକ ମହାନ୍‍ ଦିବସରେ, ଅତୀତର ଘଟଣା ତୋ ମନକୁ ସ୍ପର୍ଶ କରିବ ନାହିଁ ବୋଲି ଆମ୍ଭେମାନେ ଭାବି ନେଇଛୁଁ ।

 

ନଳିନାକ୍ଷ ହସିଲା । ଏକ ଶାନ୍ତ, ନିର୍ମଳ ହସ । କହିଲା–ଅତୀତର କଥା ଚିନ୍ତା କରି ବର୍ତ୍ତମାନ କିଛି ଲାଭ ନାହିଁ । ଆପଣମାନଙ୍କ କଥା ମୁଁ ତ କେବେହେଲେ କାହାରି ପାଖରେ କିଛି କହିନାହିଁ ।

 

ପୁଣ୍ଡରୀକ୍ଷ କୃତ୍ରିମ ହସ ହସି କହିଲା–ତମ ପଛେ ପଛେ ଆମେ ଏଣିକି ରହିବୁ ବାବା । ଅତୀତରେ ଆମେ ଯାହା ସବୁ କରିଥିଲୁ, ସେଥିପାଇଁ ଆମେ ସମସ୍ତେ ଅନୁତପ୍ତ ।

 

ଲୋକନାଥ କହିଲେ–ନଳିନାକ୍ଷ ସେମିତି ପିଲା ନୁହେଁ କକେଇ । ତା’ ମନରେ ସେମିତି ଭାବ ଯଦି ଥାଆନ୍ତା, ଆମମାନଙ୍କୁ ଡକାଇ ଆଜିଭଳି ଏଇ ଉତ୍ସବରେ କ’ଣ ଆପ୍ୟାୟିତ କରିଥାନ୍ତା-?

 

ନନ୍ଦକିଶୋର ମଧ୍ୟ ସେତେବେଳେ ଏମାନଙ୍କ କଥା ଶୁଣି ହସୁଥିଲା ।

 

ରାତ୍ରି ଗାଢ଼ତର ହେଲା ।

 

ନୂଆ ଖଦଡ଼ଧାରୀ ବିକ୍ରମଦେବ, ଲୋକନାଥ ଓ ପୁଣ୍ଡରୀକାକ୍ଷ ନଳିନାକ୍ଷ ଠାରୁ ବିଦାୟ ନେଲେ ।

 

ନନ୍ଦକିଶୋର କହିଲା–ଦେଖିଲ ତ ନଳିନାକ୍ଷ ଭାଇ, ଦେଶର ଗତି ସଙ୍ଗେ ସଙ୍ଗେ ଏମାନଙ୍କର ମତି ଓ ନୀତି କିପରି ଗତି କଲା । ଖଦଡ଼ ପିନ୍ଧି ଜାତୀୟ ଦଳର ସଭ୍ୟ ହେବାପାଇଁ ସେମାନେ ଏବେ ଲାଗି ଗଲେଣି । ଦେଖ, ଭବିଷ୍ୟତକୁ ଏମାନେ କ’ଣ କରିବେ ?

 

ନଳିନାକ୍ଷ କହିଲା–ସେ ଯାହା କରନ୍ତୁ ବା ଧରନ୍ତୁ, ଆମର ସେଥିରେ କିଛି ଯାଏ ଆସେ ନାହିଁ । ଆମେ ଠିକ୍‍ ଥିଲେ, ସବୁ ଠିକ୍‍ ହୋଇଯିବ ।

 

ନଳିନାକ୍ଷ ଓ ନନ୍ଦକିଶୋର ନୂଆ ଭାରତର ମାଟି ଉପରେ ନୂତନ ଭାବନା ଖେଳାଇ, ଘରକୁ ଫେରିଥିଲେ ।

 

ଭାରତର ସ୍ୱତନ୍ତ୍ର ସମ୍ବିଧାନ ପ୍ରଣୟନ ସରିଯାଇଛି....

 

ଆଉ ମାତ୍ର ଚାରିମାସ ପରେ ଧର୍ମ ନିରପେକ୍ଷ, ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ସାଧାରଣ ନିର୍ବାଚନ ହେବ । ସାବାଳକ ଲୋକେ ଆପଣାର ପ୍ରତିନିଧି ବାଛିବା ପାଇଁ ଭୋଟ ଦେବାର ଅଧିକାର ପାଇବେ ।

 

ରଜା, ଜମିଦାର ବା ଉଚ୍ଚ ଶିକ୍ଷିତ ବ୍ୟକ୍ତିମାନେ ବିଧାନସଭା ବା ଲୋକସଭାରେ କେବଳ ପ୍ରତିନିଧିତ୍ୱ କରିବେ ନାହିଁ । ଭାରତବର୍ଷର ଯେ କେହି ନାଗରିକ, ପଚିଶି କିମ୍ବା ତିରିଶି ବର୍ଷ ବୟସ ଅତିକ୍ରାନ୍ତ କରିଥିଲେ, ସେ ଯଥାକ୍ରମେ ବିଧାନସଭା ବା ଲୋକସଭାକୁ ପ୍ରାର୍ଥୀ ହୋଇ ପାରିବ ।

Unknown

 

ସାଧାରଣ ନିର୍ବାଚନ ପାଇଁ ସାରା ଭାରତରେ ପ୍ରସ୍ତୁତିର ଘନଘଟା । ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ଠିଆ କରାଯାଉଛି । ଦଳର କର୍ମୀମାନେ ଗାଁ ଗାଁ ବୁଲି ନିଜ ଦଳର ପ୍ରାର୍ଥୀଙ୍କୁ ଭୋଟ ଦେବାପାଇଁ ଆବେଦନ, ନିବେଦନ କରୁଛନ୍ତି ।

 

ଓଡ଼ିଶାର ପ୍ରାକୃତିକ ସୀମା ଢେର ବଢ଼ି ଯାଇଛି । ଗଡ଼ଜାତ ସମୂହ, ମୋଗଲବନ୍ଦୀ ସହ ମିଶ୍ରଣ ସରି, ବୃହତ୍ତର ଉତ୍କଳ ହୋଇଛି । ଉତ୍କଳ ଜନନୀର ଅନେକାଂଶ ଓଡ଼ିଶା ବାହାରେ ରହି ଯାଇଥିଲେ ମଧ୍ୟ ଏହାକୁହିଁ ପୂର୍ଣ୍ଣାଙ୍ଗ ଉତ୍କଳ କୁହାଯାଉଛି ।

 

ସମଗ୍ର ଓଡ଼ିଶାରେ ୧୯୫୨ର ସାଧାରଣ ନର୍ବାଚନ ପାଇଁ ନିର୍ବାଚନର ବାତ୍ୟା ଛୁଟିଛି....

 

ସେ ଦିନ ଥିଲା ଶେଷ କାର୍ତ୍ତିକର ଏକ ସନ୍ଧ୍ୟା...

 

ନନ୍ଦକିଶୋର ଓ ନଳିନାକ୍ଷ ଦୁହେଁଯାକ ନଳିନାକ୍ଷ ଘରେ ବସିଥିଲେ । ନନ୍ଦକିଶୋର କହିଲା–ପ୍ରଦେଶ ଜାତୀୟ ଦଳ ଅଫିସକୁ ତମେ ଶୀଘ୍ର ଆବେଦନ କର ନଳିନାକ୍ଷ ଭାଇ । ଆଉ ମାତ୍ର ତିନି ଦିନ ରହିଲା । ତିନି ଦିନ ଭିତରେ ତମର ପ୍ରାର୍ଥୀପତ୍ର ନ ପହଞ୍ଚିଲେ, ପ୍ରାର୍ଥୀ ହେବାରୁ ତମେ ବଞ୍ଚିତ ହେବ ।

 

ନଳିନାକ୍ଷ ହସିଦେଲା । କହିଲା–ପ୍ରାର୍ଥୀ ହେବାକୁ ମୋର ଆଦୌ ଇଚ୍ଛାନାହିଁ ନନ୍ଦ । ବିଧାନସଭାରେ ପ୍ରତିନିଧିତ୍ୱ କଲେ ଜନତାର କ’ଣ ସେବା କରିହେବ ? ବିଧାନସଭାରେ ସଭ୍ୟ ନ ହେଲେ ମୁଁ କ’ଣ ରାଜନୀତି କରିବି ନାହିଁ ? ଜନସେବା କରିବା ଯାହାର ବ୍ରତ, ବିଧାନସଭାକୁ ନଯାଇ, ବାହାରେ ରହି ମଧ୍ୟ ଜନତାର ସାମୂହିକ କଲ୍ୟାଣପାଇଁ ସେ ଲଢ଼ି ପାରିବ । ସଂଗ୍ରାମ କରି ପାରିବ ।

 

ନନ୍ଦକିଶୋର ବିରକ୍ତ ହୋଇ ଉଠିଲା । ସବୁଦିନେ ନଳିନାକ୍ଷ କଥା ସେ ଶୁଣେ । ତା’ କଥା ଉପରେ ଗୁରୁତ୍ୱ ଦିଏ । ମାତ୍ର ଆଜି ସେ ତା’ କଥା ମାନିବ ନାହିଁ । ତା’ର ଭ୍ରାନ୍ତ ଧାରଣାରେ ସେ ମଧ୍ୟ ବଶବର୍ତ୍ତୀ ହେବନାହିଁ ।

 

ଭାରତର ଇତିହାସରେ ସମ୍ବିଧାନ ସମ୍ମତ ପ୍ରଥମ ସାଧାରଣ ନିର୍ବାଚନ ! ନଳିନାକ୍ଷ ଭାଇଙ୍କ ଭଳି ବ୍ୟକ୍ତି ବିଧାନସଭାରେ ପ୍ରତିନିଧିତ୍ୱ କରିବା ନିହାତି ବିଧେୟ । ଯେଉଁମାନେ ତାଙ୍କ ସଙ୍ଗରେ ଜେଲ୍‍ ଯାଇଥିଲେ, ବ୍ରିଟିସ୍‍ ସରକାରର ଅକଥନୀୟ ଅତ୍ୟାଚାରରେ ନିଷ୍ପେସିତ ହୋଇ ଯାଇଥିଲେ, ସେମାନେ ସମସ୍ତେ ନିଜ ଦଳ ନିକଟରେ ପ୍ରାର୍ଥୀ ହେବାପାଇଁ ଦାବି କରି ବସିଛନ୍ତି ।

 

ମାତ୍ର ନଳିନାକ୍ଷ ଭାଇ, ଆଉ କ’ଣ ଚାହାଁନ୍ତି ? ଜନତାର ସେବା କରିବା ପାଇଁ କିଏ ତାଙ୍କୁ ମନା କରୁଛି ? ବିଧାନସଭାରେ ସଭ୍ୟ ରହି ସେ କ’ଣ ସେଇ ସେବାରେ ଆତ୍ମୋତ୍ସର୍ଗ କରି ପାରିବେ ନାହିଁ ।

 

ନନ୍ଦକିଶୋରର ମନା ବିଦ୍ରୋହୀ ହୋଇ ଉଠିଲା । ସେ କହିଲା–ଆଜି ଏତେବେଳେ ତମର ଉପଦେଶ ଗ୍ରହଣ କରିବାକୁ ମୁଁ ପ୍ରସ୍ତୁତ ନୁହେଁ ନଳିନାକ୍ଷ ଭାଇ । ତମକୁ ଆସନ୍ତା ନିର୍ବାଚନ ପାଇଁ ପାର୍ଟି ଟିକେଟ ପାଇଁ ଆବେଦନ କରିବାକୁ ପଡ଼ିବ ।

 

ତମ କଥା ଅନେକ ଦିନୁ ମୁଁ ମାନି ଚଳିଛି । ମୋ କଥା ଆଜି ତମକୁହିଁ ମାନି ଚଳିବାକୁ ପଡ଼ିବ । ମୋ କଥା ତମେ ନ ମାନିଲେ, ତମ କଥା ମୁଁ ମାନିବି ନାହିଁ । ମୁଁ ହେବି ଉଦ୍ଧତ । ଉଶୃଙ୍ଖଳ-

 

ନଳିନାକ୍ଷ କହିଲା–ବ୍ୟସ୍ତ ହୁଅନାହିଁ ନନ୍ଦ । ଏଡ଼େ ହଠାତ୍‍ ସାଧାରଣ ନିର୍ବାଚନର ପ୍ରାର୍ଥୀ ହେବାପାଇଁ ତୁ ଯଦି ଜିଦ୍‍ କରି ବସୁ, ରାଗି ଲାଲ୍‍ ପଡ଼ିଯାଉ, ତା’ହେଲେ ମୁଁ କ’ଣ କରିବି କହ ?

 

ଏ ବର୍ଷ ତୁ ପ୍ରାର୍ଥୀ ହୁଅ । ମୁଁ ତୋର ସମର୍ଥକ ହେବି । ମୁଁ କିନ୍ତୁ ପ୍ରାର୍ଥୀ ହେବାକୁ ଚାହେଁ ନାହିଁ । ତୁ ପ୍ରାର୍ଥୀ ହେଲେ, ତତେ ଜିତେଇ ଦେବା ପାଇଁ ମୁଁ ସବୁ ପ୍ରକାର ବ୍ୟବସ୍ଥାର ଆୟୋଜନ କରିବି । ମୁଁ କିନ୍ତୁ ଛିଡ଼ା ହେବି ନାହିଁ ବୋଲି ତୋ ପଖରେ ପ୍ରତିଜ୍ଞା କରୁଛି ।

 

ନନ୍ଦକିଶୋର କହିଲା–ସୋସାଲିଷ୍ଟ ନେତା ଅରୁଣ ବିଶ୍ୱାଳଙ୍କ ସହିତ ମୁଁ ତାଳ ପକାଇ ଲଢ଼ି ପାରିବି ନାହିଁ । ତାଙ୍କ ଭଳି ଜଣେ ଟାଣୁଆ ବ୍ୟକ୍ତିଙ୍କୁ ତମଭଳି ଉଦୀୟମାନ ଯୁବକ ତଥା ସାରା ସବ୍‍ଡିଭିଜନର ଜନପ୍ରିୟ ନେତା ବିରୋଧ କଲେ, ସେ ନିଶ୍ଚୟ ହାରିଯିବେ । ମାତ୍ର ମୁଁ...

 

ନଳିନାକ୍ଷ କହିଲା ଅରୁଣ ବାବୁ ତ ଆମ ଦଳର ଲୋକଥିଲେ । ମାତ୍ର ଏବେ ଏହି ଅନୁଷ୍ଠାନରୁ ବାହାରିଯାଇ, ପ୍ରଦେଶରେ ସୋସାଲିଷ୍ଟ ଦଳ ଗଠନ କରିଛନ୍ତି । ମାତ୍ର ମୁଁ ଜବାବ୍‍ ଦେଉଛି, ତୋ’ପାଇଁ ମୁଁ ପ୍ରଚାର କରିବି । ତୋର ‘କା’ ହୋଇ ମୁଁ ଠିଆ ହେବି । ତୋର ବିଜୟ ସୁନିଶ୍ଚିତ ।

 

ନନ୍ଦକିଶୋରର ମନ ଆନନ୍ଦାତିଶୟରେ ସତେ ଯେପରି ଫାଟି ପଡ଼ିଲା । ବ୍ରିଟିସ୍‍ ସରକାରର ଅମୁହାଁ ପାଚେରୀ ତଳେ ନାନା ଦୁଃଖ, କଷ୍ଟ ଓ କଷଣ ସହି ଯେତେବର୍ଷ ସେ ବିତାଇ ଦେଇଥିଲା, ସେହି ଦୁଃଖ, କଷ୍ଟର ଆଜି ଯେପରି ଅବସାନ ହେବାକୁ ଯାଉଛି ।

 

ନନ୍ଦକିଶୋର କହିଲା–ତା’ହେଲେ ମୋ ଠିଆ ହେବାପାଇଁ ମତେ ତମେ ସ୍ପଷ୍ଟ ନିର୍ଦ୍ଦେଶ ଦେଉଛ ତ ଭାଇ ?

 

ନଳିନାକ୍ଷ କହିଲା–ନିର୍ଦ୍ଦେଶ ନୁହେଁ ନନ୍ଦକିଶୋର । ତୋର ଜୟକୁ ମୋର ଜୟ ବୋଲି ମୁଁ ଧରୁଛି । ତୋର ପର୍ଯାୟକୁ ମୋର ମଧ୍ୟ ପରାଜୟ ବୋଲି ଧରି ନେଉଛି । ଆମେ ଦୁହେଁ ସାରା ସବ୍‍ଡିଭିଜନରେ ପ୍ରଥମେ ଜାଳିଥିଲେ ବିଦ୍ରୋହର ବହ୍ନି । ଆମେ ଦୁହେଁ ସର୍ବପ୍ରଥମେ ସୃଷ୍ଟି କରିଥିଲେ, ବିଦେଶୀ ସରକାର ଛାତିରେ ଆତଙ୍କ । ଆମେ ଦୁହେଁ ଆମ ଅଞ୍ଚଳର ବିଶିଷ୍ଟ ସମାଜପତିମାନଙ୍କ କୂଟ କାପଟ୍ୟର ମାୟାଜାଲକୁ ଛିନ୍ନକରି, ପ୍ରତି ଅନ୍ତରରେ ଢାଳି ଦେଇଥିଲେ ଜାତୀୟତାର ମୃତ ସଞ୍ଜୀବନୀ ଧାରା ।

 

ଆମ ପରେ ଆସିଲେ ଅରୁଣ । ଆମକୁ ସାହାଯ୍ୟ କରିବା ପାଇଁ, ଆମର ପିଛା ସେ ଅନୁସରଣ କରିଥିଲେ । ପାର୍ଟିର ଅନୁମୋଦିତ ଫର୍ମ କାହିଁ ? ତୋ ନାଁ ପ୍ରସ୍ତାବ କରିବା ପାଇଁ ଦସ୍ତଖତ୍‍ ଦେବି ।

 

ନନ୍ଦକିଶୋର ଅବ୍ୟକ୍ତ ଆନନ୍ଦରେ ନିଜ ବ୍ୟାଗରୁ ଅନୁମୋଦିତ ଫର୍ମ ବାହାର କରି ନଳିନାକ୍ଷକୁ ଦେଲା ।

 

ନଳିନାକ୍ଷ ହସି ହସି କଲମରେ ଦସ୍ତଖତ୍‍ କଲାବେଳେ କହିଲା–ନନ୍ଦର ଜୟ ହେଉ । ସ୍ୱାଧୀନତା ସଂଗ୍ରାମର ଏକ ଅନାସକ୍ତ ସୈନିକର ବିଜୟ ହାସଲ ହେଉ ।

 

ନୀଳିମା ଆସି ସେତିକିବେଳେ ପହଁଚିଯାଇ କହିଲା–କ’ଣ ନନ୍ଦ ଭାଇ ତା’ହେଲେ ପାର୍ଟି ଅଫିସ୍‍କୁ ପ୍ରାର୍ଥୀ ହେବାପାଇଁ ଆବେଦନ କଲେ ?

 

ନଳିନାକ୍ଷ ହସି ହସି କହିଲା–ହଁ, ନନ୍ଦହିଁ ମୋ ମତରେ ଉପଯୁକ୍ତ ପ୍ରାର୍ଥୀ ।

 

ନୀଳିମା କହିଲା–ତା’ହେଲେ ନନ୍ଦ ଭାଇ, ମୋତେ କିଛି ଖାଇବାକୁ ଦିଅ । ତମେ ତ ପ୍ରାର୍ଥୀ ହେଉଛ । ତମର ଜୟ ନିଶ୍ଚୟ ହେବ ।

 

ନନ୍ଦ କହିଲା–ପାର୍ଟି ମତେ ମନୋନୀତ କରୁ । ତା’ପରେ ବିଧାନସଭାକୁ ଜୟଲାଭ କରି ଗଲେ ସିନା, ତତେ ଖାଇବାକୁ ଦେବି ।

 

କାର୍ତ୍ତିକର ସନ୍ଧ୍ୟାରେ ହସି ଉଠିଲା ନୀଳିମା ଏକ ବୁକୁଭରା ହସ ।

 

ଜ୍ୟୋତ୍ସ୍ନା ଆସିଛି ନଳିନାକ୍ଷର ଘରକୁ....

 

ନଳିନାକ୍ଷ ଖବରକାଗଜରେ ଆଖି ବୁଲାଉଛି । ଜ୍ୟୋତ୍ସ୍ନା ଆସି ତିନି ମିନଟ୍‍ ସେଇ ଘରେ ଠିଆ ହୋଇଗଲେଣି, ଅଥଚ ନଳିନାକ୍ଷକୁ ମାଲୁମ ନାହିଁ ।

 

ନୀଳିମା ରୋଷଘରେ, ରୋଷେଇ କାମରେ ବ୍ୟସ୍ତ ରହିଛି ।

 

ଜ୍ୟୋତ୍ସ୍ନା କହିଲା–ସମ୍ବାଦପତ୍ର ପଢ଼ିଲାବେଳେ, ଆପଣ ବୋଧେ ଦୁନିଆଁର ସବୁ କିଛି ଭୁଲି ଯାଆନ୍ତି ନଳିନାକ୍ଷ ବାବୁ ?

 

ନଳିନାକ୍ଷ ସମ୍ବାଦପତ୍ର ଉପରୁ ମୁହଁ ଟେକି ଚାହିଁଲା ଜ୍ୟୋତ୍ସ୍ନାକୁ । ସେ ତାକୁ ହଠାତ୍‍ ନିଜ ଘରେ ଦେଖି ଅପ୍ରତିଭ ହୋଇଗଲା । କହିଲା–ଆରେ...ତମେ କେତେବେଳେ ଆସି ଠିଆ ହେଲ ? ଆସ–ବସୁନା ? ଠିଆ ହୋଇ ରହିଲ ଯେ ?

 

ଜ୍ୟୋତ୍ସ୍ନା ହସି ହସି କହିଲା–ମୁଁ ତ ଚାରି ପାଞ୍ଚ ମିନିଟ୍‍ ହେଲା ଆସିଲି । କିନ୍ତୁ ଆପଣ ଯେତେବେଳେ ମନ ଧ୍ୟାନ ଦେଇ ସମ୍ବାଦପତ୍ର ପଢ଼ିବାରେ ଲାଗିଛନ୍ତି, ସେତେବେଳେ ଆପଣଙ୍କ ପଢ଼ାରେ ବ୍ୟାଘାତ ସୃଷ୍ଟି ନ କରିବା ଉଦ୍ଦେଶ୍ୟରେ ମୁଁ ନୀରବ ହୋଇ ଠିଆ ହେଲି । କିନ୍ତୁ କେତେ ସମୟ, ନୀରବ ହୋଇ ଠିଆ ହୋଇ ରହିବି ? ଶେଷକୁ ବାଧ୍ୟ ହୋଇ, ଆପଣଙ୍କ ପଢ଼ାରେ ବ୍ୟାଘାତ ସୃଷ୍ଟି କଲି । ମୋର ଯଦି ଭୁଲ୍‍ ହୋଇଥାଏ, ତା’ହେଲେ କ୍ଷମା କରିବେ ।

 

ନଳୀନାକ୍ଷ କହିଲା–ଆମ ଘରକୁ ତମେ ଯେତେବେଳେ ଅତିଥି ହୋଇ ଆସିଛ, ସେତେବେଳେ ତମକୁ ସ୍ୱାଗତ କରିବା, ଆମର ଧର୍ମ । ତେଣୁ ତମର ଭୁଲ୍‍ ରହିଲା କେଉଁଠି ? ବସ-। ବସୁନା କାହିଁକି ? ଠିଆ ହୋଇ ରହିଲ ଯେ ?

 

ଜ୍ୟୋତ୍ସ୍ନା, ନଳୀନାକ୍ଷ ବସିଥିବା ଏକ ସଉପରେ ବସି ପଡ଼ିଲା ।

 

ନଳୀନାକ୍ଷ ଡାକିଲା ନୀଳିମାକୁ । ନୀଳିମା–ଜ୍ୟୋତ୍ସ୍ନା ଆସିଛି ଆମ ଘରକୁ ।

 

ଜ୍ୟୋତ୍ସ୍ନା କହିଲା–ସେ ରୋଷେଇ କରୁଛି । କରୁଥାଉ । ରୋଷେଇ ସାରି ବଳେ ଆସିବ ଯେ–

 

ଜ୍ୟୋତ୍ସ୍ନା ଅନେକ ଦିନ ପରେ, ନଳିନାକ୍ଷକୁ ଆଜି ଏକାକୀ, ଏକ ନିରୋଳା ପରିବେଶ ମଧ୍ୟରେ ପାଇଛି । ଏଇ ପରିବେଶର ସୁବିଧା ନେଇ ତା’ ପାଖରେ ସେ ଅନେକ କଥା କହି ପାରିବ-। ନଳିନାକ୍ଷ ପ୍ରତି ଏବେ ସୁଦ୍ଧା ତା’ ଅନ୍ତରରେ ଯେଉଁ ସ୍ନେହ, ଶ୍ରଦ୍ଧା ଓ ମମତାର ଅଫୁରନ୍ତ ସ୍ରୋତ ଉଠୁଛି, ସେ ସ୍ରୋତର ଧାରାକୁ ନଳିନାକ୍ଷ ଆଗରେ ପ୍ରକାଶ କରିବ ।

 

କିନ୍ତୁ ନୀଳିମା ଯଦି ଆସିଯାଏ, ବର୍ତ୍ତମାନ ପରିବେଶର ନୀରବତାରେ ସେ ସୃଷ୍ଟି କରିବ ଅନ୍ତରାୟ–ପ୍ରତିବନ୍ଧକ । ସେ କିଛି କହିପାରିବ ନାହିଁ । ପ୍ରକାଶ କରିପାରିବ ନାହିଁ । ରୁଦ୍ଧ ଆବେଗ, ପୁଣି ସେଇ ଆବେଗରେ ମିଳାଇ ଯିବ । ଅନେକ ଦିନର ସଞ୍ଚିତ, ଅପ୍ରକାଶିତ ଓ ଅବ୍ୟକ୍ତ କାହାଣୀ, ପୁଣି ରହିଯିବ ଅପ୍ରକାଶିତ । ଗୋପନୀୟ ।

 

ନଳିନାକ୍ଷ କହିଲା–ଆଉ କ’ଣ ଖବର ଜ୍ୟୋତ୍ସ୍ନା ? ହଠାତ୍‍ କୁଆଡ଼େ ଚାଲି ଆସିଲ ?

 

ଜ୍ୟୋତ୍ସ୍ନା ହସିଲା । ତା’ ଓଠର ନଦୀରେ ହସର ସେଇ କୂଳପ୍ଳାବୀ ବନ୍ୟା ଯେପରି ବନ୍ଦ ହେବନାହିଁ । ଭଟ୍ଟା ପଡ଼ି ଯିବନାହିଁ ।

 

ଜ୍ୟୋତ୍ସ୍ନା କହିଲା–ଚାଲି ଆସିଲି ଆପଣଙ୍କ ଆଡ଼େ ବୁଲି । ଆପଣଙ୍କର ସବୁ ଭଲ ତ ?

 

ନଳିନାକ୍ଷ କହିଲା–ଆମର ଭଲ ମନ୍ଦର କ’ଣ ଯାଏ ଆସେ ଜ୍ୟୋତ୍ସ୍ନା ? ଭଲ ଏବଂ ମନ୍ଦର ମିଶାମିଶି ବାଟରେ ଆମର ଜୀବନ ଅତିବାହିତ ହେଉଛି ।

 

ଜ୍ୟୋତ୍ସ୍ନାର କଣ୍ଠ ହଠାତ୍‍ ଭାରି ହୋଇ ଉଠିଲା । ସେ କହିଲା–ଶୁଣିଲି, ଆପଣ କୁଆଡ଼େ ବିଧାନସଭାର ପ୍ରାର୍ଥୀ ହେବାପାଇଁ ଆବେଦନ କରିନାହାନ୍ତି ?

 

ନଳିନାକ୍ଷ କହିଲା–ଯାହା ଶୁଣିଛ, ତାହାହିଁ ସତ୍ୟ ।

 

ଜ୍ୟୋତ୍ସ୍ନା କହିଲା–ଆପଣ କିନ୍ତୁ ଭୁଲ୍‍ କରିଛନ୍ତି ।

 

ମୁଁ ଠିକ୍‍ କରିଛି ଜ୍ୟୋତ୍ସ୍ନା । ବିଧାନସଭାରେ ପ୍ରତିନିଧି ହୋଇଗଲେ ଦେଶ ଓ ଜନତାର ଯେ ସେବା କରିହୁଏ, ସେ କଥାରେ ମୋର ପ୍ରତ୍ୟୟ ନାହିଁ ।

 

ଜ୍ୟୋତ୍ସ୍ନା କହିଲା–ସେ କଥା ମୁଁ ବୁଝୁଛି । କିନ୍ତୁ ଆପଣ ଏ ସୁବିଧା ଛାଡ଼ିବା ଉଚିତ ହୋଇନାହିଁ ।

 

ନଳିନାକ୍ଷ କହିଲା–ମୋ ପରିବର୍ତ୍ତେ ନନ୍ଦକିଶୋର ପାର୍ଟି ଟିକେଟ୍‍ ଆବେଦନ କରିଛି । ତା’ର ବିଜୟ ହାସଲ ହେଲେ, ସେଇ ବିଜୟରେ ମୁଁ ଗୌରବାନ୍ୱିତ ହେବି । ଆମ ଅଞ୍ଚଳର ଅଭାବ, ଅସୁବିଧା, ବିଧାନସଭା ଗୃହରେ ସେ ଉପସ୍ଥାପିତ କଲାବେଳେ, ମୁଁ ଜନତାର ସେବା କରିବାକୁ ଯଥେଷ୍ଟ ଅବକାଶ ପାଇ ପାରିବି ।

 

ଜ୍ୟୋତ୍ସ୍ନା କହିଲା–ଆପଣ ଜାଣନ୍ତି, ବାପା ମଧ୍ୟ ଦଳ ଟିକେଟ୍‍ ପାଇଁ ଆବେଦନ କରିଛନ୍ତି-। ଦଳର ଟିକେଟ୍‍ ପାଇବା ପାଇଁ ଗତ ପାଞ୍ଚ ଦିନ ହେଲା ସେ କଟକ ଯାଇଛନ୍ତି । ଆପଣ ଯଦି ଆବେଦନ କରିଥାନ୍ତେ, ତା’ହେଲେ ଦଳ ହୁଏତ ତାଙ୍କୁ ଟିକେଟ୍‍ ଦେବାର ସମ୍ଭାବନା ନଥାନ୍ତା-। କିନ୍ତୁ ନନ୍ଦକିଶୋର ବାବୁଙ୍କୁ ଟିକେଟ୍‍ ମିଳିବ କି ନାହିଁ ମୁଁ ସନ୍ଦେହ ପ୍ରକାଶ କରୁଛି ।

 

ନଳିନାକ୍ଷ ବିସ୍ମୟ-ବିସ୍ଫାରିତ ନୟନରେ ଚାହିଁଲା ଜ୍ୟୋତ୍ସ୍ନାକୁ । ଯେଉଁ ବ୍ୟକ୍ତି ସ୍ୱାଧୀନତା ଆନ୍ଦୋଳନକୁ ପଣ୍ଡ କରିବା ପାଇଁ ପଣ ନେଇଥିଲେ, ସେ ବି ଆଜି ଜାତୀୟ ଦଳର ସକ୍ରିୟ ସଭ୍ୟ ! ସେ ବି ଆଜି ଆବେଦନ କରିଛନ୍ତି ଦଳର ଟିକେଟ୍‍ ପାଇବା ପାଇଁ !!

 

ଆଶ୍ଚର୍ଯ୍ୟ ଦୁନିଆ !

 

ନଳିନାକ୍ଷ ବିଶ୍ୱାସ କରି ପାରିଲା ନାହିଁ । ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁ ପରେ ଏ ଅନୁଷ୍ଠାନ ଆଜି ବୋଧହୁଏ କଳଙ୍କିତ ହେବାକୁ ଯାଉଛି । ଯେଉଁମାନଙ୍କର ତ୍ୟାଗ ନାହିଁ, ପରମ୍ପରା ନାହିଁ, ସ୍ୱାଧୀନତା ଆନ୍ଦୋଳନରେ ଯେଉଁମାନେ ଟିକିଏ ହେଲେ ସହାନୁଭୂତିଶୀଳ ହୋଇ ନଥିଲେ, ସେମାନେ ଆଜି ଅନୁଷ୍ଠାନ ଭିତରେ ପଶି ଯାଇଛନ୍ତି ! ଯଦି ବିକ୍ରମ ବାବୁଙ୍କୁ ଟିକେଟ୍‍ ମିଳିଯିବ, ତା’ହେଲେ କ’ଣ ସେ କରିବ ? ସେ କ’ଣ ଦଳ ଛାଡ଼ିଦେବ ?

 

ଏତେ ଦୁଃଖ, କଷ୍ଟ, ତ୍ୟାଗ ସ୍ୱୀକାର କରି ଯେଉଁ ଦଳର ସଭ୍ୟ ଶ୍ରେଣୀଭୁକ୍ତ ହୋଇ ଏ ଦେଶରେ ସ୍ୱାଧୀନତା ଆଣିବାକୁ ସେ ଅନ୍ୟମାନଙ୍କ ସହ ସକ୍ଷମ ହୋଇଛି, ସେ ଦଳକୁ ଛାଡ଼ିଦେବ କିପରି ? ସେ ଦଳ ଭିତରେ ଯେତେ ଅବାଞ୍ଛିତ, ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ଠୂଳୀଭୂତ ହେଲେ ମଧ୍ୟ, ସେ ଦଳକୁ ସେ ଛାଡ଼ି ପାରିବ ନାହିଁ ! ସେ ଦଳର ପବିତ୍ର ଆଦର୍ଶବାଦକୁ ସେ ପରିତ୍ୟାଗ କରି ପାରିବ ନାହିଁ ।

 

ଜ୍ୟୋତ୍ସ୍ନାକୁ ଚାହିଁ ନଳିନାକ୍ଷ ଭାବି ଚାଲିଛି ଏଇମିତି ଅନେକ କଥା....

 

ଜ୍ୟୋତ୍ସ୍ନା କହିଲା–ଏ ସମ୍ବାଦ ଶୁଣି, ଆପଣ ବିସ୍ମୟ ପ୍ରକାଶ କରିବେ ବୋଲି ଯେଉଁ ଆଶଙ୍କା ମୁଁ କରୁଥିଲି, ସେ ଆଶଙ୍କା ଆଜି ସତ୍ୟରେ ପ୍ରମାଣିତ ହୋଇଛି । ବାପାଙ୍କୁ ଟିକେଟ୍‍ ମିଳିବା ପାଇଁ ଜିଲ୍ଲା କମିଟି, ପ୍ରଦେଶ କମିଟି ଉପରେ ପ୍ରଭାବ ପକାଇବାର ସବୁ ଆୟୋଜନ ସରି ଯାଇଛି । ଆପଣ ଯଦି ବେଳ ଥାଉଁ ଥାଉଁ, ପ୍ରଦେଶ କମିଟି ଉପରେ ଆପଣଙ୍କ ବ୍ୟକ୍ତିଗତ ପ୍ରଭାବ ନ ପକାଇବେ, ତାହାହେଲେ ଦଳର ଟିକେଟ୍‍ ନନ୍ଦକିଶୋର ବାବୁଙ୍କୁ ନ ମିଳି, ମିଳିଯିବ ବାପାଙ୍କୁ ।

 

ନଳିନାକ୍ଷ ନୀରବ । ବିକ୍ରମ ବାବୁଙ୍କର କନ୍ୟା ଜ୍ୟୋତ୍ସ୍ନା ହେଲେ ବି ସେ ଜାଣିଛି ତାଙ୍କ ବ୍ୟକ୍ତିଗତ ଜୀବନର କଳଙ୍କିତ ଇତିହାସ । ସୁତରାଂ ନୀତିଗତ ଦୃଷ୍ଟିକୋଣରୁ ସେ ତା’ ନିଜ ବାପାଙ୍କୁ ବି ସମର୍ଥନ କରି ପାରୁନି ।

 

କରିବ କିପରି ? ସେ ଶିକ୍ଷିତା । ସ୍ୱାଧୀନତା ଆନ୍ଦୋଳନରେ, କଲେଜ ଛାଡ଼ି, ଗାଁ ଗହଳର ନାରୀ ଜାତିକୁ ଜାତୀୟ ଭାବରେ ଉଦ୍‍ବୁଦ୍ଧ ଓ ପ୍ରଣୋଦିତ ହେବାପାଇଁ ସେ ସଭାକକ୍ଷରେ ମାଡ଼ ଖାଇଛି । ଆହତ ହୋଇଛି । ଡାକ୍ତରଖାନାରେ ମଧ୍ୟ ଚିକିତ୍ସିତ ହୋଇଛି ।

 

ତେଣୁ ନନ୍ଦକିଶୋରକୁ ଟିକେଟ୍‍ ମିଳୁ ବୋଲି ତା’ର ଆନ୍ତରିକ ଅଭିଳାଷ, ଇଚ୍ଛା, କାମନା-

 

ତା’ ବୋଲି ସେ ପ୍ରଦେଶ କମିଟି ଉପରେ ପ୍ରଭାବ ପକାଇବ କାହିଁକି ? ସେ ବି ନିଜେ ଜଣେ ପ୍ରଦେଶ କାର୍ଯ୍ୟକାରୀ କମିଟିର ସଭ୍ୟା । ପ୍ରାର୍ଥୀ ମନୋନୟନ ସଭାରେ, ସେ ଉପସ୍ଥିତ ହେବାକୁ ଇଚ୍ଛା କରିଥିଲା । ମାତ୍ର ଏ ସମ୍ବାଦ ଶୁଣିଲା ପରେ ସେ କାହିଁକି ଆଉ ସଭାରେ ଯୋଗଦେବ ?

 

ମନୋନୟନ ସଭାରେ ଯେତେବେଳେ ନନ୍ଦକିଶୋର ଓ ବିକ୍ରମଦେବ ବାବୁଙ୍କ ନାମ ଆଲୋଚନାର ପରିସରକୁ ଆସିବ, ସେତେବେଳେ ପ୍ରଦେଶ କମିଟିର କର୍ମକର୍ତ୍ତା, କାହା ସପକ୍ଷରେ ଯୁକ୍ତି ବାଢ଼ିବେ ? ଏକ ପକ୍ଷରେ ସ୍ୱାଧୀନତା ଆନ୍ଦୋଳନର ବୀର ସୈନିକ ନନ୍ଦକିଶୋର, ଅପର ପକ୍ଷରେ ଅତ୍ୟାଚାରୀ, ସ୍ୱାଧୀନତା ଆନ୍ଦୋଳନର ଚରମ ପରିପନ୍ଥୀ ବିକ୍ରମ ବାବୁ । ପ୍ରଦେଶ କମିଟି ବିଚାର କରୁ । ଉପଯୁକ୍ତ ପ୍ରାର୍ଥୀକୁ ଟିକେଟ୍‍ ମିଳିବା ପାଇଁ ଅନୁକୂଳ ମତ ପ୍ରକାଶ କରୁ ।

 

ଯଦି ନନ୍ଦକିଶୋରକୁ ବାଦ୍‍ ଦିଆଯାଇ, ବିକ୍ରମ ବାବୁଙ୍କୁ ଟିକେଟ୍‍ ମିଳିବ, ତା’ହେଲେ ଧରି ନେବାକୁ ହେବ ଯେ ଏହି ରାଜନୈତିକ ଦଳର ସେହି ସୁସ୍ଥ ମହୀୟାନ ଆଦର୍ଶ ଓ ପରମ୍ପରା ଲୋପ ପାଇ ଯାଇଛି । ନ୍ୟସ୍ତ ସ୍ୱାର୍ଥ, ଦୁର୍ନୀତିପରାୟଣ ଓ ସୁବିଧାବାଦୀ ଲୋକଙ୍କର ଏ ଅନୁଷ୍ଠାନ ଏକ କେନ୍ଦ୍ରସ୍ଥଳ ହୋଇ ଯାଇଛି । ଏହି ଦଳର ଦରବାରରେ ନ୍ୟାୟ ବିଚାର ନାହିଁ । ନିରପେକ୍ଷତା ନାହିଁ । ଦଳର ସମସ୍ତେ ମଧ୍ୟ ଅନ୍ଧ ।

 

ଜ୍ୟୋତ୍ସ୍ନା ଚାହିଁଛି ନଳିନାକ୍ଷକୁ । ନଳିନାକ୍ଷର ମୁଖ ମଣ୍ଡଳରେ ବିଷାଦର ଘନ କାଳିମା ।

 

ଜ୍ୟୋତ୍ସ୍ନା ବ୍ୟସ୍ତ ହୋଇ ପଡ଼ିଲା । ନଳିନାକ୍ଷର ଉଦାର ମୁଖ ମଣ୍ଡଳରେ ଅଦିନିଆ ମେଘରେ ଉଦୟ ଦେଖି ଅସ୍ଵାଭାବିକତା ସେ ଅନୁଭବ କଲା । ଏ ସମ୍ବାଦ ନଳିନାକ୍ଷ ବାବୁଙ୍କୁ ନ ଜଣାଇ ମାମୁଲି ଦୁଃଖ ସୁଖର ଆଳାପ କରି ଫେରି ଯାଇଥିଲେ ହୋଇଥାନ୍ତା । ମାତ୍ର କାହିଁକି ସେ ଏଭଳି ଏକ ପ୍ରଶ୍ନର ଉତ୍‍ଥାପନ କଲା ? ଅବତାରଣା କଲା ?

 

ନଳିନାକ୍ଷ ସେଇ ବିଷାଦ ଗମ୍ଭୀର ମୁଖ ମଣ୍ଡଳରେ ହସର କାଣିଚାଏ ଢେଉ ଝରାଇ କହିଲା–ମୋ ବ୍ୟକ୍ତିଗତ ପ୍ରଭାବ ପକାଇବାର କୌଣସି କାରଣ ନାହିଁ ଜ୍ୟୋତ୍ସ୍ନା । ଦଳ ଯଦି ବିକ୍ରମ ବାବୁଙ୍କୁ ଟିକେଟ୍‍ ଦେବାପାଇଁ ସର୍ବସମ୍ମତ ପ୍ରସ୍ତାବ ଗ୍ରହଣ କରେ, ସେଥିରେ ମୋର ଦୁଃଖ ବା ଆପତ୍ତି କରିବାର କୌଣସି କାରଣ ନାହିଁ । ମୁଁ ବରଂ ହସି ହସି ମୋ ଦଳର ସେଇ ବିଚାରକୁ ଜଣେ ଶୃଙ୍ଖଳିତ, ନିଷ୍ଠାପର କର୍ମୀ ହିସାବରେ ସ୍ୱାଗତ କରିବି ।

 

ଜ୍ୟୋତ୍ସ୍ନା ଭାବିଥିଲା, ଆଜିର ଏଇ ନୀରବ, ନିର୍ଜ୍ଜନ ମଧ୍ୟାହ୍ନରେ ନଳିନାକ୍ଷ ସହିତ ଅନେକ କିଛି କଥାବାର୍ତ୍ତା କରିବ । ତାଙ୍କ ଶୁଷ୍କ, ନୀରସ ଓ ନିର୍ଜୀବ ପୁରୁଷ ପ୍ରାଣରେ, ଖେଳାଇ ଦେଇ ଚାଲିଯିବ ଏକ ଫେନିଳ ଉଚ୍ଛ୍ୱାସମୟ ତରଙ୍ଗ । ସେ ତରଙ୍ଗର ସ୍ପର୍ଶରେ ତାଙ୍କ ପୁରୁଷ ମନ ଚଞ୍ଚଳ ହୋଇ ଉଠିବ । ଚପଳ ହୋଇ ଉଠିବ । ପୁରାତନ ଜୀବନ ପ୍ରଣାଳୀରେ ଦେଖାଦେବ ଅସମ୍ଭବ ପରିବର୍ତ୍ତନ ।

 

ମାତ୍ର ଆଜିର ପରିସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ । ତାଙ୍କ ପାଷାଣ ଧର୍ମୀ ପ୍ରାଣ ଆହୁରି ରୁକ୍ଷ, ରୂଢ଼ ଓ କଙ୍କରିତ ହୋଇ ଉଠିଛି । ସେ ରୁକ୍ଷ, କଙ୍କରିଳ ପ୍ରାଣର ଅତଳ ଗହ୍ୱରକୁ ସ୍ପର୍ଶ କରି, ସେ ସ୍ନେହ ଓ ପ୍ରୀତିର ମଧୁର ନିର୍ଝର ବୁହାଇ ପାରିବନି ।

 

ସେ ଫେରିଯିବ । ତା’ ଆସିବା ଆଜି ବୃଥା ହୋଇଛି । ତା’ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ପଣ୍ଡ ଓ ନିରର୍ଥକ ହୋଇ ଯାଇଛି । ଅଚାନକ ଭାବେ ତାଙ୍କ ଘରେ ଆବିର୍ଭୂତା ହୋଇ, ଆନନ୍ଦ ଓ ପୁଲକ ବଦଳରେ ସେ ତାଙ୍କୁ ଦେଇ ଯାଉଛି ଶତ ଚିନ୍ତାର ପାହାଡ଼ ।

 

ଜ୍ୟୋତ୍ସ୍ନା କହିଲା–ମୁଁ ଯାଉଛି ନଳିନାକ୍ଷ ବାବୁ । ପୁଣି କେବେ ସୁବିଧା ହେଲେ ଆସିବି ।

 

ନଳିନାକ୍ଷ ଆତ୍ମସ୍ଥ ହୋଇ ଉଠିଲା । କହିଲା–ନୀଳିମା ଆସିନି ଏପର୍ଯ୍ୟନ୍ତ ରୋଷଘରୁ । ସେ ଆସୁ । ଆସିଲେ ତା’ ସହିତ କଥାବାର୍ତ୍ତା କରି ଫେରିଯିବ ।

 

ଜ୍ୟୋତ୍ସ୍ନା ଉଠି ପଡ଼ିଲା । ଆଉ ମୁହୂର୍ତ୍ତେ ମାତ୍ର ସେ ଏଠି ରହିବନି । ଯେଉଁ ଉଦ୍ଦେଶ୍ୟ ଓ ଲକ୍ଷ୍ୟ ନେଇ ସେ ଏଠାକୁ ଆସିଥିଲା, ସେ ଉଦ୍ଦେଶ୍ୟ ଓ ଲକ୍ଷ୍ୟ ନଷ୍ଟ ହୋଇଯାଇଛି । ନଳିନାକ୍ଷ ବାବୁଙ୍କର ଶାନ୍ତ, ଉଦାର, ଉଦବେଗହୀନ ପ୍ରାଣରେ ସେ ସୃଷ୍ଟି କରିଛି ଅଶାନ୍ତିର ଝଡ଼ । ଉଦବେଗ । ସେ ଫେରିଯିବ । ଆଉ ଦିନେ, ଅବକାଶ ସମୟରେ ଆସି, ସେ ହୁଏତ ପ୍ରୀତିସ୍ନିଗ୍ଧ, ପ୍ରେମ-ପୁଲକ କଥାର ଅମୃତଧାର ଢାଳି ବସିବ ।

 

ଜ୍ୟୋତ୍ସ୍ନା କହିଲା–ମୋର ଆଉ ଟିକିଏ କାମ ଅଛି ପଟ୍ଟନାୟକ ସାହିରେ ନଳିନାକ୍ଷ ବାବୁ-। ସେଠାରେ କାମ ସାରିଲେ, ଘରକୁ ଫେରିଯିବ । ଅନେକବେଳୁ ଘରୁ ଆସିଲିଣି । ବୋଉ ହୁଏତ ବିରକ୍ତ ହେଉଥିବ । ନୀଳିମାକୁ କହିବେ, ଆଉ ଦିନେ ମୁଁ ଆସିବାକୁ ଚେଷ୍ଟା କରିବି ।

 

ବିଦ୍ୟୁତ୍‍ ବେଗରେ ଜ୍ୟୋତ୍ସ୍ନା ବାହାରିଗଲା ନଳିନାକ୍ଷ ଘରୁ ।

 

ନଳିନାକ୍ଷ ତା’ ଗତି ପଥକୁ ଅପଲକ ନୟନରେ ଚାହିଁ ରହିଛି । ସେ ସତେ ଯେପରି ତା’ ଯାତ୍ରା ପଥକୁ ଚାହିଁ ଚାହିଁ, ଅନେକ କଥା ଭାବି ଚାଲିଛି ।

 

ନୀଳିମା ଆସି ପହଞ୍ଚିଲା । କହିଲା–ଜ୍ୟୋତ୍ସ୍ନା କ’ଣ ପଳାଇଗଲା ଭାଇ ? ମୁଁ ଆସୁ ଆସୁ ଏତେ ଶୀଘ୍ର ପଳାଇ ଗଲା–

 

ନଳିନାକ୍ଷ କହିଲା–ହଁ, ଏଇନେ ତ ପଳାଇଲା ସେ । ତୋ ଆସିବାରେ ଡେରିହେଲା ବୋଲି, ସେ ବୋଧହୁଏ ଚାଲିଗଲା । ତୁ ଯଦି ତା’ ପାଖରେ ରହିଥାନ୍ତୁ, ସେ ହୁଏତ କିଛି ସମୟ ଅଟକି ଯାଇଥାନ୍ତା ।

 

ନଳିନାକ୍ଷ ଚାହିଁଛି ନୀଳିମାକୁ ।

 

ନୀଳିମା ଚାହିଁଛି ନଳିନାକ୍ଷକୁ । ଆଦ୍ୟ ମାର୍ଗଶୀରର ମଧ୍ୟାହ୍ନ ଖରା, ବାହାରେ ମୁରୁଜ ଲେଖୁଥିଲା ।

 

ପ୍ରାଦେଶିକ କମିଟିର ପ୍ରାର୍ଥୀ ମନୋନୟନ କାର୍ଯ୍ୟ ସରି ଯାଇଛି ।

 

ନଳିନାକ୍ଷ ଦାନ୍ତ ଘଷିବାରେ ଲାଗିଛି । ଆଦ୍ୟ ମାର୍ଗଶୀରର ଶୀତରେ ଘୋଡ଼ିଘାଡ଼ି ହୋଇ ଦାନ୍ତ ଘଷୁଥିଲାବେଳେ ପ୍ରାର୍ଥୀ ମନୋନୟନର କଥା ସେ ଚିନ୍ତା କରୁଥିଲା । ଗତକାଲି ଦିନ ବରଟାରେ ପ୍ରାଦେଶିକ କମିଟିର ନିଷ୍ପତ୍ତି ହୋଇ ଯାଇଥିବ ।

 

ଟିକେଟ୍‍ କାହାକୁ ମିଳିଲା ? ପ୍ରାଦେଶିକ କମିଟି ନ୍ୟାୟ ବିଚାର କଲେ କି ? ନ୍ୟାୟ, ନିରପେକ୍ଷତାର ବଶବର୍ତ୍ତୀ ହୋଇ, ପ୍ରାଦେଶିକ କମିଟି ନନ୍ଦକିଶୋରକୁ ନିଶ୍ଚୟ ଟିକେଟ୍‍ ଦେଇଥିବେ-। ଯଦି ତାକୁ ଟିକେଟ୍‍ ନ ଦେଇଥିବେ ତା’ହେଲେ କ’ଣ ହେବ ପରିଣାମ ? କ’ଣ ହେବ ପରିଣତି-?

 

ବିକ୍ରମଦେବ ବାବୁ ତା’ହେଲେ କ’ଣ ହେବେ ଏ ଅଞ୍ଚଳର ଯୋଗ୍ୟ ପ୍ରତିନିଧି ? ତାଙ୍କୁ କ’ଣ କମିଟି ଯୋଗ୍ୟ ପ୍ରାର୍ଥୀରୂପେ ମନୋନୀତ କରିଦେବେ ? ଯେଉଁ ବ୍ୟକ୍ତି ଏ ଅଞ୍ଚଳର ଜନସାଧାରଣଙ୍କୁ ପଳେ ପଳେ ନିପୀଡ଼ିତ କରି ସ୍ୱାଧୀନତା ସଂଗ୍ରାମର ଐତିହାସିକ ରଥ ଚକ୍ରକୁ ଅଚଳ କରିଦେବାକୁ ବସିଥିଲେ, ତାଙ୍କୁ ଯଦି ସଂଗ୍ରାମର ନେତୃତ୍ୱ ନେଇଥିବା ମୁଖ୍ୟ ରାଜନୈତିକ ଦଳ ଆପଣାର ଦଳଭୁକ୍ତ କରି ଟିକେଟ୍‍ ଦେବେ, ସେ ନିଶ୍ଚୟ ଏହାର ଦୃଢ଼ ପ୍ରତିବାଦ କରିବ । ସେ ଭଳି ରାଜନୈତିକ ଦଳର ସଂସ୍କାର ଓ ବିଶୋଧନ ପାଇଁ ସେ ପ୍ରାଣପାତ ଉଦ୍ୟମ କରିବ ।

 

ବିକ୍ରମ ବାବୁଙ୍କ ପରି ସୁବିଧାବାଦୀ, ସ୍ୱାର୍ଥପର ଓ ଅବାଞ୍ଛିତ ଲୋକେ ଯଦି ସେହି ରାଜନୈତିକ ଦଳର ପବିତ୍ର ପତାକା ତଳେ ଠିଆ ହୋଇ ପାରିବେ, ତା’ହେଲେ ଦଳର ପବିତ୍ର ପରମ୍ପରା ଦୂଷିତ, କଳଙ୍କିତ ହୋଇଯିବ । ନା, ସେ ଏପରି କରିବାକୁ ଦେବନାହିଁ । ଏପରି ନିଷ୍ପତ୍ତିକୁ ସେ କେବେହେଲେ କାର୍ଯ୍ୟକାରୀ କରାଇ ଦେବନାହିଁ ।

 

ନଳିନାକ୍ଷର ମନତଳେ ଅସଂଖ୍ୟ ଭାବନାର ଜୁଆର...

 

ନନ୍ଦକିଶୋର ଆସିଲା ।

 

ନନ୍ଦକିଶୋରକୁ ଅତି ସକାଳୁ ଦେଖି ନଳିନାକ୍ଷ ପ୍ରମାଦ ଗଣିଲା । କେବେହେଲେ, ଏଡ଼େ ବଡ଼ି ଭୋରରୁ ସେ ତାକୁ ଆସିବାର ଦେଖିନାହିଁ । ମାତ୍ର ଆଜି ଏଡ଼େ ବଡ଼ି ସକାଳୁ ତା’ର କାହିଁକି ଆଗମନ ? କ’ଣ ତା’ର ଉଦ୍ଦେଶ୍ୟ ? କ’ଣ ତା’ର ଏତେ ଜରୁରୀ କାମ ?

 

ନନ୍ଦକିଶୋର ମୁହଁରେ ସ୍ୱାଭାବିକ ଆନନ୍ଦ ନାହିଁ । ସତେ ଯେପରି ବିଷାଦର ଏକ କାଳିମା, ତା’ ମୁହଁରେ ଲେସି ହୋଇ ଯାଇଛି । ବ୍ୟଥା ଓ ବେଦନାରେ ଜର୍ଜ୍ଜରିତ, ଆହତ ହୋଇ କଥା କହିବାକୁ ସାମର୍ଥ୍ୟ ପାଇ ପାରୁନି ।

 

ନଳିନାକ୍ଷ ଆଉ ସମ୍ଭାଳି ପାରିଲାନି । ଦାନ୍ତକାଠିଟାକୁ ପାଟିରୁ ବାହାର କରି ଆଣି କହିଲା–ଖବର କ’ଣ ନନ୍ଦକିଶୋର ? ଏପରି ନୀରବ ହୋଇ, ଅଭିମାନ କଲା ଭଳି ଠିଆ ହୋଇଛୁ କାହିଁକି ?

 

ନୀଳିମା ପାଣି ଢାଳ ଆଣି ଥୋଉ ଥୋଉ ଚାହିଁ ରହିଲା ନନ୍ଦକିଶୋର ଆଡ଼େ । ଜୀବନ ସଂଗ୍ରାମରେ ଲଢ଼ି ଲଢ଼ି, ପରାଜିତ ସୈନିକ ଯେପରି ଗଭୀର ଆତ୍ମଗ୍ଳାନି ଓ ଅନୁତାପରେ ନିଃସହାୟ ହୋଇଉଠେ, ଠିକ୍‍ ସେହିପରି ଦିଶୁଥିଲା ନନ୍ଦକିଶୋର । ସେ ପର୍ଯ୍ୟନ୍ତ ପାଟିରୁ ତା’ର କଥା ବାହାରି ନଥିଲା ।

 

ନଳିନାକ୍ଷ, ତା’ର ନୀରବତାରେ ବ୍ୟସ୍ତ ହୋଇପଡ଼ି କହିଲା–ଆରେ କ’ଣ ହୋଇଛି କହୁନୁ କାହିଁକି ? ମୌନ ହୋଇ ଠିଆ ରହିଲେ, ମୁଁ କ’ଣ ଜାଣିବି କହିଲୁ ?

 

ନନ୍ଦକିଶୋର ଅଭିମାନ ଭାଙ୍ଗିଲା । କହିଲା–ହେବ କ’ଣ ଆଉ ଭାଇ ? ଯେଉଁ ବ୍ୟକ୍ତି ବ୍ରିଟିସ୍‍ ଶାସନରେ ଚରମ ତୋଷାମଦକାରୀ ଥିଲେ, ସେହି ବ୍ୟକ୍ତିଙ୍କୁ ଆମ ଦଳ ଟିକେଟ୍‍ ଦେବାପାଇଁ କାଲିକା ବୈଠକରେ ନିଷ୍ପତ୍ତି କରି ସାରିଛି । ଇଂରେଜୀ ଶାସକର ଚେର ବିସ୍ତାର ପାଇଁ ଯେଉଁ ବ୍ୟକ୍ତି ଆପ୍ରାଣ ଚେଷ୍ଟା ଚଳାଇ ଥିଲେ, ସେହି ବ୍ୟକ୍ତି ଆମ ରାଜନୈତିକ ଦଳର ଛତ୍ର ଛାୟାତଳେ ଆଶ୍ରୟ ନେଇଛନ୍ତି । ଆଉ ଦେଖିବ, ସେଇ ହେବେ ଲକ୍ଷେ ଜନତାର ପ୍ରତିନିଧି ।

 

ନଳିନାକ୍ଷ ନିର୍ବାକ-ନିସ୍ପଦ । ଯେଉଁ ଆଶଙ୍କାରେ ଗତକାଲି ରାତିଠାରୁ ଆଜି ପର୍ଯ୍ୟନ୍ତ ମନ ତା’ର ଆତଙ୍କିତ ଓ ଦୋଳାୟିତ ହୋଇ ଉଠୁଥିଲା, ସେ ଆଶଙ୍କା ଆଜି ସତ୍ୟ ରୂପରେ ପ୍ରକାଶିତ ହୋଇଛି ।

 

ଯେଉଁ ଦଳର ପତାକା ଧରି, ସ୍ୱାଧୀନତା ସମରରେ ଜୀବନର ସମସ୍ତ ଆଶା, ଆକାଂକ୍ଷା ଓ ସମ୍ଭାବନାକୁ ବଳୀଦେଇ ବୀର ପରି ଡେଇଁ ପଡ଼ିଥିଲା, ସେଇ ରାଜନୈତିକ ଦଳର ଆଜି ଏ କି ବିପର୍ଯ୍ୟୟ ? ଏ କି ନୈତିକ ଅଧୋପତନ ?

 

ଭାରତ ଭୂଇଁରେ ସ୍ୱାଧୀନତା ସୂର୍ଯ୍ୟର ନବୀନ ଆଲୋକ ଦେଖିବା ପାଇଁ, ରାତି ରାତି ଉନ୍ନିଦ୍ର ହୋଇ, ନଈ, ନାଳ, ବଣ, ପାହାଡ଼ ଅତିକ୍ରମ କରି ସେ ଜନତା ଭିତରେ ଆଣିଦେଇ ଥିଲା ନୂତନ ପ୍ରେରଣା–ନୂତନ ଉଦବୋଧନ । ଅଭିନବ ଜାଗରଣର ଅସୀମ ଉନ୍ମାଦନା ।

 

ଓକିଲାତି ପାଠ ଛାଡ଼ି, ସେ ଯେତେବେଳେ ଏକାକୀ ଏଡ଼େ ବିରାଟ ଅଞ୍ଚଳରେ ଏହି ରାଜନୈତିକ ଦଳର ସଂଗଠନ ଦାୟିତ୍ୱ ନେଇଥିଲା, ସେତେବେଳେ ଲୋକେ ହସୁଥିଲେ । ବିଦ୍ରୂପର ଶାଣିତ ବାଣରେ ତନୁ, ମନ ଜର୍ଜରିତ କରି ଦେଉଥିଲେ । ସ୍ନେହମୟୀ ସ୍ୱର୍ଗୀୟ ଜନନୀ ସେହି ଆନ୍ଦୋଳନରୁ ଓହରି ଆସିବାକୁ କେତେ ଆକୁଳ, ଅଶ୍ରୁଳ ନିବେଦନ କରି ତା’ର ବସ୍ତ୍ରାଞ୍ଚଳ ଆର୍ଦ୍ର କରି ଦେଇଥିଲା । ଏବେ ବି ତା’ର କରୁଣ ସାଶ୍ରୁପୂର୍ଣ୍ଣ ନୟନ ଆଖି ଆଗରେ ଭାସି ଉଠୁଛି ଜଳ ଜଳ ହୋଇ ।

 

ଓଃ, ଜେଲ୍‍ରୁ ଖସି ପଳାଇ ଆସିବାର ସେ ଯେଉଁ ମର୍ମାନ୍ତିକ ସ୍ମୃତି ଆଜି ବି ସମ୍ପୂର୍ଣ୍ଣ ମନେ ପଡ଼ିଯାଉଛି । ମେଘନାଦ ପାଚେରୀ ଭଳି ଏକ ଅମୁହାଁ ଦେଉଳର ଅନ୍ଧକାର ଭିତରୁ, ସଶସ୍ତ୍ର ପୋଲିସ୍‍ ବାହିନୀର ଦୃଷ୍ଟି ରେଖାର ଅନ୍ତରାଳରେ, ପୁଣି ଶ୍ରାବଣର ନିରନ୍ଧ୍ର ମେଘ ଅନ୍ଧାରରେ ବସୁଦେବ ଶ୍ରୀକୃଷ୍ଣଙ୍କୁ ଲୁଚେଇ ଆଣିଲା ପରି, ସେ ନିଜକୁ ମାତୃଭୂମିର ମୁକ୍ତିସାଧନ ପାଇଁ, ଲୁଚେଇ ପଳାଇ ଆସିଥିଲା ।

 

ବିଗତ କେତେ ବର୍ଷର ସ୍ମୃତି ! ସେ କଥା ଆଜି ମନେ ପଡ଼ିଲେ ଦେହ ଶୀତେଇ ଉଠୁଛି । ନିଜଦ୍ୱାରା ଏଭଳି ଏକ ଅସାଧ୍ୟ କାର୍ଯ୍ୟ ସମ୍ଭବ ହୋଇଥିଲା ପରି ମନରେ ପ୍ରତ୍ୟୟ ଜାଗୁନାହିଁ ।

 

ଦିନ ଦିନ ଭୋକ, ଉପାସରେ ସଢ଼ି, ପୋଲିସ୍‍ ଆଖିରେ ଧୂଳିଦେଇ ସେ ଯେଉଁ ଜନମତ ସୃଷ୍ଟି କରିପାରି ଥିଲା, ସେ ଜନମତର ଆଜି କ’ଣ ଏହି ପ୍ରତିଦାନ ? ଏହି କ’ଣ ପୁରସ୍କାର ?

 

ଚୋର ପରି, ରାତି ଅଧରେ ଘରକୁ ଆସି, କ୍ଷୁଧା ନିବାରଣ ସକାଶେ ନିଜ ମାଆକୁ ଉଠାଇ, ପଖାଳ ଆଉ ବଡ଼ି ଭଜାର ଭୋଜନ ସାରି, ପୁଣି ସେଇ ରାତ୍ରିର କଳା ଅନ୍ଧକାର ଭିତରେ ଜୀବନକୁ ପାଣି ଛଡ଼ାଇ, ଯେଉଁ ବାସନା ଓ କାମନା ନେଇ ପଶିଯାଇ ଥିଲା, ଏଇ କ’ଣ ତା’ର ସମୁଚିତ ପ୍ରତିଫଳ ?

 

ସେ ଦିନର ସେଇ ମେଘ ନିକ୍ଵଣିତ, ଧାରା ଶ୍ରାବଣର ବୃଷ୍ଟି ମୁଖର ରଜନୀ କେଡ଼େ ଭୟଙ୍କର ନଥିଲା ସତେ ! ବୋଉ କେତେ ଆକୁଳ ମିନତି କରି ରାତିଟା କଟାଇ ଦେବାକୁ ଅନୁରୋଧ କରିଥିଲା ! ଦାଢ଼ିଭରା ଓଠରେ ତା’ର ସ୍ନେହସ୍ନିଗ୍ଧ କଅଁଳ ହାତମାରି କହିଥିଲା–ରହିଯା ବାବାଟା–ରାତିଟା କଟାଇ ଦେଇ ପୁଣି ସକାଳୁ ଫେରିଯିବୁ ତୋ କର୍ମକ୍ଷେତ୍ରକୁ ।

 

ମାତ୍ର ସ୍ୱର୍ଗୀୟା, କଲ୍ୟାଣମୟୀ ଜନନୀର ସେଇ ଶେଷ ଆବେଦନ ସେ ଶୁଣି ନଥିଲା । ଏକ ଉଦାତ୍ତ, ପ୍ରମତ୍ତ ଆବେଗରେ ସ୍ୱର୍ଗୀୟା ଜନନୀର ସେଇ ସ୍ନେହପୂର୍ଣ୍ଣ, ଆଦର, ସୋହାଗ ମିଶ୍ରିତ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଦେଇ ମିଶି ଯାଇଥିଲା ସେଇ ବୃଷ୍ଟି ମୁଖର ଶ୍ରାବଣର ରଜନୀରେ । ଓଃ, ସେତେବେଳର କଥା ଆଜି ତା’ର ମନେ ପଡ଼ିଯାଉଛି । ମନର ଆକାଶରେ ସ୍ମୃତିର ତାରକାଗୁଡ଼ିକ ଦେଦୀପ୍ୟାମାନ ହୋଇ ଉଠୁଛନ୍ତି ।

 

ସେଇ ସ୍ଵର୍ଗବାସିନୀ ଜନନୀର ଏକମାତ୍ର ସନ୍ତାନ ହୋଇ, ତା’ର ମୃତ୍ୟୁକାଳୀନ ଛବି ସେ ଦେଖିପାରି ନଥିଲା । ପ୍ରାଣରେ ଜିଇଁ ରହି ମଧ୍ୟ, ମୃତ୍ୟୁ ବେଳକୁ ସେ ଉପସ୍ଥିତ ହୋଇପାରି ନଥିଲା । ଜେଲ୍‍ ଜୀବନର ସେଇ ଅଭିଶାପଗ୍ରସ୍ତ ଜୀବନ ଗ୍ରହଣ କରିନେଇ, ତା’ର ସ୍ୱର୍ଗତ ଆତ୍ମାର ଶାନ୍ତିପାଇଁ ମଧ୍ୟ ସେ ମୁଖାଗ୍ନି ଦେଇପାରି ନଥିଲା ।

 

ମଲା ବେଳେ ତା’ର ଏକମାତ୍ର ସନ୍ତାନକୁ ସେ ଖୋଜୁଥିଲା । ମୃତ୍ୟୁକାଳୀନ ଜୀବନର ଶେଷ ଅବସ୍ଥା ସେ ନିଜ ଆଖିରେ ଦେଖିପାରି ନଥିଲେ ମଧ୍ୟ, ତତ୍କାଳୀନ ଛବି ଏବେ ବି ତା’ର ମନେପଡ଼ି ଯାଉଛି । ଆଖିର ଦର୍ପଣରେ ସେ ଛବି ଏବେ ବି ପ୍ରତିଫଳିତ ହେଉଛି ।

 

ନଳିନାକ୍ଷର ଅଗୋଚରେ ଆଖିରେ ତା’ର ଲୁହ ଦେଖାଗଲା...

 

ନନ୍ଦକିଶୋରର ଅଭିମାନ ନଳିନାକ୍ଷର ଅଶ୍ରୁରେ ସତେ ଯେପରି ଧୋଇଗଲା । ପିଣ୍ଡା ଉପରକୁ ଉଠିଆସି କହିଲା–ତମ ଆଖିରେ ଲୁହ ଯେ ନଳିନାକ୍ଷ ଭାଇ ? ତମେ କ’ଣ କାନ୍ଦୁଛ ? ମୁଁ ପ୍ରାର୍ଥୀପତ୍ର ପାଇନାହିଁ ବୋଲି ତମ ଆଖିରେ ଲୁହ ଚାଲି ଆସିଲା ?

 

ନଳିନାକ୍ଷ, ନିଜ ଖଦଡ଼ ଲୁଗା କାନିରେ ଅଶ୍ରୁ ପୋଛିଦେଇ କହିଲା–ନାଇଁରେ ମୁଁ କାନ୍ଦୁ ନାହିଁ । ବୋଉ କଥା ମନେ ପଡ଼ିଗଲା ।

 

ନନ୍ଦକିଶୋର ଓ ନୀଳିମା ଆଶ୍ୱସ୍ତ ହେଲେ ।

 

ନନ୍ଦକିଶୋର କହିଲା–ମୁଁ ଆଜିଠାରୁ ଆମ ରାଜନୈତିକ ଦଳରୁ ଇସ୍ତଫା ଦେଇ ଦେଉଛି ଭାଇ । ପାର୍ଟିର ପ୍ରାଦେଶିକ ସଭାପତିଙ୍କୁ ଏକ କିତା ନକଲ ଦେବା ସଙ୍ଗେ ସଙ୍ଗେ ସମସ୍ତ ଦୈନିକ ସମ୍ବାଦପତ୍ରକୁ ମଧ୍ୟ ମୋର ଇସ୍ତଫା ପତ୍ର ପଠାଇ ଦେବାକୁ ମୁଁ ସିଦ୍ଧାନ୍ତ କରି ସାରିଛି । ଏଭଳି ଏକ ଆତ୍ମଘାତୀ ଦଳ ସହିତ ମୁଁ ଆଉ ସମ୍ପର୍କ ରଖିବାକୁ ଚାହେଁନାହିଁ ।

 

ନଳିନାକ୍ଷ ବିବ୍ରତ ହୋଇ ପଡ଼ିଲା । ନନ୍ଦକିଶୋର ପ୍ରାଣରେ ପ୍ରଚଣ୍ଡ ଆଘାତ ଲାଗିଛି । ସେଇ ଆଘାତର ପ୍ରତିକ୍ରିୟା ସ୍ୱରୂପ ସେ ଦଳ ଛାଡ଼ିବାକୁ ଠିକ୍‍ କରିଛି । କିନ୍ତୁ ଏଡ଼େ ହଠାତ୍‍, ଦଳତ୍ୟାଗ କରିବା ଉଚିତ ହେବନାହିଁ । ଦଳ ଭିତରେ ରହିଲେ ସିନା, ତା’ର ସମସ୍ତ ଦୋଷ, ତ୍ରୁଟିକୁ ସଂଶୋଧିତ କରିବା ପାଇଁ ଅବକାଶ ମିଳିବ । କିନ୍ତୁ ଦଳତ୍ୟାଗ କଲେ ?

 

ନଳିନାକ୍ଷ କହିଲା–ଦଳତ୍ୟାଗ କରିବା ବିଜ୍ଞତାର ପରିଚାୟକ ନୁହେଁ ନନ୍ଦ । ଧୈର୍ଯ୍ୟ ଧର-। ଅପେକ୍ଷା କର । କେଉଁ ପାଣି କୁଆଡ଼କୁ ଯାଉଛି ଦେଖ ।

 

ଏତେବର୍ଷ ଧରି ଯେଉଁ ଦଳରେ ରହି, ଏଡ଼େ ବଡ଼ ବିରାଟ ଶକ୍ତିକୁ ଗାଦିଚ୍ୟୁତ, କ୍ଷମତାଚ୍ୟୁତ କଲା, ସେ ଦଳ ପ୍ରତି ଏଡ଼େ ହଠାତ୍‍ ତୋର ଲୋଭ, ମମତା ତୁଟିଯାଇଛି କିପରି ?

 

କିଛି ଦିନ ଅପେକ୍ଷା କର । ତା’ପରେ ଯାହା କରିବାର କଥା କରିବୁ ।

 

ନନ୍ଦକିଶୋର କହିଲା–ତମ କଥା ଅନେକ ଦିନ ମାନି ମୁଁ ଚଳି ଆସିଥିଲି ନଳିନାକ୍ଷ ଭାଇ-। ଆଜି କିନ୍ତୁ ତମର ଅନୁରୋଧ ମୁଁ ରକ୍ଷା କରି ପାରିବିନି । ମୁଁ ମୋର ଇସ୍ତଫା ଦେଇ ଦେବାକୁ ସିଦ୍ଧାନ୍ତ କରି ସାରିଛି । ମୋର ଏଇ ବଜ୍ର ଦୃଢ଼ ସିଦ୍ଧାନ୍ତକୁ, ତୁମ ଅନୁରୋଧରେ ମୁଁ ପରିବର୍ତ୍ତନ କରି ପାରିବି ନାହିଁ । ସେଇ ଆତ୍ମଘାତୀ ରାଜନୈତିକ ଦଳ ସହିତ ଆଉ ମୁଁ କୌଣସିମତେ ସଂଶ୍ଳିଷ୍ଟ ହେବାକୁ ଚାହେଁ ନାହିଁ ।

 

ନଳିନାକ୍ଷ ନୀରବ । ଯେତେ ବୁଝାଇଲେ ମଧ୍ୟ ଆଉ ନନ୍ଦକିଶୋର ବୁଝିବନି । ସେ ଆଜି ଅବୁଝା ହୋଇ ଉଠିଛି । ତା’ ସିଦ୍ଧାନ୍ତକୁ ପରିବର୍ତ୍ତନ କରିବା ପାଇଁ ସେ ତା’ର ବ୍ୟକ୍ତିଗତ ଚାପ ଯେତେ ପକାଇଲେ ମଧ୍ୟ ସେ ସେଥିରୁ ନିବୃତ୍ତ ହେବନି । କ୍ଷାନ୍ତ ମଧ୍ୟ ହେବନି । ତା’ର ମତାମତ ଉପରେ ସେ ଆଉ ହସ୍ତକ୍ଷେପ କରି ପାରିବନି । ସେ ଇସ୍ତଫା ଦେଉ । ଯାହା କରୁ ।

 

ନନ୍ଦକିଶୋର କହିଲା–ସମ୍ବାଦପତ୍ରମାନଙ୍କୁ ଯେଉଁ ନକଲ ପଠାଉଛି, ସେଥିରେ ପ୍ରଜା ସୋସାଲିଷ୍ଟ ଦଳରେ ଯୋଗଦାନ କଲି ବୋଲି ଉଲ୍ଲେଖ କରିଛି ଭାଇ । ମୋର ଆଉ ଉପାୟନ୍ତର ନାହିଁ । ରାଜା, ଜମିଦାର ଓ ସୁବିଧାବାଦୀ ବ୍ୟକ୍ତିଙ୍କ ଦ୍ୱାରା ପରିପୁଷ୍ଟ ସେହି ରାଜନୈତିକ ଦଳର ବିରୋଧ କରିବାହିଁ ମୋର ଲକ୍ଷ୍ୟ ।

 

ମୁଁ ନିଜେ ଅରୁଣ ବିଶ୍ୱାଳ ପାଇଁ ପ୍ରଚାର କରିବି । ବିକ୍ରମଦେବ ବାବୁ ଏହି ଅଞ୍ଚଳରୁ କିପରି ନିର୍ବାଚିତ ହୋଇଯିବ, ତାହା ମୁଁ ଦେଖିବି ।

 

ନଳିନାକ୍ଷ ନିରୁତ୍ତର ।

 

ନୀଳିମା ଅପ୍ରତିଭ ନୟନରେ ଚାହିଁ ରହିଛି ନନ୍ଦକିଶୋରକୁ ।

 

ନଳିନାକ୍ଷ ଆଉ ହସ୍ତକ୍ଷେପ କରି ପାରିବ ନାହିଁ । ନନ୍ଦକିଶୋର ଯାହା ନିଷ୍ପତ୍ତି କରିଛି, ତାହାହିଁ କାର୍ଯ୍ୟକାରୀ କରୁ । ମାତ୍ର ସେ କରିବ ନାହିଁ । ଏଡ଼େ ହଠାତ୍‍ ତା’ର ଅତି ପ୍ରିୟତମ ରାଜନୈତିକ ଦଳରୁ ଅପସାରିତ ହୋଇ ପାରିବନି ।

 

ନନ୍ଦକିଶୋର, ଅଭିମାନରେ, ପୌଷର ସେଇ ଶୀତ ସକାଳ ପରିବେଶ ମଧ୍ୟରେ ତା’ ନିଜ ଘରକୁ ଫେରିଗଲା ।

 

ନୀଳିମା ଫେରି ଆସିଲା ରୋଷ ଘରକୁ ।

 

ନଳିନାକ୍ଷ, ଚିନ୍ତାଗ୍ରସ୍ତ ମନରେ ପୁଣି ଦାନ୍ତ ଘଷିବାରେ ଲାଗିଲା ।

 

ସାଧାରଣ ନିର୍ବାଚନ ପାଇଁ ସାରା ଭାରତରେ ଅଭୂତପୂର୍ବ ଉତ୍ତେଜନାରେ...

 

ଯାଜପୁର ନିର୍ବାଚନ ମଣ୍ଡଳୀରୁ ଜାତୀୟ ଦଳର ପ୍ରାର୍ଥୀ ବିକ୍ରମଦେବଙ୍କ ସହ ପ୍ରଜା ସୋସାଲିଷ୍ଟ ପ୍ରାର୍ଥୀ ଅରୁଣ ବିଶ୍ଵାଳ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।

 

ପୁଣ୍ଡରୀକାକ୍ଷ ଓ ଲୋକନାଥ ହୋଇଛନ୍ତି ଜାତୀୟ ଦଳର ମୁଖ୍ୟ ପରିଚାଳକ । ସେମାନଙ୍କ ଇଙ୍ଗିତରେ, ଦଳ ଦଳ ହୋଇ, କର୍ମୀମାନେ ପ୍ରଚାର କରିବାରେ ଲାଗିଛନ୍ତି । ନିର୍ବାଚନର ରେ ରେ କାର ଧ୍ୱନିରେ ସହର ମଫସଲ ପ୍ରକମ୍ପିତ ହେଉଛି । ମାଇକ୍‍ ଓ ଜିପ୍‍ର ବିକଟ, କର୍କଶ ଧ୍ୱନିରେ ଜନସାଧାରଣ ଯେପରି ଅତିଷ୍ଠ ହୋଇ ଉଠୁଛନ୍ତି ।

 

ପ୍ରଜା ସୋସାଲିଷ୍ଟ ଦଳରୁ ଅରୁଣ ବିଶ୍ୱାଳ, ଅନୁରୂପ ପ୍ରଚାର କରୁଛନ୍ତି । ସେ ଦଳର ମୁଖ୍ୟ ପରିଚାଳକ ହୋଇଛି ନନ୍ଦକିଶୋର । ଅରୁଣ ଓ ନନ୍ଦକିଶୋର ସ୍ଵାଧୀନତା ଆନ୍ଦୋଳନ ବେଳେ ଅସହ୍ୟ ଦୁଃଖ କଷ୍ଟ ସହି ଜନତାର ସେବା କରୁଥିବାରୁ, ସମଗ୍ର ନିର୍ବାଚନ ମଣ୍ଡଳୀର ଜନସାଧାରଣ ସେମାନଙ୍କ ଆବେଦନ ଶୁଣୁଛନ୍ତି । ସେମାନଙ୍କ ପ୍ରଚାରରେ ଆସ୍ଥା ସ୍ଥାପନ କରିଛନ୍ତି ।

 

ଜାତୀୟ ଦଳ ପ୍ରତି ନିର୍ବାଚନ ମଣ୍ଡଳୀର ଶିକ୍ଷିତ ଜନସାଧାରଣଙ୍କର ସମର୍ଥନ ରହିଥିଲେ ମଧ୍ୟ, ବିକ୍ରମଦେବଙ୍କ ପ୍ରତି, ବ୍ୟକ୍ତିଗତ ଭାବରେ ଶ୍ରଦ୍ଧା ନଥିଲା । ଫଳରେ, ପ୍ରଚାରକାଳୀନ ନିର୍ବାଚନ ଗସ୍ତବେଳେ, ବିକ୍ରମଦେବ ହତାଶ ହୋଇ ଉଠୁଥିଲେ । ଅରୁଣ ବିଶ୍ୱାଳ ହୁଏତ ତାଙ୍କୁ ପରାଜିତ କରି ଜୟଯୁକ୍ତ ହୋଇପାରେ ବୋଲି ଆଶଙ୍କା ପ୍ରକାଶ କରୁଥିଲେ ।

 

ସେ ଆଶଙ୍କାରେ ଅନେକ କାରଣ ଥିଲା । ନନ୍ଦକିଶୋରର ବ୍ୟକ୍ତିଗତ ପ୍ରଭାବ ବିକ୍ରମଦେବଙ୍କ ଜୟଯାତ୍ରା ପଥରେ ପ୍ରଧାନ ଅନ୍ତରାୟ ହୋଇ ଠିଆ ହୋଇଥିଲା ।

 

ଏହି ଆଶଙ୍କାର ରାହୁ ଗ୍ରାସରେ ସେ ଯେ କେବଳ ଏକାକୀ ଆକ୍ରାନ୍ତ ହୋଇଥିଲେ ତା’ ନୁହେଁ, ତାଙ୍କ ନିର୍ବାଚନର ଦକ୍ଷିଣ ହସ୍ତ ଲୋକନାଥ ଓ ପୁଣ୍ଡରୀକାକ୍ଷ ମଧ୍ୟ ସେଥିରୁ ବାଦ୍‍ ଯାଇ ନଥିଲେ । ଦୁହେଁଯାକ ସେମାନଙ୍କର ସବୁ କୂଟନୀତି ଓ ଭେଦନୀତି ପ୍ରୟୋଗ କଲେ ମଧ୍ୟ ଜନସାଧାରଣଙ୍କୁ ଆୟତ୍ତ କରିବା ଅସମ୍ଭବ ହୋଇ ଉଠିଲା ।

 

ନିର୍ବାଚନ କ୍ୟାମ୍ପରୁ ସେ ଦିନ ସନ୍ଧ୍ୟାବେଳେ ବିକ୍ରମଦେବଙ୍କ ସହ ପୁଣ୍ଡରୀକାକ୍ଷ ଓ ଲୋକନାଥ ଫେରୁଥିଲେ ।

 

ମାଘ ମାସର ଶୀତକୁ ଦ୍ଵିଭାଗ କରି ତାଙ୍କ ନିର୍ବାଚନ ଜିପ୍‍ ଗୃହାଭିମୁଖୀ ହୋଇ ଉଠୁଥିଲା-

 

ପୁଣ୍ଡରୀକାକ୍ଷ କହିଲେ–ଭବିଷ୍ୟତ ମତେ କିଛି ଭଲ ଦେଖାଯାଉନି ବିକ୍ରମ ବାବୁ । ଶେଷକୁ ଅରୁଣ ହୁଏତ ଜିତିଯିବ । ସେ ଯଦି ଜୟଲାଭ କରେ, ନନ୍ଦକିଶୋର ପାଇଁ କେବଳ ଜିତିଯିବ ବୋଲି ଧରି ନିଆଯିବ ।

 

ବିକ୍ରମଦେବ ହତାଶାର ଦୀର୍ଘଶ୍ୱାସ ଛାଡ଼ିଲେ । କେଉଁ ଉପାୟରେ ସେ ଜିତିବେ ? କିଏ ଆସି ତାଙ୍କପାଇଁ ପ୍ରଚାର କରିବ ? ହୃଦୟ ବାବୁ ନିଜେ ଆସି ନିର୍ବାଚନ ସଭାର ଶୁଭ ଦେଇ ଯାଇଥିଲେ । ଜନସାଧାରଣଙ୍କୁ ମୋ ସପକ୍ଷରେ ଭୋଟ ଦେବାପାଇଁ ନିବେଦନ ଜଣାଇ ଦେଇ ଫେରି ଯାଇଥିଲେ ।

 

ସେ ଯଦି ବିଧାନସଭାକୁ ନିର୍ବାଚିତ ନ ହେବେ, ତା’ହେଲେ ମୁହଁ ଦେଖାଇ ଆଉ ହୁଏତ ବାଟ ଚାଲି ହେବନାହିଁ । ହରିଜନ ଟୋକା ନନ୍ଦକିଶୋରର ଶକ୍ତିଶାଳୀ ବ୍ୟକ୍ତିତ୍ୱ ଓ ପ୍ରଭାବକୁ ସେ ଯଦି ସାମନା କରି ଜୟଲାଭ କରିବେ ନାହିଁ, ତା’ହେଲେ ବଞ୍ଚିରହି ଆଉ ଅବା ଲାଭ କ’ଣ ?

 

ଜିଲ୍ଲା କମିଟିର ସଂଖ୍ୟାଗରିଷ୍ଠ ବ୍ୟକ୍ତିମାନଙ୍କୁ ଅର୍ଥର ସମୁଦ୍ରରେ ଡୁବାଇ ଦେଇ ସେ ହାତ କରିଥିଲେ । ପ୍ରାଦେଶିକ କମିଟିର ମୁଖ୍ୟ କାରପଟ୍‍ଦାରମାନଙ୍କୁ ସେ ଅର୍ଥର ଯାଦୁକରୀ ଆକର୍ଷଣରେ ଭୁଲାଇ ଦେଇ, ଜାତୀୟ ଦଳର ଟିକେଟ୍‍ ପାଇଥିଲେ । ସେଇ ଅର୍ଥର ସ୍ରୋତରେ, ନିର୍ବାଚନ ମଣ୍ଡଳୀର ଶହ ଶହ ଅଜ୍ଞ, ଅଶିକ୍ଷିତ ଭୋଟର୍‍ କ’ଣ ଭୁଲିବେ ନାହିଁ ? ସେମାନଙ୍କ ଚିନ୍ତାଧାରାର ଅନ୍ଧକାର, ସେଇ ଅର୍ଥ ସ୍ରୋତରେ କ’ଣ ପ୍ରକ୍ଷାଳିତ ହେବ ନାହିଁ ?

 

ସମଗ୍ର ଧନ, ରତ୍ନ ଓ ଦୌଲତ ଉତ୍ସର୍ଗ କରିବା ପାଇଁ ସେ ଆଜି ପ୍ରସ୍ତୁତ । ମାତ୍ର ତା’ ବଦଳରେ ସେ ଚାହାଁନ୍ତି ବିଜୟ ଗୌରବ ବିଧାନସଭାରେ ପ୍ରତିନିଧିତ୍ୱ କରିବା ପାଇଁ ଅଧିକାର ।

 

ବିକ୍ରମଦେବ, ସେଇ ଚଳମାନ ଜିପ୍‍ ଗାଡ଼ିରେ ଛେପ ଢୋକି ଢୋକି କହିଲେ–ତା’ହେଲେ କ’ଣ କରିବା କକେଇ ? ସବା ଶେଷରେ ମୁଁ ଯଦି ପରାଜିତ ହେବି, ଏହାଠାରୁ ଦୁଃଖଦାୟକ ଘଟଣା ବୋଧହୁଏ ମୋ ଜୀବନରେ ଆଉ ସମ୍ଭବ ହେବ ନାହିଁ । ତମେ ଉପାୟ ଚିନ୍ତା କର । କେଉଁ ଉପାୟରେ ମୋର ଜୟଲାଭ ଘଟିବ, ସେ ବିଷୟରେ ମତେ ବୁଦ୍ଧି ଦିଅ ବାଟ ବତାଅ-

 

ପୁଣ୍ଡରୀକାକ୍ଷ ଉପାୟ ଚିନ୍ତା କରୁଛନ୍ତି...

 

ଲୋକନାଥ କହିଲେ–ଗୋଟିଏ ଉପାୟ ଅଛି । ତାହା ଯଦି ସମ୍ଭବ ହୁଏ, ତମର ବିଜୟ ସୁନିଶ୍ଚିତ ।

 

ପୁଣ୍ଡରୀକାକ୍ଷ ଓ ବିକ୍ରମ ଉତ୍‍କର୍ଣ୍ଣ ହୋଇ ଉଠିଲେ ।

 

ଜିପ୍‍ର ଗତି ଅପେକ୍ଷାକୃତ ଧିର ହେଉଛି.....

 

ଲୋକନାଥ କହିଲେ–ତମ ପାଇଁ ନଳିନାକ୍ଷ ଯଦି ପ୍ରଚାର କରିବ, ଜନସାଧାରଣଙ୍କୁ, ଆମ ରାଜନୈତିକ ଦଳର ଆଦର୍ଶ ଓ ଇସ୍ତାହାର ବୁଝାଇ ବସିବ, ତା’ହେଲେ ଆଜି ଯେଉଁମାନେ ଅରୁଣକୁ ଜିତେଇ ଦେବାପାଇଁ ସଂକଳ୍ପ କରିଛନ୍ତି, ସେହିମାନେ ଆସି ନଳିନାକ୍ଷ ପଛରେ ଗୋଡ଼ାଇବେ ।

 

ତା’ କଥାର ଯଥେଷ୍ଟ ମୂଲ୍ୟବୋଧ ଅଛି ବିକ୍ରମ ବାବୁ । ସାରା ସବ୍‍ଡିଭିଜନର ସେଇ ମାତ୍ର ଜନପ୍ରିୟ ନେତା । ଗାଁ, ଗାଁରେ ନିର୍ବାଚନ ପ୍ରଚାର କରିବାକୁ ଗଲାବେଳେ, ତା’ କଥା ସମସ୍ତେ ଆମକୁ ପଚାରୁଛନ୍ତି । ଏହି ନିର୍ବାଚନରେ ସେ କାହିଁକି ଠିଆ ନ ହେଲା, ସେ ପ୍ରଶ୍ନର ଉତ୍ତର ମଧ୍ୟ ଆମଠାରୁ ପାଇବାକୁ ବ୍ୟସ୍ତ କରି ପକାଉଛନ୍ତି ।

 

ନନ୍ଦକିଶୋରର ବ୍ୟକ୍ତିତ୍ୱ ଓ ପ୍ରଭାବକୁ କେହି ଯଦି ମଳିନ କରିପାରେ, ସେ ହେଉଛି ନଳିନାକ୍ଷ । ସେ ଯଦି ତାମପାଇଁ ମାତ୍ର ଗୋଟିଏ ସପ୍ତାହ ନିର୍ବାଚନ ଗସ୍ତରେ ବାହାରିବ, ତମର ବିଜୟ ସୁନିଶ୍ଚିତ ବିକ୍ରମ ବାବୁ ।

 

ବିକ୍ରମ ବାବୁ ଶୁଣୁଥିଲେ । ପକେଟ୍‍ରୁ ରୁମାଲ ବାହାର କରି ମୁହଁ ପୋଛୁ ପୋଛୁ କହିଲେ–ନନ୍ଦକିଶୋରକୁ ଜାତୀୟ ଦଳ ଟିକେଟ୍‍ ଦେଇନାହିଁ ବୋଲି ନଳିନାକ୍ଷ କ୍ଷୁଣ୍ଣ ହୋଇଛି । ସେ ଦିନ ହୃଦୟ ବାବୁ ଯେତେ ଅନୁରୋଧ କରି କହିଲେ ନଳିନାକ୍ଷ ଶୁଣିଲାନି । ଶୁଷ୍କ ହସ ହସି କହିଲା–ମୋ ଦ୍ୱାରା କିଛି ହୋଇ ପାରିବନି ହୃଦୟ ବାବୁ । ଜନସାଧାରଣ ଯଦି ବିକ୍ରମ ବାବୁଙ୍କୁ ସମର୍ଥନ କରିବେ, ନିଶ୍ଚୟ ସେ ଜୟଲାଭ କରିବେ ।

 

ସେ କିନ୍ତୁ ବଡ଼ ନିଷ୍କ୍ରିୟ ହୋଇ ପଡ଼ୁଛି ଲୋକନାଥ ବାବୁ । ସେମାନେ ଥିଲେ ଜାତୀୟ ଦଳର ପ୍ରତିଷ୍ଠାତା । ସେ ଦଳ ସେମାନଙ୍କ ପ୍ରତି ଅନ୍ୟାୟ ବିଚାର କରି ଥିବାରୁ ନଳିନାକ୍ଷ ଅଭିମାନ କରିଛି । ସାଧାରଣ ନିର୍ବାଚନ ଠାରୁ ଦୂରେଇ ରହିବାକୁ ଯଥା ସାଧ୍ୟ ସେ ଚେଷ୍ଟା କରୁଛି ।

 

ପୁଣ୍ଡରୀକାକ୍ଷ କହିଲେ–ବିପଦବେଳେ ଭଗବାନ ଗଧ ପାଦ ଧରିଥିଲେ ବିକ୍ରମ ବାବୁ । ଠିକ୍‍ ସେଇମିତି ତମ ନିର୍ବାଚନର ସାଫଲ୍ୟ ଦୃଷ୍ଟିରୁ, ତମେ ଯାଇ ତାକୁ ଅନୁରୋଧ କଲେ, ତମ ମାନ ସମ୍ମାନ ପଦାରେ ପଡ଼ିଯିବ ନାହିଁ । ତମର ବିଜୟ ହାସଲ ପାଇଁ ତା’ର ଦ୍ୱାରସ୍ଥ ହେଲେ, ତମର ବ୍ୟକ୍ତିତ୍ୱରେ କୌଣସି ପ୍ରକାରେ ଆଞ୍ଚ ଆସିବ ନାହିଁ ।

 

ତା’ ନହେଲେ, ନନ୍ଦକିଶୋରର ବ୍ୟକ୍ତିତ୍ୱ ଓ ପ୍ରଭାବକୁ ତମେ ବିଭକ୍ତ କରି ପାରିବ ନାହିଁ । ତମେ ଥରେ ଯାଅ ତା’ ପାଖକୁ । ତମେ ଗଲେ ହୁଏତ ତା’ର ହୃଦୟ ପରିବର୍ତ୍ତନ ହୋଇପାରେ । ଯେଉଁ ଜାତୀୟ ଦଳରେ ମିଶି, ଏ ଦେଶର ସ୍ୱାଧୀନତାର ଢେଉ ସେ ବୁହାଇ ଦେଇଛି, ସେ ଦଳପ୍ରତି ସେ ନିଶ୍ଚୟ ସମ୍ମାନ ଦେଖାଇବ । ତମପାଇଁ ସେ ପ୍ରଚାର କରିବାକୁ ବାହାରିବ ।

 

ନନ୍ଦକିଶୋର ପରି ସେ ଭାବପ୍ରବଣ ନୁହେଁ । ତା’ର ବିଚାରବୋଧ ଅଛି । ଦାୟିତ୍ୱଜ୍ଞାନ ରହିଛି । ନନ୍ଦକିଶୋର ଦଳ ଛାଡ଼ିଦେଇ ଅନ୍ୟ ଦଳରେ ମିଶିଲା । ସେ ତା’ର ସମର୍ଥକ ହୋଇ ମଧ୍ୟ, ଜାତୀୟ ଦଳର ଅବିଚାରରେ ଏପର୍ଯ୍ୟନ୍ତ ଇସ୍ତଫା ଦେଇନାହିଁ ।

 

ଅତୀତରେ ତା’ ପ୍ରତି ଆମେ ଅନେକ ଅନ୍ୟାୟ କରିଛେ ବିକ୍ରମ ବାବୁ । ଆଜି କିନ୍ତୁ ସେ ଅନ୍ୟାୟର ପ୍ରାୟଶ୍ଚିତ ଲୋଡ଼ା । କିଏ ଜାଣିଥିଲା, ସେହି ବାନର ସେନାମାନେ ପ୍ରବଳ ପ୍ରତାପୀ ବ୍ରିଟିସ୍‍ ସରକାରକୁ ମାତ୍ର କେତେଟା ବର୍ଷରେ ତଡ଼ିଦେଇ ପାରିବେ ବୋଲି ! ସେହି ଦୃଷ୍ଟିରୁ ବ୍ରିଟିସ୍‍ ସରକାରକୁ ଆମେ ସାହାଯ୍ୟ କରୁଥିଲେ । ଜାତୀୟ ଦଳର ସମସ୍ତ ଗୁପ୍ତ ରହସ୍ୟ, ବ୍ରିଟିସ୍‍ ସରକାର ପାଖରେ ଜଣାଇ ଦେଉଥିଲେ ।

 

କିନ୍ତୁ ତଥାପି ନଳିନାକ୍ଷ ପ୍ରତି ମନର କେଉଁ ଅବଚେତନ ଅବସ୍ଥାରେ ମୋର ହିଂସା ରହିଛି ବିକ୍ରମ ବାବୁ । କାଲିକା ମେଞ୍ଚଡ଼ ପିଲାଟା, ସାରା ସବ୍‍ଡିଭିଜନରେ କି ଖ୍ୟାତି ଅର୍ଜ୍ଜନ ନ କଲା ସତେ ! ପ୍ରାଦେଶିକ ଜାତୀୟ ଦଳର ସେ ଜଣେ ମଧ୍ୟ ବିଶିଷ୍ଟ ବ୍ୟକ୍ତି ।

 

ତା’ ଜନପ୍ରିୟତାର ଗର୍ବ ଓ ଗୌରବରେ ସେ ଆମକୁ ହୀନଦୃଷ୍ଟିରେ ଦେଖେ । ଆମେ ଜାତୀୟ ଦଳରେ ସଭ୍ୟ ଶ୍ରେଣୀଭୁକ୍ତ ହେଲେ ମଧ୍ୟ ଆମକୁ ସେ ଘୃଣା କରେ । ତମ ପ୍ରାର୍ଥୀତ୍ୱକୁ ସେ ନାପସନ୍ଦ କରେ ।

 

ତା’ର ଏଇ ଗର୍ବ ଓ ଅହଂକାରକୁ ପଦଦଳିତ କରିବା ପାଇଁ ଆମର ସୁବର୍ଣ୍ଣ ସକାଳ ଆଗେଇ ଆସୁଛି ବିକ୍ରମ ବାବୁ । ତମେ ବିଧାନସଭାକୁ ନିର୍ବାଚିତ ହୋଇଯାଇ ସାରିଲା ପରେ, ତା’ର ସେଇ ଅହଂକାରର ଆମେ ପ୍ରତିଶୋଧ ନେଇ ପାରିବା ।

 

କିନ୍ତୁ ତୁମକୁ ହିଁ ଜୟଯୁକ୍ତ ହେବାକୁ ପଡ଼ିବ । ତମେ ଜୟଯୁକ୍ତ ହୋଇ ସାରିଲା ପରେ, ସ୍ଵାଧୀନତା ପୂର୍ବରୁ ସାମାଜିକ ଜୀବନରେ ଲୋକନାଥ ବାବୁ ଓ ମୁଁ ଯେଉଁ ପ୍ରତିଷ୍ଠା ଓ ପ୍ରତିପତ୍ତି ବଜାୟ ରଖିଥିଲୁ, ତାହା ପୁଣି ଚାଲୁ କରିବୁ । ଆମ କପାଳ ଖୋଲିଯିବ । ଭାଗ୍ୟ ଉଜ୍ଜ୍ଵଳିବ । ଗୋଟା ଗୋଟା ଲମ୍ବତ ଯୋଜନାର ସ୍ୱାଦ ଆମେ ଚାଖିବୁ ।

 

କିନ୍ତୁ ନିଜର ସ୍ଵାର୍ଥ ହାସଲ ପାଇଁ, ତମକୁ ନଳିନାକ୍ଷ ପାଖକୁ ଯିବାକୁ ପଡ଼ିବ । ତାକୁ ଶତ ଅନୁରୋଧ ମଧ୍ୟ ଜଣାଇବାକୁ ହେବ । ବିଜୟ ଲାଭ ପରେ, ସେ ତ ବଳେ ଆସିବ ତମ ପାଖକୁ ।

 

ବିକ୍ରମ ବାବୁ ଚଳମାନ ଜିପରେ ବସି ସବୁ ଶୁଣୁଥିଲେ । ନଳିନାକ୍ଷ ପାଖକୁ ନ ଗଲେ ଆଉ ଉପାୟ ନାହିଁ । ତାକୁ ଅନୁରୋଧ କରି, ପ୍ରଚାର କରାଇବାକୁ ନ ଆଣିଲେ, ଅରୁଣ ବିଶ୍ୱାଳର ସଂଗଠନର ଅଭେଦ୍ୟ ଦୁର୍ଗକୁ ଦୋହଲାଇ ହେବନାହିଁ । ନିର୍ବାଚନ ଯେତେ ଆଗେଇ ଆସୁଛି, ନନ୍ଦକିଶୋରର ନେତୃତ୍ୱରେ ବିରୋଧୀ ପକ୍ଷ ସେତିକି ଶକ୍ତିଶାଳୀ ଓ ସଂଗଠିତ ହେବାରେ ଲାଗିଛନ୍ତି-

 

ନଳିନାକ୍ଷ ସତରେ କ’ଣ ରାଜି ହେବ ? ତାଙ୍କ କଥା ମାନି ସତରେ କ’ଣ ନିର୍ବାଚନ ସଭାରେ ଭାଷଣ ଦେବ ? ଜୀବନରେ ଦିନେହେଲେ ଇତର, କନିଷ୍ଠ ବ୍ୟକ୍ତିଙ୍କ ପାଖରେ, ଆଣ୍ଠୁ ଭାଙ୍ଗି ସେ ଠିଆ ହୋଇ ନାହାନ୍ତି । ମାତ୍ର ଆଜି ତାଙ୍କୁ ଗୋଡ଼ଭାଙ୍ଗି ଠିଆ ହେବାକୁ ପଡ଼ିବ ।

 

ବ୍ୟକ୍ତିତନ୍ତ୍ରର ଯଥେଚ୍ଛା ଶାସନ ଗଣତନ୍ତ୍ରର ବିପୁଳ ବିକାଶରେ ଧ୍ଵଂସ ପାଇ ଯାଇଛି । ନେତା ହେବାକୁ ହେଲେ, ଜନତାର ସେବା କରିବାକୁ ପଡ଼ିବ । ଜନତାର ଅଭାବ, ଅସୁବିଧା, ଦୁଃଖ ଓ କଷ୍ଟ ଲାଘବ କରିବା ପାଇଁ, ବ୍ୟକ୍ତିଗତ ଜୀବନର ସମସ୍ତ ସ୍ଵାର୍ଥଠାରୁ ଊର୍ଦ୍ଧ୍ୱରେ ରହି, ସେମାନଙ୍କ ପାଖରେ ଉପସ୍ଥିତ ହେବାକୁ ପଡ଼ିବ ।

 

ସେହି ଦୃଷ୍ଟିରୁ ସେ ନଳିନାକ୍ଷ ପାଖକୁ ଯିବେ । ନଳିନାକ୍ଷର ପିତା, ତାଙ୍କର ଦୂର ସମ୍ପର୍କୀୟ ବନ୍ଧୁ । ସ୍ୱର୍ଗୀୟ ଶଶୀଭୂଷଣଙ୍କ ସହିତ ତାଙ୍କର ବେଶ୍‍ ଘନିଷ୍ଠ ସମ୍ପର୍କ ଥିଲା । ମାତ୍ର ତାଙ୍କ ମୃତ୍ୟୁପରେ ପୁଣି ନଳିନାକ୍ଷର ବ୍ୟକ୍ତିତ୍ୱର ବିକାଶ ପରେ ପରେ, ତାଙ୍କ ପ୍ରତିଷ୍ଠା ଓ ପ୍ରତିପତ୍ତିରେ ଯେତେବେଳେ ଆଞ୍ଚ ଆସିଲା, ସେ ହୋଇ ଉଠିଥିଲେ ତା’ର ପରମ ଶତ୍ରୁ ।

 

ଛାଡ଼ । ସେ ଅତୀତର କଥା । ଅତୀତ ଦିନର ସେ ପରିସ୍ଥିତି ଓ ପରିବେଶ ଆଜି ଆଉ ନାହିଁ । ଯୁଗର ପରିବର୍ତ୍ତନ ସଙ୍ଗେ ସଙ୍ଗେ ଆମ ଚିନ୍ତାଧାରାର ମଧ୍ୟ ପରିବର୍ତ୍ତନ ସଂଘଟିତ ହୋଇଛି ।

 

ପୁଣ୍ଡରୀକାକ୍ଷ ମିଛ କହିଲେ ନାହିଁ । ବେଳେ ବେଳେ ତାଙ୍କ ମନ ଭିତରେ ହିଂସାର ଭୂତ ରାଜତ୍ୱ କରେ । ନଳିନାକ୍ଷର ପ୍ରତିଷ୍ଠା ଓ ପ୍ରଶଂସାରେ ସେ ପଳେ ପଳେ ଜଳି ଯାଆନ୍ତି । ଦଗ୍ଧୀଭୂତ ହୁଅନ୍ତି । କାହିଁକି ? କାହିଁକି ତାଙ୍କର ଏପରି ହୁଏ ? ସବୁଦିନେ ଜନସମାଜକୁ ସେ କ’ଣ ନିଜ ହାତମୁଠାରେ ରଖିଥିବେ ? ସବୁଦିନେ ଜନତା କ’ଣ ତାଙ୍କରି ନିର୍ଦ୍ଦେଶରେ ପରିଚାଳିତ ହେବେ ? ସବୁଦିନେ ଏ ଅଞ୍ଚଳର ଜନତା କ’ଣ ଅଜ୍ଞାନ ଓ ଅଶିକ୍ଷାର ଅନ୍ଧକୂପ ମଧ୍ୟରେ ସଢ଼ୁଥିବେ ?

 

ଦୀର୍ଘ ଦିନ ୟୁନିୟନ ପ୍ରେସିଡେଣ୍ଟ ହୋଇ, ଅନ୍ୟାୟରେ ବହୁ ଲୋକଙ୍କର ତଣ୍ଟି, ଚିପି, ରକ୍ତ ଶୋଷି ଅନେକ ଅର୍ଥ ରୋଜଗାର ସେ କରିଛନ୍ତି । ବହୁ ଲୋକଙ୍କ ଉପରେ ବିଚାରହୀନ ଓ ଅନୁଦାର ହୋଇ ଆକ୍ରମଣ କରିଛନ୍ତି । କେହି କେହି ମଧ୍ୟ ସର୍ବସ୍ୱାନ୍ତ ହୋଇ ଯାଇଛନ୍ତି ।

 

ତାଙ୍କର ଏହି ବ୍ୟକ୍ତି ତାନ୍ତ୍ରିକ ଶାସନକୁ ବିରୋଧ କରିବା ପାଇଁ ନଳିନାକ୍ଷ ସର୍ବପ୍ରଥମେ ଆଗେଇ ଆସିଥିଲା । ଅନ୍ଧ ଆଭିଜାତ୍ୟ ଓ କ୍ଷମତା ଲୋଭର ସମୁଚ୍ଚ ଶିଖରରେ ବସି ରହି, ନଳିନାକ୍ଷ ଉପରେ ପ୍ରତିଶୋଧ ନେବାପାଇଁ ସେ ନାନା ଷଢ଼ଯନ୍ତ୍ର ଭିଆଇ ଥିଲେ । ଜାତୀୟ ଆନ୍ଦୋଳନରେ ତାକୁ ଗିରଫ କରାଇ ଜେଲ୍‍କୁ ପଠାଇ ଦେବାପାଇଁ, ପୋଲିସ୍‍ମାନଙ୍କୁ ସେ ପ୍ରତ୍ୟକ୍ଷ ଭାବରେ ସାହାଯ୍ୟ କରିଥିଲେ ।

 

ସେହି ଦିନ ଠାରୁ ମନସ୍ତାତ୍ତ୍ୱିକ ଦୃଷ୍ଟିକୋଣରୁ ସେ ତାକୁ ହିଂସା କରନ୍ତି । ଭୟ ବି କରନ୍ତି-

 

ତେବେ ଯାହାହେଉ, କାଲି ସକାଳୁ ତା’ ପାଖକୁ ଯିବାକୁ ହିଁ ହେବ । ନିର୍ବାଚନ ସଂଗ୍ରାମରେ ସେ ତାଙ୍କର ସାରଥି ହୋଇ ନ ବାହାରିଲେ, ରଥଚକ୍ର ହୁଏତ ଆଗକୁ ଆଉ ପ୍ରଧାବିତ ହୋଇ ପାରିବନି । ନା, ନା, ନଳିନାକ୍ଷକୁ ହିଁ ସାରଥି ହେବାକୁ ପଡ଼ିବ ।

 

ଜିପ୍‍ ଚାଲିଛି....

 

ଘରେ ପହଞ୍ଚିବାକୁ ଆଉ ମାତ୍ର ଅଳ୍ପ ସମୟ ବାକି ଆଛି । ବିକ୍ରମଦେବ କହିଲେ–ବୁଝିଲ କକେଇ, ଲୋକନାଥ ବାବୁ–କାଲି ମତେ ନଳିନାକ୍ଷ ପାଖକୁ ଯିବାକୁ ପଡ଼ିବ । ତାକୁ ଅନୁରୋଧ କରି କହିବାକୁ ପଡ଼ିବ । ସେ ଯଦି ପ୍ରଚାର କରିବାକୁ ଅସମ୍ମତ ହୁଏ, ତା’ହେଲେ ହୃଦୟବଲ୍ଲଭ ଚୌଧୁରୀଙ୍କୁ ଡକାଇ, ତାକୁ ସମ୍ମତ କରାଇବାକୁ ପଡ଼ିବ ନ ହେଲେ ଉପାୟ ନାହିଁ ।

 

ତମେ କିନ୍ତୁ ମୋ ସାଙ୍ଗେ ତ ଯିବ କକେଇ ? ତମେ ଆଉ ଲୋକନାଥ ବାବୁ ଦୁହେଁଯାକ ମୋ ସାଙ୍ଗରେ ଗଲେ, ତା’ ମନରେ ହୁଏତ ପରିବର୍ତ୍ତନ ଘଟିବ ।

 

କାରଣ ଆମେ ତିନି ଜଣ ଯାକ ଥିଲେ ପ୍ରଧାନ ଶତ୍ରୁ । ଜାତୀୟ ଆନ୍ଦୋଳନକୁ ମୂଳପୋଛ କରିଦେବା ପାଇଁ, ଆମେ ଚେଷ୍ଟା ଚଳାଇ, ତା’ ଆଖିରେ ଏବେ ବି ଘୃଣାର ପାତ୍ର ହୋଇ ରହିଛେ । ଏବେ ବି ସେ ଆମକୁ କଥା କହେ ନାହିଁ । ଆଡ଼ ଦୃଷ୍ଟିରେ ଚାହେଁ ନାହିଁ । ଆମ ସହିତ ମିଳାମିଶା କରିବାକୁ ଆଗ୍ରହ ପ୍ରକାଶ କରେ ନାହିଁ ।

 

ସୁତରାଂ ଆମ ତିନିଙ୍କ ଉପସ୍ଥିତି, ତା’ର ହତାଦର ଓ ଘୃଣା ମନୋଭାବକୁ ହୁଏତ ଅନେକାଂଶରେ ଦୂର କରିଦେବ । ତା’ ଭଳି ଏକ ଉଚ୍ଚ ଶିକ୍ଷିତ, ଉଦାର ହୃଦୟ ଯୁବକର ପ୍ରାଣରେ କ୍ଷମାର ମଧୁଧାରା ପ୍ରବାହିତ ହେବ ।

 

ପୁଣ୍ଡରୀକାକ୍ଷ କହିଲେ–ମତେ କ୍ଷମା କରିବ ବିକ୍ରମ ବାବୁ । ମୁଁ ବର୍ତ୍ତମାନ ଯାଇ ପାରିବିନି-। ସେ ଯଦି ତମପାଇଁ ନିର୍ବାଚନ ପ୍ରଚାର କରିବକୁ ଆସେ, ତା’ହେଲେ ସେଇ ଅବସରରେ ହୁଏତ ତା’ ସହିତ କଥାବାର୍ତ୍ତା କରିବି–ନ ହେଲେ ତା’ ପୂର୍ବରୁ ନୁହେଁ ।

 

ଲୋକନାଥ କହିଲେ–ତମେ ଏକାଯାଅ ଆଗ ବିକ୍ରମ ବାବୁ । ତା’ର ମତାମତ ଆଗ ବୁଝିଆସ । ତା’ପରେ ଆମେ ସମୟ ଓ ସୁବିଧା ନେଇ ଆଗକୁ ଆଗେଇ ଯିବାନି ?

 

ବିକ୍ରମଦେବ କହିଲେ–ଆଚ୍ଛା, ଆଗ ମୁଁ ଯାଇ ଫେରିଆସେ ଦେଖାଯାଉ କ’ଣ ସେ କହୁଛି ?

 

ଗାଡ଼ି ଆସି ବିକ୍ରମଦେବଙ୍କ ଘର ପାଖରେ ସେତେବେଳେ ପହଞ୍ଚି ଯାଇଥିଲା ।

 

ନଳିନାକ୍ଷ ଦାନ୍ତଘଷି ସାରି ଖବରକାଗଜରେ ଆଖି ବୁଲାଉଛି ।

 

ସମ୍ବାଦପତ୍ରଟା ନିର୍ବାଚନ ଖବରରେ କେବଳ ଭରପୂର । ଭାରତରେ ଏବଂ ସର୍ବୋପରି ଓଡ଼ିଶାରେ ଯେପରି, ଏହି ନିର୍ବାଚନ ବ୍ୟତୀତ ଆଉ କୌଣସି ସମ୍ବାଦ ନାହିଁ ।

 

ନଳିନାକ୍ଷ ନିର୍ବାଚନ ସମ୍ବାଦ ପଢ଼ି ପଢ଼ି ମନେମନେ ବିରକ୍ତ ହୋଇ ଉଠୁଥିଲା ।

 

ବିକ୍ରମଦେବ, ଦାଣ୍ଡ ଦରଜା ଅତିକ୍ରମ କରି ନଳିନାକ୍ଷ ପାଖରେ ପହଞ୍ଚି ଗଲେଣି ।

 

ଖବରକାଗଜରୁ ମୁହଁ ଟେକି ଚାହିଁଲା ନଳିନାକ୍ଷ । ବିସ୍ମୟ ବିସ୍ଫାରିତ ନୟନରେ ଚାହିଁ ରହିଛି ସେ ବିକ୍ରମଦେବଙ୍କୁ ।

 

ଏ କାହିଁକି ଆସିଛନ୍ତି ଆଜି ମୋ ଘରକୁ ? ଦିନେ ହେଲେ, ଭୁଲରେ ଯିଏ, ତା’ ଘରେ ପାଦ ପକାନ୍ତି ନାହିଁ, ଆଜି ସକାଳୁ କାହିଁକି ତାଙ୍କର ଶୁଭାଗମନ ?

 

ନଳିନାକ୍ଷ ସୌଜନ୍ୟ ଦୃଷ୍ଟିରୁ ଉଠି ପଡ଼ିଲା । ନିଜ ଶୋଇବା ଘରୁ ଚେୟାରଟିଏ ଟେକି ଆଣି ଅଗଣାରେ, ପଉଷର ସକାଳ ଖରାକୁ ମୁହଁ କରାଇ ଥୋଇଲା ।

 

ବିକ୍ରମଦେବଙ୍କ ମୁହଁ ଉପରେ ଖେଳି ଖେଳି ଯାଉଥିଲା ଆଶା ଓ ଆଶଙ୍କାର କେତେ ଆଲୁଅ ଓ ଅନ୍ଧକାରର ଛାଇ ।

 

ନଳିନାକ୍ଷ ଡାକିଲା–ନୀଳିମା, ନୀଳିମା, ବିକ୍ରମ ମାମୁ ଆସିଛନ୍ତି ଆମ ଘରକୁ–

 

ନୀଳିମା ଦଉଡ଼ି ଚାଲି ଆସିଲା । ବିକ୍ରମବାବୁଙ୍କୁ ପ୍ରଣାମ ଜଣାଇ, ଅତି ଆଗ୍ରହରେ ତାଙ୍କ ଆସିବାର ଉଦ୍ଦେଶ୍ୟକୁ ଜାଣିବା ପାଇଁ ତକାଇ ରହିଲା ।

 

ନଳିନାକ୍ଷର ସେ ଥିଲେ ଦୂର ସମ୍ପର୍କୀୟ ମାମୁ । ସମ୍ପର୍କ ଥାଇ ମଧ୍ୟ ଏ ଦୁହିଁଙ୍କର କୌଣସି ସମ୍ପର୍କ ନଥିଲା । ଦୁହେଁଯାକ ଦୁହିଁଙ୍କର ଆଦର୍ଶ ଅନୁସରଣ କରି ଚାଲିଥିଲେ । ସେହି ଆଦର୍ଶ ମଧ୍ୟରେ ଦେଖା ଦେଇଥିଲା ଘୋର ମତାନୈକ୍ୟ, ଦ୍ଵନ୍ଦ୍ୱ, ସଂଘର୍ଷ ଏବଂ ଶତ୍ରୁତା ।

 

ତେଣୁ ଦୁହେଁ ଦୁହିଁଙ୍କ ଠାରୁ ରହୁଥିଲେ ଦୂରରେ ।

 

ନଳିନାକ୍ଷ କେବେ କଳ୍ପନା କରି ନଥିଲା, ସ୍ୱେଚ୍ଛାକୃତ ଭାବେ ବ୍ୟକ୍ତିବାଦୀ ବିକ୍ରମଦେବ ତା’ ଘରକୁ ଆସିବେ ବୋଲି । କିନ୍ତୁ ଜାତୀୟ ଦଳରେ ମିଶିଲା ପରେ ପରେ ବୋଧହୁଏ ତାଙ୍କର ଆତ୍ମ-ଚୈତନ୍ୟ ଉଦୟ ହୋଇଛି । ଅତୀତ ଜୀବନର ସେଇ କଳଙ୍କିତ ଇତିହାସର ପୃଷ୍ଠା, ଜାତୀୟ ଦଳରେ ଯୋଗଦାନ କରିଲା ପରେ, ମନର ପବିତ୍ର ଗଙ୍ଗା ଜଳରେ ଧୋଇ ହୋଇ ଯାଇଛି ।

 

ନଳିନାକ୍ଷ ଭାବୁଛି ।

 

ନୀଳିମା ଓ ସେ ବସିଲେ । ବିକ୍ରମଦେବଙ୍କର କଥାକୁ ଅପେକ୍ଷା କରି ରହିଲେ ।

 

ବିକ୍ରମଦେବ କହିଲେ–ଏକ ଜରୁରୀ କାର୍ଯ୍ୟନେଇ ତୋ ପାଖକୁ ଆସିଛି ନଳିନାକ୍ଷ । ଅତୀତର ସେହି ଗ୍ଳାନିମୟ କାହାଣୀଗୁଡ଼ିକୁ ଯଦି ପାସୋରି ଦେଇ, ମତେ ସାହାଯ୍ୟ କରି ପାରିବୁ, ତା’ହେଲେ ତୋ ପାଖରେ ମୋର ନିବେଦନ ଜଣାଇବି । ନ ହେଲେ, ଅନେକ ଦିନ ପରେ ତୋ ଘରକୁ ଆଜି ପ୍ରଥମ ଥର ପାଇଁ ଆସି ମୁଁ ନିରାଶାରେ ଫେରିଯିବି ।

 

ନଳିନାକ୍ଷ ଓ ନୀଳିମା ବିକ୍ରମଦେବଙ୍କୁ ଉଦ୍‍ଗ୍ରୀବ ହୋଇ ଚାହିଁ ରହିଛନ୍ତି ।

 

ବିକ୍ରମଦେବ କହିଲେ–ତୁ ନିଶ୍ଚୟ ଜାଣିଛୁ, ଆସନ୍ତା ନିର୍ବାଚନରେ ମୁଁ ବିଧାନସଭା ପାଇଁ ପ୍ରାର୍ଥୀ ହୋଇଛି । ତୋ ଜାତୀୟ ଦଳର ଅନ୍ୟତମ ସଦସ୍ୟ ହିସାବରେ ମତେ ଟିକେଟ୍‍ ମିଳିଛି ।

 

ମୋର ପ୍ରତିଦ୍ଵନ୍ଦ୍ୱୀ ଅରୁଣ ବିଶ୍ୱାଳଙ୍କୁ ତୁ ନିଶ୍ଚୟ ଜାଣିଥିବୁ । ତୋର ସହକର୍ମୀ, ଅନ୍ତରଙ୍ଗ ଘନିଷ୍ଠ ବନ୍ଧୁ ନନ୍ଦକିଶୋର ଜାତୀୟ ଦଳରୁ ଇସ୍ତଫା ଦେଇ, ଅରୁଣର ବର୍ତ୍ତମାନ ପ୍ରଧାନ ସମର୍ଥକ ତଥା ପ୍ରଚାରକ ହୋଇଛି । ଜନସାଧାରଣଙ୍କ ଉପରେ ତା’ର ଯଥେଷ୍ଟ ପ୍ରଭାବ ଓ ପ୍ରତିପତ୍ତି ରହିଛି ।

 

ଜାତୀୟ ଦଳର ସବୁ କର୍ମୀ ଓ ସମର୍ଥକ ଠୂଲୀଭୂତ ହୋଇ ଅରୁଣର ସମର୍ଥକ ଗୋଷ୍ଠୀକୁ ଛିନ୍ନଛତ୍ର କଲାବେଳେ, ନନ୍ଦକିଶୋର ଲୋକ ଶକ୍ତିକୁ ଅଧିକ ଭାବରେ ଏକତ୍ରିତ କରୁଛି । ଆମର ସଂଗଠନ, ପ୍ରଚାର କରିବାର ଅଭିନବ କୌଶଳ, ତା’ର ବ୍ୟକ୍ତିତ୍ୱ ପାଖରେ ନଷ୍ଟ ହୋଇ ଯାଉଛି ।

 

ତେଣୁ ତୋ ଦଳର ପ୍ରାର୍ଥୀ ପାଇଁ ତୁ ଯଦି ଅତି କମରେ ଆମ ନିର୍ବାଚନ ମଣ୍ଡଳୀରେ ଚାରି ଦିନ ପାଇଁ ଗସ୍ତ ନ କରୁ, ତା’ହେଲେ ତୋ ଦଳର ପ୍ରାର୍ଥୀ ପରାଜିତ ହେବା ସୁନିଶ୍ଚିତ । ତୋ ଦଳର ବ୍ୟକ୍ତି ଓ ପ୍ରାର୍ଥୀପାଇଁ ତୁ ପ୍ରଚାର କରିବୁ ।

 

ମୋ’ପାଇଁ ବ୍ୟକ୍ତିଗତ ଭାବରେ ପ୍ରଚାର କରିବାକୁ ତତେ ମୁଁ ଆଜି ଅନୁରୋଧ କରିବାକୁ ଆସିନି । ଜନସାଧାରଣଙ୍କ ଆଗରେ ଜାତୀୟ ଦଳର ଆଦର୍ଶ ଓ ପରମ୍ପରା ଯଦି ତୋ ଦ୍ୱାରା ପରିବେଷିତ କରାଯିବ, ତା’ହେଲେ ତାହାହିଁ ହେବ ମୋର ଗୌରବ । ସେତିକି ମାତ୍ର ପାଥେୟକୁ ସମ୍ବଳ କରି, ମୁଁ ଜିତିଯାଇ ପାରିବି ।

 

ଜୀବନରେ ମୁଁ କାହାରି ପାଖରେ ମୁଣ୍ଡ ନଇଁ ନଥିଲି ବାବା । ଆଜି କିନ୍ତୁ ଏଇ ରାଜନୈତିକ ଜୀବନର ପ୍ରାରମ୍ଭରେ, ମୁଁ ତୋ ପାଖରେ ମୁଣ୍ଡ ନୁଆଁଉଛି ।

 

ଅତୀତରେ ଆମେ ଦୁହେଁଯାକ ଦୁଇଟି ଭିନ୍ନ ଆଦର୍ଶ ବାଛି ନେଇଥିଲେ । ମୋର ଲକ୍ଷ୍ୟ ଓ ଗତିପଥ ଥିଲା, ତୋ ଲକ୍ଷ୍ୟଠାରୁ ସମ୍ପୂର୍ଣ୍ଣ ପୃଥକ୍‍ । ସ୍ୱତନ୍ତ୍ର । ମାତ୍ର ଆଜି ଜୀବନର ବିଚିତ୍ର ଘଟଣା ପ୍ରବାହରେ ତୁ ଏବଂ ମୁଁ ଗୋଟିଏ ଆଦର୍ଶ ପଛରେ ଧାଇଁଛେ । ଜାତୀୟ ଦଳରେ ରହି ଦେଶ ଓ ଦଶର କଲ୍ୟାଣ ପାଇଁ ତୁ ଯାହା କରିବାକୁ ସ୍ଵପ୍ନ ଦେଖୁଛୁ, ଅଭିଳାଷ ପୋଷଣ କରିଛୁ, ମୁଁ ବି ଠିକ୍‍ ସେହି ସ୍ଵପ୍ନ ଓ ଅଭିଳାଷ ପୋଷଣ କରିଛି ।

 

ଆମେ ଆଜି ନୀତିଗତ ଦୃଷ୍ଟିକୋଣରୁ ଗୋଟିଏ ପଥର ଯାତ୍ରୀ । ତା’ଛଡ଼ା ସାମାଜିକ ଜୀବନରେ ଆମେ ଦୁହେଁ ଅତି ନିକଟତମ ।

 

ତୋ ବାପାଙ୍କ ସହିତ ମୋର ଯେଉଁ ଘନିଷ୍ଠତା ଥିଲା, ସେ କଥା ତୁ ଜାଣିଛୁ କି ନାହିଁ, ମୁଁ ଜାଣେନି । ମାତ୍ର ତୋ ବାପାଙ୍କ ମୃତ୍ୟୁ ପରେ ତମ ପରିବାର ପ୍ରତି ମୋର ସ୍ନେହ, ମମତା କାହିଁକି ଯେ ହୋଇ ଉଠିଲା ରୁଦ୍ଧ, ସୁପ୍ତ, ସେ କଥା ଏପର୍ଯ୍ୟନ୍ତ ମଧ୍ୟ ମୁଁ ଠିକ୍‍ କରିପାରି ନାହିଁ ।

 

ମାତ୍ର ଆଜି ଅନୁତାପ ଓ ଅନୁଶୋଚନାର ଅଗ୍ନିରେ ଦଗ୍ଧୀଭୂତ ହୋଇ ମୁଁ ଶୁଦ୍ଧ ସୁବର୍ଣ୍ଣ ପାଲଟିବାକୁ ଯାଉଛି ନଳିନାକ୍ଷ । ଅଗ୍ନିଶିଖାର ସେଇ ଲେଲିହାନ ଜ୍ୱଳନରୁ ମୋ ବ୍ୟକ୍ତିତ୍ୱର ଶୁଦ୍ଧ ସୁବର୍ଣ୍ଣ ଉକୁଟି ଉଠିବ ।

 

ଆଜିର ଏଇ ଘଡ଼ିସନ୍ଧି ମୁହୂର୍ତ୍ତରେ, ତୁ ମତେ ସାହାଯ୍ୟ ସହଯୋଗ ନ କଲେ, ଅରୁଣ ଠାରୁ ଶୋଚନୀୟ ଭାବେ ପରାଜିତ ହେବି । ତୋ ଦଳ ଯଦି ତୋ ନିର୍ବାଚନ ମଣ୍ଡଳୀରୁ ଶୋଚନୀୟ ଭାବେ ପରାଜିତ ହେବ, ସେ ଲଜ୍ଜା ତତେ କ’ଣ ହେବନି ? ସେ ଅପମାନ ତତେ କ’ଣ ବାଧିବନି ?

 

ବିକ୍ରମଦେବ ତାଙ୍କ ନାତିଦୀର୍ଘ ଭାଷଣ ଶେଷ କରିଦେଲେ ।

 

ନଳିନାକ୍ଷ ଓ ନୀଳିମା ଶୁଣୁଥିଲେ ।

 

ନଳିନାକ୍ଷ କି ଉତ୍ତର ଦେବ ? ଯେଉଁ ବିକ୍ରମଦେବ ରାୟ ଏହି ଅଞ୍ଚଳରୁ ଜାତୀୟ ଆନ୍ଦୋଳନକୁ ବ୍ୟର୍ଥ କରିଦେବା ପାଇଁ ନାନା ହୀନ ଷଡ଼ଯନ୍ତ୍ରରେ ଲିପ୍ତ ରହିଥିଲେ, ତାକୁ ଜେଲ୍‍କୁ ପଠାଇ ଦେବାପାଇଁ ପୋଲିସ୍‍ ସି.ଆଇ.ଡିଙ୍କୁ ସବୁ ପ୍ରକାର ସାହାଯ୍ୟ କରିଥିଲେ, ସେହି ବ୍ୟକ୍ତିବାଦୀ ବିକ୍ରମଦେବ ରାୟଙ୍କର ଆଜି ଅଦ୍ଭୁତ ପରିବର୍ତ୍ତନ । ତାଙ୍କ ସେଇ ପୂର୍ବତନ ଶରୀର ଏବେ ବି ସେଇମିତି ଅଛି । କିନ୍ତୁ ଶରୀର ଭିତରର ମନ, ପ୍ରାଣ, ଭାବନା, ଚିନ୍ତାଧାରା ଓ ଦୃଷ୍ଟିକୋଣରେ ଅଭୂତପୂର୍ବ, ଅଶ୍ରୁତପୂର୍ବ ମୌସୁମୀ ବାୟୁର ସଞ୍ଚାର ହୋଇଛି ।

 

ପୁରାତନ, ଜୀର୍ଣ୍ଣ, ମଳିନ ଚିନ୍ତାଧାରା, ନବୀନ, ଆଲୋକପ୍ରାପ୍ତ ଓ ଯୁଗୋଚିତ ବିଚାରଧାରାରେ ଆଜି ଯେପରି ବିଶୋଧିତ ହୋଇଯାଇଛି । ସଂସ୍କୃତ ହୋଇଯାଇଛି ।

 

ମାତ୍ର ଯାହା ହେଉନା କାହିଁକି ସେ ତାଙ୍କ ସପକ୍ଷରେ ପ୍ରଚାର କରିବ ନାହିଁ । ଏକ ନ୍ୟସ୍ତ ସ୍ଵାର୍ଥ, ପ୍ରତିକ୍ରିୟାଶୀଳ, ପ୍ରତିଶୋଧ ପରାୟଣ ବ୍ୟକ୍ତିଙ୍କ ପାଇଁ ପ୍ରଚାର କରି ସେ ତା’ର ଆଦର୍ଶକୁ କଳଙ୍କିତ କରିବ ନାହିଁ । ନିଜ ଦଳର ଲୋକେ ଅର୍ଥ ଲୋଭରେ ସିନା ଭୁଲିଯାଇ ତାଙ୍କୁ ଟିକେଟ୍‍ ଦେଲେ, ନ ହେଲେ ସେ ତାଙ୍କ ପାଇଁ କିଛି କରି ପାରିବ ନାହିଁ ।

 

ସେ ଦଳର ଯଦି ଶୋଚନୀୟ ପରାଜୟ ଘଟେ, ସେ ତିଳେ ହେଲେ ଦୁଃଖ ପ୍ରକାଶ କରିବ ନାହିଁ । ସେ ଦଳ, ପୂର୍ବର ଦଳ ନାହିଁ । ସେ ଜାତୀୟ ଦଳର ସୁସ୍ଥ ପରମ୍ପରା ଆଜି ଭୂଲୁଣ୍ଠିତ ହୋଇ ଯାଇଛି । ଦୁର୍ନୀତିର ଚରମ ସୀମାରେ ପହଞ୍ଚି ସେ ଜାତୀୟ ଦଳ ଆଜି ଶୂନ୍ୟରେ ହାଇ ମାରୁଛି ।

 

ନନ୍ଦକିଶୋର ପରି ଯେଉଁ ବ୍ୟକ୍ତି ସର୍ବସ୍ଵ ଜଳାଞ୍ଜଳି ଦେଇ, ଦଳର ସ୍ୱାର୍ଥପାଇଁ ସବୁ କିଛି କରି ପାରିଥିଲା, ସେ ନନ୍ଦକିଶୋରର, ସେଇ ରାଜନୈତିକ ଅନୁଷ୍ଠାନରେ ଆଜି ସ୍ଥାନ ନାହିଁ । ସେଇ ସ୍ଥାନମାନ ପୁଣ୍ଡରୀକାକ୍ଷ ଓ ଲୋକନାଥ ଦାଦାଙ୍କ ଦ୍ୱାରା ପରିପୂର୍ଣ୍ଣ ହୋଇ ଯାଇଛି ।

 

ଆଜି ଯଦି ଦଳୀୟ ଚିନ୍ତାଧାରାରେ ଉଦ୍‍ବୁଦ୍ଧ ହୋଇ ସେ ଜନତାର ଦରବାରରେ ଠିଆ ହେବ, ସେମାନେ କ’ଣ କହିବେ କି ପ୍ରଶ୍ନ ପଚାରିବେ ?

 

ନା, ନା ସେ ତାହା କରି ପାରିବ ନାହିଁ । ନନ୍ଦକିଶୋରର ସଂଗଠନ ଶକ୍ତିକୁ ସେ ବିଭକ୍ତ କରିବ ନାହିଁ ।

 

ବିକ୍ରମଦେବ, ନଳିନାକ୍ଷର ଏଇ ଦୀର୍ଘ ନୀରବତା ଦେଖି କହିଲେ–କ’ଣ ଏତେ ଚିନ୍ତା କରୁଛୁ ବାବା ? ମୋ ଆଗରେ ତତେ ଆଜି ପରିଷ୍କାର ଭାବେ ସବୁ କଥା ଖୋଲି କହିବାକୁ ପଡ଼ିବ ।

 

ନଳିନାକ୍ଷ କହିଲା–ମତେ ସେ ବିଷୟରେ ଅନୁରୋଧ କରି ଲଜ୍ଜା ଦିଅନ୍ତୁ ନାହିଁ । ଯେଉଁ ଦିନ ହୃଦୟ ବାବୁ ଆସି ଜାତୀୟ ଦଳର ନିର୍ବାଚନ ସଭା ଉଦ୍‍ଘାଟନ କଲେ, ସେ ଦିନ ମୁଁ ପରିଷ୍କାର ତାଙ୍କୁ ମନା କରି ଦେଇଥିଲି । ଆସନ୍ତା ନିର୍ବାଚନରେ କୌଣସି ପ୍ରକାର ମୁଁ ନିଜକୁ ସଂଶ୍ଳିଷ୍ଟ କରିବି ନାହିଁ ବୋଲି ଜଣାଇ ଦେଇଥିଲି । ତା’ ସତ୍ତ୍ୱେ ଆପଣ କାହିଁକି ଅନୁରୋଧ କରିବାକୁ ଆସିଲେ ।

 

ଆପଣଙ୍କ ପ୍ରଚାରର ଶକ୍ତିକୁ ଦୃଢ଼ କରନ୍ତୁ । ମଜବୁତ୍‍ କରନ୍ତୁ । ଆପଣ ବିଜୟ ଲାଭ କରନ୍ତୁ–ଏହାହିଁ ମୋର ଅଭିଳାଷ–ଆଶା ଏବଂ ଐକାନ୍ତିକ କାମନା । ମାତ୍ର ମୁଁ କିନ୍ତୁ କାହାରି ପାଇଁ ପ୍ରଚାର କରିବି ନାହିଁ ବିକ୍ରମ ମାମୁ । ମୋର ମାନସିକ ଅବସ୍ଥା ବର୍ତ୍ତମାନ ଭଲ ନାହିଁ । ଗତ କେତେ ମାସ ହେଲା ମୋର ସ୍ୱାସ୍ଥ୍ୟ ମଧ୍ୟ ଭଲ ନାହିଁ ।

 

ତା’ଛଡ଼ା ପ୍ରତ୍ୟକ୍ଷ ରାଜନୀତିରୁ ମୁଁ ବିଦାୟ ନେଇ ଗଠନମୂଳକ କାର୍ଯ୍ୟରେ ଆତ୍ମନିୟୋଗ କରିବି ବୋଲି ଚିନ୍ତା କରୁଛି । ନିଜର ଶକ୍ତି ଓ ଆର୍ଥିକ ସମ୍ବଳକୁ ଆଶ୍ରୟ କରି ଶହ ଶହ ନିରନ୍ନ, ଦୁଃସ୍ଥ ଓ ଅଭାବଗ୍ରସ୍ତ ଜନତାର ସେବା କରିବି ବୋଲି ଅନେକ ଦିନ ହେଲା ପରିକଳ୍ପନା କରୁଛି ।

 

ନିର୍ବାଚନର ସେଇ ପ୍ରଳୟଙ୍କରୀ ସ୍ରୋତ ଭିତରକୁ ମତେ ଠେଲି ଦିଅନ୍ତୁ ନାହିଁ । ସେଇ ପ୍ରଳୟଙ୍କରୀ ଅଥଚ କ୍ଷମତା ଲାଳସାର ମହାପ୍ଳାବନରେ ମୁଁ ଥରେ ହଜିଗଲେ, ଡୁବିଗଲେ ଏବଂ ଭାସିଗଲେ, ମୋର ଚିନ୍ତା, ପରିକଳ୍ପନା ତା’ ସହିତ ମଧ୍ୟ ଭାସିଯିବ । ବିଲୀନ ହୋଇଯିବ । ମୁଁ କିଛି କରି ପାରିବି ନାହିଁ । ମୁଁ ନିଷ୍କ୍ରିୟ, ନିର୍ଲିପ୍ତ ରହିବାକୁ ଚାହେଁ ।

 

ମୁଁ ବଡ଼ ଦୁଃଖିତ ବିକ୍ରମ ମାମୁ । ଆପଣଙ୍କ ଅନୁରୋଧ ରକ୍ଷା କରିପାରୁ ନାହିଁ । ଆପଣଙ୍କ ସ୍ନେହଶୀଳ, ସଶ୍ରଦ୍ଧ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରୁଛି ବୋଲି ମୋ ଉପରେ ବିରକ୍ତ ହେବେ ନାହିଁ । କ୍ଷୋଭ ଓ କ୍ଷୁବ୍ଧ ପ୍ରକାଶ କରିବେନି ।

 

ନୀଳିମା, ଶୁଣିଯାଉଛି ଏକାଗ୍ର ଚିତ୍ତରେ ନଳିନାକ୍ଷର କଥା...

 

ବିକ୍ରମ ବାବୁ, ଏଇ ମୁହୂର୍ତ୍ତକ ଆଗରୁ ନିଜର ମନ କଥା ଖୋଲା ହୃଦୟରେ ପ୍ରକାଶ କରୁଥିଲା ବେଳେ, ଏକ ନବୀନ ଆଶା ଓ ପୁଲକରେ ତାଙ୍କ ମୁଖ ମଣ୍ଡଳରେ ଖେଳି ବୁଲୁଥିଲା ଏକ ଦୀପ୍ତ ଆଲୋକର ଝଲକ । ମାତ୍ର ନଳିନାକ୍ଷ ଠାରୁ ନିରାଶାର ବାଣୀ ଶୁଣି ସାରିଲା ପରେ, ତାଙ୍କ ମୁଖ ମଣ୍ଡଳର ସେଇ ଦୀପ୍ତ, ଔଜ୍ଜଲ୍ୟ ଝଲକ ହଠାତ୍‍ ବଦଳି ଗଲା ।

 

ସେ ମୁଖ ମଣ୍ଡଳ ହେଲା ମେଘଢଙ୍କା ସୂର୍ଯ୍ୟପରି ମ୍ଳାନ । ତେଜହୀନ । ବଟ ବୃକ୍ଷ ଆଚ୍ଛାଦିତ ବୈଶାଖର ରୌଦ୍ରତାପ ଭଳି ଛାଇ ଛାଇକା ।

 

ସେଇ ମେଘ ମ୍ଳାନ ମୁଖ ମଣ୍ଡଳରରେ ଏକ କୃତ୍ରିମ ହସର ଫୁଆରା ତୋଳି ବିକ୍ରମଦେବ କହିଲେ–ତୋର ଚିନ୍ତା ଓ କଳ୍ପନା କାର୍ଯ୍ୟକାରୀ କରିବାକୁ ତତେ ମୁଁ କେବେ ନିରୁତ୍ସାହିତ କରୁନାହିଁ ବାବା । ମାତ୍ର ନିର୍ବାଚନ ପ୍ରଚାରରେ ତୁ ମତେ ସାହାଯ୍ୟ ନ କଲେ, ତୁ ମୋ ପ୍ରତି ଅନ୍ୟାୟ କରିବୁ ବୋଲି ମୁଁ ଭାବୁଛି ।

 

ନୀରବ, ନିଷ୍କ୍ରିୟ ରହିବା ପୂର୍ବରୁ ତୁ ଆଉ ଥରେ ଚିନ୍ତାକରି ଦେଖ ବାବା । ମୁଁ ଶତ ଉତ୍ସାହ ବାନ୍ଧି ତୋ ପାଖକୁ ଆଜି ଆସିଥିଲି । ମାତ୍ର ହତାଶ ହୋଇ ଫେରୁଛି । ତୋ ସିଦ୍ଧାନ୍ତର ପରିବର୍ତ୍ତନ କରିବାକୁ ଏବେ ବି ସମୟ ଆଛି । ମୁଁ ଯାଉଛି ।

 

ବିକ୍ରମଦେବ ଉଠି ପଡ଼ିଲେ ।

 

ନଳିନାକ୍ଷ ମନେମନେ ହସୁଥିଲେ । ତା’ ସିଦ୍ଧାନ୍ତରୁ ସେ କେବେହେଲେ ପଥଚ୍ୟୁତ ହେବନାହିଁ । ବିକ୍ରମଦେବଙ୍କ ଆଗରେ ସେ ଯାହା କହିଛି, ତାହାକୁହିଁ ଅକ୍ଷରେ ଅକ୍ଷରେ ସେ ପାଳନ କରିବ । ତେଣିକି ଯାହା ହେଉଛି ହେଉ ।

 

ବିକ୍ରମଦେବ ଚାଲିଗଲେ ।

 

ତାଙ୍କ ଯିବା ବାଟକୁ ନଳିନାକ୍ଷ ଓ ନୀଳିମା ଦୁହେଁଯାକ ନୀରବରେ ଚାହିଁ ରହିଲେ ।

 

ଜାତୀୟ ଦଳର ପ୍ରାଦେଶିକ ନେତା ହୃଦୟ ବାବୁ ଚିଠି ଲେଖିଛନ୍ତି ନଳିନାକ୍ଷ ପାଖକୁ । ବିକ୍ରମ ବାବୁ ଅବଶେଷରେ ନିରାଶ ହୋଇ, ଜାତୀୟ ଦଳର ବିଶିଷ୍ଟ ନେତା ହୃଦୟ ବାବୁଙ୍କୁ ସାକ୍ଷାତ କରିବାରୁ ସେ ବାଧ୍ୟହୋଇ ଚିଠି ଲେଖିଛନ୍ତି ।

 

ସେ ନିଜେ ଆସି ଏହି ନିର୍ବାଚନ ମଣ୍ଡଳୀରେ ପ୍ରତ୍ୟକ୍ଷ ଭାବେ ପ୍ରଚାର କରିଥାନ୍ତେ । ମାତ୍ର ସେ ବିଧାନସଭାକୁ ନିଜେ ପ୍ରତିଦ୍ୱନ୍ଦ୍ୱିତା କରୁଥିବାରୁ, ନିଜ ନିର୍ବାଚନ ମଣ୍ଡଳୀ ଛାଡ଼ି, ଏଠାରେ ପୂରା ସମୟ ଦେଇପାରୁ ନାହାନ୍ତି ।

 

ନଳିନାକ୍ଷ ଚିଠିଟି ଖୋଲି ପଢ଼ୁଛି.......

 

ସେ ଲେଖିଛନ୍ତି–

 

ଶ୍ରଦ୍ଧେୟ ନଳିନାକ୍ଷ ବାବୁ,

 

ବିକ୍ରମ ବାବୁଙ୍କ ଠାରୁ ଶୁଣିଲି, ଆସନ୍ତା ସାଧାରଣ ନିର୍ବାଚନରେ ତମେ ପ୍ରତ୍ୟକ୍ଷ ଅଂଶଗ୍ରହଣ ନ କରି ନିଷ୍କ୍ରିୟ ହୋଇ ଘରେ ବସି ରହିଛ । ତମ ନିର୍ବାଚନ ମଣ୍ଡଳୀ, ଆମ ସମସ୍ତଙ୍କ ମନରେ ସନ୍ଦେହ ଓ ଆତଙ୍କ ସୃଷ୍ଟି କରିଛି । ପ୍ରଜା ସାମ୍ୟବାଦୀ ପ୍ରାର୍ଥୀଙ୍କର, ତମ ନିର୍ବାଚନ ମଣ୍ଡଳୀରେ ଯଥେଷ୍ଟ ପ୍ରଭାବ ରହିଛି ବୋଲି ମୁଁ ଶୁଣୁଛି । ସେ ପ୍ରଭାବକୁ, ନନ୍ଦକିଶୋର ଅଧିକ ଦୃଢ଼ ଓ ଖକ୍ତିଶାଳୀ କରୁଥିବାର ସମ୍ବାଦ ମଧ୍ୟ ପାଇଲି ।

 

ତମ ନେତୃତ୍ୱରେ ଯେଉଁ ଅଞ୍ଚଳ ସ୍ୱାଧୀନତା ଆନ୍ଦୋଳନରେ ସାରା ଓଡ଼ିଶା ମୁଲକକୁ ବିସ୍ମୟରେ ଅଭିଭୂତ କରି, ନେତୃତ୍ୱ ନେଇଥିଲା ଏବଂ ସମସ୍ତଙ୍କର ଆଦର୍ଶ ହୋଇଥିଲା, ସେହି ଅଞ୍ଚଳରୁ ଜାତୀୟ ଦଳର ପ୍ରାର୍ଥୀ ବିକ୍ରମ ବାବୁ ପରାଜିତ ହେଲେ, ସେ ନିନ୍ଦା କେବଳ ବ୍ୟକ୍ତିଗତ ଭାବେ ତାଙ୍କୁ ହେବନାହିଁ । ସେ ଅପମାନ ଓ ନିନ୍ଦାହେବ ସମଗ୍ର ଦଳର ।

 

ସୁତରାଂ ଜାତୀୟ ଦଳର ଏକ ଶୃଙ୍ଖଳିତ ସୈନିକ ଓ କର୍ମୀ ହିସାବରେ ତମେ ନିଶ୍ଚୟ ଅପମାନ ବୋଧ କରିବ । ଲଜ୍ଜା ଓ ନିନ୍ଦାରେ ତମ ମସ୍ତକ ଅବନତ ହୋଇଯିବ ।

 

ମୁଁ ଜାଣେ ସେ ଅଞ୍ଚଳରେ ତମେ ଜଣେ ଜନପ୍ରିୟ ନେତା । ସେ ଅଞ୍ଚଳର ଜନତା ତମକୁ ସ୍ନେହ ଓ ଶ୍ରଦ୍ଧା କରନ୍ତି । ତମେ ଯଦି ଖୁବ୍‍ କମରେ, ମାତ୍ର ସାତଟି ଦିନ ନିର୍ବାଚନ ଗସ୍ତରେ ବାହାରି ପଡ଼ିବ, ପ୍ରଜା ସାମ୍ୟବାଦୀ ଦଳର ସଂଗଠନ ଭୁଷୁଡ଼ି ପଡ଼ିବ । ଯେଉଁ ନନ୍ଦକିଶୋରର ସାହଚର୍ଯ୍ୟରେ ପ୍ରଜା ସାମ୍ୟବାଦୀ ଦଳର ନେତୃବୃନ୍ଦ ଓ କର୍ମୀମାନେ ବିଜୟ ଲାଭର ଆଶାରେ ଆଶାବାଦୀ ହୋଇ ଉଠିଛନ୍ତି, ତମର ସେଇ ମାତ୍ର ସପ୍ତାହକ ଗସ୍ତ ଭିତରେ ସେ ଆଶାର ପାହାଡ଼ ତାଙ୍କର ଭୁଷୁଡ଼ି ପଡ଼ିବ-

 

ତମ ପାଖକୁ ମୁଁ ନିଜେ ଯିବି ବୋଲି ବିଚାରି ଥିଲି । କିନ୍ତୁ ମୋ ନିର୍ବାଚନ ମଣ୍ଡଳୀକୁ ବର୍ତ୍ତମାନ ଛାଡ଼ି ସେଠାକୁ ଯାଇ ବିକ୍ରମ ବାବୁଙ୍କୁ ସାହାଯ୍ୟ କରିବାକୁ ମୁଁ ଉଚିତ ମଣୁନାହିଁ । ତମେ ଜାଣିଥିବ, ମୋ ନିର୍ବାଚନ ମଣ୍ଡଳୀରୁ କମ୍ୟୁନିଷ୍ଟ ନେତା ହୟଗ୍ରୀବ ପତି, ମୋ ସହିତ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ନିମ୍ନ ମଧ୍ୟବିତ୍ତ, ଚାଷୀ ଓ ଗରିବ ଶ୍ରେଣୀର ଲୋକେ ମୋ ନିର୍ବାଚନ ମଣ୍ଡଳୀରେ ବେଶି ଥିବାରୁ କମ୍ୟୁନିଷ୍ଟମାନେ ସେମାନଙ୍କୁ ହାତ କରି, ମୋ ବିରୁଦ୍ଧରେ ପ୍ରବଳ ଜନମତ ସୃଷ୍ଟି କରିଛନ୍ତି ।

 

ମୁଁ ଯଦି ଏଇ ଘଡ଼ିସନ୍ଧି ମୁହୂର୍ତ୍ତରେ ମୋ ନିର୍ବାଚନ ମଣ୍ଡଳୀକୁ ଛାଡ଼ି କିଛି ଦିନ ପାଇଁ ସେଠାକୁ ଚାଲିଯିବି, ତା’ହେଲେ ଅବସ୍ଥା ଉଦବେଗଜନକ ହୋଇ ଉଠିବ । ମୁଁ ନିଜେ ମୋ ନିର୍ବାଚନ କୌଶଳ ଓ ଅଭିଯାନ ଅତି ସତର୍କତାରେ ଚଳାଇ ଥିବାରୁ, କମ୍ୟୁନିଷ୍ଟମାନେ ଜାତୀୟ ଦଳର ସଂଗଠନ କାର୍ଯ୍ୟକୁ ଦୁର୍ବଳ କରିପାରୁ ନାହାନ୍ତି । ମୁଁ ଚାଲିଗଲା ମାତ୍ରେ ସେମାନଙ୍କୁ ମଉକା ମିଳିଯିବ-

ତେଣୁ ନିର୍ବାଚନର ଠିକ୍‍ ଚାରି ଦିନ ଆଗରୁ ମୁଁ ତମ ନିର୍ବାଚନ ମଣ୍ଡଳୀକୁ ଯିବି ଏବଂ ତମକୁ ସାଙ୍ଗରେ ଧରି ସମଗ୍ର ଅଞ୍ଚଳ ପରିକ୍ରମା କରିବା ପାଇଁ ଚେଷ୍ଟା କରିବି । ଯଦି ମୋ ଯିବା ପୂର୍ବରୁ ସ୍ୱେଚ୍ଛାକୃତ ଭାବେ, ତମ ଦଳର ସୁମହାନ ଗୌରବ ଓ ଆଦର୍ଶ ପାଇଁ, ବିକ୍ରମ ବାବୁଙ୍କୁ ସାହାଯ୍ୟ କରି ପାରିବ, ତା’ହେଲେ ମୁଁ ବରଂ ସୁଖୀ ହେବି ।

ଗଲେ ଆଉ ସବୁ । ରହିଲି ।

ତମର

ହୃଦୟବଲ୍ଲଭ ଚୌଧୁରୀ

ନଳିନାକ୍ଷ ଚିଠିଟି ପଢ଼ି ସାରିଲା

ବିକ୍ରମ ବାବୁ ଯାଇ ତା’ହେଲେ ପ୍ରଦେଶର ବିଶିଷ୍ଟ ନେତା ହୃଦୟ ବାବୁଙ୍କୁ ଧରାଧରି କରିଛନ୍ତି । ତାଙ୍କ ଆଡ଼ୁ ଚାପ ପକାଇ ତାକୁ ନିର୍ବାଚନ ପ୍ରଚାରରେ ନିୟୋଜିତ କରିବା ପାଇଁ, ସେ ବୋଧହୁଏ ହୃଦୟ ବାବୁଙ୍କର ଆଶ୍ରୟ ଲୋଡ଼ୁଛନ୍ତି । କାହାରି କଥାରେ, ସେ ତା’ ମତ ପରିବର୍ତ୍ତନ କରିବ ନାହିଁ । ପ୍ରାଦେଶିକ କିମ୍ବା ଭାରତୀୟ କୌଣସି ନେତା ଆସି, ଏ ନିର୍ବାଚନରେ ବିକ୍ରମଦେବଙ୍କୁ ସାହାଯ୍ୟ କରିବା କଥା କହିଲେ ମଧ୍ୟ ସେ ଶୁଣିବେନି । ସେ ଦୃଢ଼ ପ୍ରତିଜ୍ଞାବଦ୍ଧ । ସେ ଅଚଳ ମହାମେରୁ । ସେ ହିମାଦ୍ରି ସଦୃଶ ।

ଆଶ୍ଚର୍ଯ୍ୟ ଏ ହୃଦୟ ବାବୁ ! ବିକ୍ରମଦେବଙ୍କର ଅତୀତ ଜୀବନର ସମସ୍ତ ଲିପିବଦ୍ଧ କାହାଣୀ ଜାଣି ମଧ୍ୟ, ତାଙ୍କୁ ଟିକେଟ୍‍ ଦେଲେ । ପୁଣି ତାଙ୍କର ଜୟଲାଭ ଆଶାରେ, ଆପାଣାର ସମସ୍ତ ପ୍ରଭାବ ଓ ପ୍ରତିପତ୍ତିକୁ କେନ୍ଦ୍ରୀଭୂତ କରି, ସେଇ ପରିଧି ଭିତରକୁ ତାକୁ ଟାଣି ନେବାପାଇଁ ଚେଷ୍ଟା କରୁଛନ୍ତି ।

ହୃଦୟ ବାବୁ ଜିତି ଆସିଥିଲେ, ସେ ହେବେ ବିଧାନସଭାର ଦଳପତି । ଅର୍ଥାତ୍‍ ଜାତୀୟ ଦଳ ଯଦି ସଂଖ୍ୟାଗରିଷ୍ଠ ଦଳରୂପେ ବିଧାନସଭାକୁ ଆସିଯିବ, ତା’ହେଲେ ସେ ହେବେ ମୁଖ୍ୟମନ୍ତ୍ରୀ-। ପ୍ରଦେଶର ମୁଖ୍ୟ ଶାସନକର୍ତ୍ତା । ପରିଚାଳକ । ଆଉ ବିକ୍ରମଦେବ ବାବୁ-? ସେ କ’ଣ ହେବେ ? କେଉଁ ପଦବୀରେ ଆପଣାର ବ୍ୟକ୍ତିତ୍ୱକୁ ଭୂଷିତ କରିବେ ?

ସେ ହୁଏତ, ଅନ୍ୟତମ ମନ୍ତ୍ରୀ ହିସାବରେ ଯୋଗଦେବେ । ପ୍ରଦେଶର ଭାବୀ ମୁଖ୍ୟମନ୍ତ୍ରୀ ଯେତେବେଳେ ବିକ୍ରମ ବାବୁଙ୍କୁ ଟିକେଟ୍‍ ଦିଆଇ ଦେଲେ ଏବଂ ପୁଣି ଜିତେଇ ଦେବାପାଇଁ ପ୍ରଭାବ ବିସ୍ତାର କରୁଛନ୍ତି, ସେତେବେଳେ ମନ୍ତ୍ରୀମଣ୍ଡଳର ଅନ୍ୟତମ ସଦସ୍ୟ ହିସାବରେ ତାଙ୍କୁ ନ ନେବେ ବା କାହିଁକି ? ସେଥିରେ ବା ଆଶ୍ଚର୍ଯ୍ୟ କ’ଣ ଅଛି ?

ଅତ୍ୟାଚାରୀ ଜମିଦାର ତଥା ସ୍ଵାଧୀନତା ଆନ୍ଦୋଳନର ପରମ ଶତ୍ରୁ ରୂପେ ବିବେଚିତ ହୋଇ ମଧ୍ୟ, ସେ ହେବେ ମନ୍ତ୍ରୀ । ଶାସକ । ରକ୍ଷକ । ଗଣତାନ୍ତ୍ରିକ ଚେତନାର ଅନ୍ୟତମ ବାହକ । ନିୟାମକ ।

ସେ ଯାହା କରନ୍ତୁ, ଯାହା କହନ୍ତୁ, ସେଥିରେ ତା’ର ଯାଏ ଆସେ କେତେ ? ସେ କିନ୍ତୁ ନିର୍ବାଚନ ଫଳାଫଳକୁ ଅତି ନୀରବରେ ଲକ୍ଷ୍ୟ କରିବ । ଯେଉଁ ଜାତୀୟ ଦଳ, ବ୍ରିଟିସ୍‍ ସରକାରକୁ ବିତାଡ଼ିତ କରି ସାରା ପୃଥିବୀରେ ସୃଷ୍ଟି କରିଥିଲା ଚମକ, ସେଇ ଦଳ ଭିତରେ ବିକ୍ରମ ବାବୁଙ୍କ ପରି ବହୁ ନ୍ୟସ୍ତସ୍ଵାର୍ଥ ଓ ଅବାଞ୍ଛିତ ଲୋକ ପଶିଗଲେ ସେ କେବେହେଲେ ବରଦାସ୍ତ କରିବ ନାହିଁ । ଏମାନଙ୍କର ଆଗମନ କେବଳ ଦଳକୁ ତ କଳଙ୍କିତ କରିବ ନାହିଁ ତା’ ସଙ୍ଗେ ସଙ୍ଗେ ନବଲବ୍ଧ ସ୍ଵାଧୀନତାକୁ ମନଇଚ୍ଛା, ଶାସନ ତନ୍ତ୍ରରେ ରହି ଉପଯୋଗ କରିବେ ।

ସାରା ଭାରତବର୍ଷ, ଅବଶେଷରେ ଗୋଟିଏ ଦୁର୍ନୀତିର ଦେଶ ହୋଇଯିବ । ଜାତୀୟ ଦଳର ଏଇ ବ୍ୟାଧିଗ୍ରସ୍ତ, ରୁଗ୍‍ଣ ବିକଳ ମନକୁ ବିରୋଧ ଓ ସଂଶୋଧନ ନ କଲେ, ଏ ଦଳ ଆଉ ଦଳ ହୋଇ ରହିବ ନାହିଁ । ଏଇ ଦଳର ବାନା ପିନ୍ଧି, ସମାଜର ଟାଉଟର, ଗୁଣ୍ଡା ଓ ପରସ୍ୱାପ ହରଣକାରୀ ଲୋକେ, ଦେଶ ସେବକ ହୋଇ ଉଠିବେ । ଫଳରେ ସାମାଜିକ ଜୀବନର ସୁସ୍ଥ, ନିରୁପଦ୍ରବ ଗତିଧାରା ପ୍ରତିହତ ହୋଇଯିବ । ବ୍ୟର୍ଥ ଓ ବିଡ଼ମ୍ବିତ ହେବା ସୁନିଶ୍ଚିତ ହୋଇ ପଡ଼ିବ ।

ଜୀବନରେ ବଞ୍ଚି ଥାଉଁ ଥାଉଁ, ଦଳ ଭିତରର ଏଇ ହୀନ ପ୍ରତିକ୍ରିୟାକୁ ସେ ସାହାଯ୍ୟ କରି ପାରିବ ନାହିଁ । ଊତ୍ସାହିତ କରି ପାରିବ ନାହିଁ । ଦଳ ଭାଙ୍ଗିଯାଉ, ଭୁଷୁଡ଼ି ପଡ଼ୁ, ବିଶୃଙ୍ଖଳା ଓ ଅବ୍ୟବସ୍ଥାର ଚରମ ଶିଖରରେ ଉପନୀତ ହେଉ, ସେ କିନ୍ତୁ ମୁଣ୍ଡ ଖେଳେଇବ ନାହିଁ । ସେ ଯାହା ସିଦ୍ଧାନ୍ତ କରିଛି ତାହାହିଁ କରିବ । ଏହି ନିର୍ବାଚନ ମଣ୍ଡଳୀରେ ଜାତୀୟ ଦଳ ପରାଜିତ ହେଲେ, ଅମାନତ ହରାଇ ବସିଲେ ତଥାପି ସେ ଦୁଃଖ କରିବ ନାହିଁ । କ୍ଷୁବ୍ଧ ହେବନାହିଁ । ତିଳେ ହେଲେ ଅସନ୍ତୋଷ ପ୍ରକାଶ କରିବ ନାହିଁ । ପୂର୍ବର ସେ ଜାତୀୟ ଦଳ ଆଜି ନାହିଁ । ତା’ର ବିଜୟ ବା ପରାଜୟରେ ସେ ଆନନ୍ଦ ବା ଦୁଃଖ କରିବ ନାହିଁ ।

ବ୍ୟକ୍ତିଗତ ଭାବରେ, ବ୍ୟକ୍ତିଗତ ଉଦ୍ୟୋଗରେ ସେ ଯଦି ଜନତାର ସେବା କରି ପାରିବ, ଜନତାର କଲ୍ୟାଣରେ ଆପଣାର ଆତ୍ମୋତ୍ସର୍ଗ କରି ପାରିବ, ତାହାହିଁ ହେବ ତା’ ଜୀବନର ପରମ ଗୌରବ । ପରମ ଆତ୍ମତୃପ୍ତି । ଚରମ ଆତ୍ମ-ପ୍ରସାଦ ।

ନଳିନାକ୍ଷ ଚିଠିଟିକୁ ମୋଡ଼ିମାଡ଼ି ପୁଣି ରଖିଦେଲା ସେଇ ଲଫାପାରେ । ପୌଷର ସନ୍ଧ୍ୟା ସେତେବେଳକୁ ତା’ର କଜଳ ଉତ୍ତରୀ ପକାଇ ଦେଇଥିଲା....

ନିର୍ବାଚନ ଫଳାଫଳ ଘୋଷିତ ହେବାକୁ ଆଉ ମାତ୍ର ଦୁଇ ଦିନ ଅଛି.....

ନନ୍ଦକିଶୋର ଆସିଲା ନଳିନାକ୍ଷ ପାଖକୁ । ନଳିନାକ୍ଷ ବିନୋବା ଭାବେଙ୍କର ଭୂଦାନ ଓ ଗ୍ରାମଦାନ ସମ୍ପର୍କରେ ଲିଖିତ ଏକ ପ୍ରବନ୍ଧ ଉପରେ ଆଖି ବୁଲାଉ ଥିଲା ।

ନନ୍ଦକିଶୋରକୁ, ଅନେକ ଦିନ ପରେ ନିଜ ଘରେ ଦେଖି ସେ ବିସ୍ମୟରେ ଚାହିଁ ରହିଲା ତାକୁ ।

ଟିକିଏ ରହି କହିଲା–କି ରେ । ଅନେକ ଦିନ ପରେ ତୋର ଆଜି କ’ଣ ସୁଦୟା ହେଲା ନା କ’ଣ ? ବସ୍‍ । ବସୁନୁ କାହିଁକି ? ଠିଆ ହୋଇ ରହିଲୁ ଯେ– ?

ନନ୍ଦକିଶୋର ବସିଲା । ବସୁ ବସୁ କହିଲା–ତମର ଏଡ଼େ ହଠାତ୍‍ ପରିବର୍ତ୍ତନ ହେବ ବୋଲି ମୁଁ କେବେ ବିଶ୍ଵାସ କରି ନଥିଲି ନଳିନାକ୍ଷ ଭାଇ । ତମେ ତମ ବ୍ୟକ୍ତିଗତ ଆଦର୍ଶକୁ ବଳୀଦେଇ, ବିକ୍ରମଦେବ ରାୟଙ୍କ ସପକ୍ଷରେ ପ୍ରଚାର କରିବ ବୋଲି ମୁଁ କେବେହେଲେ ବିଶ୍ୱାସ କରି ନଥିଲି ।

ତମେ ବୋଧେ ପୂର୍ବର ସେଇ ନଳିନାକ୍ଷ ଭାଇରୂପେ ଆଜି ନାହଁ । ତମର ଜାତୀୟ ଦଳର ପ୍ରାୟ ସମସ୍ତ ଲୋକେ ସ୍ୱାର୍ଥପର, ଆତ୍ମକୈନ୍ଦ୍ରିକ ଓ ଦୁର୍ନୀତି ପରାୟଣ ହେଲାଭଳି ତମେ ମଧ୍ୟ ହୋଇ ଉଠିଛ ଠିକ୍‍ ସେହିଭଳି ।

ଏଡ଼େ ଶୀଘ୍ର ସ୍ୱାଧୀନତା ପୂର୍ବର ସେଇ ଦୁଃଖ ଜଞ୍ଜାଳପୂର୍ଣ୍ଣ କାହାଣୀ ତମେ ଭୁଲିଗଲ ନଳୀନାକ୍ଷ ଭାଇ ? ଯାଜପୁର ଜେଲ୍‍ରୁ, ଭାଦ୍ରବର ସେଇ ମେଘ ଅନ୍ଧାର ରଜନୀରେ ତମେ ଯେପରି ପାଚେରୀ ଡେଇଁ ପଳାଇ ଆସିଥିଲ, ସେଇ ସ୍ମୃତି ତମେ ଭୁଲିଗଲେ ମଧ୍ୟ ମୁଁ ଭୁଲିନାହିଁ ।

ଜେଲ୍‍ରୁ ଖଲାସ ହୋଇ ଅତି ଗୁପ୍ତରେ ଜନ ସଂଗଠନ କରୁଥିଲାବେଳେ, କିଏ ତମକୁ ବନ୍ଧେଇ ଦେବାପାଇଁ ଚେଷ୍ଟା କରୁଥିଲା ? ତମର ଆନ୍ଦୋଳନକୁ ଏହି ଅଞ୍ଚଳରୁ ନିଶ୍ଚିହ୍ନ କରିଦେବା ପାଇଁ ପ୍ରାଣପଣେ କିଏ ଉଦ୍ୟମ କରିଥିଲା ? ତମକୁ ଜୀବନରେ ମାରିଦେବା ପାଇଁ କ’ଣ ଷଡ଼ଯନ୍ତ୍ର କରାଯାଇ ନଥିଲା ?

ଏ ସବୁ କାଣ୍ଡ କିଏ ସୃଷ୍ଟି କରିଥିଲା ? ଭାରତୀୟ ଜନତାର ସେହି ଗଣବିପ୍ଳବକୁ ଯେଉଁମାନେ ପଳେ ପଳେ ଦମନ କରିବାକୁ ଉଦ୍ୟମ କରିଥିଲେ, ସେହିମାନେ ଆଜି ସୁନାପୁଅ ହୋଇଛନ୍ତି । ସେହିମାନଙ୍କ ମୁଣ୍ଡ ଉପରେ ଆଜି ସୁନାର କଳସ ଥୁଆ ହେବାକୁ ଯାଉଛି ।

ମାତ୍ର ତମେ । ତମର କାର୍ଯ୍ୟକଳାପ ମତେ ଏକାନୁହେଁ, ଏ ଅଞ୍ଚଳର ବହୁ ବିଶିଷ୍ଟ, ରାଜନୈତିକ ଚେତନାସମ୍ପନ୍ନ ବ୍ୟକ୍ତିଙ୍କୁ ବିସ୍ମୟ କରିଛି । ଆଘାତ ଦେଇଛି । ଏକ ପର ସ୍ୱାପହାରୀ, ନ୍ୟସ୍ତସ୍ଵାର୍ଥ ଓ ସ୍ୱାଧୀନତା ଆନ୍ଦୋଳନର ପରମ ଶତ୍ରୁ ଆଜି ଜାତୀୟ ଦଳରେ ମିଶିଗଲା ବୋଲି, ତମେ କେମିତି ତାଙ୍କ ପାଇଁ ପ୍ରଚାର କରିବାକୁ ଗଲ ? ତାଙ୍କ ନିର୍ବାଚନ ସଭାରେ ତମେ ଯାଇ କିପରି ଉପସ୍ଥିତି ହେଲ ?

କେବଳ ତମର ଉପସ୍ଥିତି ଏ ଅଞ୍ଚଳର ଜନସାଧାରଣଙ୍କ ଉପରେ ଯଥେଷ୍ଟ ପ୍ରଭାବ ପକାଇଛି । ଯେଉଁମାନେ ବିକ୍ରମ ବାବୁଙ୍କୁ ଭୋଟ ଦେବେନାହିଁ ବୋଲି କହୁଥିଲେ, ସେହିମାନେ ରାତାରାତି ପରିବର୍ତ୍ତିତ ହୋଇଛନ୍ତି । କେବଳ ତମକୁ ଦେଖି, ସେମାନେ ତାଙ୍କୁ ଭୋଟ ଦେଇଛନ୍ତି । ତମେ ତାଙ୍କୁ ପୂରାପୂରି ସମର୍ଥନ କରୁଛ ବୋଲି ଭାବି ଜାତୀୟ ଦଳର ଭୋଟ୍‍ ବାକ୍ସ ସେମାନେ ପରିପୂର୍ଣ୍ଣ କରିଛନ୍ତି ।

ତା’ଛଡ଼ା ଅନେକ ସ୍ଥାନରେ, ଭୋଟରମାନଙ୍କୁ ଶହ ଶହ ଟଙ୍କା ବଣ୍ଟା ଯାଇଛି । ଗାଁର ପାଠାଗାର, ନାଚ ପାର୍ଟି, କ୍ଲବ୍‍ ଓ ଠାକୁର ଘର ମରାମତି ପାଇଁ ଜାତୀୟ ଦଳ ତରଫରୁ ପ୍ରଚୁର ଅର୍ଥ ଦିଆଯାଇ ଲୋକମାନଙ୍କୁ ମଧ୍ୟ ହାତ କରାଯାଇଛି ।

ଯେଉଁମାନେ ବିକ୍ରମଦେବ ରାୟଙ୍କୁ ଘୃଣା କରନ୍ତି, ସେହିମାନେ ବଦଳି ଯାଇଛନ୍ତି ନଳିନାକ୍ଷ ଭାଇ ! ଗଣତାନ୍ତ୍ରିକ ଭାରତର ଏଇ ସାବାଳକ ଭୋଟ୍‍ ପ୍ରଥାର ଯେପରି ଅପବ୍ୟବହାର କରାଯାଉଛି, ତାହା ଦେଖିଲେ ଲଜ୍ଜାରେ ମୁଣ୍ଡ ବିନମ୍ର ହୋଇଯାଏ । ସାମାନ୍ୟ ଟଙ୍କାଏ ଲୋଭରେ, ଭୋଟରମାନେ ତାଙ୍କର ମତ ବି ପରିବର୍ତ୍ତନ କରି ପାରୁଛନ୍ତି ବୋଲି କୁହାଯାଉଛି ।

ଗଣତନ୍ତ୍ର ଆମର ନିହାତି ଶିଶୁ ଅବସ୍ଥାରେ ଅଛି ନଳିନାକ୍ଷ ଭାଇ । ଭାରତବର୍ଷର ଶହ ଶହ ଅଜ୍ଞ, ନିରକ୍ଷର ଜନତା ପାଖରେ ଗଣତାନ୍ତ୍ରିକ ପଦ୍ଧତିର ନିର୍ବାଚନ ଏକ ପ୍ରହସନରେ ପରିଣତ ହୋଇଛି । ବିଭିନ୍ନ ରାଜନୈତିକ ଦଳର ଇସ୍ତାହାର ଏ ଦେଶର କେତେ ଭାଗ ଲୋକ ବୁଝୁଛନ୍ତି ? ହୃଦୟଙ୍ଗମ କରୁଛନ୍ତି ? ଅଧ୍ୟୟନ କରୁଛନ୍ତି ? ଭଲମନ୍ଦ ବିଚାରୁଛନ୍ତି ?

ତା’ ହୋଇଥିଲେ, ଆଜି କ’ଣ ଅବସ୍ଥା ଏପରି ହୋଇଥାନ୍ତା ? ବିକ୍ରମଦେବ ରାୟଙ୍କର ଅପକୀର୍ତ୍ତି ଏ ଅଞ୍ଚଳରେ କାହାକୁ କ’ଣ ଅବିଦିତ ଅଛି ? ଏକ ପକ୍ଷରେ ସ୍ୱାଧୀନତା ସଂଗ୍ରାମର ନିର୍ଭୀକ ସୈନିକ ଅରୁଣ–ଅପର ପକ୍ଷରେ ଅତ୍ୟାଚାରୀ ଏବଂ ସ୍ୱାଧୀନତା ଆନ୍ଦୋଳନର ଅନ୍ୟତମ ଦମନକାରୀ ବିକ୍ରମଦେବ ! କିନ୍ତୁ ବିକ୍ରମଦେବ ବହୁ ଭୋଟରେ ଜୟଯୁକ୍ତ ହେବେ ନଳିନାକ୍ଷ ଭାଇ । ଆମେରିକା, ବିଲାତରେ ଗଣତନ୍ତ୍ରର ସଫଳ ପରୀକ୍ଷା ହୋଇଛି । ଏଠି ହେଉଛି କେବଳ ପରୀକ୍ଷା ମାତ୍ର । ସେଇ ପରୀକ୍ଷାର ସୁଯୋଗ ନେଇ ଆମ ରାଜନୈତିକ ଦଳ ଓ ନେତାମାନେ ଫାଇଦା ଉଠାଇବାରେ ଲାଗିଛନ୍ତି ।

କିନ୍ତୁ ତମେ ହୃଦୟ ବାବୁଙ୍କ ଜିପରେ ଚଢ଼ି କାହିଁକି ପ୍ରଚାର କରିବାକୁ ଗଲ ନଳିନାକ୍ଷ ଭାଇ ? ତମକୁ ଅନେକ ଦିନ ପରେ, ଏଇ ଘଟଣା ଉପରେ ମୁଁ ଆଜି କୈଫିୟତ୍‍ ମାଗୁଛି, କୁହ ।

ନଳିନାକ୍ଷ ନୀରବରେ ନନ୍ଦକିଶୋରର ଆପତ୍ତି ଶୁଣି ଚାଲିଥିଲା । କିନ୍ତୁ ନନ୍ଦକିଶୋର ତା’ର ଦୀର୍ଘ କଥନିକା ଶେଷ କରି ସାରିଲା ପରେ ସେ ସେଇସବୁ ଶୁଣିଥିବା କଥାଗୁଡ଼ିକୁ ଭାବିବାରେ ଲାଗିଲା ।

ନନ୍ଦକିଶୋର ଯାହା ସବୁ କହିଲା, ସେଥିରେ ମିଛର ସ୍ପର୍ଶ ମଧ୍ୟ ନାହିଁ । ନିରାଟ ସତ କଥା । ବାସ୍ତବାଭିମୁଖୀ । କିନ୍ତୁ ସେମାନେ ତାକୁ ଭୁଲ୍‍ ବୁଝିଛନ୍ତି । ସେ ଯାହା ଚିନ୍ତା କରିଥିଲା, ସେହି ଚିନ୍ତାର ପୁନରାବୃତ୍ତି କରୁଛି ନନ୍ଦକିଶୋର ।

କିନ୍ତୁ ହୃଦୟବାବୁ ଦୁଇ ଦିନ କାଳ ତାକୁ ସାଙ୍ଗରେ ଧରି ନିର୍ବାଚନ ଗସ୍ତରେ ନେବାପାଇଁ କେତେ ଅନୁରୋଧ କଲେ । ଘରେ ଆସି ବସି ରହିଲେ–ତମକୁ ସାଙ୍ଗରେ ନ ନେଲେ ଅନଶନ କରିବି ବୋଲି କହିଲେ । ଓଳିଏ ମଧ୍ୟ ଅନଶନ ଆରମ୍ଭ କରି ଦେଇଥିଲେ ।

ଆଉ ଉପାୟ କ’ଣ ଥିଲା ? ତାଙ୍କ ସାଙ୍ଗରେ ଜିପରେ ଯାଇ ସିନା ସଭା ସମିତିରେ ବସିଥିଲି, ନହେଲେ କେଉଁଠି କ’ଣ ତୁଣ୍ଡ ଖୋଲିଛି ? ଜାତୀୟ ଦଳକୁ ବା ବିକ୍ରମଦେବଙ୍କୁ ଭୋଟ୍‍ ଦିଅ ବୋଲି କହିଛି ?

ନଳିନାକ୍ଷ ଉଦାର ଭାବରେ ହସି ହସି କହିଲା–ମତେ ତମେ ସମସ୍ତେ ଭୁଲ୍‍ ବୁଝିଛ ନନ୍ଦ-। ମାତ୍ର ମୋର ଉପାୟ ନଥିଲା । ଓଡ଼ିଶାର ଭାବୀ ମୁଖ୍ୟମନ୍ତ୍ରୀଙ୍କ ଶତ ଅନୁରୋଧ ମୁଁ ପ୍ରତ୍ୟାଖ୍ୟାନ କରି ଦେଇଛି, କିନ୍ତୁ ତାଙ୍କର ଜିଦ୍‍ ସେ ମତେ ସାଙ୍ଗରେ ନେବେ ।

ତଥାପି ମୁଁ ରାଜି ହେଲିନି । ସେ ଅନଶନ କରିବା ପାଇଁ କହିଲେ । ଅନଶନ ମଧ୍ୟ ଆରମ୍ଭ କରିଦେଲେ । ମୁଁ ନିରୁପାୟ । କିଂକର୍ତ୍ତବ୍ୟବିମୂଢ଼ । ବାଧ୍ୟ ହୋଇ ତାଙ୍କ ଜିପରେ ଯାଇଥିଲି । କେତୋଟି ସଭାରେ, ଜଣେ ସାଧାରଣ ଦର୍ଶକରୂପେ ଯାଇ ବସିଥିଲି । ପ୍ରଚାରକ ଓ ନେତାମାନଙ୍କର ବକ୍ତୃତା ଶୁଣୁଥିଲି ।

 

ଅନେକ ସ୍ଥାନରେ ହୃଦୟ ବାବୁ ମତେ କହିବା ପାଇଁ ଅନୁରୋଧ କରିଛନ୍ତି । ଆହ୍ୱାନ ଜଣାଇଛନ୍ତି । ମୁଁ କିନ୍ତୁ ମୋର ଅସାମର୍ଥ୍ୟ ପ୍ରକାଶ କରିଛି । କୌଣସି ସ୍ଥାନରେ ମୁଁ କିଛି କାହାରିକୁ କହିନାହିଁ ।

 

ତୁ ଯାହାସବୁ କହିଗଲୁ, ସେଥିରେ ମୁଁ ଏକମତ । ମାତ୍ର ଗଣତାନ୍ତ୍ରିକ ଦେଶରେ ସାବାଳକ ଭୋଟ୍‍ ପଦ୍ଧତି ସବୁଠାରୁ ଉନ୍ନତତର ପନ୍ଥା । ଭାରତବର୍ଷର ସମ୍ବିଧାନ ସେ ସୁବିଧା ଓ ସୁଯୋଗ ଦେଇଛି ବୋଲି, ତା’ର ଅପପ୍ରୟୋଗ ହେବା ଉଚିତ ନୁହେଁ ।

 

ସେଥିପାଇଁ ମୋ ଉପରେ ତମେ ସମସ୍ତେ କ୍ଷୁଣ୍ଣ ହୋଇଥିବ ବୋଲି ମୁଁ ଜାଣି ପାରୁଛି । କିନ୍ତୁ ତୁ ଯଦି ମୋ ଅବସ୍ଥାରେ ଥାଆନ୍ତୁ, ତୁ ନିଶ୍ଚୟ ଏଇଆ କରିବାକୁ ହୁଏତ ବାଧ୍ୟ ହୋଇଥାନ୍ତୁ ।

 

ମୋର ବ୍ୟକ୍ତିଗତ ଜୀବନର ଆଦର୍ଶ ଓ ନୀତିକୁ ମୁଁ କେବେହେଲେ ଜଳାଞ୍ଜଳି ଦେଇନାହିଁ ନନ୍ଦ । ମୋ ଉପରେ ତୁ ଆସ୍ଥା ରଖ । ବିଶ୍ଵାସ ସ୍ଥାପନ କର ।

 

ମୁଁ ଜାଣେ, ଲୋକସାଧରଣ ଅର୍ଥ ଲୋଭରେ ଉପଯୁକ୍ତ ପ୍ରାର୍ଥୀକୁ ଭୋଟ୍‍ ଦେଇ ନାହାନ୍ତି-। ମାତ୍ର ଉପାୟ କ’ଣ ? ଆଉ ଦୁଇ ଦିନ ପରେ ଫଳାଫଳ ଘୋଷିତ ହେବ । କିନ୍ତୁ ମୋ ଉପରେ ତୁ ଯେଉଁ ଧାରଣା କରିଛୁ, ସେ ଧାରଣା ତୋର ବଦଳି ଯିବ ବୋଲି ମୁଁ ଆଶା କରୁଛି ।

 

ନନ୍ଦକିଶୋର ବୁଝିଲା । ସେ ଜାଣେ, ନଳିନାକ୍ଷ କେଉଁ ସଭା ସମିତିରେ ଭାଷଣ ଦେଇନାହିଁ । ଜାତୀୟ ଦଳକୁ ଭୋଟଦେଇ ଜୟଯୁକ୍ତ କର ବୋଲି ସେ କେଉଁଠି କହିନାହିଁ । ମାତ୍ର ନିର୍ବାଚନ ସମୟରେ ଜାତୀୟ ଦଳ ସହିତ ମିଶି, କେତୋଟି ସ୍ଥାନକୁ ଯିବାରେ, ଲୋକଙ୍କ ମନରେ ସନ୍ଦେହ ହୋଇଛି ।

 

କିନ୍ତୁ ଯାହାହେଉ ନା କାହିଁକି, ବିକ୍ରମଦେବ ରାୟ ଶେଷକୁ ଜିତିବେ । ସେମାନଙ୍କ ମୁହଁରେ କାଳି ବୋଳିଦେଇ, ସେ ବିଧାନସଭାକୁ ନିର୍ବାଚିତ ହେବେ । ଅତ୍ୟାଚାରର କୁଢ଼ କୁଢ଼ ପାଉଁଶ ଉପରେ ସେ ଜନନେତାର ପଦ୍ମଫୁଲ ଫୁଟାଇବେ । ଅତୀତର କାଳିମାମୟ ଜୀବନର ଇତିହାସ ପୃଷ୍ଠାରେ ସେ ଲେଖିବେ ଏକ ଗୌରୋବଜ୍ଜ୍ଵଳ ଅଧ୍ୟାୟ ।

 

ଏ ଅଞ୍ଚଳର ଜନତାକୁ ଶୋଷଣ, ପୋଷଣ କରି ତାଙ୍କ ଆଖିରେ କରୁଣ ଅଶ୍ରୁ ପ୍ରବାହ ଛୁଟାଇ ଦେଇଥିଲେ । ଅତୀତର ସେଇ ଅଶ୍ରୁ ପ୍ରବାହକୁ ସ୍ମରଣ କରି ଆଜି ହୁଏତ ଜନନେତା ସାଜି, ନିଜେ ଜନତାର ଦୁଃଖରେ ଦୁଃଖିତ, ବ୍ୟଥିତ ହୋଇ କୁମ୍ଭୀର କାନ୍ଦଣା କାନ୍ଦିବେ । ମାତ୍ର ଆତ୍ମ-ପ୍ରତାରଣାର ସେ ଅଶ୍ରୁ ଜନତାର ହୃଦୟକୁ ସ୍ପର୍ଶ କରିବ ନାହିଁ । ଜନତାର ଅଭାବ ଅନାଟନର ଅସରନ୍ତି ଦୁର୍ବିପାକରେ ସେ ଅନ୍ତର ବିଳପି ଉଠିବ ନାହିଁ ।

 

ନନ୍ଦକିଶୋର କହିଲା–ତମେ କେଉଁ ପରିସ୍ଥିତିରେ ତାଙ୍କ ସାଙ୍ଗରେ ଯାଇଥିଲ, ଆମେ ସବୁ ଜାଣିଛୁ ନଳିନାକ୍ଷ ଭାଇ । କିନ୍ତୁ ତମର ଉପସ୍ଥିତି ଆମକୁ ଗଭୀର ଦୁଃଖ ଦେଇଥିଲା । ମାତ୍ର ମୁଁ କେବେ ବିଶ୍ୱାସ କରି ନଥିଲି ଯେ ତମେ ସେଠାକୁ ସ୍ୱେଚ୍ଛାକୃତ ଭାବରେ ଯାଇଥିବ ବୋଲି ।

 

ବିକ୍ରମ ବାବୁ ଶେଷକୁ ଆମ ଅଞ୍ଚଳର ଲୋକ-ପ୍ରତିନିଧି ହେବେ ନଳିନାକ୍ଷ ଭାଇ.....

 

ନନ୍ଦକିଶୋର ହସି ଉଠିଲା ଏକ ବ୍ୟଙ୍ଗ ବିଦ୍ରୂପର ହସ ।

 

ନଳିନାକ୍ଷ କହିଲା–ଆମର ସେଥିରେ ଦୁଃଖ କରିବାର କୌଣସି କାରଣ ନାହିଁ ନନ୍ଦ । ତାଙ୍କ ପ୍ରତି ଅସୂୟା ବା ଅସହିଷ୍ଣୁତାର ଅଗ୍ନିରେ ଆମେ ଦଗ୍ଧୀଭୂତ ହେବାର କୌଣସି ମାନେ ମଧ୍ୟ ନାହିଁ । ଜୀବନର ପ୍ରଥମ ପ୍ରଭାତରେ ଦେଶ ଓ ଦଶର ସେବାପାଇଁ ଆମେ ଯେଉଁ ସଂକଳ୍ପ କରିଥିଲେ, ଆମର ସେ ସଂକଳ୍ପ, କ୍ଷମତା ଲୋଭର ସର୍ବଗ୍ରାସୀ ମାୟାଜାଲରେ ବନ୍ଦୀ ହୋଇ ରହିପାରିବ ନାହିଁ । କ୍ଷମତା ଲାଳସାର ସୀମା ସରହଦ୍‍ ଠାରୁ ବହୁ ଦୂରରେ ରହି ଆମେ ଆମର କାର୍ଯ୍ୟ ସମ୍ପାଦନା କରିବା ।

 

ନନ୍ଦକିଶୋର କହିଲା–ଠିକ୍‍ କହିଛ ଭାଇ । କ୍ଷମତା ଲୋଭର ଆକର୍ଷଣ ଆମର ଯାତ୍ରା ପଥକୁ ପିଚ୍ଛିଳ, ପଙ୍କିଳ ନ କରୁ । ଅସାଧୁ ରାଜନୈତିକ ହାଓ୍ୱାରେ ଆମ ମନ ଅସ୍ଥିର ଓ ଚଞ୍ଚଳ ନ ହେଉ । ରାଜନୈତିକ ଘୋଡ଼ା ଦଉଡ଼ରେ ଆମେ ପ୍ରତିଦ୍ଵନ୍ଦ୍ୱୀ ହେବା ନାହିଁ । ଆମେ ଜନତାର ସେବା କରିବା । ଦରିଦ୍ରନାରାୟଣ ସେବାରେ, ଆମର ଜୀବନ ଅତିବାହିତ କରିବା ।

 

ନଳିନାକ୍ଷ ହସିଲା ଏକ ଶାନ୍ତ, ସ୍ନିଗ୍ଧ ହସ । ସେ ହସର ବିକାଶରେ ଫୁଟି ଉଠୁଥିଲା ତା’ ନିର୍ଲିପ୍ତ, ନିରାସକ୍ତ, ସ୍ଵଚ୍ଛନ୍ଦ ମନର ଅସଂଖ୍ୟ କର୍ମ ଯୋଜନା...

 

ନନ୍ଦକିଶୋର ମଧ୍ୟ ହସିଲା ।

 

ପ୍ରଥମ ସାଧାରଣ ନିର୍ବାଚନ ସରିଯାଇ ଛ’ ମାସ ବିତି ଗଲାଣି ।

 

ବିକ୍ରମଦେବ ରାୟ ଉପମନ୍ତ୍ରୀ ରୂପେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ସେ ହୋଇଛନ୍ତି ଗ୍ରାମପଞ୍ଚାୟତ ଓ ସମବାୟ ବିଭାଗୀୟ ମନ୍ତ୍ରୀ ।

 

ପୂରବୀପୁର ଗ୍ରାମପଞ୍ଚାୟତର ସରପଞ୍ଚ ହୋଇଛନ୍ତି ପୁଣ୍ଡରୀକାକ୍ଷ । ନାଏବ ସରପଞ୍ଚ ହୋଇଛନ୍ତି ଲୋକନାଥ । ସତେ କି ମଣିକାଞ୍ଚନ । ଅତୀତର ପୂର୍ବ ପ୍ରତିଷ୍ଠା ଓ ପ୍ରତିପତ୍ତି, ସରପଞ୍ଚ ଓ ନାଏବ ସରପଞ୍ଚର ଅନ୍ତରାଳରେ ସେମାନେ ଫେରି ପାଇଛନ୍ତି । ସେ ଗଡ଼ ଜିତିଛନ୍ତି । ବିକ୍ରମଦେବଙ୍କର କର୍ମୋନ୍ନତି ହେବା ସଙ୍ଗେ ସଙ୍ଗେ ଲୋକନାଥ ଓ ପୁଣ୍ଡରୀକାକ୍ଷଙ୍କର ମଧ୍ୟ ଉନ୍ନତି ସମ୍ଭବ ହୋଇଛି ।

 

ସ୍ଵାଧୀନତା ପୂର୍ବର ଆୟ ଅପେକ୍ଷା, ବର୍ତ୍ତମାନର ଆୟ ଖୁବ୍‍ ବଢ଼ି ଯାଇଛି । ସରକାରଙ୍କ ଦୟା ଓ କରୁଣାରୁ ସେମାନେ ବିଚାରକ ଆସନରେ ମଧ୍ୟ ବସିଛନ୍ତି । ଗ୍ରାମ୍ୟ ବିବାଦରେ ସେମାନଙ୍କ ନିଷ୍ପତ୍ତି ହିଁ ଚୂଡ଼ାନ୍ତ ହେଉଛି ।

 

ତା’ଛଡ଼ା, ବିକ୍ରମଦେବଙ୍କ ଆନୁକୂଲ୍ୟରେ, ପୂରବୀପୁର ପଞ୍ଚାୟତକୁ ବହୁତ ଆର୍ଥିକ ସାହାଯ୍ୟ ମିଳୁଛି । ସମବାୟ ସମିତି, ମତ୍ସ୍ୟଚାଷ, ରାସ୍ତାଘାଟ, କୂଅ, ପୋଖରୀ, ଶିଶୁ ପାର୍କ ପ୍ରଭୃତି ନାନା ଦିଗରେ ପ୍ରଚୁର ଅର୍ଥ ପାଇ ଲୋକନାଥ ଓ ପୁଣ୍ଡରୀକାକ୍ଷ ବେଶ୍‍ ସୁରୁଖୁରୁରେ ଚଳୁଛନ୍ତି ।

 

ଜୀବନର ସାୟାହ୍ନରେ ସେମାନେ ବେଶ୍‍ ସ୍ଵାସ୍ଥ୍ୟବାନ ହୋଇ ଉଠୁଛନ୍ତି । ପୁଷ୍ଟିକର ଖାଦ୍ୟ ଖାଇ ଆଉ କିଛିକାଳ ବଞ୍ଚି ରହିବା ପାଇଁ ସେମାନେ କଳ୍ପନା ଜଳ୍ପନା କରୁଛନ୍ତି ।

 

ସେ ଦିନ ସନ୍ଧ୍ୟା ହୋଇ ଆସୁଥିଲା....

 

ଲୋକନାଥ ଓ ପୁଣ୍ଡରୀକାକ୍ଷ ଗ୍ରାମପଞ୍ଚାୟତ ଅଫିସରେ ପେଟ୍ରୋମାକ୍ସ ଲାଇଟ ଜାଳି ବସିଥିଲେ ।

 

ପାଖରେ ଆଉ କେହି ନାହାନ୍ତି....

 

ପୁଣ୍ଡରୀକାକ୍ଷ କହିଲେ–ବୁଝିଲ ଲୋକନାଥ ବାବୁ ! ଯୁଗ ବଦଳିବା ସଙ୍ଗେ ସଙ୍ଗେ ଆମେ ବି ବଦଳି ଗଲେ । ଏ ଦେଶକୁ ଯେତେବେଳେ ସ୍ଵାଧୀନତା ଆସିଲା, ସେତେବେଳେ ଆମେ ଯେଉଁ ଆଶଙ୍କା କରିଥିଲେ, ସେ ଆଶଙ୍କା ଆମର ଦୂରେଇ ଯାଇଛି ।

ବିକ୍ରମଦେବ ହେଲେ ମନ୍ତ୍ରୀ । ସ୍ଵାଧୀନ ଭାରତରେ ଆମେ ବି ହେଲେ ଗ୍ରାମପଞ୍ଚାୟତ ଭଳି ଏକ ସ୍ଵାୟତ୍ତ ସଂସ୍ଥାର ସର୍ବୋଚ୍ଚ କର୍ମକର୍ତ୍ତା । ପ୍ରତିଦିନ ଶହ ଶହ ଆପତ୍ତି ଅଭିଯୋଗ ଆମ ପାଖରେ ପହଞ୍ଚୁଛି । ଶହ ଶହ ଲୋକେ ଆମକୁ ତୋଷାମଦ କରୁଛନ୍ତି–ନମସ୍କାର ବଜାଉଛନ୍ତି । ସମବାୟ ସମିତିରୁ ଋଣ ନେବାପାଇଁ ଆମକୁ ମଧ୍ୟ ଲାଞ୍ଚ, ଉତ୍କୋଚ ଦେଉଛନ୍ତି ।

ସରକାରୀ ଦପ୍ତରରୁ ବିଭିନ୍ନ ବାବଦରେ ହଜାର ହଜାର ଟଙ୍କା ଆସୁଛି । ମନାଇଚ୍ଛାରେ ଆମେ ସେ ସବୁକୁ ବିନିଯୋଗ କରୁଛୁଁ । ସେ ସବୁରୁ ଅଧାଅଧି ମାରି ନେଉଛୁଁ । ତମେ କହିପାରିବ ଲୋକନାଥ ବାବୁ, ଯେତେବେଳେ ସ୍ୱାଧୀନତାର ସୂର୍ଯ୍ୟ ଏ ଦେଶର ବାୟୁମଣ୍ଡଳକୁ ମୁଖରିତ କରିଦେଲା, ସେତେବେଳେ ଆମେ କ’ଣ କଳ୍ପନା କରିଥିଲେ, ସରପଞ୍ଚ ଓ ନାଏବ ସରପଞ୍ଚ ଭଳି ଏକ ସମ୍ମାନଜନକ ସ୍ଥାନ ଫେରି ପାଇବା ବୋଲି ।

ଲୋକନାଥ ଗୌରବରେ ଫାଟିପଡ଼ି କହିଲେ–ସ୍ଵାଧୀନତା ପାଇଁ ନଳିନାକ୍ଷ ଓ ନନ୍ଦକିଶୋର ଏତେ କଷ୍ଟ ସ୍ୱୀକାର କରିଥିଲେ, ତ୍ୟାଗ ବରଣ କରିଥିଲେ । କିନ୍ତୁ ସେମାନେ ଆଜି କେଉଁଠି ? ସ୍ଵାଧୀନତା ଆନ୍ଦୋଳନକୁ ବ୍ୟର୍ଥ, ପଣ୍ଡ କରିଦେବା ପାଇଁ ସବୁ ପ୍ରକାର ଚେଷ୍ଟା କରି ମଧ୍ୟ, ଆମେ ସମାଜରେ ସମ୍ମାନିତ ।

ପୁଣ୍ଡରୀକାକ୍ଷ ହସି ଉଠିଲେ....

ମାତ୍ର ଠିକ୍‍ ସେ ହସ ସରିଲା ପରେ ତାଙ୍କ ଅନ୍ତରଟା ଆତଙ୍କର କଳା ମେଘରେ ଆଚ୍ଛାଦିତ ହୋଇଗଲା ।

ନଳିନାକ୍ଷ ଓ ନନ୍ଦକିଶୋର ଏବେ ମଧ୍ୟ ଗାଁରେ ରହିଛନ୍ତି । ଏବେ ମଧ୍ୟ ତାଙ୍କର ଚାରିଗୋଟି ସତର୍କ ଆଖି ଗାଁର ଭଲମନ୍ଦ, ସୁଖ ଦୁଃଖ ଉପରେ ନିବଦ୍ଧ ରଉଛି ।

ସେ ଦୁହେଁ ଯଦି ଜାଣିବେ ପଞ୍ଚାୟତର ଶହ ଶହ ଟଙ୍କା ସେମାନେ ଆତ୍ମସାତ୍‍ କରୁଛନ୍ତି ବୋଲି, ତା’ହେଲେ ଅବସ୍ଥା ଅଣାୟତ୍ତ ହୋଇଯିବ । ଗାଁ ଲୋକଙ୍କୁ ମତାଇ ସାଙ୍ଗେ ସାଙ୍ଗେ ସେମାନେ ବିଭ୍ରାଟ ସୃଷ୍ଟି କରିଦେବେ ।

କେବଳ ଏହି ପଞ୍ଚାୟତ ଅଞ୍ଚଳରେ ନୁହେଁ, ସାରା ନିର୍ବାଚନ ମଣ୍ଡଳୀରେ ନଳିନାକ୍ଷର ଅଛି ପ୍ରତିପତ୍ତି ।

ନନ୍ଦକିଶୋର ଓ ନଳିନାକ୍ଷ ଗାଁଟାରୁ ଯଦି ବିଦାୟ ନେଇ ଚାଲି ଯାଆନ୍ତେ, ତା’ହେଲେ ବିକ୍ରମଦେବଙ୍କର ମନ୍ତ୍ରୀତ୍ଵର ସୁଯୋଗ ନେଇ, ଜମିବାଡ଼ି କିଛି କିଣିବା ସଙ୍ଗେ ସଙ୍ଗେ, କୋଠା ଘରଟିଏ ମଧ୍ୟ ତିଆରି କରି ବସନ୍ତେ ।

କିନ୍ତୁ ହୋଇ ପାରିବ ନାହିଁ ।

ପୁଣ୍ଡରୀକାକ୍ଷ କହିଲେ–ଯୁଗ ବଦଳୁଛି ବାବୁ । ସେଇ ବଦଳି ହାଓ୍ୱା ଭିତରେ ଯାହାର ଅବସ୍ଥା ପରିବର୍ତ୍ତନ ହେଲା ତ ହେଲା, ନ ହେଲେ ପଡ଼ିରହିବ ଅଗ୍ରଗତିର ବହୁ ପଛରେ ।

 

ଲୋକନାଥ ହଠାତ୍‍ ଟେବୁଲ ଉପରେ ନଇଁପଡ଼ି, ପୁଣ୍ଡରୀକାକ୍ଷଙ୍କ ପାଖକୁ ଯାଇ ଥିରି ଥିରି ସ୍ୱରରେ କହିଲେ–ମୁଁ ଶୁଣିଲି, ନଳିନାକ୍ଷ ନୀଳିମାର ବିବାହ କରାଇ ଦେଇ, ଭୂଦାନ ଯଜ୍ଞରେ ଆତ୍ମନିୟୋଗ କରିବ । ଜମିବାଡ଼ି, ଘର ଡିହ, ସବୁତକ ବିକ୍ରି କରି, ସେଇ ସବୁ ଅର୍ଥ ଜନତାର ସେବାରେ ଲଗାଇବ ।

 

ପୁଣ୍ଡରୀକାକ୍ଷ କହିଲେ–ଏଇ ହେଉଛି ସୁବର୍ଣ୍ଣ ସୁଯୋଗ ବାବୁ । ସେ ଯଦି ଜମିବାଡ଼ି ବିକ୍ରି କରିବାର କଥା’ ତା’ହେଲେ ବୁଝ ଆମକୁ ସେ ଦେବ କି ନାହିଁ । ଯଦି ଆମକୁ ଦେବାକୁ ସେ ରାଜି ହୁଏ, ତା’ହେଲେ ଦୁଇ ଭାଗ କରି ଆମେ ଦୁହେଁ କିଣି ଦେବା ।

 

ଲୋକନାଥ କହିଲେ–କଥାଟା କେତେଦୂର ସତ୍ୟ ମୁଁ ଆଗ ବୁଝେ । ତା’ର ଯଦି ବିକ୍ରି କରିବାର ଉଦ୍ଦେଶ୍ୟ ଥିବ, ତା’ହେଲେ ସିନା ଯାଇ ତାକୁ ପଚାରିବି, ନ ହେଲେ ନଳିନାକ୍ଷ ଭଳି ଏକ ଗମ୍ଭୀର ଯୁବକ ପାଖରେ ଏତେ ବଡ଼ କଥା ଉତ୍‍ଥାପିତ କରିବାକୁ ମୋର ସାହସ ଅଣ୍ଟିବ ନାହିଁ ।

 

ପୁଣ୍ଡରୀକାକ୍ଷ ନୀରବ ରହିଲେ.....

 

ଲୋକନାଥ ଚାହିଁ ରହିଲେ ତାଙ୍କୁ ।

 

ପଞ୍ଚାୟତ ଘରେ ପେଟ୍ରୋମାକ୍ସ ଲାଇଟ୍‍ ଜଳୁଛି ।

 

ବିକ୍ରମଦେବ ରାୟଙ୍କ ଅଲିଅଳ କନ୍ୟା ଜ୍ୟୋତ୍ସ୍ନା ଚିଠି ଲେଖିଛି ନଳିନାକ୍ଷ ପାଖକୁ ।

 

ନଳିନାକ୍ଷ ବାବୁ,

କେତେଦିନ ମୁଁ ଆଉ ଅପେକ୍ଷା କରି ରହିବି ? ଯାହା ଦିନେ କହିବି କହିବି ବୋଲି ଏପର୍ଯ୍ୟନ୍ତ କହିପାରି ନଥିଲି, ଆଜି ସବୁ ଲଜ୍ଜା, ସଂକୋଚକୁ ପରିହାର କରି, ଚିଠି ଆକାରରେ ଲେଖିବାକୁ ବାଧ୍ୟ ହେଉଛି ।

ବିବାହ ହୋଇଥିଲେ ପ୍ରାୟ ତିନି ବର୍ଷ ହୋଇ ସାରନ୍ତାଣି । ମାତ୍ର ଆପଣଙ୍କ ପାଇଁ, ଆଜି ପର୍ଯ୍ୟନ୍ତ ମନର କେଉଁ ନିଭୃତ ପ୍ରଦେଶରେ ମୁଁ ଆସନ ସଜାଡ଼ି ବସିଛି । ମନକୁ ଯେତେଥର ବୁଝେଇଲିଣି, ଆପଣଙ୍କ ଆଡ଼ୁ ଆକର୍ଷଣ ତୁଟାଇ ଦେବାକୁ କିନ୍ତୁ ସେତେଥର ମୋର ମନ ଆପଣଙ୍କ ଆଡ଼କୁ ଢଳି ଢଳି ଯାଉଛି ।

ମୋ ମନକଥା ଆପଣଙ୍କ ପାଖରେ ଜଣାଇବି ବୋଲି ଦିନେ ଦିନେ ଆପଣଙ୍କ ଘରକୁ ଯାଏ । କିନ୍ତୁ କାହିଁକି କେଜାଣି, ଆପଣଙ୍କ ଗୁରୁଗମ୍ଭୀର ମୁହଁ ଦେଖି ମୁଁ ଦବିଯାଏ । ଆପଣଙ୍କ ଭଳି ନୀତିବାଦୀ, ଆଦର୍ଶବାଦୀ ଯୁବକଙ୍କ ପାଖରେ ମୋର ପ୍ରେମ ନିବେଦନ ଅସାର ଓ ନିଷ୍ଫଳ ହେବ ବୋଲି କିଛି କହି ପାରେନି ।

ଆଜି ଆପଣଙ୍କର କୌଣସି ଜଞ୍ଜାଳ ନାହିଁ । ନୀଳିମାର ତ ବିବାହ ସରିଗଲା । ଆପଣଙ୍କର ବିବାହ ପାଇଁ ଆପଣ ହୁଏତ ନିଜେ ଚେଷ୍ଟା କରିବେ । ଆଜି ପର୍ଯ୍ୟନ୍ତ ମୁଁ ଆପଣଙ୍କ ପାଇଁ ଅପେକ୍ଷା କରିଛି ଜାଣି, ମୋ ପ୍ରତି ହୁଏତ ଦୟା ପ୍ରକାଶ କରିବେ ।

 

ଆପଣ ଯେ ଭଳି ଭାବେ ଜୀବନକୁ ଅତିବାହିତ କରିବାକୁ ଚାହିଁବେ ମୁଁ ଠିକ୍‍ ସେହିଭାବେ ଗତି କରିବି । ଆପଣ ଦୁଃଖରେ ରହିଲେ, ମୁଁ ଦୁଃଖୀ ହେବି । ସମାଜର ସେବା ପାଇଁ, କଲ୍ୟାଣ ସାଧନ ପାଇଁ ଆପଣ ଯଦି ଦୁର୍ବାର, ଦୁସ୍ତର ଓ ପିଚ୍ଛିଳ ପଥରେ ଯାତ୍ରୀ ହେବେ, ମୁଁ ମଧ୍ୟ ସେଇ ପଥରେ ସହଯାତ୍ରିଣୀ ହେବି ।

 

ବଡ଼ ଲୋକର କନ୍ୟା ବୋଲି, ଅତ୍ୟାଚାରୀ ଜମିଦାରର ଝିଅ ବୋଲି ଆପଣଙ୍କ ପରି ଗଣତାନ୍ତ୍ରିକ ଚେତନାସମ୍ପନ୍ନ ଯୁବକଙ୍କର ମୋ ପ୍ରତି ନିଶ୍ଚୟ ଘୃଣା ଥିବ । ଆପଣଙ୍କ ସହିତ ଛନ୍ଦ ମିଳାଇ ଚାଲି ପାରିବି ନାହିଁ ବୋଲି ଆପଣ ହୁଏତ ଭାବୁଥିବେ ।

 

କିନ୍ତୁ ସତରେ ନଳିନାକ୍ଷ ବାବୁ, ଆପଣଙ୍କ ସହିତ ଛନ୍ଦ ମିଳାଇ ମୁଁ ବାଟ ଚାଲି ପାରିବି । ଆପଣଙ୍କ ଦୁର୍ଦ୍ଦିନରେ ମୁଁ ସାହାଯ୍ୟ କରିବି । ଆପଣଙ୍କର ସେବା ଓ ପରିଚର୍ଯ୍ୟା କରିବି ।

 

ଆପଣ ମୋତେ ନିରାଶ କରିବେନି ।

 

ଶୁଣିଲି, ଆପଣ ବିନୋବାଜୀଙ୍କ ମହାମନ୍ତ୍ରରେ ଦୀକ୍ଷିତ ହୋଇ, ମଧ୍ୟ-ପ୍ରଦେଶ ଚାଲି ଯାଉଛନ୍ତି ବୋଲି । ଗ୍ରାମଦାନ ଆନ୍ଦୋଳନରେ ଯୋଗଦାନ କରି, ପ୍ରତ୍ୟକ୍ଷ ରାଜନୀତିରୁ ଅବସର ଗ୍ରହଣ କରିବା ପାଇଁ ସ୍ଥିର କରିଛନ୍ତି ଜାଣି ଦୁଃଖିତ ହେଲି । ବିନୋବାଜୀଙ୍କ ପଦଯାତ୍ରାରେ ଯୋଗଦାନ କରିବା ପୂର୍ବରୁ ମୋ ବିଷୟରେ ଶେଷ ସିଦ୍ଧାନ୍ତ କରିଯିବେ ।

 

ଏହାହିଁ ମୋର ଆପଣଙ୍କୁ ଅନ୍ତିମ ଏବଂ ସନିର୍ବନ୍ଧ ଅନୁରୋଧ ।

 

ଆପଣଙ୍କର

ଜ୍ୟୋତ୍ସ୍ନା

 

ନଳିନାକ୍ଷ ଏକାକୀ ନିଜର ଶୂନ୍ୟ କୁଟୀରରେ ଜ୍ୟୋତ୍ସ୍ନାର ଚିଠି ପଢ଼ୁଛି । ଘରର ଚାରିଆଡ଼ ନୀରବ ନିସ୍ପନ୍ଦ । ନୀଳିମା ଥିଲାବେଳେ ରୋଷଘର ଭିତରୁ ହାଣ୍ଡି କିମ୍ବା କଂସା ବାସନର ଆବାଜ ଶୁଭେ । ମାତ୍ର ଆଜିକୁ ମାସେ ହେଲା ସେ ବିବାହ କରି ସାରିଛି । ଶେରଗଡ଼ ଆଶ୍ରମସ୍କୁଲର ପ୍ରଧାନ ଶିକ୍ଷକ ନଟବରକୁ ସ୍ୱାମୀରୂପେ ଗ୍ରହଣ କରି, ତା’ର ନିଜର ଭାଇକୁ ସାତପର କରି ଚାଲିଯାଇଛି ।

 

ନଳିନାକ୍ଷ ଚିଠିଟି ପଢ଼ି ସରିଲା....

 

ଜୀବନର ପ୍ରଥମ ଥର ପାଇଁ ଗୋଟିଏ ତରୁଣୀ ହାତ ଲେଖା ଚିଠି ସେ ପଢ଼ୁଛି ।

 

ଜ୍ୟୋତ୍ସ୍ନା ସତେ କ’ଣ ଲେଖିଛି ? ତା’ ଭଳି ଏକ ପ୍ରେମହୀନ, ରସହୀନ, ମମତାଶୂନ୍ୟ ଯୁବକ ପାଖକୁ ଏତେ କଷ୍ଟ କରି କାହିଁକି ସେ ଚିଠି ଲେଖିଲା ? ତା’ପାଇଁ ଅନେକ ଦିନରୁ ନିଜର ଅନ୍ତର ଭିତରେ ସେ କାହିଁକି ଆସନ ପାତି ବସିଲା ?

 

ତା’ ଠାରେ କ’ଣ ସେ ଦେଖିଲା ? ତା’ର ଧନ ନାହିଁ–ଜନ ନାହିଁ । ସେ ବିତ୍ତଶାଳୀ ନୁହେଁ-। ସେ ପ୍ରେମିକ ମଧ୍ୟ ନୁହେଁ । ପ୍ରେମମୂଳକ ସଂଳାପ ସେ ସୄଷ୍ଟି କରିପାରେ ନାହିଁ । କଟାକ୍ଷ ହାଣେ ନାହିଁ । ହସି ହସି କଥା କହି ତରୁଣୀ ମନକୁ ଆକୃଷ୍ଟ କିପରି କରିହୁଏ, ତାହା ମଧ୍ୟ ଜାଣେନାହିଁ-

 

ମାତ୍ର କାହିଁକି, ଜ୍ୟୋତ୍ସ୍ନା ପରି ଏକ ଅଲିଅଳ ତରୁଣୀ କନ୍ୟା ତା’ ଅଲକ୍ଷ୍ୟରେ ତାକୁ ଭଲ ପାଇ ବସିଲା ? କାହାରିକୁ ବିବାହ ନକରି, ଅଯଥାରେ ପ୍ରତୀକ୍ଷା କରି ବସିଲା ।

 

ଜୀବନର ପ୍ରଥମ ପ୍ରଭାତରୁ, ବାୟା ପାଗଳାଙ୍କ ପରି ଏକ ଆଦର୍ଶ ପଛରେ ଗୋଡ଼ାଇ ଯେ ଆଜି କାଙ୍ଗାଳ ହୋଇଛି, ବସ୍ତୁହରା ହୋଇଛି, ପିତା-ମାତା-ଭଗ୍ନୀ ଶୂନ୍ୟ ଜୀବନ ନେଇ ସଂସାର ସରଣୀରେ ଅସହାୟ ହୋଇ ବାଟ ଚାଲିଛି, ସେଇ ହତଭାଗା ଏକ ଅନାସକ୍ତ ଯୁବକକୁ ସେ କିପରି ଭଲ ପାଇ ବସିଲା ?

 

ଜୀବନ ସଂଗ୍ରାମରେ ଲଢ଼ି ଲଢ଼ି ଦିନେ ହେଲେ ସେ ବିବାହ କଥା ଚିନ୍ତା କରିନାହିଁ । ଗୋଟିଏ ତରୁଣୀର ସ୍ୱପ୍ନିଳ ସ୍ମୃତିରେ କେବେହେଲେ ସେ ମସ୍‍ଗୁଲ ହୋଇନାହିଁ । ମହାଭାରତର ଭୀଷ୍ମ ପରି, ଦ୍ରୋଣ ପରି ସେ ସ୍ପର୍ଶହୀନ ପାଷାଣ, ସ୍ଥବିର ପାଲଟି ଯାଇଛି ।

 

ମାତ୍ର ଆଜି ଜ୍ୟୋତ୍ସ୍ନାର ଚିଠି, ଜନ ମାନବହୀନ ଏଇ ନିର୍ଜନ ପ୍ରକୋଷ୍ଠରେ ତା’ ମନ ତଳେ ସୃଷ୍ଟି କରୁଛି ସତେ ଯେପରି ଏକ ଶିହରଣ, କମ୍ପନ । ତପସ୍ୟାରତ, ଧ୍ୟାନମଗ୍ନ ଯୋଗୀର ଜୀବନରେ ଆଜି ଏ କି ଅନୁରାଗ ? ସ୍ନେହ ପ୍ରବଣତା ? ଉଦ୍ଦାମ ବାସନା ?

 

ଜ୍ୟୋତ୍ସ୍ନାକୁ କ’ଣ ଲେଖି ସେ ସନ୍ତୁଷ୍ଟ କରିବ ? ଯୋଗୀର ଜୀବନରେ ବିବାହ ଅସମ୍ଭବ । କୋଟି କୋଟି ଜନତାର ସେବା କରିବା ପାଇଁ ଯେ ପଣ କରିଛି, ପ୍ରତିଜ୍ଞାବଦ୍ଧ ହୋଇଛି, ସେ ଯଦି ବିବାହ କରେ, ସଂସାରର ବିପଣୀ ଖୋଲି ବସେ, ଜୀବନର ସେଇ ବଜ୍ରଦୃଢ଼ ପ୍ରତିଜ୍ଞା ବ୍ୟର୍ଥତାରେ ପର୍ଯ୍ୟବସିତ ହେବ । ଶୂନ୍ୟରେ ମିଳାଇ ଯିବ ।

 

ଭାରତକୁ କେବଳ ରାଜନୈତିକ ସ୍ଵାଧୀନତା ମିଳିଛି । ଏବେ ବି ଦଳେ ଲୋକ ସମାଜର ସବୁ ପ୍ରକାର ସୁବିଧା ଓ ସୁଯୋଗ ପାଇଁ ବିଳାସ ବ୍ୟସନରେ ସମୟ ଅତିବାହିତ କରୁଥିବା ବେଳେ ଆଉ ଦଳେ ଲୋକ ଶତ ଅଭାବ ଓ ଅନାଟନର ରଥଚକ୍ର ତଳେ ତିଳେ ତିଳେ ନିଷ୍ପେସିତ ହୋଇ ଯାଉଛନ୍ତି । ଥୋଡ଼େ ଲୋକ ଶହ ଶହ ଏକର ଜମି ନିଜର ବ୍ୟକ୍ତିଗତ ମାଲିକାନାରେ ରଖିଥିଲା ବେଳେ ଆଉ ଥୋଡ଼େ ଲୋକ ଭୂମିହୀନ, ବାସହୀନ ହୋଇ ବଣ ପର୍ବତର ଆରଣ୍ୟକ ପରିବେଶ ଭିତରେ ପଶୁଭଳି ଜୀବନଯାପନ କରୁଛନ୍ତି ।

 

ଏଇ କ’ଣ ଆମର ସମାଜବାଦ ? ସମାଜବାଦର ସଫଳ ରୂପାୟନ ଯେ ପର୍ଯ୍ୟନ୍ତ ଏ ଦେଶରେ ସମ୍ଭବ ନ ହୋଇଛି, ସେ ପର୍ଯ୍ୟନ୍ତ ଧନୀ, ଧନୀ ହୋଇ ରହିଥିବେ–ଗରିବ ଚିରଦିନ ଗରିବ ଶ୍ରେଣୀରେ ପର୍ଯ୍ୟାୟଭୁକ୍ତ ହୋଇଥିବେ । ରାମ ରାଜ୍ୟର ସ୍ଵପ୍ନ, ସମାଜର ଏଇ ଅସମତା ଓ ବୈଷମ୍ୟ ମଧ୍ୟରେ ରହିଯିବ ।

 

ଜ୍ୟୋତ୍ସ୍ନାର ପତ୍ର ଆଜି ତା’ ପାଖରେ ମୂଲ୍ୟହୀନ । ନିରର୍ଥକ । ନିଷ୍ଫଳ । ତା’ ମନ ଉପରେ ଏ ଚିଠି କୌଣସି ପ୍ରଭାବ ପକାଇ ପାରୁନାହିଁ । ଏ ଚିଠିର ଆକର୍ଷଣରେ, ସମ୍ମୋହନରେ ସେ ଯଦି ଭୁଲିଯିବ, ଓଟାରି ହୋଇଯିବ, ତା’ହେଲେ ଜୀବନର ଏତେବଡ଼ କାର୍ଯ୍ୟ ଆଉ ସମ୍ଭବ ହୋଇ ପାରିବ ନାହିଁ ।

 

ଜ୍ୟୋତ୍ସ୍ନା ଅନ୍ୟତ୍ର ବିବାହ କରୁ । ସମାଜର ଏକ ପ୍ରତିଷ୍ଠିତ, ଧନାଢ଼୍ୟ, ସୁଶ୍ରୀ, ସୁଠାମ ଓ ସୁଦର୍ଶନ ଯୁବକକୁ ବିବାହ କରି ତା’ ତରୁଣୀ ଜୀବନର କାମନା, ବାସନା ସେ ଚରିତାର୍ଥ କରୁ । ତା’ ଭଳି ଏକ ଅଥର୍ବ, ସ୍ପନ୍ଦନହୀନ, ବେରସିକ ଯୁବକକୁ ବିବାହ କରି ତା’ ବିବାହିତ ଜୀବନ କାହିଁକି ହୋଇ ଉଠିବ ବିଷମୟ, ଭାରାକ୍ରାନ୍ତ !

 

ସେ ତାକୁ ଚିଠି ଲେଖି ଆଜି ଜଣାଇଦେବ । ମନା କରିଦେବ । ତା’ଠାରୁ ସମାଜରେ ବହୁ ଶିକ୍ଷିତ, ଆଲୋକପ୍ରାପ୍ତ ଯୁବକ ତାକୁ ମିଳିବେ । ସେଇମାଙ୍କୁ ବିବାହ କରି, ଜୀବନର ଯାହା ଉପଭୋଗ କରିବାର ସୁଯୋଗ ସେ ପାଇବ, ତାକୁ ବିବାହ କରି କିଛି ପାଇବ ନାହିଁ ।

 

ଜ୍ୟୋତ୍ସ୍ନା ନିରାଶ ହେଉ । ହତାଶ ହେଉ । ବହୁ ଦିନର ଆଶା, ଆକାଂକ୍ଷା ତା’ର ବିଡ଼ମ୍ବିତ ହେଉ । ତାକୁ ହତାଶ କଲେ, ତାକୁ ନିରାଶ କଲେ, ତା’ର କ୍ଷତି କିଛି ହେବ ନାହିଁ । ଗୋଟିଏ ତରୁଣୀକୁ ବିବାହ କଲେ, ଶହ ଶହ ଜନତାର ସେବା ପଥ ଅବରୁଦ୍ଧ ହୋଇଯିବ । ଦାମ୍ପତ୍ୟ ଜୀବନର ଜଞ୍ଜାଳ-ନାଗଫାଶ ଭିତରୁ ମୁକ୍ତ ହୋଇ, ଜନତା ଜନାର୍ଦ୍ଧନ ନିକଟରେ କେବେହେଲେ ସେ ପହଞ୍ଚି ପାରିବ ନାହିଁ ।

 

ନିଶ୍ଚୟ ସେ ଆଜି ଚିଠି ଲେଖିବ । ବୁଝାଇ, ସୁଝାଇ, ତା’ର ସଶ୍ରଦ୍ଧ, ସ୍ନେହସ୍ନିଗ୍ଧ ଅନୁରୋଧକୁ ପ୍ରତ୍ୟାହାର କରିବା ପାଇଁ ସେ ଜଣାଇ ଦେବ ।

 

ନଳିନାକ୍ଷ ଚିଠିଟାକୁ ଖଟ ଉପରେ ରଖିଦେଇ ଖଣ୍ଡିଏ କାଗଜ ବାହାର କଲା ।

 

ଚିଠି ଲେଖିବାକୁ ସେ ପ୍ରସ୍ତୁତ ହେଲା ।

 

ନଳିନାକ୍ଷ ଭାବୁଛି.....

 

ଅଳସ ମଧ୍ୟାହ୍ନକୁ ଝରକା ଦେଇ ସେ ଚାହିଁ ଭାବି ଚାଲିଛି ।

 

ଭୂଦାନ ଯଜ୍ଞ ପାଇଁ ସାରା ଭାରତରେ ଏକ ଅଭିନବ ଜାଗରଣ ନହେଲେ ମଧ୍ୟ ଏକ ନୂତନ, ଅନବଦ୍ୟ ବାତାବରଣ ସୃଷ୍ଟି ହୋଇଛି । ଗୁଣ୍ଠେ, ବିଶ୍ଵେ ଜମି ଭିକ୍ଷା କରି, ଭାରତବର୍ଷରେ ଭୂସମସ୍ୟା କ’ଣ ସମାଧାନ ହୋଇପାରିବ ? ଶହ ଶହ ଭୂମିହୀନ ଲୋକମାନଙ୍କୁ ଭିକ୍ଷାଦ୍ୱାରା ସଂଗୃହୀତ ମାତ୍ର କେଇ ଏକର ଜମିଦେଇ କ’ଣ ସନ୍ତୁଷ୍ଟ କରିହେବ ? ଶହ ଶହ ବର୍ଷ ଧରି ସୃଷ୍ଟି ହୋଇଥିବା ସାମାଜିକ ଅବ୍ୟବସ୍ଥା ଓ ଅସାମଞ୍ଜସ୍ୟକୁ କ’ଣ ଦୂର କରାଯାଇ ପାରିବ ?

 

ଭୂମିଦାନ ଏକ ପବିତ୍ର ଦର୍ଶନ । ଏ ଦର୍ଶନର ସ୍ରଷ୍ଟା ସେଇ ବିନୋବାଜୀ । ଦାତା ଦାନ କଲେ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ହୃଦୟ ତା’ର ପରିବର୍ତ୍ତନ ହୁଏ । ହୃଦୟ-ରାଜ୍ୟରେ ଏକ ନୈତିକ ଜାଗୃତି ସମ୍ଭବ ହୁଏ । ସେହି ଆନ୍ଦୋଳନ, ଦର୍ଶନକୁ ଆଗେଇ ନେବା ପ୍ରତ୍ୟେକ ଗଠନମୂଳକ, ଜାତୀୟବାଦୀ ନିରଳସ ଓ ନିଷ୍ଠାପର କର୍ମୀମାନଙ୍କର କର୍ତ୍ତବ୍ୟ ହେବା ଉଚିତ ।

 

ଶ୍ରେଣୀ ଶ୍ରେଣୀ ଭିତରେ ସଂଘର୍ଷ ସୃଷ୍ଟି କରାଇ, ସାମାଜିକ ସମାନତା ଏ ଦେଶରେ ଆଣି ହେବନାହିଁ । ଗଣତାନ୍ତ୍ରିକ ସମାଜବାଦରେ ମାର୍କସୀୟ ଦର୍ଶନର ପ୍ରୟୋଗ ଉଚିତ ହେବନାହିଁ । ଥିଲା ଲୋକ ସହିତ ନ ଥିଲା ଲୋକର ସଂଘର୍ଷ ଉପୁଜି ପାରେ । ସେ ସମ୍ଭାବନାକୁ ଦ୍ଵନ୍ଦ୍ୱ ଆକାରରେ ରୂପାନ୍ତରିତ କରାଯାଇ ପାରେ । ମାତ୍ର ଗଣତାନ୍ତ୍ରିକ ରାଷ୍ଟ୍ରରେ ସେ ଦ୍ୱନ୍ଦ୍ୱ ଓ ସଂଘର୍ଷକୁ ଯଥାସମ୍ଭବ ପରିହାର କରିବାକୁ ହେବ । ବଡ଼ ଲୋକର ହୃଦୟରେ ପରିବର୍ତ୍ତନ ସୃଷ୍ଟି କରାଇ, ଗରିବ ଲୋକ ପ୍ରତି ସହାନୁଭୂତି ସୃଷ୍ଟି କରାଇବାର ପ୍ରଧାନ ମାଧ୍ୟମ ହେବ ଭୂଦାନ ଯଜ୍ଞ ।

 

ବିନୋବାଜୀଙ୍କ ସାଙ୍ଗରେ, ସାରା ଭାରତବର୍ଷ ଘୂରିବାକୁ ସେ ପ୍ରସ୍ତୁତ ଅଛି । ଗ୍ରାମ୍ୟ ଜନତାର ହୃଦୟରେ ଭୂଦାନ ଯଜ୍ଞର ମହାମନ୍ତ୍ର ରୋପିତ କରିବାକୁ ତା’ର କୁଣ୍ଠା ନାହିଁ । ଭୟ ନାହିଁ । ଭ୍ରାନ୍ତି ନାହିଁ । ଚାଲି ଚାଲି, ନଦୀ, ବଣ, ପର୍ବତ, ଖମାଖାଲ ପାରି ହୋଇ ସେ ଜନତାର ସେବାରେ ଲାଗିଯିବ । ଦେଶରେ ସାମୂହିକ କଲ୍ୟାଣରେ ନିଜର ଆତ୍ମୋତ୍ସର୍ଗ କରିବ ।

 

ମଧ୍ୟାହ୍ନର ଖରା ମଉଳି ମଉଳି ଆସୁଛି......

 

ନଳିନାକ୍ଷର ଭାବନା ବଢ଼ି ଚାଲିଛି......

 

ଲୋକନାଥ ଆସି ଘର ଭିତରେ ପହଞ୍ଚି ଗଲେଣି, ତଥାପି ନଳିନାକ୍ଷକୁ ମାଲୁମ ନାହିଁ । ତା’ର ଅନ୍ୟମନସ୍କତାର ସୁଯୋଗ ନେଇ ଲୋକନାଥ ଯେତେବେଳେ ଗଳାଝାଡ଼ି ତାଙ୍କ ଆସିବାର ସୂଚନା ଜଣାଇଲେ, ସେତେବେଳେ ନଳିନାକ୍ଷ ମଧ୍ୟାହ୍ନର ମଉଳା ଖରା ଆଡ଼ୁ ଆଖି ଫେରାଇ ଆଣି ଚାହିଁଲେ ଲୋକନାଥକୁ ।

 

ମନ ତଳୁ ତା’ର ଭୂମିଦାନ ଦର୍ଶନର ଗଭୀରତା ଉଭାଇ ଗଲା ।

 

ନଳିନାକ୍ଷ ଆତ୍ମସ୍ଥ ହୋଇ କହିଲା–ଆରେ ଲୋକନାଥ ଦାଦା ଯେ–କୁଆଡ଼େ ଆସିଛ ? ବସ ବସ ।

 

ଲୋକନାଥ ହସି ହସି କହିଲେ–ଏଇ ଚାଲି ଆସିଲି ତୋ ଆଡ଼େ । ତୁ କେମିତି ଚଳୁଛୁ ? ଖିଆ ପିଆ କ’ଣ ସାରିଲୁଣି ?

 

ନଳିନାକ୍ଷ ହସି ହସି କହିଲେ–ହାତରେ ରୋଷେଇ କରି ଖାଇବା କଥା ତ ଲୋକନାଥ ଦାଦା । ଅନେକ ବେଳୁ ଖାଇ ସାରିଲିଣି । ଆଉ ତମେ ?

 

ଲୋକନାଥ କହିଲେ–ମୁଁ ତ ହେଇ ଆସୁଛି । ଯାଉଛି ସିଧା ସିଧା ପଞ୍ଚାୟତ ଅଫିସ ଆଡ଼େ । ପଞ୍ଚାୟତ ବଜେଟ୍‍ ତିଆରି ହେଉଛି ଯେ ସେଥିପାଇଁ ତରବରରେ ଦିଟା ଖାଇଦେଇ ଚାଲି ଯାଉଛି ।

 

ଯାଉ ଯାଉ ହଠାତ୍‍ ନଜର ପଡ଼ିଲା ତୋ ଘର ଉପରେ । ଭାବିଲି, ଯାଇ ଟିକିଏ ଦେଖିଆସେ ନଳିନାକ୍ଷ କ’ଣ କରୁଛି ।

 

ନଳିନାକ୍ଷ ଭାବୁଛି ଲୋକନାଥ କଥା । ନାଏବ ସରପଞ୍ଚ ହୋଇ ବେଶ୍‍ ସୁରୁଖୁରରେ ଚଳୁଛନ୍ତି । ସରକାରୀ ସାହାଯ୍ୟ ଅର୍ଥରୁ ଦୁହେଁଯାକ ଅଧାଅଧି ମାରି ଆଣି, ତାକୁ ଦୁଇ ଭାଗ କରି ନେଉଛନ୍ତି ।

 

ଗ୍ରାମର କଲ୍ୟାଣ ପାଇଁ ସରକାରୀ କଳର ବିଭିନ୍ନ ବିଭାଗରୁ ଯେଉଁ ଅର୍ଥ ସାହାଯ୍ୟ ଆସୁଛି, ଏଇ ଦୁହେଁଯାକ ସେଇ ଅର୍ଥକୁ ନିର୍ବିଚାରରେ ଆତ୍ମସ୍ଥ କରିବାରେ ଲାଗିଛନ୍ତି ।

 

ଏମାନେ ଏଡ଼େ ସ୍ୱାର୍ଥପର ! ଆତ୍ମକୈନ୍ଦ୍ରିକ !! ସ୍ୱାଧୀନତା ପୂର୍ବର ସେଇ ଟାଉଟରି ଆଜି ବେଶୀ ପରିମାଣରେ ବଢ଼ି ଚାଲିଛି । ମନ୍ତ୍ରୀଙ୍କ ଛତ୍ରଛାୟାତଳେ ଆଶ୍ରୟ ନେଇ ସାଧାରଣ ପାଣ୍ଠିକୁ ଏମାନେ ଆତ୍ମସାତ୍‍ କରିବାରେ ଲାଗିଛନ୍ତି ।

 

ଏଇ କ’ଣ ଆମର ସ୍ୱାଧୀନତା ? ଏଇ କ’ଣ ଆମର ରାମ ରାଜ୍ୟ ? ସ୍ୱାଧୀନ ଭାରତର ପ୍ରତ୍ୟେକ ପୁର ପଲ୍ଲୀରେ ଏମାନଙ୍କ ପରି ବହୁ ନ୍ୟସ୍ତସ୍ୱାର୍ଥ, ଶକୁନି ସେମାନଙ୍କ ସର୍ବଗ୍ରାସୀ ଚକ୍ଷୁର ଅଗ୍ନିରେ, ଆମ ଦେଶର ଉନ୍ନତତର ପରିକଳ୍ପନାକୁ ପୋଡ଼ିଜାଳି ଧ୍ଵସ୍ତ ବିଧ୍ୱସ୍ତ କରିବାରେ ଲାଗିଛନ୍ତି । ଏହିମାନେ ସବୁ ପ୍ରକାର ଫାଇଦା ଉଠାଇ ଆମର ଗଣତାନ୍ତ୍ରିକ ସମାଜ ବ୍ୟବସ୍ଥାକୁ ପୋଡ଼ିଜାଳି ଧ୍ୱଂସ କରିବାରେ ଲାଗିଛନ୍ତି ।

 

ସମାଜର ଦୁଷ୍ଟବ୍ରଣ, ଶନିଗ୍ରହ ହୋଇ, ଏମାନଙ୍କର ପର ପ୍ରତି ଦୟା ଜାଗିଲା କେମିତି ? ସହାନୁଭୂତି ସୃଷ୍ଟି ହେଲା କେମିତି ?

 

ନଳିନାକ୍ଷ ହସି ହସି କହିଲା–ଭଲ କଲ ତା’ହେଲେ ? ଆଉ କ’ଣ ଖବର ?

 

ଲୋକନାଥ କହିଲେ–ଶୁଣିଲି ଘରଦ୍ୱାର ବିକ୍ରି କରି ଆଜୀବନ ଭୂଦାନ ଯଜ୍ଞର ସଫଳତା ପାଇଁ କାର୍ଯ୍ୟ କରିବୁ । ଜମିବାଡ଼ି ବିକ୍ରି କରିବା କିଛି ଭଲ କଥା ନୁହେଁ ବାବା । ଯଦି ନିହାତି ତୋର ବିକ୍ରି କରିବାର ଇଚ୍ଛା, ତା’ହେଲେ ମତେ....

 

ଲୋକନାଥ ଆଉ କିଛି କହି ପାରିଲେନି ।

 

ନଳିନାକ୍ଷ ଏବେ ବୁଝି ପାରିଲା ଲୋକନାଥଙ୍କ ଆଗମନର ଉଦ୍ଦେଶ୍ୟ । ଜମିବାଡ଼ି ବିକ୍ରି ଲୋଭରେ ବୋଧହୁଏ ଲୋକନାଥ ଦାଦାଙ୍କ ପାଟିରୁ ଲାଳ ଗଡ଼ିଲାଣି ।

 

ନଳିନାକ୍ଷ ହସି ହସି କହିଲା–ତମକୁ କିଏ କହିଲା ଲୋକନାଥ ଦାଦା ମୁଁ ଘରବାଡ଼ି ବିକ୍ରି କରିଦେବି ବୋଲି ? ତମେ ଭୁଲ୍‍ ଶୁଣିଛ । ତମକୁ କେହି ହୁଏତ ଭୁଲ୍‍ ସମ୍ବାଦ ଦେଇଛନ୍ତି ।

 

ମୋର ଜମିବାଡ଼ି ସମସ୍ତ ଭୂଦାନ ଯଜ୍ଞରେ ଆହୁତି ଦେବାକୁ ଠିକ୍‍ କରି ସାରିଛି । ସେଇ ଜମିବାଡ଼ି ନେଇ, ଯଦି ଭୂମିହୀନ ଲୋକେ କିଞ୍ଚିତ ପରିମାଣରେ ଉପକୃତ ହୋଇପାରିବେ, ତା’ହେଲେ ସେ ତ ହେବ ମୋର ପରମ ଗୌରବ । ଆପଣମାନଙ୍କ ଭଳି ବିତ୍ତଶାଳୀ, ସମାଜପତି, ନାଏବ ସରପଞ୍ଚଙ୍କ ଭଳି ଲୋକଙ୍କୁ ଜମି ବିକ୍ରି ନତୁବା ଦାନ କରି କ’ଣ କିଛି ଲାଭ ଅଛି ?

 

ଲୋକନାଥଙ୍କ ମୁହଁ ମଳିନ ପଡ଼ିଗଲା । ଆଉ ସେ କ’ଣ ଉତ୍ତର ଦେବେ ? ନଳିନାକ୍ଷ ପରି ନିର୍ଭୀକ, ଯୁବକ ପାଖରେ ସେ ଆଉ କି ଯୁକ୍ତି କରିବେ ?

 

ଲୋକନାଥ କହିଲେ–ତା’ହେଲେ ତା’ ଭଲ କଥା ବାବା । ପରର ମଙ୍ଗଳ ପାଇଁ ଦୁନିଆଁର ଖୁବ୍‍ କମ୍‍ ଲୋକେ ଚିନ୍ତା କରନ୍ତି । ତାଙ୍କର ହିତସାଧନ ପାଇଁ କ୍ୱଚିତ୍‍ ଲୋକେ ତୋ ଭଳି ତ୍ୟାଗ ସ୍ୱୀକାର କରନ୍ତି ।

 

ନଳିନାକ୍ଷ ବୁଝିପାରିଲା, ଲୋକନାଥ ଦାଦା ତାକୁ ଖୋସାମଦ୍‍ କରୁଛନ୍ତି ।

 

ଏମାନେ ବିନା ସ୍ୱାର୍ଥରେ କାହାରି ପାଖକୁ ଆସିବେନି ବା କାହାର ତୋଷାମଦୀ କରିବେନି । ଏଭଳି ତୋଷାମଦୀ ନିହାତି ମାରାତ୍ମକ ।

 

ନଳିନାକ୍ଷ କହିଲା–ସେ ସବୁ କଥା ବନ୍ଦ କର ଲୋକନାଥ ଦାଦା । ଆଉ କ’ଣ ତମର କାମ ?

 

ଲୋକନାଥ କହିଲେ–ନାଇଁ ଯେ ଏମିତି ବୁଲି ଆସିଥିଲି । ଆଚ୍ଛା ବେଳ ହେଲାଣି । ମୁଁ ଯାଉଛି–

 

ଲୋକନାଥ ଦାଣ୍ଡେ ଦାଣ୍ଡେ ପୁଣି ଚାଲିଗଲେ.....

 

ଆଉ ମାତ୍ର ତିନି ଦିନ ପରେ, ନଳିନାକ୍ଷ ଯିବ ଘରଦ୍ୱାର ଛାଡ଼ିଦେଇ । ଠିକ୍‍ ଆଉ ତିନି ଦିନ ପରେ, ଓଡ଼ିଶାରେ ବିନୋବାଜୀ ପଦଯାତ୍ରା ଆରମ୍ଭ କରିବେ । ଲକ୍ଷ୍ମଣନାଥ ଷ୍ଟେସନ୍‍ ପାଖରୁ ତାଙ୍କୁ ଯାଇ ସେ ପାଛୋଟି ଆଣିବ । ଋଷି ପ୍ରତିମ ବିନୋବାଜୀଙ୍କ ପାଦ ସ୍ପର୍ଶରେ ଓଡ଼ିଶାର ମାଟି ହସି ଉଠିବ । ଭୂଦାନ ଆନ୍ଦୋଳନର ପରିସର ଆଉରି ବ୍ୟାପକ ହୋଇ ପାରିବ ।

 

ମଧ୍ୟାହ୍ନର ଖରା ଧୀରେ ଧୀରେ ପଡ଼ି ଆସୁଥିଲା ମଳିନ । କ୍ରମକ୍ଷୟିଷ୍ଣୁ ଦିବସର ସେଇ ପାଣିଚିଆ, ତେଜହୀନ ଖରାକୁ ଚାହିଁ ଚାହିଁ ନଳିନାକ୍ଷ ଭାବି ଚାଲିଛି ।

 

ନନ୍ଦକିଶୋର ପଶି ଆସିଲା ଘର ଭିତରକୁ ।

 

ନଳିନାକ୍ଷ ଦିବସର କ୍ରମକ୍ଷୟିଷ୍ଣୁ ତେଜହୀନ ଖରା ଆଡ଼ୁ ଆଖି ଫେରାଇ ଆଣି ଚାହିଁଲା ନନ୍ଦକିଶୋର ଆଡ଼େ ।

 

ନନ୍ଦକିଶୋର କହିଲା–ମୁଁ ମଧ୍ୟ ତମ ସାଙ୍ଗରେ ଚାଲିଯିବି ନଳିନାକ୍ଷ ଭାଇ । ଦଳଗତ ରାଜନୀତିରେ ଅଂଶଗ୍ରହଣ କରିବାକୁ ମୋର ଆଉ ଆଗ୍ରହ ନାହିଁ । ସେ ଦିନ ତମେ ଯେଉଁ ଯୁକ୍ତି କରୁଥିଲ, ତମର ସେ ଯୁକ୍ତି ଯଥାର୍ଥ । ସେ ଯୁକ୍ତିକୁ ମୁଁ ଆଜି ଗ୍ରହଣ କରି ନେଉଛି ।

 

ତମରି ପରି ଜନତାର ସେବା କରିବା ପାଇଁ ମୁଁ ମଧ୍ୟ ଯିବି ନଳିନାକ୍ଷ ଭାଇ । ସୁଦୂର ମଧ୍ୟ-ପ୍ରଦେଶ କାହିଁକି, ଭାରତର ଯେକୌଣସି ସ୍ଥାନକୁ ଯିବାକୁ ମୁଁ ପ୍ରସ୍ତୁତ ଅଛି ।

 

ତମ ସାଙ୍ଗରେ ଲକ୍ଷ୍ମଣନାଥ ଷ୍ଟେସନ୍‍କୁ ଯାଇ ବିନୋବାଜୀଙ୍କୁ ମୁଁ ସ୍ୱାଗତ କରିବି ଅଭିନନ୍ଦନ ଜଣାଇବି ।

 

ତମ ସାଙ୍ଗରେ ନିଶ୍ଚୟ ଯିବି । ପିଲାଟି କାଳୁ ଦେଶର ସେବାପାଇଁ ଆମେ ଦୁହେଁ ଅଣ୍ଟାଭିଡ଼ି ବାହାରି ଥିଲେ । ତମେ ମତେ ଏକାକୀ, ଦଳଗତ ରାଜନୀତିର ସ୍ୱାର୍ଥପର ବାତାବରଣ ଭିତରେ ଛାଡ଼ିଦେଇ କିପରି ଚାଲିଯିବ ଭାଇ ?

 

ଦଳଗତ ରାଜନୀତିର ସେ ମରୀଚିକା ପଛରେ ମୁଁ ଆଉ ଗୋଡ଼ାଇ ପାରିବି ନାହିଁ ନଳିନାକ୍ଷ ଭାଇ । ତମର ସେଇ ଦଳଗତ ରାଜନୀତି ବିହୀନ ଏକ ସୁସ୍ଥ ଆଦର୍ଶକୁ ମୁଁ ଆଜି ମାନି ନେଉଛି ।

 

ମୁଁ ପରାସ୍ତ ହୋଇଛି ।

 

ନଳିନାକ୍ଷର ମନ ବିଜୟ ଉଲ୍ଲାସରେ ଉତ୍‍ଫୁଲ୍ଲ ହୋଇ ଉଠିଲା । ସେ କହିଲା–ହଁରେ ଆମେ ଯିବା । ଶହ ଶହ ଭୂମିହୀନ, ବାସହୀନ ଜନତାର ସେବାପାଇଁ ଆମେ ଅକ୍ଳାନ୍ତ ପରିଶ୍ରମ କରିବା । ଆମର ଦରକାର ନାହିଁ ମନ୍ତ୍ରୀତ୍ୱ–ଆମର ଲୋଡ଼ାନାହିଁ ବିଧାନସଭାର ସଭ୍ୟପଦ । ନିରଳସ ଭାବରେ ଆମେ ଯଦି ଜନତା ଜନାର୍ଦ୍ଦନର ସେବା କରି ପାରିବା, ତାହାହିଁ ହେବ ଯଥେଷ୍ଟ ।

 

ଦୁହେଁ ହସି ଉଠିଲେ ଏକ ମନଖୋଲା ହସ...

 

ଦିବସର ଆୟୁ ସରି ସରି ଆସୁଥିଲା । ସନ୍ଧ୍ୟାର ସେଇ ପ୍ରାୟାନ୍ଧକାର ଭିତରେ ଦୁହେଁ ଦୁହିଁଙ୍କୁ ଚାହିଁ ରହିଥିଲେ ।

 

ମାଲକାନଗିରିର ଗୋଟିଏ ସଉରା ପଲ୍ଲୀ...

 

ଚାରିଆଡ଼େ ଘେରି ରହିଛି ବଣ, ପାହାଡ଼ର ଦିଗନ୍ତ ବିସ୍ତାରୀ ସୀମା । ଯେଉଁ ଆଡ଼କୁ ଚାହିଁଲେ, ସେ ଆଡ଼େ ଦିଶେ ଓଟର କୁଜ ପରି ଛୋଟ ବଡ଼ ଅସଂଖ୍ୟ ପାହାଡ଼ । ସାନ୍ଧ୍ର ବନାନୀ । ଡେଙ୍ଗା ଡେଙ୍ଗା ଶାଳ ଆଉ ପିଆଶାଳ ଗଛର ଅସଂଖ୍ୟ, ଅଗଣନ ଶୋଭାଯାତ୍ରା ।

 

ଭୀଷଣ ସେ ଆରଣ୍ୟକ ପରିବେଶ !

 

ସଭ୍ୟ ଜଗତର ମଣିଷଙ୍କୁ ଦେଖୁଥିଲେ ସଉରା ପଲ୍ଲୀର ଅସଭ୍ୟ, ବର୍ବର ଆଦିବାସୀ ଜନତା, ଡରି ମରି, ପାହାଡ଼ ସନ୍ଧିରେ ପ୍ରଥମେ ପ୍ରଥମେ ଲୁଚି ଯାଉଥିଲେ । ଦିନ ଦିନ, ରାତି ରାତି ଘନ ବନାନୀର ଗଛ, ଲତା ଆଢ଼ୁଆଳରେ ସେମାନେ ସମୟ ଅତିବାହିତ କରି ଦେଉଥିଲେ ।

 

କିନ୍ତୁ ଆଜି ସେ ଭୟ ତାଙ୍କର ନାହିଁ । ସଭ୍ୟ ଜଗତର ମଣିଷଙ୍କୁ ଦେଖିଲେ ସେମାନେ ଆଉ ଡରୁ ନାହାନ୍ତି–ଭୟ କରୁ ନାହାନ୍ତି । ସ୍ତ୍ରୀ, ପୁରୁଷ ଏବଂ ଏପରିକି ପିଲାମାନେ ଆସି, ନଳିନାକ୍ଷ ଓ ନନ୍ଦକିଶୋର ସହିତ ଖୋଲା ମନରେ କଥାବାର୍ତ୍ତା କରୁଛନ୍ତି ।

 

ସର୍ବ ସେବା ସଂଘର ଅଫିସ୍‍ ସେଇ ସଉରା ପଲ୍ଲୀରେ ସ୍ଥାପିତ ହୋଇଛି । ସଂଘ ତରଫରୁ କୁକୁଡ଼ା, ହଳଦୀ, ସୋରିଷ ଚାଷ ସମବାୟ ସୂତ୍ରରେ ପ୍ରତିଷ୍ଠିତ ହୋଇଛି । ଆଦିବାସୀ ଜନତାର ପ୍ରାଣରେ ଆଜି ହୋଇଛି ନୂତନ ସୂର୍ଯ୍ୟୋଦୟ ।

 

ଶହ ଶହ ଏକର ଜମି ସେମାନେ ଆବାଦ କରି ପାରିଛନ୍ତି । ସେମାନଙ୍କ ଜୀବନ ଯାତ୍ରା ପ୍ରଣାଳୀକୁ ବଦଳାଇ ଦେଇଛନ୍ତି ନଳିନାକ୍ଷ ଓ ନନ୍ଦକିଶୋର । ଆଦିବାସୀ ଜନତା ସହିତ ଆପଣାର ଭାଇ ପରି, ବନ୍ଧୁ ପରି ସେମାନେ ଚଳୁଛନ୍ତି । ସେମାନଙ୍କ ଦୁଃଖରେ ଦୁହେଁଯାକ ଦୁଃଖୀ ହୋଇଛନ୍ତି । ସେମାନଙ୍କ ବିବାହ ଉତ୍ସବରେ ନିଜର ପ୍ରିୟ ପରିଜନ ପରି ଅଂଶଗ୍ରହଣ କରୁଛନ୍ତି । ରୋଗ ବାଧକାରେ, ଦିନ ଦିନ ରାତ୍ରି ରାତ୍ରି ଉଜାଗର ରହି ସେମାନେ ଚିକିତ୍ସା କରୁଛନ୍ତି ।

 

ସେମାନଙ୍କ ଆଖିରେ ଲୁହ ଦେଖିଲେ, ନିଜ ଲୁଗା କାନିରେ, ସମବେଦନା ଜଣାଇ, ଆଶ୍ୱାସନା ଓ ସାନ୍ତ୍ୱନାର ପ୍ରଲେପ ଲଗାଇ, ପୋଛି ଦେଇଛନ୍ତି । ଆଦିବାସୀ ଜୀବନର ସମସ୍ତ ଅନ୍ଧକାରକୁ ଦୂର କରିବା ପାଇଁ, ସେମାନେ ନିଜର ପ୍ରାଣର ନିର୍ଯ୍ୟାସରେ ଆଲୋକର ବର୍ତ୍ତିକା ଜାଳିଛନ୍ତି ।

ସେ ଦିନ ବୈଶାଖୀ ସନ୍ଧ୍ୟାର ଏକ ମନୋରମ ମୁହୂର୍ତ୍ତ...

ସଉରା ପଲ୍ଲୀର ସେଇ ଶାନ୍ତ, କୋମଳ, ନିଥର ପରିବେଶ, ନାନା ଜାତିର ପକ୍ଷୀଙ୍କର କଳ କୂଜନ ଓ କାକଳିରେ ହୋଇ ଉଠିଥିଲା ମୁଖରିତ ।

ଧେଂଡ଼ା ଭବନରୁ ‘ରଘୁପତି ରାଘବ ରାଜା ରାମ’....ର ବୈଷ୍ଣବୀୟ ଭାବଧାରା ଖେଳି ବୁଲୁଥିଲା ସାନ୍ଧ୍ୟ ସମୀରଣର ଛନ୍ଦେ ଛନ୍ଦେ ।

ନଳିନାକ୍ଷ ଓ ନନ୍ଦକିଶୋର ସଂଘ ଅଫିସରେ ବସିଛନ୍ତି । ପାହାଡ଼ୀ ସନ୍ଧ୍ୟା ଧୀରେ ଧୀରେ ବିଭାବରୀରେ ରୂପାନ୍ତରିତ ହେଉଛି ।

ନଳିନାକ୍ଷ ସନ୍ଧ୍ୟାର ସେଇ ନିରବତାକୁ ଭଙ୍ଗ କରି କହିଲା–ଅନେକ ଦିନ ହେଲା କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ତତେ କିଛି ପଚାରି ପାରିନି ନନ୍ଦ । ଏ ଜୀବନ କେମିତି ଲାଗୁଛି ?

ଦଳଗତ ରାଜନୀତିର ଉତ୍କଟ ଶତ୍ରୁତା ମାଲକାନଗିରିର ସୀମାହୀନ ଅରଣ୍ୟ ବୁକୁରେ ଆଜି ବିଲୀନ ହୋଇଯାଇଛି ନନ୍ଦ । ମନ୍ତ୍ରୀ, ଉପମନ୍ତ୍ରୀ, ସ୍ୱାୟତ୍ତଶାସିତ ସଂସ୍କାର ସର୍ବୋଚ୍ଚ କର୍ମକର୍ତ୍ତା ହେବାପାଇଁ ମାଲକାନଗିରିର ଘନ ବନାନୀର ଶାନ୍ତ, ଉଦାର ପରିବେଶ ତତେ ହୁଏତ ଉତ୍ସାହିତ କରିବ ନାହିଁ ।

ଏଠି ପାଇବୁ, ଶାନ୍ତ ସରଳ ଜୀବନର ଏକ ମହନୀୟ ପ୍ରେରଣା । ଭାରତବର୍ଷର ସବୁଠାରୁ ଅବହେଳିତ, ଅଜ୍ଞାତ, ଅଖ୍ୟାତ ଏଇ ପଲ୍ଲୀବାସୀଙ୍କର ସେବା କାର୍ଯ୍ୟରେ ନିଜର ଜୀବନକୁ ନିୟୋଜିତ କରିଦେଲେ, ଉଗ୍ର କ୍ଷମତା ଲାଳସାର ସେଇ ଦୂଷିତ ସ୍ୱପ୍ନ ମନ ଭିତରକୁ ଆଉ ଆଚ୍ଛାଦିତ କରିବ ନାହିଁ ।

କହ କେମିତି ଲାଗୁଛି ତତେ ?

ନନ୍ଦକିଶୋର ସଂଧ୍ୟାର ସେଇ ପାତଳ ଅନ୍ଧାର ଭିତରେ ହସି ହସି କହିଲା–ମୋର ଏଇ ଜୀବନ ଯାତ୍ରାର ଶୈଳୀକୁ ମୁଁ ଏକାନ୍ତରେ ଉପଭୋଗ କରୁଛି ନଳିନାକ୍ଷ ଭାଇ । ଜୀବନ ଯାତ୍ରାର ଏଇ ନଦୀ ପ୍ରବାହରେ, କ୍ଷମତା, ଲାଳସା କିମ୍ବା ଦଳଗତ ରାଜନୀତିର ଫେନିଳ ଊର୍ମି ଉଠିବାର ଆଉ ଅବକାଶ ନାହିଁ । ସ୍ୱାର୍ଥପର, ପ୍ରତିଶୋଧପରାୟଣ, ପ୍ରତିକ୍ରିୟାଶୀଳ ବ୍ୟକ୍ତିର ଅନ୍ୟାୟ, ଅନୀତି ଦେଖି ମନ ଆଉ ବିଦ୍ରୋହୀ ହୋଇ ଉଠିବ ନାହିଁ । ସେମାନଙ୍କର ସେଇ ସ୍ୱାର୍ଥଲିପ୍‍ସୁ ଭୂମିକାକୁ ପ୍ରତିହତ କରିବା ପାଇଁ ମନ ତଳ ବିପ୍ଳବର ବହ୍ନିରେ ମଧ୍ୟ ପ୍ରଜ୍ୱଳିତ ହେବ ନାହିଁ ।

ଆମେ ଆଜି ସେ ସବୁ ଜଞ୍ଜାଳରୁ ମୁକ୍ତ ନଳିନାକ୍ଷ ଭାଇ । ଅଜ୍ଞାତ, ଅଶିକ୍ଷା ଓ ଅନ୍ଧକାରର ଅତଳସ୍ପର୍ଶୀ ଗହ୍ୱରରେ ପୀଡ଼ିତ ଏଇ ଜନସାଧାରଣଙ୍କ ସେବା କରି ମୁଁ ଆଜି ଆନନ୍ଦରେ ବିହ୍ଵଳିତ । ନିର୍ବାଚନ କାଳୀନ ପ୍ରତିଦ୍ୱନ୍ଦ୍ୱିତାର ଉତ୍ତେଜନା ମୋର ଆଜି ନାହିଁ । ନିଜ ଦଳର ଜୟଗାନ କରି, ଅନ୍ୟ ରାଜନୈତିକ ଦଳକୁ ନିନ୍ଦା କରିବାର ସ୍ପୃହା, ଏଠିକୁ ଆସିବା ଦିନରୁ ମୋର ମରି ଯାଇଛି-

ମୋର କୌଣସି ଏକ ନିର୍ଦ୍ଦିଷ୍ଟ ରାଜନୈତିକ ମତାଦର୍ଶ ନାହିଁ ନଳିନାକ୍ଷ ଭାଇ । କେଉଁ ରାଜନୈତିକ ଦଳ ମତେ ଆଉ ଆକୃଷ୍ଟ କରି ପାରିବ ନାହିଁ ।

ଜନତାର ସେବା, ପୁଣି ଆଦିବାସୀ ଜନତାର ସେବା, କଲ୍ୟାଣ ଉନ୍ନତି, ପ୍ରଗତି ଓ ଅଗ୍ରଗତିହିଁ ମୋର ଆଦର୍ଶ । ସେଇ ଆଦର୍ଶରେ ମୁଁ ଉଦ୍‍ବୁଦ୍ଧ ହୋଇଛି–ପ୍ରଣୋଦିତ ହୋଇଛି–ପ୍ରଚୋଦିତ ହୋଇଛି । ସେ ପଥରୁ ମୁଁ କେବେହେଲେ ବିଚ୍ୟୁତ ହେବି ନାହିଁ ।

 

ନଳିନାକ୍ଷ ସନ୍ଧ୍ୟାର ସେଇ ଅନ୍ଧକାର ଭିତରେ ହସି ହସି କହିଲା–ତା’ହେଲେ ତୋ ପ୍ରଜା ସୋସାଲିଷ୍ଟ ପାର୍ଟିର ଅବସ୍ଥା ଖରାପ ହୋଇଯିବରେ–

 

ନନ୍ଦକିଶୋର କହିଲା–ମତେ ଥଟ୍ଟା କରୁଛ ନୁହେଁ ? ତମର ଜାତୀୟବାଦୀ ଦଳ କ’ଣ ଦୁର୍ବଳ ହେବନାହିଁ ?

 

ନଳିନାକ୍ଷ ପୁଣି ବ୍ୟଙ୍ଗର ଏକ ସରୁରେଖା କାଟି କହିଲା–ମୋ ଦଳକୁ ବଞ୍ଚାଇ ରଖିବା ପାଇଁ ପୁଣ୍ଡରୀକାକ୍ଷ ଓ ଲୋକନାଥ ଦାଦା ଗାଁରେ ରହିଛନ୍ତି । ମୋର ସେଥିପାଇଁ ଭୟ କରିବାର କୌଣସି କାରଣ ନାହିଁ ।

 

ତା’ଛଡ଼ା ବିକ୍ରମ ବାବୁ ତ ପୃଷ୍ଠପୋଷକ !

 

ଦୁହେଁଯାକ ହସି ଉଠିଲେ ସନ୍ଧ୍ୟାର ସେଇ ଅନ୍ଧାରରେ ।

 

ଆଷାଢ଼ର ଗୋଟିଏ ମେଘ ମନ୍ଦ୍ରିତ ସକାଳ...

 

ନଳିନାକ୍ଷ, ନଟବରର ଚିଠି ପଢ଼ିସାରିଲା ପରଠାରୁ ହସି ହସି ଗଡ଼ି ଯାଉଛି । ସେ ହସ ଆନନ୍ଦର ନୁହେଁ, ପୁଲକର ନୁହେଁ, ଗୌରବର ନୁହେଁ, ବିଜୟର ନୁହେଁ–ସେ ହସ ପାଗଳର ସତେ ! ଚେତନାହୀନ, ସଂଜ୍ଞାହୀନ, ସମ୍ବିତହୀନ ମଣିଷର ସେ ଏକ ପ୍ରଳାପର ପାଣ୍ଡୁଲିପି ।

 

ସେ ହସ ବେଳୁଁ ବେଳ ବଢ଼ିବାରେ ଲାଗିଛି...

 

ସଉରା ପଲ୍ଲୀକୁ ଘେରି ରହିଥିବା ପାହାଡ଼ ଉପରେ, ଆଷାଢ଼ର ଆକାଶ ମେଘର ଗୁରୁଭାରରେ ଭାରାକ୍ରାନ୍ତ ହୋଇ ଉଠୁଛି । ପାହାଡ଼ ଶିଖରରେ ମୟୂର ପୁଚ୍ଛ ଟେକି ନୃତ୍ୟ ଆରମ୍ଭ କରିବାକୁ ବସିଲାଣି ।

 

ନନ୍ଦକିଶୋର ସଂଘ ଅଫିସ ଘରକୁ ଲାଗି ରୋଷେଇ ଘରଟିରେ ବସି ପରିବା କାଟୁଛି...

 

ତଥାପି ନଳିନାକ୍ଷର ସେଇ ଅର୍ଥହୀନ ଉଚ୍ଚ ହାସ୍ୟର ଲହଡ଼ି ଥମିବାକୁ ନାହିଁ ।

 

ନନ୍ଦକିଶୋର ପରିବା କଟା ବନ୍ଦ କରିଦେଇ, ଚାଲି ଆସିଲା ବାହାରକୁ । ନଳିନାକ୍ଷ ହସୁଛି ତଥାପି ଜୋରରେ !

 

ନନ୍ଦକିଶୋର ଦଉଡ଼ି ଯାଇ କହିଲା–କାହିଁକି, କାହିଁକି ତମେ ହସି ହସି ଗଡ଼ିଯାଉଛ ନଳିନାକ୍ଷ ଭାଇ ? ଆଜି ତମର କ’ଣ ହୋଇଛି ? ତମ ସହିତ ଏତେବର୍ଷ ମିଶିଲି, ଛାଇ ପରି ବରାବର ଲାଗି ରହିଲି । ମାତ୍ର ଦିନେହେଲେ ଏଭଳି ତମେ ହସି ଥିବାର ମୁଁ ଦେଖିନାହିଁ ।

 

ନଳିନାକ୍ଷ ତଥାପି ହସୁଛି । ତଥାପି ହସୁଛି ସେଇ ଉତ୍ତାଳ ଲହରୀ ପରି, ଦୂରନ୍ତ, ଉଦବେଳିତ ଅଟ୍ଟହାସ୍ୟ ।

 

ସେଇ ହସ ଭିତରେ ସେ ଆସ୍ତେ ଆସ୍ତେ ଯେପରି ଚେତନାଶୂନ୍ୟ ହୋଇ ଉଠୁଛି ।

 

ନଳିନାକ୍ଷ ହସି ହସି କହିଲା–ଆରେ ନେ, ଚିଠି ପଢ଼, ନଟବର କି ଶୁଭ ସମ୍ବାଦ ଲେଖି ମୋ ପାଖକୁ ଜଣାଇଛି । ସେ ସମ୍ବାଦ ପଢ଼ି ମୁଁ ହସୁଛି ନନ୍ଦକିଶୋର ।

 

ମୁଁ ଆଜି ହସିବି ପ୍ରାଣଖୋଲା ହସ–ମନଭରା ହସ–ହସି ହସି ନାକେଦମ୍‍ ହେଲା ପର୍ଯ୍ୟନ୍ତ ମୁଁ ହସିବି । ସମସ୍ତଙ୍କୁ ହସାଇବି । ତତେ ବି ହସାଇବି । ସଉରା ପଲ୍ଲୀର ଶହ ଶହ ଆଦିବାସୀ ଜନତାଙ୍କୁ ମଧ୍ୟ ମୋ ହସର ସଂକ୍ରାମକ ରୋଗରେ ଆକ୍ରାନ୍ତ କରାଇବି । ମୋ ହସ ସହିତ ତାଳ ମିଳାଇ, ମାଲକାନଗିରିର ଏଇ ବନ୍ୟା ପ୍ରକୃତି ମଧ୍ୟ ହସିବ । ପାହାଡ଼ ହସିବ । ଆଷାଢ଼ର ଆକାଶ ମଧ୍ୟ ହସିବ ।

 

ନଳିନାକ୍ଷ ଏକ ଭାବାବେଗରେ କହି ଚାଲିଛି...

 

ନନ୍ଦକିଶୋର ଚିଠି ପଢ଼ୁଛି । ନୀଳିମାରେ ସ୍ୱାମୀ ନଟବରର ଚିଠି ସେ ପଢ଼ିବାରେ ଲାଗିଛି ।

 

ଭାଇ,

 

ଗତକାଲି, ନୀଳିମା ଚିରଦିନ ପାଇଁ ମତେ ଛାଡ଼ି ଆର ପାରିକୁ ଚାଲିଗଲା । ମାଳ ଅଞ୍ଚଳରେ ଦୀର୍ଘଦିନ ଧରି ଶିକ୍ଷକତା କଲି । ତାକୁ ମଧ୍ୟ ପାଖରେ ରଖିଲି । ମାଳ ଅଞ୍ଚଳର ଜଳବାୟୁ ତା’ ଦେହରେ ଗଲାନାହିଁ । ବରାବର ଜ୍ୱର ଲାଗିରହିଲା । ଯେତେ ଚିକିତ୍ସା କରାଇଲି, ଡାକ୍ତର ଦେଖାଇଲି, ତଥାପି ସେ ଆରୋଗ୍ୟ ହେଲାନି । ମୋ ବଦଳି ପାଇଁ, ହୃଦୟ ବାବୁଙ୍କୁ କହିବା ଲାଗି ଆପଣଙ୍କୁ ଯେତେ ଲେଖିଲି, ଆପଣ ଶୁଣିଲେନି । ଫଳରେ ନୀଳିମାରେ ଜୀବନ ଗତକାଲିଠାରୁ ଶୂନ୍ୟ ଆକାଶରେ ମିଳାଇ ଯାଇଛି ।

 

ମୁଁ ଆଜି ନିଃସହାୟ । ଆଉ କିଛି ଲେଖିପାରୁନି । ବୁକୁର ବିକଳ ବେଦନାରେ ଆଖିରେ ଅଶ୍ରୁ ଆସୁଛି ।

 

ନଟବର

 

ନନ୍ଦକିଶୋରର ଅନ୍ତର ଏକ ଅବ୍ୟକ୍ତ ବେଦନାରେ ମୂର୍ଚ୍ଛିତ ହୋଇ ଉଠିଲା । ନଳିନାକ୍ଷ ଭାଇଙ୍କର ଏକମାତ୍ର ଭଉଣୀର ମଧ୍ୟ ପରଲୋକ ହୋଇଗଲା ।

 

କିନ୍ତୁ ଆଜି ଭଳି ଦୁଃଖଦାୟକ, ଶୋକାଭିଭୂତ ଦିବସରେ ନଳିନାକ୍ଷ ଭାଇଙ୍କର ଏ କି ହସ-? ଆଜି ଏ କି ପ୍ରଳାପ ? ଏ କି ପ୍ରଗଳ୍‍ଭତା ? ଯେତିକି ହସୁଛନ୍ତି, ତା’ଠାରୁ ଅଧିକ ପ୍ରଳାପ କରି ସମୟ ଅତିବାହିତ କରିବାରେ ଲାଗିଛନ୍ତି । ସେ ହସ ଓ ପ୍ରଳାପ ସତେ ଯେମିତି ବନ୍ଦ ହେବନାହିଁ-

 

ନନ୍ଦକିଶୋର ଚିତ୍କାର କରି ଉଠିଲା !

 

–ଏ କ’ଣ ନଳିନାକ୍ଷ ଭାଇ ? ନୀଳିମାର ମୃତ୍ୟୁ ସମ୍ବାଦ ପାଇ ତମର ଏ କି ଆନନ୍ଦ ? ଏ କି ଉଲ୍ଲାସ ? ତମେ ହସି ହସି ଲୋଟି ଯାଉଛ । ବକି ବକି କ୍ଳାନ୍ତ ହୋଇ ପଡ଼ୁଛ ? ଏକମାତ୍ର ଭଉଣୀର ମୃତ୍ୟୁରେ, ତମର ଏ କି ପାଗଳାମି ?

ନଳିନାକ୍ଷ କହିଲା–ମୋର ଆଜି ଦୁଃଖର, ଶୋକର ଦିବସ ନୁହେଁ, ନନ୍ଦକିଶୋରେ । ଜୀବନର ଚଲାବାଟରେ ଗୋଟି ଗୋଟି ହୋଇ ସମସ୍ତ ଚାଲିଗଲେ ମୋ ଆଖିରୁ । ବାପା ଯାଇଥିଲେ ଅନେକ ବର୍ଷ ତଳେ–ବୋଉ ଯାଇଥିଲା ପରାଧୀନ ଭାରତର ମାଟି ଉପରେ । ବାପାଙ୍କ ମୃତ୍ୟୁ ବେଳକୁ ମୁଁ ଅବଶ୍ୟ ତାଙ୍କ ପାଖେ ରହିଥିଲି । କିନ୍ତୁ ବୋଉ ବେଳକୁ...

ନଳିନାକ୍ଷର ସ୍ୱରରେ ଅସ୍ଵାଭାବିକତା ଦେଖାଦେଲା । କଣ୍ଠ ଦେଶରେ କାରୁଣ୍ୟର ପୁଞ୍ଜିଭୂତ ମୂର୍ଚ୍ଛନା...

ବୋଉ ବେଳକୁ, ପରାଧୀନ ଭାରତର ଜେଲ୍‍ ଭିତରେ ବନ୍ଦୀ ହୋଇ ରହିଥିଲି । ତା’ ମୃତ୍ୟୁର ଅନେକ ଦିନ ପରେ ଘରକୁ ଫେରି ଆସିଥିଲି । ଦେଶ ସ୍ୱାଧୀନ ହେଲା । ଏ ଦେଶରେ ଭାରତୀୟ ଜନତା ଶାସନ ଗାଦି ମାଡ଼ି ବସିବାକୁ ସକ୍ଷମ ହେଲା ।

କିନ୍ତୁ ମୁଁ, ସକ୍ରିୟ ରାଜନୀତିରୁ ବିଦାୟ ନେଇ ଚାଲି ଆସିଲି ଏଇ ବନାନୀର ଶାନ୍ତ, ଶୀତଳ କୋଳକୁ । ନୀଳିମା, ପ୍ରାଣର ନୀଳିମାକୁ ବିବାହ କରାଇ ଦେଇ, ନିଶ୍ଚିନ୍ତରେ ଆଦିବାସୀ ଜନତାର ସେବାରେ ମନକୁ ହଜାଇ ଦେଇଥିଲି । ଯାହାପ୍ରତି ପ୍ରାଣରେ ମୋର ରହିଯାଇଥିଲା ସ୍ନେହ, ଆଦର, କଲ୍ୟାଣ ଓ ଶ୍ରଦ୍ଧାର ଅଫୁରନ୍ତ କଣିକା, ସେଇ ନୀଳିମାର ଆଜି ମୃତ୍ୟୁ ହୋଇ ଯାଇଛି ।

ମୋର ଆଜି କେହି ନାହାନ୍ତିରେ । ମୁଁ ଏକାକୀ ବିଶିକେଶନ । ମୋର ଆଉ ସ୍ନେହ ନାହିଁ–ମମତା ନାହିଁ–ଶ୍ରଦ୍ଧା ନାହିଁ–କଲ୍ୟାଣ ନାହିଁ । ଅନ୍ତରର ଏଇ ସ୍ଵାଭାବିକ ପ୍ରବୃତ୍ତିଗୁଡ଼ିକ ସେବା ଆକାରରେ ରୂପାନ୍ତରିତ ହୋଇଛି । ତିତିକ୍ଷା ଆକାରରେ ଆତ୍ମ-ପ୍ରକାଶ କରିଛି ।

 

ମୁଁ ଆଜି ମୁକ୍ତ–ସ୍ୱଚ୍ଛନ୍ଦ । ମୋର ଚିନ୍ତା ନାହିଁ । ଦକ ନାହିଁ ।

 

ସେଥିପାଇଁ ମୋର ଆଜି ଆନନ୍ଦ । ପରମ ଆନନ୍ଦ.....

 

ଆଖିରେ ଅଶ୍ରୁ ଝରି ଆସୁଥିଲେ ମଧ୍ୟ ନଳିନାକ୍ଷ ପୁଣି ହସି ଉଠିଲା ଥୋଡ଼େ ହସ ।

 

ନନ୍ଦକିଶୋର ବିବ୍ରତ ହୋଇ କହିଲା–ଆଉ ତମେ ହସନି ନଳିନାକ୍ଷ ଭାଇ । ଧୀରସ୍ଥିର ହୋଇ ତମେ ଶୋଇପଡ଼ ।

 

ନଳିନାକ୍ଷ କହିଲା–ମୁଁ ବକି ବକି ପାଗଳ ହୋଇଯିବି ବୋଲି ତୁ ଯେଉଁ ଆଶଙ୍କା କରୁଛୁ ନନ୍ଦ, ସେ ଆଶଙ୍କା ତୋର ସମ୍ପୂର୍ଣ୍ଣ ଅମୂଳକ ।

 

ଜୀବନରେ ବହୁ ଧକ୍କା ଖାଇ, ମୁଁ ପଥର ପାଲଟି ଯାଇଛିରେ । ଏଇ ମାତ୍ର ସାମାନ୍ୟ ଆଘାତ ଓ ଧକ୍କାରେ ମୁଁ କ’ଣ ଭାଙ୍ଗି ପଡ଼ିବି ।

 

ଯେଉଁ ଜନତାର ସେବା କରିବା ପାଇଁ ଆମେ ଏଠିକି ଆସିଛେଁ, ସେଇ ସେବାରେ ମୁଁ ଆତ୍ମନିୟୋଗ ନିଶ୍ଚୟ କରିବି ।

 

ନଳିନାକ୍ଷ ପୁଣି ଥରେ ହସି ଉଠିଲା ପ୍ରାଣଖୋଲା ହସ ।

 

ଆଷାଢ଼ ଆକାଶରୁ ଝରି ଝରି ପଡ଼ୁଥିଲା ବୃଷ୍ଟିର ଶୀତଳ ଧାରା....

 

ନଳିନାକ୍ଷ ଓ ନନ୍ଦକିଶୋର ମାଲକାନଗିରିର ସେଇ ମେଘ ବର୍ଷିତ ଆକାଶକୁ ଚାହିଁ ରହିଥିଲେ ।

Image